Unknown

 

 

 

 

 

 

 

 

 

 

 

ଦ୍ୱିତୀୟ ଶ୍ମଶାନ

ରାମଚନ୍ଦ୍ର ବେହେରା

 

 

 

 

 

 

 

 

 

 

 

 

 

ବାପା ଓ ମା’ଙ୍କ ହାତରେ

 

ଜୀବନର ଶେଷହୀନ ରହସ୍ୟ ଓ ଜଟିଳତା ସବୁ ଯୁଗରେ ସାହିତ୍ୟର ପରିସରକୁ ଅଭିଭୂତ କରିଆସିଛି । ସୃଜନଶୀଳ ସାହିତ୍ୟିକ ଜୀବନର ସାମଗ୍ରିକତାକୁ ନିଜ ସୃଷ୍ଟିର ସୀମା ଭିତରେ ଧରିରଖି ପାରିନାହିଁ । ସାହିତ୍ୟ ପାଇଁ ଏହା ଟ୍ରାଜେଡ଼ି ହୋଇପାରେ; ମାତ୍ର ସାହିତ୍ୟିକ ପାଇଁ ଜୀବନର ବିପୁଳତା ଏକ ଚାଲେଞ୍ଜଭାବେ ଦଣ୍ଡାୟମାନ ହୋଇଥାଏ ଏବଂ ତାହାର ସୃଜନଶୀଳତାକୁ ଅପୂର୍ବ ଶକ୍ତି ଓ ପ୍ରେରଣା ଦେଇଥାଏ ।

 

ଜୀବନ ଓ ପୃଥିବୀ ସମ୍ପର୍କରେ ମୋର ଅନୁଭୂତିର ପ୍ରକାଶ ନିମିତ୍ତ ଗଳ୍ପରଚନା ମୋ ପାଇଁ ଏକ ଆବେଗମୟ ମାଧ୍ୟମ । ମୁଁ ସଚେତନ ଯେ, ସୃଷ୍ଟିର ବିବିଧତା ଓ ବ୍ୟାପକତା ଦୃଷ୍ଟିରୁ ଗଳ୍ପଗୁଡ଼ିକରେ ପ୍ରତିଫଳିତ ହୋଇଥିବା ଅନୁଭୂତିର ଦିଗ୍‍ବଳୟ ସୀମିତ ଜଣାପଡ଼ିପାରେ । ତେବେ, ପ୍ରତ୍ୟେକ ନୂତନ ଅନୁଭୂତି ଅତୁଳନୀୟ ଓ ଚମକପ୍ରଦ । ଗଳ୍ପ ଜରିଆରେ ଏହାକୁ ବିଶ୍ୱସ୍ତତାର ସହିତ ରୂପ ଦେବାପାଇଁ ମୁଁ ଆନ୍ତରିକ ଉଦ୍ୟମ କରିଅଛି ।

 

ହୃଦୟକୁ ଉଦ୍‍ବେଳିତ କରୁଥିବା ତୀବ୍ର ଅନୁଭବର ବର୍ହିପ୍ରକାଶ ପାଇଁ ସୃଜନଶୀଳ ସାହିତ୍ୟିକର ବ୍ୟାକୁଳତା କୌଣସି ସାହିତ୍ୟିକ ତତ୍ତ୍ୱ ବା ବିଚାରଧାରା ପ୍ରତି ସଚେତନ କିମ୍ୱା ଅନୁରକ୍ତ ରହିପାରେ ନାହିଁ । ଏଇଥିପାଇଁ ‘ଇଜମ୍’ ବା ‘ଡଗ୍‍ମା’ର ବାଡ଼ ମୋ ଦୃଷ୍ଟିରେ ଖୁବ୍ ନିଃସହାୟ ।

 

ବର୍‍ହାଟିପୁରା, କେନ୍ଦୁଝର

ଦୋଳପୂର୍ଣ୍ଣିମା, ୧୯୭୬

Image

 

‘ଦ୍ୱିତୀୟ ଶ୍ମଶାନ’ ବିଗତ ପାଞ୍ଚବର୍ଷ ମଧ୍ୟରେ ଲେଖା ଯାଇଥିବା ଗଳ୍ପଗୁଡ଼ିକର ଏକ ସୁନିର୍ବାଚିତ ସଙ୍କଳନ ।

 

ଗଳ୍ପଗୁଡ଼ିକ ବିଭିନ୍ନ ସମୟରେ ‘ଝଙ୍କାର’, ‘ନବରବି’ ଓ ‘ସମାବେଶ’ରେ ପ୍ରକାଶିତ ହୋଇଅଛି । ମୁଁ ସଂପୃକ୍ତ ପତ୍ରିକାର ସଂପାଦକମାନଙ୍କୁ କୃତଜ୍ଞତା ଜଣାଉଛି ।

 

ଅଧ୍ୟାପକ ଶ୍ରୀଯୁକ୍ତ ଶରତକୁମାର ମହାନ୍ତି ସଂକଳନଟିକୁ ଆଲୋକକୁ ଆଣିବାରେ ଅକୁଣ୍ଠିତ, ସଶ୍ରଦ୍ଧ ସାହାଯ୍ୟ ଓ ପ୍ରେରଣା ଦେଇଛନ୍ତି । ବିଭିନ୍ନ ପତ୍ରିକାରେ ବିକ୍ଷିପ୍ତ ଅବସ୍ଥାରେ ରହିଥିବା ଗଳ୍ପଗୁଡ଼ିକର ସ୍ୱରକୁ ଏକତ୍ରିତ କରିବା ସମ୍ଭବ ହେଲା ଶ୍ରୀଯୁକ୍ତ ମହାନ୍ତିଙ୍କର ଆନ୍ତରିକତା ଯୋଗୁଁ । ତାଙ୍କ ନିକଟରେ ମୁଁ ଋଣି ।

 

ଶିଳ୍ପୀବନ୍ଧୁ ଶ୍ରୀଯୁକ୍ତ ଶିବ ପାଣିଗ୍ରାହୀ ପ୍ରଚ୍ଛଦପଟରେ ଗଳ୍ପଗୁଡ଼ିକର ଆତ୍ମାକୁ ରଙ୍ଗ ଓ ତୁଳୀରେ ରୂପ ଦେଇଛନ୍ତି । ଏଇ ଅବସରରେ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

‘ଅଗ୍ରଦୂତର’ ଶ୍ରୀଯୁକ୍ତ ବୀରବର ମହାନ୍ତିଙ୍କ ପ୍ରଚେଷ୍ଟା ଓ ତତ୍ପରତା ବିନା ସଙ୍କଳନଟି ଏତେଶୀଘ୍ର ପ୍ରକାଶ ପାଇ ପାରି ନ ଥାନ୍ତା । ତାଙ୍କୁ ମୁଁ ମୋର ବିନମ୍ର କୃତଜ୍ଞତା ଜ୍ଞାପନ କରୁଛି ।

Image

 

ଦ୍ୱିତୀୟ ଶ୍ମଶାନ

 

୧.

ଘର

୨.

ଶେଷ ସୂର୍ଯ୍ୟରବହ୍ନି

୩.

ମଧ୍ୟାହ୍ନର ଛାଇ

୪.

ତ୍ରିଶଙ୍କୁ

୫.

ପୋଷାକ

୬.

ଆରୋହଣ

୭.

ପିଂଜରା

୮.

କୁହୁଡ଼ି ଓ ତୃଷ୍ଣା

୯.

ଅନ୍ଧୁଣୀ

୧୦.

ସଂକେତ

୧୧.

ବର୍ଣ୍ଣବୋଧ ପାଠ

୧୨.

ସେତୁ

୧୩.

ଭୟ

୧୪.

ଶେଷଦୃଷ୍ଟି

୧୫.

ରଂଗମଂଚ

୧୬.

ପ୍ରତିଧ୍ୱନି

୧୭.

ଆତ୍ମହତ୍ୟା

୧୮.

ସୀମାବଦ୍ଧ

୧୯.

ନିଷ୍ପତ୍ତି

୨୦.

ଦ୍ୱିତୀୟ ଶ୍ମଶାନ

Image

 

ଘର

 

ଚାକିରି କରିବାର ସାତବର୍ଷ ପରେ ଆଜି ମୋତେ ସରକାରୀ ଘର ମିଳିଲା । ଘର ପାଇବି ବୋଲି ଅନେକଦିନୁ ଜାଣିଥିଲି; ମାତ୍ର କେଉଁଟି ମୋତେ ମିଳିବ ସେ ସମ୍ପର୍କରେ ଅନିଶ୍ଚିତ ଥିଲି, ନିର୍ଦ୍ଦେଶନାମା ପାଇବା ପର୍ଯ୍ୟନ୍ତ । ଏକା ଅଫିସରେ କାମ କରୁଥିବା ମୋଠାରୁ ଦୁଇଜଣ ସିନିୟର କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ ମୋତେ ଦିଆଯାଇଥିବା ଘରଟି ପାଇବା କଥା, ତାହା ହୋଇ ନାହିଁ ।

 

ଚାରିମାସ ପୂର୍ବେ ସେଇ ଘରେ ରହୁଥିବା ତେଲେଙ୍ଗା ଅଫିସରଙ୍କ ବିଧବା ଭଉଣୀ ଆତ୍ମହତ୍ୟା କରିଥିଲା, ଘରପଛ ଛୋଟିଆ ବଗିଚାରେ ଥିବା ଝଙ୍କାଳିଆ ପିଜୁଳିଗଛ ଡାଳରେ ଦଉଡ଼ି ଦେଇ । ସେ ଅଫିସର ଚାଲିଗଲେଣି, ମାତ୍ର ଭଉଣୀର ଭୂତ କୁଆଡ଼େ ସେ ଇଲାକାରେ ଘୂରିବୁଲେ-। ରାତିର ନୀରବତା ଭାଙ୍ଗି ଯନ୍ତ୍ରଣା ଓ ହତାଶା-ଜର୍ଜରିତ କାନ୍ଦଣା ଶୁଭେ । କେହି କେହି ତାକୁ ସଧବା ବେଶରେ ଦେଖିଥିବାର କହନ୍ତି । ଅଥଚ ପିଜୁଳିଗଛଟା ନିର୍ଲିପ୍ତଭାବରେ ଆକାଶକୁ ହାତ ବଢ଼ାଇ ଠିଆ ହୋଇଛି ଆଗଭଳି । ଏବେ ତା’ ଦେହରେ ପିଜୁଳି ଲଦି ହୋଇଛି ଏବଂ ରାତିରେ ବାଦୁଡ଼ିମାନଙ୍କର ପ୍ରତିଯୋଗିତା ଜନିତ କୋଳାହଳ ଶୁଭୁଛି । ଅଭୁତ ପ୍ରକୃତରେ !

 

ନିର୍ଦ୍ଦେଶନାମା ପାଇ ଭାବିଲି, ଯେଉଁ ଦୁଇଜଣ ସିନିୟର ଅଫିସର ଏ ଘର ପ୍ରାପ୍ତି କଥା ଚିନ୍ତା କରି ଆତଙ୍କିତ ହୋଇଥିବେ, ସେମାନେ ହୁଏତ କୌଣସି ଉପାୟରେ ଏହାକୁ ଆଭଏଡ଼୍ କରିଛନ୍ତି, ମାତ୍ର ଘର ଯେ ମୋ ପାଇଁ ଏକ ତୀର୍ଥସ୍ଥାନ ସେ କଥା ଅବା ଆଉ କିଏ ଜାଣିବ ?

 

ଆଉ ଦିନେ, ଦୁଇଦିନ ପରେ ମୁଁ ଓ ସୁଧା ଏ ଘରର ଛାତତଳେ ଆଶ୍ରୟ ନେବୁ । ଏହା ଉପରଦେଇ ଖରା ବର୍ଷାର ଜୟଯାତ୍ରା ଆମେ ଦେଖିବୁ । ସୁଧା କବାଟ ବନ୍ଦକରି ନିରାପଦରେ ଶାଢ଼ି ଓ ବ୍ଲାଉଜ୍ ପରିବର୍ତ୍ତନ କରିପାରିବ । ଅନ୍ଧକାରରେ ଆମେ ଦୁହେଁ ପରସ୍ପର ପରିଚିତ, ନିଷ୍ଫଳ ଦେହର ଉତ୍ତାପ ମାପିପାରିବୁ । ଏ ଘର ଆମ ଦୁହିଁଙ୍କର ସଂଜ୍ଞା ଓ ବ୍ୟକ୍ତିତ୍ୱ ତଥା ଆମର ସତ୍ତାକୁ ଅନୁଭବ କରିବାରେ ଆମକୁ ସାହାଯ୍ୟ କରିବ ।

 

ଆମ ଦୁହିଁଙ୍କ ପାଇଁ ଏଇ ହେଲା ଘରର ଆବଶ୍ୟକତା । ମାତ୍ର ବେଳେ ବେଳେ ମୁଁ ଘରକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖେ ।

 

ଯେଉଁ ମଫସଲ ଗାଁରେ ମୁଁ ଜନ୍ମ ନେଇଥିଲି, ତା’ର ଚାରିପଟେ ବ୍ୟାପକ ସମତଳ ଶସ୍ୟକ୍ଷେତ୍ର—ପାହାଡ଼-ବିହୀନ । କେବେ କିମିତି ମୁଁ ଏକୁଟିଆ ଏହା ମଝିକୁ ଚାଲିଆସେ । ଚାରିଆଡ଼େ କେବଳ ଶସ୍ୟକ୍ଷେତ୍ର । ଉପରେ ଆକାଶ–ଦିଗବଳୟ ପର୍ଯ୍ୟନ୍ତ ଓହ୍ଲାଇ ଆସିଛି । ନିର୍ଜନତାର ଯେଉଁ ସ୍ୱର, ତାହା ମୋତେ ଭୟପ୍ରଦ ଜଣାପଡ଼େ । ମୁଁ ଯେପରି ମୋ ସ୍ଥିତି ହଜାଇବସେ-। ଶୂନ୍ୟତାର ପ୍ରବାହ ଯେପରି ମୋତେ ସଂପୂର୍ଣ୍ଣଭାବେ ଦ୍ରବୀଭୂତ କରିପକାଏ । ମାତ୍ର ଘର ଭିତରେ ତାହା ହୁଏ ନାହିଁ । ଘରଭିତରେ ସେ ବ୍ୟାପକତା ନାହିଁ, ଆମ ଦୃଶ୍ୟମାନ ପୃଥିବୀ ଭିତରେ ଘର ଏକ ସଂକ୍ଷିପ୍ତ ପରିଧି । ଏହା ଭିତରେ ଆମେ ଆତ୍ମବିଶ୍ୱାସ ଫେରିପାଉ । ଏହାର ଚାରିକାନ୍ଥ ଶୂନ୍ୟତାର ସ୍ରୋତକୁ ପରାହତ କରି ଆମର ନିଜସ୍ୱ ସଂହତି ରକ୍ଷା କରେ ।

 

ଅପରାହ୍ନ ଚାରିଟା । ଚା କପ୍‍ଟା ପ୍ଲେଟ୍ ଉପରେ ରଖି ମୁଁ ଧୋତିକୁଞ୍ଚରେ ମୁହଁ ପୋଛିଲି-। ଏଥର ବସାଘରକୁ ଫେରିଯିବା ଉଚିତ । ମାତ୍ର ଏକତ୍ରିଂଶ ନମ୍ୱର ଘର ମିଳିଥିବା ଯୋଗୁଁ ଯେଉଁ ଚାଞ୍ଚଲ୍ୟ ଓ ଆନନ୍ଦର ଢେଉ ମନ ଭିତରେ ସୃଷ୍ଟି ହେଉଥିଲା ତାହା ମୋର ଦୈନନ୍ଦିନ ରୁଟିନ୍‍ରୁ ମୋତେ ସ୍ଥାନଚ୍ୟୁତ କରିପକାଉଥିଲା । ଭାବିଲି, ସମ୍ପୂର୍ଣ୍ଣ ଭାବେ କ୍ଳାନ୍ତ ହେବା ପର୍ଯ୍ୟନ୍ତ, ଏକତ୍ରିଂଶ ନମ୍ୱର ଘର ସାମନାରେ ବୁଲାଚଲା କଲେ କ୍ଷତି କ’ଣ ?

 

ମୁଁ ନିଷ୍ପତ୍ତି ପରିବର୍ତ୍ତନ କଲି । ଏବେ ନୁହେଁ । ଏ ଘର ସହିତ ପ୍ରାୟ ତେରବର୍ଷ ତଳୁ ଯେଉଁ ଅନ୍ତରଙ୍ଗତାର ଇତିହାସ ରହିଛି, ତାହାକୁ ବର୍ତ୍ତମାନ ପଢ଼ିବା ଠିକ୍ ହେବନାହିଁ । ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ମାନସିକ ପ୍ରସ୍ତୁତି ଦରକାର । ଆଃ, ସେ ଇତିହାସ !

 

ପରିଚିତ ଗଳି ଭିତରେ ପଶିଲାବେଳକୁ ସନ୍ଧ୍ୟା ହୋଇ ଯାଇଥାଏ । ଛକ ଉପରେ ଲଟେରୀ ଟିକେଟ ବିକ୍ରେତାର ଲାଉଡ୍‍ସ୍ପିକର ଏଠାକୁ ଅସ୍ପଷ୍ଟ ଶୁଣାଯାଉଛି—ପ୍ରଥମ ପୁରସ୍କାର ଲାଭ କରିବାର ଅନିଶ୍ଚିତ ପ୍ରତିଶ୍ରୁତି ଭଳି । ଆମ ବସ୍ତିରେ ବାସ କରୁଥିବା (ମୋ ସମେତ) ରିକ୍‍ସାବାଲା ଓ କୁଲିମଜୁରିଆମାନେ ଏ ଟିକେଟ କିଣନ୍ତି ଓ ପୁରସ୍କାର ଘୋଷଣା ପର୍ଯ୍ୟନ୍ତ ତାହାକୁ ସାଇତି ରଖନ୍ତି-

 

ଛକ ଉପରେ ଜଳୁଥିବା ଉଜ୍ଜ୍ୱଳ ବିଜୁଳି ଆଲୁଅର କିଛି ଅସ୍ପଷ୍ଟ ଅଂଶ ଆମ ବସ୍ତି ଉପରେ ପଡ଼େ ଏବଂ ଏହାର ଅନ୍ଧକାରକୁ ଚାଲେଞ୍ଜ କରେ ଓ ଶେଷରେ ପରାଜିତ ହୁଏ । ମ୍ୟୁନିସିପାଲଟିର ବତୀଖୁଣ୍ଟ ଅଛି । ମାତ୍ର ବସ୍ତିରେ ସାଲୁ ସାଲୁ ହେଉଥିବା ଭୋକିଲା; ଲଙ୍ଗଳା ପିଲାଗୁଡ଼ାକ ନିଜର ସମସ୍ତ ଗ୍ଳାନି ଓ ଯନ୍ତ୍ରଣା ପରିପ୍ରକାଶ କରନ୍ତି ଟେକାମାରି ବିଜୁଳି ଆଲୁଅଗୁଡ଼ାକୁ ନଷ୍ଟ କରିଦେବାରେ-

 

ବେଳେ ବେଳେ ମୁଁ ବୋଧକରେ; ଆମେ ଯେପରି ଆଶା ଶୂନ୍ୟତା ଓ ଉତ୍ପୀଡ଼ନ ବିରୁଦ୍ଧରେ ଜୟଯାତ୍ରା କରିବାର ଛଳନା କରୁ ଲଟେରୀ ଟିକେଟ୍‍ କିଣିବାରେ । ଆମେ ଅନ୍ଧକାରକୁ ଭଲ ପାଉଁ ଏବଂ ସ୍ଥାଣୁତାକୁ ଜୀବନର ‘ମଟୋ’ ବୋଲି ବାଛି ନେଉଁ । ଚାରିଆଡ଼େ ନାସ୍ତିବାଚକ ଆତ୍ମସନ୍ତୋଷର କୁହୁଡ଼ି । ସଂଘର୍ଷ ନାହିଁ । ନିଜକୁ ପ୍ରତିଷ୍ଠା କରିବାର ଦାୟିତ୍ୱ ନାହିଁ ।

 

ହଁ, ଛକରୁ ଆରମ୍ଭ ହେଲା ଆମ ପରିଚିତ ଅଣଓସାରିଆ ରାସ୍ତା । ନୂଆଁଣିଆ ଚାଳଘର, କାଁ-ଭାଁ ଛୋଟ ପକ୍କାଘର । ରାସ୍ତା ଦୁଇକଡ଼ରେ ଓସାରିଆ, ଖୋଲା ନର୍ଦ୍ଦମା । କେଉଁଠି କେମିତି ଆବର୍ଜନାର ପାହାଡ଼ ତଳେ ହଜିଯାଇଥିବା ଡଷ୍ଟବିନ୍ । ଯେଉଁଠି ପକ୍କା ପାଚେରୀ ଅଛି, ତା’ ଉପରେ ମୁଖ୍ୟତଃ ସିନେମା ପୋଷ୍ଟରର ପ୍ରଦର୍ଶନୀ । ଏବେ କ’ଣ ହେଉଛି କେଜାଣି, ପୋଷ୍ଟର ଗୁଡ଼ାକରେ ଖାଲି ହାସ୍ୟମୟୀ ତାରକାର ନଗ୍ନବକ୍ଷ ଓ ଗୋଡ଼ର ଚିତ୍ର ଦେଖାଯାଉଛି । ମୁଁ ବେଳେ ବେଳେ ସିନେମା ଦେଖିବାକୁ ଯାଏ ଏବଂ ଅଧିକାଂଶ ସମୟରେ ପ୍ରବଳ ଲୋକ ଭିଡ଼ ଦେଖେ । ସକାଳେ କ୍ଷୁଧିତ, ନଗ୍ନ ସନ୍ତାନକୁ ନିସ୍ତୁକ ମାଡ଼ ଦେଇଥିବା ରିକ୍ସାବାଲାଙ୍କୁ ହଲ୍ ଭିତରେ ଆତ୍ମବିସ୍ମୃତ ହେବାର ଲକ୍ଷ୍ୟ କରେ । ସିନେମା ଦେଖିସାରିବା ପରେ ନିଜ କଥା ଭାବିବାକୁ ଭାରି ଘୃଣା ଲାଗେ । ଖୁବ୍ ଭାବପ୍ରବଣ ହୋଇପଡ଼େ, ଦିବାସ୍ୱପ୍ନ ଦେଖେ । ସିନେମା ପୋଷ୍ଟର ବ୍ୟତୀତ ନିର୍ବାଚନ ସମୟରେ ଲମ୍ୱା ଲମ୍ୱା ପ୍ରତିଶ୍ରୁତି ସମ୍ୱଳିତ ଆହୁରି ଅନେକ ପୋଷ୍ଟର ଦେଖାଯାଏ । କିଛିଦିନ ପରେ ଅବଶ୍ୟ ଏ ଗୁଡ଼ିକ ସମ୍ପୂର୍ଣ୍ଣଭାବେ ହଜିଯାଆନ୍ତି ଅନ୍ୟପୋଷ୍ଟର ତଳେ । ଆମେ ସବୁ ସେ ପୋଷ୍ଟର କଥା ଭୁଲିଯାଉଁ; କାହାକୁ ଭୋଟ ଦେଲୁ ତାହା ବି ଭୁଲିଯାଉଁ ।

 

ଏଇ ରାସ୍ତାରେ କିଛି ବାଟ ଗଲାପରେ, ବାଁହାତି ସଂକୀର୍ଣ୍ଣ ଗଳିଭିତରେ ପଶିବାକୁ ହେବ-। ମୁଁ ଆଜି ଜଣେ ଗୌରବାନ୍ୱିତ, ଆତ୍ମପ୍ରତ୍ୟୟଶୀଳ ମଣିଷ ବୋଲି ଭାବିଲି । ସାତବର୍ଷ ଧରି ଏହି ବସ୍ତିରେ ରହି ଆସୁଥିଲେ ମଧ୍ୟ, ହଠାତ୍ ମୋର ଏବଂ ଏଠାରେ ରହୁଥିବା ଅନ୍ୟମାନଙ୍କ ମଧ୍ୟରେ ରହିଥିବା ବ୍ୟବଧାନ ସମ୍ପର୍କରେ ମୁଁ ସଚେତନ ହୋଇଉଠିଲି । ଭାବିଲି, ଆହା ହତଭାଗ୍ୟମାନେ ! କେବେ ତୁମେ ସବୁ ମୋ ଭଳି ତିନିକୋଠରୀ ବିଶିଷ୍ଟ ସରକାରୀ ଛାତ ଘରେ ରହିବାର ସୌଭାଗ୍ୟ ଅର୍ଜନ କରିବ କେଜାଣି । ପ୍ରକୃତରେ ଏ ବସ୍ତି ଅସ୍ୱାସ୍ଥ୍ୟକର ଓ ଅନ୍ଧକାର । ତୁମ ଘରଭିତରେ କ’ଣ ବିଜୁଳି ପଂଖା ଅଛି ? ତୁମେ ସବୁ ଅନ୍ୟ ଏକ ସ୍ଥାନକୁ ଚାଲିଯାଉନ କାହିଁକି-? ବିଶ୍ୱାସ କର, ତୁମ ପ୍ରତି ମୋ ମନରେ ସବୁଦିନପାଇଁ ସହାନୁଭୂତି ଅଛି ।

 

ଭଡ଼ାଘର ପାଖରେ ପହଞ୍ଚିଗଲି । ଚାଳଘର । ସିମେଣ୍ଟ ଚଟାଣ । ଚୂନ ପଲସ୍ତରା କରାଯାଇଥିବା ମାଟିକାନ୍ଥ । ଗୋଟିଏ ରୋଷେଇ ଘର । ଅନ୍ୟ ଦୁଇଟି ରୁମ୍ ମଧ୍ୟରୁ ଗୋଟିଏ ବେଡ଼୍‍ରୁମ ରୂପେ ବ୍ୟବହୃତ ହୁଏ । ଅନ୍ୟଟିକୁ ଡ୍ରଇଁ ରୁମ୍ ରୂପେ ମୁଁ ସଜାଉଥିଲି ଚାକିରି ଆରମ୍ଭରେ-। ଏବେ ଆଉ ତାହା ନାହିଁ । ତେବେ ସଜାସଜି କରିବା ଉଦ୍ୟମର ବ୍ୟାକୁଳ ଶେଷାଂଶ ସେଠାରେ ଦେଖିବାକୁ ମିଳିବ । ମୋ ନିଜ ତିଆରି ଓ କିଣା ହୋଇଥିବା କେତୋଟି ମଳିନ, ବିବର୍ଣ୍ଣ ଆର୍ଟ କାନ୍ଥରେ ଝୁଲୁଛନ୍ତି । ରଙ୍ଗବାକ୍ସ ଓ ତୂଳିଗୁଡ଼ାକର ଅବସ୍ଥା ଲକ୍ଷ୍ୟ କରିବାପାଇଁ ଆଉ ଧୈର୍ଯ୍ୟ କିମ୍ୱା ଆବେଗ ନାହିଁ । ଅଥଚ ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବାବେଳେ ମୁଁ ଜଣେ ପ୍ରଖ୍ୟାତ ଶିଳ୍ପୀ ହୋଇପାରିବି ବୋଲି କାହାରି ମନରେ ସନ୍ଦେହ ନ ଥିଲା । ଟି-ପୟ ଉପରେ ସୁଧାର ଜଖମ ହାର୍ମୋନିୟମ୍ । ସେ ଭଲ ଗୀତ ଗାଇ ପାରୁଥିଲା । ମାତ୍ର ବର୍ତ୍ତମାନ ଗୀତ ଗାଇବା ପାଇଁ ପ୍ରସ୍ତାବ ଦିଆଗଲେ ସେ ହୁଏତ ତା’ଜୀବନରେ ସର୍ବଶ୍ରେଷ୍ଠ ବିସ୍ମୟର ଧକ୍କା ସହନ୍ତା । ମୋଟ ଉପରେ କହିବାକୁ ଗଲେ ମୋର ଚିତ୍ରକଳା ଏବଂ ସୁଧାର ସଙ୍ଗୀତ ଅତୀତର ସ୍ମୃତି ନୁହେଁ–ବିସ୍ମୃତି । ଆମ ଚିନ୍ତାଧାରାରେ ଆଉ ଐକାନ୍ତିକତା ନାହିଁ; ନିର୍ଦ୍ଦିଷ୍ଟତା ନାହିଁ । ଏହା ସମୟ ଓ ସମସ୍ୟାର ସ୍ରୋତରେ ଏକ ଶିଥିଳ, ଲକ୍ଷ୍ୟହୀନ, ଭାସମାନ ପୋତ । ଏସବୁ ବ୍ୟତୀତ ସେଇ ତଥାକଥିତ ଡ୍ରଇଁରୁମରେ ଜାଳେଣି କାଠ, କେତୋଟି ଖାଲିଟିଣ, ଦୁଇ-ତିନୋଟି ପୁରୁଣା ଟ୍ରଙ୍କ୍ ଇତ୍ୟାଦି ରହିଛି । ଘରର କାନ୍ଥରେ ଜମା ଶୁଭ୍ରତା ନାହିଁ । ରୋଷେଇ ଘରର ଧୂଆଁ ଚାରିଆଡ଼େ ମଳିନତାର ହାତ ବୁଲାଇ ଆଣେ । ଚାକିରି ଆରମ୍ଭରେ ଘରଦ୍ୱାର ବେଶ୍ ପରିଷ୍କାର ପରିଚ୍ଛନ୍ନ ରହୁଥିଲା । ତା’ପରେ ଆମେ ଏ ଦିଗପ୍ରତି ପୂରାପୂରି ଉଦାସୀନ ରହିଲୁ । ଆମର ରୁଚି ନିଷ୍ପ୍ରାଣ ହୋଇଗଲା ।

 

ମାତ୍ର ଆଜିର କଥା ସ୍ୱତନ୍ତ୍ର । ଏକତ୍ରିଂଶ ନମ୍ୱର ଘର ଅଧିକାର କରିବାର ନିଶା ମୋ ଦେହ ଓ ମନକୁ ଚଳଚଞ୍ଚଳ କରି ପକାଉଥିଲା । ବତିଶବର୍ଷ ବୟସରେ ମୋର ଯୌବନ ଯେମିତି ପୁନର୍ଜୀବନ ଲାଭ କଲା ।

 

—‘ସୁଧା, ଆମକୁ ସରକାରୀ ଘର ମିଳିଗଲା ।’

 

ମୋର ଏ ଘୋଷଣା ସୁଧା ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିବ ବୋଲି ଭାବିଥିଲି ତାହା ହେଲା ନାହିଁ । ସେ ତରକାରୀ ଡେକ୍‍ଚିରୁ ମୁହଁ ନ ଉଠାଇ ଏକ ଆଗ୍ରହହୀନ ସ୍ୱରରେ ଏହାକୁ ସ୍ୱାଗତ କରିବ ବୋଲି ମୋର ଧାରଣା ଥିଲା । ମାତ୍ର ସୁଧା ଏକରକମ ଡେଇଁ ପଡ଼ିଲା । ଆନନ୍ଦ ଓ ଅବିଶ୍ୱାସ ସ୍ୱରରେ ସେ କହି ଉଠିଲା—‘ସତେ ? ତମେ ଆଗରୁ ଆସିଲ ନାହିଁ ? ଜିନିଷପତ୍ର ନେଇ ଆଜି ସେ ଘରକୁ ଚାଲି ଯାଇଥାନ୍ତେ । କେତେଟା ବାଜିଲାଣି ? ଆଜି ଯିବା ?’

 

—‘ଆଜି ଯିବା ?’ ମୁଁ ଅବାକ୍ ହୋଇ ପଚାରିଲି ।

 

—‘ଆଜି ଯିବା ।’ ଦୃଢ଼ତାର ସହିତ ସେ କହି ଉଠିଲା । ‘ଏଇକ୍ଷଣି । କାଲି ରବିବାର । କିଛି ଅସୁବିଧା ହେବନାହିଁ ।’

 

—‘କିନ୍ତୁ ସୁଧା... ।’

 

—‘ମୁଁ ଜମା ସେସବୁ ଶୁଣିବି ନାହିଁ । ପନ୍ଦର ମିନିଟ୍ ଭିତରେ ମୁଁ ରୋଷେଇ ଶେଷ କରୁଛି-। ଓଃ ଏ ନରକରୁ ଯେତେ ଚଞ୍ଚଳ ଯିବା, ସେତେ ମଙ୍ଗଳ । ତମେ ଟିକିଏ ଏଇଠି ବସିଥା, ମୁଁ ଆସୁଛି-। ସେ ବାହାରିଗଲା ସେଠାରୁ ।’

 

ତା’ର କ୍ଷିପ୍ରତା ଦେଖି ମୁଁ ବି କ୍ଷିପ୍ର ହୋଇପଡ଼ିଲି । ଆଜି ଏ ଘର ଛାଡ଼ିବାକୁ ମନ ମଧ୍ୟରେ ଯୋଜନା କରି ନ ଥିଲେ ବି ମୁଁ ସ୍ଥିରକଲି, ଏ ଘର ଛାଡ଼ିବାକୁ ହେବ । ଏଠାରେ ଆଉ କଲବଲ ହେବା ସମ୍ଭବ ନୁହେଁ । ମାତ୍ର ସୁଧାର ଆଚରଣ ମୋତେ ବିସ୍ମିତ କଲା । ଏ ଘରେ ରହିବା ଭିତରେ ତା’ଠୁଁ ଘର ସମ୍ପର୍କରେ ବିଶେଷ କିଛି ଅଭିଯୋଗ ଶୁଣି ନଥିଲି । ଆଜି ଏକ ସୌଖିନ୍ ଘର ପ୍ରାନ୍ତିର ମହିମା ଏହି ଘରକୁ ସତେ ଯେପରି କ୍ଷଣକ ମଧ୍ୟରେ ତୁଚ୍ଛ ଓ ଘୃଣ୍ୟ କରିଦେଲା ।

 

ଉତ୍ସୁକତା ଭିତରେ ରାତ୍ରିଭୋଜନ ଶେଷ ହେଲା । ତା’ପରେ ଜିନିଷପତ୍ର ସଜାଡ଼ାସଜଡ଼ି-। ଘଣ୍ଟାକ ଭିତରେ ସେ କାମ ଶେଷ କଲୁ । ରାତି ଦଶଟାବେଳକୁ ଚାରିଟା ବୋଝେଇ ରିକ୍ସାସହ ଆମେ ଅପରିଛନ୍ନ, ଅନ୍ଧାରୁଆ, ଦାରିଦ୍ର୍ୟ-ପ୍ରପୀଡ଼ିତ ବସ୍ତି ଛାଡ଼ି ଆଗେଇ ଚାଲିଲୁ ନୂଆଘର ଅଭିମୁଖେ ବିଜୟର ଉଲ୍ଲାସ ଓ ଶିହରଣ ନେଇ ।

 

ଅଫିସରୁ ଫେରିବାବେଳେ ଏ କ୍ୱାଟର୍ସରେ ମୁଁ ନିଜର ତାଲା ପକେଇଥିଲି । ସେତେବେଳେ ଘରଟିକୁ ଭଲକରି ଦେଖିଦେବା ପାଇଁ ଇଚ୍ଛା ହେଉଥିଲେ ମଧ୍ୟ ମୁଁ ତାହା କରି ନ ଥିଲି ମନର ଉଦବେଗ ଓ ଜିଜ୍ଞାସାକୁ ଆହୁରି ତୀକ୍ଷ୍ଣ କରିବାପାଇଁ । ତେରବର୍ଷ ତଳୁ ଏ ଘର ସହିତ ମୋର ଯେଉଁ ଘନିଷ୍ଠତା ଗଢ଼ି ଉଠିଥିଲା ତାହାକୁ ଏକ ଆବେଗମୟ ମନ ନେଇ ରୋମନ୍ଥନ କରିବାକୁ ସେତେବେଳେ ସ୍ଥିର କରିଥିଲି । ବର୍ତ୍ତମାନ ତାଲା ଖୋଲି କବାଟ ଫିଟେଇବା ମାତ୍ରେ, ଭିତରର ଅନ୍ଧକାର ପିଠିଉପରେ ଅତୀତର ସ୍ମୃତି ସବୁ ଘଷିହୋଇ ମୋତେ ବିହ୍ୱଳ କରି ପକେଇଲେ-। ମୋର ଦେହ ରୋମାଞ୍ଚିତ ହୋଇଉଠିଲା ।

 

ଟର୍ଚ୍ଚ ଜାଳି, ହୋଲଡ଼ର ଦେହରେ ବଲ୍‍ବ ଲଗାଇଲି ଓ ସୁଇଚ୍ ଟିପିଲି ।

 

—‘କାହିଁ ? ବଲ୍‍ବଟା ତ ଜଳିଲା ନାହିଁ ।’ ଆଶଙ୍କା ଓ ବିରକ୍ତି ମିଶ୍ରିତ ସ୍ୱର ଶୁଭିଲା ସୁଧାର-

 

‘କାହିଁ ? ଆଲୁଅ କାହିଁ ?’ ମୁଁ ଟୁଲ ଉପରୁ ଓହ୍ଲାଇ ଆସିଲି ଓ ତିନି-ଚାରି ଥର ସୁଇଚ୍‍ଟା ଟିପିଲି, ଆହୁରି ନିଶ୍ଚିତ ହେବାପାଇଁ ।

 

—‘କ’ଣ କରିବା ?’

 

—‘କିଛି ନାହିଁ । ଲାଇନ୍ କାଟି ଦିଆଯାଇଥିବ । ଚାରିମାସ ହେଲା ଏଠାରେ କେହି ରହୁ ନଥିଲେ । ତମେ ଲଣ୍ଠନଟା ଜାଳ । ଜିନିଷପତ୍ର ରଖିଦେଇ, ଆଜି ଶୋଇ ଯିବା ।’

 

ସୁଧା କଥା ମାନିଲା । ଘଣ୍ଟେ, ଦୁଇଘଣ୍ଟା ହେଲା ଅଦରକାରୀ ମନେକରି ଲିଭେଉ ଦିଆଯାଇଥିବା ଲଣ୍ଠନଟା ପୁଣି ଜଳିଲା, ବିଜୁଳି ଆଲୁଅର ସମସ୍ତ ବ୍ୟବସ୍ଥା ଥିବା ଏଇ ଘରେ । ଏ ଘରେ ତା’ହେଲେ ରହିବାର ଆରମ୍ଭ ଅନ୍ଧକାର ଭିତରେ । ମୁଁ ଟିକିଏ ଦବିଗଲି । ସୁଧା ଉଦାସ ଆଖିରେ ଧଳା ରିଫ୍ଲେକ୍ଟର ଓ ଧୂଳି, ବୁଢ଼ିଆଣି ଜାଲ-ଆବୃତ ନିଶ୍ଚଳ ପଙ୍ଖାଟା ଆଡ଼କୁ ଚାହିଁ ରହିଥିଲା-। ଟର୍ଚ୍ଚଟିପି ମୁଁ ଅଗଣାକୁ ଚାଲି ଆସିଲି । ପାଣି ଟ୍ୟାପ୍ ଖୋଲି କେବଳ ଶୁଣିଲି ସଁ...ସଁ...ଶବ୍ଦ । ଏ ଶବ୍ଦ ନିର୍ଜନତାର ଶବ୍ଦଠାରୁ ଆହୁରି ଭୟଙ୍କର ଓ ଅଟ୍ଟହାସ୍ୟମୟ ଜଣାଗଲା । ପୁଣି ଶୂନ୍ୟତାର ସଂକ୍ରମଣ ।

 

ସେତେବେଳକୁ ରାତି କେତେ ହେବ କେଜାଣି ?

 

ମୋର ନିଦ ଭାଙ୍ଗିଗଲା ।

 

—‘ଆପଣ ସତରେ ଭାରି ମାଇଚିଆ ।’

 

—‘What !’

 

ମୁଁ ଆଖି ଖୋଲିବା ମାତ୍ରେ ଗୋଟାଏ ପୁରୁଣା, ପରିଚିତ ସ୍ୱର ମିଶିଗଲା ନିସ୍ତବ୍‍ଧତା ଭିତରେ । ରୁମ୍‍ଭିତରେ ଲଣ୍ଠନର କ୍ଷୀଣ ଆଲୁଅ ଦରମଲା ହୋଇପଡ଼ିଛି । ଗୋଟିଏ ପାଖକୁ ଆମର ଘରକରଣା ଜିନିଷ ଜମା ହୋଇଛି । କର ଲେଉଟାଇ ଦେଖିଲି ସୁଧା ଶୋଇଯାଇଛି ନିଶ୍ଚିନ୍ତ ହୋଇ-

 

ମୋତେ ଭାରି ମୂଚ୍ଛାଳିଆ ଲାଗିଲା । ମୋର ଅର୍ଦ୍ଧଜାଗ୍ରତ ଚେତନା କରୁଣତାରେ ଆଛନ୍ନ ହୋଇଗଲା କ୍ଷଣକ ମଧ୍ୟରେ । ମୁଁ ଖଟ ଉପରୁ ଓହ୍ଲାଇ ଆସିଲି । ଜଣାଗଲା, ପନ୍ଦରବର୍ଷର ଫ୍ରକ୍ ପିନ୍ଧା ଡଲି ମୋତେ ମାଇଚିଆ ବୋଲି ବର୍ଣ୍ଣନା କରି ପରାଜିତ ପଦକ୍ଷେପ ନେଇ ଚାଲିଯାଉଛି ମୋ’ ପାଖରୁ । ତା’ ଚାଲିବାରେ ତିରସ୍କାର ଓ ତାଚ୍ଛଲ୍ୟର ସଙ୍କେତ ।

 

ଠିକ୍ ତେରବର୍ଷ ପୂର୍ବର ଏ ଘଟଣା । ସେତେବେଳକୁ ମୁଁ ନୂଆ ଆସିଥାଏ କଲେଜକୁ । ଡଲିର ବାପା ଶାନ୍ତନୁବାବୁ ମୋ ବାପାଙ୍କର ପରିଚିତ । ସେଇ ସୂତ୍ରରେ ମୁଁ ହଷ୍ଟେଲରୁ ବେଳେ ବେଳେ ତାଙ୍କ ଘରକୁ ବୁଲି ଆସେ । ଏଇ ଏକତ୍ରିଂଶ ନମ୍ୱର କ୍ୱାଟର୍ସକୁ ।

 

ତାଙ୍କ ଘରୁ ହଷ୍ଟେଲକୁ ଫେରି ମୁଁ ଭାରି ଅନ୍ୟମନସ୍କ ହୋଇପଡ଼େ । ଡଲିର ସ୍ମୃତି ମୋର ସମଗ୍ର ଚେତନାକୁ ଗ୍ରାସ କରି ପକାଏ । ତାଙ୍କ ଘରେ ହରାଇଥିବା ସୁଯୋଗ ମୋର ବ୍ୟକ୍ତିତ୍ୱ ଓ ପୌରୁଷକୁ ଉପହାସ କରେ । ପୁଣି ଥରେ ତାଙ୍କ ଘରକୁ ଗଲେ ମୁଁ କ’ଣ କରିବି ତା’ର ଯୋଜନା ପ୍ରସ୍ତୁତ କରେ ମନ ମଧ୍ୟରେ । ତାହା ହୋଇପାରେ ନାହିଁ । ତାଙ୍କ ଘରକୁ ଯାଇ ତାକୁ ଦେଖିବାମାତ୍ରେ ମୋର ଭୟ ଓ ଲଜ୍ଜାବିଜଡ଼ିତ ମନ ଭିତରେ ସେହି ଯୋଜନା ମିଳେଇଯାଏ । ମୋର ତଣ୍ଟି ଶୁଖିଯାଏ, ଛାତି ଦପ୍ ଦପ୍ ହୁଏ । ଅଥଚ ତା’ର ମୋ’ ପ୍ରତି ମମତା ଓ ସ୍ନେହର ଅଭାବ ନ ଥିଲା । ଜ୍ୟାମିତି ବକ୍ସରୁ ମୋତେ ସେ ଅନେକବାର ଲବଙ୍ଗ ଓ ଗୁଜୁରାତି ଦେଇଛି । ବେଳେବେଳେ ଦରମଉଳା ମଲ୍ଲି କିମ୍ୱା ଗୋଲାପ ଫୁଲ । ଆଉ ଥରେ ମୁଁ ତାଙ୍କ ଘରେ ଖାଇସାରି ରୁମାଲ ବାହାର କରିବା ପୂର୍ବରୁ ସେ’ଦିନ ସେ ପିନ୍ଧିଥିବା ଶାଢ଼ି ପଣତ ବଢ଼ାଇ ଦେଇଥିଲା ମୋ ଆଡ଼କୁ । ମୁଁ ଚାରିଆଡ଼କୁ ଚାହିଁ, ତରବରରେ ସେଥିରେ ହାତ ଓ ମୁହଁ ପୋଛି ହୋଇଥିଲି ।

 

ଏ ପରିଚୟର ପ୍ରାୟ ଦୁଇବର୍ଷ ପରେ ମଧ୍ୟ ତା’ପ୍ରତି ମୋ ମନରେ ଥିବା ଭାବନାକୁ ପ୍ରକାଶକରି ପାରି ନଥିଲି । ମାତ୍ର ଦିନେ, ତାଙ୍କ ଘରେ ଅନ୍ୟମାନଙ୍କର ଅନୁପସ୍ଥିତିରେ ତାକୁ ଭଲପାଏ ବୋଲି କହିବା ପରିବର୍ତ୍ତେ ସମସ୍ତ ଆବେଗର ସହିତ ଆଲିଙ୍ଗନ କରି ପକାଇଥିଲି । ତା’ଦେହର ସ୍ପର୍ଶ ଅନୁଭବ କରିପାରି ନ ଥିଲି । ଏକାବେଳକେ ସମ୍ମୋହିତ ହୋଇ ପଡ଼ିଥିଲି । ସେତେଦିନଯାଏ ରୁଦ୍ଧ ହୋଇ ରହିଥିବା ଆବେଗର ତୀବ୍ରତା, ସଙ୍କୋଚ ଓ ଭୟର ବାଡ଼ ଭାଙ୍ଗି ସତେ ଯେପରି ପରସ୍ପରର ମନ ମଧ୍ୟରେ ପରିପୂର୍ଣ୍ଣତା ଓ ଆଲୋକର ବନ୍ୟା ସୃଷ୍ଟି କଲା । କେଜାଣି କେତେ ସମୟ ପରେ ଆମେ ଦୁହେଁ ଦୁହିଁଙ୍କୁ ଦେଖିଲୁ । ସେତେବେଳେ ଡଲିର ଆଖି ଲୁହରେ ଛଳଛଳ ହୋଇଯାଇଥିଲା । ସେ ମୋ ଛାତିରେ ମୁହୂର୍ତ୍ତକପାଇଁ ମୁହଁ ରଖିବା ପରେ ହଠାତ୍ ସେଠାରୁ ଚାଲିଗଲା ଏବଂ ତା’ବିଛଣା ଉପରେ ମୁହଁମାଡ଼ି କଇଁ କଇଁ ହୋଇ କାନ୍ଦି ଉଠିଲା ।

 

ମୁଁ ଡରିଗଲି । ଅପରାଧୀଭଳି ତାକୁ ଥରେ, ଦୁଇଥର ଡାକିବା ପରେ ମଧ୍ୟ ତା’କାନ୍ଦ କମିବା ପରବର୍ତ୍ତେ ବଢ଼ିବା ଯୋଗୁ ମୁଁ ନୀରବରେ ଚାଲିଆସିଲି ସେ ଘରୁ ।

 

ଅନେକଦିନ ପର୍ଯ୍ୟନ୍ତ ତାଙ୍କ ଘରକୁ ଗଲି ନାହିଁ । ମୋର ସାହସ ନ ଥିଲା । ଦିନେ ଡଲିର ଚିଠି ପାଇ ତାଙ୍କ ଘରକୁ ଯାଇ ଶୁଣିଲି, ଶାନ୍ତନୁବାବୁଙ୍କର ବଦଳି ହୋଇ ଯାଇଛି ।

 

—‘ଏଇ ଦେଖୁଛନ୍ତି ?’

 

—‘ସେ କ’ଣ ?’

 

—‘ରଙ୍ଗ ।’

 

—‘କାଲି ହୋଲି ଥିଲା । ଆପଣ କାହିଁକି ଆସିଲେନି ? ଏଇ ରଙ୍ଗ ରଖିଥିଲି ଆପଣଙ୍କୁ ଦେବାପାଇଁ ।’

 

—‘ହେଃ, ଏ କ’ଣ ? ଆଜି ଗୋଟେ ରଙ୍ଗ କ’ଣ ? ଏ, ଏ, ଏ, ତୁମ ବିଦ୍ୟାରାଣ...ଧେତ୍... ।’

 

ମୋ ମୁହଁସାରା ରଙ୍ଗ ହୋଇଗଲା । ମୁଁ ଆଉ କିଛି କହିବା ପୂର୍ବରୁ, ମୋର ହାତ ଓ ଓଦା ମୁହଁରେ ସୁନେଲି ରଙ୍ଗ ସେ ମାଖି ଦେଲା ।

 

ମାତ୍ର ସେ’ଦିନ ତା’ ମା’ ତାକୁ ଯେଉଁ ଗାଳିଦେଲେ, ତାହା ମୁଁ ସହଜରେ ଭୁଲି ପାରିବି ନାହିଁ । ସେ ମନ କଷ୍ଟ କଲା ନାହିଁ; ଓଲଟା ମୋତେ ଥିରିଥିରି କହିଲା—‘ଆମେ ଅଳ୍ପଦିନ ପରେ ଚାଲିଯିବୁ । ଆମେ ଯିବା ପର୍ଯ୍ୟନ୍ତ ଆପଣ ସବୁଦିନ ଆମ ଘରକୁ ଆସିବେ ନା ?’

 

ହଠାତ୍ ଆବିଷ୍କାର କଲି ଯେ, ଲଣ୍ଠନଟା ହାତରେ ଧରି ମୁଁ ଅନ୍ୟ ଏକ ରୁମରେ ନିର୍ବାକ୍ ହୋଇ ଠିଆହୋଇଛି । ଏ ସେଇ ରୁମ୍, ଯେଉଁଠି ଡଲି ମୋ ଉପରେ ରଙ୍ଗ ଢାଳିଥିଲା; ଯାହାର ଗୋଟିଏ କାନ୍ଥ ଉପରେ ସେ ରଙ୍ଗର ଛିଟିକା ପଡ଼ିଥିଲା । ହାତନଖ ସାହାଯ୍ୟରେ ସେହି କାନ୍ଥର ନିର୍ଦ୍ଦିଷ୍ଟ ସ୍ଥାନ ଉଖାରିଲି । ମାତ୍ର ଅତୀତର ସେ ରଙ୍ଗ ଆଉ ନାହିଁ । ସବୁ କେଉଁଆଡ଼େ ହଜିଯାଇଛି ।

 

ସେ ରୁମ୍‍ରୁ ବାହାରି ଆସିଲି । ଭାରି ଅସହାୟ ଲାଗୁଥିଲା । ଲଣ୍ଠନଟା ତଳେ ରଖି ଖଟ ଉପରେ ବସିଲି । ମଶାରି ଟେକି ଭିତରକୁ ଯିବାବେଳେ ହାତ ଅଟକିଗଲା । ଜଣାଗଲା କେହି ଯେପରି ଯନ୍ତ୍ରଣା ଓ ରିକ୍ତତାରେ ନିଷ୍ପେଷିତ ହୋଇ ଗୁମରି ଗୁମରି କାନ୍ଦୁଛି । ସେ କୋହ କୋଠରୀର ଅଣୁ-ପରମାଣୁକୁ ବିକ୍ଷୁବ୍ଧ ଶୋକରେ ଆହତ କରି ସମ୍ପ୍ରସାରିତ ହେଉଛି ବାହାରର ଶୂନ୍ୟତା ଭିତରକୁ-

 

ସେ କାନ୍ଦ ଇନ୍ଦୁ ଅପାର କାନ୍ଦ । ଶାନ୍ତନୁବାବୁ ଏ ଘର ଛାଡ଼ିବା ପରେ ଦୂରସମ୍ପର୍କୀୟ ଭଉଣୀ ଇନ୍ଦୁ ଏ ଘରର ଛାତ ତଳକୁ ପାଞ୍ଚୋଟି ପିଲାଙ୍କ ସହିତ ଆସିଥିଲା । ବସନ୍ତ ବାବୁଙ୍କ ସଙ୍ଗେ ଆଗରୁ ପରିଚୟ ନ ଥିଲେ ବି ଆମେ ଦୁହେଁ ଦୁହିଁଙ୍କୁ ଚିହ୍ନିଲୁ । ‘କିଓ, ଭଲ ?’ କିମ୍ୱା ‘ଆଉ, କ’ଣ ଖବର ?’ କିମ୍ୱା ‘ତୁମେ ଗପ କରୁଥାଅ, ମୁଁ ଏଇ ଫେରି ଆସୁଛି ।’ ଇତ୍ୟାଦି ନିହାତି ଶୁଷ୍କ, ବିରକ୍ତିକର ପ୍ରଶ୍ନ ଓ ସାଧାରଣ ଉତ୍ତରର ପୃଷ୍ଠଭୂମିରେ ଆମ ଦୁହିଁଙ୍କର କଥାବାର୍ତ୍ତା ସୀମିତ ଥିଲା ।

 

ବସନ୍ତବାବୁ ଖୁବ୍ ପିଅନ୍ତି ଓ ଇନ୍ଦୁ ଅପାକୁ ଖୁବ୍ ମାଡ଼ ଦିଅନ୍ତି । ରେଜାକୁଲିଙ୍କ ଗହଣରେ ତାଙ୍କର ଅନେକ ରାତ୍ରି ଉଦ୍‍ଯାପିତ ହୁଏ । ଛ’ବର୍ଷର ବ୍ୟବଧାନରେ ଯେଉଁ ପାଞ୍ଚୋଟି ରୁଗ୍‍ଣ, ଦୁର୍ବଳ ପିଲାଙ୍କୁ ସେ ସଂସାରକୁ ଆଣିଲେ, ସେମାନେ ହୁଏତ ତାଙ୍କର ଦୈହିକ ଉତ୍ତେଜନାର ଅବାଞ୍ଛିତ ପରିଣତି । ସେମାନେ ହୁଏତ ଜନ୍ମ ନ ନେବା ଉଚିତ୍ ଥିଲା ।

 

ଇନ୍ଦୁଅପା ଆନିମିଆ ପେସେଣ୍ଟ ଭଳି ଦେଖାଯାଏ । ଝାଳୁଆ, ନିଷ୍ଫ୍ରଭ ମୁହଁ, ଉଚ୍ଚ ହନୁହାଡ଼, ଅଳସ ଚାଲି । ଢିଲା ବ୍ଲାଉଜ୍ ଓ ଶସ୍ତା ଶାଢ଼ି ତା’ ପରିଧାନର ବିଶେଷତ୍ୱ ।

 

ବି. ଏ. ପଢ଼ିବାବେଳେ ଏଇ ପରିବାରଟି ପ୍ରତି ମୋ ମନରେ ନାହିଁ ନଥିବା ସମବେଦନା ଥିଲା । ଏ ଘରକୁ ଆସିଲେ ଡଲି ମନେ ପଡ଼େ ନାହିଁ । ଏହା ଏକ ସମ୍ପୂର୍ଣ୍ଣଭାବେ ଅଲଗା ଚିତ୍ର । ଏଠାରେ ଭାବପ୍ରଣବତା କିମ୍ୱା କଳ୍ପନାର ପ୍ରସାରଣ ନାହିଁ । ଏହି ସଂସାରର କୌଣସି ଦିଗ ମନରେ ଉତ୍ତେଜନା କିମ୍ୱା ସ୍ଥିରତା ସୃଷ୍ଟି କରେ ନାହିଁ । ଏଠାରେ ଲୁହ ଅଛି, ପ୍ରେମହୀନତା ଅଛି । ଏଠାରେ ଭବିଷ୍ୟତ ନାହିଁ, ଆଶା ନାହିଁ । ମୁଁ ଭାରି ଡରିଯାଏ ।

 

ଏ ଘରେ ଡଲି ରହୁଥିବାବେଳେ ବିଶ୍ୱର ସକଳ ବସ୍ତୁ ପ୍ରତି ମୋର ଯେଉଁ ଦୃଷ୍ଟିକୋଣ ଥିଲା, ତାହାର ସମୂଳ ପରିବର୍ତ୍ତନ ଘଟିଲା ଇନ୍ଦୁଅପାର ସଂସାର ଦେଖି ।

 

ଭିତରପଟ ବାରଣ୍ଡାରେ ଠିଆହୋଇ ଗୋଟିଏ ପିଲର ଉପରେ ହାତପାପୁଲି ଘସୁଥିବା ସମ୍ପର୍କରେ ମୁଁ ସଚେତନ ହୋଇ ପଡ଼ିଲି । ଏଇ ପିଲର ଉପରେ ଡେରିହୋଇ, ଗୋଡ଼ ଲମ୍ୱାଇ ଇନ୍ଦୁଅପା ସାନ ପିଲାଟିର ଦୁଇ ଓଠ ସନ୍ଧିରେ ସ୍ତନ ଜାକିଧରେ । ତା’ର ନିର୍ଲିପ୍ତ ଭାବ ଦେଖି ମୋର ବୁଝିବାରେ ବାକି ରହେନାହିଁ । ଯେ ଇନ୍ଦୁଅପା ଏଠାରେ କୌଣସି ଜିନିଷକୁ ଆସକ୍ତିରେ ଜାବୁଡ଼ି ଧରେନାହିଁ । ତା’ର ଭାବନା, ଚେତନା ଓ ଆତ୍ମାର ଚେରସବୁ ତା’ର ଶରୀରର ମାଟିଠାରୁ ବିଛିନ୍ନ ପରି ମନେହୁଏ । ଅଥଚ ସେ ବଞ୍ଚି ରହିଛି, ବଞ୍ଚି ରହିବାପାଇଁ, ଅନ୍ୟମାନଙ୍କର ଆବଶ୍ୟକତା ଦୃଷ୍ଟିରୁ-

 

ସନ୍ଧ୍ୟାବେଳେ ଅଗଣାରେ ତିଆରି ହୋଇଥିବା ଚଉରା ତଳେ ତାକୁ ଜଳନ୍ତା ଘିଅସଳିତା ଥୋଇବାର ମୁଁ ଦେଖେ । ଓଢ଼ଣା ତଳେ ଅଧା ଲୁଟି ଯାଇଥିବା ମୁହଁ ସଳିତାର କ୍ଷୀଣ ଆଲୋକରେ ଭାରି ସ୍ନିଗ୍ଧ ଓ ପ୍ରଶାନ୍ତ ଜଣାପଡ଼େ । କେବଳ ସେଇ କେତୋଟି ମୁହୂର୍ତ୍ତ ଇନ୍ଦୁ ଅପାକୁ ସଂସାରରେ ସମସ୍ତ ପ୍ରତିକୂଳ ସ୍ରୋତରୁ ଉଠାଇ ଗୋଟାଏ ବିଶ୍ୱାସମୟ ପୃଥିବୀକୁ ନେଇଯାଏ । ଚଉରା ପାଖରୁ ଫେରିବାମାତ୍ରେ ପୁଣି ସେଇ ଦୀର୍ଘଶ୍ୱାସ ଓ ହତାଶା ।

 

—‘ଖାଲି ଏଇ ଛୁଆଗୁଡ଼ାକ ପାଇଁ । ନ ହେଲେ କେଉଁଦିନୁ ମୁଁ ମରି ସାରନ୍ତିଣି । ଆଉ ବଞ୍ଚିବାକୁ ଧୈର୍ଯ୍ୟ ନାହିଁ ।’

 

—‘କ’ଣ କହୁଚୁ ତୁ ?’

 

—‘ଛୁଆଗୁଡ଼ାକ ହେଲେ ପେଟ ପୂରାଇ ଖା’ନ୍ତେ ! ମୁଁ ନ ହେଲେ ନାଇଁ । କେତେ ଆଉ ଦେଖିବି ? ଏମାନେ କ’ଣ ସତରେ ମଣିଷ ହେବେ ?’

 

ଇନ୍ଦୁଅପା ପାଇଁ ବଞ୍ଚିବାର ପାଥେୟ ଥିଲା ଧୈର୍ଯ୍ୟ । ଆଉ କିଛି ନାହିଁ । ଏଇ ତେବେ ବୈବାହିକ ଜୀବନ !

 

ଏମ୍, ଏ. ପରୀକ୍ଷା ପାଇଁ ମୁଁ ବ୍ୟସ୍ତ ଥିବାବେଳେ, ବସନ୍ତବାବୁଙ୍କୁ ଚାକିରୀରୁ ବରଖାସ୍ତ କରାଗଲା ।

 

ସେଦିନ ଏ ଘର ସହିତ ମୋର ପ୍ରତ୍ୟକ୍ଷ ସମ୍ପର୍କ ତୁଟିଗଲା ।

 

ଏ ଘର ଆଜି ମୋର । ଏହା ଭିତରେ ମୁଁ ନିଜର ସ୍ଥିତି ଅନୁଭବ କରିପାରିଚି । ଏ ଘର ଭିତରେ ମୁଁ ନିଜପାଇଁ ଯୋଜନା ତିଆରି କରିବି । ପୁଣି ଥରେ କହି ରଖିଛି ଯେ, ଏ ଘରେ ମୁଁ ଆତ୍ମବିଶ୍ୱାସ ଫେରି ପାଇଚି ।

 

ଛାଡ଼ି ଆସିଥିବା ବସ୍ତିଭଳି ଏହି ଆଧୁନିକ କଲୋନିରେ ଅନ୍ଧକାର ନାହିଁ । ଏଠାରେ ଅସ୍ୱାସ୍ଥ୍ୟକର ପରିବେଶ ନାହିଁ । ସବୁ ଘର ସାମ୍ନା ସୌଖିନ୍ ବଗିଚାରେ ସବୁଜଘାସ ଅଛି ଓ ରଙ୍ଗିନ୍ ଫୁଲର ମହୋତ୍ସବ ଅଛି । ପୁଣି ହତା ଭିତରେ ଆମ୍ୱ, ପଣସ ଓ ପିଜୁଳି ଗଛ ...

 

ଆଃ...ପିଜୁଳି ଗଛ ! ମୁଁ ସ୍ତବ୍ଧ ହୋଇଗଲି । ମୋ ମନର ଉତ୍ସାହ, ଭୟ ଆଶଙ୍କାରେ ଛିନ୍ନଭିନ୍ନ ହୋଇଗଲା । ମୋତେ ଜଣାଗଲା, ଗଛର ଡାଳଗୁଡ଼ାକର ସୃଷ୍ଟି ଆତ୍ମହତ୍ୟା କରିବାପାଇଁ । ତା’ପରେ ଶହ ଶହ ଗଛଡ଼ାଳରେ ହଜାର ହଜାର ମୃତଦେହ ଝୁଲୁଥିବାର ଚିତ୍ର ଭାସି ଉଠିଲା ମୋ ସାମନାରେ ।

 

ମାତ୍ର ତେଲେଙ୍ଗା ଭଦ୍ରବ୍ୟକ୍ତିଙ୍କର ସେ ଭଉଣୀର ମାନସିକ ସୁସ୍ଥତା ନ ଥିଲା । ନିଜକୁ ସାହସୀ ଓ ଉତ୍ସାହିତ କରିବାପାଇଁ ଏ କଥା କହିଲି ଅସ୍ପଷ୍ଟ କଣ୍ଠରେ ।

 

ସେ ବିଧବା ଥିଲେ । ଦିନେ ଦିନେ କ’ଣ ହୁଏ, ନା, ସେ ଶାଢ଼ି-ଗହଣା ପିନ୍ଧନ୍ତି, ଆଖିରେ କଜଳ ଓ କପାଳରେ ସିନ୍ଦୁର ଲଗାନ୍ତି, ଚୁଡ଼ି ପିନ୍ଧନ୍ତି । ଅସ୍ଥିରଭାବରେ ଏ କୋଠରୀରୁ ସେ କୋଠରୀକୁ ଯିବା ଆସିବା କରନ୍ତି ଓ ବେଳେ ବେଳେ ଅଗଣାରୁ ବାହାର ବଗିଚା ପର୍ଯ୍ୟନ୍ତ ଦୌଡ଼ାଦୌଡ଼ି କରନ୍ତି । ସଂପୂର୍ଣ୍ଣ ଭାବରେ କ୍ଳାନ୍ତ ହୋଇଯିବାପରେ ରୁମ୍‍ର କୋଣରେ ଠିଆ ହୋଇ ଅଟ୍ଟହାସ୍ୟ କରୁ କରୁ କାନ୍ଦି ପକାନ୍ତି । ତା’–ପରେ ନିଜମନକୁ ସେ ବିଧବା ଭାବରେ ସଜାନ୍ତି । ଏସବୁ ତ ତାଙ୍କ ଭାଇଙ୍କଠୁ ଶୁଣିବା କଥା ।

 

ତାଙ୍କ ପାଗଳାମି ବଢ଼ିଲା । ଗୋଟାଏ ହିଂସ୍ର, ଆହତ ବାଘୁଣୀ ଭଳି ସେ ଘରର ଜିନିଷ ଫୋପଡ଼ା ଫୋଫଡ଼ି କଲେ, ଚିରିଲେ, ଜାଳିଲେ ।

 

ଶେଷକୁ ଆତ୍ମହତ୍ୟା ।

 

ଚାରିମାସ ହେଲା ତାଙ୍କ ଭାଇ ଇସ୍ତଫା ଦେଇ ଏ ଘର ଖାଲି କରିଥିଲେ ।

 

ଯେତେ ଯାହା ହେଲେ ବି ମୁଁ ଆଶ୍ୱସ୍ତ ହୋଇ ପାରିଲି ନାହିଁ । ଜୀବନର ଶୂନ୍ୟତା; ରିକ୍ତତା ଓ ଅସହାୟତା ସତେ ଯେମିତି ବିଶ୍ୱର ନିର୍ଜନତା ଓ ବ୍ୟାପକତାଠାରୁ ଆହୁରି ଭୟାବହ ଓ ଚିରନ୍ତନ । ଦ୍ୱିତୀୟ ସମସ୍ୟାର ସମାଧାନ ଆମେ କରିପାରୁ ଘରର ଚାରିକାନ୍ଥ ମଧ୍ୟରେ ରହିବାଦ୍ୱାରା-। ମାତ୍ର ପ୍ରଥମଟିର ? ସତେ, ପ୍ରଥମ ସମସ୍ୟାର ସମାଧାନ କ’ଣ ?

 

ମୁଁ ଫେରି ଆସିଲି କୋଠରୀ ଭିତରକୁ ।

 

ସୁଧା ଶୋଇଛି । ସାତ ବର୍ଷର ବିବାହିତା ପତ୍ନୀ ସୁଧା । ଆମେ ଦୁହେଁ ଏଇ ସାତବର୍ଷ ଭିତରେ କ’ଣ ପାଇଛୁ ।

 

କିଛି ନାହିଁ ।

 

ଆମେ ଦୁଇ ହେଲୁ, ଏବେ ବି ଦୁଇ ଅଛୁ । ସୃଷ୍ଟି ନାହିଁ—ନିଷ୍ଫଳତା । ଆମ ଦୁହିଁଙ୍କ ଶରୀର ଯେତେବେଳେ ଏକାକାର ହୁଏ, ସେତେବେଳେ ଦୈହିକ କାମନାର ସେମିତି କିଛି ଭୂମିକା ନ ଥାଏ-। ସୃଷ୍ଟି କରି ନ ପାରୁଥିବାର ଆତ୍ମପରାଜୟ ଓ ଗ୍ଳାନି ଏବଂ ସୃଷ୍ଟିର ଆଶା ଆମ ଦୁହିଁଙ୍କୁ ଉତ୍ସାହିତ କରେ । ଖାଲି ଉତ୍ସାହିତ, କିନ୍ତୁ ଏହାର ଆନନ୍ଦମୟ ସମାପ୍ତି କାହିଁ ?

 

—ମୁଁ ବାହାରକୁ ବାହାରିଗଲି; ଆଉ ଥରେ । ଏ ଘର କାହା ବିରୁଦ୍ଧରେ ଆମକୁ ପ୍ରତିରକ୍ଷା କରିବ ? ଆଶା ଶୂନ୍ୟତା ବିରୁଦ୍ଧରେ ? ନିଷ୍ଫଳତା ବିରୁଦ୍ଧରେ ? ଅଥଚ ଏ ଘର ସଙ୍ଗେ ଘନିଷ୍ଠତା ବଢ଼ିବା ଦିନୁଁ ମୁଁ ଖାଲି ଦେଖି ଆସୁଛି ପରାଜୟ ଓ ଧ୍ୱଂସ—ପ୍ରେମର, ବୈବାହିକ ଜୀବନର ଓ ବଞ୍ଚିବାର । ଆଜି ଆମେ ଦୁହେଁ ଆସିଛୁ । ଆମ ପରେ ଆହୁରି ଆସିବେ । ଏ ଘର ଏକ ସଙ୍କୁଚିତ ପୃଥିବୀ ।

 

କିନ୍ତୁ ଏ କ’ଣ ? ମୁଁ ମୋ ନିଜ ଭିତରେ ହଜି ଯାଉଛି କାହିଁକି ? ମୁଁ ଗୋଟାଏ ବଳିଷ୍ଠ-ପ୍ରବାହ ଭିତରେ ରହି ଦ୍ରବୀଭୂତ ହୋଇଯାଉଛି ଯେ ! ନିଜକୁ ମୁଁ ଅନୁଭବ କରିପାରୁ ନାହିଁ । ମୋର ମୁହଁ ହଜି ଯାଉଛି ବିଶ୍ୱଭିତରେ । ମୁଁ ନାମହୀନ ହୋଇ ଯାଉଛି ।

 

—‘ଏଁ, କ’ଣ ହେଲା ? ତମେ ଏମିତି ଖଟ ପାଖରେ ଠିଆହୋଇ ଚିତ୍କାର କଲ କାହିଁକି-? ଆରେ ତମେ ତ ଗୋଟିପଣେ ଥରୁଛ !’

 

—‘ସୁଧା, ମୋତେ ଧର । କହିଲ, ମୋର ଶରୀରଟା ଅଛି କି ନା ? ଏ ଘରର କାନ୍ଥଗୁଡ଼ାକ କୁଆଡ଼େ ମିଳେଇ ଯାଉନାହିଁ ତ ? ମୋତେ କହ, ତମେ ନିଜେ ଅଛ ନା ନାହଁ ? ଏ ଘରର ପଙ୍ଖା ଦେହରେ ତମେ ଦଉଡ଼ି ଦେଇ ମରିବ ନାହିଁ ବୋଲି ମୋତେ କଥାଦିଅ, ସୁଧା ।’

 

—‘କ’ଣ ଏସବୁ ହେଉଛି ? ବାଜେ ସ୍ୱପ୍ନ ଦେଖି, ଏମିତି ବିଳିବିଳଉଚ କାହିଁକି ? ତୁମେ ତ ଆଗରୁ ଏମିତି ବିଳିବିଳଉ ନ ଥିଲ ?’

 

—‘ଏଁ !’

 

—‘ରାତି ପାହି ଆସିଲାଣି ।’

 

ରାତିର ଶେଷ ପ୍ରହରର ଆଲୋକ ଅନ୍ଧକାରକୁ ଗ୍ରାସ କରୁଥିଲା ।

Image

 

ଶେଷ ସୂର୍ଯ୍ୟର ବହ୍ନି

 

ଯେଉଁଦିନ ଅବିନାଶ ବାବୁଙ୍କୁ ଅବସର ଗ୍ରହଣ ପାଇଁ ଆଦେଶ ଦିଆଗଲା, ସେ’ଦିନ ସେକ୍ରେଟେରୀଏଟ୍‍ର ବାୟୁମଣ୍ଡଳଟା ତାଙ୍କର ଉତ୍ତପ୍ତ ଓ ହାହାକାରମୟ ଦୀର୍ଘଶ୍ୱାସରେ କେତେ ପରିମାଣରେ ଭାରାକ୍ରାନ୍ତ ଓ କରୁଣ ହୋଇ ଯାଇଥିଲା ତାହା ବର୍ଣ୍ଣନା କରିବା କଷ୍ଟକର । ସେହି ବିଷାଦମୟ ଦିନଟି ତାଙ୍କ ପାଇଁ ଆଦୌ ଅପ୍ରତ୍ୟାଶିତ ନ ଥିଲା; ମାତ୍ର ତାଙ୍କର ମାନସିକ ପ୍ରତିକ୍ରିୟାର ଶାଣିତ ତରବାରୀଟା ତାଙ୍କର ଶାରୀରିକ କ୍ଷମତା ଓ ଚାକିରିପ୍ରତି ରହିଥିବା ମମତାକୁ ଖୁବ୍ କଦର୍ଯ୍ୟ ଏବଂ ନିଷ୍ଠୁର ଭାବେ ରକ୍ତାକ୍ତ କରି ପକାଇଲା । ସେ ଅନୁଭବ କଲେ ଯେ, ତାଙ୍କର ମନର ମାନସୀ ତାଙ୍କୁ ବୃଦ୍ଧ, ଅକ୍ଷମ ସୁତରାଂ ବର୍ଜନୀୟ ବୋଲି ମନେକରି କୋଳାହଳମୟ ପ୍ରେମ ରାଜ୍ୟର କେଉଁ କୋଣରେ ହଜି ଯାଇଛି ।

 

ଅତଏବ ସେ ଜଣେ ପରିତ୍ୟକ୍ତ ମଣିଷ ।

 

ଏତିକିରେ ତାଙ୍କର ଦୁଃଖ ସୀମାବଦ୍ଧ ନଥିଲା । ତାଙ୍କର ପ୍ରକୃତ ବୟସ ଷାଠିଏ ପାଖାପାଖି ହେଲେ ମଧ୍ୟ ସେ ଯଥେଷ୍ଟ କାର୍ଯ୍ୟକ୍ଷମ ଥିଲେ । ସେ ନକଲି ଦାନ୍ତର ଆଶ୍ରୟ ନେଇ ନ ଥିଲେ । ଅବଶ୍ୟ ତାଙ୍କ ମୁଣ୍ଡରେ ଆଦୌ କେଶ ନଥିଲା; ମାତ୍ର ମୁଣ୍ଡର କେଶହୀନତା ପ୍ରକୃତରେ ଶାରୀରିକ ଅକ୍ଷମତା ଓ ଅଫିସ କାମରେ ଅପାରଙ୍ଗମତାର ମାପକାଠି ହୋଇ ନ ପାରେ । ସତ କହିବାକୁ ଗଲେ, ଅବିନାଶ ବାବୁଙ୍କର ଏ ସମ୍ପର୍କରେ ଯଥେଷ୍ଟ ଅହଙ୍କାର ଥିଲା । ମାତ୍ର ଅବସର ଗ୍ରହଣ ପାଇଁ ଆଦେଶପତ୍ରଟା ତାଙ୍କର ଏହି ଅହଙ୍କାରର ବୁଦ୍‍ବୁଦକୁ ଫୁଟାଇ ଦେବା ସଙ୍ଗେ ସଙ୍ଗେ ସରକାରଙ୍କ ତରଫରୁ ତାକୁ ବୃଦ୍ଧ, ଅକ୍ଷମ ଓ ନିର୍ବଳ ବୋଲି ଘୋଷଣା କରି ଦିଆଗଲା । ଏକଥା ଚିନ୍ତାକରି ଅବିନାଶ ବାବୁ ନିଃସହାୟ ଭାବେ ଭାଙ୍ଗି ପଡ଼ିଲେ ।

 

ସେ’ଦିନ ସେକ୍ରେଟେରୀଏଟ୍‍ରୁ ବାହାରି ଦିଗ୍‍ଧୀଭୂତ ମନ ଓ ଭାରାକ୍ରାନ୍ତ ଚିନ୍ତାଧାରାର ଆର୍ତ୍ତନାଦ ଶୁଣି ଶୁଣି ସେ କ୍ୱାଟର୍ସକୁ ଫେରି ଆସିଲେ ।

 

କ୍ୱାଟର୍ସଟିରେ ସବୁଦିନ ଭଳି ନୀରବତା ଓ ଶୃଙ୍ଖଳା ନେସି ହୋଇ ରହିଥିଲା । ସେଇଟା ସତେ ଯେପରି ସବୁଦିନ ପାଇଁ ଆଶ୍ରୟ ଦେବାକୁ ଉଦ୍‍ବିଗ୍ନତାର ସହିତ ତାଙ୍କର ଫେରିବା ବାଟକୁ ଚାହିଁ ବସିଛି ! ତାଙ୍କପାଇଁ ସେକ୍ରେଟେରୀଏଟ୍‍ର ସବୁଦିନ ନିମନ୍ତେ ରୁଦ୍ଧଦ୍ୱାର ଓ କ୍ୱାଟର୍ସଟିର ତାଙ୍କପାଇଁ ଉତ୍କଣ୍ଠିତ ପ୍ରତୀକ୍ଷା !! ଅବିନାଶ ବାବୁ ନିଜ ଭିତରୁ ଏକ କରୁଣ ମୂର୍ଚ୍ଛନାର ଧ୍ୱନି ଶିଣିବାକୁ ପାଉଥିଲେ । କ୍ୱାଟର୍ସର ଗୋଟିଏ ଖମ୍ୱକୁ ଆଉଜି, ତାହାରି ଉପରେ ସେ ନିଜର ଦୁଇହାତ ପାପୁଲି ଜୋରରେ ଘସିବାକୁ ଲାଗିଲେ ଏବଂ ତାଙ୍କପ୍ରତି କ୍ୱାଟର୍ସର ରହିଥିବା ଅବ୍ୟକ୍ତ ମମତା ଓ ସ୍ନେହ ଅନୁଭବ କରିବାକୁ ଚେଷ୍ଟାକଲେ ।

 

ଡ୍ରଇଁରୁମ୍ ଭିତରେ ଥିବା ସୋଫାସେଟ୍, ଟେବୁଲ, ପ୍ଲାଷ୍ଟିକଫୁଲରେ ସଜ୍ଜିତ ଫୁଲଦାନୀ ଓ ଅନ୍ୟାନ୍ୟ ଆସବାବପତ୍ର ଆଗଭଳି ପରିଷ୍କାର ଚଟାଣ ଉପରେ ଓ କୋଳାହଳ ଶୂନ୍ୟ, ଶାନ୍ତ ବାୟୁମଣ୍ଡଳ ଭିତରେ ବୁଡ଼ି ରହିଛନ୍ତି । ବଡ଼ ଝରକାରେ ଲଗା ଯାଇଥିବା ପର୍ଦ୍ଦାଗୁଡ଼ାକୁ ବାହାରର ପବନ ପୂର୍ବପରି ହସ କୁତୁକୁତୁ କରୁନାହିଁ । ସମସ୍ତେ ତାଙ୍କୁ ଥକ୍କା ହେଇ ଚାହିଁ ରହିଛନ୍ତି ଓ ନିଜ ନିଜର ଭବିଷ୍ୟତ ସମ୍ପର୍କରେ ଅବିନାଶ ବାବୁଙ୍କର ନିଷ୍ପତ୍ତି ଶୁଣିବାକୁ ବ୍ୟାକୁଳ ହୋଇ ପଡ଼ିଛନ୍ତି । ସେ ଆହୁରି ଦୁର୍ବଳ ହୋଇ ପଡ଼ିଲେ । ତାଙ୍କୁ ଜଣାଗଲା, ତାଙ୍କର ଛାତି ପକେଟରେ ରହିଥିବା ଅବସର ଗ୍ରହଣ ପାଇଁ ଆଦେଶନାମାଟା ସତେ ଯେମିତି ଏକ ବିରାଟ ବୋଝହୋଇ, ତାଙ୍କୁ ବ୍ୟତିବ୍ୟସ୍ତ ଓ କ୍ଳାନ୍ତ କରି ପକାଉଛି । ସେ ତାକୁ ଟେବୁଲ ଉପରେ ଥୋଇଲେ । ମାତ୍ର ସେହି କାଗଜର କଳାକଳା ଦାନ୍ତଗୁଡ଼ିକ ତାଙ୍କୁ ଯେଭଳି ଭାବରେ ବିଦ୍ରୁପ କରିବାକୁ ଲାଗିଲେ, ତାହା ତାଙ୍କୁ କିଂକର୍ତ୍ତବ୍ୟବିମୁଢ଼ କରି ପକାଇଲା କିଛି ସମୟ ପାଇଁ । ତା’ପରେ ସେହି କାଗଜ ଖଣ୍ଡିକ, ଟେବୁଲ ଡ୍ରୟାର ଭିତରେ ଥିବା ଆହୁରି ଅନେକ କାଗଜର ପୋଖରୀ ଭିତରେ କେଉଁଆଡ଼େ ଲୁଚିଗଲା ।

 

ଏଥର ସେ ଯଥେଷ୍ଟ ଆରାମ ବୋଧକଲେ । ଅବସର ଗ୍ରହଣ ପାଇଁ ଆଦେଶପତ୍ର ପାଇ ସେ ଯେ ଆଦୌ ବିବ୍ରତ ନୁହନ୍ତି, ତାହା ପ୍ରକାଶ କରିବା ପାଇଁ ସେ ଉପାୟ ଉଦ୍ଭାବନରେ ଲାଗି ପଡ଼ିଲେ । ସରକାରୀ ଭାବେ ତାଙ୍କୁ ବୃଦ୍ଧ ଓ ଅକ୍ଷମ ବୋଲି ଘୋଷଣା କରାଯିବା ସତ୍ତ୍ୱେ ସେ ଯେ ତାହା ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି, ତାହା ମଧ୍ୟ ଡ୍ରଇଂରୁମର ସାମଗ୍ରୀଗୁଡ଼ିକୁ ଜଣାଇ ଦେବାପାଇଁ ସେ ଅସ୍ଥିର ପଡ଼ିଲେ ।

 

ତା’ପରେ ଡ୍ରଇଂରୁମର କବାଟ ବନ୍ଦ ହେଲା ।

 

ନିର୍ଜନ କୋଠରୀ ଭିତରେ ଏକରକମ ଦୌଡ଼ା ଦୌଡ଼ି କରି ସେ ହିନ୍ଦିଫିଲ୍ମର ଗୀତ ଗାଇବାକୁ ଲାଗିଲେ । ସମୁଦ୍ର କୂଳସ୍ଥ ବାଲି ଉପରେ ପଡ଼ିଥିବା ଅସଂଖ୍ୟ ପାଦଚିହ୍ନଭଳି ତାଙ୍କ ଗୀତ ଅନେକ ଗୁଡ଼ାଏ ଗୀତର ଏକ ଅର୍ଥହୀନ ସମାବେଶ ହେଲେ ମଧ୍ୟ ସେ ଗୀତର ଧ୍ୱନିରେ ଚପଳତା ଓ ହୃଦୟର ଉଚ୍ଛ୍ୱାସ ଯେ ଭରି ରହିଥିଲା, ତାହା ଅସ୍ୱୀକାର କରି ହେବନି । ଏହିପରି କିଛି ସମୟ ଚାଲିବାପରେ ଅବିନାଶ ବାବୁ କ୍ଳାନ୍ତି ଓ ବିରକ୍ତି ବୋଧକଲେ । ଅଗତ୍ୟା ନିଜର ଅନିଚ୍ଛା ସତ୍ୱେ ତାଙ୍କୁ ସେଥିରୁ ନିବୃତ ହେବାକୁ ପଡ଼ିଲା ।

 

ଏତେ ଶୀଘ୍ର କ୍ଳାନ୍ତ ହୋଇଯିବା କଥାଟା ଚିନ୍ତା କରି ସେ ଯଥେଷ୍ଟ ବିବ୍ରତ ହୋଇ ପଡ଼ିଲେ । ନିଜର ଶାରୀରିକ ଶକ୍ତି ସମ୍ୱନ୍ଧରେ ତାଙ୍କରି ଦୃଢ଼ ବିଶ୍ୱାସକୁ ସନ୍ଦେହର ନିର୍ମମ ଅଟ୍ଟହାସ୍ୟ ଭୟଭୀତ କରି ପକାଇଲା । ସେ କୋଟ, ଟାଇ ପ୍ରଭୃତି ଖୋଲି ହାତର ମାଂସପେଷିଗୁଡ଼ାକୁ ପରୀକ୍ଷା କରିବାକୁ ଲାଗିଲେ । ତା’ପରେ ଝରକା ରେଲିଂଗୁଡ଼ାକୁ ହଲାଇବାକୁ ଚେଷ୍ଟାକଲେ । ମାତ୍ର ରେଲିଂଗୁଡ଼ାକର ଦୃଢ଼ତା ତାଙ୍କର ସମସ୍ତ ଚେଷ୍ଟାକୁ ବେଖାତିର କରି ପୂର୍ବଭଳି ରହିଲେ ଅବିଚଳିତ ହୋଇ । ଏଥର ସୋଫାସେଟ୍‍ର ଓଜନ ମାପିବାକୁ ଆଗେଇ ଆସିଲେ ସେ । ତହିଁରେ ସେ କୃତକାର୍ଯ୍ୟ ହେଲେ । ତା’ପରେ ଟେବୁଲ, ଟି-ପୟ ଇତ୍ୟାଦି ଏତେବଡ଼ ଟେବୁଲଟିକୁ ତଳୁ ଉଠାଇବାର ସୁବିଧା ନ ଥିଲା, କିନ୍ତୁ ସେ ତା’ର ସ୍ଥାନ ପରିବର୍ତ୍ତନ କରିବାକୁ ସକ୍ଷମ ହେଲେ । ଟି-ପୟ ତ ଗୋଟାଏ ହାତରେ ତଳୁ ଉଠି ଆସିଲା । ସେ ହାତ ପୁଣି ବାମ ହାତ । ଅବିନାଶ ବାବୁ ଖୁବ୍ ଉଲ୍ଲସିତ ଓ ଉତ୍ସାହିତ ହୋଇ ପଡ଼ିଲେ । ନିଜର ଅଜାଣତରେ ତାଙ୍କ ପାଟିରୁ ଆନନ୍ଦ ଓ ବିଜୟର ଚିତ୍କାର ବାହାରି ଆସିଲା ।

 

ରୁମ୍ କବାଟ ଖୋଲି ସେ ବାହାରକୁ ଆସିଲେ ।

 

ଗୋଧୂଳିର ମ୍ଳାନ ଆଲୋକରେ ଅବିନାଶ ବାବୁ ଦେଖିଲେ, ଚାକର ପିଲାଟି ବଗିଚା କାମରେ ବ୍ୟସ୍ତ ଅଛି । ତାଙ୍କ କ୍ୱାଟର୍ସ ଚାରିପାଖରେ ଘେରି ରହିଥିବା କମ୍ପାଉଣ୍ଡ ଓ୍ୟାଲ ଭିତରେ ସବୁଜିମା ଲହଡ଼ି ଭାଙ୍ଗେ । ନିଜର ରୁଚି ଅନୁସାରେ ବଗିଚାଟିକୁ ଗଢ଼ି ପାରିଛନ୍ତି ବୋଲି ଅବିନାଶବାବୁ ଅନେକ ସମୟରେ ଗର୍ବ ଅନୁଭବ କରନ୍ତି । ରିଟାୟାଡ଼ ପରେ ତ ଏ ଘର ଛାଡ଼ିବାକୁ ହେବ, ତେବେ ପିଲାଟି ବଗିଚାରେ କାମ କରୁଛି କାହିଁକି ? ସେ ଭାବିଲେ, ପିଲାଟିକୁ ଏଥିରୁ ନିବୃତ ହେବାକୁ କହିବେ । ମାତ୍ର କାହିଁକି କେଜାଣି, ସେ ତାହା କରିପାରିଲେ ନାହିଁ । ଲାଟି ତା’ହେଲେ ପୂର୍ବପରି କାମ କରୁ । କାରଣ ତାଙ୍କର ଦୃଢ଼ ଧାରଣା ଅଛି ଯେ, ମଣିଷର ପରିଶ୍ରମ ଓ କର୍ତ୍ତବ୍ୟ ନିଷ୍ଠା ହିଁ ପୃଥିବୀ-ଘଡ଼ିର ଏକମାତ୍ର ସ୍ପ୍ରିଙ୍ଗ୍‍ । ଏହି ସ୍ପ୍ରିଙ୍ଗ୍‍ ପୃଥିବୀକୁ ଜୀବନ ଦେଇଛି, ଗତିଶୀଳତା ଦେଇଛି, ଏହାର ରୂପ ଦେଇଛି । ତେଣୁ ପିଲାଟିର କାମରେ ବାଧା ଦେଇ କିଛି ଲାଭ ନାହିଁ । ମଣିଷ ଜୀବନର ସାର୍ଥକତା ସାର୍ଥକ କାର୍ଯ୍ୟ ସମ୍ପାଦନରେ ନିହିତ ବୋଲି ତାଙ୍କର ବିଶ୍ୱାସ ରହିଛି ।

 

ଅବିନାଶ ବାବୁ ଶୋଇବା କୋଠରୀକୁ ଚାଲି ଆସିଲେ । ଯୋତା ଓ ପେଣ୍ଟ ଖୋଲି ପକାଇଲେ । ତା’ପରେ ଲନ୍-ଟେନିସ୍ ଖେଳିବା ପାଇଁ ଉଦ୍ଦିଷ୍ଟ ହାଫପେଣ୍ଟ (ଏ ବୟସରେ ମଧ୍ୟ ସେ କେବେ କିପରି ଲନ୍-ଟେନିସ ଖେଳନ୍ତି) ପିନ୍ଧିଲେ । କାମ କରୁଥିବା ଚାକର ପିଲାଟି ପାଖରେ ପହଞ୍ଚି, ତାକୁ ବିଶ୍ରାମ ନେବା ପାଇଁ ନିର୍ଦ୍ଦେଶ ଦେଲେ । ତା’ହାତରୁ କୋଦାଳଟି ନେଇ ମାଟି ଖୋଳିବାରେ ଲାଗିପଡ଼ିଲେ ନିଷ୍ଠାର ସହିତ; ସତେ ଯେପରି ଏହି ମାଟି ଖୋଳାରେ ହିଁ ତାଙ୍କର ଭବିଷ୍ୟତ ଓ ଶରୀରର ସାର୍ଥକତା ନିହିତ ଅଛି । ସେ ଏ ଭଳି କାମ ଆଗରୁ କରି ନ ଥିଲେ । ଚାକରର ବିସ୍ମୟ ବିଷ୍ପାରିତ ମୁହଁ ଆଡ଼େ ନ ଚାହିଁ ସେ କାମ କରି ଚାଲିଲେ । ଅଳ୍ପ ସମୟ ପରେ ଅନ୍ଧକାର ମାଡ଼ି ଆସିଲା । ହାତ ପାପୁଲିରେ ମୁହଁର ଝାଳ ପୋଛୁ ପୋଛୁ ଅନ୍ଧକାର ଓ ମାଟି ଖୋଳା, ଶରୀର ଓ ଆତ୍ମା ସମ୍ୱନ୍ଧରେ କିଛି ଭାବିବାକୁ ଚେଷ୍ଟାକଲେ ।

 

ଅବସର ନେବାର ପ୍ରାୟ ଦୁଇମାସ ପରେ ଅବିନାଶ ବାବୁଙ୍କର ସ୍ୱାସ୍ଥ୍ୟହାନୀ ଘଟିଲା । ସରକାରୀଘର ଛାଡ଼ିଦେଇ, ସେ ମଫସଲ ଗ୍ରାମକୁ ଚାଲି ଯାଇଥିଲେ ଏବଂ ନିଜ ଫାର୍ମର ଦେଖାଶୁଣା କରୁଥିଲେ । ସେ ଭାବିଥିଲେ ଯେ, ଚାପ କାର୍ଯ୍ୟରେ ବ୍ୟସ୍ତ ରହିଲେ; ତାଙ୍କର ଦିନ ଗୁଡ଼ିକ ବେଶ୍ ଶୀଘ୍ର କଟିଯିବ । ମାତ୍ର ବିପରୀତ କଥାଟି ସତହେଲା । ସମୟର ପ୍ରାଚୁର୍ଯ୍ୟ ଭିତରେ ସେ ଅଣନିଃଶ୍ୱାସୀ ହୋଇପଡ଼ିଲେ । ତା’ଛଡ଼ା ମଫସଲର ଜଳବାୟୁ ବୋଧହୁଏ ତାଙ୍କ ପାଇଁ ଅନୁକୂଳ ନ ଥିଲା । ତେଣୁ ପ୍ରଥମେ ସର୍ଦ୍ଦି, କାଶ ଓ ଜ୍ୱର ପରେ ତାଙ୍କର ଦୃଷ୍ଟିଶକ୍ତି କ୍ଷୀଣ ହେବାକୁ ଲାଗିଲା । ସେ ଖୁବ୍ ବ୍ୟସ୍ତ ହୋଇ ନିଜର ଏକମାତ୍ର ପୁଅ ପାଖରେ ପହଞ୍ଚିଗଲେ ।

 

ବିକାଶ ବାବୁ ଲାଇଫ୍ ଇନସୁରାନସ୍‍ କର୍ପୋରେସନର ଜଣେ ଉଚ୍ଚପଦସ୍ଥ କର୍ମଚାରୀ । ଅବିନାଶ ବାବୁଙ୍କର ସେ ଏକମାତ୍ର ସନ୍ତାନ । ଅବିନାଶ ବାବୁଙ୍କର ମନଦର୍ପଣରେ ନିଜ ସ୍ତ୍ରୀଙ୍କ ଛବି ଆଉ ପ୍ରତିଫଳିତ ହେଉନାହିଁ । ଯେଉଁ ନର୍ସିଂ ହୋମରେ ବିକାଶବାବୁ ଜନ୍ମଗ୍ରହଣ କଲେ, ସେଇଠାରେ ତାଙ୍କ ସ୍ତ୍ରୀଙ୍କର କାଳ ହେଲା, ସତେ ଯେପରି ସ୍ତ୍ରୀଙ୍କର ଆତ୍ମା ପ୍ରବେଶକଲା ପୁତ୍ରର କୋମଳ ଶରୀରରେ । ଅବିନାଶ ବାବୁ ଆଉ ବିବାହ କଲେ ନାହିଁ । ବିକାଶ ବାବୁଙ୍କର ସେ ମା’ ହେଲେ, ବାପା ହେଲେ । ବିକାଶ ବାବୁ ଜଣେ ଅତ୍ୟାଧୁନିକ ମଣିଷ । ମନ୍ଦିର କ୍ୱଚିତ ଯାଆନ୍ତି । ଗୀତା କ୍ୱଚିତ ପଢ଼ନ୍ତି । ମାତ୍ର ନିଜ ଶୋଇବା ଘରେ ଥିବା ଅବିନାଶ ବାବୁଙ୍କର ବଡ଼ଫଟୋ ଆଗରେ ପ୍ରଣତି ଜଣାଇବାକୁ କେବେହେଲେ ସେ ଭୁଲନ୍ତି ନାହିଁ ।

 

କନଭେଣ୍ଟରେ ଟେନ୍‍ଥ ଷ୍ଟାଣ୍ଡାର୍ଡ଼ରେ ପଢ଼ୁଥିବା ତାଙ୍କ ନାତି ମଣ୍ଟୁର ଶୋଇବା ଘରେ ଅବିନାଶ ବାବୁଙ୍କର ରହିବା ବନ୍ଦୋବସ୍ତ ହେଲା । ମଣ୍ଟୁ ମେଧାବୀ, କ୍ଷିପ୍ର, ଚପଳ, ଭଦ୍ର ଓ ବୟସ ଅନୁପାତରେ ଆଶାତୀତ ଭାବେ ପ୍ରଗତିଶାଳୀ । ତେଣୁ ମଣ୍ଟୁ ଥିବା ବେଳେ ସେ ତା’ସହିତ ବେଶ୍ ଆଳାପ ଆଲୋଚନାରେ ବ୍ୟସ୍ତ ରହନ୍ତି । ଦିନ ଦଶଟା ବେଳକୁ ଘରଟା ଖାଁ ଖାଁ ଡାକେ । ବିକାଶ ବାବୁ ଅଫିସ ଯାଆନ୍ତି, ମଣ୍ଟୁ ସ୍କୁଲକୁ ଚାଲିଯାଏ । ମିସେସ୍ ଦାସ ତ ଭାରି ଲଜ୍ଜାଶୀଳା । ସେ ତିନିବର୍ଷର ଝିଅ ଡଲିକୁ ନେଇ ଏତେ ବଡ଼ ଘରେ ପଡ଼ି ରହନ୍ତି ।

 

ଘରୋଇ ଚିକିତ୍ସା ଆରମ୍ଭ ହେଲା ଅବିନାଶ ବାବୁଙ୍କର ଆଖି ପାଇଁ । ଆଖି ବିଶେଷଜ୍ଞ ସଭିଙ୍କର ଆଶଙ୍କା ଓ ଭୟକୁ ହସରେ ଉଡ଼ାଇ ଦେଇ ମତ ଦେଲେ ଯେ ଶରୀରର ଅନ୍ୟକେତେକ କାରଣ ଯୋଗୁ ତଥା ଖାଦ୍ୟପ୍ରାଣର ଅଭାବ ହେତୁ ଅବସ୍ଥା ଏପରି ହୋଇଛି । ବିଶ୍ରାମ, ଔଷଧ ସେବନ ଓ କିଛିଦିନ ପାଇଁ ପଢ଼ାପଢ଼ି ସ୍ଥଗିତ ରଖିଲେ ଅବସ୍ଥାର ଉନ୍ନତି ଘଟିବ । ସୁତରାଂ ଅବିନାଶ ବାବୁଙ୍କୁ ଏକ ଅନିର୍ଦ୍ଦିଷ୍ଟକାଳ ପାଇଁ ସେଠାରେ ରହିବାକୁ ପଡ଼ିବ ।

 

ବିରକ୍ତି ଓ ମନୋଟନି । ଅଳ୍ପଦିନ ପରେ ଅବିନାଶବାବୁ ବ୍ୟସ୍ତ ହୋଇ ପଡ଼ିଲେ । ଏତେବଡ଼ ସହରର କୋଳାହଳ ଭିତରେ ଥାଇ ସେ ଯେଭଳି ଭାବରେ ନୀରବତା ଓ କାର୍ଯ୍ୟହୀନତାର ଭୂମିକା ଗ୍ରହଣ କଲେ, ତାହା ତାଙ୍କୁ କ୍ରମଶଃ ଜୀବନ ସମ୍ୱନ୍ଧରେ ଆଶା ଓ ନିରାଶାର ଦ୍ୱନ୍ଦ ଆଣି ଦେଲା ।

 

ସେ’ଦିନ—

 

ସମୟ ପ୍ରାୟ ଦିନ ବାରଟା । ସେ ଝରକାପାଖ ଚୌକିରେ ବସିଥିଲେ ଓ ନିହାତି ଏକ ଉଦ୍ଦେଶ୍ୟହୀନ ଦୃଷ୍ଟିରେ ରାସ୍ତାର ମଞ୍ଚ ଉପରେ ଚାଲିଥିବା କାର୍ଯ୍ୟବ୍ୟସ୍ତତାର ନାଟକ ଦେଖୁଥିଲେ । ରାସ୍ତାର ଅନ୍ୟପାର୍ଶ୍ୱରେ ଥିବା ସୌଖିନ ଘରଗୁଡ଼ିକ ଅନୁଚ୍ଚ କମ୍ପାଉଣ୍ଡ ୱାଲର ଘେର ଭିତରେ ରହି ତନ୍ମଧ୍ୟସ୍ଥ ବଗିଚାର ସବୁଜିମା ଉପଭୋଗ କରୁଛନ୍ତି ଓ ଫୁଲର ମହକ ମାଖି ହେଉଛନ୍ତି । ବିକାଶ ବାବୁଙ୍କ କ୍ୱାଟର୍ସଠାରୁ ସାମନା ଘରଟିର ବ୍ୟବଧାନ ପ୍ରାୟ ଚାଳିଶମିଟର ହେବ ।

 

କଳା ରଙ୍ଗର ଫିଆଟଟିଏ ସାମନା ଘର ଫାଟକ ପାଖରେ ହର୍ଣ୍ଣ ଦେବାର ଶୁଣି ଅବିନାଶବାବୁ ଖାମଖିଆଲି ଭାବରେ ଚାହିଁଲେ ସେଇଆଡ଼କୁ । ଫାଟକ ଖୋଲାହେଲା, ଗାଡ଼ିଟି ଠିଆହେଲା ପୋର୍ଟିକୋ ତଳେ । ତହିଁରେ ଆରୋହୀ ଥିଲେ ମାତ୍ର ଦୁଇଜଣ—ଜଣେ ତରୁଣ, ଆଉ ଜଣେ ତରୁଣୀ ।

 

ଅବିନାଶବାବୁ ନିଜ ଅଜାଣତାରେ ଟିକିଏ ଚଞ୍ଚଳ ହୋଇ ପଡ଼ିଲେ ।

 

ଦୁର୍ବଳ ଦୃଷ୍ଟିଶକ୍ତି ହେତୁ ସେମାନଙ୍କୁ ପରିଷ୍କାର ଭାବରେ ଦେଖିବା ସମ୍ଭବ ନଥିଲା । ପୁଣି ପର୍ଟିକୋ ତଳଟା କିଞ୍ଚିତ ଅନ୍ଧାରୁଆ ଥିଲା । ତଥାପି ତରୁଣୀର ଅତ୍ୟାଧୁନିକତା ଓ ଅନୁପମ ସୌନ୍ଦର୍ଯ୍ୟ ସମ୍ୱନ୍ଧରେ କ୍ଷୀଣ ସୂଚନା ସେ ପାଇପାରିଲେ । ତରୁଣ ସମ୍ପର୍କରେ ବିଶେଷ ଆଗ୍ରହୀ ନଥିଲେ ଅବିନାଶବାବୁ । ତଥାପି ତା’ର ବ୍ୟକ୍ତିତ୍ୱ ଓ ଯୁବକସୁଲଭ ଚଳଚଞ୍ଚଳ ସ୍ୱଭାବ ଛାଏଁ ଧରାଦେଲା ତାଙ୍କ ଦୃଷ୍ଟିରେ । ତା’ପରେ ଗୃହିଣୀଙ୍କର ଆବିର୍ଭାବ । ତା’ପରେ ବାରଣ୍ଡାଟା ଶୁନଶାନ୍ ହୋଇଗଲା ।

 

ଧେତ୍...ଅବିନାଶବାବୁ ବିରକ୍ତିରେ ମୁହଁବୁଲାଇ ଆଣିଲେ । ଚୌକି ଉପରୁ ଉଠି ସେ ବାରଣ୍ଡା ପାଖକୁ ଆସିଲେ ଏବଂ ଦେଖିଲେ ଯେ, କେହି ତାଙ୍କର ଗତିବିଧି ଲକ୍ଷ୍ୟ କରୁ ନାହିଁ । ସେ ନିଶ୍ଚିତ ହୋଇ ପୁଣି ରୁମ୍ ଭିତରେ ପଶି କବାଟ ବନ୍ଦକଲେ । ରୁମ୍ ଭିତରେ ମଣ୍ଟୁର ବ୍ୟବହାରିକ ସାମଗ୍ରୀ ପୂରି ରହିଛି । ଗୋଟିଏ କୋଣରେ ଥିବା ଆଲମିରାଟା ମଣ୍ଟୁର ବହିପତ୍ର ଓ ଆହୁରି ଅନେକ ଜିନିଷ ନିଜ ଗର୍ଭରେ ଧରି ଠିଆ ହୋଇଛି ନିର୍ବାକ ହୋଇ ।

 

ଅବିନାଶବାବୁଙ୍କୁ ଜଣାଗଲା, ସତେ ଯେପରି ତାଙ୍କର କ୍ଳାନ୍ତି ଓ ଅବସାଦ କେଉଁଆଡ଼େ ଉଭେଇ ଯାଇଛି । ସେ ପୁଣିଥରେ ଝରକା ପାଖକୁ ସାମନା ଘରର ବାରଣ୍ଡା ଆଡ଼କୁ ଚାହିଁଲେ । ସେଇଟା ଆଗଭଳି ନିଶୂନ । ସେ ଫେରି ଆସିଲେ ମଣ୍ଟୁର ପୋଷାକ ଥିବା ରାକ ପାଖକୁ । ଈଷତ୍ ମଇଳା ବୁଶଶାର୍ଟଟିଏ ହାତରେ ଧରି ସେ ତାକୁ ଏପାଖ ସେପାଖ କରି ଦେଖିଲେ ଗୋଟାଏ ଅଭୁତ ଜିନିଷ ଭଳି । ସେଇଟାକୁ ଶୁଙ୍ଘିଲେ ସେ । ତେର-ଚଉଦ ବର୍ଷ ପିଲାର ଝାଳର ଗନ୍ଧ ତାଙ୍କୁ ସମ୍ମୋହିତ କରି ପକାଇଲା । ଆଉ କାଳ ବିଳମ୍ୱ ନକରି ସେଇ ଛୋଟିଆ କମିଜଟାକୁ ସେ ପିନ୍ଧି ପକାଇଲେ ।

 

ସେଇ ପରିଧାନ ଅବିନାଶବାବୁଙ୍କୁ ଏକ ନୂତନ, ଅଭୂତ ଓ କମ୍ପିତ ଅଭିଜ୍ଞତା ଦେଲା । ଘର କୋଣରେ ଥିବା ମଣ୍ଟୁର ଛୋଟ କ୍ରିକେଟ୍ ବ୍ୟାଟଟି ଧରି, ସେ ବ୍ୟାଟିଂ କରିବା ଭଙ୍ଗିରେ ଠିଆହେଲେ ଓ ଦୁଇ-ଚାରି ଥର ଏ କାନ୍ଥରୁ ସେକାନ୍ଥ ପର୍ଯ୍ୟନ୍ତ ଦୌଡ଼ା ଦୌଡ଼ି କଲେ । ଏକ ଜରୁରୀ କଥା ମନେ ପଡ଼ିବା ଭଳି ସେ ପୁଣି ଝରକା ପାଖକୁ ଯାଇ ସାମନା ଘର ବାରଣ୍ଡାକୁ ଚାହିଁଲେ ଓ ପୁନର୍ବାର ହତାଶ ହୋଇ ଫେରି ଆସିଲେ ।

 

ଶେଲ୍‍ଫରେ ଥିବା ଦର୍ପଣ ଆଗରେ ଠିଆହୋଇ, ସେ ପ୍ରଚୁର କୌତୁକର ସହିତ ନିଜକୁ ଲକ୍ଷ୍ୟକଲେ । ମଣ୍ଟୁର ବୁଶ୍‍ଶାର୍ଟଟି ତାଙ୍କ ଦେହକୁ ଗୋଟାଏ ଗଛର ବକ୍କଳ ଭଳି ଜଡ଼ାଇ ଧରିଛି ମାତ୍ର ନିଜର ଝାଳୁଆ ମୁହଁ ତାଙ୍କୁ କିଞ୍ଚିତ ବ୍ୟସ୍ତ କରି ପକାଇଲା । ଛୋଟ ଟର୍କିସ୍ ଦ୍ୱାରା ଖୁବ୍ ଜୋରରେ ସେ ନିଜର ମୁହଁ ଘସିଲେ ଓ Dream-Me ପାଉଡ଼ର ନେଇ ନିଜ ମୁହଁରେ ଏକ ପ୍ରଲେପ ଦେଲେ ।

 

ବୁଶ୍‍ଶାର୍ଟଟିକୁ ଦେହରୁ କାଢ଼ି ରେକରେ ରଖିବା ପୂର୍ବରୁ ତାହାକୁ ପୁଣିଥରେ ଶୁଙ୍ଘିବାକୁ ସେ ଭୁଲିଗଲେ ନାହିଁ । ତା’ପରେ ମଣ୍ଟୁର ଆଲମିରା ଖୋଲାହେଲା । କାହିଁକି ଜିନିଷପତ୍ର ଗୁଡ଼ିକୁ ଏଭଳି ତନ୍ନତନ୍ନ ଭାବରେ ସେ ଖେଳେଇ ପକେଇଲେ, ତା’ର କାରଣ ସେ ଜାଣନ୍ତି ନାହିଁ । ପରିଶେଷରେ ଗୋଟିଏ ଛୋଟ ଟିଣ ବାକ୍ସ ଭିତରୁ ସେ ଯେଉଁ ଜିନିଷଟି ପାଇଲେ, ତାହା ତାଙ୍କୁ ଆନନ୍ଦରେ ଏକରକମ ପାଗଳ କରିଦେଲା । ଏକ ଅମୂଲ୍ୟ ଧନଭଳି ଜିନିଷଟିକୁ ସେ ଛାତିରେ ଚାପିଧରିଲେ ।

 

ସେଇଟା ଗୋଟାଏ ବାଇନୋକ୍ୟୁଲାର—ଖୁବ୍ କମ୍ ଦାମର । ଗୋଟାଏ ଲେନ୍‍ସ ତହିଁରୁ ଭାଙ୍ଗି ଯାଇଛି । ସେଇଟାକୁ ଧରି ଅବିନାଶବାବୁ ଧାଇଁଗଲେ ଝରକା ପାଖକୁ । କି ଚମତ୍କାର-! ସାମନାଘରର ବାରଣ୍ଡା ଖୁବ୍ ନିକଟରେ ଥିବାଭଳି ଜଣାପଡ଼ୁଛି । ଆବିଷ୍କୃତ ବସ୍ତୁଟିର ପରୀକ୍ଷା ପାଇଁ ସେ ସତେଜ ଓ କ୍ଷିପ୍ର ହୋଇ ପଡ଼ିଲେ । ବିପୁଳ ବ୍ୟଗ୍ରତା ଓ ଅସ୍ଥିରତାର ସହିତ ବାଇନୋକ୍ୟୁଲାରଟିକୁ ଆଖି ସାମନାରେ ଧରି ସେ ଅପେକ୍ଷା କରିବାକୁ ଲାଗିଲେ ଏକ ଦକ୍ଷ ଶିକାରୀ, ତା’ର ଇପ୍‍ସିତ ଶିକାରକୁ କାବୁ କରିବାପାଇଁ ଅପେକ୍ଷା କରିବାଭଳି ।

 

ତା’ପରେ—

 

ତରୁଣୀଟିର ଆବିର୍ଭାବ । ବାଇନୋକ୍ୟୁଲାର ସାହାଯ୍ୟରେ ତାକୁ ଦେଖିବା ସମୟରେ କାହିଁକି କେଜାଣି ଅବିନାଶବାବୁଙ୍କର ହୃତସ୍ପନ୍ଦନ ବଢ଼ିଗଲା ଓ ସେ ପରିଷ୍କାର ଭାବରେ ନିଜର ହାଟ-ବିଟ୍ ଶୁଣିବାକୁ ସକ୍ଷମ ହେଲେ । ତାଙ୍କୁ ଜଣାଗଲା, ସତେ ଯେମିତି ସେ କିଛି ଜିନିଷ ଚୋରି କରିବାକୁ ଅନ୍ୟ ଘରେ ପଶିଛନ୍ତି ! ନିଶ୍ଚିନ୍ତ ହେବାପାଇଁ ସେ ରୁମର ଦରଜାକୁ ଚାହିଁଲେ । ସେଇଟା ବନ୍ଦ ଅଛି ।

 

କିନ୍ତୁ ତରୁଣୀଟିର ଅତୁଳନୀୟ ସୌନ୍ଦର୍ଯ୍ୟ ଅବିନାଶବାବୁଙ୍କୁ ସାମାନ୍ୟ ନିରୁତ୍ସାହିତ କରିଦେଲା । ତଥାପି, ବାରଣ୍ଡାରେ ପଡ଼ିଥିବା ଇଜି ଚୌକିରେ ବସି ହାଲକା ଆକାଶୀରଙ୍ଗର ଶାଢ଼ି ଓ ସ୍ଲିଭଲେସ୍ ବ୍ଲାଉଜ ପିନ୍ଧି, ଗୋଡ଼ ହଲଉଥିବା ଉକ୍ତ ନାରୀ ମୂର୍ତ୍ତିର ସୌନ୍ଦର୍ଯ୍ୟ ଦେଖିବାକୁ ଅବିନାଶବାବୁ ଆଶାହୀତ ଭାବେ ବ୍ୟାକୁଳ ଥିଲେ । ବାଇନୋକ୍ୟୁଲାର ଯୋଗେ ସେ ଏତେ ନିକଟରେ ଥିଲାଭଳି ଦେଖାଯାଉଥିଲା ଯେ ଅବିନାଶବାବୁ ବେଳେ ବେଳେ ବିଚଳିତ ହୋଇ ପଡ଼ୁଥିଲେ ମଧ୍ୟ ।

 

ଠିକ୍ ଏତିକିବେଳେ ଦରଜାରେ ଠକ୍...ଠକ୍...ଶବ୍ଦ ।

 

ତରତରରେ ବାଇନୋକ୍ୟୁଲାରଟିରୁ ତକିଆ ତଳେ ରଖି, ସେ କବାଟ ଖୋଲିଲେ । ସାମନାରେ ତାଙ୍କର ପୁତ୍ରବଧୂ—ବିକାଶର ସହଧର୍ମିଣୀ ।

 

ମୁହଁ ତଳକୁ ପୋତି ସେ ଟିକିଏ ଆଶ୍ଚର୍ଯ୍ୟ ହେଲା ଭଳି ନିମ୍ନ ସ୍ୱରରେ କହିଲେ–‘‘ଆପଣ ଶୋଇ ନାହାନ୍ତି ? ଭାବିଲି, ଆପଣ ଶୋଇ ଯାଇଥିବେ । ଔଷଧ ଖାଇବା ସମୟ ତ ହୋଇ ଗଲାଣି-।’’ ‘‘ଏଁ !!’’ ଅବିନାଶବାବୁ କିଛି କଥା ନଶୁଣି ପାଟିକରି ଉଠିଲେ ।

 

—‘‘ହଁ, ତିନିଟା ବାଜିଲାଣି ।’’ ମିସେସ୍ ଦାସଙ୍କ ରକ୍ତିମ ଓଠରେ ଖିଏ ସରୁ ହସ ।

 

ସେ ଚାଲିଗଲେ । ଅବିନାଶବାବୁ ସେଇଠି ଠିଆହୋଇ ନିଜର ସଚେତନ ମନ ଭିତରକୁ ଫେରି ଆସୁଥିଲେ କ୍ରମଶଃ । ତାଙ୍କୁ ଜଣାଗଲା, ଯେ ଯାହା ସବୁ କରି ପକାଇଛନ୍ତି, ସେ ସବୁ ସ୍ୱପ୍ନ । ଧିର ପଦରେ ସେ ଚାଲି ଆସିଲେ ବିଛଣା ପାଖକୁ । ତକିଆ ତଳୁ ବାଇନୋକ୍ୟୁଲାରଟିକୁ ନେଇ ଏପାଖ ସେପାଖ କରି ସେ ଦେଖିବାରେ ଲାଗିଲେ । ଆଲମିରାର ଯଥା ସ୍ଥାନରେ ତାହାକୁ ରଖି ସେ ନିର୍ବାକ ହୋଇ ଠିଆ ହେଲେ ।

 

ସେଠାରୁ ପାଦ ଫେରାଇଲା ବେଳକୁ ତାଙ୍କର ମନ ପୁଣି ସେଇ ଛୋଟିଆ ଯନ୍ତ୍ରଟି ଆଡ଼କୁ ଧାବିତ ହେଲା । ସେ କିଛି ସମୟ ସ୍ଥିରହୋଇ ଠିଆହେଲେ ଓ ମନ ଭିତରେ ଚାଲିଥିବା ଦୁଇଟି ପରସ୍ପର ବିରୋଧି ଚିନ୍ତାଧାରାର ସଙ୍ଘର୍ଷ ଲକ୍ଷ୍ୟକଲେ ।

 

ତା’ପରେ ଅବିନାଶବାବୁ ପୁଣି ଆଲମିରାରୁ ବାଇନୋକ୍ୟୁଲାର ଆଣି, ଆଖି ସାମନାରେ ଧରି ସାମନାଘର ବାରଣ୍ଡା ଆଡ଼କୁ ଚାହିଁ ରହିଲେ । ଯଦିଓ ବାରଣ୍ଡାରେ କେହି ନଥିଲେ; ତଥାପି ଉଦ୍‍ବିଗ୍ନତା ଓ ବ୍ୟାକୁଳତାର ସହିତ ସେ ଉକ୍ତ ନାରୀ ମୂର୍ତ୍ତିର ପ୍ରତୀକ୍ଷା କଲେ ।

 

ସନ୍ଧ୍ୟା ପାଞ୍ଚଟା ବେଳକୁ ମଣ୍ଟୁ ସ୍କୁଲରୁ ଫେରିଲା । କ୍ଳାନ୍ତି ଯୋଗୁଁ ସେ ଅବସନ୍ନ ଦେଖାଯାଉଥିଲା । ସେ ଜେଜେ ଜେଜେ ଡାକି ବହିପତ୍ର ଥିବା ବ୍ୟାଗ୍‍ଟିକୁ ଟେବୁଲ ଉପରକୁ ଏକରକମ ଫୋପାଡ଼ି ଦେଇ, ଅବିନାଶ ବାବୁଙ୍କର ବିଛଣା ଉପରେ ନିଜକୁ ଲୋଟାଇ ଦେଲା । ତକିଆଟା ଅଡ଼ୁଆ ଲାଗିବାରୁ, ସେ ତାହାକୁ ଟେକିଦେବା ମାତ୍ରେ ବାଇନୋକ୍ୟୁଲାରଟି ଉପରେ ତା’ର ଦୃଷ୍ଟି ପଡ଼ିଲା ।

 

—‘‘ଆରେ ତୁମେ ଏଇଟାକୁ ପାଇଲ କେଉଁଠୁ ?’’ ମଣ୍ଟୁ ଆଶ୍ଚର୍ଯ୍ୟମିଶା କଣ୍ଠରେ ପ୍ରଶ୍ନକଲା ବୃଦ୍ଧ ଉଦ୍ଦେଶ୍ୟରେ ।

 

—‘‘ତୋ ଆଲମିରାରୁ ।’’

 

—‘‘ତୁମେ ଏଇଟାକୁ କ’ଣ କରୁଛ ?’’ ମଣ୍ଟୁ ପ୍ରଶ୍ନକଲା । ଉତ୍ତର ପାଇଁ ଅପେକ୍ଷା ନ କରି କହିଲା–‘‘ଜାଣିଲ ଜେଜେ, ଗତବର୍ଷ ଅଷ୍ଟ୍ରେଲିଆ ସାଙ୍ଗରେ ଭାରତର ଯେଉଁ କ୍ରିକେଟ୍ ଟେଷ୍ଟ ଏଠାରେ ହୋଇଥିଲା, ତାହା ଦେଖିବା ପାଇଁ ମୁଁ ଏଇଟାକୁ କିଣିଥିଲି ଭାରତର Poor fielding......’’

 

ମଣ୍ଟୁ କଥା ଶେଷକରି ପାରିଲା ନାହିଁ । ମିସେସ୍ ଦାସ ତାକୁ ଖାଇବାପାଇଁ ଡାକିନେଲେ-

 

ଦିନର ଆଲୋକ କ୍ରମଶଃ ଦ୍ରବିଭୂତ ହେଉଥିଲା ଅନ୍ଧକାରରେ । ମଣ୍ଟୁ ଚାଲିଯିବା ପରେ ଅବିନାଶବାବୁ ମଧ୍ୟ ସନ୍ଧ୍ୟା ଭ୍ରମଣରେ ବାହାରି ପଡ଼ିଲେ । ସନ୍ଧ୍ୟା ଭ୍ରମଣ ସେ କ୍ୱଚିତ୍ କରିଥାନ୍ତି; ମାତ୍ର ସେ’ଦିନ ସନ୍ଧ୍ୟାରେ ସାମନାର ଘର ସମ୍ମୁଖରେ ଟିକିଏ ବୁଲାଚଲା କରିବା ପାଇଁ ସେ ଖିୁବ୍ ବ୍ୟସ୍ତ ହୋଇ ପଡ଼ିଲେ ।

 

ସଫା ଧୋତି-ପଞ୍ଜାବୀ ପିନ୍ଧି ଓ ଦର୍ପଣ ଆଗରେ ଠିଆହୋଇ ନିଜକୁ କିଛି ସମୟ ପାଇଁ ଲକ୍ଷ୍ୟ କରିବା ପରେ ଅବିନାଶବାବୁ ରାସ୍ତା ଉପରେ ପାଦ ଦେଲେ । ସାମନାଘର ଆଡ଼କୁ ଚାହିଁ ରାସ୍ତା ଅତିକ୍ରମ କଲାବେଳକୁ ସେ ଦେଖିଲେ ଯେ ଉକ୍ତ ରୂପସୀ ତରୁଣୀଟି ଗେଟ୍ ଖୋଲି ବାହାରକୁ ଆସୁଛି । ଅବିନାଶବାବୁଙ୍କର ପାଦ ଯେ ଖାଲି ସ୍ଥିର ହୋଇଗଲା, ତା’ନୁହେଁ; ତାଙ୍କର ଦୁଇ ଆଖି ତରୁଣୀଟିର ଅନୁପମ ସୁନ୍ଦର ମୁହଁ ଉପରେ ନିବଦ୍ଧ ହୋଇଗଲା । ତା’ର ଦୁଇ ରକ୍ତିମ ଓଠରେ ଯେଉଁ ଅପୂର୍ବ ସ୍ମିତହାସ୍ୟର ମନଲୋଭା କ୍ଷୁଦ୍ର ତରଙ୍ଗଟି ଲାଗି ରହିଥିଲା, ତାହା ତାଙ୍କୁ ଚମତ୍କୃତ କରିଦେଲା-। ପୁରୁଣା, ତଥା କମ୍ ଦାମର ଦଦରା ବାଇନୋକ୍ୟୁଲାର ସାହାଯ୍ୟରେ ଏତେ ସୌନ୍ଦର୍ଯ୍ୟ ତ ତାଙ୍କୁ ପରିସ୍କାର ଭାବରେ ଦେଖା ଯାଉ ନ ଥିଲା ।

 

ଏଭଳି ତରୁଣୀକୁ ଏତେ ପାଖରେ ମନଭରି ଦେଖିବା ତାଙ୍କ ଜୀବନରେ ଏଇ ହେଉଛି ପ୍ରଥମ । ଚାକିରିର ବ୍ୟସ୍ତତା ଭିତରେ ବାନ୍ଧି ହୋଇ ସେ ଯେପରି ଏ ଦିଗପ୍ରତି ଧ୍ୟାନ ଦେବାକୁ ସମୟ ପାଇ ନଥିଲେ ।

 

ଗେଟ୍ ବନ୍ଦ କରୁ କରୁ ତରୁଣୀଟି ଈଷତ୍ ବିରକ୍ତିମିଶା ସ୍ୱରରେ କହିଲା—‘‘ଆରେ, ଆପଣ ଏତେ ଜୋରରେ ଚାଲୁଛନ୍ତି କାହିଁକି ?’’

 

ଅବିନାଶବାବୁ ତତ୍‍କ୍ଷଣାତ ନିଜ ଆଡ଼େ ଚାହିଁଲେ ଏବଂ ଦେଖିଲେ ଯେ ସେ ଆଦୌ ଚାଲୁ ନାହାନ୍ତି । ତେବେ ତରୁଣୀର ସେହି କୋମଳ କଣ୍ଠ ବାୟୁମଣ୍ଡଳଟାକୁ ଝଂକୃତ କରିପକାଇଲା, ଏବଂ ଅବିନାଶବାବୁଙ୍କୁ ସମଗ୍ର ବିଶ୍ୱ ସଙ୍ଗୀତମୟ ଜଣାଗଲା । ସେ ବ୍ୟସ୍ତ ହୋଇ ନିଜ ଚାରି ପାଖକୁ ଚାହିଁଲା ବେଳକୁ ଜଣେ ତରୁଣର ସ୍ୱର ଶୁଣିଲେ—‘‘Come on quick’’ ।

 

ଅବିନାଶବାବୁ ଚାହିଁଲେ ଆଗକୁ । ସକାଳେ ଫିଆଟ ନେଇ ପହଞ୍ଚିଥିବା ସେଇ ଯୁବକ । ସେ ଠିଆହୋଇ ତରୁଣୀକୁ ଅପେକ୍ଷା କରିଛି । ଆହତ ଦୃଷ୍ଟିରେ ସେ ସେଇଠି ଠିଆ ହୋଇ ତରୁଣୀର ଯିବାବାଟକୁ ଚାହିଁ ରହିଲେ । ଅଳ୍ପକ୍ଷଣ ପରେ ସେ ଦୁଇଜଣଙ୍କର ଖିଲି ଖିଲି ହସ ତାଙ୍କ ମନକୁ ବିବ୍ରତ ଓ ହୃଦୟକୁ ଆଘାତ କରିବାକୁ ଲାଗିଲା ।

 

ତା’ପର ଦିନ—

 

ମଣ୍ଟୁ ସ୍କୁଲ ଯିବାପାଇଁ ବାହାରିଲା ବେଳକୁ ଅବିନାଶବାବୁ ପ୍ରଶ୍ନକଲେ—‘‘ଆରେ, ମଣ୍ଟୁ, ତୁ ସେମାନଙ୍କୁ ଚିହ୍ନିନୁ ?’’

 

ମୁଣ୍ଡ କୁଣ୍ଡାଉଥିବା ଅବସ୍ଥାରେ ସେ ଓଲଟା ପଚାରିଲା—‘‘କାହାକୁ ?’’

 

ଅବିନାଶବାବୁ ଉପଲବଧି କଲେ ଯେ, ଯାହାର ଭାବନା ତାଙ୍କର କାର୍ଯ୍ୟହୀନ ସମୟର ଶୁଖିଲା ସ୍ରୋତକୁ ଚବିଶ ଘଣ୍ଟା ହେଲା ପ୍ଳାବିତ କରିଛି, ମଣ୍ଟୁ ତାଙ୍କୁ ଜାଣେନା । ମଣ୍ଟୁର ବ୍ୟବହାରିକ ଜ୍ଞାନ ଖୁବ୍ କମ୍ ବୋଲି ସେ ଅନୁଭବ କଲେ । ତା’ପରେ ବୃଦ୍ଧ ଉଦାର ପ୍ରଶ୍ନ କଲେ—‘‘ହିମାଳୟର ରୁକ୍ଷ କଳେବର ଉପରେ ଆଦ୍ୟ ସୂର୍ଯ୍ୟର କୋମଳ କିରଣପାତ କଥା ତୁ କେବେ ଚିନ୍ତା କରିଛୁ ?’’ ବୋଧହୁଏ ମଣ୍ଟୁ ଏ ପ୍ରକାର ଦର୍ଶନ ସହିତ ନିଜକୁ ଖାପ୍ ଖୁଆଇ ପାରୁନି ବୋଲି ମନେକରି, ସେ କହି ଚାଲିଲେ—‘‘ଗତକାଲି ସାମନା ଘରକୁ କାର୍ ଯୋଗେ କେଇଜଣ ଲୋକ ଆସିଛନ୍ତି । ଏତେ ଜୋରରେ ଅଭଦ୍ରଙ୍କ ଭଳି ହସୁଛନ୍ତି ଯେ, ମୁଁ ଜମା ଶୋଇ ପାରି ନଥିଲି ଦିନଟା ସାରା । ଗୋଟିଏ ଝିଅ ଆସିଛି ଯେ ଖାଲି ଘୋଡ଼ିଙ୍କଭଳି ହସିବାରେ ବ୍ୟସ୍ତ । ଏମିତି ଅଣ୍ଡିରାଚଣ୍ଡି ଟୋକି ମୁଁ ଆଗରୁ ଦେଖି ନଥିଲି ।’’

 

ମଣ୍ଟୁ ଭ୍ରୁକୁଞ୍ଚନ କରି ପଚାରିଲା—‘‘ସତେ ?’’ ତା’ପରେ ସେ କୌଣସି କଥାକୁ ଅପେକ୍ଷା ନ କରି ଝରକା ପାଖକୁ ଗଲା ଓ ସାମନାଘର ବାରଣ୍ଡାକୁ ଚାହିଁଲା । ହଠାତ୍ ଗୋଟାଏ ଗୁରୁତର କଥା ମନେ ପଡ଼ିଲା ଭଳି ସେ ବିଛଣା ଉପରେ ଥୁଆ ହୋଇଥିବା ବାଇନୋକ୍ୟୁଲାରଟି ନେଇ ଧରିଲା ଆଖି ସାମନାରେ । ସେହିଭଳି ଆଗକୁ ଚାହିଁ ପଚାରିଲା—‘‘ଜେଜେ, ବାରଣ୍ଡାରେ ଜଣେ ସ୍ତ୍ରୀଲୋକ ମୁଣ୍ଡ କୁଣ୍ଡାଉଛି । ତାହାରି କଥା ତୁମେ କହୁଛ କି ?

 

ଅବିନାଶବାବୁ ବିରକ୍ତ ହେଲାଭଳି କହିଲେ—‘‘କେଜାଣି ? ମୋର ତ ଆଖି ଖରାପ ଯେ ମୁଁ ଭଲରକମ କିଛି ଦେଖି ପାରୁନି । ଆଉ, କିଏ ମୁଣ୍ଡ କୁଣ୍ଡେଇଲା, କିଏ ଇଜି ଚେୟାର ଉପରେ ବସି ଗୋଡ଼ ହଲେଇଲା, କିଏ ସ୍ଲିଭଲେସ ବ୍ଲାଉଜ ପିନ୍ଧିଲା, ସେ କଥା ଏତେ ଦୂରରୁ ଦେଖିବି କିପରି-?’’

 

ତାଙ୍କୁ ଉତ୍ସାହିତ କଲାଭଳି ମଣ୍ଟୁ କହିଲା—‘‘ତୁମେ ଏଇ ବାଇନୋକ୍ୟୁଲାରଟା ନେଇ ଦେଖ ଜେଜେ । ସବୁ ଜିନିଷ ପାଖରେ ଥିବାଭଳି ଜଣା ପଡ଼ୁଛି ।’’

 

ଆଗ୍ରହହୀନ ସ୍ୱରରେ ସେ ଜବାବ ଦେଲେ—‘‘ଆରେ, ସେସବୁ ଦେଖି ମୁଁ କ’ଣ କରିବି-? ସେଇଟା ରଖିଥା । କ୍ରିକେଟ୍ ଖେଳ ଦେଖିବୁ ।’’

 

ମାତ୍ର ମଣ୍ଟୁ ଅବିନାଶବାବୁଙ୍କ ହାତକୁ ସେଇଟା ବଢ଼ାଇ ଦେଲାବେଳେ ତାହା ହାତରୁ ଖସି ପଡ଼ିଲା ଓ ତା’ର ଅନ୍ୟ ଲେନ୍‍ସଟି ଭାଙ୍ଗି ଚୂନା ହୋଇଗଲା ।

 

ମଣ୍ଟୁର ସ୍କୁଲବେଳ ହୋଇଗଲା ଏତିକିବେଳେ । ବିକାଶବାବୁଙ୍କ କାରର ହର୍ଣ୍ଣ ଶୁଣିବା କ୍ଷଣି, ସେ ଏକା କୁଦାକେ ରୁମରୁ ନିଷ୍କ୍ରାନ୍ତ ହେଲା ।

 

ରୁମ୍‍ର ଶାନ୍ତ ନୀରବ ପରିବେଶ ଭିତରେ ଅବିନାଶବାବୁ ବୋଧକଲେ, ସତେ ଯେପରି ତାଙ୍କର ଆଶାର କାଚଘରଟା ଧ୍ୱଂସ ସ୍ତୁପରେ ପରିଣତ ହୋଇ ଯାଇଛି । ଭାଙ୍ଗି ଯାଇଥିବା ଲେନସର ଟୁକୁରାଗୁଡ଼ିକୁ ସେ ଉଠାଇ ନେଲେ, ମାତ୍ର ବାହରକୁ ଫିଙ୍ଗିଦେବା ପାଇଁ ତାଙ୍କର ମନ ବଳିଲା ନାହିଁ ।

 

ସେ ଆସିଲେ ଝରକା ପାଖକୁ । ସାମନାରେ ସେଇ ଘର, ସେଇ ବାରଣ୍ଡା । ସେ ଚାହିଁ ରହିଲେ । ଅଳ୍ପ ସମୟ ପରେ, ସେ ଘରର ଗେଟ୍ ଟପି ଏକ ଫିଆଟ୍ ବାହାରକୁ ବାହରିଲା ଓ ଅଳ୍ପକ୍ଷଣ ପରେ ତାଙ୍କ ଦୃଷ୍ଟିର ଅନ୍ତରାଳକୁ ଚାଲିଗଲା ।

 

ଅବିନାଶ ବାବୁଙ୍କର ସେଠାରେ ରହିବା କାଳ ଭିତରେ ସେ ଫିଆଟ୍ ପୁନର୍ବାର ସେହି ଘରର ପର୍ଟିକୋ ତଳକୁ ଫେରି ନଥିଲା ।

Image

 

ମଧ୍ୟାହ୍ନର ଛାଇ

 

ତିନିଦିନ ଧରି ଚାଲିଥିବା ଅଧିବେଶନର ଶେଷ ମୁହୂର୍ତ୍ତ ସଂଧ୍ୟା ପାଞ୍ଚଟା ବେଳକୁ ଅତିକ୍ରାନ୍ତ ହୋଇ ମିଶିଗଲା ଅତୀତ ଭିତରେ, ଆମେ ଆମର ବିବର୍ଣ୍ଣ ମୁହଁ ଦେଖିଥିବା ନଈର ପାରଦ-ଆରସି, ତଳକୁ ବହିଯାଇ ସମୁଦ୍ର-ସର୍ବସ୍ୱ ହେଲାଭଳି ।

ଗାର୍ଡନ୍ ପାର୍ଟିର କଫିନ ବୋଲି ପରିଚୟ ଦେଉଥିବା ବିକ୍ଷିପ୍ତ ଶୂନ୍ୟ କପ୍-ପ୍ଲେଟ୍ ଉପରୁ ଏକ ମମତାପୂର୍ଣ୍ଣ ଦୃଷ୍ଟି ବୁଲାଇ ଆଣି ରେବା କପୁର ଅଗ୍ରସର ହେଲେ ଆଗକୁ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଧ୍ୟାପକମାନଙ୍କର ମୃଦୁ ଗୁଞ୍ଜରଣ ଭିତରେ ପ୍ରତ୍ୟାବର୍ତ୍ତନ ପାଇଁ ଅତିଷ୍ଠତା ସ୍ପଷ୍ଟ ହୋଇ ଉଠୁଥିଲା । ଆଲୋକିତ ଅଡ଼ିଟୋରିୟମ୍‍ର ଶୂନ୍ୟତା ଏଠାରୁ ବେଶ୍ ଦେଖାଯାଉଛି । ଏଇ ଥିଲା ଅଧିବେଶନର ପ୍ରାଣକେନ୍ଦ୍ର । ତିନିଦିନ ଧରି ନିରବଛିନ୍ନ ଭାବରେ ସ୍ୱାଗତ କରୁଥିବା ଗେଟ୍‍ଟିର ଆବଶ୍ୟକତା ହଜିଯାଇଛି । ବିଶ୍ୱବିଦ୍ୟାଳୟର କେତେଜଣ ବିଶ୍ୱସ୍ତ କର୍ମଚାରୀ ସେଇଟାକୁ ସ୍ଥାନାନ୍ତରିତ କରିବାରେ ଲାଗିପଡ଼ିଲେଣି ।

କାର୍ଡିଗାନର ବୋତାମ ଲଗାଇବାରେ ବ୍ୟସ୍ତଥାଇ ରେବା କପୁର ଆଗେଇ ଯାଉଥିଲେ ବିଶ୍ରାମ ନେଉଥିବା ବସ୍ ଆଡ଼କୁ ।

ତାଙ୍କୁ ଆଜି ରାତି କଲିକତା ବାଟ ଦେଇ ଦିଲ୍ଲୀ ଫେରିଯିବାକୁ ହେବ । କଲିକତାରେ ଗୋଟିଏ ଦିନ ରହଣି । ଏଠାରୁ ନେଉଥିବା କେତୋଟି ଅତ୍ୟାଧୁନିକ ରୂପା ଗହଣା ଓ ଶାଢ଼ି ସାନ ଭଉଣୀକୁ ଦେବାର କଥା । ଏ ସବୁ ଅନ୍ୟ ପ୍ରଦେଶରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି । କଲିକତାରୁ ରାଜଧାନୀ ଏକ୍‍ସପ୍ରେସ୍ । ଦିଲ୍ଲୀ । କିଛି ଅସୁବିଧା ନାହିଁ । ରିଜର୍ଭେସନ୍ ହୋଇଯାଇଛି ।

—‘ହ୍ୟାଲୋ, ରେବା ।’

 

—‘ହ୍ୟାଲୋ’ ।

 

—‘ମୁଁ କିନ୍ତୁ ଠିକ୍ ମନେରଖିଛି ।’ ଅଧ୍ୟାପକ ଦାସ ସିଗାରେଟକୁ ରାସ୍ତାକଡ଼କୁ ଫୋପାଡ଼ି ଦେଇ ସ୍ମିତ ହସି କହିଲେ । ‘ରାତି ଏଗାରଟା । ୟୁନିଭର୍ସିଟି ଗେଷ୍ଟହାଉସ । ଷ୍ଟେସନ୍‍ ଗ୍ରିନ୍‍ ସିଗନାଲ୍-। ତା’ପରେ ଛକ୍...ଛକ୍...ଛକ୍...ହାଓଡ଼ା । ମୁଁ ନିଶ୍ଚୟ ଆସୁଛି ସି-ଅଫ୍ କରିବା ପାଇଁ ।’ ତାଙ୍କର ହସ ଆହୁରି ପ୍ରସାରିତ ହେଲା ।

 

ରେବା ଜଣେ ପ୍ରଶଂସକର ଦୃଷ୍ଟିରେ ମିଃ ଦାସଙ୍କୁ ଚାହିଁଲେ; କିନ୍ତୁ କହିବା ପାଇଁ ଚେଷ୍ଟା କଲେ । ସେଥିରେ ବିଫଳ ହେବାରୁ ନୀରବରେ ହସିଲେ କେବଳ ।

 

ବସ୍ ଭିତରକୁ ଡେଲିଗେଟମାନେ ପ୍ରବେଶ କରୁଥିଲେ । କେହି କେହି କହୁଥାନ୍ତି–ah-! mr. das, really wonderful ! କିମ୍ୱା mr. das, a successful conference କିମ୍ୱା hats off to your hospitality. ଇତ୍ୟାଦି ।

 

ଅନ୍ୟ କେତେ ଜଣ—Well, Miss Kapoor, you are leaving for Delhi to-night ? କିମ୍ୱା The outward journey will be no less interesting ଇତ୍ୟାଦି ।

 

ଏଠାରୁ ଅଦୂରରେ ଗେଷ୍ଟ-ହାଉସ୍ । ରେବା ସେଠାରେ ଏକୁଟିଆ ରହୁଥିଲେ । ଅନ୍ୟ ଯେଉଁ ଅଧ୍ୟାପିକାମାନେ ଅଧିବଶେନରେ ଯୋଗ ଦେଇଥିଲେ ସେମାନେ ରହୁଥିଲେ ସ୍ୱାମୀମାନଙ୍କ ସହିତ; ଏଠାରୁ ଦୂରରେ ଥିବା ଗୋଟିଏ ହଷ୍ଟେଲରେ । ଦୁଇଟି ବସ୍ ଡେଲିଗେଟମାନଙ୍କୁ ହଷ୍ଟେଲରୁ ୟୁନିଭର୍ସିଟି ଅଡ଼ିଟୋରିୟମ୍ ପର୍ଯ୍ୟନ୍ତ ନେବା ଆଣିବା କରେ ।

 

ବସ୍ ଯୋଗେ ଗେଷ୍ଟ ହାଉସକୁ ଫେରିଯିବା ପାଇଁ ସ୍ଥିର କରିଥିଲେ ହେଁ ରେବା ନିଜର ନିଷ୍ପତ୍ତି ପରିବର୍ତ୍ତନ କଲେ ।

 

ତାଙ୍କୁ କାହିଁକି କେଜାଣି ଭାରି ଅସହାୟ ଲାଗିଲା । ଅଧିବେଶନର କ୍ଷିପ୍ର ଯବନିକା ପତନ ଭିତରେ ନିର୍ମମତା ଓ ଅହେତୁକ କ୍ରୋଧର ଆଭାସ ପାଇ ପାରୁଥିଲେ ସେ । ତାଙ୍କୁ ଜଣାଗଲା ସତେ ଯେମିତି କେବଳ ତାଙ୍କୁ ହିଁ ମାନସିକ ଓ ମନସ୍ତାତ୍ତ୍ୱିକ ସ୍ତରରେ ଦୁର୍ବଳ କରିଦେବା ପାଇଁ ଅଧିବେଶନଟା ଶେଷ ହୋଇଗଲା ଏତେ ଚଞ୍ଚଳ ।

 

ସେ ଡିସ୍ଇଲ୍ୟୁଜନ୍ଡ଼ ହୋଇଛନ୍ତି । ଏଥିରେ ଯୋଗଦେବା ପାଇଁ ଦିଲ୍ଲୀରେ ସେ ନିଜକୁ ପ୍ରସ୍ତୁତ କଲାବେଳକୁ ଏହା ତାଙ୍କୁ ସଂଭାବନାପୂର୍ଣ୍ଣ ଓ ଆମୋଦଦାୟକ ବୋଲି ବୋଧ ହୋଇଥିଲା, ଯଦିଓ ସେ ଉକ୍ତ ସଂଭାବନାର ସଂଜ୍ଞା ସ୍ଥିର କରିପାରି ନ ଥିଲେ ମନ ଭିତରେ । ତଥାପି ପାଞ୍ଚବର୍ଷ ପୂର୍ବେ ଏମ୍. ଏ. ଶ୍ରେଣୀରେ ସହପାଠୀ ଥିବା ଏଇ ମିଃ ଦାସଙ୍କର ପ୍ରତିଛବି ବାରମ୍ୱାର ନାଚି ଉଠିଥିଲା ତାଙ୍କ ସାମନାରେ । ମିଃ ଦାସ ତ ପାଖରେ ଠିଆ ହୋଇଛନ୍ତି, ଅଧିବେଶନ ବି ଶେଷହେଲା । ମାତ୍ର କ’ଣ ଏଠାରୁ ପାଇଲେ ତାହା ଖୋଜି ବାହାର କରିବା ପାଇଁ ଗତ ତିନିଦିନର ଇତିହାସ ପୃଷ୍ଠାକୁ ଓଲଟାଇବାରେ ଲାଗିଲେ ରେବା କପୁର ।

 

ବସ୍ ଦୁଇଟି ଡେଲିଗେଟ୍‍ମାନଙ୍କୁ କୋଳାଗ୍ରତ କରି ବାହାରିଗଲେ । —‘ତୁମେ ଏକୁଟିଆ ରହିଗଲ ରେବା । ସଭିଏଁ ଚାଲିଗଲା ପରେ ତୁମକୁ କ’ଣ ନିର୍ଜନତା ବାଧିବନି ?’ ଦୁଇଜଣଯାକ ଧୀର ପଦକ୍ଷେପ ନେଇ ଆଗେଇଲାବେଳକୁ ମିଃ ଦାସ କହିଲେ ।

 

ଏଇ କଥା ଖୁବ୍ ରହସ୍ୟମୟ ଜଣାଗଲା ରେବାଙ୍କୁ । ଏକ ବେଦନାପ୍ଲୁତ ହସ ହସି ସେ ଉତ୍ତରଦେଲେ—‘ଆଉ ଖରାପ ଲାଗୁନି । ତିନିବର୍ଷ ହେଲା, ଏକୁଟିଆ କିଭଳି ବଞ୍ଚିରହିବାକୁ ହୁଏ, ତାହା ମୁଁ ଅଭ୍ୟାସ କରୁଛି ।’

 

ମୃଦୁ ପ୍ରତିବାଦ କଲେ ମିଃ ଦାସ—‘ମୋତେ ତୁମେ ଭୁଲ ବୁଝିଲ । ପ୍ରକୃତରେ ତୁମର ବ୍ୟକ୍ତିଗତ ଜୀବନର ନିସଙ୍ଗତା କଥା ମୁଁ କହୁ ନ ଥିଲି ।’

 

—‘ଏମ୍. ଏ. ପଢ଼ୁଥିଲାବେଳର କଥା ତୁମର ମନେ ପଡ଼େ ?’ ରେବା କଥାର ମୋଡ଼ ବଦଳାଇଲେ ।

 

—‘ହଁ, ଭାରି । ସବୁବେଳେ ।

 

—‘କ’ଣ ମନେ ପଡ଼େ ?’

 

—‘ବିଶେଷ କରି ତୁମ କଥା ।’ ମିଃ ଦାସଙ୍କ କଣ୍ଠସ୍ୱର ଟିକିଏ ଥରି ଉଠିଥିଲା ।

 

ଆନନ୍ଦର ଶତ ତରଙ୍ଗ ଖେଳିଗଲା ରେବାଙ୍କ ମନ ମଧ୍ୟରେ । ତଥାପି ଅବିଶ୍ୱାସ କଲା ଭଙ୍ଗୀରେ ସେ ଚାହିଁଲେ ମିଃ ଦାସଙ୍କ ଆଡ଼େ ଏବଂ କହିଲେ—‘ମିଛ କଥା । ମୁଁ ଜାଣେ, ମୋ ପ୍ରତି ତୁମର ଆଦୌ ଆଗ୍ରହ ନାହିଁ । ତୁମେ ବେଶ୍ ସୁଖରେ ଅଛ ।’

 

କାହାର ଯାଦୁ ସ୍ପର୍ଶରେ ଅତୀତ ଦିନଗୁଡ଼ାକର ରୁଦ୍ଧ ଫାଟକ ସତେ ଯେମିତି ଖୋଲି ଯାଉଥିଲା । ମିଃ ଦାସ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ୁଥିଲେ । ସେ ବୋଧକଲେ ଦିଲ୍ଲୀର କୌଣସି ନିର୍ଜନ ଫୁଟପାଥ୍ ଉପରେ ସେ ଚାଲୁଛନ୍ତି । ସେଠାକାର ଛାତ୍ର ଜୀବନରେ ବି ଦିବାସ୍ୱପ୍ନକୁ ସେ ଭାରି ଭଲ ପାଉଥିଲେ । ହଷ୍ଟେଲରୁମର ଛାତକୁ ଚାହିଁ ନିଜକୁ ସେ ନେଇ ଯାଉଥିଲେ କନ୍ନଟ୍ ସର୍କସର ଜନଗହଳି ଭିତରକୁ କିମ୍ୱା କୁତବ୍‍ମିନାର ନିକଟକୁ । ସେଠାରେ ସେ ରେବାଙ୍କ ସହିତ ଏକତ୍ର ବୁଲିବାର କଳ୍ପନା ତାଙ୍କୁ ଆନନ୍ଦ ଦେଉଥିଲା ।

 

ଗମ୍ଭୀର ହୋଇ ମିଃ ଦାସ କହିଲେ—‘‘ଆମେ ଦୁହେଁ ସୁଖରେ ରହିବାର ସ୍ୱପ୍ନ ସେତେ‌ବେଳେ ମୋତେ ଉତ୍ତେଜିତ କରି ପକାଉଥିଲା । ତୁମକୁ ଅଛପା ନ ଥିଲା ଏ କଥା । ସେଠାରୁ ଫେରି ତୁମ ସ୍ମୃତିର ପ୍ରଭାବ ଖୁବ୍ ପ୍ରଚଣ୍ଡ ଥିଲା ମୋ ଉପରେ; କିନ୍ତୁ ତୁମର ବିବାହ-ନିମନ୍ତ୍ରଣ ପାଇବା ପରେ ମୁଁ ଦିଲ୍ଲୀକୁ ଭୁଲିବାକୁ ଚେଷ୍ଟା କରୁଛି ।’’

 

ରେବା ଆଉ କିଛି କହିଲେ ନାହିଁ ।

 

ତାଙ୍କୁ ଟିକିଏ ଅଶ୍ୱସ୍ତି ଲାଗୁଥିଲା । ତିନିଦିନ ପୂର୍ବେ ଏଇ ରାସ୍ତା, ଏଇ ଗଛ, ସମଗ୍ର ବିଶ୍ୱବିଦ୍ୟାଳୟ ଯେଭଳି ସମ୍ଭାଷଣ ଜଣାଉଥିଲେ, ବର୍ତ୍ତମାନ ସତେ ଯେମିତି ‘ଯାଅ, ଯାଅ’ ପ୍ରତିଧ୍ୱନିତ ହେଉଛି, ଚାରିଆଡ଼େ । ଟ୍ରେନ୍ ରିଜର୍ଭେସନ ହୋଇ ଯାଇଥିଲେ ମଧ୍ୟ ଏଠାରୁ ଯିବାଟା ଭାରି ସମସ୍ୟାବହୁଳ ଜଣାପଡ଼ୁଛି । କୌଣସି ଏକ ଅଜଣା ଆକର୍ଷଣ ତାଙ୍କୁ ବାନ୍ଧିରଖିବାକୁ ଚେଷ୍ଟାକରୁଛି ଏଠାରେ । ସେ ମିଃ ଦାସଙ୍କୁ ଚାହିଁଲେ—ଥରେ ନୁହେଁ, ବାରମ୍ୱାର । ତାଙ୍କୁ ନିବିଡ଼ ଭାବେ ଆଲିଙ୍ଗନ କରି ମନର ସମସ୍ତ ଦୁର୍ବଳତାକୁ ପରିହାର କରିବାପାଇଁ ମନ ହେଲା, କିନ୍ତୁ ସେ ତାହା କରି ପାରିଲେ ନାହିଁ ।

 

ଗେଷ୍ଟ ହାଉସ୍ ଆଡ଼କୁ ଲମ୍ୱିଯାଇଥିବା ରାସ୍ତାଛାଡ଼ି ସେମାନେ ଆଗକୁ କିଛି ବାଟ ଆଗେଇଯିବା ପରେ ମିଃ ଦାସ ସଚେତନ ହେଲେ—‘ଗେଷ୍ଟ ହାଉସର ରାସ୍ତା ପଛକୁ ରହିଗଲାଣି । ତୁମେ କ’ଣ ଯିବନି ସେଠାକୁ ?’

 

—‘ରାସ୍ତା ହଜାଇ ଅପରିଚିତ ରାସ୍ତା ଚାଲିବାରେ ଆନନ୍ଦ ଅଛି ମିଃ ଦାସ; ଯେପରି ଇଚ୍ଛାକୃତ ଭାବରେ ନିଜକୁ ପ୍ରତାରିତ କରିବାରେ ଆନନ୍ଦ ଥାଏ । ଆତ୍ମପ୍ରତାରଣା ଆମର ନିଜ ନିର୍ମିତ ପୃଥିବୀ, ଯାହାର ନିୟମ କାନୁନ୍ ଏଭଳି ଇଲାଷ୍ଟିକ ଯେ ତୁମେ ସେଠାରେ ସାବଧାନ ହେବାର ଆବଶ୍ୟକତା ଆଦୌ ଅନୁଭବ କରନା । ତୁମର ଇଚ୍ଛାମତେ ସେ ନିୟମ କାନୁନ ତୁମକୁ ସୁହାଇଲାଭଳି ପରିବର୍ତ୍ତିତ ହୁଏ ।’ ରେବା ଉତ୍ତର ଦେଲେ ।

 

‘ଆସ ଆମ ଘରେ କଫି ପିଇବା ।’ ମିଃ ଦାସ ସହଜ ସ୍ୱରରେ ପ୍ରସ୍ତାବ ବାଢ଼ିଲେ ।

 

—‘ତୁମ ଘରେ ଅନେକବାର କଫି ପିଇଲିଣି । ମୁଁ ଜାଣେନା ମିସେସ୍ ଦାସ ଏହାକୁ କିଭଳି ଭାବେ ଗ୍ରହଣ କରୁଥିବେ ।’

 

ମିଃ ଦାସ ହସିଲେ ବେଶ୍ କିଛି ସମୟ ପର୍ଯ୍ୟନ୍ତ । କହିଲେ—‘କିଛି ଭାବିବେ ନାହିଁ ସେ । ଆମ ଦୁହିଁଙ୍କ କଥା ମୁଁ ତାଙ୍କୁ କହିଛି । ମୋ ସ୍ତ୍ରୀ ଖାଲି ପ୍ରୋଗ୍ରେସିଭ୍ ନୁହନ୍ତି; ଟିକିଏ ଅହଙ୍କାରୀ ମଧ୍ୟ । ତାଙ୍କର ଦୃଢ଼ ଧାରଣା ଅଛି ଯେ ସେ ଯେଭଳି ପତିପରାୟଣୀ ଓ ସୁନ୍ଦରୀ, ତାଙ୍କର ସ୍ୱାମୀ କେବେହେଲେ ଅନ୍ୟ ଝିଅର ପାଲରେ ପଡ଼ି ପାରିବେନି ।’

 

ଥଣ୍ଡା ପବନ ସତ୍ତ୍ୱେ ରେବା କପୁର ଝାଳେଇଗଲେ । ମିଃ ଦାସଙ୍କର କଣ୍ଠ ସ୍ୱରର ଦୃଢ଼ତା ଏବଂ ସ୍ତ୍ରୀଙ୍କର ତାଙ୍କ ପ୍ରତି ବିଶ୍ୱାସ ଆଦୌ ଭଲ ଲାଗିଲା ନାହିଁ ତାଙ୍କୁ । ମିଃ ଦାସ ଯଦି କହିଥାନ୍ତେ ଯେ, ରେବା କପୁରଙ୍କର ତାଙ୍କ ସ୍ୱାମୀ ସହିତ ଏ ମିଳାମିଶାକୁ ସେ ସମର୍ଥନ କରନ୍ତି ନାହିଁ, ସେ ଖୁବ୍ ଆତ୍ମ-ସନ୍ତୋଷ ଲାଭ କରିଥାନ୍ତେ । ସେ ନିଜେ ବେଶୀ ପ୍ରୋଗ୍ରେସିଭ୍ ଓ ସୁନ୍ଦରୀ, ନା, ମିସେସ୍ ଦାସ–ଏହି ପ୍ରଶ୍ନ ପଚାରିବାର ଅଦମ୍ୟ ଆଗ୍ରହକୁ ସେ ଖୁବ୍ କଷ୍ଟରେ ଦମନ କଲେ ।

 

କ୍ୱାଟର୍ସରେ ପହଞ୍ଚି ସେମାନେ ଦେଖିଲେ, ମିସେସ୍ ଦାସ ଫ୍ରିଜଟିକୁ ସଫା କରିବାରେ ବ୍ୟସ୍ତ । ଏମାନଙ୍କୁ ଦେଖି ସେ ବାହାରି ଆସିଲେ ସେଠାରୁ । ଡ୍ରଇଂରୁମ୍ । ସେଇ ଏୟାର-କଣ୍ଡିସନର ଓ ଆଭିଜାତ୍ୟର ଶାନ୍ତ ପ୍ରଦର୍ଶନୀ । ରେବା କପୁର ପୁଣି ଥରେ ଚାରିଆଡ଼ୁ କରୁଣ ଦୃଷ୍ଟି ବୁଲାଇ ଆଣିଲେ । ଏ ସବୁ ଯୌତୁକ ରୂପେ ପାଇଥିଲେ ମିଃ ଦାସ ।

 

ତାଙ୍କର ଗମ୍ଭୀର ମୁହଁରେ ଯେଉଁ ରେଖାଗୁଡ଼ାକ ସ୍ପଷ୍ଟ ହୋଇ ଉଠୁଥିଲା ତାହାକୁ ମିଃ ଦାସ ସତର୍କତାର ସହିତ ପର୍ଯ୍ୟାଲୋଚନା କରୁଥିଲେ ଏବଂ ଅତୀତର ରେବା ଓ ବର୍ତ୍ତମାନର ରେବା ମଧ୍ୟରେ ରହିଥିବା ଯନ୍ତ୍ରଣାପୂର୍ଣ୍ଣ ବ୍ୟବଧାନକୁ ମାପିବା ପାଇଁ କୌଣସି ଇଉନିଟ୍ ଖୋଜୁଥିଲେ ।

 

ଅଧିବେଶନରେ ଯୋଗଦେବା ପାଇଁ ଆସୁଥିବା ଡେଲିଗେଟମାନଙ୍କର ଆକୋମୋଡ଼େଶନ୍ ସମ୍ପର୍କରେ ସ୍ଥାନୀୟ ଯେଉଁ କେତେଜଣ ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଥିଲା, ମିଃ ଦାସ ଥିଲେ ଅନ୍ୟତମ । ୟୁନିଭରସିଟି ଗେଷ୍ଟ ହାଉସ୍‍ର ତତ୍ତ୍ୱାବଧାନ ପାଇଁ ଅନୁରୋଧ କରାଯାଇଥିଲା ତାଙ୍କୁ । ସେଠାରେ କେବଳ ଲେଡ଼ି ଡେଲିଗେଟମାନଙ୍କର ରହିବା ପାଇଁ ବନ୍ଦୋବସ୍ତ ହୋଇଥିଲା ।

 

ଅଧିବେଶନ ଆରମ୍ଭ ହେବାର ପୂର୍ବଦିନ ରାତି ନ’ଟାବେଳେ ଜଣେ ଭଲେଣ୍ଟିଅର ତାଙ୍କୁ ଖବର ଦେଲା ଯେ, ସେପର୍ଯ୍ୟନ୍ତ କେବଳ ଜଣେ ମାତ୍ର ଲେଡ଼ି ଡେଲିଗେଟ୍ ଗେଷ୍ଟ ହାଉସରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ତାହା ଦେଖାଇ ଦିଆଯାଇଛି । ମିଃ ଦାସ ତତ୍‍କ୍ଷଣାତ୍ ପହଞ୍ଚି ଗଲେ ସେଠାରେ ।

 

ଦ୍ୱାର ପାଖରେ ଠିଆ ହୋଇ, ଚମଡ଼ା ସୁଟକେଶରୁ କ’ଣ ଖୋଜି ବାହାର କରିବା ପାଇଁ ଚେଷ୍ଟା କରୁଥିବା ନାରୀ ଜଣକ ଆଡ଼େ କିଛି ସମୟ ପର୍ଯ୍ୟନ୍ତ ଚାହିଁବା ପରେ, ମିଃ ଦାସଙ୍କର ବିସ୍ମୟାଭିଭୂତ ମୁହଁ ଉପରେ ଆନନ୍ଦର ଏକ ଢେଉ ଖେଳିଗଲା । ସେଇଠି ଠିଆ ହୋଇ ସେ କହିଲେ—‘Good evening, Mrs. Sachdev.’

 

ରେବା କପୁରଙ୍କର ଚଳଚଞ୍ଚଳ ହାତ ଦୁଇଟି ସ୍ଥାଣୁ ହୋଇଗଲା ହଠାତ୍ । ଭୃକୁଞ୍ଚନ କରି ମିଃ ଦାସଙ୍କୁ କେଇ ମୁହୂର୍ତ୍ତପାଇଁ ଚାହିଁବା ପରେ, ଉଚ୍ଛ୍ୱସିତ ଆନନ୍ଦରେ ସେ ଅଭିବାଦନର ପ୍ରତ୍ୟୁତ୍ତର ଦେଲେ—‘Good evening; କିନ୍ତୁ Mrs. Sachdev ନୁହେଁ; ରେବା କପୁର । ପୁନରାୟ ରେବା କପୁର ।’

 

ମିଃ ଦାସଙ୍କୁ ଜଣାଗଲା, ଗୋଟାଏ କ୍ରସ୍-ଓ୍ୟାର୍ଡ଼-ପଜଲ୍ ସଲ୍‍ଭ କରିବା ପାଇଁ ତାଙ୍କୁ ଆହ୍ୱାନ କରାଯାଉଛି । ସେ ପରାଜୟ ସ୍ୱୀକାର କଲେ—‘ମୁଁ ବୁଝି ପାରିଲି ନାହିଁ ।’

 

—‘ସେ ସବୁ ପରେ । ତେବେ ଏଠାରେ ତୁମକୁ ଦେଖିବି ବୋଲି ମୋର ଇଣ୍ଟିଉସନ୍ ମୋତେ ବାରମ୍ୱାର କହୁଥିଲା । ମୁଁ ଜାଣେନା, ଅଧିବେଶନରେ ଯୋଗଦେବା ପାଇଁ ମୋର ନିଷ୍ପତ୍ତିକୁ ମୁଁ କିଭଳି ଧନ୍ୟବାଦ ଦେବି ।’ ପରମ ଉତ୍ସାହର ସହିତ ଜବାବ ଆସିଲା ।

 

ପାଞ୍ଚବର୍ଷ ପୂର୍ବର ସହପାଠିନୀ ରେବା ଆହୁରି ମାଂସଳ, ଆହୁରି ଗୋଲାପି, ଆହୁରି ସୁନ୍ଦର ଦେଖାଯାଉଛି । ମିଃ ଦାସଙ୍କ ସାମନାରେ ସେ ରହସ୍ୟମୟୀ ଜଣାଯାଉଥିବାରୁ ତାଙ୍କର ଓଠର ଉପକୂଳରେ ଏକ ନିର୍ଲିପ୍ତ ହସ ଅଟକି ରହିଥିଲା ।

 

—‘ତେବେ ମୋର ବିବାହ-ନିମନ୍ତ୍ରଣ ତୁମେ ପାଇଥିଲ; ନ ହେଲେ ମୋତେ ମିସେସ୍ ସଚଦେବ ବୋଲି ଡାକିପାରିଥାନ୍ତ କିପରି ? ମାତ୍ର ତୁମେ ତ ଚିଠିପତ୍ର ବନ୍ଦ କରିଦେଲ ତା’ପରେ ?’ ରେବାଙ୍କ କଣ୍ଠରେ କିଛି ଅଭିଯୋଗ, କିଛି ଅଭିମାନ ।

 

—‘କାରଣ ତୁମର ସେଇ କାର୍ଡ଼ଟା ମୁଁ ପାଇଲି ବୋଲି, ମୁଁ ଚାହୁଁଥିଲି... ।’ ମିଃ ଦାସ ନିଜର କଥା ଶେଷ କରି ପାରିଲେ ନାହିଁ । ତାଙ୍କୁ ଜଣାଗଲା, ସେ ଅତିମାତ୍ରାରେ ନିର୍ବୋଧ, ଅକାରଣରେ ମାଇଚିଆ ହୋଇ ପଡ଼ୁଛନ୍ତି । କଥାର ଗତି ପରିବର୍ତ୍ତନ ପାଇଁ ସେ ଅନ୍ୟ ପ୍ରଶ୍ନର ଆଶ୍ରୟ ନେଲେ—‘ମିଃ ସଚଦେବ ଭଲଅଛନ୍ତି ?’

 

—‘ମୁଁ ଜାଣେନି ।’ ଆଗ୍ରହହୀନ ସ୍ୱରରେ ସେ ଜବାବ ଦେଲେ ପାନିଆରେ ଦୀର୍ଘ କେଶ କୁଣ୍ଡାଉଥିବା ଅବସ୍ଥାରେ । ‘ମୁଁ ତାଙ୍କ ଖବର ରଖିନି । ତେବେ ସେ ବର୍ତ୍ତମାନ ବୋଧହୁଏ ମଂଟ୍ରିଲରେ ଏବଂ ଜଣେ କାନାଡ଼ିଆନ୍ । ତିନିବର୍ଷ ପୂର୍ବେ ମୋତେ ସେ ଡାଇଭର୍ସ କରିଛନ୍ତି ।’

 

ମିଃ ଦାସଙ୍କ ଦେହ ଭିତରେ ତରଳ ଲାଭାର ପ୍ରବାହ ଯେପରି ବହିବାରେ ଲାଗିଲା । ତାଙ୍କର କାନମୁଣ୍ଡ ଗରମ ହୋଇଗଲା, ତଣ୍ଟି ଶୁଖିଗଲା ।

 

ସେ କିଛି କହିବା ପୂର୍ବରୁ ରେବା ପୁଣି କହି ଚାଲିଲେ—‘ମୋ କଥା ତ ଶୁଣିଲ । ଗୋଟିଏ ବର୍ଷର ସ୍ତ୍ରୀତ୍ୱ । କପୁରରୁ ସଚଦେବ ଓ ପୁଣି କପୁର । ପଶ୍ଚାତ୍ ଗତି, ଆମ ସଭ୍ୟତା ଭଳି, ତେଣୁ ଆଦୌ ବିସ୍ମୟକର ନୁହେଁ । ଏବେ ତୁମ କଥା । କ’ଣ ଖବର ? ଏଇ ୟୁନିଭର୍ସିଟିରେ ଅଛି ନିଶ୍ଚୟ ।’

 

ମିଃ ଦାସ ହଠାତ୍ କହି ପକାଇଲେ—‘ମୁଁ ଏବେ ଗୋଟିଏ ସନ୍ତାନର ଜନକ ।’ ଉତ୍ତରଟା ଏତେ ଖାପଛଡ଼ା ଥିଲା ଯେ ସେ ନିଜେ ଭୀଷଣ ଭାବରେ ସଙ୍କୁଚିତ ଓ ଅପ୍ରତିଭ ହୋଇ ପଡ଼ିଲେ । ରେବାଙ୍କ ଆଡ଼କୁ ଚାହିଁ ନ ପାରି ଏତେତେଣେ ଚାହିଁବାବେଳକୁ ତାଙ୍କୁ ଶୁଭିଲା–‘କଂଗ୍ରାଚୁଲେସନସ, ବେଷ୍ଟ୍ ଉଇସେସ୍ ।’

 

ରେବା ଧନ୍ୟବାଦ ଦେଲେ ମନେ ମନେ । କାରଣ ମିଃ ଦାସଙ୍କ ଲକ୍ଷ୍ୟରେ ତାଙ୍କର ପିତୃତ୍ୱ ରେବାଙ୍କ ମୁହଁକୁ ବେଶ୍ ପାଣ୍ଡୁର ଓ କରୁଣ କରି ପକାଇଥିଲା ।

 

ରାତି ସାତଟା ପଇଁତ୍ରିଶ୍ ।

 

ରେବା କପୁର ଚାବି ଖୋଲି ଗେଷ୍ଟ ହାଉସ୍ ଭିତରେ ପଶିଲେ ଏବଂ ଦୁଇ ଗାଲକୁ ହାତ ପାପୁଲିରେ ଜାକି ଧରି ରୁମ୍ ଭିତରେ ଇତସ୍ତତଃ ପଦଚାରଣ କଲେ ।

 

କିଛି ସମୟ ପରେ ସେ ଚଞ୍ଚଳ ହୋଇ ଉଠିଲେ । ରାତି ଏଗାରଟାବେଳକୁ ଟ୍ରେନ୍ । ତାଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ । କିନ୍ତୁ ହଠାତ୍ ସେ ପୁଣି ଅବଶ ବୋଧ କଲେ ଫେରିଯିବା କଥା ଚିନ୍ତା କରିବାକ୍ଷଣି । ମିଃ ଦାସ, ତାଙ୍କର ପତ୍ନୀ ଓ ଛୋଟ ପୁଅ କଥା ବାରମ୍ୱାର ମନେ ପଡ଼ିଲା । ପାଞ୍ଚ ବର୍ଷ ପୂର୍ବର ମିଃ ଦାସ ଓ ବର୍ତ୍ତମାନର ମିଃ ଦାସଙ୍କ ମଧ୍ୟରେ ରହିଥିବା ଗୌରବମୟ ବ୍ୟବଧାନକୁ ମାପିବା ପାଇଁ ଚେଷ୍ଟା କଲେ ସେ ।

 

ଏମ୍. ଏ. ର ପ୍ରଥମ ବର୍ଷର ରେବା କପୁରଙ୍କ ମନରେ ପ୍ରବଳ କୌତୁହଳ ଜାତ କରିପାରିଥିଲେ ମି: ଦାସ । କେବଳ କୌତୁହଳ; ପ୍ରେମ ନୁହେଁ; ଦୁର୍ବଳତା ବି ନୁହେଁ । ସେ ଲକ୍ଷ୍ୟ କରୁଥିଲେ, ତାଙ୍କର ଗତିବିଧି, ବ୍ୟବହାର ତଥା ରୂପକୁ ଅନ୍ୟ ପ୍ରଦେଶରୁ ଆସିଥିବା ଏକ ଲଜ୍ଜାଶୀଳ, ସୌମ୍ୟ ଯୁବକ ସତୃଷ୍ଣ ଦୃଷ୍ଟିରେ ଆବେଗର ସହିତ ଅନୁଧ୍ୟାନ କରୁଛି । ସେ ମନକୁ ମନ ହସୁଥିଲେ ଏବଂ କହୁଥିଲେ—‘ଆହା, ବିଚରା !’

 

ଦିନେ ସିନେମା ହଲରେ ଭାରି ମଜା ଘଟଣାଟିଏ ଘଟିଲା । ସେ ଓ ଜଣେ ବାନ୍ଧବୀ ଆବିଷ୍କାର କଲେ ଯେ, ପାଖ ସିଟଟି ଅଧିକାର କରିଛନ୍ତି ମିଃ ଦାସ । ଇଣ୍ଟରଭାଲ ହେଲା । ମିଃ ଦାସ ବାହାରକୁ ଗଲେ । ପୁଣି ସିନେମା ଚାଲିବା ସତ୍ତ୍ୱେ ସେ ନ ଫେରିବାରୁ ରେବା ଉତ୍କଣ୍ଠିତ ହୋଇ ବାରମ୍ୱାର ଏକଜିଟ୍ ଆଡ଼କୁ ଚାହୁଁଥାନ୍ତି । ପ୍ରାୟ ଦଶ ମିନିଟ୍ ପରେ ମିଃ ଦାସ ଅବଶ୍ୟ ଫେରିଲେ । ସିନେମା ଶେଷ ହେଲା । ଆଲୋକିତ ହଲରେ ରେବା ଏକ ବିସ୍ମୟକର ପରିବର୍ତ୍ତନ ଲକ୍ଷ୍ୟ କଲେ ମିଃ ଦାସଙ୍କ ମୁହଁରେ । ସିନେମା ଆରମ୍ଭ ହେବା ପୂର୍ବରୁ ତାଙ୍କ ଦାଢ଼ିଆ ମୁହଁ ଏବେ ଚିକ୍‍କଣ ହୋଇଯାଇଛି । ରେବା ହସିଲେ ମନକୁ ମନ । ଇଣ୍ଟରଭାଲରେ ତା’ହେଲେ ଏଇଥିପାଇଁ ସେ ବାହାରେ ଏତେ ସମୟ ଅଟକି ଯାଇଥିଲେ ! ଆହା, ବିଚରା ! ସେ ସହାନୁଭୂତିଶୀଳ ହୋଇପଡ଼ିଲେ ଓ ସେଇଦିନ ପ୍ରଥମ କରି କଥାବାର୍ତ୍ତା ଆରମ୍ଭ କଲେ ମିଃ ଦାସଙ୍କ ସହିତ ।

 

ଏମ୍. ଏ. ପରୀକ୍ଷା ଶେଷ ବେଳକୁ ସେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ଯଥେଷ୍ଟ ବୃଦ୍ଧି ପାଇଥିଲେ ହେଁ ମିଃ ଦାସଙ୍କୁ ବିବାହ କରିବା କଥା ଚିନ୍ତା ବି କରି ନ ଥିଲେ ରେବା କପୁର । ତାଙ୍କ ଦୃଷ୍ଟିରେ ସେ ଥିଲେ ମେଧାବୀ, ସୌମ୍ୟ, ମାତ୍ର ତାଙ୍କଠାରେ ପୁରୁଷତ୍ୱର ଘୋର ଅଭାବ ବୋଲି ନିଃସନ୍ଦେହ ଥିଲେ ସେ । ପୁରୁଷର ପୌରୁଷ ଅଭାବ ଥିଲେ ଝିଅଠାରୁ ସେ ସହାନୁଭୂତି ଓ ଦୟା ପାଇପାରେ, ପ୍ରେମ ନୁହେଁ । ବିବାହ ତ ଦୂରର କଥା ।

 

ସୁଟକେଶଟିକୁ ସଜାଡ଼ୁ ସଜାଡ଼ୁ ରେବା କପୁର ଅଟକି ଗଲେ । ତାଙ୍କରି କଣ୍ଠ ବାଷ୍ପାକୁଳ ହୋଇ ପଡ଼ିଲା । ସେ’ ଦିନର ମିଃ ଦାସ ଓ ଆଜିର ! ! ! ଏବେ ସେ ନିଜେ ତାଙ୍କ ନିକଟରେ ସହାନୁଭୂତିର ପାତ୍ର ହୋଇ ପଡ଼ିଛନ୍ତି ।

 

ଅଧିବେଶନ ଶେଷ ହୋଇଛି । ଏବେ ଫେରିବାକୁ ହେବ । କୌଣସି ବାହାନା ଦେଖାଇ ଏଠାରେ ରହିବା ସମ୍ଭବ ନୁହେଁ, କିଛି ଲାଭ ନାହିଁ । ଆଜି ସେ ମିଃ ଦାସଙ୍କ ଛୋଟ ପୁଅକୁ ଗେଲ କରି ଆସିଛନ୍ତି ।

 

ଆଉ କିଛି କାମ ନାହିଁ । ଭଉଣୀ ପାଇଁ ଯେଉଁ ଜିନିଷ କିଣିବାକୁ ସେ ଚାହୁଁଥିଲେ ତାହା କିଣାଯାଇଛି । ଅଧିବେଶନର ଦ୍ୱିତୀୟ ଦିନରେ ସେ ମିଃ ଦାସଙ୍କୁ କହିଥିଲେ ଏଥିପାଇଁ । ସଂଧ୍ୟାରେ ସେମିନାର ଥାଏ, ଭେରାଇଟ୍ ସୋ ମଧ୍ୟ । ତଥାପି ପ୍ରବଳ ଆଗ୍ରହର ସହିତ ଜିନିଷ କିଣିବାରେ ସାହାଯ୍ୟ କରିବା ପାଇଁ ମିଃ ଦାସ ସମ୍ମତି ଦେଇଥିଲେ ।

 

ମିଃ ଦାସଙ୍କ ସଙ୍ଗେ ଦେହକୁ ଦେହ ବଜାଇ ଫୁଟପାଥ୍ ଉପରେ ଚାଲିଲା ବେଳକୁ ଏକ ବିଚିତ୍ର ଶିହରଣ ଖେଳିଯାଉଥିଲା ତାଙ୍କର ସମଗ୍ର ଶରୀର ଉପରେ । ରାତି ଏଗାରଟା ବେଳକୁ ସବୁ କାମ ଶେଷ ହେଲା । ଟ୍ୟାକସି ପଛ ସିଟରେ ମିଃ ଦାସଙ୍କ ଉପରେ ପ୍ରାୟ ଆଉଜି ବସି ସେ ସଂଧ୍ୟାର ଅନୁଭୂତିକୁ ରୋମନ୍ଥନ କରିବା ପାଇଁ ତାଙ୍କୁ ଭାରି ଭଲ ଲାଗୁଥିଲା ।

 

ସବୁ କାମ ସରିଛି । ଏବେ ଜିନିଷ ସଜାଡ଼ିବା କଥା । ରାତି ଏଗାରଟାରେ ଟ୍ରେନ୍ । ସୁଟକେଶ୍ ବନ୍ଦ କରି ଚାବି ପକାଇଲାବେଳକୁ ରେବା କପୁର ଅଟକି ଗଲେ । କେତୋଟି ଅସ୍ଥିର ମୁହୂର୍ତ୍ତ, ଏକ ମାନସିକ ସଂଘର୍ଷ । ତାପରେ ପୁନରାୟ ସୁଟକେଶ୍ ଖୋଲା ହେଲା । ଭଉଣୀ ପାଇଁ ନେଉଥିବା ଶାଢ଼ି ଓ ଗହଣା ବ୍ୟତୀତ ନିଜ ତରଫରୁ କିଣିଥିବା ସିନ୍ଦୁର ଫରୁଆକୁ ଦୁଇ ହାତରେ ଧରି କିଛି ସମୟ ପାଇଁ ମମତାଭରା ଦୃଷ୍ଟିରେ ଚାହିଁବା ପରେ ସେଗୁଡ଼ିକୁ ଛାତିରେ ଜାକି ଧରିଲେ ଓ ତାଙ୍କ ଆଖିରୁ ଦୁଇ ଧାର ଲୁହ ଗାଲ ଉପରେ ଦେଇ ଝରି ଆସିଲା ନୀରବରେ ।

 

ଖାଲି ମିଃ ଦାସ ନୁହେଁ, ନିଜ ସାନଭଉଣୀ ପ୍ରତି ସେ ଈର୍ଷାନ୍ୱିତ ହୋଇ ପଡ଼ିଲେ । ତାଙ୍କୁ ଜଣାଗଲା ସେ ଏକୁଟିଆ ନିଃସ୍ୱ । ତାଙ୍କର ଭବିଷ୍ୟତ ତାଙ୍କୁ ଭଲ ଭାବରେ ଜଣା । ସେ ଏବେ କରିବେ କ’ଣ ? କିଭଳି ବଞ୍ଚିବେ ? କାହିଁକି ବଞ୍ଚିବେ ?

 

କଲେଜକୁ ଫେରିବା ପାଇଁ ଆଗ୍ରହ ନାହିଁ, କାରଣ ତାଙ୍କ ଫେରିବା ବାଟକୁ କେହି ଜଣେ ତ ଉତ୍କଣ୍ଠିତ ହୋଇ ଅପେକ୍ଷା କରୁନି । ଯେଉଁ ଜୀବନ ଉପରେ ଏତେ ବଡ଼ ପୃଥିବୀର କୌଣସି ଲୋକର ଦାବୀ ନାହିଁ, ସେ ଜୀବନ ଏକ ହାହାକାର ବ୍ୟତୀତ ଆଉ କ’ଣ ହୋଇପାରେ ? ସେ ଏବେ କରିବେ କ’ଣ ?

 

ଦରଜାରେ ଠକ୍...ଠକ୍...ଶବ୍ଦ ଶୁଣି ସେ ନିଜ ଭିତରକୁ ଫେରି ଆସିଲେ । ସେ ଆବିଷ୍କାର କଲେ ଯେ ବଡ଼ ଦର୍ପଣ ସାମନାରେ ସେ ଠିଆ ହୋଇଛନ୍ତି ଓ ଭଉଣୀ ପାଇଁ କିଣିଥିବା ଗହଣା, ଶାଢ଼ି ଓ ସିନ୍ଦୂର ନାଇ ଅପୂର୍ବ ଦେଖାଯାଉଛନ୍ତି । ସେ ସ୍ଥିର କରି ପାରିଲେନି କ’ଣ ସେ କରିବେ । ଦରଜାର ଠକ୍...ଠକ୍...ଶବ୍ଦ ସହିତ ମିଃ ଦାସଙ୍କ ଚାପା କଣ୍ଠସ୍ୱର ଶୁଭୁଛି—ରେବା, ରେବା...

 

ରେବା କପୁର ଦରଜା ଖୋଲିଲେ । ଭିତରକୁ ପଶି କିଛି କହିବା ଆଗରୁ ରେବା କପୁରଙ୍କ ପରିଧାନକୁ ମିଃ ଦାସ ଚାହିଁଲେ ଆଶ୍ଚର୍ଯ୍ୟନ୍ୱିତ ହୋଇ ଓ ଭ୍ରୂକୁଞ୍ଚନ କରି । ସେ ଖାଲି ଚାହିଁ ରହିଲେ ।

 

—‘ମୁଁ କିମିତି ଦିଶୁଛି କହିଲ ?’ ରେବାଙ୍କ ପ୍ରଶ୍ନ ।

 

ମିଃ ଦାସଙ୍କର ଓଠ ଅସ୍ଥିର ଭାବରେ କମ୍ପି ଉଠିଲା । ନିଜକୁ ସହଜ କରିବା ପାଇଁ ବୃଥା ଚେଷ୍ଟା କରି କମ୍ପିତ କଣ୍ଠରେ ନିମ୍ନ ସ୍ୱରରେ କହିଲେ—‘ରାତି ସାଢ଼େ ଦଶଟା ହେଲାଣି । କିଛି ଜିନିଷ ତ ସଜଡ଼ା ହୋଇନି । ଆଜି ଯିବ କିପରି ?’ — ‘ମୁଁ କିମିତି ଦିଶୁଛି କହିଲ ? ତୁମ ପ୍ରଶ୍ନର ଉତ୍ତର ଆସନ୍ତା କାଲି ପାଇବ । ବର୍ତ୍ତମାନ କୁହ, ମୁଁ କିମିତି ଦିଶୁଛି ।’

 

ମିଃ ଦାସଙ୍କ ଓଠରେ ସ୍ମିତ ହସ ଖେଳିଗଲା । ଆଗ୍ରହର ସହିତ ସେ ପଚାରିଲେ–‘ତେବେ ଆସନ୍ତା କାଲି ଯିବ ?’

 

ମିଃ ଦାସଙ୍କ ଅତି ନିକଟକୁ ଯାଇ ତାଙ୍କର ଦୁଇ ହାତକୁ ଖୁବ୍ ଜୋରରେ ହଲାଇଦେଲେ ରେବା କପୁର । ତାଙ୍କର ଦୁଇ ଆଖି ଉପରେ ତନ୍ଦ୍ରା ଛାଇ ହୋଇଯାଉଥିଲା । କପାଳ ଝାଳେଇ ଗଲା । ନାକପୁଡ଼ା କମ୍ପୁଥିଲା । ସେଇ ପୁରୁଣା ପ୍ରଶ୍ନ—‘ମୁଁ କିମିତି ଦିଶୁଛି, କହିଲ ?’ —ସ୍ପଷ୍ଟ ଭାବରେ ଶୁଣି ପାରିଲେ ନାହିଁ ମିଃ ଦାସ । ରେବା କପୁର ବି ଜାଣି ପାରିଲେ ନାହିଁ ଯେ ସେ ଏଇ ପ୍ରଶ୍ନଟି ପୁଣି ପଚାରିଲେ ।

 

ହଠାତ୍ ମିଃ ଦାସ ଓ ରେବା କପୁର ପରସ୍ପରକୁ ନିବିଡ଼ ଭାବରେ ଆଲିଙ୍ଗନ କଲେ । ସେ ଆଲିଙ୍ଗନ ଏଭଳି ସୁଦୁଢ଼ ଥିଲା ଯେ ରେବା କପୁର ନିଜର ସତ୍ତା ହରାଇ ବସିଲେ ଓ ତାଙ୍କର ସମସ୍ତ ଚେତନା ଦେହାତୀତ ହୋଇ ଏକ ମୁହୂର୍ତ୍ତର ପ୍ରତିଜ୍ଞା ଓ ବିଶ୍ୱାସ ମଧ୍ୟରେ ଆତ୍ମସମର୍ପଣ କରିଥିଲା । ମୁହୂର୍ତ୍ତେ ମାତ୍ର । ତା’ପରେ ମିଃ ଦାସ ଝଡ଼ ବେଗରେ ବାହାରିଗଲେ ସେଠାରୁ । ଉକ୍ତ ପ୍ରତିଜ୍ଞା ଓ ବିଶ୍ୱାସର ମୁହୂର୍ତ୍ତ ଅନ୍ତର୍ହିତ ହୋଇଗଲା ଏବଂ ରେବା କପୁର ନିଶ୍ଚିତ ହେଲେ ଯେ ଆତ୍ମପ୍ରତାରଣାର ଏକ ବିକୃତ ସତ୍ୟ ଅପସରି ଗଲା ।

 

ସେ ଚୌକି ଉପରେ ବସି ଆଙ୍ଗୁଳିଗୁଡ଼ିକୁ ଓଠ ଉପରେ ବୁଲାଇ ଆଣିଲେ । ସେ ଦୁଇଟି ଏବେ ବି ଉଷ୍ମ ଅଛି । ତାଙ୍କୁ ଯଥେଷ୍ଟ ଉଶ୍ୱାସ ଲାଗିଲା । ସେ ଖିଲି ଖିଲି ହୋଇ ଏକ କରୁଣ ହସ ହସିଲେ । ପର ମୁହୂର୍ତ୍ତରେ ତାଙ୍କ ଦୁଇ ଆଖିରୁ ଲୁହ ଝରି ଆସିଲା ।

 

ରାତି ତିନିଟା—

 

ମିଃ ଦାସଙ୍କ ନିଦ ପୁଣି ଭାଙ୍ଗିଗଲା । ତାଙ୍କର ନିଃଶ୍ୱାସ ସତେ ଯେମିତି ବନ୍ଦ ହୋଇ ଆସୁଛି । ସେ ନିଶ୍ଚଳ ହୋଇ ପଡ଼ି ରହିଲେ ବିଛଣା ଉପରେ । ଜିରୋ ୱାଟର ବଲବଟା ବିଶ୍ୱସ୍ତ ଭୃତ୍ୟ ପରି ଅନ୍ଧକାର ବିରୁଦ୍ଧରେ କ୍ଷୀଣଶକ୍ତି ନେଇ ସଂଗ୍ରାମ ଚାଲୁ ରଖିଛି । ସେ କଡ଼ ଲେଉଟାଇଲେ । ପାଖରେ ସ୍ତ୍ରୀ ଶୋଇ ଯାଇଛନ୍ତି ନିଶ୍ଚିନ୍ତ ହୋଇ । ଏଥର ସେ ଶୋଇବାକୁ ଚେଷ୍ଟା କଲେ । ମାତ୍ର ହୃତସ୍ପନ୍ଦନ ଏଭଳି ବଢ଼ି ଯାଇଥାଏ ଯେ ତାଙ୍କର ଭୟ ହେଲା ହୁଏତ ସ୍ତ୍ରୀଙ୍କର ସେଥିରେ ନିଦ୍ରା ଭଗ୍ନ ହୋଇ ଯାଇପାରେ । ସେ ସମ୍ମୋହିତ ହୋଇ ଉଠିପଡ଼ିଲେ ବିଛଣା ଉପରୁ ।

 

ଚାରିଆଡ଼ୁ ସତର୍କ ଦୃଷ୍ଟି ବୁଲାଇ ଆଣି ମିଃ ଦାସ ଗେଷ୍ଟ ହାଉସ ବାରଣ୍ଡା ଉପରକୁ ଉଠିଲେ । କବାଟରେ କରାଘାତ କରିବା ପୂର୍ବରୁ ତହିଁରେ ଝୁଲୁଥିବା ତାଲା ଓ ଖଣ୍ଡିଏ ଧଳା କାଗଜ ତାଙ୍କର ଦୃଷ୍ଟି ଆକର୍ଷଣ କଲା । କାଗଜ ଖଣ୍ଡିକୁ କମ୍ପିତ ହାତରେ ଉଠାଇ ଆଣି ସେ ସେ ଲ୍ୟାମ୍ପ ପୋଷ୍ଟ ତଳକୁ ଚାଲିଗଲେ ।

 

କେବଳ ଗୋଟିଏ ବାକ୍ୟ ଲେଖା ଥିଲା ତହିଁରେ—‘‘ମୁଁ ରାତି ଦୁଇଟା ସମୟର ଗାଡ଼ି ଯୋଗେ ଚାଲି ଯାଉଛି ।’’

Image

 

Unknown

ତ୍ରିଶଙ୍କୁ

 

ଅପରାହ୍ନ ଦୁଇଟା ବେଳକୁ ବର୍ଷା ଛାଡ଼ିଲା । ପବନ ଶାନ୍ତ ହେଲା । ମାତ୍ର ଆକାଶ ଏମିତି ଦେଖା ଯାଉଥିଲା ଯେ, ଯେ କୌଣସି ମୁହୂର୍ତ୍ତରେ ବର୍ଷା ହେବାର ସମ୍ଭାବନାକୁ ଆଦୌ ଅସ୍ୱୀକାର କରି ହେବ ନାହିଁ । ଏଭଳି ପାଗରେ, ଦୀର୍ଘ ଚାଳିଶ କିଲୋମିଟର ବସ୍ ଯୋଗେ ଯାତ୍ରାକରି ପୁଣି ଦୁଇ କିଲୋମିଟରର ହିଡ଼ ରାସ୍ତା ଅତିକ୍ରମ କରି ଗାଁରେ ପହଞ୍ଚିବା କଥା ଚିନ୍ତା କରିବାକ୍ଷଣି ମନର ଉତ୍ସାହ କମିଗଲା । ଅଫିସ୍ ଛୁଟି ହେବ ଚାରିଟା ବେଳେ । ଦିନର ଶେଷ ବସ୍‍ ବାହାରିବ ପାଞ୍ଚଟା ବେଳକୁ । ଗାଁରେ ପହଞ୍ଚିଲା ବେଳକୁ ରାତି ନ’ଟାରୁ ଅଧିକ ହୋଇ ଯାଇଥିବ ।

ଏଠାରୁ ବସରେ ବସି ନିର୍ଦ୍ଦିଷ୍ଟ ସ୍ଥାନରେ ଓହ୍ଲାଇ ପଡ଼ିବାଟା ସମସ୍ୟା ନୁହେଁ । ମାତ୍ର ସେଠାରୁ ଅନ୍ଧାର ରାତିରେ କାଦୁଅ ସରସର ଅଣଓସାରିଆ ହିଡ଼ ଗଡ଼ି ରାସ୍ତା ଆମେ ଅତିକ୍ରମ କରିବୁ କିପରି ? ସାଙ୍ଗରେ ପୁଣି ତିନି ତିନିଟା ଛୁଆ । ଅନ୍ଧକାର ଏମିତି ଏକ ଦର୍ପଣ ଯେ, ତା’ ଭିତରେ ଯାବତୀୟ ଭୟ ଓ ଆଶଙ୍କା ପ୍ରତିଫଳିତ ହୋଇ ମନକୁ ଜଡ଼ସଡ଼ କରି ପକାଏ । ମଣିଷ କେତେ ଅସହାୟ ଓ ଭୀରୁ, ତାହା ଅନ୍ଧକାରହିଁ ପ୍ରମାଣ କରିଦିଏ ।

ଅଫିସରେ ବସି ଫାଇଲର ପୃଷ୍ଠା ଓଲଟାଇବା ବେଳେ, ଘରକୁ ଯିବା ସମସ୍ୟା ମୋତେ ଅସ୍ଥିର କରି ପକାଇଲା । ମୋତେ ଲାଗୁଥିଲା, ହିଡ଼ ଉପରେ ଯାଉଥିବାବେଳେ ବଡ଼ ପୁଅଟା ବେଉସଣ ସରିଥିବା ବିଲ ଭିତରେ ପଡ଼ିଯାଇ କାଦୁଅରେ ଜୁଡ଼ୁବୁଡ଼ୁ ହୋଇ ଯାଇଛି, କିମ୍ୱା ଆରତୀକୁ ଗୋଟାଏ ବିଶାଳ କଙ୍କଡ଼ା ବିଛା ଦଂଶନ କରିଛି, କିମ୍ୱା କିଆ ଗୋହିରୀ ଭିତରେ ଦଳେ ବିଲୁଆ ରାତିର ନିସ୍ତବ୍‍ଧତା ଭଙ୍ଗ କରି ପରିବେଶଟାକୁ ଆହୁରି ଭୟାବହ କରି ପକାଉଛନ୍ତି ।

ଘରକୁ ଯିବା ଯୋଜନା ବାତିଲ କରିଦେଲେ କିମିତ ହୁଅନ୍ତା ? ଅବଶ୍ୟ ଘରକୁ ଯିବା ସମ୍ପର୍କରେ ଦୁଇ ଦିନ ପୂର୍ବରୁ ବାପାଙ୍କ ପାଖକୁ ଚିଠି ଲେଖିଛି । ଚିଠି ଯଦି ତାଙ୍କର ହସ୍ତଗତ ହୋଇଥିବ, ତେବେ ଦୁଇ ତିନିଜଣ ମୂଲିଆ ଠେଙ୍ଗା, ଲଣ୍ଠନ ଓ ଟର୍ଚ୍ଚଲାଇଟ୍ ଧରି ବସଷ୍ଟାଣ୍ଡରେ ଆମକୁ ନିଶ୍ଚୟ ଅପେକ୍ଷା କରିଥିବେ, ମାତ୍ର ଚିଠି ନ ପହଞ୍ଚିଥିଲେ ଆମ୍ଭମାନଙ୍କର ଅବସ୍ଥା କ’ଣ ହେବ-? ଏମିତି ଅନେକଥର ହୋଇଛି ଯେ, ମୋ ଚିଠି ଘରେ ପହଞ୍ଚି ନାହିଁ । ଆମ ଗାଁ ନାମରେ ଆଉ ଏକ ଗାଁ ଅଛି । ବେଳେ ବେଳେ ଆମ ଗାଁ ଚିଠି ସେ ଗାଁରେ, ସେ ଗାଁର ଚିଠି ଆମ ଗାଁରେ ଆସି ପହଞ୍ଚି ଯାଏ । ପୃଥିବୀଟା ଏମିତି ଗଣ୍ଡଗୋଳିଆ ଆଉ ବିଶୃଙ୍ଖଳ ହୋଇ ଯାଇଛି ଯେ, ଏ କଥାଟାକୁ ଆକସ୍ମିକ କିମ୍ୱା ଅସ୍ୱାଭାବିକ ବୋଲି କହି କୌଣସି ଲୋକ ଆଶ୍ୱସ୍ତ ହୋଇ ପାରିବ ନାହିଁ-

ଅପନ୍ତରା ମଫସଲରେ ଘର ବୋଲି ଆରତୀ ମୋତେ କ’ଣ କମ୍ ଖୁଣ୍ଟାଦିଏ ! ଏଇଥିପାଇଁ ଘରକୁ ଯିବା କଥା ଶୁଣିଲେ ତା’ ମୁହଁ ଝାଉଁଳି ପଡ଼େ । ସେଠାକାର ଚଳଣି ତାକୁ କଠିନ ଓ ସଂକୀର୍ଣ୍ଣ ବୋଲି ବୋଧହୁଏ । ତା’ ପାଦର ଅଳତା ମଳିନ ହୋଇଯାଏ । ଲଣ୍ଠନ ଆଲୁଅ ଯୋଗୁଁ ତା’ ମୁଣ୍ଡ ବିନ୍ଧେ ।

ଏମିତି ପାଗରେ ଗାଁକୁ ଯିବା ପାଇଁ ସେ ମଙ୍ଗିବ ବୋଲି ମୋର କାହିଁକି ପରତେ ହେଲା ନାହିଁ । ଯିବା ପାଇଁ ବହୁ କଷ୍ଟରେ ସେ ରାଜି ହୋଇଥିଲା । ମାତ୍ର ଏ ବର୍ଷାପାଗ ତା’ ମନରେ ଆଗ୍ରହକୁ ଧୋଇ ଦେଇଥିବ ବୋଲି ମୁଁ ନିଃସନ୍ଦେହ ଥିଲି ।

କିନ୍ତୁ ଘରକୁ ଯିବି ନାହିଁ ବୋଲି ଭାବିବାକ୍ଷଣି ମନଟା ବିଷର୍ଣ୍ଣ ହୋଇଗଲା । ଏକମାତ୍ର ଭଉଣୀ ଟୁନୁକୁ ଦେଖିବି ବୋଲି ପ୍ରକୃତରେ କେତେ ଦିନ ହେଲା ମୋ ମନରେ ନାହିଁ ନଥିବା ଆବେଗ ଓ ଉତ୍କଣ୍ଠା ସୃଷ୍ଟି ହୋଇଥିଲା । ବାହା ହୋଇଯିବା ପରେ ପ୍ରଥମଥର ପାଇଁ ଘରକୁ ଆସିଛି-। ରାକ୍ଷୀ ପୂର୍ଣ୍ଣିମାକୁ ମୁଁ ଓ ପିଲାମାନେ ନିଶ୍ଚୟ ଘରେ ପହଞ୍ଚିବୁ ବୋଲି କେଡ଼େ ଅନୁନୟ ହୋଇ ଚିଠି ନ ଲେଖିଛି ସେ ! ପୂର୍ଣ୍ଣିମା ପରେ ସେ ବି ମୋ ସଙ୍ଗରେ ଆସି କ୍ୱାଟର୍ସରେ କିଛି ଦିନ ରହି ଯିବ ବୋଲି କେତେଦିନ ଆଗରୁ ପ୍ରସ୍ତାବ ଦେଇ ଚିଠି ଲେଖିଥିଲି ମୁଁ । ଏ ପାଖକୁ ଡରି ଘରକୁ ନ ଗଲେ ତା’ ମନରେ କେଡ଼େ ବଡ଼ ଚୋଟ ନ ଲାଗିବ !

ତଥାପି, ବ୍ୟକ୍ତିଗତ ସମସ୍ୟା ଏମିତି ଏକ ଜିନିଷ ଯେ, ମମତା ଓ ଆନ୍ତରିକତାର ଦୃଢ଼ ବନ୍ଧନ ଏହାର ଓଜନରେ ଅନେକ ସମୟରେ ହୁଗୁଳା ହୋଇଯାଏ । ପ୍ରଥମଥର ପାଇଁ ଟୁନୁ ପ୍ରତି ଥିବା ମୋ ମନର ଆବେଗ, ତୀବ୍ରତା ହରାଇଲା ଭଳି ଜଣାଗଲା । ମୁଁ ନିଜକୁ ଅପରାଧୀ ମନେ କଲି ।

ମାତ୍ର କ୍ୱାଟର୍ସରେ ପହଞ୍ଚି ଯାହା ଦେଖିଲି, ସେଥିରେ ଆରତୀକୁ କ’ଣ କହି ଧନ୍ୟବାଦ ଦେବି, ତାହା ଠିକ୍ କରି ପାରିଲି ନାହିଁ । ଘରକୁ ଯିବାପାଇଁ ସବୁ ପ୍ରସ୍ତୁତ ହୋଇ ଯାଇଛି । କେବଳ ମୁଁ ଜଳଖିଆ ଖାଇ ସାରିଲେ ହେଲା । ପାଞ୍ଚଟା ପୂର୍ବରୁ ବସଷ୍ଟାଣ୍ଡରେ ନ ପହଞ୍ଚିଲେ ସବୁ ଗୋଳମାଳ ହୋଇଯିବ ।

ମୁଁ, ଆରତୀ, ତିନୋଟି ପିଲା ଓ ଗୋଟିଏ ଚମଡ଼ା ସୁଟକେଶ । ବସ୍ ପାଖରେ ପହଞ୍ଚି ଯାହା ଦେଖିଲୁ, ସେଥିରେ ଘରକୁ ଯିବାର ସମସ୍ତ ଆଗ୍ରହ ଉଭେଇଗଲା । ଯାତ୍ରୀମାନଙ୍କ ଦ୍ୱାରା ବସ୍ ଭରପୁର । କେତେଜଣ ସ୍ଥାନ ନ ପାଇ ଠିଆ ହୋଇଛନ୍ତି ମୁଁ ଅଥର୍ବ ଲୋକର ହତାଶା ନେଇ ଚାହିଁଲି ଆରତୀ ଆଡ଼କୁ । ସେ ବିରକ୍ତି ମିଶା ସ୍ୱରରେ କହିଲା–‘କଣ୍ଡକ୍ଟରକୁ ଭଲା ଟିକିଏ ପଚାର ! କାଳେ ସିଟ୍ ଥିବ !’

ସେଇଆ କଲି । କଣ୍ଡକ୍ଟର ମୋତେ, ଆରତୀକୁ, ପିଲାମାନଙ୍କୁ, ଚମଡ଼ା ସୁଟକେଶକୁ ଓ କାଦୁଆରେ ଜୁଡ଼ୁବୁଡ଼ୁ ଆମ ଯୋତା ଆଡ଼କୁ ଚାହିଁ କହିଲା—‘ଆଜ୍ଞା, ସିଟ୍ ତ ନାହିଁ । ତେବେ ମୋ ସିଟରେ ପିଲାମାନେ ବସି ପାରନ୍ତି । ଆପଣଙ୍କୁ ଠିଆ ହୋଇ ଯିବାକୁ ପଡ଼ିବ ।’

ମୁଁ ଟିକିଏ ଉତ୍ସାହିତ ହୋଇ କହିଲି—‘ତାହା ହିଁ ହେଉ । ତେବେ ବାଟରେ ସିଟ୍ ଖାଲି ହେଲେ ମୋ ପାଇଁ ଟିକିଏ ବ୍ୟବସ୍ଥା କରିଦେବେ ।’

ମାତ୍ର ବାଟରେ ସିଟ୍ ଖାଲି ହେବାର କୌଣସି ସମ୍ଭାବନା ନାହିଁ ବୋଲି ଉତ୍ତର ମିଳିଲା । ଅଗତ୍ୟା ଆମେ ବସ୍ ଭିତରେ ପଶିଲୁ । ଆରତୀ ଦୁଇଟି ପିଲାଙ୍କୁ କୋଳରେ ବସାଇ କଣ୍ଡକ୍ଟର ସିଟ୍‍ଟି ଅଧିକାର କଲା । ବଡ଼ ପିଲାଟିକୁ ଆଉ ଗୋଟାଏ ସିଟରେ ଆଡ଼ଜଷ୍ଟ କରାଇବାକୁ ହେଲା । ପ୍ରାୟ ପଚିଶଜଣ ଯାତ୍ରୀଙ୍କ ସମେତ ମୁଁ ଠିଆ ହେଲି ବସ ଭିତରେ ରଡ଼କୁ ଧରି । ପାଞ୍ଚଟା ପରେ ବସ୍‍ ଛାଡ଼ିଲା ।

ସହର ଅତିକ୍ରମ କଲାବେଳକୁ ବସ୍ ଭିତରେ ଯାତ୍ରୀଙ୍କ ଭିଡ଼ ବୃଦ୍ଧି ପାଇଯାଇଥିଲା । ଥଣ୍ଡାପାଗ ହେଲେ କ’ଣ ହେବ, ବସ୍ ଭିତରେ ଝାଳର ଗନ୍ଧ ଖୁବ୍ ଓଜନିଆ ହୋଇ ଯାଇଥିଲା । ଗାଡ଼ିର ଗତି ବଢ଼ିବା ସଙ୍ଗେ ସଙ୍ଗେ ବର୍ଷା ଆରମ୍ଭ ହେଲା ଏବଂ ଦିନର ଶେଷ ଆଲୁଅ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ମଳିନ ହୋଇଗଲା ।

ଭାରି ବ୍ୟସ୍ତ ଲାଗୁଥାଏ । ସହର ସୀମା ପାର ହୋଇ ପିଚୁଢ଼ଳା ନିର୍ଜନ ରାସ୍ତାରେ ବର୍ଷାର ଜଙ୍ଗଲ ଭିତରେ ବସ୍ ଧାଉଁଥାଏ । ବସ୍‍ର ଝରକା କାଚରୁ ଝରି ଆସୁଥିବା ବର୍ଷା ପାଣି ଓ ବାହାରେ କ୍ରମେ ଘନିଭୂତ ହେଉଥିବା ଅନ୍ଧକାରକୁ ଦେଖି ମୁଁ ଅନୁତାପ କରିବା ଆରମ୍ଭ କଲି । ରାସ୍ତା ଦୁଇକଡ଼ ବିଲ ପାଣିରେ ଭରପୁର ହୋଇଥିଲା । ଏମିତି ବିଲ ହିଡ଼ ଉପରେ ଆମେ ଦୁଇ କିଲୋମିଟର ବାଟ ଚାଲି ଚାଲି ଘରେ ପହଞ୍ଚିବୁ କିମିତି ?

ବସ୍ ଭିତରେ କ’ଣ ଟିକିଏ ହେଲେ ଶାନ୍ତି ଅଛି ! ଦେହକୁ ଦେହ ବାଜୁଛି । ପଛ ଲୋକର ଗରମ ନିଶ୍ୱାସ ବାଜୁଛି ବେକରେ । କି ହରକତ ହେବାକୁ ପଡ଼ୁଛି ! ପୁଣି ସାମନାରେ ଠିଆ ହୋଇଥିବା ଏ ଟୋକାଟା ଦଣ୍ଡେ ହେଲେ ସ୍ଥିର ହୁଅନ୍ତା ! ଖାଲି ମୁଣ୍ଡକୁ ଏପଟ ସେପଟ କରି କ’ଣ ଦେଖୁଛି, କାହାକୁ ଖୋଜୁଛି କେଜାଣି ? ଆଉ ମୋର ବୁଶ୍ ସାର୍ଟ ? ତା’ ମୁଣ୍ଡର ତେଲ ଜର ଜର କେଶ ଘସି ହୋଇ ଚିକିଟା ହୋଇଗଲାଣି । କମିଜର ତଳଭାଗ ଉଠାଇ ଆଣି ଶୁଂଘିଲି । ହେଃ, କିମିତି ଗୋଟାଏ ଗନ୍ଧ ହେଉଛି ।

ତାକୁ ଧମକ ଦେଲି—‘ଆରେ, ତୁ ଟିକିଏ ଭଲ କରି ଠିଆ ହ ! ମୁଣ୍ଡଟାକୁ ଏପଟ ସେପଟ କରି କାହିଁକି ଏମିତି ହଇରାଣ କରୁଛୁ କହିଲୁ ? ସେଃ, କି ଅସୁବିଧା ପିଲା !’

ସେଇ ଭିଡ଼ ଭିତରେ ମୁହଁଟେକି ପିଲାଟି ଚାହିଁଲା ମୋ ମୁହଁକୁ । ସାବନା ବର୍ଣ୍ଣର ମୁହଁଟା ଆଶଙ୍କା ଓ ଅସ୍ଥିରତାରେ ଝାଉଁଳି ପଡ଼ିଥିଲା । କହିଲା—‘ବାପା । ମୋ ବାପା କାହାନ୍ତି ?’ ସେ ମୁହଁ ଫେରାଇଲା । ପୁଣି ମୁଣ୍ଡ ଏପଟ ସେପଟ କରି ଖୋଜୁଥିବା ଜିନିଷକୁ ପାଇବାର ସମ୍ଭାବନାରେ ଉତ୍କଣ୍ଠିତ ହେଲା ଏବଂ ପରକ୍ଷଣରେ ତା’ର ବାଷ୍ଫାକୁଳ କଣ୍ଠ ଶୁଣାଗଲା—‘ମୋ ବାପା କାହାନ୍ତି ? ବାପା, ମୋ ବାପା କାହାନ୍ତି ?’ ତା’ ପରେ ପରେ କୋହମିଶା ଏକ ଚିତ୍କାର—‘ବାପା ? କୁଆଡ଼େ ଗଲ, ବାପା ?’

ବସ୍ ଭିତରର ଆପାତତଃ ନୀରବତା କ୍ଷଣକ ମଧ୍ୟରେ ଭୁଷୁଡ଼ି ପଡ଼ିଲା । ପିଲାଟାର କଣ୍ଠ ସ୍ୱରରେ ଯେଉଁ ଅସହାୟ ବ୍ୟାକୁଳତା ଥିଲା, ତାହା ସୁଚେଇ ଦେଲା ଯେ, ସେ କେବଳ ତା’ ବାପାଙ୍କୁ ଖୋଜୁ ନାହିଁ—ଖୋଜୁଛି ତା’ର ଜଣାଶୁଣା, ଅତି ଆପଣାର ଏକ ଅବଲମ୍ୱନକୁ; ଯାହାକୁ ସେ ବିଶ୍ୱାସ କରେ ଓ ଯାହା ଭିତରେ ସେ ଆଶା ଏବଂ ଅନିଶ୍ଚିତତାର ସ୍ନେହ ଓ କୋମଳ ଆଲୋକ ଦେଖେ ।

ଏ ଚିତ୍କାରରେ ସମସ୍ତ ଯାତ୍ରୀ ସଚେତନ ହୋଇ ପଡ଼ିଲେ । ସେମାନଙ୍କର ଅନ୍ୟମନସ୍କତାର ତନ୍ଦ୍ରା ବ୍ୟାହତ ହେଲା । ସମସ୍ତେ ମୋ ସାମନାରେ ଠିଆ ହୋଇଥିବା ଶସ୍ତା, ଈଷତ୍ ମଇଳା ପେଣ୍ଟ-କମିଜ୍ ପିନ୍ଧିଥିବା ଆଠ-ଦଶ ବର୍ଷର ପିଲାଟିକୁ ଦେଖିବା ପାଇଁ ଚେଷ୍ଟା କଲେ-। ତା’ପରେ ପିଲାଟି ଉପରେ ବିଭିନ୍ନ ପ୍ରଶ୍ନର ବର୍ଷା ଆରମ୍ଭ ହେଲା ।

ପିଲାଟିର ଉତ୍ତରରୁ ଏଇକଥା ଜଣାପଡ଼ିଲା—

ତା’ ନାଁ ଜିତେନ୍ଦ୍ର । ବାପାଙ୍କ ନାଁ ଦିଗମ୍ୱର ଦାସ । ମାମୁଁ ଘରକୁ ଆସିଥିଲେ । ବସ୍ ଭିଡ଼ଥିଲା । ସେ ଉଠି ଆସିଲା ବସ୍ ଭିତରକୁ । ତା’ ବାପା ଆସି ପାରିଲେ କି ନାହିଁ ସେ ଜାଣେ ନାହିଁ ।

କଣ୍ଡକ୍ଟର ସବୁ ଶୁଣିସାରି ଉଚ୍ଚସ୍ୱରରେ ପାଟିକଲା—‘ବସ୍ ଭିତରେ ଦିଗମ୍ୱର ଦାସ ବୋଲି କେହି ଅଛନ୍ତି କି ?

ଥରେ ନୁହେଁ, ଦଶ-ବାର ଥର ଏଇ ପ୍ରଶ୍ନଟି କଣ୍ଡକ୍ଟର ସମେତ ଆଉ ଚାରି-ପାଞ୍ଚ ଜଣ ଯାତ୍ରୀ ପଚାରିଲେ ।

ବର୍ଷା ଅବ୍ୟାହତ ଲାଗି ରହିଛି । ରାସ୍ତା ଦୁଇ କଡ଼ର ବିଲ ଆଉ ଭଲ କରି ଦେଖାଯାଉ ନାହିଁ । ବସ୍ ଚାଲିଛି । ଜିତେନ୍ଦ୍ର ଓ ବସରେ ଆସିପାରି ନଥିବା ଦିଗମ୍ୱର ଦାସଙ୍କ ମଧ୍ୟରେ ବ୍ୟବଧାନ ବଢ଼ୁଛି କ୍ରମଶଃ । ସମ୍ଭବତଃ ଦିଗମ୍ୱର ଦାସ ତେଣେ ଜିତୁ, ଜିତୁ ବୋଲି ଚିତ୍କାର କରି ଅସ୍ଥିର ହେଉଥିବେ । ଆମ ପାଖରେ ଜିତେନ୍ଦ୍ର ବାପାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇ ପଡ଼ିଲାଣି । ଦୁହେଁ ଦୁହିଁଙ୍କୁ ଖୋଜୁଛନ୍ତି ଗତିଶୀଳ ସମୟ ଓ ଦୂରତାର ଦୁଇମୁଣ୍ଡରେ ଠିଆହୋଇ ।

କି ଆଶ୍ଚର୍ଯ୍ୟ କଥା ! ଦିଗମ୍ୱର ବାବୁ ବସରେ ଆସିନାହାନ୍ତି ବୋଲି ଜାଣି ମଧ୍ୟ ଜିତେନ୍ଦ୍ର ମୁଣ୍ଡ ଏପାଖ ସେପାଖ କରି ଆଗଭଳି ଖୋଜି ଚାଲିଥିଲା ସେଇ ନିର୍ଦ୍ଦିଷ୍ଟ ମଣିଷଟିକୁ । ସେ ବୋଧହୁଏ ଭାବୁଥିଲା ଯେ ଐଶ୍ୱରିକ ଓ ଅଲୌକିକ ଶକ୍ତି ବଳରେ ତା’ ବାପା ତା’ ଉପସ୍ଥିତିକୁ ଚିହ୍ନଟ କରି ଉଭା ହୋଇଯିବେ ତା’ ସାମନାରେ । ଜିତୁର ଭାବନା କରୁଣ ବିଡ଼ମ୍ୱନା ନୁହେଁତ ଆଉ କ’ଣ ? ମୁଁ ମନ ଭିତରେ ହସିଲି ଟିକିଏ । କି ନିର୍ବୋଧ ଏ ପିଲାଟି ! ପଚାରିଲି—କେଉଁଠି ଓହ୍ଲାଇବୁ ?

ଉତ୍ତରରେ ସେ ଯେଉଁ ସ୍ଥାନର ନାଁ କହିଲା, ସେଇଁଠି ମୁଁ ଓହ୍ଲାଇବା କଥା । ପୁଣି ସେ ଯେଉଁ ଗାଆଁକୁ ଯିବ ବୋଲି କହିଲା, ସେଇ ଗାଁର ରାସ୍ତା ଆମରି ଗାଁ ବାଟ ଦେଇ ଆଗକୁ ଆହୁରି ଲମ୍ୱି ଯାଇଛି ।

—‘କେଉଁଠି ଓହ୍ଲାଇବୁ ?’ ଆଉ ଜଣେ ଯାତ୍ରୀ ପଚାରିଲେ ।

ଜିତେନ୍ଦ୍ର କାନ୍ଦ କାନ୍ଦ ହୋଇ ଆହୁରି ଥରେ ସବୁ କଥା କହିଲା ।

—‘ତୋ ବାପା ଆସି ପାରିଲେ ନାହିଁ କିପରି ?’ ଅନ୍ୟ ଏକ ଯାତ୍ରୀଙ୍କ ପ୍ରଶ୍ନ । ଜିତେନ୍ଦ୍ର ପୁଣି ନିଜ କଥାର ପୁନରାବୃତ୍ତି କଲା ।

କଣ୍ଡକ୍ଟର ଚିନ୍ତିତ ହୋଇ କହିଲା—‘ଆରେ, ପିଲା । ତୋତେ ମୁଁ ଏଇଠି ଓହ୍ଲାଇ ଦେବି କି-? ତୋ’ ବାପା ତ ଆସି ନାହାନ୍ତି । ତୁ ଆଗକୁ ଯାଇ ପୁଣି ଗାଁକୁ ଯିବୁ କିପରି ? ଏ ଯେଉଁ ଅନ୍ଧାର ରାତି । ବର୍ଷାଟା ହେଲେ କ’ଣ ଛାଡ଼ୁଛି ?’

ଜିତୁ କିଛି କହିବା ପୂର୍ବରୁ ଅନେକ ଯାତ୍ରୀ ଏକ ସମୟରେ କଣ୍ଡକ୍ଟରର ପ୍ରସ୍ତାବକୁ ନାକଚ କଲେ । ଏକୁଟିଆ ପିଲା ଲୋକ । ଏ ଅଚିହ୍ନା ଜାଗାରେ ଓହ୍ଲାଇ ଦେଲେ ସେ କରିବ କ’ଣ ? ତା’ ବାପା ପଛରେ ଆସୁଥିବେ । ତାକୁ ତା ଟେସନରେ ଓହ୍ଲାଇ ଦେଲେ ଭଲ ହେବ ।

ଏତିକି କଥା ସରିଛି କି ନାହିଁ ଜଣେ କହିଲେ—‘ଭଲ ବାପ ତ ! ପିଲାକୁ ଜନ୍ମ କରି ଦେଲେ ତ ୟାଙ୍କର ଦାୟିତ୍ୱ ସରିଗଲା । ପିଲା ଗଲେ କୁଆଡ଼େ, କ’ଣ ହେଲା ସେକଥା । ଆଉ ପଚାରେ କିଏ ? କି ଯୁଗ ଆସିଲା କେଜାଣି, ମଣିଷଗୁଡ଼ାକ ଭାରି ଶସ୍ତା ହୋଇଗଲେଣି ।

ଆଉ ଜଣେ ସତର୍କ କରି ଦେଲେ—‘ଏ ଶଳା ପକେଟମାର ହୋଇଥିବ ନା କ’ଣ ଦେଖ-! ଥରେ ଟ୍ରେନରେ ଆସିଲାବେଳେ ଏମିତି ପିଲାଟେ... ।’

ଅନ୍ୟ ଜଣେ ଯାତ୍ରୀଙ୍କ ପ୍ରଶ୍ନ—‘କେଉଁଠି ଓହ୍ଲାଇବୁ ?’ ଆହୁରି ଜଣେ ପଚାରିଲେ–‘ତୋ ନା କ’ଣ ? ତୋ ବାପାଙ୍କ ନାଁ କ’ଣ ? ଘର କେଉଁଠି ? ଅନ୍ୟ ଏକ ସ୍ୱର ଶୁଭିଲା—‘ତୋ ବାପା ଆସି ପାରିଲେ ନାହିଁ କିପରି ? ତୋ ମାମା ଘର କେଉଁଠି ? ତୋର କେତେ ଭାଇ କେତେ ଭଉଣୀ-?’ ପୁଣି ସେଇ ପୁରୁଣା ପ୍ରଶ୍ନ—‘ତୋ ବାପା କ’ଣ କରନ୍ତି ? କେଉଁଠି ଓହ୍ଲାଇବୁ ? ଆବେ ତୁ ପକେଟମାର ନୋହୁଁ ତ ?’

ଏ ସବୁ ପ୍ରଶ୍ନ ଓ ଜିତୁର ସମସ୍ୟା ମଧ୍ୟରେ କୌଣସି ସମ୍ପର୍କ ଥିବା କଥା ମତେ ଜଣା ପଡ଼ିଲା ନାହିଁ । ଯାତ୍ରୀମାନେ ପଚାରି ଚାଲିଥାନ୍ତି ଏ ସବୁ ସତେ ଯେମିତି ଅସହାୟ ପିଲାଟି ସେ ସବୁର ଉତ୍ତର ଦେବାକୁ ବାଧ୍ୟ । ସେମାନେ ହୁଏତ ଏ ସବୁ ଅନାବଶ୍ୟକ ପ୍ରଶ୍ନ ଦ୍ୱାରା ଜଣାଇ ଦେବାକୁ ଚାହୁଁଥିଲେ ଯେ ସେମାନେ ନିରାସ ଅଛନ୍ତି ଏବଂ ସେମାନଙ୍କର ଯାତ୍ରାର ଦିଗ ସମ୍ୱନ୍ଧରେ ନିଶ୍ଚିତ ଅଟନ୍ତି । ତେଣୁ ସେମାନେ ଏଇମିତି ପଚାରି ଚାଲିଥିଲେ ଗୋଟାଏ ଅବାନ୍ତର କୌତୁହଳକୁ ଦମନ କରିବା ପାଇଁ ଯେମିତିକି ବେଳେବେଳେ ଅକାରଣଟାରେ ପତ୍ରିକାରେ ଛପା ହୋଇଥିବାର ରଙ୍ଗୀନ୍ ବିଜ୍ଞାପନକୁ ଆମେ ଦେଖୁ ଓ ପଢ଼ୁ ।

ହେଲେ ଏ ପ୍ରଶ୍ନଗୁଡ଼ିକ ଜିତୁ ମନରେ ସ୍ୱଭାବିକ ପ୍ରତିକ୍ରିୟା ସୃଷ୍ଟି କଲା । ତା’ର ହୃଦବୋଧ ହେଲା ଯେ, ଯାତ୍ରୀଙ୍କ ଦ୍ୱାରା ଭରପୁର ଏ ବସ୍ ଏମିତି ଏକ ପୃଥିବୀ ଯେଉଁଠାରେ ସେ ଏକବାରେ ଅଚିହ୍ନା । ଏଠାକାର ଲୋକମାନେ ନିଷ୍କରୁଣ ଭାବେ କୌତୁହଳୀ, ଭୟାନକ ଭାବେ ସହାନଭୂତିହୀନ ! ଏଇ ସକାଶେ, ଗଳା ଫଟାଇ ସେ କାନ୍ଦି ଉଠିଲା ।

ଜିତୁ ସମ୍ୱନ୍ଧରେ ଆମେ ସବୁ କଥା ଜାଣି ପାରିଥିଲୁ । ବର୍ଷା ଅନ୍ଧାର ରାତି । ଭିଡ଼ ବସ୍ । ସେମିତି ଏକ ପରିବେଶରେ ଜିତୁର କାନ୍ଦଣା ଅସ୍ୱାଭାବିକ ଭାବରେ କରୁଣ ଓ ଭୟ ମିଶ୍ରିତ ଜଣା ପଡ଼ିଲା । ମୋତେ ଗୋଟିଏ କଥା କାହିଁକି କେଜାଣି ଭାରି ଆନ୍ଦୋଳିତ କରି ପକାଇଲା । ଶସ୍ତା, ଅପରିଚ୍ଛନ୍ନ ପୋଷାକ ପିନ୍ଧିଥିବା ସାବନା ବର୍ଣ୍ଣର ପିଲାଟି ଏଇ ମଣିଷ ଗହଳି ଭିତରେ ଦେଖ ତ କେମିତି ଅଚିହ୍ନା ହୋଇ ପଡ଼ିଛି ! ଏତେ ଲୋକ ଆମେ ଅଛୁ ଅଥଚ ଆମେ ତା’ର କେହି ନୋହୁଁ । ଗାଡ଼ି ଭିତରେ ଏତେ ପାଟିତୁଣ୍ଡ ହେଉଛି ଅଥଚ ତା’ ଭିତରେ ଆଉ ଏକ ସ୍ୱର ନାହିଁ—ଯାହାକି ଜିତୁକୁ ଆଶ୍ୱାସନା ଓ ପ୍ରତିରକ୍ଷା ଦେଇ ପାରନ୍ତା । ନିମିଷକ ଭିତରେ ଆମେ ସମସ୍ତ ଯାତ୍ରୀ, ଆମର ଦାମିକା ପୋଷାକ, ଆମ ନିଜ ପିଲାଛୁଆମାନଙ୍କ ପ୍ରତି ଥିବା ଆମର ସ୍ନେହ ଓ ଆଦାର, ଏ ବସ୍, ବର୍ଷା, ବିଲବାଡ଼ି — ସବୁ ଗୁରୁତ୍ୱ ହରାଇ ବସିଲା ଜିତୁର କୋହ ମିଶ୍ରିତ କାନ୍ଦଣାରେ । ଏ କାନ୍ଦଣା ସମ୍ଭବତଃ ଆମ ସମସ୍ତଙ୍କ ପାଇଁ ଥିଲା ଅପମାନ । ଏକ ନୈତିକ ଚାଲେଞ୍ଜ ।

କେହି କିଛି କହିବା ପୂର୍ବରୁ ହଠାତ୍ କହି ପକାଇଲି—‘ଆରେ କାନ୍ଦନା, ଜିତୁ । ଆମେ ଏକା ଜାଗାରେ ଓହ୍ଲାଇବା । ତୋତେ ମୁଁ ଆମ ଘରକୁ ନେଇଯିବି । ତୋ ବାପାଙ୍କ ପାଖକୁ ଚିଠି ଲେଖିବି । ତୋର କିଛି ଅସୁବିଧା ହେବ ନାହିଁ ।’

କଣ୍ଡକ୍ଟର କହିଲା—‘ଆପଣ ତାକୁ ସାଙ୍ଗରେ ନେଇଯିବେ ?’ ଏ ପ୍ରଶ୍ନର ଉତ୍ତର ଦେବା ଆଗରୁ ଜଣେ ଯାତ୍ରୀ କହିଲା—‘ହଁ, ବାବୁ ଯଦି ସେଇ ଟେସନରେ ଓହ୍ଲେଇବେ; ତା’ହେଲେ ପିଲାଟିକୁ ସାଙ୍ଗରେ ନ ନେଇ ଯିବେ କାହିଁକି ? ଆଉ ଜଣଙ୍କର ସ୍ୱର—‘ପିଲାଟା ଯା’ହେଉ ସାହାଭରସା ଟିକିଏ ପାଇଗଲା । ଶଳା, କି ବର୍ଷା-ଅନ୍ଧାର ରାତି !’

ମୁଁ ପ୍ରଚଣ୍ଡ ଭାବରେ କ୍ଷୁବ୍ଧ ହୋଇ ପଡ଼ିଲି । ଗୋଟିଏ ନିରାଶ୍ରୟ ପିଲାର ଦାୟିତ୍ୱ ସ୍ୱ-ଇଚ୍ଛାରେ ମୁଁ ଗ୍ରହଣ କରିବାକୁ ଯାଉଛି; କିନ୍ତୁ ଦେଖିଲାବେଳକୁ ଏଥିପାଇଁ ପ୍ରଶଂସା ନାହିଁ । କେହିଲୋକ ମୋର ସହାନୁଭୂତିକୁ ତାରିଫ୍ କଲେନାହିଁ । ଏପରିକି ଆନନ୍ଦ ଓ କୃତଜ୍ଞତାରେ ମୋତେ କୁଣ୍ଢେଇ ପକାଇଲା ନାହିଁ । ସତେ ଯେପରି ତାକୁ ସାହାଯ୍ୟ କରିବାକୁ ମୁଁ ବାଧ୍ୟ !

ସମସ୍ତେ ନୀରବ ହୋଇଯିବା ଦେଖି କହିଲି—‘କିଛି କଥା ନାହିଁ । ଏମିତି ଅନେକ ଘଟଣା ଘଟୁଛି । ମୋର ଗୋଟାଏ ଲକ୍ଷଣ, ଅନ୍ୟର ଦୁଃଖ ଦେଖିଲେ ମନଟା ଘାଣ୍ଟିଚକଟି ହୁଏ । କଲେଜରେ ପଢ଼ୁଥିବା ବେଳେ ମୋର ସହପାଠୀ ଜଗବନ୍ଧୁକୁ ମୁଁ କ’ଣ କମ୍ ସାହାଯ୍ୟ କରିଛି ! ଆମ ଅଫିସରେ ପିଅନ ଅଛି ଲମ୍ୱୋଦର । ତା’ ଝିଅ ବାହାଘର ପାଇଁ... ।’

ମୋ କଥା କେହି ଶୁଣିଲେ ନାହିଁ—ମୋ ବ୍ୟକ୍ତିତ୍ୱ ଓ ଚରିତ୍ରକୁ ଅସାଧାରଣ ବୋଲି ଭାବିବା ତ ଦୂରର କଥା । ବସ୍ ଅଟକିଲା କୌଣସି ଏକ ସ୍ଥାନରେ । କେତେଜଣ ଯାତ୍ରୀ ଓହ୍ଲାଇଲେ-। ଘଣ୍ଟି ବାଜିଲା । ଆଗକୁ ମାଡ଼ି ଚାଲିଲା ବସ୍ ।

ଜିତୁ ଆଉ କାନ୍ଦୁ ନାହିଁ । ତାକୁ ମୋ ସାଙ୍ଗରେ ଆମ ଗାଁକୁ ନେଇ ତା’ର ସମସ୍ତ ବ୍ୟବସ୍ଥା କରିଦେବି ବୋଲି ସେ ଆଶ୍ୱସ୍ତ ହୋଇଗଲା—ଏମିତି ଭାବି ମୁଁ ଖୁସି ହୋଇ ପାରିଲି ନାହିଁ । ସମ୍ଭବତଃ ସେ ମାନସିକ ପ୍ରସ୍ତୁତି ସଂଗ୍ରହ କରୁଥିଲା ଏମିତି ଏକ ରାତିରେ ଏକୁଟିଆ ହୋଇଯିବାର ଶୂନ୍ୟତାକୁ ମୁକାବିଲା କରିବା ପାଇଁ । ତା’ପାଇଁ ମୋ ସାହାଯ୍ୟର ପ୍ରତିଶ୍ରୁତି ହୁଏତ ନିଚ୍ଛକ ସହାନୁଭୂତି ମାତ୍ର । ଏହା କହିବାରେ ମୋର ଆତ୍ମବଡ଼ିମା ଅଛି; କିନ୍ତୁ ଜିତୁର ଏହା ଉପରେ ଆତ୍ମୀୟତାପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରିବାର କୌଣସି ଜୁ ନାହିଁ ।

ଜିତୁ ଏମିତି ହୁଏତ ଭାବୁଥିବ । ମାତ୍ର ମୁଁ ବୋଧକଲି ଯେପରିକି ମୁଁ ସଂକୀର୍ଣ୍ଣତାର ଖୋଳ ଭାଙ୍ଗି ସଂପ୍ରସାରିତ ହେଉଅଛି; କିମ୍ୱା ସଁବାଳୁଆରୁ ପ୍ରଜାପତି ହେଉଛି । ନିଜପ୍ରତି ନୂତନ ମୂଲ୍ୟବୋଧ ଗଢ଼ି ଆନନ୍ଦମିଶା ଉଶ୍ୱାସ ଲାଗିଲା ମୋତେ ।

ବସରୁ ଓହ୍ଲାଇଲା ବେଳକୁ ରାତି ଆଠଟା ହୋଇଯାଇଥାଏ । ବର୍ଷା ଛାଡ଼ି ଯାଇଥାଏ ପନ୍ଦର ମିନିଟ୍ ପୂର୍ବରୁ । ଚିନ୍ତିତ ମନରେ ସୁଟକେଶ ଧରି ଲଣ୍ଠନ ଜଳୁଥିବା ଚା’ ଦୋକାନ ଆଡ଼େ ଯିବାବେଳେ ଆକାଶକୁ ଚାହିଁଲି ଆହୁରି ଥରେ । କିଏ ଜାଣେ, କେତେବେଳେ ବର୍ଷା ଆରମ୍ଭ ନ ହେବ ?

ବସ୍ ଚାଲିଯିବା ପରେ ସ୍ଥାନଟା ଏମିତି ଭୟଙ୍କର ଭାବରେ ନିର୍ଜନ ଓ ଅନ୍ଧକାର ହୋଇପଡ଼ିଲା ଯେ, ମୁଁ ଶିହରୀ ଉଠିଲି । ମୋ ଲୋମ ଟାଙ୍କୁରି ଉଠିଲା । ଏ ସ୍ଥାନରେ ଜନ ସମାଗମ ଖୁବ୍ ବେଶୀ ନୁହେଁ । ସେଥିପାଇଁ ଛୋଟବଡ଼ ଦଶ–ବାରଟା ଦୋକାନ ଅଛି । ଆମେ ଶେଷ ବସର ଯାତ୍ରୀ । ଯଦିଓ ଅନ୍ୟ ଦିଗରୁ ଆସୁଥିବା ଦିନର ଶେଷ ଗାଡ଼ି ଏପର୍ଯ୍ୟନ୍ତ ଏ ସ୍ଥାନରେ ପହଞ୍ଚି ନାହିଁ, ତଥାପି ସମସ୍ତ ଦୋକାନ ବନ୍ଦ ହୋଇ ଗଲାଣି, ସେଇ ଛୋଟିଆ ଚା’ ଦୋକାନକୁ ଛାଡ଼ି-

ବିଡ଼ିଟାଣି ଦୋକାନ ବନ୍ଦ କରିବାକୁ ଯାଉଥିବା ଲୋକଟିକୁ ମୁଁ ଚିହ୍ନେ ନାହିଁ । ପଚାରିଲି–‘ଗୋପାଳ ଆଜି ଦୋକାନକୁ ଆସି ନାହାନ୍ତି କି ?’

ଲୋକଟି ଚାହିଁଲା ମୋ ଆଡ଼େ କିଛି ସମୟ ପର୍ଯ୍ୟନ୍ତ । କହିଲା—ମଉସାଙ୍କୁ ପାଞ୍ଚଦିନ ହେଲ ଜର । ଏଇ ପାଞ୍ଚଦିନ ମୁଁ ଦୋକାନକୁ ଆସୁଛି । ଅଳ୍ପ କେଇଟା ମୁହୂର୍ତ୍ତ ପରେ ପଚାରିଲା–‘କିଛି କାମ ଅଛିକି ? ମୋତେ କହିଲେ ମୁଁ ତାଙ୍କୁ କହି ଦିଅନ୍ତି ।’

ମୁଁ ଶୂନ୍ୟ ଦୃଷ୍ଟିରେ ତା’ ଆଡ଼କୁ ଚାହିଁଲି । ଦୀର୍ଘଶ୍ୱାସପରେ ପଚାରିଲି ଟିକିଏ ଶଙ୍କିତ ହୋଇ—‘ଶେଷ ବସକୁ ଅପେକ୍ଷା କରି କୌଣସି ଲୋକ ତମ ଦୋକାନ ପାଖରେ ବସିଥିଲେ କି ?’

ସେ ମୁଣ୍ଡ ହଲାଇଲା—‘ନାଇଁତ ଆଜ୍ଞା । ମୁଁ ସଞ୍ଜବେଳୁ ଏଇଠି ଅଛି । ସେମିତି କେହି ଲୋକ ନାହାନ୍ତି । ଘଡ଼ିଏ ହେଲା ସବୁ ଦୋକାନ ବନ୍ଦ ହେଲାଣି । ପାଗ ଖରାପ । କାରବାର କିଛି ନାହିଁ । କେହିଲୋକ ଆସିଥିଲେ ନିଶ୍ଚେ ମୋ ଦୋକାନକୁ ଆସିଥାନ୍ତେ ।’

ଏଇ ଉତ୍ତରଟି ମୁଁ ଆଶା କରିଥିଲେ ବି ମୋତେ ଭାରି କଠୋର ଓ ନିର୍ମମ ଜଣାପଡ଼ିଲା ସେଇ ପରିବେଶରେ । ଅନ୍ଧାର ଓ ନୀରବତାର ଚାପରେ ମୋର ସାହସ ଓ ପୁରୁଷପଣିଆ ହଠାତ୍ କ୍ଳୀବ ଓ ସଙ୍କୁଚିତ ହୋଇପଡ଼ିଲା । ସେ ମୋ ଘର କେଉଁଠି ବୋଲି ପଚାରିଲା । ମୁଁ ସବୁକଥା କହିସାରି ଭଉଣୀ ଟୁନୁକଥା କହିଲି । ତା’ ପାଇଁ ନେଉଥିବା ଶାଢ଼ି କଥା କହିଲି । ମୋ ପାଇଁ ଦୁଇଖଣ୍ଡ ରୁମାଲ ବୁଣିଦେବ ବୋଲି ଖଣ୍ଡିଏ କନା ନେଉଛି ବୋଲି ମଧ୍ୟ କହିଲି !

କାହିଁକି ଏସବୁ କହିଲି, ମୁଁ ଜାଣେ ନାହିଁ । ସମ୍ଭବତଃ ମୋତେ ଗାଁକୁ ଟାଣି ନେଉଥିବା ଆବେଗକୁ ସେଇ ଲୋକଟି ହୃଦୟଙ୍ଗମ କରି, ତାହାକୁ ସମ୍ମାନ କରୁ ବୋଲି ମୁଁ ଚାହୁଁଥିଲି; ମାତ୍ର ମୋର ଆଶାକୁ ବିଧ୍ୱସ୍ତ କରି ଲୋକଟି କ୍ଷମା ମାଗିବା କଣ୍ଠରେ କହିଲା—‘ଘରେ ଆଜ୍ଞା ଯଦି ଜରୁରୀ କାମ ନଥାନ୍ତା, ତେବେ ମୁଁ ଆପଣଙ୍କୁ ଗାଁକୁ ଯିବାପାଇଁ ସାଙ୍ଗ ଦେଇଥା’ନ୍ତି । ଏ ଅନ୍ଧାରଟାରେ ହିଡ଼ଗଡ଼ି ରାସ୍ତାରେ କୋଶେ ବାଟ କେମିତି ଯିବେ କେଜାଣି ?’

ମୋର ଆଉ ଅଧିକ କିଛି କହିବାକୁ ନଥିଲା । ଅଳ୍ପକ୍ଷଣ ପରେ ଲୋକଟି ଲଣ୍ଠନ ଧରି ଦୋକାନରେ ତାଲା ପକାଇଲା । ବହଳ ଅନ୍ଧାର ଭିତରେ ତା‘ ହାତରେ ଲଣ୍ଠନଟା ବିନ୍ଦୁଏ ଆଶାଭଳି ଜଣା ଯାଉଥିଲା ।

ମୁଁ ଟର୍ଚ୍ଚ ଟିପି ଚାହିଁଲି ଆରତୀ ଆଡ଼କୁ । ତା‘ ଛାତିରେ କୋଡ଼ପୋଛା ପୁଅଟା ଶୋଇ ଯାଇଛି । ବଡ଼ ପୁଅଟା ଠିଆ ହୋଇଛି ମୋ ପାଖରେ । ଝିଅଟି ଆରତୀର ଲୁଗା ଧରି ହାଇ ମାରୁଛି-। ତା’କଡ଼କୁ ଠିଆ ହୋଇଛି ଜିତେନ୍ଦ୍ର ।

ବସରୁ ଓହ୍ଲାଇଲା ପରେ ଜିତେନ୍ଦ୍ର କଥା ମୋର ମନେ ନଥିଲା । ବର୍ତ୍ତମାନ ମୁଁ ନିଜେ ଅସହାୟ ଓ ଏକୁଟିଆ ହୋଇଯିବାରୁ ଜିତେନ୍ଦ୍ରର ଉପସ୍ଥିତ ମୋତେ ଅଟ୍ଟହାସ୍ୟ କଲାଭଳି ଜଣାପଡ଼ିଲା । ଅଥଚ ସେ ଗୋଟାଏ ଅଦରକାରୀ ଦାୟିତ୍ୱ ମାତ୍ର । ମୁଁ ଜମା ଭାବି ନଥିଲି ଯେ, ଜିତେନ୍ଦ୍ର ସତକୁ ସତ ଓହ୍ଲାଇ ପଡ଼ିବ ମୋ ସାଙ୍ଗରେ । ଏଠାରେ ସାହା ଭରସା ନ ପାଇଲେ, ଏ ପିଲାଟାର ଉପସ୍ଥିତି ମୋ ମନରେ ଏମିତି ପ୍ରତିକ୍ରିୟା ସୃଷ୍ଟି କରିବ ବୋଲି ମୁଁ କଳ୍ପନା କରିନଥିଲି ।

ଅଥଚ ଏଇମାତ୍ର ଚାଲି ଯାଇଥିବା ଚା‘ ଦୋକାନୀଟି ବିଜ୍ଞ ନୁହେଁ ତ ଆଉ କ’ଣ ? ଆମ ଗାଁରେ ମୋତେ ଛାଡ଼ିଦେବା ପାଇଁ ନିଜର ଅକ୍ଷମତା ପ୍ରକାଶ କରି ସେ ନିଜପ୍ରତି ବିଶ୍ୱସ୍ତ ହୋଇ ପାରିଲା । ମୋତେ ସାହାଯ୍ୟ କରିଥିଲେ ସେ’ବା ପାଇଥାନ୍ତା କ’ଣ ?

ଟର୍ଚ୍ଚ ବନ୍ଦ କରି ଜିତେନ୍ଦ୍ରକୁ ଚାହିଁଲି ଆଉଥରେ । ସେ ମିଶି ଯାଇଛି ଅନ୍ଧାର ଭିତରେ ଏବଂ ଅନ୍ଧାର ଭଳି ମୋ ପାଇଁ ହୋଇ ପଡ଼ିଛି ଏକ ବିରକ୍ତିକର ବୋଝ । ଦାନ୍ତ ରଗଡ଼ି ମନକୁ ମନ କହିଲି—ଏଇଟା ଧ୍ୱଂସ ହୋଇ ଯାଆନ୍ତା କି ! ଏଇ ଅନ୍ଧାରରେ ଦ୍ରବୀଭୂତ ହୋଇ ଉଭେଇ ଯାଆନ୍ତା କି କେଉଁ ଆଡ଼େ !

ହଠାତ୍ ଘଡ଼ଘଡ଼ି ମାରିବାରୁ, ‘ମା’ଲୋ’ ବୋଲି ଚିତ୍କାର କରି ଜିତେନ୍ଦ୍ର କୁଣ୍ଢେଇ ପକେଇଲା ମୋତେ । ତାକୁ ଏକ ରକମ ଛିଞ୍ଚାଡ଼ି ଦେଇ ପାଟି କରି ଉଠିଲି—‘ଠିଆ ହ ସେଇଠି ! ଭାରି ଗେହ୍ଲା ପୁଅଟା ନା ! ୟାକୁ ତ ଘଡ଼ଘଡ଼ି ମାରି ପକାଉଛି ।’

ଆରତୀକୁ ଚାହିଁ ପଚାରିଲି—‘କ’ଣ କରିବା ?’

—‘ଫେରିଯିବା’ । ସଂଯତ ସ୍ୱରରେ ଉତ୍ତର ଦେଲା ସେ । ‘ଗାଁ ଯାଇ ହେବ ନାହିଁ । ଏପଟୁ ତ ଶେଷ ବସ୍ ଆସି ନାହିଁ ଏପର୍ଯ୍ୟନ୍ତ ।’

–‘କ’ଣ କହିଲ ! ଫେରିଯିବା ?’ ଏତକ କହି ମୁଁ ଶକ୍ତିଶାଳୀ ବୋଲି ଅଭିନୟ କଲି । ଜିତୁର ହାତକୁ ଧରି ତାକୁ ଏକରକମ ଆଉ ଏକ ଦୋକାନ ଆଡ଼େ ଟାଣି ନେଉ ନେଉ କହିଲି—‘ତୁ ଏଇଠି ବସିଥା, ବୁଝିଲୁ ? ଗାଁରୁ ଲୋକ ଆସି ନାହାନ୍ତି । ଆମେ ପୁଣି ବସରେ ଫେରିଯିବା ।’

—‘ତୁମେ ଫେରିବ କେତେବେଳେ ?’ ଜିତୁର ଆତଙ୍କିତ ସ୍ୱର ।

—‘ମୁଁ ଏଇ ଫେରୁଛି ।’ ଏତକ କହି ମୁଁ ସେଠାରୁ ଚାଲି ଆସିଲି ।

ତିନୋଟି ଛୁଆ ସୁଟକେଶ ଧରି ଆରତୀ ଓ ମୁଁ କାଦୁଅ ସରସର ହିଡ଼ ରାସ୍ତାରେ ଚାଲିବାକୁ ଆରମ୍ଭ କଲାବେଳେ ମୁଁ ବାରମ୍ୱାର ପଛକୁ ଚାହୁଁଥାଏ । କିନ୍ତୁ ଜିତେନ୍ଦ୍ର ଆମକୁ ଅନୁସରଣ କରୁ ନ ଥିଲା ।

ପ୍ରାୟ ଦୁଇଶହ ମିଟର ରାସ୍ତା ଯିବାପରେ ସାମ୍ନା ଆଡ଼ୁ ଲଣ୍ଠନ ଆଲୁଅ ଦେଖାଗଲା ଏବଂ କେତେଜଣ ଲୋକଙ୍କର ପାଟିତୁଣ୍ଡ ଶୁଣାଗଲା । ପାଖରେ ପହଞ୍ଚି ଦେଖିଲୁ, ସେ ଚାରିଜଣ ଆମ ମୂଲିଆ । ଆମକୁ ନେବା ପାଇଁ ଆସିଛନ୍ତି । ପୋଷ୍ଟମାଷ୍ଟର ମୋ ଚିଠିକୁ ଏଇ ରାତିରେ ବାପାଙ୍କୁ ଦେବାରୁ ସେମାନଙ୍କର ଆସିବାରେ ଡେରି ହେଲା । ମୁଁ ସୁଟକେଶଟି ଜଣଙ୍କ ହାତକୁ ବଢ଼ାଇ ଦେଇ କହିଲି—‘ଚାଲ ।’

—‘ଶୁଣ’ । ଆରତୀର କଣ୍ଠସ୍ୱର ଅଭୂତ ଭାବେ ଗମ୍ଭୀର ଜଣା ପଡ଼ିଲା । ଶୁଣ । ତମେ ଟିକିଏ ଫେର । ଜିତେନ୍ଦ୍ରକୁ କେଉଁଠି ବସେଇ ଦେଇଛ । ତାକୁ ସାଙ୍ଗରେ ନେଇ ଆସିବ ।’

ଆରତୀର ଏକଥା ଆଦେଶ ନ ଥିଲା, ଅନୁରୋଧ ବି ନଥିଲା । ଏହା ଥିଲା ବିବେକ ସମ୍ମତ ଏକ ଦାମ୍ଭିକ ଏବଂ ସମ୍ୱେଦନଶୀଳ ହୃଦୟର କୋମଳ ଅକ୍ଷର । ଏହା ଥିଲା ଆଶା ଉଦ୍ଦିପକ ଏବଂ ସୃଷ୍ଟିକୁ ବିନା ସର୍ତ୍ତରେ ଆପଣାର କରି ନେବାର ସର୍ବଶ୍ରେଷ୍ଠ ମନ୍ତ୍ର ।

ମୋତେ କାବୁ କରିଥିବା ଗୋଟାଏ ଓଜନିଆ ଜିନିଷ ଆକସ୍ମିକ ଭାବରେ ମିଳାଇଗଲା କେଉଁ ଆଡ଼େ ।

ସେଇ ଦୋକାନ ପାଖରେ ପହଞ୍ଚି ଦେଖିଲି, ଅଣଓସାରିଆ ବେଞ୍ଚ ଉପରେ ଜିତେନ୍ଦ୍ର ଶୋଇ ଯାଇଛି ନିଶ୍ଚିନ୍ତ ହୋଇ । ଟର୍ଚ୍ଚ ଆଲୁଅରେ ତା’ର କ୍ଳାନ୍ତ ମୁହଁଟା ଅବିଚଳିତ ଓ ପ୍ରଶାନ୍ତ ଜଣା ପଡ଼ିଲା । ମନେହେଲା, ସେ ଯେପରି ଆଗରେ ଚାଲିଛି ଆଉ ସମସ୍ତ ପୃଥିବୀ ଛିଡ଼ା ହୋଇଛି ତା’ ପଛରେ ଅତି ନିରାଶ୍ରୟ ଭାବରେ । ସତେ ଯେପରି ଏଇ ନିସ୍ତବ୍‍ଧ ପ୍ରହରର ଅନ୍ଧକାର ପୃଥିବୀ ତା’ ପାଇଁ ଭୟ ଓ ଆଶଙ୍କାର କାରଣ ନୁହେଁ । ସତେ ଯେପରି ସେ ଏକୁଟିଆ ହୋଇ ଯିବାରେ ଆଦୌ ବିଶେଷତ୍ୱ ନାହିଁ ।

Image

 

ପୋଷାକ

 

ବିଗତ ଜୀବନର ସ୍ମୃତିର ଶବଗୁଡ଼ାକ ପ୍ରଦୋଷ ଚାରିପାଖରେ ପଡ଼ି ରହିଥିଲେ ଜଖମ ହୋଇ ପଡ଼ିଥିବା ଏକ ଟ୍ରକର ପିଠି ଉପରେ କେତେଖଣ୍ଡ ଲୁହାପଥର ଏତେତେଣେ ପଡ଼ି ରହିବା ଭଳି ।

 

ଏଇ ଅଧଘଣ୍ଟାଏ ହେବ ପ୍ରଦୋଷ ବିଦାୟ ନେଲା ପୃଥିବୀରୁ । ଦୀର୍ଘ ସତୁରି ବର୍ଷର ଏକ କର୍ମମୁଖର ଜୀବନର ଶିଖା ଲିଭିଗଲା ମୃତ୍ୟୁର ଶୀତଳ ପବନରେ । ତା’ର ଶେଷ ନିଃଶ୍ୱାସରେ ସନ୍ତୋଷ ଓ ଅସନ୍ତୋଷର ଅଣୁ-ପରମାଣୁ ଭରି ରହିଥିଲେ । ସେ ଏଇଥିପାଇଁ ସନ୍ତୁଷ୍ଟ ହୋଇଥିଲା ଯେ ଚିନ୍ତା, ଜଞ୍ଜାଳ, ରୋଗପରିପୂର୍ଣ୍ଣ ତା’ର ଜୀବନର ଗତି ସବୁଦିନପାଇଁ ବନ୍ଦ ହୋଇଗଲା ଓ ସେ ପରମାତ୍ମାଙ୍କ ଆଶିଷ ଲାଭ କରି ପାରିବ । କାରଣ ଜୀବନରେ ସେ ବହୁବାର ଗୀତା ପଢ଼ିଛି, ମନ୍ଦିର ଯାଇଛି ଓ ଭିକାରିମାନଙ୍କୁ ଭିକ୍ଷା ଦେଇଛି; ମାତ୍ର ତା’ର ଅସନ୍ତୁଷ୍ଟ ହୋଇ ମରିବାର କାରଣ ବି ଖୁବ୍ ସୁଦୃଢ଼ ଥିଲା । ନିଜର ଚୋରା ବ୍ୟବସାୟର ବେଲୁନକୁ ଭିଜିଲାନ୍ସ ଓ ଇନକମ୍ ଟେକସ ବିଭାଗର ମୁନିଆଁ ଛୁଞ୍ଚିରୁ ରକ୍ଷା କରିବାପାଇଁ ସେ ପର୍ଯ୍ୟାପ୍ତ ପରିମାଣର ଲାଞ୍ଚ ଦେଇଥିଲା । ଏଇ ଲାଞ୍ଚର ପରିଣାମ କ’ଣ ହେଲା ତାହା ଦେଖିବା ପୂର୍ବରୁ ସେ ଆଖି ବୁଜିଲା । ନିଜ ପୁଅ ଉପରେ ଆଦୌ ବିଶ୍ୱାସ ନଥିଲା ପ୍ରଦୋଷର । ପରୀକ୍ଷା ହଲରେ କପି କରିବା ଓ ନିରୀକ୍ଷକ-ଅଧ୍ୟାପକଙ୍କୁ ମାଡ଼ଦେବା ଅଭିଯୋଗରେ ତିନିବର୍ଷ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲା ସେ । ପ୍ରଦୋଷ ଭାବିଥିଲା ଯେ ଏବେ ପୁଅଠାରୁ ସେ ବ୍ୟବସାୟ ସଂକ୍ରାନ୍ତରେ ସାହାଯ୍ୟ ପାଇବ; ମାତ୍ର ପୁଅର ଚରିତ୍ର ଓ ଆଚରଣ କ୍ଷୁବ୍‍ଧ କରିଥିଲା ତାକୁ । ଏଇଥିପାଇଁ ଅଫିସରଙ୍କୁ ଲାଞ୍ଚ ଦେବା କଥା ସେ ପୁଅକୁ ମଧ୍ୟ ଜଣାଇ ନଥିଲା ।

 

ଅଧଘଣ୍ଟାଏ ହେବ ରକ୍ତ-ମାଂସର ଶରୀର ତ୍ୟାଗ କରି ସେ ଏକ ଅଜଣା, ଅଦେଖା ରାଜ୍ୟରେ ପହଞ୍ଚି ଯାଇଛି । ଏଠାରେ ଡାକ୍ତରଖାନାର ଆବଶ୍ୟକତା ନାହିଁ, ମାଓ ଧ୍ୱନି ଶୁଣା ଯାଉ ନାହିଁ, ପୋଲିସ ନାହାନ୍ତି, ନିର୍ବାଚନ ହୁଏନାହିଁ । ଅଥଚ ଚାରିଆଡ଼େ ଅନିର୍ବଚନୀୟ ଶାନ୍ତି ଓ ସୌନ୍ଦର୍ଯ୍ୟର ପ୍ରାଚୁର୍ଯ୍ୟ ଭରି ରହିଛି । ଅଶରୀର ହୋଇଥିଲେ ମଧ୍ୟ ସେ ସମସ୍ତ ଜିନିଷ ଉପଲବଧି କରି ପାରୁଥିଲା ଏବଂ ମନକୁ ମନ କହିଲା–‘‘ଏଇ ତେବେ ସ୍ୱର୍ଗ । ମୃତ୍ୟୁ ପରେ ସଭିଏଁ ତାହାହେଲେ ଏଠାକୁ ଆସନ୍ତି ।’’

 

ତା’ ମନରେ ନାହିଁ ନ ଥିବା ଐଶ୍ୱରିକ ଚେତନା ଜାଗ୍ରତ ହେଲା । ଦୀର୍ଘ ସତୁରିବର୍ଷ ଧରି ରୋଗ ଜୀବାଣୁ ମିଶ୍ରିତ, ପରମାଣୁ-ଉଦ୍‍ଜାନ ବୋମା ପରୀକ୍ଷାଦ୍ୱାରା ଦୂଷିତ ପୃଥିବୀର ଯେଉଁ ବାୟୁ ସେ ସେବନ କରିଥିଲା, ତାହା ପ୍ରତି ଏକ ଉତ୍କଟ ଘୃଣାଭାବରେ ସେ ଶିହରି ଉଠିଲା । ଯେଉଁ ପୃଥିବୀରେ ଜୀବନ ଆଦୌ ନିରାପଦ ନୁହେଁ, ଯେଉଁଠାରେ ମଶା, ଛାରପୋକ ପ୍ରଭୂତ ପରିମାଣରେ ଖୁନ୍ଦି ହୋଇଛନ୍ତି, ଯେଉଁଠାରେ ସ୍ୱାଧୀନ ଭାବରେ ବାଣିଜ୍ୟ-ବ୍ୟବସାୟ କରି ହେଉନାହିଁ, ସେହି ପୃଥିବୀକୁ ଚିରଦିନପାଇଁ ତ୍ୟାଗ କରିଥିବା ହେତୁ ପ୍ରଦୋଷ ଆଖିରୁ ଅନୁଶୋଚନାର ଅଶ୍ରୁ ଝରିଲା ନାହିଁ ।

 

ସବୁଠାରୁ ବଡ଼ କଥା ହେଲା ସେଠାକାର ମଣିଷ ସବୁ ଏବଂ ସେମାନଙ୍କର ବିଚକ୍ଷଣତା ତଥା ଧୂର୍ତ୍ତତା, ଈର୍ଷା, କ୍ରୋଧ, ଦୁର୍ନୀତି, ପ୍ରତିହିଂସା ଇତ୍ୟାଦିରେ ମଣ୍ଡିତ ମଣିଷମାନେ କି ଭୟଙ୍କର ସତରେ ! ସେମାନେ ବାସ କରୁଥିବା ପୃଥିବୀ ନାମଧାରୀ ସ୍ଥାନରୁ ସେ ଚାଲିଆସିଛି ବୋଲି ଆନନ୍ଦରେ କହି ଉଠିଲା–କଂଗ୍ରାଚୁଲେସନ... କଂଗ୍ରାଚୁଲେସନ ।

 

ଜୀବନଟା ଖାଲି ଏକ ଆର୍ତ୍ତନାଦ ନୁହେଁ; ଏକ ପ୍ରକାଣ୍ଡ ଅନାବଶ୍ୟକତା । ଆଉ ଯେଉଁ ସମୟଟାକୁ ଲୋକମାନେ ଯୌବନ ବୋଲି କହି ଗର୍ବ କରନ୍ତି, ତାହା ଏକ ପ୍ରାକୃତିକ, ଅସ୍ଥାୟୀ ମେକ୍-ଅପ୍ ବ୍ୟତୀତ ଆଉ କ’ଣ ହୋଇପାରେ ?

(ତୁମ ମୁହଁର ମେକ୍-ଅପ୍ ବି ପୋଛି ହୋଇଯାଏ ଝାଳ ଓ କ୍ଳାନ୍ତିର ବ୍ରଶ୍ ଦ୍ୱାରା ।)

ଏକ ଦୁର୍ବଳ, ବୃଦ୍ଧ ରିକ୍ସାବାଲା ଖରାର ଛତା ତଳେ ରିକ୍ସା ଟାଣିବା ଭଳି ପୃଥିବୀର ଲୋକମାନେ ଆତ୍ମ-ପ୍ରତାରଣା, ପରସ୍ପରବିରୋଧୀ ଚିନ୍ତାଧାରା ପ୍ରଭୃତିର ଜଣେ ଜଣେ କ୍ଲାନ୍ତ ଭାରବାହକ ।

ପ୍ରଦୋଷ ଖୁବ୍ ଉତ୍ତେଜିତ ହୋଇ ପଡ଼ିଥିଲା । ପୃଥିବୀ ଏବଂ ମଣିଷ ସମ୍ପର୍କରେ ସମସ୍ତ ତିକ୍ତତା ଉଦ୍‍ଗାର କରିବା ପରେ ସେ ଯଥେଷ୍ଟ ହାଲୁକା ବୋଧ କଲା । ଜୀବନର ବିଫଳତା ଓ ନୈରାଶ୍ୟ ମଣିଷକୁ ପୃଥିବୀ ଏବଂ ମାନବସମାଜ ପ୍ରତି ପ୍ରତିକ୍ରିୟା ଶୀଳ ଓ ବିଦ୍ରୋହୀ କରିଥାଏ । ଏ କଥା ସତ ଯେ ପ୍ରଦୋଷ ମଧ୍ୟ ଜୀବନ ପଥରେ ଏଗୁଡ଼ିକର ତୀକ୍ଷଣତା ଅନୁଭବ କରିଥିଲା ।

କେତେ ପୃଥିବୀରେ କ’ଣ କିଛି ଆକର୍ଷଣ ନାହିଁ ?

ଅନ୍ୟ କାହାକୁ ଶୁଣେଇଲା ଭଳି ପ୍ରଦୋଷ ବଡ଼ ପାଟିରେ, ନିରୁତ୍ସାହିତ ହୋଇ କହିବା–‘‘ହଁ, ଅଛି ଯେ, ହେଲେ କ’ଣ ହେବ, ବିପଦ ତ ଚାରିଆଡ଼େ । ମଣିଷ କେତେ ସାବଧାନ ହେବ ? ସବୁ ଜିନିଷ ମଲ୍ଲୀଫୁଲ ତୋଳିବା ଭଳି ସହଜ ନୁହେଁ; କାରଣ ଗୋଲାପ ଫୁଲ... ଉଦାହରଣସ୍ୱରୂପ ମୋ ପ୍ରେମ କାହାଣୀ ଶୁଣ ।’’

ପ୍ରଦୋଷ ପ୍ରେମ କରୁଥିଲା ଏକ ଅତ୍ୟାଧୁନିକ, ସୁନ୍ଦରୀ ଝିଅକୁ । ବିଚିତ୍ର ଘଟଣାରୁ ଝିଅଟି ସହିତ ପ୍ରେମ ଗଢ଼ି ଉଠିଥିଲା । ପ୍ରଥମେ ଝିଅଟିକୁ ଆକର୍ଷଣ କରିବାର ସମସ୍ତ ଚେଷ୍ଟା ବିଫଳ ହେବା ପରେ ସେ ବିରକ୍ତି ଓ ହତାଶରେ ମନକୁ ମନ କହି ପକାଇଥିଲା–‘ଯା’ବେ, ଭାରି ଦେଖେଇ ହେଉଛି । ଏ ଚିଲା ଆଖିଆ, ବଡ଼ ନାକିଆ ଟୋକିକୁ କିଏ ପଚାରେ ?’’

କିଛିଦିନ କଟିଗଲା ପରେ ଏକଦା ଝିଅର ଦୁଇବର୍ଷର ଏକମାତ୍ର ଭାଇକୁ ବଜାରରେ ଖେଳୁଥିବାର ଦେଖିଲା ପ୍ରଦୋଷ । ତାକୁ ଦେଖିବାମାତ୍ରେ, ଚିଲ ଭଳି ଝାମ୍ପିନେଲା ସେ । ମାତ୍ର ତା’ କୋଳକୁ ଆସି ପିଲାଟି ନ କାନ୍ଦିବାରୁ ପ୍ରଦୋଷ ତାକୁ ଚିମୁଟିଲା ଓ ତା’ର ସର୍ବାଙ୍ଗକୁ ଧୂଳି-ଧୂସରିତ କରି ପକାଇଲା । ପିଲାଟି ଏଥର କାନଫଟା ଚିତ୍କାର କରିବାରୁ ପ୍ରଦୋଷ ତାକୁ ନେଇ ଆସିଲା ତା’ ଘରକୁ । ଘରେ ସେତେବେଳେ ସେଇ ଝିଅ ଓ ତା’ ମା’ ପିଲାଟାକୁ ଖୋଜି ଖୋଜି ନୟାନ୍ତ ହୋଇ ଯାଇଥିଲେ । ତାଙ୍କ ସାମନାରେ କ୍ରନ୍ଦନରତ ପିଲାଟାକୁ ଠିଆ କରାଇ ମୁରବିପଣିଆ ଆରମ୍ଭ କଲା ପ୍ରଦୋଷ–‘ଆପଣମାନେ ଏତେ ଦାୟିତ୍ୱହୀନ ବୋଲି ମୋର ଧାରଣା ନ ଥିଲା । ପିଲାଟାକୁ ଏକୁଟିଆ ଛାଡ଼ି ଦେଇଛନ୍ତି । ମୁଁ ଥିଲି ବୋଲି ସିନା; ନ ହେଲେ ମାଲ ବୋଝେଇ ଟ୍ରକଟା...ଓଃ ମୁଁ ଆଉ ଭାବି ପାରୁ ନାହିଁ । ଆଉ ଛ’ଇଞ୍ଚ ଗାଡ଼ିଟା ଆଗେଇ ଆସିଥିଲେ ଅବସ୍ଥାଟା କ’ଣ ହୋଇଥାନ୍ତା ଟିକିଏ ଚିନ୍ତା କରନ୍ତୁ ତ !’’

ଝିଅ ଓ ମା’ କୃତଜ୍ଞତାର ଲୁହ ଝରାଇ ପ୍ରଦୋଷର ଗୋଡ଼ ତଳେ ପଡ଼ିଯିବା ଉପରେ ।

ଝିଅଟିର ସମସ୍ତ ହାତଲେଖା ଚିଠି ଓ ଉପହାର ଏବେ ବି ତା’ ଟ୍ରଙ୍କରେ ଥିବ । ଦୁହିଁଙ୍କର ବାହାଘର ବି ଠିକ୍ ହୋଇ ଯାଇଥିଲା; କିନ୍ତୁ–ରାତି ବାରଟା ବେଳେ ଘର ପଛକୁ ଲାଗିଥିବା ବଗିଚାରେ ଦେଖାକରିବାକୁ ଝିଅଟି ଅନୁରୋଧ କରିଥିଲା । ଠିକ୍ ସମୟରେ ଯଥାସ୍ଥାନରେ ପହଞ୍ଚି ପ୍ରଦୋଷ ପ୍ରେମିକାକୁ ପାଇଲା ନାହିଁ; ପୁଣି ଦୁର୍ଯ୍ୟୋଗକୁ ବାଘ ଭାଲୁ ଇତ୍ୟାଦି ଶିକାରପ୍ରିୟ ଝିଅର ବାପ ହାତରେ ସେ ଧରା ପଡ଼ିଗଲା । ପ୍ରଦୋଷ ଯେ ତାଙ୍କର ଜାମାତା ହେବାକୁ ଯାଉଛି ଏବଂ ତାଙ୍କର ଏକମାତ୍ର ପୁଅକୁ ନିଶ୍ଚିତ ଟ୍ରକ୍ ଦୁର୍ଘଟଣାରୁ ରକ୍ଷା କରିଛି ଏ କଥା ଭୁଲିଗଲେ ସେ । ତା’ କାନଧରି ଗାଲରେ ଦୁଇ ଚଟକଣା ବସାଇବା ପରେ ସେ କହିଲେ–‘‘ତୁମକୁ ଗୁଳି କରିଦେବି ବର୍ତ୍ତମାନ ।’’

ତାଙ୍କ ଝିଅର ଅନୁରୋଧ ରକ୍ଷାକରି ଆସିଛି ବୋଲି କହିବା ମାତ୍ରେ ଝିଅକୁ ଡକାଗଲା । ପ୍ରଦୋଷକୁ ବିସ୍ମିତ କରି ଶାନ୍ତ ସ୍ୱରରେ ପ୍ରେମିକା ଜବାବ ଦେଇଥିଲା–‘‘ମୁଁଏତେ ତଳକୁ ଖସି ଯାଇନାହିଁ । ଏଭଳି ବଜାରୀ ସଙ୍ଗେ ବାହା କରାଇଲେ ମୁଁ ପୋଖରୀକୁ ଡେଇଁପଡ଼ି ଆତ୍ମହତ୍ୟା କରିବି !’’

ଝିଅର ବାପା ଦୁଇ-ଚାରିଟା ଗୁଣ୍ଡାଙ୍କୁ ଡାକିଥିଲେ । ପ୍ରଦୋଷ ବିସ୍ତର ମାଡ଼ ଖାଇଥିଲା ।

ଅତୀତ ଜୀବନରେ ଏଇ ପ୍ରେମକାହାଣୀ ମନେ ପକାଇ ପ୍ରଦୋଷ ଦୀର୍ଘଶ୍ୱାସ ତ୍ୟାଗ କରିବାର ଅନୁଭବ କଲା । ଏ ଘଟଣା ଘଟିଲା ସେ ଅସାବଧାନ ହୋଇ ପଡ଼ିଥିଲା ବୋଲି । ତେବେ ଝିଅର ରୂପ ସବୁଦିନ ପାଇଁ ପ୍ରତିଫଳିତ ହୋଇଥିଲା ତା’ ମନ-ଆଇନାରେ ।

ପୃଥିବୀ ତାକୁ ଆହୁରି ଅନେକ ଜିନିଷ ଦେଇଥିଲା । ବ୍ୟବସାୟରେ ନିଜ ଅଂଶୀଦାରକୁ ଠକି ଲକ୍ଷାଧିକ ଟଙ୍କାର ମାଲିକ ହୋଇ ପାରିଥିଲା ସେ । ଅଂଶୀଦାରର ଅଭିଶାପ ହତାଶ ମଣିଷର ହାହାକାର ଭଳି କୋଳାହଳ ମୁଖରିତ ପୃଥିବୀରେ ଲୀନ ହୋଇ ଯାଇଥିଲା ।

ବ୍ୟବସାୟକୁ ଆଶାତୀତଭାବେ ସଂପ୍ରସାରିତ କରିପାରିଥିଲା ଧୂର୍ତ୍ତତା ବଳରେ । ବାକ୍ୟ ମଧ୍ୟରେ କମା, ସେମିକଲନ୍ ଭଳି ବ୍ୟବସାୟର ଗତି ବେଳେ ବେଳେ ସରକାରୀ ଅଫିସରଙ୍କଦ୍ୱାରା ବାଧାପ୍ରାପ୍ତ ହେଉଥିଲା; ମାତ୍ର ସେ ଜାଣିଥିଲା ପରିସ୍ଥିତିର କିଭଳି ମୁକାବିଲା କରାଯାଇ ପାରେ ।

ସେ ବର୍ତ୍ତମାନ ପୃଥିବୀର ବହୁ ଊର୍ଦ୍ଧ୍ୱରେ । ସେ ଜାଣି ପାରୁ ନଥିଲା ଟ୍ରଙ୍କରେ ଥିବା ପ୍ରେମିକାର ଚିଠିଗୁଡ଼ାକର ଅବସ୍ଥା କ’ଣ । ଡାକ୍ତରୀ ଔଷଧଗୁଡ଼ାକ ଏବେ ବି ସେଲଫରେ ଥିବ । ମରିବ ବୋଲି ଜାଣିଥିଲେ ସେ ସମସ୍ତ ଔଷଧ ଉଦରସାତ୍ କରି ଦେଇଥାନ୍ତା । ଆଉ କିଛି ସମୟ ହୁଏତ ବଞ୍ଚି ଯାଇଥାନ୍ତା ସେ । ନୂଆ ଟ୍ରକଟା ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଟରେ ପଡ଼ି ରହିଥିଲା-। ସେଥିପାଇଁ କି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି କେଜାଣି ? ପୁଅଟା ବୋଧହୁଏ ଟିକିଏ ଦାୟିତ୍ୱ ସମ୍ପନ୍ନ ହୋଇଯାଇଥିବ ।

ଯନ୍ତ୍ରଣା ଓ ଆନନ୍ଦ ହୋଇଥିବା ପାର୍ଥିବ ପୋଷାକଟିକୁ ସେ ସତୁରି ବର୍ଷ ପରେ ପରିହାର କରି ନିଜକୁ ମୁକ୍ତ କରି ପାରିଛି । ଏଥର ଖୁବ୍ ଉଶ୍ୱାସ ଲାଗୁଛି ତାକୁ ।

ଏଇ ତେବେ ଜୀବନ !

ସୃଷ୍ଟିର ଶାଶ୍ୱତ ସ୍ରୋତରେ ଗୋଟିଏ କ୍ଷୁଦ୍ର କଣିକା ଥିଲା ସେ । ସେଠାରୁ ସ୍ଥାନଚ୍ୟୁତ ହେବା ପରେ, ସେହି ସ୍ରୋତରେ କୌଣସି ପ୍ରକାରର ଅଭାବ କିମ୍ୱା କାହାରି ଅନୁପସ୍ଥିତି ପରିଲକ୍ଷିତ ହେଉ ନାହିଁ । ପ୍ରଦୋଷ ଉପଲବ୍‍ଧି କଲା, କେତେ ଗୁରୁତ୍ୱହୀନ, ଅନାବଶ୍ୟକ ଏ ଜୀବନ; ଯାହାର ସଂରକ୍ଷଣ ପାଇଁ ମଣିଷକୁ ଅହୋରାତ୍ର ସଂଗ୍ରାମ କରିବାକୁ ହୋଇଥାଏ ଏବଂ ବେଳେ ବେଳେ ଭଗବାନଙ୍କ ବିରୁଦ୍ଧରେ ଯିବାକୁ ପଡ଼ିଥାଏ ।

ଅଶରୀରୀ ହୋଇଥିଲେ ମଧ୍ୟ ଲୁହର ଉଷ୍ମତା ଅନୁଭବ କଲା ସେ ।

ଏକ ବିସ୍ମୟକର ଘଟଣା ଘଟିଲା ଠିକ୍ ଏହି ସମୟରେ । ଖୁବ୍ ନିକଟରୁ କେହି ଜଣେ ମଧୁର କଣ୍ଠରେ ନିମ୍ନଲିଖିତ କଥା କହୁଥିବାର ଶୁଣାଗଲା–

‘‘ବତ୍ସ ପ୍ରଦୋଷ, ତୁମେ ଅଧ ଘଣ୍ଟାଏ ହେବ ପୃଥିବୀ ତ୍ୟାଗ କଲଣି । ତୁମର ଆତ୍ମା ଅବିନଶ୍ୱର । ସେହି ଆତ୍ମା ସମ୍ମୁଖରେ ବର୍ତ୍ତମାନ ଦୁଇଟି ପଥ ଉନ୍ମୁକ୍ତ । ପ୍ରଥମତଃ ତୁମେ ଯଦି ଇଚ୍ଛା କର, ତେବେ ତୁମର ଆତ୍ମା ଭଗବାନଙ୍କର ଶରଣାପନ୍ନ ହୋଇ ସ୍ୱର୍ଗୀୟ ସୁଖ-ଶାନ୍ତି ଲାଭ କରିପାରିବ... ।’’

ପ୍ରଦୋଷ ଏତକ ଶୁଣି ପାଟିକରି ଉଠିଲା–‘‘ଆଉ କିଛି ଶୁଣିବା ଆବଶ୍ୟକ ନାହିଁ । ମୁଁ ଭଗବାନଙ୍କର ଆଶିଷ ଚାହେଁ । ପୃଥିବୀକୁ ଫେରିଯିବାପାଇଁ ମୋର ଆଉ... ।’’

–‘‘ମୋ କହିବାରେ ବାଧା ସୃଷ୍ଟି କରନା ।’’ ପୁଣି ସେହି ମଧୁର କଣ୍ଠ ଶୁଭିଲା–‘‘ମୁଁ ଭଗବାନଙ୍କ ଦୂତ । ଗୋଳମାଳ କଲେ ସିଧା ନରକକୁ ପଠାଇ ଦିଆଯିବ; କାରଣ ତୁମକୁ ଜବତ କରିବାପାଇଁ ଏଠାରେ ପୋଲିସ ନାହାନ୍ତି ।’’

ନୀରବ ହେବାପରେ ସେ ଶୁଣିବାକୁ ପାଇଲା–‘‘ଦ୍ୱିତୀୟତଃ ତୁମେ ପୁନରାୟ ପୃଥିବୀକୁ ଫେରି ଯାଇ ପାରିବ । ଆଗାମୀ ଜୀବନରେ ତୁମେ କ’ଣ ହେବ ତାହା ବର୍ତ୍ତମାନ ତୁମକୁ ଜଣାଇ ଦିଆଯିବ । ସେସବୁ ଅବଗତ ହେବାପରେ କେଉଁଟିକୁ ତୁମେ ପସନ୍ଦ କରିଛ, ତାହା ଆମେ ଜାଣିପାରିବୁ ଏବଂ ତୁମ ଇଚ୍ଛାନୁସାରେ ଆମେ ତୁମକୁ ଭଗବାନଙ୍କ ନିକଟକୁ କିମ୍ୱା ପୃଥିବୀକୁ ପଠାଇଦେବୁ । ଆଉ ଗୋଟିଏ କଥା ମନେ ରଖିବ । ପୃଥିବୀକୁ କିମ୍ୱା ଭଗବାନଙ୍କ ନିକଟକୁ ପଠାଇବା ପୂର୍ବରୁ ତୁମର ସ୍ମୃତି ବିସ୍ମୃତି ଗର୍ଭରେ ଲୋପ କରି ଦିଆଯିବ, ତଦ୍ଦ୍ୱାରା ଅତୀତ ଜୀବନରେ ତୁମେ କ’ଣ ଥିଲ ଏବଂ ଆଗାମୀ ଜୀବନରେ କଣ ହେବାକୁ ଯାଉଚ ତାହା ତୁମେ ଆଦୌ ଜାଣି ପାରିବନାହିଁ ।’’ କିଛି ସମୟର ନୀରବତା ପରେ ସେହି ସ୍ୱର ଶୁଭିଲା–‘‘ଆଗାମୀ ଜୀବନର କେତୋଟି ଉଲ୍ଲେଖଯୋଗ୍ୟ ଘଟଣାର ଛବି ତୁମ ସାମନାରେ ପ୍ରଦର୍ଶନ କରାଯିବ । ତୁମେ ଅଶରୀରୀ ହୋଇଥିଲେ ମଧ୍ୟ ସବୁକଥା ଜାଣି ପାରିବ ।’’

କିଛି ସମୟ ପରେ ।

ଆଧୁନିକ ଧରଣର ତିନି ମହଲା ପ୍ରକାଣ୍ଡ କୋଠାଘର ଦେଖାଗଲା ପ୍ରଦୋଷ ସମାନରେ-। ସାଇନବୋର୍ଡ଼ରୁ ସେ ବୁଝି ପାରିଲା, କୋଠାଟା ବିଶିଷ୍ଟ ଶିଳ୍ପପତି ମିଃ ସାକ୍‍ସେନାଙ୍କର Administrative and Export Office–ମିଃ ସାକ୍‍ସେନା ନିଜର ଶୀତତାପ-ନିୟନ୍ତ୍ରିତ ଅଫିସରେ ବସି ଆକର୍ଷଣୀୟ ମହିଳା ଷ୍ଟେନୋଗ୍ରାଫରକୁ ଡିକ୍ଟେସନ ଦେଉଥିଲେ । କାଚ ଲାଗିଥିବା ଦ୍ୱାର ମଧ୍ୟଦେଇ ଅନ୍ୟ ଏକ କୋଠରୀ ଦେଖାଯାଉଛି । ସେଠାରେ ତିନି ଚାରିଜଣ ଆଧୁନିକା ତରୁଣୀ ଟାଇପ୍ କରିବାରେ ବ୍ୟସ୍ତ ।

ସେହି ମଧୁର ସ୍ୱର ଶୁଭିଲା ପ୍ରଦୋଷକୁ–‘‘ଯଦି ପୃଥିବୀକୁ ଫେରି ଯିବାକୁ ଚାହ, ତେବେ ଆଗାମୀ ଜୀବନରେ ତୁମେ ମିଃ ସାକସେନା ହେବ । ଅତୀତ ଜୀବନରେ ରାତି ବାରଟାବେଳେ ପ୍ରେମିକାକୁ ଦେଖା କରିବାପାଇଁ ତୁମେ ତାଙ୍କ ବଗିଚାରେ ପଶିଥିଲ ଏବଂ କେତେକ ଗୁଣ୍ଡାଙ୍କଦ୍ୱାରା ମାଡ଼ ଖାଇଥିଲ । ମନେ ଅଛି ? ଏଇ ଯେଉଁ ଷ୍ଟେନୋ ଓ ଟାଇପିଷ୍ଟମାନଙ୍କୁ ଦେଖିଲ, ସେମାନେ ଅତୀତ ଜୀବନରେ ସେଇ ଗୁଣ୍ଡା ଥିଲେ ।’’

ପ୍ରଦୋଷ ଉତ୍‍ଫୁଲ୍ଲ ହୋଇ କହିପକାଇଲା–‘‘ଦେଉଛି ଏ ଶଳାଙ୍କୁ ଥଣ୍ଡା କରି । ଆଃ...ଏତେ ଧନ, ଏତେ କ୍ଷମତା !!’’

ତା ପରେ ଦେଖାଗଲା ଏକ ସୁନ୍ଦର ବାସଗୃହ । ଚାରି ପାଖରେ ସବୁଜ ଲନ୍, ଦେଶୀ ବିଦେଶୀ ଫୁଲଗଛ । ଲନରେ ପଡ଼ିଥିବା ଦୁଇଟି ଚୌକିରେ ବସିଛନ୍ତି ମିଃ ସାକ୍‍ସେନା ଓ ଜଣେ ରୂପସୀ ମହିଳା । ଗୋଟିଏ ବୃଦ୍ଧ ଚାକର କଫି ଆରି ଟି-ପୟ ଉପରେ ରଖିଛି ।

ରାତି–

କ୍ଲବର ମ୍ଳାନ ଆଲୋକରେ ସେହି ମହିଳା ବିଦେଶୀ ପାନୀୟ ପିଇ ଅନ୍ୟ ଏକ ଯୁବକ ସଙ୍ଗେ ବଲ୍ଡ଼ାନ୍‍ସ କରୁଥିବାର ଦେଖିଛନ୍ତି ମିଃ ସାକସେନା । ମହିଳା ଉକ୍ତ ଯୁବକଙ୍କ ଛାତିରେ ନିଜକୁ ଜଡ଼ାଇ ଧରି କ୍ରମେ ବିବସ୍ତ୍ରା ହୋଇ ପଡ଼ୁଛନ୍ତି ।

ପୁନର୍ବାର ସେହି ମଧୁର ସ୍ୱର–‘‘ଯେଉଁ ମହିଳାଙ୍କୁ ତୁମେ ବର୍ତ୍ତମାନ ଦେଖିଲ ସେ ଆଗାମୀ ଜୀବନରେ ତୁମର ସ୍ତ୍ରୀ ହେବେ ଏବଂ ଅତୀତ ଜୀବନରେ ତୁମର ପ୍ରେମିକ ଥିଲେ । ବୃଦ୍ଧ ଚାକରଜଣକ ଅତୀତ ଜୀବନରେ ତୁମ ପ୍ରେମିକାର ବାପା ଥିଲେ ।’’

ପ୍ରଦୋଷ ଆତ୍ମ-ସନ୍ତୋଷରେ ହସି ପକାଉଥିଲା; କିନ୍ତୁ ସେହି ସ୍ୱର କହି ଚାଲିଲା–‘‘ତୁମ ସ୍ତ୍ରୀକୁ ଅନ୍ୟ ଲୋକ ସହିତ ବଲ୍‍ଡ଼ାନସ କରିବାର ଦେଖି ତୁମେ କାହିଁକି ବିଚଳିତ କିମ୍ୱା ଉତ୍ତ୍ୟକ୍ତ ନ ହେଲ, ତା’ର କାରଣ କହିବା ବୋଧହୁଏ ଦରକାର ନାହିଁ । ଆଗାମୀ ଜୀବନରେ ତୁମେ ନିଜର କିମ୍ୱା ନିଜ ସ୍ତ୍ରୀର ଚରିତ୍ର ଉପରେ ଆଦୌ ଗୁରୁତ୍ୱ ଦେବନାହିଁ ।’’

ଏକ ବିଚାରାଳୟର ଦୃଶ୍ୟ–

ମିଃ ସାକ୍‍ସେନା କାଠଗଡ଼ାରେ ଠିଆ ହୋଇଛନ୍ତି ଏବଂ ବିଚାରପତି ରାୟ ପଢ଼ୁଛନ୍ତି । ଦଶବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଦିଆଗଲା ମିଃ. ସାକ୍‍ସେନାଙ୍କୁ । ବିଚାରାଳୟରୁ ବାହାରକୁ ଆଣିବା ସଙ୍ଗେ ସଙ୍ଗେ ସହସ୍ରାଧିକ ଲୋକ ତାଙ୍କ ଉପରକୁ ଯୋତା, ଚପଲ, ଛୋଟ ଛୋଟ ଇଟାଖଣ୍ଡ ଫୋପାଡ଼ିଲେ ।

ଏହି ଦୃଶ୍ୟକୁ ମଧ୍ୟ ବୁଝାଇ ଦିଆଗଲା–‘‘ବ୍ୟବସାୟରେ ଦୁର୍ନୀତି, ନିଜ ଷ୍ଟେନୋ ଓ ଟାଇପିଷ୍ଟମାନଙ୍କ ପ୍ରତି ଅସଦାଚରଣ, ଶିଳ୍ପାନୁଷ୍ଠାନରେ ଚାକିରି ଦେବାପାଇଁ ପ୍ରଲୋଭନ ଦେଖାଇ କେତେକ ତରୁଣୀଙ୍କ ପ୍ରତି ଆପତ୍ତିଜନକ ବ୍ୟବହାର ଇତ୍ୟାଦି ଅଭିଯୋଗ ହେତୁ ଆଗାମୀ ଜୀବନରେ ଜେଲଦଣ୍ଡ ଭୋଗ କରିବାକୁ ହେବ (ଅବଶ୍ୟ ପୃଥିବୀକୁ ଫେରିବାପାଇଁ ଯଦି ତୁମେ ଇଚ୍ଛା କରୁଥାଅ) । ଯାହାଙ୍କୁ ତୁମେ ବିଚାରପତି ଆସନରେ ଦେଖିଲ ଅତୀତ ଜୀବନରେ ସେ ତୁମ ବ୍ୟବସାୟରେ ଅଂଶୀଦାର ଥିଲେ । ଯେଉଁମାନେ ତୁମ ଉପରକୁ ଯୋତା, ଚପଲ, ଫୋପାଡ଼ିଲେ, ଅତୀତ ଜୀବନରେ ସେମାନେ ଯଥେଷ୍ଟ ଯନ୍ତ୍ରଣା ପାଇଥିଲେ ତୁମଠାରୁ । ତୁମର ଭେଜାଲ ଜିନିଷ ବ୍ୟବହାର କରି ସେମାନେ ରୋଗାକ୍ରାନ୍ତ ହୋଇଥିଲେ ।’’

ବକ୍ତବ୍ୟ ଶେଷ ହେବାକ୍ଷଣି ଏକ କରୁଣ, ମର୍ମନ୍ତୁଦ ଦୃଶ୍ୟ ପ୍ରଦୋଷ ସାମନାରେ ଉଦ୍‍ଘାଟିତ ହେଲା । ମିଃ ସାକସେନା ବୃଦ୍ଧ ହୋଇଯାଇଛନ୍ତି ଓ ଜୀବନର ଶେଷ ମାଇଲଖୁଣ୍ଟି ଅତିକ୍ରମ କରିବାକୁ ଆଗେଇ ଚାଲିଛନ୍ତି । ଡାକ୍ତରଖାନା । ଚାରିଆଡ଼େ ରୋଗୀ ଓ ସେମାନଙ୍କର ଆର୍ତ୍ତନାଦ । ମୃତ୍ୟୁ ଓ ଯନ୍ତ୍ରଣା । ଇଞ୍ଜେକ୍ସନ୍ ସିରିଞ୍ଜ ଓ ନର୍ସର ଦ୍ରୁତ ପଦକ୍ଷେପ । ମିଃ ସାକ୍‍ସେନାଙ୍କର କେହି ଆତ୍ମୀୟ ନାହାନ୍ତି । ଦୀର୍ଘ ସମୟ ଧରି ସେ ଯନ୍ତ୍ରଣାରେ ଛଟପଟ ହେଲେ ।

ତା‘ପରେ–

ଶୁଭ୍ର ପୋଷାକ-ପରିହିତ ନର୍ସ ଜଣେ ଅବିଚଳିତ ଭାବରେ ଏକ ଶୁଭ୍ର ଚଦର ଘୋଡ଼ାଇ ଦେଲା ତାଙ୍କ ଉପରେ ।

ଏଇ ଦୃଶ୍ୟଟିକୁ ବୁଝାଇ ଦେବା ଦରକାର ପଡ଼ିଲା ନାହିଁ ।

ତୁମ ସାମନାରେ ଦୁଇଟି ପଥ ଉନ୍ମୁକ୍ତ । କେଉଁ ପଥରେ ତୁମେ ଯିବାକୁ ଚାହଁ–ପ୍ରଥମଟିରେ, ନା, ଦ୍ୱିତୀୟଟିରେ ?

ମୋତେ ଭାବିବାକୁ ଦିଅ ।

ପ୍ରଦୋଷର ଅତୀତ ଓ ଆଗାମୀ ଜୀବନର ସମସ୍ତ ସ୍ମୃତିକୁ ଧୋଇ ଦିଆଗଲା ବିସ୍ମୃତିର ପାଣିରେ ।

ତାକୁ ପୁଣି ଥରେ ପୃଥିବୀକୁ ପଠାଇ ଦିଆଗଲା ।

Image

 

ଆରୋହଣ

 

ଚିତ୍କାର କରି ସିଲଭର ଥାଳିରେ ଧରିଥିବା ଜିନିଷର ପ୍ରଚାର ପାଇଁ ସେ ପୁଣିଥରେ ଚେଷ୍ଟାକଲା; କିନ୍ତୁ କାହିଁ ? ଜମା ହେଲା ନାହିଁ ? ବିଜ୍ଞାପନଟା ହେଇବାହାରିବ, ବାହାରିବ ହୋଇ ଅଟକିଗଲା ତଣ୍ଟି ଆରପଟେ ।

କାହିଁ କେତେ ବର୍ଷ ତଳର ପୁରୁଣା କାଳିଆ ସିଲଭର ଥାଳି ଉପରେ ବାରଟି ଗୁଡ଼ମଖା ଚୂଡ଼ାଲଡ଼ୁ ଥୁଆ ହୋଇଛି । ଥରେ ସେଇ ଆଡ଼କୁ ଚାହିଁ ଧାରଣା ଉପରେ ହାମୁଡ଼େଇ ଥକ୍କା ମେଣ୍ଟଉଥିବା ଏଡ଼େ ଲମ୍ୱା ରେଲଗାଡ଼ି ଆଡ଼କୁ ହାଡ଼ିବନ୍ଧୁ ଦୃଷ୍ଟି ଫେରାଇଲା । ସେ ଦୃଷ୍ଟିରେ ଥିଲା ଅନେକ ବ୍ୟାକୁଳତା ଓ ନିପାରିଲା ପଣ ଯୋଗୁଁ ଆତ୍ମ-ତିରସ୍କାର । ପ୍ଲାଟଫର୍ମ ଉପରେ ସେ ପ୍ରଥମଥର ପାଇଁ ଠିଆ ହୋଇ ନାହିଁ । ଯେତେଥର ସେଠାରେ ଠିଆ ହୋଇଛି, ସେ ଅନୁଭବ କରିଛି ସବୁ ଯେମିତି ସହଜ ଓ ଗତାନୁଗତିକ । ଡବା ଭିତରକୁ ଯାତ୍ରୀମାନଙ୍କର ପ୍ରବେଶ, ଚା’-ପାନ ଇତ୍ୟାଦିର ବିକାକିଣା, ବଚସା, ଆହୁରି କେତେ କ’ଣ । ସବୁ ଘଟି ଯାଉଛି ଆପଣାଛାଏଁ କୌଣସି ମଣିଷର ନିର୍ଦ୍ଦେଶକୁ କିମ୍ୱା କୌଣସି ଅଲୌକିକ ଶକ୍ତିର ହାତ ସଫେଇକୁ ଅପେକ୍ଷା ନ କରି । ପ୍ଲାଟଫର୍ମ ଉପମରେ ସେ ଠିଆ ହେବା ଭଳି, ଜିନିଷପତ୍ର ବିକାକିଣା, ଠେଲା ପେଲା ତା’ ପାଇଁ ଏକାବେଳକେ ବୈଚିତ୍ର୍ୟହୀନ ଜଣା ପଡ଼ୁଥିଲା ।

ଅଥଚ ବର୍ତ୍ତମାନ ପରିବେଶଟା ସଂପୂର୍ଣ୍ଣ ଅଲଗା ଜଣା ପଡ଼ୁଛି । ସିଲଭର ଥାଳିରେ ଥୁଆ ହୋଇଥିବା ଗୁଡ଼ମଖା ଚୂଡ଼ାଲଡ଼ୁ ଗୁଡ଼ିକ ହଠାତ୍ ବୋଝ ଭଳି ଓଜନିଆ ଓ ବିରକ୍ତିକର ହୋଇ ପଡ଼ିଛି-। ଏକ ବିଚିତ୍ର ଅସ୍ତିରତା ହାଡ଼ିବନ୍ଧୁର ସମଗ୍ର ସତ୍ତାକୁ ଦୋହଲାଇ ଦେଲା । ହୃତ୍‍ସ୍ପନ୍ଦନ, ଏପରିକି ତା’ ଶିରା-ପ୍ରଶିରାରେ ପ୍ରବାହିତ ହେଉଥିବା ରକ୍ତରଗତି ତାକୁ ଅଣନିଃଶ୍ୱାସୀ କରିଦେଲା । ପ୍ଲାଟଫର୍ମର କୋଳାହଳ ଓ ନିଜର ଅକ୍ଷମତା ଯୋଗୁ କେତୋଟି ମୁହୂର୍ତ୍ତ ପାଇଁ ସେ ହରାଇ ବସିଲା ସମସ୍ତ ବିଚାରବୋଧ ଏବଂ କର୍ତ୍ତବ୍ୟ । ତା’ ଆଗରେ ଉପସ୍ଥିତ ଥିବା ସମସ୍ତ ଜିନିଷ ଝାପ୍ସା ଓ ଉପହାସମୟ ଜଣାଗଲା ।

ଫୋପାଡ଼ି ଦେବ ? ଥାଳି ସମେତ ଚୂଡ଼ାଲଡ଼ୁ ଗୁଡ଼ାକ ଫୋପାଡ଼ି ଦେବ ପ୍ଲାଟଫର୍ମ ତଳକୁ ? ଚୂଡ଼ାଲଡ଼ୁ ! କ’ଣ ନା, ଚୂଡ଼ାଲଡ଼ୁ ! ଏମିତି ଜିନିଷ କିଏ ଭଲା ବିକ୍ରି କରିଛି ଏଠାରେ ! କିଏ କିଣିବ ଏସବୁ ? ଏଥର ସେ କ୍ଷୁବ୍ଧ ଓ ଅପମାନିତ ବୋଧ କଲା । ସତେ ଯେପରି ସେ ଧରିଥିବା ଦରବ ତାକୁ ସଙ୍କୁଚିତ ଓ ହାସ୍ୟାସ୍ପଦ କରି ଦେଉଛି । କ’ଣ କରିବ ସେ ? ଫୋପାଡ଼ି ଦେବ ଥାଳି ସମେତ ଲଡ଼ୁଗୁଡ଼ାକୁ ? ନା, କେବଳ ଲଡ଼ୁଗୁଡ଼ାକୁ ଫୋପାଡ଼ି ଦେବ ?

ସେ ଆଗେଇଗଲା ଦୁଇପାହୁଣ୍ଡ ପ୍ଲାଟଫର୍ମ ଧାର ଆଡ଼କୁ । କିଛି କରିବା ଆଗରୁ ତା’ର ଅସହାୟ ଦୃଷ୍ଟି ପହଁରି ଆସିଲା କୋଳାହଳ, ବ୍ୟସ୍ତ ମଣିଷ ଓ ଚିତ୍କାରର ଗଣ୍ଡଗୋଳିଆ ପରିବେଶ ଉପରେ । ତା’ଠାରୁ ଅଳ୍ପ ଦୂରରେ ଖାକି ପେଣ୍ଟ-କମିଜ ପିନ୍ଧିଥିବା ଅନାମ କପ୍ ପରେ କପ୍ ବାମ୍ଫ ଉଠା ଚା’ ବଢ଼ାଇ ଦେଉଛି ଡବା ଭିତରକୁ । ପକେଟରେ ପଇସା ରଖୁଛି ଏବଂ ନିରବଚ୍ଛିନ୍ନ ଭାବରେ ‘ଗରମ ଚା’, ଚା’ ଗରମ’ ବୋଲି ତଣ୍ଟିଫଟା ଚିତ୍କାର କରୁଛି । ଏ କଡ଼କୁ ପାନ-ବିଡ଼ି ସିଗାରେଟ୍ ବିକାଳୀ ମଧୁ ଅବିରମା ଭାବରେ ବିକ୍ରିକରି ଚାଲିଛି ନିଜ ଜିନିଷ । କମଳା, ସେଓ, କଦଳୀ, ଅଙ୍ଗୁର, ଖବର କାଗଜ–ସବୁ ହସ୍ତାନ୍ତରିତ ହୋଇ ଯାଉଛି, ବିକାଳୀଙ୍କ ଚିତ୍କାରର କୁହୁକ ବଳରେ ।

ପ୍ରାଣମୂର୍ଚ୍ଛା ପ୍ରତିଯୋଗିତା । ଗୋଟିଏ ଜିନିଷର ପ୍ରୟୋଜନୀୟତା ବିକାଳୀ ଚିତ୍କାରର ମାନଦଣ୍ଡରେ ମପା ଯାଉଛି ! ଯିଏ ଯେତେ ଚିତ୍କାର କରି ପାରିଲା, ତା’ ଦରବ ସେତିକି ବିକ୍ରି ହେଲା-। ଆଉ ଏ ଚିତ୍କାରର ଯେଉଁ ଜଙ୍ଗଲ ସୃଷ୍ଟି ହୋଇଛି, ସେଠାରେ ତା’ର ସ୍ଥିତି କ’ଣ, କେଉଁଠି ? ପବନରେ ଅସ୍ତବ୍ୟସ୍ତ ହୋଇ ଥରୁଥିବା ଘାସଟିଏ, ନା, ଆଉ କିଛି ?

 

ହାଡ଼ିବନ୍ଧୁ କିଛି ଫୋପାଡ଼ି ପାରିଲା ନାହିଁ । ସ୍ଥିର ହୋଇ ଠିଆହେଲା । ନା, ଯାହାହେଉ ପଛେ ଚିତ୍କାର କରି ସେ ପ୍ଲାଟଫର୍ମକୁ ମୁଖରୀତ କରିବ । କୋଳାହଳର ଜଙ୍ଗଲରେ ତା’ର ଚିତ୍କାର ସବୁଠାରୁ ଡେଙ୍ଗା ହୋଇ ସଭିଙ୍କର ଶ୍ରୁତି ଆକର୍ଷଣ କରିବ । ପୁଣି ତା’ ଚିତ୍କାରରେ ମିଶି ରହିବ ପ୍ରଲୋଭନ । ସମସ୍ତେ ଯେମିତି ଭାବିବେ, ଏ ଲଡ଼ୁ ସାଧାରଣ ଜିନିଷ ନୁହେଁ । ଆଖିର ଲୁହ ପୋଛିବା ପାଇଁ, କାହାପାଖକୁ ଆବେଗମୟ ଚିଠି ଲେଖିବା ପାଇଁ, ପୁରୋହିତର ମନ୍ତ୍ର ଉଚ୍ଚାରଣ ପାଇଁ, ଧାନକଟା, ଅମୁଲ ଖର୍ଦ୍ଦି, କୋକେଇ ପ୍ରସ୍ତୁତି ପାଇଁ ଏ ଲଡ଼ୁ ଅପରିହାର୍ଯ୍ୟ ।

 

ସମସ୍ତ ଶକ୍ତି ଓ ଏକାଗ୍ରତା ଠୁଳ କରି ସେ ପାଟି ଖୋଲିଲା–ଗରମ ଚା’, ଚା’ ଗରମ । ସେଇକ୍ଷଣି ନିଜର ତ୍ରୁଟି ପ୍ରତି ସଚେତନ ହୋଇ ପଡ଼ିଲା । ନିଜକୁ ସଂଶୋଧନ କରିବାକୁ ଯାଇ ସେ କହିଲା–‘ନା, ନା, ଚା’ ନୁହେଁ–ଚୁଡ଼ା ଲଡ଼ୁ, ଚୂଡ଼ାଲଡ଼ୁ ।’

 

ଶେଷ ଶବ୍ଦଗୁଡ଼ିକ ସେ କହିଲା କି ନା, ନିଜେ ବି ଜାଣିପାରିଲା ନାହିଁ । ଭାବିଲା, ଆଜି ନୁହେଁ, ଆସନ୍ତା କାଲି । ନହେଲେ ତା’ ପରଦିନ । ନହେଲେ ତା’ ପରଦିନ । ନହେଲେ ତା’...

 

ଡେରି ହୋଇ ଯାଉଛି । ମୁହୂର୍ତ୍ତକଗୁଡ଼ାକ କେଉଁ ବାଟେ ଖସି ଯାଉଛନ୍ତି । ଅଥଚ ମନର ଯୋଜନା, ଏପରିକି ପ୍ଲାଟଫର୍ମ ଉପରେ ଠିଆ ହୋଇ ଚୂଡ଼ାଲଡ଼ୁ ବୋଲି ଚିତ୍କାରଟା ସ୍ଥଗିତ ରହି ଯାଉଛି । କେବେ ଆଉ ସେ ମଣିଷ ହେବ ?

 

କ୍ରୋଧମିଶା ବିଷର୍ଣ୍ଣଭାବ ତାକୁ କାବୁ କରି ପକାଇଲା । ଭାବିଲା ସେ ଯଦି ଶକ୍ତିଶାଳୀ ହୋଇ ଥାଆନ୍ତା, ତେବେ ପ୍ଲାଟଫର୍ମର ସମସ୍ତ ବିକାଳୀମାନଙ୍କୁ ସାଫ୍ କରି ଏଠାରେ ପ୍ରତିଯୋଗିତାଶୂନ୍ୟ ବାଣିଜ୍ୟ କରି ପାରନ୍ତା । ନହେଲେ, ଚା, କଦଳୀ, ଖବର କାଗଜ କିଣିବାକୁ ପ୍ରସାରିତ ହାତ ଭିତରେ ଜବରଦସ୍ତ ଚୁଡ଼ା ଲଡ଼ୁ ଧରାଇ ଦେଇ ଉଚିତ୍ ମୂଲ୍ୟ ଦାବୀ କରନ୍ତା ।

 

ଏପର୍ଯ୍ୟନ୍ତ ବି ଗାଡ଼ିଟା ଠିଆ ହୋଇଛି । କିଣାବିକା ବ୍ୟସ୍ତତା, ପାଟିତୁଣ୍ଡର କୌଣସି ବିରାମ ନାହିଁ । ମାତ୍ର ଏଇକ୍ଷଣି ଗାଡ଼ିଟା ଆଗକୁ ମାଡ଼ି ଚାଲିଲେ, ପାଉଁଶ ମୁଠାକୁ ପଛରେ ପକାଇ, ଗାମୁଛାରେ ମୁହଁ ପୋଛି ହୋଇ ମାଲ ଭାଇମାନେ ନୀରବରେ ଫେରିଲା ପରି, ସଭିଏ ଲଙ୍ଗଳା ଦିଶୁଥିବା ଧାରଣାକୁ ପଛ କରି ଫେରି ଆସିବେ । ହୁଏତ ଏ ଗାଡ଼ି ଘଣ୍ଟା ଘଣ୍ଟା ଧରି ଏଠାରେ ପଡ଼ି ରହିଲେବି କୋଳାହଳ କମି ଯାଆନ୍ତା ନାହିଁ । କ’ଣ ଅଛି ଏ ଗାଡ଼ିରେ କେଜାଣି ?

 

ଲଡ଼ୁ ବିକିବା ପାଇଁ ହାଡ଼ିବନ୍ଧୁ ଆଉ କୌଣସି ଚେଷ୍ଟା କଲା ନାହିଁ । ଏମିତିକା ତା ଥାଳି ଆଡ଼େ ଚାହୁଁଥିବା ଲୋକମାନଙ୍କୁ, ‘କିଣିବ ଚୂଡ଼ାଲଡ଼ୁ ?’ ବୋଲି ପଚାରି ପାରିଲା ନାହିଁ । ନିଜର ଏ ଅକ୍ଷମତାକୁ ଗ୍ରହଣ କରି ନେବା ପାଇଁ ନିର୍ଲିପ୍ତ ଭାବ ତା ମନରେ କିପରି ଏକ ପ୍ରଶାନ୍ତି ଆଣି ଦେଲା-। ନିଜର ଦାୟିତ୍ୱ, ପେଟର ଭୋକ, ବାପାଙ୍କର ସାମ୍ଭବ୍ୟ ମାଡ଼, ମା’ର ଗାଳି ଓ ପରେ ପରେ ପିଠି ଆଉଁସା–ସବୁ ଗୋଟାକ ପରେ ଗୋଟିଏ ପୋଛି ହୋଇଗଲା ତା’ ଚେତନାରୁ । ତା’ର ସମସ୍ତ ଭାବନା ଶକ୍ତି ଅଥର୍ବ ହୋଇଗଲା ଏବଂ ସେ ଗୋଟିଏ ଜୀବନ୍ତ ସତ୍ତା; ବାସ୍, ଖାଲି ଗୋଟିଏ ସ୍ପନ୍ଦନ ଭଳି ଠିଆ ହୋଇ ରହିଲା ସେଇ ସ୍ଥାନରେ । ଏକ ଅପୂର୍ଣ୍ଣ ଆଶା ମନରେ ଝୁଲି ରହିଲା ଭଳି, ସିଲଭର ଥାଳି ଓ ଲଡ଼ୁ ତାକୁ ଓଜନିଆ ଲାଗୁଥିଲା; କିନ୍ତୁ ପରେ ପରେ ସେ ଓଜନ ମିଳେଇଗଲା ସେଇ ଅଭୂତପୂର୍ବ, ସୁନ୍ଦର ଅନ୍ୟମନସ୍କତା ଭିତରେ ।

 

ହଠାତ୍ ଗାଡ଼ିର ହର୍ଣ୍ଣ ଦାଢ଼ୁଆ ଛୁରୀ ଭଳି ପ୍ଲାଟଫର୍ମର ସମସ୍ତ କୋଳାହଳକୁ ଚକ୍ କରି କାଟିଦେଲା । ହାଡ଼ିବନ୍ଧୁ ଫେରିଆସିଲା ନିଜ ଭିତରକୁ । ଆସ୍ତେ ଆସ୍ତେ ଗାଡ଼ି ଆଗଉଛି । ଅଳ୍ପ ସମୟ ପରେ ତାହାର ଶେଷ ଶବ୍ଦ କେଉଁଆଡ଼େ ଅପହୃତ ହୋଇଗଲା, ଆକାଶକୁ ପଠାଇଥିବା ଧୂଆଁ ହଜିଗଲା । ପ୍ଲାଟଫର୍ମଟା ଆଗ ଅପେକ୍ଷା ଆହୁରି ଆଲୋକିତ ଦେଖାଯାଉଛି । ଗହଳି ଆଉ ନାହିଁ ।

 

ଦିନ ଗୋଟାଏ ସେତେବେଳକୁ । ପାଞ୍ଚ ଘଣ୍ଟା ପୂର୍ବରୁ ଆଉ ଗାଡ଼ି ନାହିଁ । ଚାରିଆଡ଼େ ଟାଣଖରା । ବାଁ ହାତ ପାପୁଲିରେ ହାଡ଼ିବନ୍ଧୁ ମୁହଁର ଝାଳ ପୋଛିଲା ।

 

ସେ ଦିନର ସମସ୍ତ ପ୍ରସ୍ତୁତି, ଉତ୍କଣ୍ଠା ଓ ଉଦ୍‍ବିଗ୍ନତା ଚକଟି ମନ୍ଥି ହୋଇଗଲା । ସେସବୁ ପହଞ୍ଚି ପାରିଲା ନାହିଁ ଠିକଣା ଉଦ୍ଦେଶ୍ୟ ପାଖରେ । ସେ ଠିଆ ହୋଇଥିଲା ଅଥର୍ବ ଭଳି ଏବଂ ତାତ୍ପର୍ଯ୍ୟପୂର୍ଣ୍ଣ ମିନିଟ ଗୁଡ଼ାକ ଅତିକ୍ରାନ୍ତ ହୋଇଗଲେ । ତା’ର କ୍ଷୁବ୍ଧ ଓ ପରାଜିତ ମନ ସମସ୍ତ ତନ୍ତ୍ରୀଗୁଡ଼ାକ ନିର୍ମମ ଭାବରେ ସତେକି ଛିନ୍ନଭିନ୍ନ କରି ଦେଉଛି । ସେ ଅନୁଭୂତି ଏମିତି ବିଚିତ୍ର ଓ ଯନ୍ତ୍ରଣାପୂର୍ଣ୍ଣ ଥିଲା ଯେ, ଅବାଗିଆ ସିଲଭର ଥାଳି ଓ ଗୁଡ଼ମଖା ଚୂଡ଼ାଲଡ଼ୁ ଧରିଥିବା ଯୋଗୁଁ ଅପମାନବୋଧ ତା ମନରେ ରହିଲା ନାହିଁ । ସେ ଅନୁଭୂତି ତାକୁ ଗୋଟାଏ ନୂଆ ରାସ୍ତା ଚିହ୍ନେଇ ଦେଲା ।

 

ତାହା ସଂଘର୍ଷ ଓ ପ୍ରତିଯୋଗିତାର ରାସ୍ତା । ପକେଟ ଭିତରେ କେତୋଟି ପଇସା ରଖିବା ପୂର୍ବରୁ କିଭଳି ବିରତିହୀନ ଭାବରେ ଦଉଡ଼ିବାକୁ ହୁଏ, ତାହା ବୁଝିବାକୁ ଚେଷ୍ଟା କରୁଥିଲା ହାଡ଼ିବନ୍ଧୁ । ନିଦ କିମ୍ୱା ନୀରବତା ଚଳିବନାହିଁ ଏଠାରେ । ପ୍ରଥମେ ଭୟ ଓ ଆଶଙ୍କା ଏବଂ ତାପରେ ମନର ସଂକଳ୍ପ ତାକୁ କିଛିଟା ଉତ୍ତେଜିତ କରିଦେଲା ।

 

ଗହଳି ନ ଥିଲେ ମଧ୍ୟ ସେ ଅନୁଭବ କରୁଥିଲା, ଲୋକାରଣ୍ୟ ଭିତରେ ସେ ଠିଆ ହୋଇଛି । ଏକ ଅଭୁତପୂର୍ବ ବିଷ୍ଫୋରଣ ଘଟିବାରୁ ସେଠାକାର ସମସ୍ତ ଲୋକ ଚତୁରତାର ସହିତ ଯେ ଯୁଆଡ଼େ ଧାଇଁ ପଳାଇ ଯାଉଛନ୍ତି ଅନ୍ୟପାଇଁ ଅପେକ୍ଷା ନ କରି । ବାଟବଣା ହୋଇ ସେ ମିଛଟାରେ ଖାଲି ଅଣ୍ଡାଳି ହେଉଛି ଏବଂ ବିଷ୍ଫୋରଣ ଯୋଗୁଁ, ତା’ର ହାଡ଼-ମାଂସ ଖସି ଯାଉଛି ତା’ ଦେହରୁ । ପ୍ରତିଯୋଗିତାରେ ଅନ୍ୟ ପାଇଁ ଭାବିବାକୁ କାହାର ଗରଜ ଅଛି ?

 

ହାଡ଼ିବନ୍ଧୁର ମେରୁଦଣ୍ଡ ଓ ପଞ୍ଜରାହାଡ଼ ଉପର ଦେଇ ଗୋଟାଏ ଗରମ ଢେଉ ପ୍ରବାହିତ ହୋଇଗଲା । ପୁଣି ଆଉ ଏକ ନୂଆ ଅନୁଭୂତି । ପ୍ରକୃତରେ କେତେ ବିଚକ୍ଷଣତା ଦରକାର, କେତେ ପରିଶ୍ରମ, ସାବଧାନତା ଦରକାର ଗୋଟିଏ ପାଉଛରୁ ଆଉ ଗୋଟିଏ ପାଉଛକୁ ଯିବା ପାଇଁ । କେଉଁଠି ଏହାର ଶେଷ ? –ସ୍ୱର୍ଗରେ ନା, ନରକରେ ? ପରବର୍ତ୍ତି ପାଉଛକୁ ଯିବାବେଳେ ମନେହୁଏ, ଏଇ ବୋଧହୁଏ ଶେଷ ପାଉଛ, ଶୀର୍ଷସ୍ଥାନ । କିନ୍ତୁ, ନା । ସେ ପାଉଛ ଉପରେ ଠିଆ ହେବାକ୍ଷଣି ଆହୁରି ଗୋଟାଏ ଥାକ ଦେଖାଯାଏ; ତା ଉପରକୁ ସବୁ ଅସ୍ପଷ୍ଟ, କୁହୁଡ଼ି ଓ ଅନିଶ୍ଚିତତାରେ ଆବୃତ୍ତ ।

 

ସେ ଠିକ୍‍ କଲା, କିଛି ସେ କରିବ ନାହିଁ । ଖାଉ ପଛେ ମାଡ଼, ଶୁଣୁ ପଛେ ଗାଳି । ତା ସିଲଭର ଥାଳି କଡ଼ ଦେଇ, ଲଡ଼ୁ ଉପରଦେଇ ସମୟ ଘସି ହୋଇ ବହିଯାଉ । ସେ ସେଇମିତି ମୁଣ୍ଡ ତଳକୁ କରି ଠିଆ ହୋଇଥିବ ।

 

ଭାରି ଗରମ ଲାଗୁଛି । ଝାଳ ବାହାରୁଛି । ମୂର୍ଚ୍ଛାଳିଆ ଲାଗୁଛି । ସେ ଘଲା ପାଣି ପାଇପ୍ ପାଖକୁ । ତଳେ ଥାଳିଟା ରଖିଦେଇ ପାଣି ପିଇବା ବେଳକୁ ଅଟକିଗଲା । ସେ ଦୃଷ୍ଟି ଫେରାଇଲା ଲଡ଼ୁ ଆଡ଼କୁ । ପାଞ୍ଚ-ଛ’ଟା ମାଛି କ’ଣ ଯେପରି ଖୋଜି ଚାଲିଛନ୍ତି ସେଗୁଡ଼ାକ ଉପରେ । ମାଛି ହୁରୁଡ଼ାଇବା ପରେ ଅନୁଭବ କଲା, ସେ ପ୍ରକୃତରେ ଖୁବ୍ କ୍ଷୁଧାର୍ତ୍ତ ।

 

ଖାଇବ ? ଏ ଚୂଡ଼ାଲଡ଼ୁ ଗୁଡ଼ାକ ଆଉ ହେବ କ’ଣ ? କେହି କ’ଣ ଏସବୁକୁ କିଣିବ ? ଏଭଳି ଅଭୁତ ଜିନିଷ କିଏ ବା ବିକିଛି କେଉଁଠି ?

 

ସେ ଗୋଟିଏ ଲଡ଼ୁ ଉଠାଇ ଆଣିଲା । ସେ କ୍ଷୁଧିତା ତା ହାତରେ ଯାହା ହେଉ ପଛେ କିଛି ଖାଇବା ଜିନିଷ ଅଛି ।

 

ସେ କିନ୍ତୁ ଖାଇ ପାରିଲା ନାହିଁ । ଲଡ଼ୁଟିକୁ ଥାଳି ଉପରେ ରଖି ସେ ଟ୍ୟାପ୍ ଖୋଲିଲା । ପେଟେ ପାଣି ପିଇଲା । ପ୍ଲାଟଫର୍ମ ଶେଷରେ ଥିବା ସିମେଣ୍ଟ ବେଞ୍ଚରେ ବସିଲା ।

 

–‘ହାଡ଼ିଆ ।’

 

ସମ୍ୱୋଧନରେ ଆଦେଶ ଦେବାର କଠୋରତା ଥିଲା । ସେ ବୁଲି ଦେଖିଲା, ଚା’ କେଟ୍‍ଲି ଓ ବାଲ୍‍ଟି ଧରି ଅନାମ ଠିଆ ହୋଇଛି, ଦଶଫୁଟ ବ୍ୟବଧାନରେ । ଖାକି ହାଫ୍ ପ୍ୟାଣ୍ଟ ଓ ସାଟ ପିନ୍ଧିଥିବା ଅନାମ । ‘ବଳିଷ୍ଠ ଦେହ । ଗୋରା । ତୃତୀୟ ଶ୍ରେଣୀ ବିଶ୍ରାମାଗାର ତା’ର ଆଶ୍ରୟସ୍ଥଳ । ହାଡ଼ିବନ୍ଧୁ କେବେ କେମିତି ତା’ ବୋଲ ହାକ ମାନେ । ପାଣି ବାଲ୍‍ଟିଏ ଆଣି ଦେବା, କପପ୍ଲେଟ୍‍କୁ ଭଲଭାବେ ଧୋଇ ଦେବା ଇତ୍ୟାଦି କାମ କରୁଥିବା ବେଳେ ଅନାମ କ୍ଳାନ୍ତିର ଓ ଅବସାଦରେ ଜଡ଼ସଡ଼ ଦେହଟାକୁ ବିଶ୍ରାମାଗାରର ଅପରିଷ୍କାର ଚଟାଣ ଉପରେ ନତୁବା ସିମେଣ୍ଟ ବେଞ୍ଚ ଉପରେ ଗଡ଼ାଇ ଦେଇଥିବ । କାମସାରି ହାଡ଼ିବନ୍ଧୁ ଅପେକ୍ଷା କରେ କେତେବେଳେ ଅନାମର କୁଣ୍ଠିତ ହାତ ଅନିଚ୍ଛାର ସହିତ ତା’ର ଆଶାୟୀ ଆଞ୍ଜୁଳା ଭିତରକୁ ଦଶପଇସିଟିଏ ବଢ଼େଇ ଦେବ ।

 

ଏଇ କିଛିଦିନ ତଳେ ଅନାମ ତାକୁ କହିଥିଲା—‘ହଇରେ, ହାଡ଼ିଆ । ଏତେଗୁଡ଼ାଏ ଲୋକ ସେଇ ଦଦରା ଘରେ ରୁହ କେମିତି ? ମଦୁଆ ବାପ, ଧଇଁ କାଶରେ ଅସ୍ତବ୍ୟସ୍ତ ହେଉଥିବା ମା’ । ଚାରିଟା ସାନ ପିଲା । ବର୍ଷାପାଣି ଦିନରେ ସେ ଘର ସନ୍ତଉଥିବ । ମଶା-ମାଛି କାହିଁରେ କ’ଣ ଥିବେ-। ତୁ ଏଇ ଉଏଟିଙ୍ଗ୍ ରୁମରେ ଆସି ଶୋଉନୁ ? ତୋ ପାଇଁ କାମ ବନ୍ଦୋବସ୍ତ କରିଦେବି । କିଛି ନ ହେଲେ କେଉଁ ହୋଟେଲରେ ପତର ଉଠେଇବୁ, ଖାଇବୁ, ଦରମା ନେବୁ । ଏଡ଼େ ପିଲାଟେ ହେଲୁଣି, ତୋତେ କ’ଣ ଏବେ ବି ବାପ-ମା, ପୋଷୁଥିବେ ?’

 

ହାଡ଼ିଆ କଥା ମାନିଲା । କାମ ଜୁଟିଲାନାହିଁ । ଘରେ ଗାଳି ଶୁଣେ, ମାଡ଼ ଖାଏ । ଗଣ୍ଡାଏ ଖାଇଦେଇ ଷ୍ଟେସନରେ ସମୟ କଟାଏ । ତା ଚାରିକଡ଼ର କାର୍ଯ୍ୟ ବ୍ୟସ୍ତତା ତାକୁ ଅସ୍ଥିର, ଉତ୍ତେଜିତ କରେ । ଖାଲିଟାରେ ଠିଆ ହୋଇ ଥିବାରୁ ଶୂନ୍ୟତା ବୋଧ କରେ ।

 

ଏଇଥିପାଇଁ କି ଆଉ କେଉଁ କାରଣରୁ, ସେ ଜମା ଶୋଇ ପାରିଲା ନାହିଁ—ବିଶ୍ରାମାଗାରରେ । ଏଡ଼େ ବଡ଼ ଘର ଭିତରେ ସେ ହଜି ଯାଉଛି ବୋଲି ଭାବିଲା । ଅବହେଳିତ, ପରିତ୍ୟକ୍ତ ମନେକଲା । ଏ ଭାବନା ଏମିତି ଅସ୍ତବ୍ୟସ୍ତ କଲା ଯେ, ବୁଲୁଥିବା ପଙ୍ଖା, ଟ୍ରେନର ଆବାଜ, ଶେଷହୀନ କାର୍ଯ୍ୟବ୍ୟସ୍ତତା ତାକୁ ସେ ରୁମ୍‍ରୁ ବାହାରକୁ ଘୋଷାରି ଆଣିଲା । ଦାରିଦ୍ର୍ୟ ଓ ନିର୍ମମତାର ଓଜନରେ ଚାପି ହୋଇ ଯାଇଥିବା ସେଇ ତଥାକଥିତ ଘର ତାକୁ ଭଲ ଲାଗିଲା । ସେ ନିରାପଦ ଅନୁଭବ କଲା ।

 

ଆଜି ଅନାମର ଡାକରେ ସେ ପ୍ରଲୋଭିତ ହେଲା ନାହିଁ । ତା ପ୍ରତି ମନରେ ସୃଷ୍ଟି ହେଲା ଅହେତୁକ କ୍ରୋଧ ଓ ଘୃଣା । ସେ ଯେପରି ତା’ର ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀ । ତା ସହିତ ପ୍ରତିଯୋଗିତାରେ ଅନାମ ନିଶ୍ଚୟ ତାକୁ ବହୁ ପଛରେ ପକାଇ ଆଗକୁ ଚାଲିଯିବ—ଏକ ନିର୍ଦ୍ଦୟ ସତ କଥାଟା ହାଡ଼ିଆର ଶିରା-ପ୍ରଶିରାରେ ନିଆଁ ଜାଳିଦେଲା ।

 

—ହାଡ଼ିଆ, ଶୁଣ ।’

 

ତାର ନୀରବତା ଦେଖି ରାଗିଗଲା ଅନାମ । କହିଲା—‘ଭାରି ଥକ୍କା ଲାଗୁଛି । ନେଲୁ, ଏ କପ୍ ପ୍ଲେଟ ଗୁଡ଼ାକ ଭଲକରି ଧୋଇ ଆଣିବୁ । ଦଶ ପଇସା ଦେବି ।’ ଏତକ କହି ସେ କପ୍‍ ପ୍ଲେଟ୍‍ ଭରପୂର ବାଲ୍‍ଟିଟା ତଳେ ଥୋଇ ଦେଲା । ହାଡ଼ିଆର ଆଜ୍ଞାବହତା ଉପରେ ତା’ର ଏତେ ବିଶ୍ୱାସ ଥିଲା ଯେ, ସେଇଠି ବାଲଟିଟା ଛାଡ଼ିଦେଇ ସେ ଅନ୍ୟତ୍ର ଚାଲି ଯାଉଥିଲା ।

 

—‘ମୁଁ ପାରିବି ନାହିଁ ।’ ହାଡ଼ିଆ ଅନାବଶ୍ୟକ ଭାବେ ଉଚ୍ଚ ସ୍ୱରରେ ଚିତ୍କାର କରି ଉଠିଲା-। ସେ ଭାବିଲା, ଅନାମ ବୋଧହୁଏ ତାକୁ ଉପହାସ କରୁଛି ।

 

—‘ପାରିବୁ ନାହିଁ କ’ଣ ବେ ? ଉଠ୍ !’ ଅନାମ ଚାଲି ଆସିଲା ହାଡ଼ିଆ ପାଖକୁ । ମାତ୍ର ଅଟକିଗଲା ସିଲଭର ଥାଳି ଓ ଲଡ଼ୁ ଉପରେ ଦୃଷ୍ଟି ପଡ଼ିବା କ୍ଷଣି ।

 

–‘ଇଏ କ’ଣ ?’ ସେ ନିଜ ଆଖିକୁ ପ୍ରଥମେ ବିଶ୍ୱାସ କଲାନାହିଁ; ଏଭଳି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଯେ । ତା’ପରେ କଥାଟାକୁ ବୁଝିପାରି, ବିଦ୍ରୁପର ହସ ହସିଲା । କହିଲା—‘ଓ, ତେବେ ଏଇ କାମ...ବିକ୍ରି ହେଲା ?’ ଏ ପ୍ରଶ୍ନର ଉତ୍ତର ପାଇଁ ଅପେକ୍ଷା ନ କରି କହିଲା—‘କି ଲଡ଼ୁ ? ଦେଖିବା କେମିତି ଲାଗୁଛି ।’ ସେ ତା’ର ବଳିଷ୍ଠ ହାତ ବଢ଼େଇଲା ।

 

ଅନାମର ଉଦ୍ଦେଶ୍ୟ ବୁଝିପାରି ହାଡ଼ିଆ ଭୟ ଓ ଘୃଣାରେ ଥାଳିଟିକୁ ନିରାପଦ ରଖିବା ପାଇଁ ଚେଷ୍ଟା କଲା । ମାତ୍ର ଅନାମ ଦୃଢ଼ତାର ସହ ଝାମ୍ପି ପଡ଼ିଲା ତା’ ଉପରକୁ । ସେ ଦୃଢ଼ତା ହାଡ଼ିଆର ପ୍ରତିବାଦ, ଅସହାୟତା ଓ ନିଜ ଦରବକୁ ପ୍ରତିରକ୍ଷା କରିବା ଚେଷ୍ଟାକୁ ଉପହାସ କଲା । ତାହା ଜଣେଇ ଦେଲା ଯେ ହାଡ଼ିଆର ବଞ୍ଚିବାର ଅଧିକାର ହୁଏତ ଥାଇପାରେ; କିନ୍ତୁ ଅନାମର ତାକୁ ଲୁଣ୍ଠନ କରିବାପାଇଁ ଢେର ଶାରିରୀକ କ୍ଷମତା ଅଛି ।

 

ଅନାମ ଦୁଇଟି ଲଡ଼ୁ ଉଠାଇ ଆଣି ନିର୍ବିକାର ଭାବେ କହିଲା—‘କେମିତି ଲାଗୁଛି ?’ ହାଡ଼ିଆର ତଣ୍ଟିଫଟା ଗାଳି ସତ୍ତ୍ୱେ ସେ ଗୋଟିଏ ଲଡ଼ୁ ଖାଇଲା ଏବଂ ମନ୍ତବ୍ୟ ବାଢ଼ିଲା—‘ଏଇଆକୁ ବିକିବା ପାଇଁ ଆଣିଥିଲୁ, ନାଇଁ ? ଏଇ ଚୂଡ଼ାଲଡ଼ୁ ! କାହିଁ, କିଛି ତ ଭଲ ଲାଗୁନାହିଁ ।’

 

ଗାଳି ପ୍ରତି ଅନାମର ନିର୍ଲିପ୍ତଭାବ, ହାଡ଼ିଆକୁ ଏକରକମ ପାଗଳ କରିଦେଲା । ତାକୁ କୌଣସି ମତେ ଆହତ କରି ପ୍ରତିଶୋଧ ନେବାପାଇଁ ସେ ଅଶ୍ଲିଳ ଭାଷାରେ ପ୍ଲାଟଫର୍ମ ମୁଖରୀତ କଲା । ଅନାମକୁ ବେଶ୍ ଭଲ ଲାଗୁଥିଲା, ହାଡ଼ିଆ ଗାଳିର କ୍ଳୀବତ୍ୱ ଲକ୍ଷ୍ୟ କରି । ବସ୍ତୁତଃ ସେ ମଝିରେ ମଝିରେ ହସୁଥିଲା, ତା’ ରାଗକୁ ଆହୁରି ବଢ଼ାଇ ଦେବା ପାଇଁ । କିଛି ସମୟ ପରେ ସେ ସ୍ଥିରକଲା, ଏଥର ହାଡ଼ିଆର ମୁହଁ ବନ୍ଦକରି ଦେବା ଉଚିତ ।

 

ଅଧାଖିଆ ଦ୍ୱିତୀୟ ଲଡ଼ୁଟିକୁ ଛୋଟ ବଲ ଭଳି ସଟ୍‍ଟାଏ ମାରି ସେ ଧମକଦେଲା–‘ଚୁପ୍ ହେବୁ ନା, ଦେଖିବୁ ?’ ସେ ହାଫ୍ କମିଜର ସ୍ଲିଭ ଉପରକୁ ଟେକିଲା ।

 

—‘ବାହାର କର କୋଡ଼ିଏ ପଇସା; ନ ହେଲେ ତୁ ବି ଦେଖିବୁ ।’ ହାଡ଼ିଆ ନିର୍ଭୟରେ ଜବାବ ଦେଲା; କାରଣ ସେ ହୃଦୟଙ୍ଗମ କଲା ଯେ; ଉଚିତ କଥା ପାଇଁ ସେ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ଯାଉଛି ।

 

—‘କି ପଇସା ?’

 

—‘କି ପଇସା ! ମୋଫତ୍ ପଡ଼ିଛି ? ତୋ ବୋପାର ଲଡ଼ୁ ?’

 

—‘ମୋ ବୋପାର ନ ହେଲା ନାଇଁ, ତୋ ମା’ ଘଇତାର ତ !’ ଏତକ କହି ଅନାମ ଫେରି ଯାଉଥିଲା । ଏଇ ସୁଯୋଗରେ ହାଡ଼ିଆ ତା’ ପିଠି ଉପରେ ଆକ୍ରମଣ କରିବାକୁ ଚେଷ୍ଟାକଲା-। ମାତ୍ର ଏକଥା ପାଇଁ ସତର୍କ ଥିଲା ଅନାମ । କିଛି କରିବା ପୂର୍ବରୁ ସେ ହାଡ଼ିଆର ଦୁଇ ବାହୁକୁ ଦୃଢ଼ ଭାବରେ ଧରିନେଲା ।

 

ରାଗ ଓ ପ୍ରତିଶୋଧ ନେବାର ଚେଷ୍ଟା ବର୍ହିପ୍ରକାଶ ନ ହୋଇ ପାରିବାରୁ ହାଡ଼ିଆର ଝାଳୁଆ ମୁହଁ ବିକୃତ ଦେଖାଗଲା । ନିଜ ହାତକୁ ମୁକୁଳେଇବା ପାଇଁ ଚେଷ୍ଟା କରୁଥିଲା ବେଳେ, ତା’ ଆଖିରୁ ଅସହାୟ ଲୁହ ଝରି ଆସିଲା ।

 

—‘ଚୋପ୍ ! ପାଟି କରନା ।’ ଅନାମ ଚିତ୍କାର କଲା ଏବଂ ମାଡ଼ ଦେବାପାଇଁ ଡାହାଣ ହାତ ଉଠାଇଲା ।

 

ହାଡ଼ିଆ ଚୁପ୍ ହୋଇଗଲା ସିନା; କିନ୍ତୁ ସେ ବାରମ୍ୱାର ଗୋଟିଏ କୈଫିୟତ ଦାବୀ କଲା–ତୁ କାହିଁକି ମୋ ମା’ ଘଇତା ବୋଲି କହିଲୁ ?

 

ତାଛଲ୍ୟର ସହିତ ଅନାମ କହିଲା—କ’ଣଟା ହୋଇଗଲା ସେଇଠୁ ? ହଇବେ, ସେ ମଦୁଆ ରିକ୍‍ସାବାଲାଟା କି ବାପ ? ସେଇଟା ତୋର କି ମା’ ? କାଲି ପରା ତୁ ଏମିତି ମାଡ଼ ଖାଇଥିଲୁ ଯେ, ଚେତା ବୁଡ଼ି ଯାଇଥିଲୁ ! କାଲି ପରା କାନ୍ଦି କାନ୍ଦି ତୁ ଶୋଧୁଥିଲୁ ତୋ ବାପା-ମା’ଙ୍କୁ ! ଆଉ ଆଜି ଶଳା ମୁଁ ଟିକିଏ କହିଦେଲି ଯେ ଭାରି ବାଧିଲା, ନାଇଁ ? ଚୁପ୍ ହ; ନ ହେଲେ...ଜାଣିଛୁ ନା ମୋ କଥା ?’

 

ହାଡ଼ିଆ ଆଦୌ ଚୁପ୍ ହେଲା ନାହିଁ । ‘ଜବାବ ଦେଲା—‘ମୁଁ ମୋ ବାପା-ମା’କୁ ଶୋଧିଲି ତୋର କଣ ଗଲା ବେ ? ମୋତେ ସେମାନେ ମାଡ଼ ଦେଲେ ତୋତେ ବାଧୁଚି କାହିଁକି ? ତାହା ବୋଲି ତୁ ବି ଶୋଧିବୁ ? ହାରାମଜାଦା ଶଳା ! ଯାଉନୁ, ତୋ ବୋପା ମା’ଙ୍କୁ ସେଇକଥା କହିବୁ !’

 

ଏ ପ୍ରସ୍ତାବ ଅନାମ ଗ୍ରହଣକଲା କି ନା, ତାହା ଠିକ୍ କରି କହି ହେବନି । ତେବେ ଆଉ କୌଣସି ବଚସା ନ କରି ସେ ମୁହଁ ବୁଲାଇଲା, ବାଲ୍‍ଟି ଧରି ସ୍ୱାଭାବିକ ଭାବେ ଆଗେଇଗଲା । ପ୍ଲାଟଫର୍ମ ଉପରେ ପଡ଼ିଥିବା ଅଇଁଠା ଲଡ଼ୁ ଆଡ଼େ ଚାହିଁ ଆଖି ଫେରାଇଲା ବେଳକୁ ଏକ ଯନ୍ତ୍ରଣାଦଗ୍ଧ କରୁଣତାରେ ହାଡ଼ିଆ କମ୍ପି ଉଠିଲା । ଯେଉଁ ଲଡ଼ୁଗୁଡ଼ାକୁ କେଇ ମିନିଟ୍ ପୂର୍ବରୁ ରାଗ ଓ ଅପମାନରେ ଫୋପାଡ଼ି ଦେବାପାଇଁ ବସିଥିଲା, ସେଗୁଡ଼ାକ ପ୍ରତି ତା’ମନରେ ଜନ୍ମିଲା ମମତା, ଆନ୍ତରିକତା ଓ ସ୍ନେହ । ପ୍ରାୟ ପ୍ରତିଦିନ ମାଡ଼-ଗାଳି ଦେଉଥିବା ବାପ-ମା’ ମୁହଁ ମନେ ପଡ଼ିବା କ୍ଷଣି ସେ ଭାବିଲା, ତାଙ୍କ ଅନୁପସ୍ଥିତିରେ କେଡ଼େ ଏକୁଟିଆ, ଦୁର୍ବଳ ଓ ଅସହାୟ ହୋଇ ପଡ଼ିଛି ସେ !

 

ସିମେଣ୍ଟ ବେଞ୍ଚରେ ଡେରିହୋଇ ବସିଲା ସେ । ଶକ୍ତି ସଂଗ୍ରହ କରିବାରେ ଲାଗିଲା ।

 

କେତେଟା ମିନିଟ୍ ପରେ ଅବଶିଷ୍ଟ ଲଡ଼ୁ ସମେତ ଥାଳିଟିକୁ ଧରି ସେ ଲେଭଲ କ୍ରସିଂ ଆଡ଼େ ଯାଉଥିବାର ଦେଖାଗଲା । ତତଲା ଖରା, ତତଲା ରାସ୍ତା, ତତଲା ପେଟ ସତ୍ତ୍ୱେ ସେ ଆଗେଇ ଯାଉଥିଲା, କୌଣସି ଅଦୃଶ୍ୟ ଶକ୍ତିର ଆଦେଶକୁ ପାଳନ କରି ।

 

ଲେଭଲ୍ କ୍ରସିଂର ପୂର୍ବଦିଗକୁ, ପ୍ରାୟ ଶହେ ମିଟର ଦୂରରେ ବସଷ୍ଟାଣ୍ଡ । ଶତାଧିକ ବସ୍, ମିନିବସ୍, ଟାକ୍‍ସି, ଟ୍ରକ ଇତ୍ୟାଦି ସେଇବାଟେ ଯିବା ଆସିବା କରେ । ବ୍ୟସ୍ତତା ଓ ଅପେକ୍ଷା ଜନିତ କ୍ଳାନ୍ତିର ମୁଖା ପିନ୍ଧି ଶହ ଶହ ଲୋକ ସେଇଠି ଏକତ୍ରିତ ହୋଇଥାନ୍ତି ।

 

ସେତେବେଳକୁ ଅପରାହ୍ନ ଚାରିଟା । ତଥାପି ଖରାତେଜ ମଉଳି ନାହିଁ । ହାଡ଼ିଆ ସିଧା ଚାଲିଲା ଯାତ୍ରୀମାନଙ୍କ ଦ୍ୱାରା ଭରପୁର ହେଉଥିବା ବସ୍ ଆଡ଼କୁ । ଏ ସ୍ଥାନ ବି ତା ପାଇଁ ଅପରିଚିତ ନ ଥିଲା । କିନ୍ତୁ ବସ୍ ଚାରିପଟେ ଫଳ, ବାରମଜା, ପତ୍ରିକା ଇତ୍ୟାଦି ଧରି ବ୍ୟାକୁଳ ଭାବରେ ଘୂରି ବୁଲୁଥିବା ମଣିଷଙ୍କୁ ଦେଖି ସେ ହତାଶ ଓ ବିରକ୍ତ ହୋଇ ପଡ଼ିଲା । ତା’ ଆଖିରେ ସେଦିନ ଫଳ ଓ ବାରମଜା ଅସ୍ୱାଭାବିକ ଭାବରେ ଆଭିଜାତ୍ୟସମ୍ପନ୍ନ ଓ ରୁଚିକର ଦେଖାଯାଉଥିଲା । କ’ଣ କରିବ ସେ ? କେମିତି ଚୁଡ଼ା ଲଡ଼ୁ ବୋଲି ଚିତ୍କାର କରିବ ?

 

ଅଥଚ କେତେ ଆଶା ଓ ସମ୍ଭାବନା ନେଇ ଆଜି ସକାଳୁ ସେ ବାହାରି ପଡ଼ିଥିଲା ଏ ସବୁକୁ ଧରି ! ଘରର ଏକମାତ୍ର ଥାଳିକୁ ବାରମ୍ୱାର ଘସିମାଜି ସଫା କରିବା ପରେ, କେଡ଼େ ଯତ୍ନରେ ତା’ ମା’ ପିନ୍ଧିଥିବା ମଇଳା ଲୁଗା କାନିରେ ତାହାକୁ ପୋଛି ଥୋଇ ଦେଇଥିଲା ଲଡ଼ୁ ଗୁଡ଼ାକୁ ! କେଡ଼େ ଆନନ୍ଦରେ ସେ ପିନ୍ଧି ନ ଥିଲା ତିନିବର୍ଷ ତଳେ କିଣାଯାଇଥିବା ସାତସିଆ କମିଜଟିକୁ ! ବର୍ତ୍ତମାନ ଥାଳି ଉପରେ ଧୂଳିର ପତଳା ଆସ୍ତରଣଟିଏ ଜମି ଗଲାଣି, କାମିଜ୍ ଭିଜିଗଲାଣି ଝାଳରେ । ନିତି ଅକଳନୀୟ ଟଙ୍କାର ଜିନିଷ କିଣାବିକା ହେଉଥିବା ଏ ସହରରେ ସାମାନ୍ୟ କେଇଟା ଚୂଡ଼ାଲଡ଼ୁ ବିକିବା ଏଡ଼େ ଦୁରୂହ ବ୍ୟାପାର ବୋଲି ସେ ତ ଜମା ଭାବି ନ ଥିଲା !

 

ସେ ରହୁଥିବା ବସ୍ତିରେ ଘନ ସାହୁର ଯେଉଁ ଦୋକାନ ଅଛି, ତାହାକୁ କେତେଥର ଲୋଲୁପ ଦୃଷ୍ଟିରେ ନ ଚାହିଁଛି ସେ ! ବଡ଼ଲୋକ ହେବାପାଇଁ ତା’ର ଆଶା ଓ ସ୍ୱପ୍ନ ପହଞ୍ଚି ଯାଏ ଘନ ସାହୁର ଦୋକାନ ପାଖରେ; ଆଉ ଊର୍ଦ୍ଧ୍ୱକୁ ଯାଇ ପାରେନା । ମୋଟା ଗଦି ଓ ତକିଆ ଉପରେ ଆଉଜି, ସାମନାରେ ଟଙ୍କା ପଇସାର ବାକ୍‍ସଟି ଥୋଇ ଘନସାହୁ ଯେମିତି ଭଙ୍ଗୀରେ ବସେ, ତା ସହିତ ସେ ଆଉଜଣେ ଲୋକକୁ ତୁଳନା କରେ । ସେ ଲୋକ ଅଧ ରାତିରେ ବାହାରେ ରିକ୍‍ସା ରଖି ମଦ ନିଶାରେ ଟଳି ଟଳି ଘରକୁ ଫେରେ । ବିରକ୍ତ ହେଲେ ପିଲାଗୁଡ଼ାଙ୍କୁ ନିସ୍ତୁକ ମାଡ଼ମାରେ ଏବଂ ଘରର କୌଣସି ଏକ କଣରେ ଚେତନାହୀନ ଭାବରେ ପଡ଼ିଯାଏ ନିର୍ଜୀବ ଗଦାଟିଏ ଭଳି । ହାଡ଼ିଆ ଅପେକ୍ଷା କରୁଥିଲା ଗୋଟାଏ ଶୁଭାରମ୍ଭ ପାଇଁ । ସେ ଆରୋହଣ କରିବ ଏବଂ ଘନସାହୁ ଭଳି ମଟର ସାଇକେଲ ଚଢ଼ି ସହରର ଧୂଳି ଉଡ଼ାଇବ । ଆଜି ସେଇ ଶୁଭାରମ୍ଭର ପହିଲି ଶୁଭଦିନ !

 

ଯେତେ ଚେଷ୍ଟା କଲେ ବି ସେ ନିଜ ମନରୁ ଗଢ଼ିଥିବା ସ୍ୱପ୍ନ ପୋଛି ପାରିଲା ନାହିଁ । ସେ ଭାରି ଲଜ୍ଜିତ ହେଲା ମନେ ମନେ ।

 

—‘କ’ଣ ଇଏ ?’

 

ହାଡ଼ିଆର ଧ୍ୟାନ ଭଗ୍ନ ହେଲା । ଜଣେ ମଫସଲି ବୁଢ଼ା ସାମନାରେ ଠିଆହୋଇ ତା’ ଥାଳିଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରିଛି । —‘ଚୂଡ଼ାଲଡ଼ୁ । ନେବ ?’ ହାଡ଼ିଆ ଉତ୍ସାହିତ ହୋଇ ପଚାରିଲା ।

 

—‘ଚୂଡ଼ାଲଡ଼ୁ !’ ଲୋକଟି ପୁନରାବୃତ୍ତି କଲା ନିଶ୍ଚିତ ହେବାପାଇଁ । ‘କେଇ ପଇସା ଲେଖା ?’

 

—‘ଦଶ ପଇସା ।’ ହାଡ଼ିଆ ଦୁଇଟି ଲଡ଼ୁ ବଢ଼ାଇଲା । ‘ନିଅ ।’ ତା’ ସ୍ୱରରେ ଥିଲା ଅନେକ ମିନତି ।

 

ଲୋକଟି ଟିକିଏ ଇତଃସ୍ତତ ହେଲା; ପର ମୁହୂର୍ତ୍ତରେ ଲଡ଼ୁ ଦୁଇଟିକୁ ନେଇ ବଢ଼ାଇ ଦେଲା ପଚାଶ ପଇସିଟିଏ ।

 

‘ମୋଠି ତ ଖୁଚୁରା ନାହିଁ !’ ସେ ଏତେ ଉତ୍ତେଜିତ ଓ ଆନନ୍ଦିତ ହୋଇ ପଡ଼ିଥିଲା ଯେ, ଲୋକଟିର ଆଉ କୌଣସି କଥାକୁ ଅପେକ୍ଷା ନ କରି ସେ ଦ୍ରୁତ ଗତିରେ ସେଠାରୁ ଚାଲିଗଲା ମୁଦ୍ରା ବଦଳରେ କେଉଁଠାରୁ ଖୁଚୁରା ଆଣିବା ପାଇଁ । ପାଞ୍ଚ-ଛଜଣ ପାନ ଦୋକାନୀ, ବାରମଜା, ଫଳ ବିକାଳୀ ପାଖରେ ଅସଫଳ ହୋଇ ବିରକ୍ତ ହୋଇ ପଡ଼ୁଥିବା ବେଳେ ଦେଖିଲା, ଯେଉଁ ବସରୁ ଓହ୍ଲାଇ ଲୋକଟି ତା’ଠାରୁ ଲଡ଼ୁ କିଣିଥିଲା, ସେ ବସର ହର୍ଣ୍ଣ ବାଜୁଛି ।

 

ହାଡ଼ିଆ ଧାଉଁଥିଲା ସେଇଆଡ଼େ; କିନ୍ତୁ ଅଟକିଗଲା । ବସ୍ ଆଡ଼େ ଚାହିଁ ଦେଖିଲା, ଝରକାବାଟେ ହାତ ବଢ଼ାଇ କେହି ଜଣେ ସମ୍ଭବତଃ ତାକୁ ଡାକୁଛି । ସେ ତତ୍‍କ୍ଷଣାତ୍ ନିଜକୁ ଲୁଚେଇ ଦେଲା ପାନ-ଦୋକାନ କେବିନ୍ ପଛରେ । ବସ୍ ଚାଲିଗଲା । ସେଠାରୁ ବାହାରି ସେ ଦେଖିଲା, ତା’ର ପ୍ରଥମ ଗ୍ରାହକ ଜଣକ ଆଉ ନାହାନ୍ତି ! ପଚାଶ ପଇସିଟିକୁ ବାରମ୍ୱାର ଏପଟ ସେପଟ କଲା । ଆନନ୍ଦ ନୁହେଁ, କୃତଜ୍ଞତା ବଶତଃ ନୁହେଁ—ମାତ୍ର ସେ ହସି ପକାଇଲା । ବିଜୟର ହସ । ନିଜକୁ ବଧେଇ ଜଣାଇଲା । ପେଣ୍ଟ ପକେଟରେ ପଇସା ରଖି ଆଉ ଏକ ବସ୍ ପାଖରେ ପହଞ୍ଚିଗଲା । ଏଥର କିନ୍ତୁ ବିନା ଚେଷ୍ଟା, ବିନା ସଙ୍କୋଚରେ ସେ ପାଟିକରି ଉଠିଲା—ଚୂଡ଼ାଲଡ଼ୁ ଚୂଡ଼ାଲଡ଼ୁ ।

 

ବସ୍ ଦରଜା ପାଖରେ ପହଞ୍ଚିବାକ୍ଷଣି ଭିତରୁ ବାହାରି ଆସୁଥିବା ଜଣେ ଯୁବକଙ୍କ ସହିତ ତା’ର ଧକ୍‍କା ହେଲା । ପଡ଼ି ଯାଉଁ ଯାଉଁ ନିଜକୁ ସେ ସମ୍ଭାଳି ନେଲା; କିନ୍ତୁ ପାଞ୍ଚୋଟି ଲଡ଼ୁ ଖସିପଡ଼ିଲା ତଳକୁ ।

 

ଏଭଳି ମୁହୂର୍ତ୍ତ ତା’ ପାଇଁ ଥିଲା ଅଚାନକ, ଅପ୍ରତ୍ୟାଶିତ । କ୍ଷୀପ୍ର ହାତରେ ସେ ଧୂଳି ଜୁଡ଼ୁ ବୁଡ଼ୁ ଲଡ଼ୁଗୁଡ଼ାକୁ ଉଠାଇ ଆଣିବା ପାଇଁ ଉଦ୍ୟତ ହେଲାବେଳେ ପାଟିକରି କାନ୍ଦି ଉଠିଲା । ଯୁବକ ଜଣକ ତରବରରେ ଆଗେଇ ଯାଉଛନ୍ତି । ତାଙ୍କ ପଛରେ ଚାରି-ପାଞ୍ଚଟା ଭିକାରି ପିଲା । ହାଡ଼ିଆ ଧାଇଁ ଯାଇ ଯୁବକଙ୍କ ହାତ ଧରି ପକାଇଲା ।

 

—‘କ’ଣ ?’ ତାଙ୍କ ସ୍ୱରରେ ଥିଲା କ୍ରୋଧ ଓ ବିସ୍ମୟ ।

 

—‘ମୋ ଲଡ଼ୁ ! ତୁମେ ପକାଇ ଦେଲ ।’ ହାଡ଼ିଆ ଆହୁରି ଅସହାୟ ଭାବେ କାନ୍ଦି ଉଠିଲା-

 

ପାଖରେ ଠିଆ ହୋଇଥିବା ଭଦ୍ରଲୋକ ଜଣେ ସମର୍ଥନ କଲେ—‘ହଁ ଆଜ୍ଞା । ଆପଣଙ୍କ ସଙ୍ଗେ ଧକ୍‍କା ଲାଗି ତା’ ଲଡ଼ୁ ପଡ଼ିଗଲା । ତା’ ପଇସା ଦେଇ ଦିଅନ୍ତୁ । ବିଚରା ଗରିବ ପିଲା ।’

 

—‘ଓ ।’ ଯୁବକ ଅତ୍ୟନ୍ତ ଗମ୍ଭୀର ହୋଇ ପଡ଼ିଲେ । ‘କେତେ ପଇସା ?’

 

—‘ଟଙ୍କାଏ ।’ ହାଡ଼ିଆ ଏ ଉତ୍ତରଟିକୁ ସ୍ଥିର କରି ସାରିଥିଲା ।

 

କୌଣସି ପ୍ରତିବାଦ ନାହିଁ । ସେ ହାଡ଼ିଆ ହାତକୁ ନୋଟଟିଏ ବଢ଼ାଇ ଦେଲେ । ଏକରକମ ନୀରବ ହୋଇ ଯାଇଥିବା ଭିକାରି ପିଲାଗୁଡ଼ିକ ଏଥର ଯୁବକଙ୍କୁ, ଘେରିଯାଇ ପଇସା ମାଗିଲେ । ତାଙ୍କ ଆଡ଼େ ବିରକ୍ତି ଓ ଘୃଣାର ଦୃଷ୍ଟି ବୁଲାଇ ସେ, ଆଙ୍ଗୁଳି ବଢ଼ାଇଲେ, ତଳେ ପଡ଼ିଥିବା ଲଡ଼ୁ ଆଡ଼କୁ । ହାଡ଼ିଆ ସେଠାରେ ଠିଆ ହୋଇ, ଲଡ଼ୁଗୁଡ଼ାକୁ ପୁଣି ଥାଳି ଉପରକୁ ଆଣିବ କି ନାହିଁ ବୋଲି ଭାବୁଥିବା ବେଳେ ପିଲାଗୁଡ଼ିକ ଦଉଡ଼ିଆସି ସେଗୁଡ଼ିକୁ ନେଇ ଚାଲିଗଲେ ।

 

କିଛି ସମୟ ପରେ ଆଉ ଗୋଟିଏ ବସ୍ ପହଞ୍ଚିବା ମାତ୍ରେ ହାଡ଼ିଆ ସେଠାକୁଗଲା । ଠିଆ ହେଲା ଦରଜା ପାଖରେ । ଏଥର କିନ୍ତୁ ଆଶଙ୍କା ଓ ଅନିଶ୍ଚିତତା ଯୋଗୁଁ, ତା’ ତଣ୍ଟି ଶୁଖିଗଲା । ତା’ର ହୃତ୍‍ସ୍ପନ୍ଦନ ଏମିତି ବଢ଼ିଯାଇଥିଲା ଯେ, ସେ ଭାବିଲା, ହୁଏତ ତା’ ହାତରୁ ଥାଳି ଓ ଲଡ଼ୁ ଛିଟିକି ପଡ଼ିବ । ନିଜର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତା’ର ସାହସ ହେଲାନାହିଁ ।

 

କିନ୍ତୁ ହୋଇଗଲା । କେହି ଜଣେ ତାକୁ ଯେପରି ଠେଲି ଦେଲା ସେଇ ଆଧୁନିକ, ସୌମ୍ୟ ଯୁବକଙ୍କ ଆଡ଼କୁ । ସେ ନିଜ ଥାଳିଟିକୁ ତଳେ ପକେଇ ଦେଲା । କାନ୍ଦିବା ପାଇଁ ସେ ପ୍ରାଣପଣେ ଚେଷ୍ଟା କରିବା ପୂର୍ବରୁ ଯୁବକ ଜଣକ ନିଜର ପରିଷ୍କାର ପେଣ୍ଟ-କମିଜ ଝାଡ଼ୁ ଝାଡ଼ୁ କହିଲେ— I am sorry, ପଚାଶ ପଇସିଟିଏ ବାହାର କଲେ ଏବଂ ତଳେ ପଡ଼ିଥିବା ସିଲଭର ଥାଳିର ଶୂନ୍ୟତା ଭିତରକୁ ତାହା ପକେଇ ଦେଲେ । ସେଠାରୁ ଯିବାବେଳେ ଲଡ଼ୁଗୁଡ଼ିକ ତାଙ୍କ ଯୋତାର ଚାପରେ ଶତଧା ଭାଙ୍ଗିଯାଇ ଏକରକମ ମିଶିଗଲେ ଧୂଳି ସହିତ ।

 

ଅବିଶ୍ୱାସ ଓ ଆଶ୍ଚର୍ଯ୍ୟରେ ଯୁବକଙ୍କ ଆଡ଼ୁ ଦୃଷ୍ଟି ଫେରାଇ ହାଡ଼ିଆ ଚାହିଁଲା ଥାଳି ଓ ଲଡ଼ୁ ଆଡ଼କୁ । ଏଡ଼େ ବଡ଼ ଭୋକିଲା ଥାଳି ଭିତରେ ପଚାଶ ପଇସିଟି ଚକ୍ ଚକ୍ କରୁଥିଲା । ଲଡ଼ୁଗୁଡ଼ାକ ଆକୃତି ହରାଇ ବିବର୍ଣ୍ଣ ହୋଇ ପଡ଼ିଥିଲେ । କେଡ଼େ ସହଜରେ କାମ ହୋଇଗଲା; ତଥାପି ସେ ଅନୁଭବ କରୁଥିଲା ଏକ ଅଶ୍ୱସ୍ତି, ଲାଞ୍ଛନା, ଯନ୍ତ୍ରଣା । ସେ ଏମିତି ଆଶା କରିନଥିଲା । ସେ ନିଜର ଦାବୀ ସାବ୍ୟସ୍ତ କରିଥାନ୍ତା । ଜୋର କରି ପ୍ରାପ୍ୟ ଛଡ଼େଇ ଆଣିଥାନ୍ତା । ତାକୁ ଏମିତି କାଙ୍ଗାଳ, ଦରିଦ୍ର କରି ଦେବାର ମାନେ କ’ଣ ? ଥାଳିଟିକୁ ଉଠାଇ ଆଣି ଭାବିଲା, ଫିଙ୍ଗି ଦେବ କି ଏ ମୁଦ୍ରାକୁ-? କେତେ ଓଜନିଆ ଲାଗୁଛି, କେଡ଼େ ଛୋଟ ହୋଇ ଯାଉଛି ସେ, ସହଜରେ ଉପାର୍ଜନ କରିଥିବା ଏଇ ପଇସା ସାମନାରେ ! ଏ କ’ଣ ଉପାର୍ଜନ ?

 

ଘର ପାଖରେ ପହଞ୍ଚିଲା ବେଳକୁ ସଂଧ୍ୟା ହୋଇ ଆସୁଥିଲା । ସଂକୀର୍ଣ୍ଣ ଘରର ଗୋଟିଏ କଣରେ ମା’ ନିଆଁ ଜାଳିବାର ଉପକ୍ରମ କରୁଛି । ସେ କାଶୁଛି ଭୟାନକ ଭାବରେ । ଘରଟା ଧୂଆଁରେ ଭର୍ତ୍ତି । ସାନ ଭାଇ-ଭଉଣୀ ଚାରୋଟି ୟା ତା’ ଉପରେ ଲଦାଲଦି ହୋଇ କେତେବେଳୁ ଶୋଇ ପଡ଼ିଲେଣି । ସବୁଦିନ ଦେଖୁଥିଲେ ବି ହାଡ଼ିଆ ସେଦିନ ପ୍ରଥମ କରି ଆଶଙ୍କା କଲା, ହୁଏତ ସଂପ୍ରସାରିତ ହେଉଥିବା ଦାରିଦ୍ର୍ୟ ଓ ହାହାକାର ଦିନେ ନା ଦିନେ ଏ ଘରର ଦୁର୍ବଳ କାନ୍ଥ ଓ ଛାତକୁ ଫଟାଇ ଦେବ । ସମସ୍ତ ହତାଶା ଓ କ୍ଳାନ୍ତିର ସହିତ ସେ ଥାଳିଟିକୁ ତଳେ ଥୋଇ ଶୋଇବାକୁ ବାହାରିଲା—ଏତେ ହାଲିଆ, ଦୁର୍ବଳ ହୋଇ ପଡ଼ିଥିଲା ସେ ।

 

ଛାଇ ନିଦ ବେଳକୁ ମା’ ତାକୁ କ’ଣ ସବୁ କହୁଥିଲା, ନିଦ ବାଉଳାରେ ସେ’ବି ଏଣୁ ତେଣୁ ଉତ୍ତର ଦେଉଥିଲା । ତେଲ, ଲୁଣ, ଚାଉଳ ସହିତ ଆଉ ଗୋଟିଏ କଥା ବି ତା’ କାନରେ ବାଜିଲା–ଘନ ସାହୁ ଦୋକାନ । ହାଡ଼ିଆର ଅବଚେତନ ମନ ଉପରେ ଏଇ ନାଁଟା କ୍ଷୀଣ ତରଙ୍ଗଟିଏ ସୃଷ୍ଟି କଲା । ତା’ପରେ ତା’ର ଆଉକିଛି ମନେ ନାହିଁ । ଘରଟା ଯେପରି ଅପେକ୍ଷା କରୁଥିଲା ଛାଇ ଓ ଅନ୍ଧକାରକୁ ।

Image

 

ଫିଜରା

 

ସହରର ଚିଡ଼ିଆଖାନାଟି ଥିଲା ଅନନ୍ୟ ଓ ଦେଶରେ ସର୍ବବୃହତ୍ । ନିମ୍ନ ପ୍ରାଥମିକ ସ୍କୁଲରେ ପଢ଼ିବାବେଳେ ଏଇ ସହରକୁ ଆସିଥିଲି ବାପାଙ୍କ ସାଙ୍ଗରେ । ସେତେବେଳେ ଆମ ଆଖପାଖରେ ଭାଲୁ ଉପଦ୍ରବ ବଢ଼ିଯାଇଥିଲା । ଆଖୁକ୍ଷେତ ନଷ୍ଟକଲ—କିଛି କଥା ନାହିଁ; କିନ୍ତୁ ଯେଉଁ ନିରୀହ ଲୋକମାନେ ଜଙ୍ଗଲକୁ କାଠପାତ୍ର ସକାଶେ ଯାଉଥିଲେ, ସେମାନଙ୍କୁ ନିର୍ଦ୍ଦୟ ଭାବରେ ଆହତ କରି, ସବୁଦିନପାଇଁ, ବିକଳାଙ୍ଗ କରିଦେବାଟା ଭାଲୁମାନଙ୍କର ଥିଲା ଅକ୍ଷମଣୀୟ ଅପରାଧ-। ଆମ ଅଞ୍ଚଳରେ କେବଳ ଆମ ଘରଟାହିଁ ଥିଲା (ସେ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ଅବସ୍ଥା ଦୃଷ୍ଟିରୁ) ସମୃଦ୍ଧଶାଳୀ । ଏଥିପାଇଁ ଅନେକ ଲୋକ ବାପାଙ୍କୁ ଏକରକମ ବାଧ୍ୟ କରିଥିଲେ ଗୋଟାଏ ବନ୍ଧୁକ କିଣିବା ପାଇଁ ।

 

ବହୁଦିନ ଧରି ବାପା ଏଡ଼ାଇ ଯାଉଥିଲେ ଏଭଳି ପ୍ରସ୍ତାବକୁ; ମାତ୍ର ଭାଲୁମାନଙ୍କର ଉତ୍ପାତ ବଢ଼ିବାକୁ ଲାଗିଲା । ଯେଉଁମାନେ ରାତିରେ ଅଧଡ଼ଜନେ ସରିକି ଭାଲୁ ଆମର ଲୋଭନୀୟ ଆଖୁକ୍ଷେତରେ ପ୍ରଥମ ଥରପାଇଁ ନିଜର ବିଳାସ ଓ କ୍ଷୁଧା ଚରିତାର୍ଥ କରିବାକୁ ଅନୁପ୍ରବେଶ କଲେ, ବାପା ହୃଦୟଙ୍ଗମ କରିପାରିଲେ ବନ୍ଧୁକର ଆବଶ୍ୟକତା ।
 

ବାପା ବାହାରିଲେ ସହର ଉଦ୍ଦେଶ୍ୟରେ । ଅନେକ କନ୍ଦାକଟା କରିବାରୁ ବାଧ୍ୟହୋଇ ରାଜିହେଲେ ମୋତେ ସାଙ୍ଗରେ ନେଇ ସହର ବୁଲାଇ ଆଣିବାକୁ । ସେଇ ବର୍ଷ ଦେଖିଥିଲି ଦେଶର ସର୍ବବୃହତ୍ ଚିଡ଼ିଆଖାନା ।

 

ଦିନ ଦଶଟା ବାଜିବାକୁ ଯାଉଛି । ମୁଁ ହୋଟେଲର ଝରକା ପାଖରେ ପଡ଼ିଥିବା ଶୋଫା ଉପରେ ବସି ଖବର କାଗଜ ପଢ଼ୁଥିଲି । ମହେନ୍ଦ୍ର ଯାଇଥିଲା ବାଥ୍‍ରୁମକୁ । ସେ ପ୍ରସ୍ତୁତ ହେବାକ୍ଷଣି ଆମେ ଚିଡ଼ିଆଖାନା ଯିବୁ ବୋଲି ଆଗରୁ ପ୍ରୋଗ୍ରାମ ହୋଇଥାଏ ।

 

ଚାରିଦିନ ହେଲା ଆମେ ଦୁହେଁ ଏଇ ସହରକୁ ଆସି ହୋଟେଲରେ ଅଛୁ । ପ୍ରାଥମିକ ସ୍କୁଲରେ ପଢ଼ିବା ବେଳେ ଏ ସହର ବୁଲି ଦେଖିଥିଲି । ଏଇବର୍ଷ ମୁଁ ଓ ମହେନ୍ଦ୍ର କଲେଜରେ ଅଧ୍ୟାପକ ନିଯୁକ୍ତ ହେବାପରେ ପୁଣି ଏ ସହର ଦେଖିବାକୁ ମନ ହେଲା । ବସ୍ତୁତଃ ବିରକ୍ତି ଓ କ୍ଳାନ୍ତିକୁ କିଛିଦିନ ପାଇଁ ଆଭଏଡ଼୍ କରିବା ଥିଲା ଆମର ଲକ୍ଷ୍ୟ । ସହରର ଆଉ ସବୁ ଦର୍ଶନୀୟ ସ୍ଥାନ ଦେଖି ସାରିଲୁଣି । ଚିଡ଼ିଆଖାନା ଦେଖିସାରି ସନ୍ଧ୍ୟାବେଳେ ପୁଣି ଫେରିଯିବୁ କଲେଜ ହତା ଭିତରକୁ ।

 

ମୁଁ ବିରକ୍ତ ହୋଇ ଘଣ୍ଟା ଦେଖିଲି । କେତେ ଡେରିରେ ମହେନ୍ଦ୍ର ବାଥ୍‍ରୁମ୍‍ରୁ ବାହାରିବ ତାହା ସେ ଜାଣେ ।

 

ଚଟାଣ ଉପରେ ପଡ଼ିଥିବା ଖବର କାଗଜକୁ ଉଠାଇଆଣି ପଢ଼ିବାବେଳେ ମୁଁ ହସି ପକାଇଲି । କ’ଣ ହେଲା କେଜାଣି ସେ ହସ ମୁଁ ଆଦୌ ସମ୍ୱରଣ କରି ପାରିଲି ନାହିଁ । ଦୁଇ ପାପୁଲିରେ ମୁହଁ ଘୋଡ଼ାଇ ମୁଁ ହସି ହସି ନୟାନ୍ତ ହୋଇ ପଡ଼ିଲି । ଦେହରୁ ଝାଳ ବାହାରିଲା, ପେଟ ବ୍ୟଥା ହେଲା । ଏକୁଟିଆ ଏମିତି ଆଗରୁ କେବେ ହସିଥିଲି ବୋଲି ମୋର ମନେ ହେଲା ନାହିଁ ।

 

କେତେଗୁଡ଼ାଏ ବର୍ଷ ବିତିଗଲାଣି । ବାପାଙ୍କ ସହିତ ବନ୍ଧୁକ କିଣି ଘରକୁ ଫେରିବା ପରେ ଆମ ଗାଁ ପିଲାଙ୍କ ଆଗରେ ମୁଁ ହୋଇପଡ଼ିଥିଲି ଏକ ଅଭିଜ୍ଞ ତଥା ଐଶ୍ୱରିକ ଶକ୍ତିସମ୍ପନ୍ନ ହିରୋ । ସେମାନଙ୍କ ବିସ୍ମୟ ବିଷ୍ପାରିତ ଆଖି ଆଗରେ ମୁଁ ଯେଉଁସବୁ କଥା କହୁଥିଲି, ସେ ସବୁ କେଡ଼େ ମିଛ ଥିଲା ସତରେ ! ଅଥଚ ବାଲ୍ୟ କାଳର ସେହି ସ୍ୱଚ୍ଛ ଓ ସନ୍ଦେହମୁକ୍ତ ମନ, ମୋର ତଥାକଥିତ ଅଭିଜ୍ଞତାକୁ ସତ ବୋଲି ଗ୍ରହଣ କରି ନେଇଥିଲା ।

 

ଉଦାହରଣ ସ୍ୱରୂପ, ମୋର କହିବାର ମନେ ଅଛି ଯେ, ଚିଡ଼ିଆଖାନାରେ ଏମନ୍ତ ବାଘ, ସିଂହ ଅଛନ୍ତି, ଯାହା ପିଠି ଉପରେ ତୁମେ ଆରାମରେ ବସି ଚିଡ଼ିଆଖାନା ପ୍ରଦକ୍ଷିଣ କରିପାର । ଟିକଟର ମୂଲ୍ୟ ମାତ୍ର ତିରିଶ ପଇସା ।

 

—‘ବାଘ ସିଂହ ତୁମକୁ କାମୁଡ଼ିବେ ନାହିଁ ?’ ମୋର ଉଦ୍ଦେଶ୍ୟରେ ପ୍ରଶ୍ନ ।

 

ମୁଁ ତେଲ ମାଖି ଦେଲାଭଳି, ଅଙ୍ଗପ୍ରତ୍ୟେକ ଉପରେ ହାତ ପାପୁଲି ବୁଲାଇ ଆଣେ ଏବଂ କହେ—‘ଦେଖୁନ ମୋ ଦେହକୁ ? ମୁଁ ତ ପୁଣି ଗୋଟାଏ ସିଂହ ଉପରେ ବସି ଦୀର୍ଘ ଦଶମିନିଟଯାଏ ଏଣେ ତେଣେ ବୁଲିଥିଲି ! ପୁଣି ଡାହାଣ ହାତରେ ଧରିଥାଏ ଆଇସ୍‍କ୍ରିମ୍ !’

 

—‘ସେଇଟା ପୁଣି କ’ଣ ? ସିଂହର ଛୁଆ ?’

 

—‘ଗୋଟାଏ ବାଘ ଆଣିବା ପାଇଁ ଭାରି ମନ ହେଉଥିଲା । ବାପା ମନାକଲେ ? ପାଠ ପଢ଼ି ସାରିଲେ ସେ ମୋ ପାଇଁ ଗୋଟାଏ ବାଘ କିଣି ଆଣିବେ ବୋଲି କହିଛନ୍ତି ।’

 

—‘ହାୟ, ହାୟ ! ବାଘ ତ ଦୂରର କଥା, ଏଠାରେ ଭାଲୁଗୁଡ଼ାକୁ ଆମ ବାପାମାନେ ବି କେଡ଼େ ଭୟ କରୁଛନ୍ତି ।’

 

ଗୋଟାଏ ବେଦନାଦାୟକ ଅଶ୍ୱସ୍ତି ମୋର ସମଗ୍ର ଚେତନାକୁ ଢାଙ୍କିଦେଲା କ୍ଷଣକ ମଧ୍ୟରେ । କୁଆଡ଼େ ଗଲା ମୋର ବାଲ୍ୟକାଳ; ଯେତେବେଳେ କହୁଥିବା ଓ ଶୁଣୁଥିବା କଥାସବୁ ସତଥିଲା ? କେତେ ଭଲ ଥିଲା ସେତେବେଳର ଏ ପୃଥିବୀ–ସବୁ ଥିଲା ବିଶ୍ୱାସଯୋଗ୍ୟ ଓ ଏକାନ୍ତଭାବେ ସତ୍ୟ । କୌଣସି ବସ୍ତୁ ବନ୍ଦୀହୋଇ ନଥିଲା ବାସ୍ତବତା ଓ ପାରସ୍ପରିକ ସ୍ଥିତିର ପରିସୀମା ମଧ୍ୟରେ । ସେତେବେଳ ଭଳି ଆଉ ଏବେ ନିରୀହ ମିଛକଥା କହି ହୁଏ ନାହିଁ । ଏବେ ଏଣିକି ମିଛ କହିଲେ ଅନ୍ତର ଭିତରେ କିଛି ଗୋଟାଏ ସତେ ଯେମିତି ଯନ୍ତ୍ରଣାରେ ଛଟପଟ ହୁଏ, ମନ ଉତ୍ତେଜିତ ହୁଏ । ବୟସ, ବୟସ ମଧ୍ୟରେ ବିଚିତ୍ର ଫରକ !

 

ମହେନ୍ଦ୍ର କହିଲା—‘ଉଠ୍ । ବହୁତ ଡେରି ହେଲାଣି ।’

 

ଆମେ ରୁମ୍ ବନ୍ଦ କରି କବାଟରେ ତାଲା ଝୁଲେଇଲୁ । ମହେନ୍ଦ୍ର ଚାରି ପାଞ୍ଚ ଥର ତାଲାଟା ହଲାଇ ପରୀକ୍ଷା କଲା, ସତରେ ତାହା ପଡ଼ିଛି କି ନାହିଁ ନିଶ୍ଚିତ ହେବାକୁ । ମହେନ୍ଦ୍ରର ଉଲ୍ଲେଖଯୋଗ୍ୟ ଦର୍ଶନ ହେଉଛି ଅନ୍ୟକୁ ଅବିଶ୍ୱାସ କରି ଶିଖିବା ।

 

ସିଡ଼ିରେ ଓହ୍ଲାଇବାବେଳେ ପ୍ରସ୍ତାବ ଦେଲି—‘ଆଜି ବସ୍‍ ଯୋଗେ ଯିବା ଚିଡ଼ିଆଖାନା । ସବୁବେଳେ ଟାକସିରେ ଯିବା ଫଳରେ ଏତେ ବଡ଼ ସହରରୁ ଆମେ ବିଚ୍ଛିନ୍ନ ହେଲା ଭଳି ଜଣା ପଡ଼ୁଛନ୍ତି । ସହରର ଆତ୍ମାକୁ ଅନୁଭବ କରିବା ପାଇଁ ଭିଡ଼ ବସ୍ ଦରକାର ।’

 

—‘କଣ କହିଲୁ ? ବସରେ ଯିବା ?’ ମହେନ୍ଦ୍ର ନାକଟେକି ଚାହିଁଲା ମୋ ଆଡ଼େ । ମୋ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ସତେ ଯେପରି ସେତକ ଯଥେଷ୍ଟ ନଥିଲା—ଏୟା ଭାବି ସେ ଯୋଗ କଲା—‘ଏ ଭୟାନକ, ଦଗାବାଜ୍ ସହରରେ କେଉଁ ଭଦ୍ରଲୋକ ବସରେ ଯାଏ ? ହରେକ ରକମର ରୋଗୀ, ଅସାମାଜିକ ଲୋକ ଯେଉଁଠି ଖୁନ୍ଦି ହୋଇଥାନ୍ତି, ସେଥିରେ ଯିବାକୁ କହିଲାବେଳେ ତୋତେ ଟିକିଏ ଲାଜ ବି ଲାଗିଲା ନାହିଁ ।’ କିଛି ସମୟ ପରେ ସେ କହିଲା—‘ଏଡ଼େ ସୁନ୍ଦର ସଫା ପୋଷାକ ମୁଁ ପିନ୍ଧିଛି । ବସରେ ଗଲେ ଏହାର ଇଜ୍ଜତ ରହିବ ?’

 

ମୁଁ ଭାବି ପାରୁ ନଥିଲି ଚିଡ଼ିଆଖାନା ଦେଖିବା ସହିତ ସୁନ୍ଦର ପୋଷାକର ସମ୍ପର୍କ କ’ଣ । ତେବେ ମୁଁ ଆଉ କୌଣସି ଅଭିଯୋଗ କଲି ନାହିଁ । ଚଢ଼ା ଗଳାରେ ମହେନ୍ଦ୍ର ଟାକସିବାଲାକୁ ନିର୍ଦ୍ଦେଶ ଦେଲା ଚିଡ଼ିଆଖାନା ଯିବା ପାଇଁ ।

 

ମାତ୍ର ପନ୍ଦର ମିନିଟ ଭିତରେ ଆମେ ପହଞ୍ଚିଗଲୁ ଯଥା ସ୍ଥାନରେ ।

 

ସମୁଦାୟ ସ୍ଥାନଟା ରିହିଛି ପୂର୍ବ ଭଳି । ଅତୀତରେ ଦେଖିଥିବା ଓ ମନେ ରଖିଥିବା ସମସ୍ତ ଦୃଶ୍ୟ ଅଭୁତ ଭାବେ ମିଶି ଯାଉଛି ବର୍ତ୍ତମାନ ଦେଖୁଥିବା ଦୃଶ୍ୟ ସହିତ । କିଛି ତ ପରିବର୍ତ୍ତନ ମୁଁ ଦେଖୁନାହିଁ । ପୃଥିବୀ ଭଳି ଗୋଟାଏ ସୀମିତ ପରିବେଶ । ଚାରିପଟେ ପାଚେରୀ ଘେରି ରହିଛି । ତା’ ଭିତରେ ଅଛି ଗଛ । ଫୁଲ ବଗିଚା । ରାସ୍ତା । ହ୍ରଦ । ଏପରିକି ଛୋଟ ନଈ । ମୁକ୍ତ ଚଢ଼େଇ । ୟା ବ୍ୟତୀତ ଅନ୍ୟ ଯାହା ରହିଛି—ଯେଉଁଥିପାଇଁ ଏ ଚିଡ଼ିଆଖାନା ଆକର୍ଷଣୀୟ ତଥା ଦର୍ଶନୀୟ—ତାହା କିନ୍ତୁ ଅତି ମାତ୍ରାରେ କରୁଣ ଓ ଯନ୍ତ୍ରଣା-ଦଗ୍‍ଧ ବୋଧ ହେଲା ମୋତେ ।

 

ଚାରିଆଡ଼େ ପିଞ୍ଜରା । ଚାରିଆଡ଼େ ଯନ୍ତା । ଜେଲଖାନା । କୌତୁକିଆ ଛୋଟ ଚଢ଼େଇଠୁ ଆରମ୍ଭ କରି ବାଘ, ସିଂହ, ସାପ-ସମସ୍ତଙ୍କୁ ରଖାଯାଇଛି ଆବଦ୍ଧ କରି ନିରାପଦ ଭାବରେ-। ଆସ, ଚିଡ଼ିଆଖାନା ଗେଟ୍ ପାଖରେ ପଇସା ଦେଇ ଟିକଟ କିଣ । ଦେଖି ନଥିବା ଜୀବଜନ୍ତୁ, ଚଢ଼େଇ, କୁମ୍ଭୀର ଇତ୍ୟାଦିଙ୍କୁ ।

କିନ୍ତୁ ମୁଁ ଆଜି କ’ଣ ଦେଖୁଛି ଏଠାରେ ?

ମୋ ମନରେ ଆଉ କୌତୁହଳ ନାହିଁ, ଅନୁସନ୍ଧିତ୍ସା ନାହିଁ । ପୂର୍ବେ ଦେଖିଥିବା ଜୀବ-ଜନ୍ତୁ ହୁଏତ ମରିଯିବେଣି ଏଇ ଆବଦ୍ଧ, ପରାଧୀନ ଗୁମ୍ଫାରେ । ବର୍ତ୍ତମାନ ହୁଏତ ମୁଁ ଦେଖୁଛି ସେମାନଙ୍କର ଦାୟାଦମାନଙ୍କୁ; ଜନ୍ମ ହୋଇ ପୁଣି ସେହି ଯନ୍ତା ଭିତରେ ମରିବାକୁ ଯାଉଥିବା ଦାୟାଦମାନେ । ତଥାପି, ମୁଁ ଦେଖୁଛି ଜୀବନକୁ—ଦୃଢ଼ ସୀମା ମଧ୍ୟରେ ନିଷ୍ପେଷିତ ହୋଇ ଯାଉଥିବା ଜୀବନ । ଜୀବନ ସବୁ ଯୁଗରେ, ସବୁ ସ୍ଥାନରେ ସମାନ ।

ଖୁବ୍ ଅବସନ୍ନ ଲାଗିଲା । ସେତେବେଳକୁ ଦିନ ପ୍ରାୟ ଦୁଇଟା । ମହେନ୍ଦ୍ର କ’ଣ ସବୁ ଗପୁଥାଏ । ଆବଶ୍ୟକ ସ୍ଥଳେ ମୁଁ ହଁ କିମ୍ୱା ନାହିଁ ବୋଲି ଉତ୍ତର ଦେଉଥିଲି । ତା’ କଥା ଶୁଣିବାକୁ ଆଦୌ ଆଗ୍ରହ ନଥିଲା ।’

ପ୍ରସ୍ତାବ କଲି—‘ଚାଲ ଚା’ ପିଇବା ‘ହାଲିଆ ଲାଗିଲାଣି ।’

ମହେନ୍ଦ୍ର ଆପତ୍ତି କଲା ନାହିଁ । ଆମେ ରେସ୍ତୋରାଁ ଆଡ଼କୁ ଚାଲିଲୁ ।

ଆହୁରି ଅନେକ ଚା’-ପ୍ରେମୀଙ୍କ ଗହଣରେ ଚା’ପିଇବା ସମୟରେ ନାହିଁ ନଥିବା ଘଟଣାଟିଏ ଘଟିଲା—

ସାଇରନ୍ ଭଳି ସତର୍କଘଣ୍ଟି ବାଜି ଉଠିଲା ଚିଡ଼ିଆଖାନା ଭିତରେ । ଏ ଶବ୍ଦର ତାତ୍ପର୍ଯ୍ୟ ଆମେ ବୁଝିପାରିଲୁ ନାହିଁ ସିନା, କିନ୍ତୁ ହଠାତ୍ ଦେଖିଲୁ ରେସ୍ତୋରାଁର ବୟମାନେ ନିଜ କର୍ତ୍ତବ୍ୟ ଭୁଲିଯାଇ ନିଜକୁ ନିରାପଦ ରଖିବାକୁ ବ୍ୟାକୁଳ ହୋଇ ପଡ଼ୁଛନ୍ତି । ଆମ ସାମନାରେ ଦଳ ଦଳ ଲୋକ ଚିତ୍କାର କରି ପ୍ରାଣ ବିକଳରେ ଦୌଡ଼ୁଛନ୍ତି ଏତେତେଣେ । ରେସ୍ତୋରାଁର ଟେଲିଫୋନ ରିଙ୍ଗ୍ କଲା ସମସ୍ତ ଅସ୍ଥିରତାର ସହିତ । ରିସିଭର ଧରିଥିବା ଲୋକ ପାଟି କରି ଉଠିଲା—‘ଭିତରକୁ ଚାଲି ଆସ ସମସ୍ତେ । ଗୋଟାଏ ସିଂହ କେମିତି କେଜାଣି ପିଞ୍ଜରାରୁ ବାହାରି ଆସିଛି ପଦାକୁ ।’

କପ୍ ପ୍ଲେଟ୍ ଫୋପାଡ଼ି ଦେଇ ଆମେ ଘର ଭିତରକୁ ପଶିବାବେଳେ ଡାକବାଜି ଯନ୍ତ୍ରର ଆବାଜ ଶୁଣିଲୁ—‘ଚିଡ଼ିଆଖାନା ଭିତରେ ଥିବା ପ୍ରତ୍ୟେକ ଲୋକ ନିଜକୁ ନିରାପଦ ରଖିବାକୁ ଚେଷ୍ଟାକର—ଗଛ ଉପରକୁ ଚଢ଼ିଯାଅ; କିମ୍ୱା ହ୍ରଦ ଭିତରକୁ ଚାଲି ଆସ; କିମ୍ୱା କୌଣସି ଘର ଭିତରକୁ ପଶିଯାଅ । ଗୋଟାଏ ସିଂହ ପିଞ୍ଜରାରୁ ଖସିଯାଇ ବାହାରେ ବୁଲୁଛି ।

ଏ ସତର୍କବାଣୀର ଶେଷାଂଶ ଆମେ ଶୁଣିଲୁ ରେସ୍ତୋରାଁର ଆବଦ୍ଧ କୋଠରୀ ଭିତରେ । ସହସ୍ରାଧିକ ଲୋକ ଭର୍ତ୍ତି ହୋଇଥାଉଁ ତା’ରି ଭିତରେ । ନିଶ୍ୱାସ ମାରିବାକୁ କଷ୍ଟ ହେଉଥାଏ । ତା’ ସତ୍ତ୍ୱେ ଆହୁରି କେତେ ଭୟଭୀତ ଲୋକ କବାଟ ବାଡ଼ଉଥାନ୍ତି ଭିତରକୁ ପଶିବା ପାଇଁ । ଆମ୍ଭମାନଙ୍କ ମଧ୍ୟରୁ ଅନେକ ଖିଙ୍କାରି ଉଠୁଥାନ୍ତି–‘ଏଠି ଆଦୌ ସ୍ଥାନ ନାହିଁ । ଚଞ୍ଚଳ ଚଢ଼ିଯାଅ ଗଛ ଉପରକୁ ।’ କବାଟ ଉପରେ କରାଘାତ । ଭିତରୁ ସେଇ ପୁରୁଣା ଉତ୍ତର—‘ସ୍ଥାନ ନାହିଁ ।’

ଅଳ୍ପ କେତୋଟି ମୁହୂର୍ତ୍ତ ମଧ୍ୟରେ ସୃଷ୍ଯି ହେଲା ଏକ ଭୟାବହ ପରିବେଶ ଚିଡ଼ିଆଖାନା ଭିତରେ । ଦୃଢ଼ ରେଲିଂ ଲାଗିଥିବା ଝରକା ବାଟେ ଦେଖିଲୁ, ବାହାରଟା ସ୍ତବ୍ଧ ଆଶଙ୍କାଗ୍ରସ୍ତ । ଗୋଟାଏ ଧ୍ୱଂସାତ୍ମକ ଶକ୍ତିର ବିପଦ ସତେ ଯେମିତି ଥରହର କରି ପକାଉଛି ଏ କ୍ଷୁଦ୍ର ପୃଥିବୀକୁ ।

ମଣିଷ ଗହଳି ମଧ୍ୟରେ ମହେନ୍ଦ୍ରର ଶେଥା ମୁହଁ ଓ ଲୋଚାକୋଚା, ଝାଳରେ ଜୁଡ଼ୁବୁଡ଼ୁ ପୋଷାକ ଦେଖି ହସି ପକାଇଲି । ସେ ବିରକ୍ତିର ସହିତ କହିଲା—‘ହସୁଛୁ କ’ଣ ? ଏ ଶଳାଙ୍କର ଟିକିଏ ହେଲେ ଅକଲ ଅଛି ? ଶଳା ଜାନୁଆର ଗୋଟାଏ ବୁଲୁଛି ନିର୍ଦ୍ୱନ୍ଦରେ । ବନ୍ଧୁକର ଏଟାକୁ ମାରି ନ ଦେଇ ଶଳେ କହୁଛନ୍ତି କ’ଣ ନା, ଗଛ ଉପରକୁ ଚଢ଼, ପାଣିକୁ ଡେଇଁପଡ଼ । ମଣିଷ ଜୀବନ ସାଙ୍ଗରେ ଖେଳୁଛନ୍ତି ବାଷ୍ଟାର୍ଡ଼ ଗୁଡ଼ାକ ।’

 

ଗହଳି ଭିତରେ ଏକ ସଙ୍ଗରେ ଚାଲିଥିବା ହାସ୍ୟରୋଳ, ମର୍ମନ୍ତୁଦ କାନ୍ଦଣା, ହିନ୍ଦିଫିଲ୍ମ ଗୀତ, ବିରକ୍ତି ଭିତରେ ଥାଇ ମୁଁ ନିଜକୁ ପଚାରିଲି—‘କିଏ ଏଠି କାହା ଜୀବନ ସାଙ୍ଗେ ଖେଳୁଛି ? ସିଂହ ଜୀବନକୁ ନେଇ ମଣିଷ, ନା ମଣିଷ ଜୀବନକୁ ନେଇ ସିଂହ ? କାହାର ଜୀବନ କେଉଁ ସକାଶେ ଅନ୍ୟ ଜୀବନ ଠାରୁ ବେଶୀ ମୂଲ୍ୟବାନ ? ମୁଁ କିନ୍ତୁ ନୀରବ ରହିଲି । ସତକଥା କହୁଛି; ମୋତେ ଭାରି ଆମୋଦଦାୟକ ଜଣାପଡ଼ୁଥିଲା ମୋ ଚାରିପଟେ ଚିପିହୋଇ ରହିଥିବା ମଣିଷମାନଙ୍କର ଅବସ୍ଥା ଦେଖି ।

 

ହଠାତ୍ ଡାକବାଜି ଯନ୍ତ୍ର ଘୋଷଣା କରୁଥିବାର ଶୁଣିଲୁ–‘ସିଂହଟା ଆଗେଇ ଯାଉଛି ରେସ୍ତୋରାଁ ଆଡ଼କୁ । ହୁସିଆର । ଚିଡ଼ିଆଖାନା କର୍ତ୍ତୃପକ୍ଷ ପଶୁଟାକୁ ଗୁଳିକରି ଦେବାର ବ୍ୟବସ୍ଥା କରୁଛନ୍ତି ।’

 

କ୍ଷଣକ ଭିତରେ ମୃତ୍ୟୁଭୟ ଆଚ୍ଛନ୍ନ କରି ପକାଇଲା ଭିତରେ ନିରାପଦ ଥିବା ବୁଦ୍ଧିମାନ ମଣିଷମାନଙ୍କୁ । ଶ୍ମଶାନର ନୀରବତା ଗ୍ରାସ କଲା ସମସ୍ତ କୋଳାହଳ, ପାଟିତୁଣ୍ଡକୁ । ସମସ୍ତଙ୍କର ହୃତ୍‍ପିଣ୍ଡ ଏକୀଭୂତ ହେଲା । ସମସ୍ତଙ୍କର ଭୟ ବିଜଡ଼ିତ ନିଃଶ୍ୱାସ, ଗୋଟିଏ ନିଃଶ୍ୱାସ ହେଲା ।

 

—‘ହେଇ, ଦେଖ, ଆସୁଛି ଏଇବାଟେ ।’ କେହି ଜଣେ କହିଲା ।

 

କାଚ ଝରକା ଦେଇ ନିରୁଦ୍‍ବିଗ୍ନ ଓ ଆଶଙ୍କା ହୀନ ଭାବରେ କଙ୍କାଳସାର ଦୁର୍ବଳ ଜନ୍ତୁଟାଏ ଧୀର ପଦକ୍ଷେପ ନେଇ ଆଗେଇ ଆସୁଛି ରେସ୍ତୋରାଁ ଆଡ଼େ । ଇଏ ପୁଣି ଜଙ୍ଗଲର ସମ୍ରାଟ ! ଆମେ ଝରକା ପାଖରୁ ଘୁଞ୍ଚିଯିବା ପାଇଁ ପ୍ରାଣପଣେ ଉଦ୍ୟମ କଲୁ ।

 

ରେସ୍ତୋରାଁରୁ ପ୍ରାୟ ପନ୍ଦର ମିଟର ବ୍ୟବଧାନରେ ଠିଆହେଲା ସେହି ଜାନୁଆର । ଚାରିଆଡ଼କୁ ଚାହିଁ ବସିଲା ଆମ ଆଡ଼କୁ ମୁହଁ କରି ।

 

ଆମ ଆଡ଼କୁ ଚାହିଁ ସେ ହୁଏତ ଭାବୁଥିବ, ଏ ସ୍ଥାନରେ ସେ ଅଧିଶ୍ୱର ନୁହେଁ । ତା ପୂର୍ବପୁରୁଷମାନେ ସ୍ୱାଧୀନ ଥିଲେ ଅନ୍ୟ କେଉଁଠାରେ । ଏ ସ୍ଥାନରେ କୌଣସି ସାମଞ୍ଜସ୍ୟ ନାହିଁ ତା ସହିତ ।

 

ମାତ୍ର ମୁଁ ଅନ୍ୟ ପ୍ରକାର ଭାବୁଥିଲି । କିଏ ବର୍ତ୍ତମାନ ବନ୍ଦୀ କାହା ସାମନାରେ ? ଏଇ ସିଂହକୁ ଦେଖୁଥିଲୁ ଆମେ ପିଞ୍ଜରା ଭିତରେ ଅସହାୟ ଅବସ୍ଥାରେ । ସେ ବର୍ତ୍ତମାନ ସହସ୍ରାଧିକ ମଣିଷଙ୍କୁ ଦେଖୁଛି ଭୟ ବିଜଡ଼ିତ ଅବସ୍ଥାରେ ଗୋଟିଏ ସଂକୀର୍ଣ୍ଣ କୋଠରୀରେ । ସେ ବାହାରେ; ଆମେ ଭିତରେ । ଏ ଦୃଶ୍ୟ ଅପୂର୍ବ । ସେ ଅଭିଜ୍ଞତାର ତୁଳନା ନାହିଁ । ସେ ସମୟର ଯେଉଁ ମାନସିକ ଅବସ୍ଥା ତାହା ଅବର୍ଣ୍ଣନୀୟ ପ୍ରକୃତରେ ।

 

ତେବେ ହଠାତ୍ ଗୋଟିଏ କଥା ମୋତେ ବିଚଳିତ କଲା—ଚିଡ଼ିଆଖାନା କର୍ତ୍ତୃପକ୍ଷ ପଶୁଟାକୁ ଗୁଳି କରି ଦେବାର ବ୍ୟବସ୍ଥା କରୁଛନ୍ତି । ଆହା, ବିଚରା ! ସେ ଲଙ୍ଘନ କଲା ନିଜର ସୀମା, ଭୁଲିଗଲା ନିଜର ପରାଧୀନତା । ଯେଉଁ ଜିନିଷ ତା ପାଇଁ ନିଷିଦ୍ଧ, ତାହା ପାଇବା ପାଇଁ ସେ ଆଗେଇ ଆସିଲା । ପିଞ୍ଜରାଟା ହୁଏତ ଏଇ ସିଂହ ପାଇଁ ଏକ ପାରିଜାତ । କାହିଁକି କ୍ଷଣିକ ଉତ୍ତେଜନାରେ ସ୍ୱାଧୀନତାର ଫଳ ଭକ୍ଷଣ ପାଇଁ ସେ ମୂର୍ଖତା କଲା ? କେଡ଼େ ବଡ଼ ମୂଲ୍ୟ ଏଥିପାଇଁ ତାକୁ ଦେବାକୁ ହେବ ସେ କଥା ସେ ବୁଝିବ କାହୁଁ ?

 

ଦେଖିଲୁ, ସିଂହଟା ବସିବା ଜାଗାରୁ ଉଠି ଠିଆ ହେଲା । ପାଟି ମେଲି ସେ ହେଣ୍ଟାଳିବାକୁ ଚେଷ୍ଟା କଲା ବୋଧହୁଏ ତା’ର ପେଟର ଗହ୍ୱର ବି ସୂଚେଇଦେଲା ସେଇକଥା; ମାତ୍ର ସେ ଶବ୍ଦ ଆମକୁ ଶୁଭିଲା ନାହିଁ । ସେ ଶବ୍ଦ ନୀରବତାର ଶବ୍ଦ ।

 

ଫେରିଲା ସେ । ସେଇ ନିର୍ଲିପ୍ତ, ପ୍ରଲୋଭନହୀନ ଗତି । ସେ ଜଣେଇ ଦେଉଥିଲା ଯେ, ତାର ସମ୍ପର୍କ ନାହିଁ କାହାରି ସାଙ୍ଗରେ । ସେ ଆଉ କିଛି ଲୋଡ଼େ ନାହିଁ ନିଜ ପାଇଁ । ତୁଟି ଯାଇଛି ତାର ସମସ୍ତ ବନ୍ଧନ ଏ ସୃଷ୍ଟି ଠାରୁ । ଅଳ୍ପ ସମୟ ପରେ ସେ ଅଦୃଶ୍ୟ ହୋଇଗଲା । ତା ପରେ ପରେ ପୁଣି କୋଳାହଳ ସୃଷ୍ଟି ହେଲା । ପାଖରେ ଠିଆ ହୋଇଥିବା ହୋଟେଲ ବୟଟି କହିଲା–‘ରୋଜି ୟାର ନାଁ । ଏଇଟା ଜନ୍ମ ହୋଇଥିଲା ଚିଡ଼ିଆଖାନାରେ । ତା’ ମା’ ବି ଜନ୍ମ ହୋଇଥିଲା ଏଇଠି । ଗଲାବର୍ଷ ରୋଜିର ମା’ ମଲା । କେଇମାସ ତଳେ ସେ ଯେଉଁ ଛୁଆ ପ୍ରସବ କରିଥିଲା, ସେଗୁଡ଼ାକ ବି ମଲେଣି ।’

 

ହୋଟେଲ ବୟର ମୁହଁ ଉପରୁ ଆଖି ଫେରାଇ ଚାହିଁଲି ଆଗକୁ । ରୋଜି ଆଉ ଦେଖାଯାଉ ନାହିଁ ।

 

ଆମେ ଅଣନିଃଶ୍ୱାସୀ ହେବାକୁ ବସିଲୁଣି । ବାହାରି ଯିବାପାଇଁ ମନ ହେଉଥାଏ । ସେତିକି ବେଳେ ଶୁଣିଲୁ ବନ୍ଧୁକର ଅବାଜ । ଥରେ ନୁହେଁ; ଚାରିଥର । ପରେ ପରେ ଡାକବାଜି ଯନ୍ତ୍ର ଆମକୁ ଆଶ୍ୱସ୍ତ କଲା—‘ସିଂହଟାକୁ ମାରି ଦିଆ ହୋଇଛି । ବିପଦର ଆଉ କାରଣ ନାହିଁ ।’

 

ବାହାରି ଆସିଲୁ ସେଠାରୁ । ଦେହର ଝାଳ ପୋଛିବା ପାଇଁ ରୁମାଲ ଯଥେଷ୍ଟ ନଥିଲା । ଘୃଣା ଓ ବିରକ୍ତିରେ ମହେନ୍ଦ୍ରର ମୁହଁ ଅସ୍ୱାଭାବିକ ଭାବେ କଦର୍ଯ୍ୟ ଦେଖାଯାଉଥିଲା । ମୁଁ ହସିବା ପାଇଁ ଯାଉଥିଲି; ମାତ୍ର କିଛି ଗୋଟାଏ କରୁଣତା ଭିଜା, ସହାନୁଭୂତିସିକ୍ତ ଶକ୍ତି ମୋତେ ବିଷର୍ଣ୍ଣ କରି ପକାଇଲା ।

 

ଆମ ଚାରିପାଖରେ ହର୍ଷୋତ୍‍ଫୁଲ୍ଲ ମଣିଷମାନଙ୍କର ବ୍ୟଗ୍ର ଗତିଶୀଳତା । ଆଃ, କ୍ଷଣକର ପରାଧୀନତା ଓ ଆଶଙ୍କା କେଡ଼େ କଷ୍ଟଦାୟକ ସତେ !

 

ମୋ ହାତ ଟାଣି ମହେନ୍ଦ୍ର କହିଲା—‘ଚାଲ ।’

 

—‘କୁଆଡ଼େ ?’ ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ।

 

—‘ବାହାରକୁ ।’ ମୋତେ ଟାଣି ନେଉ ନେଉ ଉତ୍ତର ଦେଲା ସେ । ଧୂଆ ଧୋଇ ନହେଲେ ମୋଟେ ରିଫ୍ରେସ୍ଡ଼ ଲାଗିବ ନାହିଁ । ଛି, କି ଅପରିଷ୍କାର ପରିବେଶରେ ରହିଗଲେ ଏତେ ସମୟ ପର୍ଯ୍ୟନ୍ତ !

 

ନିଜ ହାତକୁ ମୁକ୍ତ କରି ଗମ୍ଭୀର ଭାବରେ କହିଲି—‘ମୁଁ ବର୍ତ୍ତମାନ ଯିବିନାହିଁ ।’

 

—‘ତେବେ ?’

 

—‘ମୁଁ ଟିକିଏ, ଦେଖିବି ମଲା ଜନ୍ତୁଟାକୁ ।’ ଏତକ କହି ମୁଁ ଆଗେଇଲି । ବାଧ୍ୟ ହୋଇ ବିରକ୍ତିର ସହିତ ମୋତେ ଅନୁସରଣ କଲା ମହେନ୍ଦ୍ର ।

 

ନିର୍ଦ୍ଦିଷ୍ଟ ସ୍ଥାନରେ ସୃଷ୍ଟି ହୋଇଥିଲା ମଣିଷର ଏକ ଜଙ୍ଗଲ । କୌଣସି ମତେ ଭିଡ଼ ଭିତରେ ପଶି ଯାହା ଦେଖିଲି, ସେଥିରେ ସ୍ତମ୍ଭୀଭୂତ ନ ହୋଇ ରହି ପାରିଲିନାହିଁ । ଯେଉଁ ପିଞ୍ଜରାରେ ରୋଜି ରହୁଥିଲା, ଠିକ୍ ତାରି ଦ୍ୱାର ପାଖରେ ସେ ମରି ପଡ଼ିଛି । ଦ୍ୱାର ବନ୍ଦ ଅଛି । ମୋର ଆଦୌ ସନ୍ଦେହ ରହିଲା ନାହିଁ ଯେ ରୋଜି ପୁଣି ସେଇ କ୍ଷୁଦ୍ର ପିଞ୍ଜରା ଭିତରକୁ ଯିବା ପାଇଁ ବ୍ୟାକୁଳ ଥିଲା । ତା ଦେହରେ ଗୁଳିର ଚାରୋଟି କ୍ଷତ ଚିହ୍ନ । ଟୋପାଏ ବି ରକ୍ତ ଝରି ନାହିଁ । ରୋଜି ଭଳି ଜାନୁଆରକୁ ମାରିବା ପାଇଁ ଚାରୋଟି ଗୁଳି ଦରକାର ହେଲା !

 

ଟ୍ରେନ୍ ଚାଲିଥାଏ । ସବାଉପର ବର୍ଥରେ ଶୋଇ ମୁଁ ଚିନ୍ତା କରୁଥିଲି ଅନେକ କଥା ଯଥେଷ୍ଟ ଉତ୍ତେଜିତ ହୋଇ ପଡ଼ୁଥିଲା । ଭାରି ଅସହାୟ ଲାଗୁଥିଲା ।

 

ରୋଜି ଆତ୍ମ ଜୀବନୀର ଶେଷ ପୃଷ୍ଠା ଲେଖିଗଲା । କେଡ଼େ ରହସ୍ୟାଚ୍ଛନ୍ନ, କରୁଣ ସେ ପୃଷ୍ଠା ! ରୋଜି କାହାରିକୁ ଆହତ କରି ନାହିଁ; ଶିକାର କରିବା ତ ଦୂରର କଥା । ସେ ବୋଧହୁଏ ଚାହୁଁଥିଲା ଶୃଙ୍ଖଳାହୀନ, ଆବଦ୍ଧହୀନ କେତୋଟି ମୁହୂର୍ତ୍ତ । ତଥାପି ପୁଣି କେଉଁ ମୋହରେ ନିଜର ନିଃସଙ୍ଗ ଜୀବନକୁ ସେ ଫେରାଇ ନେଉଥିଲା ପିଞ୍ଜରା ଭିତରକୁ ? ମୁଁ କୌଣସି ଉତ୍ତର ପାଇଲି ନାହିଁ । ସୀମା ଲଙ୍ଘନ କରିଛି ବୋଲି ରୋଜି ମୁହଁରେ ଅନୁତାପର ଚିହ୍ନ ଥିଲା କି, ଜୀବନର ନିଗଡ଼ରୁ ମୁକ୍ତି ପାଇଛି ବୋଲି ପରିପୂର୍ଣ୍ଣତାର ଆଭାସ ଥିଲା, ତାହା ବି ଜାଣିବା ସମ୍ଭବ ନଥିଲା ମୋ ପକ୍ଷେ । ତେବେ, ଚିଡ଼ିଆଖାନା କର୍ତ୍ତୃପକ୍ଷ ବିଜ୍ଞତାର ପରିଚୟ ଦେଇଛନ୍ତି ନିଶ୍ଚୟ ! ପୁନରାୟ ପିଞ୍ଜରା ଭିତରକୁ ଯିବା ପାଇଁ ବ୍ୟାକୁଳ ଥିବା ପଶୁଟାକୁ କ୍ଷମା କରିଦେବା ବୋଧହୁଏ ଉଚିତ୍ ହୋଇ ନଥାନ୍ତା-

 

ଏ ପୃଥିବୀରେ ରୋଜି କିଏ ମଣିଷ କିଏ ?

 

ଘରେ ପହଞ୍ଚି କ’ଣ ମନ ହେଲା କେଜାଣି, ବନ୍ଧୁକ ରଖା କୋଠରୀକୁ ଗଲି । ମୁଁ ଖୁବ୍ ସାନ ଥିଲାବେଳେ ଏ ବନ୍ଧୁକ କିଣା ଯାଇଥିଲା । ସେତେବେଳେ ଏହାକୁ ମୁଁ ଟେକି ପାରୁ ନଥିଲି । ବର୍ତ୍ତମାନ ମୁଁ ଯଥେଷ୍ଟ ଶକ୍ତିଶାଳୀ ହୋଇ ପଡ଼ିଲିଣି । ମୁଁ ବନ୍ଧୁକଟା ଗୁଳି କରିବା ଭଙ୍ଗୀରେ ଧରିଲି । ମୋତେ ବେଶ୍ ଖୁସି ଲାଗିଲା ଯେ, ଗୁଳି କରିବା ବେଳେ ମୁଁ ଆଦୌ ଭୟଭୀତ ହେବି ନାହିଁ କିମ୍ୱା ମୋର ହାତ ଥରି ଉଠିବ ନାହିଁ ।

Image

 

କୁହୁଡ଼ି ଓ ତୃଷ୍ଣା

 

ଦିଲ୍ଲୀର ମେନକା ହୋଟେଲରେ ମାଥୁର ଦମ୍ପତ୍ତିଙ୍କ ସଙ୍ଗେ ମୋର ପରିଚୟ ହେଲା ।

 

ଡିସେମ୍ୱର ମାସ ରାତିରେ ଯେଉଁ କାକର-ବର୍ଷା ଚାଲିଥିଲା, ତାହା କୋଳାହଳ ଓ କର୍ମମୁଖରତାର ବହ୍ନିକୁ ଲିଭାଇ ଦେଇଥିବା ଯୋଗୁ, ସହରଟା ପଡ଼ି ରହିଥିଲା ଏକ ମୃତ ମଣିଷର ନିର୍ବାକ ନିସ୍ପନ୍ଦ, ଥଣ୍ଡା ଦେହଭଳି ସେତେବେଳେ ।

 

ରାତି ପ୍ରାୟ ଏଗାରଟା ବେଳକୁ ମୋ ରୁମ୍ ଦରଜାରେ ଠକ୍...ଠକ୍...ଶବ୍ଦ ଶୁଣି କହିଲି—Come in.

 

ସଂପୂର୍ଣ୍ଣ ସାହେବୀ ପୋଷାକରେ ଆବୃତ ହୋଇ ଯେଉଁ ଭଦ୍ରଲୋକ ଜଣକ ରୁମରେ ପ୍ରବେଶ କଲେ, ସେ ଥିଲେ ମୋର ଅଚିହ୍ନା, ଅଦେଖା । ତାଙ୍କ ମୁହଁର ଶୁଷ୍କତା ଓ କ୍ଳାନ୍ତି ପ୍ରଥମେ ମୋର ଦୃଷ୍ଟି ଆକର୍ଷଣ କଲା । ଦେଖିବା ପାଇଁ ଖୁବ୍ ଗୋରା ଥିଲେ ମଧ୍ୟ ମୁହଁର ରକ୍ତଶୂନ୍ୟତା ହେତୁ ତାହା ଶେଥା ଜଣା ପଡ଼ୁଥିଲା । ତାଙ୍କୁ ଦେଖି ପାତଳ ଧଳା ବଉଦର ଚଦର ତଳେ ମୁହଁ ଲୁଚାଇଥିବା ଗୋଲାକାର, ମ୍ଳାନ ଜହ୍ନର ଛବି ହଠାତ୍ ମୋର ମନେ ପଡ଼ିଲା ।

 

ଶିଷ୍ଟାଚାର ରକ୍ଷା କରିବାକୁ ଯାଇ ମୁଁ ଚୌକି ଉପରୁ ଉଠି ପଡ଼ିଲି । ମୁଁ କିଛି କହିବା ପୂର୍ବରୁ ମୁହଁରେ ହସ ଫଟାଇ ସେ ଆରମ୍ଭ କଲେ–‘‘କ୍ଷମା କରିବେ, ମୋ ରୁମର ଟେଲିଫୋନ ବିଗିଡ଼ି ଯାଇଛି । ଆପତ୍ତି ନ ଥିଲେ ଆପଣଙ୍କର ଟେଲିଫୋନଟି ବ୍ୟବହାର କରନ୍ତି ।’’

 

ତାଙ୍କର କହିବା ଢଙ୍ଗ ମୋତେ ଅଭିଭୂତ କରି ପକାଇଲା । ଖୁବ୍ ଆଗ୍ରହର ସହିତ ତାଙ୍କୁ ରିସିଭରଟି ଦେଖାଇ ଦେଲି ।

 

ଫୋନ୍ କରିସାରି ମୋତେ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିବା ପରେ, ତାଙ୍କୁ ବସିବାକୁ ଅନୁରୋଧ କଲି । ଚୌକିଟିଏ ଅଧିକାର କରି ସେ ଆତ୍ମ ପରିଚୟ ଦେଲେ—‘‘ମୋ ନାମ ଉମେଶ ମାଥୁର । ମହାରାଷ୍ଟ୍ରରୁ ଆସିଛି । ଆପଣଙ୍କ ପାଖ ରୁମରେ ଶସ୍ତ୍ରିକ ରହୁଛି ଆଜିଠାରୁ ।’’

 

ହୋଟେଲରେ ରହିବାର କାରଣ ସେ କହିଲେ ନାହିଁ । ମୁଁ ତାଙ୍କୁ ମୋର ପରିଚୟ ଦେଲି-

 

ଶୀତର ତୀବ୍ରତା, ହୋଟେଲର ଅବସ୍ଥିତି, କେବଳ ଡିସେମ୍ୱର ମାସର ତାରିଖ ଲାଗିଥିବା କ୍ୟାଲେଣ୍ଡରର ଛବି ଇତ୍ୟାଦି ଉପରେ ଖୁବ୍ ମାମୁଲି କଥାବାର୍ତ୍ତା ପରେ ସେ ଶୁଭରାତ୍ରି କହି ବିଦାୟ ନେଲେ ।

 

ନୂଆକରି ଜଣେ କବିଙ୍କର ସମ୍ଭାବନାପୂର୍ଣ୍ଣ କବିତା ଭଳି, ମିଃ ମାଥୁରଙ୍କ ପରି ଅଜଣା ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ମୋ ଉପରେ ଏକ ବିସ୍ମୟକର ପ୍ରଭାବ ପକାଇ ପାରିଲା । ମିଃ ମାଥୁରଙ୍କର ସ୍ମିତହାସ୍ୟ ଓ କହିବା ଭଙ୍ଗୀ ତାଙ୍କର ସ୍ୱଚ୍ଛ ବନ୍ଧୁଭାବାପନ୍ନତା ଓ ପରିମାର୍ଜିତ ଚିନ୍ତାଧାରାର ଏକ ପରିଷ୍କାର ପ୍ରତିଫଳନ ବୋଲି ଭାବିବାରେ ମୋର ଆଦୌ ସନ୍ଦେହ ନଥିଲା ।

 

ତା’ ପରଦିନ ସକାଳ—

 

ନିତ୍ୟକର୍ମ ଶେଷକରି ରୁମରୁ ବାହାରିବା ବେଳକୁ ନ’ଟା ବାଜି ଯାଇଥାଏ । ଅନ୍ୟଦିନ ଭଳି ଜଳଖିଆ ପାଇଁ ମୁଁ ସିଧା ଡାଇନିଂ ହଲକୁ ଗଲି । ସେଠାରେ ଖାଇବାକୁ ଭଲ ଲାଗେ ।

 

ହଠାତ୍ ନିଜର ନାମ ଶୁଣି ଅଟକି ଗଲି । ଦେଖିଲି, ମିଃ ମାଥୁର ହସ ହସ ମୁହଁରେ ମୋ ଆଡ଼କୁ ଚାହିଁଛନ୍ତି । ତାଙ୍କ ନିକଟରେ ବସିଛନ୍ତି ଜଣେ ରୂପସୀ ଓ ଅତ୍ୟାଧୁନିକ ମହିଳା । ସେ ମିସେସ୍ ମାଥୁର ବୋଲି ଭାବିବାରେ ଯଥେଷ୍ଟ ଯଥାର୍ଥତା ଥିଲା ।

 

—‘‘ନମସ୍କାର ।’’

 

—‘‘ସୁପ୍ରଭାତ’’, ମାଥୁର ସାହେବ ଉତ୍ତର ଦେଲେ—‘‘ଆମ ପାଖରେ ବସି ଜଳଖିଆ ଖାଇବାରେ ଆପଣଙ୍କର ନିଶ୍ଚୟ କିଛି ଆପତ୍ତି ନାହିଁ ।’

 

—‘‘ଆଦୌ ଆପତ୍ତି ନାହିଁ । ଧନ୍ୟବାଦ ।’’

 

ମୁଁ ସାମନା ଚୌକିଟି ଅଧିକାର କଲି । ମିଃ ମାଥୁର ତାଙ୍କ ସ୍ତ୍ରୀଙ୍କ ସଙ୍ଗେ ପରିଚୟ କରାଇ ଦେଲେ—‘‘ଶୁଭ୍ରା, ଏ ହେଉଛନ୍ତି ମିଷ୍ଟର ମହାପାତ୍ର; ଘର ଓଡ଼ିଶାରେ । ଜଣେ ବିଶିଷ୍ଟ ବ୍ୟବସାୟୀ । କାଲି ସନ୍ଧ୍ୟାରେ ଏଇ ମହାଶୟଙ୍କର ଟେଲିଫୋନଟି ବ୍ୟବହାର କରିଥିଲି ।’’

 

ଶୁଭ୍ରାଦେବୀ ଯୋଡ଼ହସ୍ତରେ ନମସ୍କାର କରି କହିଲେ—‘‘ସେଥିପାଇଁ ମୋ ତରଫରୁ ଧନ୍ୟବାଦ ଗ୍ରହଣ କରନ୍ତୁ ।’’

 

ତାଙ୍କର ସ୍ମିତ ହାସ୍ୟ ଓ କଣ୍ଠସ୍ୱର ମୋତେ ଚମତ୍କୃତ କଲା ।

 

ପୁଣି ସେହି ସ୍ୱର ଶୁଭିଲା—‘‘ଆପଣ ଏକୁଟିଆ ରହୁଛନ୍ତି ?’’

 

ମୁଁ ସମ୍ମତି ସୂଚକ ମୁଣ୍ଡ ହଲାଇଲି ।

 

ଏଥର ମିଃ ମାଥୁରଙ୍କ ପାଳି—‘‘ଆପଣ ବିଶ୍ୱାସ କରନ୍ତୁ, କୌଣସି ବ୍ୟକ୍ତି ସ୍ତ୍ରୀକୁ ଘରେ ଛାଡ଼ି ଦିନେ—ଦୁଇଦିନ ପାଇଁ ହେଉ ପଛେ ବାହାରେ ରହିବା କଥା ଶୁଣିଲେ, ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହିପାରେନା । ବିଜୁଳି ତାର ଭିତରେ ବିଜୁଳି ପ୍ରବାହର ଅନୁପସ୍ଥିତି ଆପଣ ହୁଏତ ବେଳେ ବେଳେ ବିଶ୍ୱାସ କରି ପାରିବେ; ମାତ୍ର ମୋ ସହିତ ଶୁଭ୍ରାର ଉପସ୍ଥିତି ସମ୍ପର୍କରେ ଆପଣ ଆଦୌ ସନ୍ଦେହ କରି ପାରିବେ ନାହିଁ । ସ୍ତ୍ରୈଣ—ନୁହେଁ କି ? ଆପଣ ନିଶ୍ଚୟ ମୋତେ ସ୍ତ୍ରୈଣ ବୋଲି ଭାବୁଥିବେ । ଏଥିପାଇଁ ମୋର ଦୁଃଖ ନାହିଁ ।’’ ସେ କହିଲେ ।

 

ମୋ ଭଳି ଏକ ସଦ୍ୟପରିଚିତ ମଣିଷ ଆଗରେ ସେ ଏଭଳି କଥା କହି ପକାଇବାରୁ ଆନନ୍ଦ, ଲଜ୍ଜା ଓ କୃତ୍ରିମ ବିରକ୍ତି ମିଶ୍ରିତ ଏକ ଅଭୂତପୂର୍ବ ରଙ୍ଗ ଶୁଭ୍ରାଦେବୀଙ୍କ ଗୋଲାପି ମୁହଁରେ ମାଖି ହୋଇଗଲା । ସେ କିଛି–କହିବାକୁ ଚେଷ୍ଟାକଲେ । ପାରିଲେ ନାହିଁ । ତା’ପରେ ସେ ମୁହଁ ପୋତିଲେ ।

 

କଫି ପିଇବା ବେଳକୁ ମିଃ ମାଥୁର ମରଠା ଭାଷାରେ ସାଂପ୍ରତିକ କବିତାର ରୂପରେଖ ସମ୍ୱନ୍ଧରେ କହି ଚାଲିଥାନ୍ତି । କପଟି ପ୍ଲେଟ ଉପରେ ଥୋଇବା ସମୟରେ ସେ କହିଲେ–‘‘ଅନେକେ ସେକ୍ସପିୟରଙ୍କ ନାଟକ ପଢ଼ନ୍ତି । ପଢ଼ିବାବେଳେ କେହି କେହି ଅସ୍ତବ୍ୟସ୍ତ ହୋଇ ଭାବନ୍ତି, କେତେ ସମୟ ପରେ ନାଟକର ହିରୋ ତା’ର ପ୍ରତିଦ୍ୱନ୍ଦୀକୁ ହତ୍ୟା କରିବ । ଅନେକ ଆଧୁନିକ କବିତା ପଢ଼ନ୍ତି । ପଢ଼ିବାବେଳେ କେହି କେହି ଅସ୍ତବ୍ୟସ୍ତ ହୋଇ ଭାବନ୍ତି, କେତେ ସମୟ ପରେ ଏହି ଦୁର୍ବୋଧ୍ୟ କବିତାଟି ଶେଷ ହେବ । ସତ କହୁଛି ମହାପାତ୍ରବାବୁ, ଏଭଳି ପାଠକଙ୍କୁ ନେଇ ସାହିତ୍ୟ ବଞ୍ଚେନା ।’’

 

ମୋର ବ୍ୟବସାୟୀ ମନ ତାଙ୍କ କଣ୍ଠରେ ଭାଷାକୁ ଭଲ ରକମ ବୁଝି ପାରିଲା ନାହିଁ ।

 

ହୋଟେଲରୁ ବାହାରି ମୁଁ ଓ ମାଥୁର ଦମ୍ପତ୍ତି ଦୁଇଟି ଟାକସି ଯୋଗେ ବିପରୀତ ଦିଗ ଆଡ଼କୁ ମୁହାଇଲୁ ।

 

ଅପରାହ୍ନ ପାଞ୍ଚଟା ବେଳେ ମୁଁ ଫେରି ଆସିଲି । ବାଲକୋନିରେ ପଡ଼ିଥିବା କ୍ୟାନଭାସ ଚୌକି ଉପରେ ବସି ମିଃ ମାଥୁର କୌଣସି ଏକ ପତ୍ରିକାର ପୃଷ୍ଠା ଓଲଟାଉଥିଲେ । ମୋ ପାଦଶବ୍ଦ ଶୁଣି ସେ ମୋ ଆଡ଼କୁ ଚାହିଁଲେ ଏବଂ ପଚାରିଲେ ହସ ହସ ମୁହଁରେ—‘‘ବର୍ତ୍ତମାନ ଫେରୁଛନ୍ତି ?’’

 

—‘‘ଆଜ୍ଞା । ଆପଣ ?’’ ମୁଁ ଅନ୍ୟ ଏକ ଚୌକି ଅଧିକାର କଲି ।

 

—‘‘ଅନେକ ବେଳୁ । ଶୁଭ୍ରା ତା’ର ସାଙ୍ଗ ଘରେ ଅଟକି ଗଲା; ମୋତେ କ୍ଳାନ୍ତ ଲାଗିବାରୁ ଫେରି ଆସିଲି ।’’

 

ତା’ପରେ ନୀରବତା ।

 

ସ୍ୱପ୍ନରୁ ଉଠିବା ଭଳି ମିଃ ମାଥୁର ଏକ ଭାବପ୍ରବଣତା ସ୍ୱରରେ ମାଛକାତି ଭଳି ଦିଶୁଥିବା ବଉଦଖଣ୍ଡ, ଲନ୍ ଓ ଗଛର ସବୁଜିମା ତଥା ବିଭିନ୍ନ ଫୁଲର ରଙ୍ଗ ଓ ସେମାନଙ୍କର ମଣିଷମନ ଉପରେ ପ୍ରଭାବ ସମ୍ୱନ୍ଧରେ କହିଚାଲିଲେ । ଶେଷରେ ସେ ଯୋଗକଲେ—‘‘ନୀରବତାର ଆତ୍ମା ମୋର ଚିନ୍ତାଧାରାକୁ ଘସିମାଜି’’ ପରିଷ୍କାର କରିବାରେ ସାହାଯ୍ୟ କରୁଥିବା କଥା ମୁଁ ବିନାଦ୍ୱିଧାରେ ସ୍ୱୀକାର କରେ । ଯେଉଁ ବିଶ୍ୱବିଦ୍ୟାଳୟରେ ମୁଁ ଏମ୍. ଏ. ପଢ଼ିଥିଲି ତା’ର ପ୍ରକାଣ୍ଡ ହତା ଭିତରେ ଥିବା ପଡ଼ିଆରେ ଏକୁଟିଆ, ନିର୍ଜନ ରାସ୍ତାରେ ବୁଲିବାକୁ ଖୁବ୍ ଭଲ ପାଉଥିଲି । ସେହି ଦିନଗୁଡ଼ିକର ସ୍ମୃତି ଅଗଭୀର, ସ୍ୱଚ୍ଛ ଓ ସ୍ଥିର ପାଣିତଳେ ରୂପାଖଣ୍ଡ ଭଳି ଏବେ ବି ମୋ ମନରେ ଜକ ଜକ କରୁଛି-।’’ ଏକ ଦୀର୍ଘଶ୍ୱାସ ତ୍ୟାଗ କରି ସେ ଅନ୍ୟମନସ୍କ ହୋଇଗଲେ ।

 

କିଛି ସମୟ ପରେ ମୋତେ ନୀରବତା ଭାଙ୍ଗିବାକୁ ପଡ଼ିଲା । କହିଲି—‘‘ମାତ୍ର ଆପଣ ଏ ହୋଟେଲରେ କାହିଁକି ରହୁଛନ୍ତି, ତାହା ତ କହିଲେ ନାହିଁ । କ୍ଷମା କରିବେ, ଏ ପ୍ରଶ୍ନଟା ଆଗରୁ ପଚାରିବା ବୋଧହୁଏ ଉଚିତ୍ ଥିଲା ।’’

 

ମୋତେ ହସ ହସ ମୁହଁରେ ଚାହିଁ ସେ ପଚାରିଲେ—‘‘ଶୁଣିବେ ?’’ ‘‘ଅବଶ୍ୟ କହିବାରେ ଆପଣଙ୍କର ଯଦି କିଛି ଆପତ୍ତି ନ ଥାଏ ।’’ ମୁଁ କହିଲି ।

 

—‘‘All India institure of Medical Science ରେ ଆଡ଼ମିଶନ ନେବାକୁ ହେବ ।’’

 

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି—‘‘ମାନେ, ଆପଣ... ?’’

 

—‘‘ହଁ, ମୁଁ ଆଡ଼ମିଶନ ନେବି ।’’ କେଉଁ କାରଣରୁ ଆଡ଼ମିଶନ ନେବାକୁ ହେବ ବୋଲି ପଚାରିବା ପୂର୍ବରୁ ସେ ଉତ୍ତର ଦେଲେ—‘‘ମୁଁ ଜଣେ କ୍ୟାନସର ରୋଗୀ । ଡାକ୍ତରମାନେ କହୁଛନ୍ତି, ମୋର ଫୁସଫୁସରେ କ୍ୟାନସର ହୋଇଛି ।’’

 

ମୋର ସମସ୍ତ ଚିନ୍ତାଶକ୍ତି ଓ ବୋଧଶକ୍ତି ସତେ ଯେପରି ଅକାମି ହୋଇଗଲା । ମୋ ମୁହଁର ଆଗ୍ରହ ଓ ମୃଦୁହସ ଉଭେଇଗଲା କେଉଁ ଆଡ଼େ । ମୁଁ ଗମ୍ଭୀର ଓ ସମ୍ୱେଦନଶୀଳ ନ ହୋଇ ରହି ପାରିଲି ନାହିଁ ।

 

ମାତ୍ର ଆଶ୍ଚର୍ଯ୍ୟର କଥା, ମାଥୁର ସାହେବ ଆଗଭଳି ସହଜ କଣ୍ଠରେ ଓ ହସିଲା ମୁହଁରେ କହି ଚାଲିଲେ—‘‘ଚିକିତ୍ସାରେ ଯଥେଷ୍ଟ ବିଳମ୍ୱ ହୋଇ ଯାଇଛି । ଏଠାରେ ଅପରେସନ ହେବ । ତାହା ଯେ କୃତକାର୍ଯ୍ୟ ହେବ, ସେ ସମ୍ୱନ୍ଧରେ କୌଣସି ଡାକ୍ତର ନିଶ୍ଚିତ ଥିବା ଭଳି ଜଣା ପଡ଼ୁ ନାହାନ୍ତି । ଅପରେସନ୍ ଟେବୁଲରେ ମୋର ମୃତ୍ୟୁ ହୋଇ ଯିବା ଆଦୌ ବିଚିତ୍ର ନୁହେଁ ।’’

 

ତାଙ୍କ ସ୍ୱରରେ ଉତ୍କଣ୍ଠା, ଉତ୍ତେଜନା କିମ୍ୱା ଅସ୍ଥିରତା ନ ଥିଲା । ମୁହଁରେ ଥିଲା ସେହି ହସ ଏବଂ ନିଷ୍ଠୁର ସତ୍ୟକୁ ଗ୍ରହଣ କରିବା ପାଇଁ ସେହି ପ୍ରତିଜ୍ଞାର ମୋହର । ସେ ହୁଏତ ଭାବୁଥିଲେ ଯେ କ୍ୟାନସର ରୋଗଟା ମୁଣ୍ଡବ୍ୟଥା କିମ୍ୱା ଶର୍ଦ୍ଦିଭଳି ଖୁବ୍ ମାମୁଲି । ପୁଣି ତାଙ୍କ ମତରେ ବୋଧହୁଏ ମୃତ୍ୟୁ ଏକ ସାଧାରଣ ଅଭିଜ୍ଞତା ଯାହାକୁ ଶୀତ ରାତିରେ ବିଜୁଳିର ଆଲୁଅ ନଥିବା ଏକ ସହରର କଳା ମଚ୍ ମଚ୍ ରାସ୍ତାରେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଚାଲିବା ଭଳି ଅଭିଜ୍ଞତା ସହିତ ତୁଳନା କରାଯାଇ ପାରେ ।

 

ଏଭଳି ଗୁରୁତର କଥାକୁ ସେ ଏତେ ହାଲୁକା ଭାବରେ ଗ୍ରହଣ କରୁଥିବା କଥା ଚିନ୍ତାକରି ମୁଁ ଖୁବ୍ ଦୁର୍ବଳ ଅନୁଭବ କଲି । ମିସେସ ମାଥୁରଙ୍କର ଛବି ବାରମ୍ୱାର ଆଖି ଆଗରେ ଝଲସି ଉଠି ମୋତେ ଅବ୍ୟକ୍ତ ଯନ୍ତ୍ରଣା ଦେବାରେ ଲାଗିଲା ।

 

—‘‘ଆପଣ କ’ଣ ଭାବୁଛନ୍ତି ?’’ ମାଥୁର ସାହେବଙ୍କର ପ୍ରଶ୍ନ ।

 

ହସିବା ପାଇଁ ଦୟନୀୟ ଚେଷ୍ଟାକରି କହିଲି—‘‘ମୁଁ ? ମୁଁ ଆଉ କଣ ଭାବି ପାରେ ?’’

 

ସେ ଉଚ୍ଚ ସ୍ୱରରେ ହସି ଉଠି କହି ଚାଲିଲେ—‘‘ମୁଁ ଜାଣେ, ଆପଣ ଟିକିଏ ନର୍ଭସ ହୋଇ ପଡ଼ିଛନ୍ତି । କିନ୍ତୁ ମିଃ ମହାପାତ୍ର, ଆପଣ ଗୋଟିଏ କଥା ଆଦୌ ଭୁଲିଯିବେ ନାହିଁ । ମୃତ୍ୟୁହିଁ କୌଣସି ରୋଗର ଅନ୍ତିମ ଓ ଶୋଚନୀୟ ପରିଣତି ହୋଇପାରେ ।

 

ମୋ ଜୀବନରେ ଯଦି ଏହା ଘଟେ ତେବେ ଆଶ୍ଚର୍ଯ୍ୟ କିମ୍ୱା ମ୍ରିୟମାଣ ହେବାର ଆବଶ୍ୟକତା ନାହିଁ । ଯଦି ଅପରେସନ୍ ଟେବୁଲରେ ମୋର ମୃତ୍ୟୁ ହୁଏ, ତେବେ ତାହା ଏକ ଯନ୍ତ୍ରଣା ମୁକ୍ତ ମୃତ୍ୟୁ ହେବ । ତେବେ ଅପରେସନ୍ କୃତକାର୍ଯ୍ୟ ହେଲେ ମୁଁ ନିଶ୍ଚୟ ବେଶୀ ଆନନ୍ଦିତ ହେବି । ତଥାପି ମୁଁ ଆପଣଙ୍କୁ କହି ରଖୁଛି ଯେ ଅପରେସନ୍ ଟେବୁଲରେ ମୃତ୍ୟୁ ହେବ ବୋଲି ମୁଁ ନିଶ୍ଚିତ ଭାବେ ଜାଣିଗଲେ ମଧ୍ୟ ବର୍ତ୍ତମାନଠାରୁ ଭୟଭୀତ ହୁଅନ୍ତି ନାହିଁ କିମ୍ୱା ଦୁଃଖିତ ହୁଅନ୍ତି ନାହିଁ; କାରଣ ଜୀବନର ସଙ୍ଗୀତ ଓ ରଙ୍ଗ ପ୍ରତି ଯେଉଁ ଗଭୀର ମମତା ଅଛି, ତାହାକୁ ଆଖିର ଅଶ୍ରୁ ଓ ହୃଦୟର କୋହଦ୍ୱାରା ବେସୁରା ଓ କଦର୍ଯ୍ୟ କରିବା ସପକ୍ଷରେ ମୁଁ ନାହିଁ ।’’

 

ତାଙ୍କର ଅବହେଳିତ ଭାବକୁ ମୁଁ ପ୍ରଶଂସା କରି ପାରିଲି ନାହିଁ । ଏକ ମୁର୍ମୂଷ କଣ୍ଠରେ କହିଲି—You are strange. ଅଥଚ ସାମାନ୍ୟ ଜ୍ୱର ହେଲେ ମୁଁ ଆଶଙ୍କା ଯନ୍ତ୍ରଣାରେ ବେଳେ ବେଳେ ସଂଜ୍ଞାହୀନ ହୋଇଯାଏ ।’’

 

ଏଥର ଅନେକ ସମୟ ପରେ ମାଥୁର ସାହେବ ନିଜର ଦାସ୍ୟ ସମ୍ୱରଣ କଲେ । ମୋତେ ଦୟା ପ୍ରଦର୍ଶନ କଲା ଭଳି ଏବଂ ଏକ ରହସ୍ୟମୟ, ଗୁପ୍ତ କଥା ଶୁଣାଇବା ଭଳି କହିଲେ–‘‘ମହାପାତ୍ର ସାହେବ, ଆପଣ ଆକାଶ କଥା ଚିନ୍ତା କରନ୍ତୁ । ମେଘମୁକ୍ତ ନେଳିଆ ଆକାଶରେ ଏକ ପକ୍ଷୀ ଉଡ଼ିଗଲା ବେଳକୁ, ଏହାର ଡେଣାରେ ଆକାଶର ନୀଳିମା ପ୍ରତିଫଳିତ ହୋଇଥାଏ; ମାତ୍ର ଏହି ରଙ୍ଗ ଉକ୍ତ ଡେଣାକୁ ନେଳିଆ କରି ପାରେନା । ମୃତ୍ୟୁ ପରେ ଆମେ କ’ଣ ହୋଇଯାଉ, ତାହା ଆମକୁ ଜଣା ନଥିବାରୁ ମୃତ୍ୟୁ ଏକ ଅନ୍ଧକାର । ତେବେ ଏହି ଅନ୍ଧକାର ଏବଂ ଏହା ଜନିତ ଭୟ ଓ ଆଶଙ୍କା ଜୀବନ ଉପରେ ପ୍ରତିଫଳିତ ହେବା କଥାକୁ ଆପଣ ପସନ୍ଦ କରିବେ କି ? ଯଦି ତାହା ହୁଏ, ତେବେ ଜୀବନଟା ଏହି ଅନ୍ଧକାର ପାଇଁ ଏକ ଯନ୍ତ୍ରଣାଦାୟକ, ଦୀର୍ଘ ପ୍ରତୀକ୍ଷା ବ୍ୟତୀତ ଆଉ କ’ଣ ହୋଇପାରେ ? ଜୀବନର ଶେଷବିନ୍ଦୁକୁ ଉପଭୋଗ କରିବା ହେଉଛି ମୋର ଧର୍ମ । ମୁଁ ବେଶ୍ ଖୁସିରେ ଅଛି ।’’

 

ତାଙ୍କ ଭାଷାରେ ଦୃଢ଼ତା ମୋ ମନରେ ତାଙ୍କ ପ୍ରତି ଭକ୍ତି ସଞ୍ଚାର କଲା । ମୁଁ ଅଧିକ କିଛି କହି ପାରିଲି ନାହିଁ ।

 

ଏତିକିବେଳେ ମିସେସ୍ ମାଥୁର ପହଞ୍ଚିଗଲେ । ଆମ ଦୁହିଁଙ୍କୁ ଗପସପ କରୁଥିବାର ଦେଖି ତାଙ୍କ ସୁନ୍ଦର ମୁହଁରେ ଆକର୍ଷଣୀୟ ହସ ଫୁଟି ଉଠିଲା ।

 

ମାଥୁର ସାହେବ ତାଙ୍କ ନିକଟକୁ ଯାଉ ଯାଉ ଆପତ୍ତି କଲେ—‘‘ତୁମେ ଏତେ ଡେରି କରିବ ବୋଲି ଜାଣିଥିଲେ, ତୁମ ସାଙ୍ଗ ଘରେ ଅଟକି ଯିବା ପାଇଁ ମୁଁ ଜମା ରାଜି ହୋଇନଥାନ୍ତି । ମିଷ୍ଟର ମହାପାତ୍ର ପହଞ୍ଚିଗଲେ ବୋଲି ସିନା ! ଚାଲ, ରୁମକୁ । ଭୋକରେ ପେଟ ଜଳିଲାଣି ।’’

 

ବିସ୍ମୟରେ ଶୁଭ୍ରାଦେବୀଙ୍କର ଭ୍ରୁ ଦିଓଟି କୁଞ୍ଚିତ ହୋଇଗଲା । ସେ ପ୍ରଶ୍ନକଲେ—‘‘ଆରେ, ମୋ ପାଇଁ ଅପେକ୍ଷା କଲ କାହିଁକି ? ତୁମେ ତ ଜଳଖିଆ ଖାଇ ନେଇଥାନ୍ତ !’’

 

ମିଷ୍ଟର ମାଥୁର ସ୍ତ୍ରୀଙ୍କର ହାତଟି ଧରି ଟାଣି ଟାଣି ଆଗକୁ ପାଦ ବଢ଼ାଇଲେ । ତାଙ୍କ ସହିତ କଫି ପାନ ପାଇଁ ମୁଁ ମଧ୍ୟ ନିମନ୍ତ୍ରିତ ହେଲି ।

 

ତା’ ପରଦିନ—

 

ଶୀଘ୍ର କାମ ଶେଷ ହେବାରୁ ଦିନ ପ୍ରାୟ ଦୁଇଟା ବେଳେ ହୋଟେଲକୁ ଫେରି ଆସିଲି । ମାଥୁର ମହାଶୟଙ୍କ ସହିତ ଗପସପ କରିବାକୁ ମନ ହେବାରୁ ଦରଜାରେ ଠକ୍...ଠକ୍...ଶବ୍ଦ କଲି । ସ୍ୱୟଂ ମାଥୁର ମହାଶୟ କବାଟ ଖୋଲିଲେ ଏବଂ ଭିତରକୁ ଯିବାପାଇଁ ଅନୁରୋଧ କଲେ ।

 

ଚୌକି ଅଧିକାର କରି ପଚାରିଲି—‘‘ମିସେସ୍ ମାଥୁର ନାହାନ୍ତି ବୋଧହୁଏ ?’’ —ନା’’, ସେ ଉତ୍ତର ଦେଲେ—‘‘ମେଡ଼ିକାଲକୁ ଯାଇଛି, ମୋ ପାଇଁ କାବିନଟିଏ ବନ୍ଦୋବସ୍ତ କରିବା ପାଇଁ । ତାର କେତେ ଜଣ ଆତ୍ମୀୟ ସେଠାରେ କାମ କରନ୍ତି ।’’

 

ହାତରେ ଧରିଥିବା ପୁଡ଼ିଆଟି ପ୍ରତି ତାଙ୍କର ଦୃଷ୍ଟି ଆକର୍ଷିତ ହେଲା । ପଚାରିଲେ ‘‘ସେ କ’ଣ ଆଣିଛନ୍ତି ?’’

 

ଏକରକମ ବିକଳ ସ୍ୱରରେ କହିଲେ—‘‘ଏସବୁ ପିଲାପିଲିଙ୍କ ପାଇଁ ପୋଷାକ ପରିଚ୍ଛଦ-। ଏଠାରୁ ଫେରିବା ପାଇଁ ଆହୁରି ଡେରି ଥିଲେ ମଧ୍ୟ କାଳେ ମନେ ନ ପଡ଼ିବ ବୋଲି କିଣି ଆଣିଛି । ମିସେସ୍ ମାଥୁର ଓ ଆପଣଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ଦେଖି ମୋର ଭାରି ଈର୍ଷା ହେଉଛି । ଦୁର୍ଭାଗ୍ୟବଶତଃ ପାଟିତୁଣ୍ଡ କରିବା ଓ ମୋ ସହିତ ବେଳେ ବେଳେ ଝଗଡ଼ା କରିବାର ଏକ ଏକସିଲେଣ୍ଟ ମେସିନ୍ ହେଉଛନ୍ତି ମୋ ସ୍ତ୍ରୀ । ପିଲାଙ୍କ ପାଇଁ ଏ ସବୁ ନ ନେଲେ ତାଙ୍କର ଉଗ୍ରମୂର୍ତ୍ତିକୁ ସାମନା ସାମନି କରିବାକୁ ପଡ଼ନ୍ତା । କିଣି ଆଣିଲି ଆଜି । ଦେଖିବେ ?’’

 

ଏକ ଦୀର୍ଘଶ୍ୱାସ ତ୍ୟାଗ କରି ସେ ଆଗ୍ରହହୀନ ସ୍ୱରରେ କହିଲେ—‘‘ନା, ଥାଉ । ପିଲାମାନଙ୍କୁ କିଭଳି ପୋଷାକ ଭଲ ମାନିବ ତାହା ଜାଣିବାର ଅଭିଜ୍ଞତା ମୋର ଆଦୌ ନାହିଁ ।’’

 

କଥାଟାକୁ ଚାଲୁରଖିବା ପାଇଁ କହିଲି—‘‘ତା’ହେଲେ ମିସେସ୍ ମାଥୁର ନିଶ୍ଚୟ ସେ ସବୁ କିଣାକିଣି କରୁଥିବେ ।’’

 

ଉଦାର ଭାବରେ ହସି ମାଥୁର ସାହେବ କହିଲେ—‘‘ଶୁଭ୍ରା କଥା କହୁଛନ୍ତି ? ସେ’ବି ଏସବୁ କିଣାକିଣି କରେନି । ଆମର ପିଲାପିଲି ନାହାନ୍ତି ।’’

 

ଜିଜ୍ଞାସା ଓ ଆଶ୍ଚର୍ଯ୍ୟରେ ପଚାରିଲି—‘‘ପିଲାପିଲି ନାହାନ୍ତି । ଏବେ ବୋଧହୁଏ ବିବାହ କଲେ ?’’

 

ସେହିଭଳି ହସୁ ହସୁ ସହଜ କଣ୍ଠରେ ସେ କହିଲେ—‘‘ନା, ଏବେ ନୁହେଁ ଆମେ ଦଶବର୍ଷ ହେଲା ବିବାହ କଲୁଣି । ବିବାହର ଦୁଇବର୍ଷ ପରେ ପରେ ଶୁଭ୍ରାର ପିଲା ହେବା କଥା । ମାତ୍ର ତା’ ପେଟ ଭିତରେ ପିଲାଟି ମରିଗଲା । ଭାରି ଯନ୍ତ୍ରଣା ପାଇଲା ବିଚାରି ! ତା’ର ପେଟ କାଟି ମୃତ ପିଲାଟିକୁ କାଢ଼ିବାକୁ ହୋଇଥିଲା । ଅପରେସନରେ କୌଣସି ତ୍ରୁଟି ହେତୁ, ତା’ର ମାତୃତ୍ୱଲାଭ କରିବାର କ୍ଷମତା ନଷ୍ଟ ହୋଇଗଲା । ଶୁଭ୍ରାର ସହସ୍ର ପ୍ରାର୍ଥନା ସତ୍ୱେ ମୁଁ ଆଉ ଥରେ ବିବାହ କଲି ନାହିଁ ପୁଣି ଏଇ କେତେ ମାସ ହେବ ମୋତେ କ୍ୟାନସର ହୋଇଛି ବୋଲି ଜାଣିଲି । ତେଣୁ ଆଉ ଥରେ ବିବାହ କରି ପିଲାପିଲିଙ୍କ ପାଇଁ ପୋଷାକ ପରିଚ୍ଛଦ କିଣିବାର ପ୍ରଶ୍ନ ଉଠୁ ନାହିଁ !’’

 

ଦୁଇ ହାତ ପାପୁଲିରେ ମୁହଁ ପୋଛି, ସେ ପୁଣି କହିଚାଲିଲେ—‘‘ଶୁଭ୍ରା ଏକ ଅଭୁତ ରମଣୀ । ତା’ ମତରେ ଜନନୀ ହେବାହିଁ ନାରୀର ସବୁଠାରୁ ଶ୍ରେଷ୍ଠ ସାର୍ଥକତା । ଏହି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସ୍ତ୍ରୀତ୍ୱ ଏକ ଆବେଗମୟ ମାଧ୍ୟମ । ଏହି କଥା କହି ସେ ଅନେକବାର କାନ୍ଦିଛି ଓ ନିଜକୁ ଅପରାଧୀ ବୋଲି ମନେ କରିଛି । ବର୍ତ୍ତମାନ ତା’ର ଏସବୁ ଭାବପ୍ରବଣତା ନାହିଁ । ଆପଣଙ୍କୁ ମୁଁ ଦୃଢ଼ତାର ସହିତ କହିପାରେ ଯେ, ଆମେ ବେଶ୍ ସୁଖରେ ଅଛୁ ।’’

 

ୟା’ପରେ ଆଉ କିଛି ଉଲ୍ଲେଖଯୋଗ୍ୟ ଘଟଣା ଘଟି ନାହିଁ । ମାଥୁର ଦମ୍ପତ୍ତି ସହିତ ମୋର ବନ୍ଧୁତା ବୃଦ୍ଧି ପାଇଲା । ସେ ଦୁହିଁଙ୍କ ମଧ୍ୟରେ କୌଣସି ଦୁଃଖ, ଅଭାବ କିମ୍ୱା ଅଶାନ୍ତି ଥିବା କଥା ଲକ୍ଷ୍ୟ କରିନାହିଁ । ଶୁଭ୍ରାଦେବୀ ଆଉ କେବେ ମା’ ହୋଇପାରିବେ ନାହିଁ । ତଥା ମାଥୁର ସାହେବଙ୍କର କ୍ୟାନସର ରୋଗଗ୍ରସ୍ତ ଫୁସଫୁସ୍ ନିକଟରେ ଅପରେସନ ହେବାକୁ ଯାଉଛି—ଏହି ଭାବନା ତାଙ୍କୁ ବିଚଳିତ କରିନାହିଁ, ତାଙ୍କ ଆଖିରୁ ଅଶ୍ରୁ ଝରାଇ ନାହିଁ । ସେ ସୌଜନ୍ୟ ଓ ଶିଷ୍ଟାଚାରର ଏକ ଆଦର୍ଶ ମହିଳା । ମାଥୁର ସାହେବ ଜ୍ଞାନୀ, ସାହିତ୍ୟିକ ଓ ପ୍ରକୃତିର ଉପାସକ । ସେ ଦୃଢ଼ତା, ପ୍ରତିଜ୍ଞା ଓ ଅବିଚଳିତ ଭାବର ଏକ ଅବତାର । ସେ ସର୍ବଦା ହସହସ । ଶୁଭ୍ରାଦେବୀ ପାଖରେ ଥିଲେ ସେ ଖୁବ୍ ପ୍ରଗଳ୍‍ଭ ଓ ପିଲାଳିଆ ହୋଇଯାଆନ୍ତି । ଦୁହିଁଙ୍କ ପ୍ରତି ମୋର ପ୍ରବଳ ଶ୍ରଦ୍ଧା, ଭକ୍ତି ଓ ସହାନୁଭୂତି ଆସି ଯାଇଥିଲା ।

 

କିଛିଦିନ ପରେ ମାଥୁର ଦମ୍ପତ୍ତି ହୋଟେଲରୁ ବିଦାୟ ନେଲେ । ମିଃ ମାଥୁରଙ୍କ ପାଇଁ ମେଡ଼ିକାଲରେ ଏକ କ୍ୟାବିନ ବନ୍ଦୋବସ୍ତ ହୋଇ ଯାଇଥିଲା । ସେଦିନ ସେମାନଙ୍କୁ ମେଡ଼ିକାଲରେ ଛାଡ଼ି ମୁଁ ଫେରି ଆସିଲି । ଦିଲ୍ଲୀରେ ରହିବା କାଳ ମଧ୍ୟରେ ତାଙ୍କୁ ମଝିରେ ମଝିରେ ଦେଖା କରିବା ପାଇଁ ମିସେସ୍ ମାଥୁର ମୋତେ ଅନୁରୋଧ କରିଥିଲେ । ଆଗ୍ରହ ଓ ଆନନ୍ଦର ସହିତ ମୁଁ ସମ୍ମତି ଦେଇଥିଲି ।

 

ହୋଟେଲକୁ ଫେରି ଦେଖିଲି, ମାଥୁର-ଦମ୍ପତ୍ତି ରହୁଥିବା ରୁମଟିକୁ ଗୋଟିଏ ୟୁରୋପୀୟ-ଦମ୍ପତ୍ତି ଅଧିକାର କରି ସାରିଲେଣି । ମୁଁ ନଜର ଦେଇ ନ ଥିଲି ସେଥିପ୍ରତି । ସେ ଦୁହିଁଙ୍କର ଅନୁପସ୍ଥିତିର ଶୂନ୍ୟତା ମୁଁ ଅନୁଭବ କରୁଥିଲି ହୋଟେଲର ବାରଣ୍ଡାରେ, ବାୟୁମଣ୍ଡଳରେ, ଲନରେ ସବୁଜିମାରେ ଓ ଡାଇନିଂହଲରେ । କିଛି ସମୟ ପାଇଁ ମୁଁ ମୂର୍ଚ୍ଛାଳିଆ ବୋଧ କଲି ଓ ତଣ୍ଟି ପାଖରେ ବେଦନା ଅନୁଭବ କଲି ।

 

ପାଞ୍ଚଦିନ ପରେ ଦିଲ୍ଲୀରେ ମୋର କାମ ଶେଷ ହେଲା । ସେଠାକାର ବିଶିଷ୍ଟ ଶିଳ୍ପପତି ବ୍ୟବସାୟୀଙ୍କ ସହିତ ଆବଶ୍ୟକୀୟ ଚୁକ୍ତିପତ୍ର ଶେଷ ହେବାପରେ ଓଡ଼ିଶା ଫେରି ଆସିବାକୁ ମୁଁ ବ୍ୟାକୁଳ ହୋଇ ପଡ଼ିଲି ।

 

ତା’ପର ଦିନ ଫେରିବା କଥା । ସନ୍ଧ୍ୟାରେ Indian Airlinesର ବୁକିଙ୍ଗ୍ ଅଫିସର ଟିକେଟ କାଟି ଟାକ୍‍ସି ଯୋଗେ ହୋଟେଲକୁ ଫେରିବା ବେଳେ ମାଥୁର ଦମ୍ପତ୍ତିଙ୍କ କଥା ମନେ ପଡ଼ିଲା । ମେଡ଼ିକାଲ ଯିବା ପାଇଁ ଟାକ୍‍ସି ଚାଳକକୁ ନିର୍ଦ୍ଦେଶ ଦେଲି ।

 

କ୍ୟାବିନର ଦ୍ୱାର ଖୋଲା ଥିଲା ଓ ପର୍ଦ୍ଦା ଝୁଲୁଥିଲା । ଭିତରେ ଆଲୁଅ ବି ଜଳୁଥିଲା । ଝିନ ପର୍ଦ୍ଦାଦେଇ ଦେଖିଲି, ମାଥୁର ଦମ୍ପତ୍ତି ଏକ ପତ୍ରିକା ଉପରେ ଝୁଙ୍କି ପଡ଼ି କିଛି ଦେଖିବାରେ ବ୍ୟସ୍ତ ଅଛନ୍ତି । କବାଟରେ ଠକ୍...ଠକ୍...ଶବ୍ଦ କଲି ଓ ମାଥୁର ସାହେବ Come in ବୋଲି କହିବାର ଶୁଣିଲି ।

 

ମୋତେ ଦେଖି ଉଚ୍ଛ୍ୱସିତ ଓ ଆନନ୍ଦରେ ମିଃ ମାଥୁର ଏକରକମ ଚିତ୍କାର କରି ପକାଇଲେ ଏବଂ କର ମର୍ଦ୍ଦନ କରିବା ବଦଳରେ କୁଣ୍ଢାଇ ପକାଇଲେ । ଶୁଭ୍ରାଦେବୀ ଆତ୍ମୀୟତାର ହସ ହସି ଯୋଡ଼ ହସ୍ତରେ ନମସ୍କାର କଲେ ।

 

ଚୌକି ଉପରେ ବସିସାରି କହିଲି—‘‘ଆସନ୍ତା କାଲି ମୁଁ ଫେରି ଯାଉଛି । ଯିବା ପୂର୍ବରୁ ଆପଣମାନଙ୍କ ସହିତ ଦେଖା କରିବା ପାଇଁ ପ୍ରବଳ ଆଗ୍ରହର ସହିତ ଏଠାକୁ ଚାଲି ଆସିଲି ।’’

 

ମିଷ୍ଟର ମାଥୁରଙ୍କର ମୁହଁ ସାମାନ୍ୟ ମ୍ଳାନ ହୋଇଯାଉଥିଲା; ମାତ୍ର ସେ କୃତଜ୍ଞ ହୋଇ କହିଲେ—‘‘ଆପଣଙ୍କର ଅଶେଷ ଦୟା ।’’

 

ମୁଁ ପ୍ରତିବାଦ କଲି—‘‘ଆପଣ ଏ କ’ଣ କହୁଛନ୍ତି ? ଆପଣ ମୋର ବନ୍ଧୁ । ତେଣୁ ଆମ ଦୁହିଁଙ୍କ ସମ୍ପର୍କ ଭିତରେ ଦୟାର ସ୍ଥାନ ଥାଇ ପାରେନା ।’’

 

ଆମେ ତିନିଜଣଯାକ ହସୁଥିଲୁ । ଆତ୍ମୀୟତା ଓ ସୌଜନ୍ୟପୂର୍ଣ୍ଣ ଭାବରେ ବିଭିନ୍ନ କଥା ପଡ଼ିଲା—ଆନ୍ତର୍ଜାତିକ ପରିସ୍ଥିତି ଠାରୁ ଆରମ୍ଭ କରି, ମେଡ଼ିକାଲ କ୍ୟାବିନରେ ରହିବାର ଅନୁଭୂତି ପର୍ଯ୍ୟନ୍ତ । ରାତି ପ୍ରାୟ ଦଶଟାବେଳେ ହୋଟେଲକୁ ଫେରିବା ପାଇଁ ମୁଁ ଉଠିଲି ।

 

ମାଥୁର ସାହେବଙ୍କୁ ଅନୁରୋଧ କଲି—‘‘ଆପଣଙ୍କ ଠିକଣାଟି ଦେବେ । ପତ୍ରାଳାପ ନିଶ୍ଚୟ ହେବ ।’’ ମୁଁ ଡାଇରୀ ଓ କଲମ ତାଙ୍କ ଆଡ଼କୁ ବଢ଼ାଇଲି ।

 

ହଠାତ୍ ତାଙ୍କର ମୁଖଭଙ୍ଗୀ ବଦଳିଗଲା । ବେଦନାସିକ୍ତ ହସ ହସି ସେ କହିଲେ–‘‘କେଉଁ ଭରସାରେ ଠିକଣା ଦେବି, ମହାପାତ୍ରବାବୁ ?’’ ତା’ପରେ ଭଲ ରକମ ହସିବାକୁ ବ୍ୟର୍ଥ ଚେଷ୍ଟାକରି କହିଲେ—‘‘ଆପଣ ଭୁଲି ଯାଉଛନ୍ତି ଯେ ମୁଁ ଜଣେ କ୍ୟାନସର ରୋଗୀ । ଏ ରୋଗ କିଭଳି ଭୟାନକ ତାହା କ’ଣ ଆପଣ ଜାଣନ୍ତି ନାହିଁ ? ଏ ରୋଗର ସମ୍ଭାବ୍ୟ ପରିଣତି ସମ୍ପର୍କରେ ଆପଣଙ୍କୁ କ’ଣ ମୋତେ କହିବାକୁ ପଡ଼ିବ ?’’

 

ତାଙ୍କର ମୁହଁ ଅସମ୍ଭବ ଭାବରେ ପାଣ୍ଡୁର ହୋଇଗଲା ଏବଂ ସେ ଭଙ୍ଗା, ଥରିଲା କଣ୍ଠରେ କହି ଚାଲିଲେ—‘‘ମେଡ଼ିକାଲରୁ ଫେରିବାଟା ବଡ଼ ବଡ଼ ‘ଯଦି’ ଓ ସମ୍ଭାବନାରେ ପରିପୂର୍ଣ୍ଣ ମିଃ ମହାପାତ୍ର । କାରଣ ମୋର ଅପରେସନ ମୋତେ ବଞ୍ଚିବାର ଆଲୋକମୟ ରାସ୍ତାରେ ଚାଲିବାର ଆଶା ଦେବା ବଦଳରେ ମୋତେ ଏକ ଅଜଣା, ଅନ୍ଧକାରମୟ ଜଗତକୁ ପଠାଇବାକୁ ଯାଉଛି ବୋଲି ମୋର ଧାରଣା ଦୃଢ଼ିଭୂତ ହେଉଛି ।’’

 

ତାଙ୍କର ଏଇ ବାଷ୍ଫାକୁଳ କଣ୍ଠସ୍ୱର ଶୁଣି ମୁଁ ଶୁଭ୍ରା ଦେବୀଙ୍କ ଆଡ଼କୁ ଚାହିଁଲି । ସେତେବେଳେ ଆଖିରୁ କେରା କେରା ଲୁହ ତାଙ୍କର ମସୃଣ, ଗୋଲାପି ଗାଲ ଉପର ଦେଇ ଝରି ଯାଉଥିଲା । ସେ ମାଥୁର ସାହେବଙ୍କ ଛାତିରେ ମୁହଁଗୁଞ୍ଜି କଇଁ କଇଁ ହୋଇ କାନ୍ଦି ଉଠିଲେ ଏବଂ କହିଲେ—‘‘ଏଭଳି ଅଲକ୍ଷଣା କଥା କହିଲେ ତୁମରି ଆଗରେ ମୁଣ୍ଡ ପିଟି ମରିଯିବି କହୁଛି । କୁହ, ଏଭଳି କଥା ଆଉ କେବେ କହିବ ନାହିଁ; କୁହ, କୁହ ।’’

 

ଶୁଭ୍ରାଦେବୀଙ୍କର ମୁଣ୍ଡ ଆଉଁସିଲା ବେଳକୁ ମାଥୁର ମହାଶୟଙ୍କର ଓଠ ପ୍ରବଳ ଭାବରେ କମ୍ପୁଥିଲା । ସେ ଖୁବ୍ ଚେଷ୍ଟାକରି ପ୍ରତିଶ୍ରୁତି ଦେଲେ—‘‘ନା, ନା ଏମିତି ମୁଁ ଆଉ କେବେ କହିବି ନାହିଁ-। ତୁମେ ଏଥର ହସ ।’’

 

ମିସେସ୍ ମାଥୁର ନିଜକୁ ମୁକ୍ତକରି ପ୍ରଚଣ୍ଡ ବେଗରେ ବାଥରୁମ ଭିତରେ ପଶିଗଲେ ।

 

ମୋତେ ଜଣାଗଲା, ସତେ ଯେମିତି ଏକ କରୁଣ, ବ୍ୟଥାଭରା ନାଟକର ମୁଁ ଏକ ନୀରବ ଦର୍ଶକ ସାଜିଛି । ସେତେବେଳେ ମିଃ ମାଥୁରଙ୍କ ଆଖି ଲୋତକପୂର୍ଣ୍ଣ ହୋଇ ଯାଇଥିଲା । ସେତିକିରେ ଆତ୍ମପ୍ରତାରଣା ଶେଷହେଲା ନାହିଁ ବୋଲି ମନେ କରି ସେ ଦୟନୀୟ ଭାବରେ ହସି କହିଲେ—‘‘ଦେଖନ୍ତୁ ମିଃ ମହାପାତ୍ର, କି ସେଣ୍ଟିମେଣ୍ଟାଲ ! ସତକଥା କହିଲି; ଅଥଚ ଶୁଭ୍ରା କାନ୍ଦି ପକାଇଲା; କିନ୍ତୁ ମୁଁ...ମୁଁ... ହସୁଛି, ସବୁବେଳେ ।’’

 

ଏଭଳି ପରିସ୍ଥିତିର ସମ୍ମୁଖୀନ ହେବି ବୋଲି ଆଦୌ ପ୍ରସ୍ତୁତ ନ ଥିଲି । ତେଣୁ କିଛି କହିବା, ଆଶ୍ୱାସନା ଦେବା ପାଇଁ ମୋର ଭାଷା ନଥିଲା । ତା ପରେ ମୁଁ ନିଜ ଆଖିକୁ ବିଶ୍ୱାସ କରିପାରିଲି ନାହିଁ ।

 

ମିଃ ମାଥୁରଙ୍କର ଦୁଇ ପାଣ୍ଡୁର ଗାଲ ଉପରେ ଅମାନିଆ ଅଶ୍ରୁର ସ୍ରୋତ ବହି ଚାଲିଛି !!

 

ମୋତେ ନୀରବତା ଭାଙ୍ଗିବାକୁ ପଡ଼ିଲା—‘‘ଆପଣ କାନ୍ଦୁଛନ୍ତି ମିଃ ମାଥୁର !!’’

 

—‘‘ଏଁ !!’’ ସେ ସ୍ୱପ୍ନରୁ ଉଠିଲାଭଳି କହି ପକାଇଲେ ।

 

—‘‘ଆପଣ କାନ୍ଦୁଛନ୍ତି ।’’ ମୁଁ ନିଜ କଥାର ପୁନରାବୃତ୍ତି କଲି ।

 

ସେ ଆଉ କିଛି କହିବା ଅବସ୍ଥାରେ ନ ଥିଲେ ।

 

କିଛିକ୍ଷଣ ପରେ ବାଥରୁମରୁ ଶୁଭ୍ରାଦେବୀ ଫେରିଲେ । ମୁଁ ଦୁହିଁଙ୍କୁ ଗଭୀରତମ ଶୁଭେଚ୍ଛା ଜଣାଇ ଫେରିଲି ।

 

ଟାକ୍ସି କରିବାକୁ ଆଗ୍ରହ ନ ଥିଲା । ମୁଁ ଚାଲୁଥିଲି ଓ ମାଥୁର ଦମ୍ପତ୍ତିଙ୍କର ତଥାକଥିତ ଦାମ୍ପତ୍ୟ ସୁଖକଥା ଭାବୁଥିଲି । ସବୁ ଛଳନା, ସବୁ ପ୍ରତାରଣା । ଅଥଚ ଦୁହେଁ ଦୁହିଁଙ୍କୁ ସୁଖୀ ରଖିବା ପାଇଁ କି ତତ୍ପର ସତରେ !!

 

ମୁଣ୍ଡ ବ୍ୟଥା ମୋର ଏକ ଚିରନ୍ତନ ରୋଗ । ବିଶେଷତଃ ଉତ୍ତେଜିତ ଓ ଚିନ୍ତିତ ହେଲେ ମୁଁ ଯଥେଷ୍ଟ ଯନ୍ତ୍ରଣା ପାଏ । ଘଣ୍ଟାକପାଇଁ ହେଉ ପଛେ ମୁଣ୍ଡ ବ୍ୟଥାରୁ ନିସ୍ତାର ପାଇବା ପାଇଁ ମୁଁ ପେଣ୍ଟ ପକେଟରେ ହାତ ଭର୍ତ୍ତି କରି ଓ ତହିଁରୁ ଏକ ବଟିକା ଆଣି ପାଟିରେ ପକାଇଲି ।

 

ମୃତ୍ୟୁ ଓ ଯନ୍ତ୍ରଣାରୁ କ୍ଷଣକ ସକାଶେ-ହେଲେ ମଧ୍ୟ ମୁକ୍ତିଲାଭ କରିବା ପାଇଁ ମଣିଷ ଛଳନା ଓ ଅଶାନ୍ତିର ମୁଲ୍ୟରେ ନିଷ୍ଠାର ସହିତ ଦୟନୀୟ, ବ୍ୟଥାତୁର ଉଦ୍ୟମରେ ଲିପ୍ତଥିବାର ଛବି ଦେଖୁଥିଲି ନିଜ ଭିତରେ ଓ ଚାରିପାଖରେ ।

Image

 

ଅନ୍ଧୁଣୀ

 

କେଳାର ଡମ୍ୱରୁ ବାଦନ ଶୁଣିବି, କିନ୍ତୁ ସାପ ଦେଖିବି ନାହିଁ—ଏଇ କଥା ସ୍ଥିର କଲି ମନେ ମନେ । ମୋର ଡାହାଣ ପାଖରେ ମା’ ଠିଆ ହୋଇଥାଏ, ବାଁ ପାଖରେ ଟିକି ନାନୀ । ଗାଁର ଆହୁରି କେତେ ଛୁଆପିଲା ରୁଣ୍ଡ ହୋଇଥାନ୍ତି, ଆମ ଅଗଣାରେ । ମୁଁ ସେତେବେଳେ ସପ୍ତମ ଶ୍ରେଣୀର ଛାତ୍ର-

 

କଳା ମଚ ମଚ ଦେହ, ଟାଆଁସିଆ ବାବୁରି ବାଳ, ବିଶାଳ ନିଶ, ଲାଲ ଆଖି ଓ ଓଠ । ସାପୁଆ କେଳା ଜଣକ ଭୟଙ୍କର ଓ ସାଙ୍ଘାତିତ ଦେଖାଯାଉଥିଲା । ଯେଉଁ ରାଜ୍ୟରେ ହିଂସ୍ରତା ଓ ବିଷ ଏକାନ୍ତ ଭାବେ ଦୈନନ୍ଦିନ ତଥା ବାସ୍ତବ ଘଟଣା, ସେ ସେଇ ରାଜ୍ୟର ଜଣେ ପରାକ୍ରମଶାଳୀ ଅଧିବାସୀ ବୋଲି ଜଣାଯାଉଥାଏ । ଏଥିପାଇଁ ମୋ ମନରେ ତା’ ପ୍ରତି ଥିଲା ଏକପ୍ରକାର ଭୟମିଶ୍ରିତ ସମ୍ମାନ ।

 

ଅପରାହ୍ନର ନୀରବ ଅଗଣାରେ ବାଜିଉଠିଲା ଡମ୍ୱୁରୁ । ଏହା ସହିତ ଶୁଣାଗଲା ଘାଘଡ଼ା ସ୍ୱରରେ କେଳାର ଗୀତ । ସାମନାରେ ଥୁଆ ହୋଇଥିବା ପେଡ଼ିର ଢାଙ୍କୁଣୀଟିକୁ ଉଠାଇବାପାଇଁ ସେ ହାତ ବଢ଼ାଇଲା । ଟିକି ନାନୀର ଡାହାଣ ହାତକୁ ଖୁବ୍ ଜୋରରେ ଧରି ମୁଁ ଆଖି ବୁଜିଲି ।

 

ବେଳେବେଳେ କେଳାର କଣ୍ଠସ୍ୱର ଉଦ୍‍ବିଗ୍ନ ହୋଇ ପଡ଼ୁଥାଏ ଏବଂ ଡମ୍ୱରୁ ଅସ୍ଥିର ହୋଇ ବାଜୁଥାଏ । ସମବେତ ହୋଇଥିବା ଛୁଆ-ପିଲାଙ୍କ ପାଟିରୁ ବାହାରି ଆସୁଥାଏ ଆଶଙ୍କା ଓ ବିସ୍ମୟର ଭଗ୍ନାଂଶ । ଆଖି ବୁଜିଥିବାରୁ ମୋ ପାଇଁ ଅନ୍ଧକାର ବ୍ୟତୀତ ଆଉ କିଛି ସତ୍ୟ ନ ଥିଲା । ତଥାପି ମୁଁ ଅନୁମାନ କରିପାରୁଥାଏ, କେଉଁ ମୁହୂର୍ତ୍ତରେ ସାପଟି କିଭଳି ବ୍ୟବହାର ଦେଖାଉଥିବ । ସମ୍ଭବତଃ ଏଇକ୍ଷଣି ସାପଟି ଫଣା ଟେକି କେଳାକୁ ଦଂଶନ କରିବାପାଇଁ ଚେଷ୍ଟା କରୁଛି; ନତୁବା ସେଇଟା ମାଡ଼ିଆସୁଛି ଚାରିପଟେ ଘେରିରହି ମଜା ଦେଖୁଥିବା ଦର୍ଶକଙ୍କ ଆଡ଼କୁ ।

 

ଏଇ କାରଣରୁ ଆଖିବୁଜି ନିର୍ଲିପ୍ତ ଭାବରେ ଠିଆହୋଇ ରହିବା ମୋ ପାଇଁ କଷ୍ଟକର ହୋଇ ପଡ଼ିଲା । ୟା ପୂର୍ବରୁ ଢେରଥର ମୁଁ ସାପଖେଳ ଦେଖିଛି, ଡମ୍ୱରୁବାଦନ ଶୁଣିଛି । ସ୍ୱଚ୍ଛ ଆଲୁଅରେ ନିଜକୁ ନିରାପଦ ବ୍ୟବଧାନରେ ରଖି ଏଭଳି ମଜା ଦେଖିବା ଓ ଆଖି ବନ୍ଦକରି, ‘ହେଇ ମୋ ଆଡ଼େ ସେଇଟା ମାଡ଼ିଆସିଲା’ ବୋଲି ଶଙ୍କିତ ହେବା ଭିତରେ ବହୁତ ଫରକ ଅଛି । ଯଦି ଜନ୍ମ ହେବାଦିନୁ ମୁଁ ଅନ୍ଧ ହୋଇଥାଆନ୍ତି, ତେବେ କଥାଟା ଭିନ୍ନପ୍ରକାର ହୋଇଥାଆନ୍ତା । ଯେତେ ବିଶ୍ୱସ୍ତ ବର୍ଣ୍ଣନା ଶୁଣିଥିଲେ ମଧ୍ୟ, ସାପ ସମ୍ପର୍କରେ ମୋର ଧାରଣା ଅସ୍ପଷ୍ଟ ହୋଇଥାନ୍ତା ଏବଂ ତା’ ପ୍ରତି ମୋର ଭୟ ଏତେଟା ତୀବ୍ର ହୋଇପାରି ନ ଥାନ୍ତା ।

 

ଟିକି ନାନୀର ହାତକୁ ଧରିଥିଲେ ବି, ମା’ ପାଖରେ ଠିଆ ହୋଇଛି ବୋଲି ଭାବୁଥିଲେ ବି, ମୋତେ ଜଣାଯାଉଥାଏ ସତେଯେମିତି ମୁଁ ନିଃସଙ୍ଗ ହୋଇ ହଜିଯାଉଛି ଅପରିସୀମ ଅନ୍ଧକାରର ଗୁମ୍ଫାଭିତରେ । ମୋ ଚାରିପଟେ ଅଗଣିତ ସାପୁଆକେଳା, ଅଥଚ ସେମାନଙ୍କର ବ୍ୟାକୁଳ ଡମ୍ୱରୁବାଦନ ଓ ଘାଘଡ଼ା ସ୍ୱରର ଗୀତ ସତ୍ତ୍ୱେ ସାପଗୁଡ଼ାକ ଅମାନିଆଁ ହୋଇ ଖେଦି ଆସୁଛନ୍ତି ମୋ’ଆଡ଼େ ।

 

ଡାହାଣ ଆଖିପତା ଖୋଲି ମୁଁ କ୍ଷଣକ ପାଇଁ ପରିସ୍ଥିତିଟା ଦେଖିନେଲି । ନିଜ ନିର୍ମିତ ଅନ୍ଧକାର ଭିତରେ ଯେଉଁ ସାପ ସହସ୍ର ସାପ ହୋଇ ବିଶୃଙ୍ଖଳ ହୋଇ ପଡ଼ୁଥିବାର ଆଶଙ୍କା କରିଥିଲି, ତାହା ଆସ୍ତେ ଆସ୍ତେ ବାଧ୍ୟ ପିଲାଟିଭଳି ଅସ୍ତ ହୋଇ ଯାଉଥିଲା ପେଡ଼ି ଭିତରେ । ତାହାର ଲାଞ୍ଜକୁ ଧରି କେଳାଟି ନିର୍ଦ୍ଦେଶ ଦେଉଥିଲା ଏବଂ ତା’ ଉପରେ ନିଜର ଚୁଡ଼ାନ୍ତ ନିୟନ୍ତ୍ରଣ କଥା ସୂଚେଇ ଦେଉଥିଲା ।

 

କିନ୍ତୁ ନିଜ ଉପରେ ମୁଁ ଚିଡ଼ିଲି ପ୍ରତିଜ୍ଞା ଭଙ୍ଗ କରିଦେବାରୁ । ଜାଣିବୁଝି ଆଖି ଖୋଲି ନାହିଁ; କେମିତି କେଜାଣି ତାହା ମୁହୂର୍ତ୍ତକ ପାଇଁ ଖୋଲିଗଲା ବୋଲି ଯେତେ ବୁଝେଇଲେ ମଧ୍ୟ ମନଟା ମାନିଲା ନାହିଁ । ଆଉ କେବେ ସାପୁଆ କେଳା ଆସିଲେ ନିଶ୍ଚୟ ଆଖିବୁଜି, ଏକ ନୂଆ ଅଭିଜ୍ଞତା ଅର୍ଜନ କରିବି ବୋଲି ଶପଥ ନେଲି ।

 

ସେଦିନ ସନ୍ଧ୍ୟାରେ ଲଣ୍ଠନ ସାମନାରେ ବସି ମୁଁ କେତେ କ’ଣ ଭାବୁଥାଏ । ସନୁ ମା’ ଖୁଢ଼ୀ କଥା ମୋତେ ବିଚଳିତ କରୁଥାଏ; ମୋର ଭାବନା ଗଣ୍ଡଗୋଳିଆ ହୋଇ ଯାଉଥାଏ ।

 

ଆମ ଘରଠାରୁ ଅଳ୍ପ ବ୍ୟବଧାନରେ ଯେଉଁ ନୁଆଁଣିଆ ଚାଳ ଘରଟି ରହିଛି, ତହିଁରେ ତିନିଜଣ ମଣିଷ ରହନ୍ତି—ସବୁ, ନିରାକାର ଦାଦା ଆଉ ସବୁ ମା’ ଖୁଡ଼ୀ । ଘର ଚାରିପଟେ ହତା ବାଡ଼-। ଭିତରେ ଦୁଇଟି ପ୍ରକାଣ୍ଡ ଆମ୍ୱଗଛ । ହତାବାଡ଼ିର ଡାହାଣକୁ ଗୁହାଳ । ହଳେ ବଳଦଙ୍କୁ ସେଠାରେ ପାକୁଳି କରୁଥିବାର ଦେଖାଯାଏ । ତା’ କଡ଼କୁ ଛୋଟିଆ କୁକୁଡ଼ା ଘର । ହତାର ବାଁ ପଟକୁ ରୋଷେଇଘର ଏବଂ ତାକୁ ଲାଗି ଦୁଇବଖରା ଶୋଇବା ଘର, ଗୋବରଲିପା ପିଣ୍ଡା, ହତା ଭିତରେ ପରିବା ବଗିଚା, ସଜନା, ଲେମ୍ୱୁ ଓ ପିଜୁଳି ଗଛ ଇତ୍ୟାଦି ।

 

ସ୍କୁଲ-ଛୁଟି ଦିନମାନଙ୍କରେ ଆମେ ଉଚ୍ଛୃଙ୍ଖଳ ହୋଇପଡ଼ୁ । ପୋଖରୀରେ ପହଁରିବା, ଡାଳମାଙ୍କୁଡ଼ି ଖେଳିବା, ପାହାଡ଼ ଉପରକୁ ଚଢ଼ି ନାଟ-ତାମସା କରିବା କିମ୍ୱା ନଈରେ ମାଛ ମାରିବାରେ ସମୟ କେଉଁବାଟେ କଟିଯାଏ । ଆମ୍ଭମାନଙ୍କର ଖେଳ ଯେତେବେଳେ ଜମିଆସୁଥିବ, ଠିକ୍ ସେତିକିବେଳେ ଅଶୁଭ ଲକ୍ଷଣ ଭଳି ପବନରେ ପହଁରି ଆସେ ଗୋଟାଏ ଡାକ-ସନୁ, ସନୁରେ–ଏ ସନୁ—

 

ମାଛ ମାରିବାରେ, ଗଛ ଚଢ଼ିବାରେ ଧୁରନ୍ଧର ସନୁ ବିରକ୍ତିର ସହିତ କହେ—‘‘ମା ଡାକିଲାଣି । ଯାଉଛି ।’’ କହିବା ବାହୁଲ୍ୟ, ଆମେ ତାକୁ ମନାକରୁ ଏବଂ ଖୁଡ଼ୀ ତୁହାଇ ତୁହାଇ ସନୁ ଉଦ୍ଦେଶ୍ୟରେ ଡାକ ଛାଡ଼େ ।

 

ଏବେ ମନେପଡ଼ୁଛି, ସେ ଡାକର ଚେହେରା । ତାହା ସତେ ଯେପରି ଖୁଡ଼ୀର ମର୍ମସ୍ଥଳରୁ ବାହାରି ଦଶଦିଗକୁ ବ୍ୟାପିଯାଏ ! ପାହାଡ଼ର ଶିଳା ପ୍ରଶିଳା, ନଈ ପଠାର ବାଲି ଏବଂ ଗଛର ଡାଳପତ୍ର ଉପରେ ସେ ଡାକ ଗୁଞ୍ଜରିତ ହୋଇ ଦରାଣ୍ଡି ପକାଏ ସନୁକୁ । ସେ ଡାଳର ଶେଷ ପ୍ରତିଧ୍ୱନି ଦିଗ୍‍ବଳୟ ରେଖାରେ ମୁଣ୍ଡଛେଚି ମିଳାଇଯିବା ପୂର୍ବରୁ ପୁଣି ଶୁଭେ । କୁଆଡ଼େ ଗଲୁରେ ସନୁ–ପଖାଳ ଗଣ୍ଡାଏ ନେଇଯିବୁ ପରା ବିଲକୁ । ବାପାର ହଂସା ଉଡ଼ିଯିବଣି ଶୋଷରେ ।

 

ଆମ ଭିତରୁ କେହି ଜଣେ ସନୁ ସ୍ୱରକୁ ଅବିକଳ ନକଲ କରି ଉତ୍ତର ଦିଏ–ମୁଁ ଅବିକା ଯାଇପାରିବି ନାହିଁ । ସେ ଘରକୁ ଆସି ପଖାଳ ଖାଉ; ନହେଲେ ତୁ ଯା’ ବିଲକୁ ।

 

ଆମେ କିନ୍ତୁ ଆଶ୍ଚର୍ଯ୍ୟ ହେଉ ଏଇ ଫିସାଦର ପରିଣାମ ଦେଖି; କାରଣ ପରମୁହୂର୍ତ୍ତରେ ଜବାବ ଆସେ–କିଏରେ ତୁ ଅଳପେଇସା ? ମୋ’ ସନୁକୁ ମୁଁ ଡାକୁଛି । ତୁ ମୋ’ର ଗାତ, ନା, ଚୁଲି-?

 

ସୃଷ୍ଟିର କି ଅନୁପମ ବୈଚିତ୍ର ! ଆମ ଜାଣିବାରେ ସନୁ, ଯେତେବେଳେ ଖୁଡ଼ୀ ପେଟରେ ଥିଲା ସେତେବେଳେ ଆମ ଗାଁରେ ବସନ୍ତ ବ୍ୟାପିଲା । ଠାକୁରାଣୀଙ୍କୁ ପଣା, ଭୋଗ, ବୋଦା, କୁକୁଡ଼ା–ଏଇମିତି କେତେ କ’ଣ ଲାଞ୍ଚ ଦିଆଗଲା । ତାଙ୍କର କୋପ କମିଲା ନାହିଁ । ଦିନକୁ ଗୋଟାଏ, ଦୁଇଟା ଲେଖାଁ ମୁର୍ଦ୍ଦାର ମଶାଣିକୁ ଗଲା । ବସନ୍ତ ପ୍ରକୋପ ପରେ ଗାଁର ଅଧାଅଧି ଲୋକ ଦର୍ପଣରେ ନିଜର ଚେହେରାକୁ ଅବିଶ୍ୱାସ କଲେ । ଆଉ କେତେକ ଲୋକଙ୍କ ପାଇଁ ସମଗ୍ର ବ୍ରହ୍ମାଣ୍ଡର ସଂଜ୍ଞା ପର୍ଯ୍ୟବସିତ ହେଲା ଅନନ୍ତ ଅନ୍ଧକାରରେ । ସେମାନଙ୍କ ପାଇଁ ସୂର୍ଯ୍ୟୋଦୟ ଅର୍ଥହୀନ ହେଲା । ସେମାନେ ଦର୍ପଣ ଉପରୁ ଧୂଳି ଝାଡ଼ିବାର ଆବଶ୍ୟକତା ଅନୁଭବ କଲେ ନାହିଁ । ପରିଚିତ ରାସ୍ତାଘାଟ, ଚିହ୍ନା ମଣିଷର ଗତି ସତେ ଯେମିତି ସେମାନଙ୍କ ଆଗରେ ଲୁଚକାଳି ଖେଳ ଆରମ୍ଭ କରିଦେଲା ନିର୍ମମ ଆନନ୍ଦରେ ।

 

ସନୁ ମା’ ଖୁଡ଼ୀ ଅନ୍ଧୁଣୀ ହୋଇଗଲା । ସେତେବେଳେ ଆମେ ଅବଶ୍ୟ ଜନ୍ମ ହୋଇ ନ ଥିଲୁ; କିନ୍ତୁ ଆମେ ଶୁଣିଛୁ ଖୁଡ଼ୀ ଭାରି କଷ୍ଟ ପାଇଲା ଏହାର କିଛିଦିନ ପରେ । ସାରା ରାତିର ଯନ୍ତ୍ରଣା ପରେ, ସକାଳେ ଜନ୍ମ ହେଲା ସନୁ । ସେ ଜନ୍ମ ହେଲା କ୍ଷଣି ଖୁଡ଼ୀର ପ୍ରଥମ ପ୍ରଶ୍ନ ହେଲା—ଦେଖିଲ, ପିଲାଟିର ଆଖି ଭଲ ଅଛି କି ନାହିଁ । ତା’ ଦେହରେ ବସନ୍ତ ଚିହ୍ନ ଅଛି କି ?

 

ତାକୁ କୁହାଗଲା ଯେ, ପୁଅର ଆଖି ଭଲ ଅଛି ଏବଂ ପୁଅ ଦେହରେ ବସନ୍ତ ଚିହ୍ନ ନାହିଁ । ଏତକ ଶୁଣିବା ପରେ, ତା’ର ପ୍ରାଣହୀନ ଆଖିରୁ କୁଆଡ଼େ ଦୁଇଧାର ଲୁହ ଝରି ଆସିଥିଲା ଆବଡ଼ାଖାବଡ଼ା ଗାଲ ଉପର ଦେଇ ।

 

ଆମେ ଏ କଥାକୁ ଆବାକାବା ହୋଇ ଶୁଣୁ । ତୁମେ ଯଦି କେବେ ଆମ ଗାଁକୁ ଆସନ୍ତ, ତେବେ ଖୁଡ଼ୀକୁ ଦେଖେଇ ଦିଅନ୍ତି । ଆଖିପତା ମଝିରେ ଲେଞ୍ଜରା ଲାଗିଥିବା ଦୁଇଟି ଗହ୍ୱର । ଏହା ଭିତରକୁ ଆଲୁଅ ଯାଇପାରେନା; କିନ୍ତୁ ହୃଦୟକୁ ଉଦବେଳିତ ଓ ବିହ୍ୱଳ କରି ପାରୁଥିବା ଯନ୍ତ୍ରଣା କିମ୍ୱା ଆନନ୍ଦର ବନ୍ୟା ଏଇ ନିଷ୍ପ୍ରାଣ ଗହ୍ୱର ବାଟେ ଉଛୁଳି ଆସିପାରେ—ଏ କଥା ଭାବି ଆମେ ଆଚମ୍ୱିତ ହେଉ । ଦେଖି ପାରିବାର ଶକ୍ତି ସହିତ ଲୁହ ଝରାଇବାର ବୋଧହୁଏ କୌଣସି ସମ୍ପର୍କ ନାହିଁ ।

 

ଖୁଡ଼ୀ ସନୁକୁ ଦେଖି ନାହିଁ । ତା’ ପାଟିରେ ଅବଶ୍ୟ ସ୍ତନ ଗୁଞ୍ଜି କ୍ଷୀର ଖୁଆଇଛି, ତା’ଦେହର ଉତ୍ତାପ ଓ ସ୍ପନ୍ଦନର ଆଚରଣ ସେ ମନେ ରଖି ପାରିଛି । ଅଥଚ ସନୁ ସ୍ୱରକୁ ଯେତେ ବିଶ୍ୱସ୍ତ ଭାବରେ ଅନୁକରଣ କଲେ ବି ସେ କେମିତି ବାରିପାରେ ଯେ ସେ ସ୍ୱର ସନୁର ନୁହେଁ ? ପିଲାଥିବାବେଳେ ଆମେ ଏ ପ୍ରଶ୍ନର ଉତ୍ତର ଆଦୌ ଜାଣି ପାରୁ ନ ଥିଲୁ ।

 

ଆହୁରି ଆଶ୍ଚର୍ଯ୍ୟ ହେବାପାଇଁ ଆମେ ମଲିଫୁଲଟାଏ କିମ୍ୱା ସିଲଟ ଖଡ଼ିଟାଏ କିମ୍ୱା ଭୋକିଲା ବେଲୁନ୍‍ଟାଏ ତା’ ହାତରେ ଧରାଇ ଦେଉଁ ଏବଂ ପଚାରୁ—କହିଲୁ ଦେଖି, ତୋ’ ହାତରେ କ’ଣ ଅଛି ? ସେ କହିଦିଏ ନିର୍ଭୁଲ ଭାବରେ ।

 

ମାତ୍ର ଆମେ ରୀତିମତ ଭୟଭୀତ ହେଉଁ, ଯେତେବେଳେ ସେ ଆମକୁ କୁହେ ଯେ, ସାପୁଆ କେଳାର ସାପ ସେ ଦେଖିପାରେ ନାହିଁ । ଯେଉଁ ବର୍ଷ ମକର ଯାତ୍ରା ବେଳେ ଆମ ଗାଁକୁ ଗୋଟିଏ ଛୋଟ ସର୍କସ ପାର୍ଟି ଆସି ପହଞ୍ଚିଲା, ସେ ବର୍ଷ ଆମ ଆନନ୍ଦ ଦେଖେ କିଏ ? କିନ୍ତୁ ପରେ ଆମେ ଶୁଣିଲୁ, ଖୁଡ଼ୀ ଥରୁଟିଏ ବି ସର୍କସ ଦେଖିଯାଇ ନାହିଁ । କାହିଁକି ବୋଲି ପଚାରିବାରୁ ସେ କହିଲା—‘‘ବାପ, ସର୍କସ ଯିବି କେଉଁଥିପାଇଁ ? ସର୍କସ ଦେଖାଯାଏ, ଶୁଣାଯାଏ ନାହିଁ । ମୋତେ କ’ଣ କିଛି ଦେଖାଯିବ ଯେ ଟିକଟ କାଟି ସେଠାରୁ ଯିବି ?’’

 

—ତେବେ ସେ ଯେଉଁ ବାଘ ? ଏଡ଼େ ବଡ଼ କୁକୁର ? —ଏସବୁକୁ ତା’ହେଲେ ଖୁଡ଼ୀ ଦେଖି ନାହିଁ ! ଆମେ ଭାରି ଦୁଃଖିତ ହେଉଁ ।

 

ଏ ପୃଥିବୀରେ ଯଦି କେବଳ ମଲିଫୁଲ, ସିଲଟ ଖଡ଼ି ଓ ଭୋକିଲା ବେଲୁନ୍ ଥା’ନ୍ତା, ତେବେ ହୁଏତ ଦୃଷ୍ଟି ଶକ୍ତିର ଆବଶ୍ୟକତା ଏତେ ଅନୁଭବ କରାଯାଉ ନ ଥାଆନ୍ତା । ଭୟର କୌଣସି କାରଣ ନ ଥିବା ଏକ ଜଙ୍ଗଲରେ ଦୁଇ ହାତରେ ଅଜସ୍ର ଫୁଲଧରି ଶୋଇପଡ଼ିବା ଭଳି ଜୀବନର ମୁହୂର୍ତ୍ତ ସତର୍କତାହୀନ ଓ ଆଶଙ୍କାହୀନ ହୋଇଥାନ୍ତା । ମାତ୍ର ଏଠାରେ ବାଘର ଭୟ ଅଛି, ସାପର ବିଷ ଅଛି, କୁକୁରର ତୀକ୍ଷ୍ଣ ଦାନ୍ତ ଅଛି, କଣ୍ଟା ଅଛି । କେମିତି ତେବେ ଖୁଡ଼ୀ ଚଳପ୍ରଚଳ କରେ ଗାଁ ଭିତରେ ? କେମିତି ସେ ନିଜର ଅବସ୍ଥିତି ସମ୍ପର୍କରେ ଆଶ୍ୱସ୍ତ ହେଉଥିବ ?

 

ଏଇଭଳି ପ୍ରଶ୍ନ ଭାରି ବିବ୍ରତ କରେ । ପ୍ରତକ୍ଷ ଜ୍ଞାନ ଅର୍ଜନ କରିବା ସକାଶେ ସେଦିନ ଅପରାହ୍ନରେ ଶପଥ ନେଇଥିଲି–କେଳାର ଡମ୍ୱରୁ ବାଦନ ଶୁଣିବି, କିନ୍ତୁ ସାପ ଦେଖିବି ନାହିଁ । ଅଥଚ କେମିତି କେଜାଣି ସାବଧାନତା ଅବଲମ୍ୱନ କରିବାର ପ୍ରବୃତ୍ତି ଯୋଗୁଁ ହେଉ କି ଅନ୍ୟ କୌଣସି କାରଣରୁ ହେଉ, ମୁହୂର୍ତ୍ତକ ପାଇଁ ମୋର ଆଖି ଖୋଲି ଯାଇଥିଲା । ସନ୍ଧ୍ୟାରେ ଲଣ୍ଠନ ସାମନାରେ ବସି ଭାବୁଥିଲି, କେଜାଣି ଖୁଡ଼ୀ ହୁଏତ ଏଇମିତି ମଝିରେ ମଝିରେ ଆଖିଖୋଲି ପକାଉଥିବ । ମାତ୍ର ସହସ୍ର କାକୁସ୍ଥ ଚେଷ୍ଟା ସତ୍ତ୍ୱେ ସେ ଯେ ଆଦୌ ଦେଖିପାରିବ ନାହିଁ–ଏଇ ଅପ୍ରୀତିକର ବାସ୍ତବତା ସହିତ ମୋର ସେ’ଦିନର ଜ୍ଞାନ ଆଦୌ ସାଲିସ୍ କରିପାରୁ ନଥିଲା

 

ବାଁ ହାତରେ ଧରିଥାଏଁ ବ୍ୟାଗ୍, ଡାହାଣ ହାତରେ ଟର୍ଚ୍ଚ ଲାଇଟ୍ । ରାତି ସେତେବେଳକୁ ଆଠଟା ପାଖାପାଖି । ଆଉ ପନ୍ଦର ମିନିଟ୍ର ବାଟ । ସାଇକେଲ ଯଦି ଖରାପ ହୋଇ ନ ଥାନ୍ତା, ତେବେ କେତେବେଳୁ ଘରେ ପହଞ୍ଚିସାରିଥାନ୍ତି । ରାସ୍ତା କଡ଼ରେ ଥିବା ଗୋଟିଏ ପାନ ଦୋକାନର ଦରଚିହ୍ନା ମାଲିକ ମାର୍ଫତରେ ସେଇଟାକୁ ଛାଡ଼ିଦେଇ ଚାଲିଚାଲି ଗାଁକୁ ଯିବି ବୋଲି ସ୍ଥିରକଲି । କାଦୁଅ ଯୋଗୁଁ ରାସ୍ତା ଖରାପ ହୋଇଥାଏ । ସେଥିପାଇଁ ଦୋକାନୀଟି ନିଜ ସାଇକେଲକୁ ଯାଚୁଥିଲେ ବି ଧନ୍ୟବାଦର ସହିତ ସେ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିଲି ।

 

ରାସ୍ତା ଦୁଇକଡ଼ରେ ବୁଦୁବୁଦୁକିଆ ଜଙ୍ଗଲ । ଅନ୍ଧାର ରାତି । ପରିଚିତ ରାସ୍ତା ଓ ଟର୍ଚ୍ଚ ଲାଇଟ୍ ସତ୍ତ୍ୱେ ମୁଁ ଭୟାତୁର ହୋଇ ପଡ଼ିଥିଲି । ଏଠାରେ ମୁଁ ଏତିକି କହିପାରେ ଯେ, ମୋ ମନରେ ସାହସ ମୋତେ ଆଗକୁ ଯିବାପାଇଁ ଉତ୍ସାହିତ କରୁ ନ ଥିଲା, ମୁଁ ଆଗଉଥିଲି ଭୟ ଓ ଆଶଙ୍କା ଯୋଗୁଁ । ଚଞ୍ଚଳ ଘରେ ପହଞ୍ଚିଲେ ମୁଁ ଆଶ୍ୱସ୍ତ ହେବି ଏବଂ ମୋ ମନର ଦକା ଉଭେଇଯିବ ଭାବି ମୋର ଗତିକୁ ଦ୍ରୂତ କରିଥିଲି ।

 

ବସ୍ତୁତଃ ଏଇମିତି ନିଃସଙ୍ଗ ହୋଇ ଅନ୍ଧକାରରେ ଗଲାବେଳେ ଖୁଡ଼ୀକଥା ମନେ ପଡ଼ିଯାଉଥାଏ । ଅନ୍ଧକାର ସତ୍ତ୍ୱେ ଜୀବନର ଶକ୍ତି ଏବଂ ବଞ୍ଚିରହିବାର ଆବଶ୍ୟକତା ବଡ଼ ବିସ୍ମୟକର ଭାବରେ ତାହାକୁ ଠେଲି ନେଇପାରୁଛି ଆଗକୁ; ଅଥଚ ମୋତେ ଘରକୁ ଠେଲି ନେଉଛି ଅସ୍ତିତ୍ୱହୀନ ଆଶଙ୍କା ଓ ଭୟର ଛାଇ !

 

ତେବେ ଅନ୍ଧକାର ଏକ ବିଚିତ୍ର ସତ୍ୟ ନୁହେଁ ତ ଆଉ କ’ଣ ? ଆଲୋକର ସୀମା ଦିଗ୍‍ବଳୟ ହୋଇପାରେ, ଆକାଶ ହୋଇପାରେ । ଆଲୋକ ଆମର ସ୍ଥିତି ସମ୍ପର୍କରେ ଆମକୁ ସଚେତନ କରିଦିଏ, ଏକ ଅପୂର୍ବ ସାହସ-ଆଣିଦିଏ, ଆତ୍ମପ୍ରତ୍ୟୟ ବଢ଼ାଇଦିଏ; କିନ୍ତୁ କେଡ଼େ ସୀମିତ ଏ ଆଲୋକ ! ମାତ୍ର ଅନ୍ଧକାର ଯେକୌଣସି ସୀମାରେଖାକୁ ଅସ୍ୱୀକାର କରେ । ଏହା ଲଙ୍ଘନ କରେ ଦିଗ୍‍ବଳୟ ବାଡ଼କୁ, ଏହା ଉପହାସ କରେ ଆକାଶର ବ୍ୟାପ୍ତିକୁ । କହ ତ ଭଲା, ତୁମେ ଆଖିବୁଜି କିଭଳି ଭାବରେ ମାପି ପାରିବ ତୁମ ଚାରିପାଖରେ ଘେରି ରହିଥିବା ଅନ୍ଧକାରର ପରିଧିକୁ ?

 

କିନ୍ତୁ ଏ କ’ଣ ? ଅଜାଣତରେ ମୁଁ ଠିଆ ହୋଇପଡ଼ିଲି । ମୋ ହାତର ଟର୍ଚ୍ଚ ଲିଭିଗଲା । ମୋତେ ଜଣାଗଲା ସତେ ଯେମିତି ନିରନ୍ଧ୍ର ଅନ୍ଧକାରର ଗହ୍ୱର ଭିତରେ କିଛି ଗୋଟାଏ କମ୍ପିଉଠୁଛି-। କାନଡ଼େରି ଶୁଣିବାକୁ ଚେଷ୍ଟାକଲି ।

 

ଦୂରରୁ ଶୁଭିଲା—ସନୁ...ସନୁରେ... ଏ ସନୁ ।

 

ଅସ୍ପଷ୍ଟ ହେଉପଛେ ଏ ଡାକର ଉତ୍ତର ଆସିଲା—ହଁ—ହଁ

 

ପୁଣି ଶୁଭିଲା—‘ଆରେ ଚଞ୍ଚଳ ଆ...ଏଣେପରା ବଢ଼ା ହେଲାଣି...ଶୀତଳ ହୋଇଯିବ ଯେ...

 

ଉତ୍ତର ଆସିଲା—ଯାଉଛି...

 

ଦାଣ୍ଡଘର କବାଟ ବାଡ଼େଇବାର ଅଳ୍ପ ସମୟ ପରେ ତାହା ଖୋଲିଲା । ଲଣ୍ଠନ ଟେକି ମୋ ମୁହଁକୁ କିଛି ସମୟ ଚାହିଁବା ପରେ ମା’ ପଚାରିଲା,

 

—‘କିରେ, ଏତେ ରାତିରେ ? ଆଗରୁ ଚିଠି ଖଣ୍ଡିଏ ହେଲେ ପଠାଇ ଥା’ନ୍ତୁ ! ଏକୁଟିଆ ଆସିଲୁ ?’

 

—‘ହଁ ।’ ଏତକ କହି ମୁଁ ଆଗକୁ ପାଦ ବଢ଼ାଇଲି । କବାଟ ବନ୍ଦକରି ମା’ ମୋତେ ଅନୁସରଣ କଲା ।

 

—‘ତୋ ସାଇକେଲ କାହିଁ ?’

 

—‘ବାଟରେ ଖରାପ ହେଲା ।’ ସେତେବେଳକୁ ବାରଣ୍ଡାରେ ପଡ଼ିଥିବା ବେଞ୍ଚଉପରେ ବସିସାରିଲିଣି । ଗୋଡ଼ରୁ ଯୋତା କାଢ଼ୁ କାଢ଼ୁ କହିଲି—‘ଏ ଯେଉଁ ରାସ୍ତା ! ସାଇକେଲ ଚଳେଇବା ଭାରି କଷ୍ଟ ହେଲା । ଗୋଟାଏ ପାନ ଦୋକାନରେ ସେଇଟା ଛାଡ଼ି ଚାଲି ଆସିଲି । ବଡ଼ ଥକ୍କା ଲାଗଲାଣି । ତିନିତିନିଟା ବସ୍ ବଦଳାଇ ସାରି ଏଠାରେ ପହଞ୍ଚିଲା ବେଳକୁ ଯାହାହୁଏ ।’

 

ଲଣ୍ଠନଟା ତଳେ ରଖି ମା’ କହିଲା—ତୁ ଜାଣିବା ଶୁଣିବା ପିଲା ହୋଇ, ଏମିତି ମୁର୍ଖଙ୍କଭଳି କାହିଁକି ହେଉ, କହିଲୁ ? ଏ ରାତିଟାରେ ତୁ ଚାଲିଚାଲି ଏକୁଟିଆ ଆସୁଛୁ ! ବାଟରେ କ’ଣ ନାଇଁ କ’ଣ !’

 

—‘କ’ଣ ବାଟରେ ?’ ପଚାରିଲି । ‘ବାପା ଶୋଇଲେଣି ?’

 

—‘ହଁ ! ଏଇ ସେଦିନ ପରା ଏଡ଼େ ବଡ଼ ସାପଟେ ଶୋଇଥିଲା ବାଟ ଉପରେ । ଏ ଜଙ୍ଗଲରେ ବାଘ ନ ଥିଲେ । କୁଆଡ଼ୁ ଗୋଟାଏ ବାଘ ଆସି ତିନିଟା ବାଛୁରୀ ମାରି ସାରିଲାଣି ।’

 

ମା’ ଏସବୁ କହୁଥାଏ । ପ୍ରୀତି ଦେଇଥିବା ପାଣି ଢାଳଟା ଉଠାଇ ମୁଁ ଗୋଡ଼ହାତ ଧୋଇହେଲି । ତା’ ହାତରୁ ଗାମୁଛା ନେଇ ପୋଛି ହେଲାବେଳେ ଦେଖିଲି, ଦୁହିଁଙ୍କ ମୁହଁ ଅଭୁତ ଭାବରେ ଗମ୍ଭୀର ଓ ଶଙ୍କାଗ୍ରସ୍ତ ହୋଇପଡ଼ିଛି ।

 

ରାତିରେ ପ୍ରୀତି ମୋତେ ଚେତାବନୀ ଶୁଣାଇଲା—‘ଦେଖ, ଏମିତି ଅନ୍ଧାର ରାତିରେ ଯଦି ଆଉ କେବେ ଘରକୁ ଫେର, ତେବେ ତୁମର ଦିନେକୁ ମୋ’ର ଦିନେ ।

 

ଆଖି ଖୋଲି ଦେଖିଲି କୋଠରୀଟା ଅନ୍ଧାର । ଏହାର କାନ୍ଥ, ଛାତି ସବୁ ଯେମିତି ମିଳେଇ ଯାଇଛି ସର୍ବଗ୍ରାସୀ ଅନ୍ଧାର ଭିତରେ । ପ୍ରୀତି କେତେ ପାଖରେ ଶୋଇଛି, ଅଥଚ ତା ଉପସ୍ଥିତ ସମ୍ପର୍କରେ ମୁଁ ଆଦୌ ସଚେତନ ହୋଇପାରି ନଥାନ୍ତି, ତା’ର ଚାପା କଣ୍ଠର କୋହ ନ ଶୁଣିଥିଲେ । ମୁଁ ହାତ ବଡ଼ାଇ ତା’ର ପିଠି ଥାପୁଡ଼ାଇଲି ।

 

ବହୁ ସମୟ ପରେ ସେ ପଚାରିଲା—‘କେବେ କଲେଜ ଖୋଲିବ ?’

 

—‘ବାଇଶଦିନ ପରେ । ପାଞ୍ଚତାରିଖ ଦିନ ।’ କିଛି ସମୟର ନୀରବତା ପରେ ପଚାରିଲି—‘ତୁମର ଏଠାରେ ଅସୁବିଧା ହେଉଛି ?’

 

—‘ନା’ ତା’ ପରେ ପରେ ତା’ର ଦୀର୍ଘଶ୍ୱାସ ।

 

—‘ଝିଅ କିମିତି ଅଛି ?’

 

—‘ଭଲ ।’

 

ପରଦିନ ପ୍ରାୟ ନ’ଟା ବେଳେ ବିଲଆଡ଼ୁ ଘେରାଏ ବୁଲି, ଘରକୁ ଫେରୁଥାଏ । ଦେଖିଲି ମୁଣ୍ଡରେ ଗୋଟାଏ ବିରାଟ ବୋଝ ଥୋଇ ଖୁଡ଼ୀ ନୀରବରେ ଚାଲିଛି; ଡାହାଣ ହାତରେ ଧରିଛି ଗୋଟାଏ ଝାଡ଼ୁ ।

 

କ’ଣ ପାଇଁ କେଜାଣି, ମୋର ମନ ବେଦନାଗ୍ରସ୍ତ ହୋଇଗଲା । କେତେ ଅଭୁତ ଜୀବନ ୟାର ! ପ୍ରତିବାଦ ନାହିଁ, ଆପତ୍ତି ନାହିଁ । ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଯେତେବେଳେ କାମକୁ ବାହାରି ପଡ଼େ, କେହି ତ ୟାକୁ ସେଥିରୁ ନିବୃତ୍ତ କରନ୍ତି ନାହିଁ । ଯା’ ନା ଝୁଣ୍ଟି ହେବୁ, ଜାଣିଛୁନା, କେତେ ରକ୍ତ ଝରିବ ? ବାଟରେ କଣ୍ଟା ପଡ଼ିଥିବ; ମାଡ଼ିଲେ ଭାରି ଯନ୍ତ୍ରଣା ହେବ,—ଏମିତି ଚେତାବନୀ କେହି ୟାକୁ ଦେଉଥିବେ ବୋଲି ମୋର ବିଶ୍ୱାସ ହେଲାନାହିଁ । ଅଥଚ କେଡ଼େବଡ଼ ପ୍ରତାରଣା, ବିଶ୍ୱାସଘାତକତା କରାଯାଇଛି ଏଇ ଖୁଡ଼ୀ ପାଖରେ ସତେ ! ଯେଉଁ ସୃଷ୍ଟିକୁ ସେ ଦେଖି ପାରୁଥିଲା, ତାହାକୁ ଚୋରାଇ ନେଇ ଏ ଅନନ୍ତ ଅନ୍ଧକାର ଭିତରେ ତାକୁ ଛାଡ଼ି ଦେବାର ଅର୍ଥ କ’ଣ-? ତା’ ପାଖରେ ସିଲଟ-ଖଡ଼ି କେଉଁଟା, ସର୍କସର ବାଘ କେଉଁଟା ?

 

କେଡ଼େ ନିଃସଙ୍ଗ ବୋଧ କରୁନଥିବ ସେ ! ସତକଥା, ଅନ୍ଧକାରର ସର୍ବପ୍ରଥମ ପ୍ରଭାବ ୟା ବ୍ୟତୀତ ଆଉ କ’ଣ ହୋଇପାରେ ?

 

ପାଖରେ ପହଞ୍ଚି ଦେଖିଲି, ଖୁଡ଼ୀ ବହୁତ ବଦଳି ଯାଇଛି ୟା ଭିତରେ । ଚମ ଧୁଡ଼ୁ ଧୁଡ଼ୁ, ପାକୁଆ ପାଟି, ବସନ୍ତ ଚିହ୍ନ ସତ୍ତ୍ୱେ ମୁହଁରେ ବୟସର ସ୍ପଷ୍ଟରେଖା ସବୁ । ମୁଁ ଦୀର୍ଘଶ୍ୱାସ ତ୍ୟାଗକରି କିଛି କହିବା ପାଇଁ ଉଦ୍ୟତ ହେଉଥିଲି । ମାତ୍ର ମୋର ପାଦ ଆଗକୁ ମାଡ଼ି ଚାଲିଲା ।

 

—‘କିଏ ? କିଏ ଯାଉଛି ?’

 

ଭାବିଲି, କହିବି କି, ମୁଁ ସନୁ ବୋଲି ? କିନ୍ତୁ ନା । ମୁଁ ତ ଆଉ ମଣିଷର ଭାଗ୍ୟ ନୁହେଁ ଯେ, ତାକୁ ଉପହାସ କରିବି ! କୌଣସି ଉତ୍ତର ନ ଦେଇ ମୁଁ ତାକୁ ଅତିକ୍ରମ କରିଗଲି ।

 

ମଧ୍ୟାହ୍ନ ଭୋଜନ ପରେ ଦାଣ୍ଡପିଣ୍ଡାରେ ବସିଲି । ମୋ ବସିବା ସ୍ଥାନରୁ ପ୍ରାୟ ପଚାଶ ମିଟର ବ୍ୟବଧାନରେ ସିମେଣ୍ଟ ପଲସ୍ତରା ହୋଇଥିବା ଗୋଟାଏ ଲମ୍ୱା ଚଉଡ଼ା ଚଉତରା । ଦେଖିଲି, ସେ ଚଉତରା ଉପରେ ଧାନ ଶୁଖା ଯାଇଛି । ଚଉତରାର କଣକୁ ଥୁଆ ହୋଇଛି ଗୋଟିଏ ବୋଝ ଏବଂ ଝାଡ଼ୁ ।

 

ମଣିଷେ ଉଚ୍ଚର ଠେଙ୍ଗାଟିଏ ଧରି ଜାଗ୍ରତ ପ୍ରହରୀ ଭଳି ଠିଆ ହୋଇଛି ସନୁ ମା’ ଖୁଡ଼ୀ । ତା’ର ଠିଆ ହେବାର ଭଙ୍ଗୀ ବିଦ୍ରୁପ କରୁଥିଲା, ତା’ ଚାରିପଟେ ଘେରି ରହିଥିବା ଅସୀମ ଅନ୍ଧକାରକୁ-। ତା’ ଜୀବନର ସେହି ଚିରନ୍ତନ ପ୍ରତିକୂଳ ସ୍ରୋତ ଅତିକ୍ରମ କରି ବଞ୍ଚିରହିବାର ସଂଘର୍ଷ ଓ ଦାୟିତ୍ୱ ସତେ ଯେମିତି ସ୍ପର୍ଦ୍ଧିତ ଠେଙ୍ଗା ଭଳି ମୁଣ୍ଡଟେକି ରହିଥିଲା । ସେ ହୁଏତ ସୂଚେଇ ଦେଉଥିଲା ଯେ, ଭବିଷ୍ୟତର ଅନ୍ଧକାର ଓ ଅନିଶ୍ଚିତତା ସତ୍ତ୍ୱେ ବର୍ତ୍ତମାନର ଆହ୍ୱାନ ବେଶି ଗୁରୁତ୍ୱପୂର୍ଣ୍ଣ ।

 

ହେଇ ଦେଖ, ଚଉତରା ଉପରେ ଚଢ଼େଇ ନାହିଁ, କୁକୁଡ଼ା ବି ନାହିଁ । ଶୁଖୁଥିବା ଧାନ ବେଶ୍ ନିରାପଦ ଅଛି । ତଥାପି ସେ ପ୍ରହରୀଟି ବାରମ୍ୱାର ଭୂଇଁ ଉପରେ ଠେଙ୍ଗା ପିଟି ଅସ୍ଥିର ଭାବରେ ଚିତ୍କାର କରୁଛି—ହାସ୍...ହାସ୍. ଛେସ୍...ଛେସ୍...ହାସ୍...

 

ଅବିରାମ ଭାବରେ ଏ ଶବ୍ଦ ବିଞ୍ଚି ହୋଇପଡ଼ୁଛି ଚାରିଆଡ଼େ । ଏହା ତୁଳନାରେ ମୋ ମା’ର ବ୍ୟାକୁଳତା କିମ୍ୱା ପ୍ରୀତିର କୋହ କେଡ଼େ ଦୟନୀୟ କୋହ କେଡ଼େ ଦୟନୀୟ ଓ ଅଯଥା ମନେ ହେଉଛି ପ୍ରକୃତରେ !

 

ଘର ଭିତରକୁ ଓଜନିଆ ମନନେଇ ଫେରିବା କ୍ଷଣି, ମୋର ଟିକି, ଝିଅ ପ୍ରସ୍ତାବ ଦେଲା–‘ବାପା, ଲୁଚକାଳି ଖେଳ ଖେଳିବା ।’

 

—‘ହଉ ।’ ମୁଁ ରାଜି ହେଲି ।

 

ପରିଚିତ ହେଉ ପଛେ, କୋଠରୀଟିକୁ ମୁଁ ଆହୁରି ଥରେ ଦେଖିନେଲି । ମଝିରେ ଡବଲ ଖଟ । ମୁଣ୍ଡ ଆଲମିରା, ତା କଡ଼କୁ, ଦୁଇଥାକ ଉପରେ ଥୁଆ ହୋଇଛି ଟ୍ରଙ୍କ୍, ସୁଟକେଶ । ଏ ପଟ କାନ୍ଥ କଡ଼ରେ ରାକ୍‍ ! ପ୍ରୀତିର ଶାଢ଼ି, ବ୍ଲାଉଜ୍, ଝିଅର ଜାମା ଇତ୍ୟାଦି ଯତ୍ନର ସହିତ ରଖାଯାଇଛି । ଏ କଣରେ ଟେବୁଲ ଦୁଇଟି ଚେୟାର । ମୁଁ ଲୁଚି ରହିବାର ସମ୍ଭାବ୍ୟ ସ୍ଥାନଗୁଡ଼ିକୁ ଭଲକରି ଦେଖିନେଲି ।

 

ମୋ ହାତକୁ ଗାମୁଛାଟିଏ ବଢ଼ାଇ ଦେଇ ଝିଅ ନିର୍ଦ୍ଦେଶ ଦେଲା–‘ଏଇଟା ଆଖିରେ ବାନ୍ଧ-।’

 

ତାକୁ କହିଲି—‘ଗାମୁଛା କ’ଣ ହେବ ? ମୁଁ ସେଇମିତି ଆଖି ବନ୍ଦକରି ତୋତେ ଖୋଜିବି-

 

ସେ ମୋଟେ ରାଜି ହେଲାନାହିଁ । ମୋ ଚାଲାକି ବୁଝିପାରି ସେ ଉତ୍ତର ଦେଲା—‘ନାଇଁ, ନାଇଁ ସେ କଥା ହେବ ନାହିଁ । ତୁମେ କେତେବେଳେ ନାଇଁ କେତେବେଳେ ଚୁପ୍‍କରି ଦେଖିଦେବ ।’

 

ମୁଁ ଖୁବ୍ ଆମୋଦିତ ହେଲି । ତା ହାତରୁ ଗାମୁଛା ନେଲି । ଆଖି ଆଗ ଦେଇ ମୁଣ୍ଡ ପଛରେ ତାହା ବାନ୍ଧିବାବେଳେ ସେ କହିଲା—‘‘ମୁଁ ତିନି ପର୍ଯ୍ୟନ୍ତ ଗଣିଲେ, ତୁମେ ଖୋଜିବ । ତା’ ଆଗରୁ ନୁହେଁ !’’

 

ଏଇ ନିୟମକୁ ମାନିବି ବୋଲି ମୁଁ ପ୍ରତିଶ୍ରୁତି ଦେଲି ।

 

ମୋ ସାମନାରେ ସୃଷ୍ଟିହେଲା ଅନ୍ଧକାର । ନିଜ କୋଠରୀ ଭିତରେ ମୁଁ ଖୋଜିବି ମୋ ନିଜ ଝିଅକୁ ।

 

ୟା ଭିତରେ ସେ ତିନି ଗଣି ସାରିଲାଣି ।

 

ଶେଷ ଶବ୍ଦଟି ଟେବୁଲ ପାଖରୁ ଆସିବା ଭଳି ଜଣାଗଲା; କିନ୍ତୁ ସେ କ’ଣ ଟେବୁଲ ତଳେ ଥିବ ? କେଉଁଠି ଥିବ ସେ ? କେଉଁଠି ?

 

ଖେଳ ପୂର୍ବରୁ ପୁଣିଥରେ କୋଠରୀଟିକୁ ଦେଖିଥିଲେ ମଧ୍ୟ ଆସବାବର ଅବସ୍ଥିତି ଭାରି ଅନିଶ୍ଚିତ ଜଣାପଡ଼ୁଛି ବର୍ତ୍ତମାନ । ବୋଧ ହେଉଛି, ସତେ ଯେପରି ଖାଲି ମୋ ଝିଅ ନୁହେଁ, କୋଠରୀର ରାକ୍, ଆଲମିରା, ଟେବୁଲ, ଚେୟାର ମୋତେ ଆହ୍ୱାନ କରୁଛନ୍ତି—ଆ, ତୋ ସାମନାରେ ସୃଷ୍ଟି ହୋଇଥିବା ଅନ୍ଧକାର ଭିତରେ ଆମକୁ ଚିହ୍ନଟ କର ।

 

କେବଳ ସେତିକି ନୁହେଁ । ମୋ ଚାରିପଟେ ଘେରି ରହିଥିବା ସମସ୍ତ ବସ୍ତୁ, କ୍ଷିପ୍ର ଗତିରେ ପରସ୍ପର ମଧ୍ୟରେ ସ୍ଥାନ ପରିବର୍ତ୍ତନ କରୁଛନ୍ତି । ମୋତେ ଜଣାଗଲା, କୋଠରୀର ଅନ୍ଧକାର ଆସନ୍ନ-ପ୍ରସବ ମୁହୂର୍ତ୍ତ ହେତୁ ତୀବ୍ର ଯନ୍ତ୍ରଣା ବୋଧ କରୁଛି ଏବଂ ମୁଁ ଅସ୍ଥିର ହୋଇ ତା’ ଭିତରୁ ଖଲାସ ହେବାପାଇଁ ବାଟ ଖୋଜୁଛି—ଯେଉଁ ବାଟ ମୋତେ କଢ଼ାଇ ନେବ, କୋଠରୀ ଭିତରେ ଲୁଚିରହି ମୋତେ ଆହ୍ୱାନ କରୁଥିବା ସେଇ ନିର୍ଦ୍ଦିଷ୍ଟ ସ୍ୱର ପାଖକୁ ।

Image

 

Unknown

ସଂକେତ

 

ସହରର ସିଟିଥିଏଟର୍ସ ଏକ ଅଭୁତ ସ୍ଥାନ ।

 

ଏହାର କାନ୍ଥଗୁଡ଼ାକ ତିଆରି ହୋଇଛି ସତେ ଯେପରି ପୁରାତନତ୍ୱକୁ ଜାବୁଡ଼ି ରଖିବା ପାଇଁ । ସେଥି ସକାଶେ ଏଠାକାର ଜୀବନ ଅସହ୍ୟ କ୍ଳାନ୍ତିଦାୟକ ଓ ବିରକ୍ତିକର ସମୟ ଏଠାରେ ଦୀର୍ଘ ଓ ତରଙ୍ଗହୀନ ଜଣାପଡ଼େ ।

 

ତାହାବୋଲି ଏଠାରେ ନୂତନତ୍ୱ ଆଦୌ ନାହିଁ ବୋଲି କହିଲେ ଭୁଲ ହେବ । ମାତ୍ର ସେ ନୂତନତ୍ୱର ଆବଶ୍ୟକତା ସିଟିଥିଏଟର୍ସ-ପ୍ରସୂତ ନୁହେଁ । ତାହା ଜୋରକରି ଲଦି ଦିଆଯାଏ ଏହା ଉପରେ । ମାସମାସ ଧରି ଗୋଟିଏ ନାଟକର ବ୍ୟାକୁଳ ପୁନରାୟବୃତ୍ତି ଦର୍ଶକମାନଙ୍କୁ ଆଉ ଆକର୍ଷଣ କରି ନ ପାରିଲେ ସିଟିଥିଏଟର୍ସ ବାଧ୍ୟ ହୋଇ ସଚେତନ ହୁଏ ନୂତନତ୍ୱ ପ୍ରତି । ତା’ପରେ ମଞ୍ଚରେ ସାଧାରଣ ପରିବର୍ତ୍ତନ ଘଟେ; ପରବର୍ତ୍ତି ନାଟକ ପାଇଁ । କଳାକାରମାନେ ଭିନ୍ନ ଭୂମିକାରେ ଅବତରଣ କରନ୍ତି । ୟା ବ୍ୟତୀତ ଅଡ଼ିଟୋରିୟମର ଚେୟାର, ମଳିନ କାନ୍ଥ, ଗ୍ରୀନରୁମ୍ ଇତ୍ୟାଦି ପଡ଼ିରହନ୍ତି ଆଗ ଭଳି ।

 

ଏକଥା ସତ ଯେ, ଗୋଟିଏ ନାଟକ ଯଦି ସବୁଦିନ ପ୍ରଚୁର ଦର୍ଶକ ଆକର୍ଷଣ କରି ପାରୁଥାଆନ୍ତା, ତେବେ ନୂତନତ୍ୱ ବିରୁଦ୍ଧରେ ସିଟିଥିଏଟର୍ସ ଏକ ବିଜୟୀ ନିଶାଣ ରୂପେ ଆହୁରି ଗର୍ବ କରୁଥାନ୍ତା !

 

ଏଇ କଥା ଭାବି ସଙ୍କେତ ଭୟଭୀତ ହୋଇପଡ଼ିଲା । ସେ ବୋଧକଲା ଯେ, ତାହା ଯଦି ସତ ହୁଅନ୍ତା, ତେବେ ସେ ନିଶ୍ଚୟ ପାଗଳ ହୋଇ ଯାଆନ୍ତା କିମ୍ୱା ଆତ୍ମହତ୍ୟା କରନ୍ତା ।

 

ଅଥଚ ଜୀବନ ସଂରକ୍ଷଣ ପାଇଁ କଳାକାରମାନଙ୍କର ଧୈର୍ଯ୍ୟ ଓ ପ୍ରତିଜ୍ଞା ଦେଖି ମନରେ ଭକ୍ତିମିଶ୍ରିତ ଦୟା ଉଦ୍ରେକ ହେବା ଖୁବ୍ ସ୍ୱାଭାବିକ । ବର୍ତ୍ତମାନର ପରିପ୍ରେକ୍ଷୀରେ ଅଭିନୟର କଳାତ୍ମକ ବିକାଶ ଅପେକ୍ଷା ଜୀବନ ଧାରଣର ସଂଗ୍ରାମ ହିଁ ବେଶୀ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପଡ଼ିଛି ସିଟି-ଥିଏଟର୍ସରେ । ତେଣୁ ନାଟକ ସମ୍ପର୍କରେ ବ୍ୟକ୍ତିଗତ ରୁଚି ଓ ଦୃଷ୍ଟିକୋଣ ଏଠାରେ ଅବାନ୍ତର । ମନୋଟନି, ବିରକ୍ତି ଓ କ୍ଳାନ୍ତିର ଓଜନରେ ଜୀବନର ସ୍ୱାତନ୍ତ୍ର୍ୟ ଓ ମୌଳିକତା, ଅଭିବ୍ୟକ୍ତି ଓ ନିର୍ଦ୍ଦିଷ୍ଟତା କିପରି ନଇଁ ଯାଉଛି, ତାହା ଏଠାକାର କଳାକାରମାନଙ୍କୁ ନ ଦେଖିଲେ ସହଜରେ ବୁଝାପଡ଼ିବ ନାହିଁ-

 

ଏଠାରେ ସମୟ ସ୍ଥିର ।

 

କଅଣ ତେବେ କରାଯିବ ?

 

ପୁଣି ସେହି ପୁରୁଣା ପ୍ରଶ୍ନ ଟେକିଲା ସଙ୍କେତ ସାମନାରେ । ଏଠାରେ ବଞ୍ଚିରହିବା ଅସମ୍ଭବ ହୋଇ ପଡ଼ୁଛି ଦିନକୁ ଦିନ ।

 

ଆଉ ଗୋଟିଏ କଥା ସିଟି-ଥିଏଟର୍ସ ସମ୍ପର୍କରେ । ଏହାର କଳାକାରମାନେ ଅସମ୍ଭବଭାବେ ଅଭିନୟ-ନିୟନ୍ତ୍ରିତ । କେବଳ ୟାସବେଷ୍ଟସ୍ ଘୋଡ଼ାଇ ରଖିଥିବା ମଞ୍ଚ ଉପରେ ଯେ ଏମାନେ ଅଭିନୟ କରନ୍ତି ତା ନୁହେଁ; କରନ୍ତୁ ଏମାନଙ୍କର ଦୈନନ୍ଦିନ ଜୀବନରେ ବି ଅଭିନୟର ଭୂମିକା ବହୁତ ବେଶୀ । ମଞ୍ଚ ଉପରେ ଏମାନେ ଛୋଟ ସଂସାରଟାଏ ଉପସ୍ଥାପିତ କରନ୍ତି । ତାହା ଦେଖିଲେ ଜଣାଯିବ, ଏମାନେ ସଂଘଟିତ ଜୀବନଯାପନ କରୁଛନ୍ତି, ଏମାନଙ୍କର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରହିଛି । ମାତ୍ର ପର୍ଦ୍ଦାପତନ ପରେ, ଯେତେବେଳେ ଅଡ଼ିଟୋରିୟମଟା ପୁଣି ଆଲୋକିତ ହୁଏ ଏବଂ ବାହାରେ ରାତିର ୟାସବେଷ୍ଟସ୍ ପୃଥିବୀକୁ ଘୋଡ଼ାଇ ପକାଉଥାଏ, ସଭିଏଁ ଚାଲିଯାଆନ୍ତି ବିଭିନ୍ନ ଦିଗରେ । କିଛିକ୍ଷଣ ପୂର୍ବର ନାଟକ ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇଥିବା ଭଳି ମନେ ହୁଏ ନାହିଁ । ପାହାନ୍ତା ପ୍ରହରର ଏକ ସ୍ୱପ୍ନଭଳି ତାକୁ ଭୁଲିଯାଆନ୍ତି ସେମାନେ ।

 

ଚାରିବର୍ଷ ହେଲା ସିଟିଥିଏଟର୍ସ ତା’ର କର୍ମକ୍ଷେତ୍ର ହୋଇଛି । ଜେଲଖାନାରେ ଉଚ୍ଚ, ସୀମିତ ପାଚେରୀ ବାହାରକୁ ଆସିବାପରେ, ଏହି ରଙ୍ଗମଞ୍ଚ ତାହାକୁ ନିଯୁକ୍ତ ଦେଇଛି । ଏଠାରେ ବା କଷ୍ଟ କାମ କ’ଣ, ତା’ ପାଇଁ ? ନାଟକ ଆରମ୍ଭ ହେବା ଆଗରୁ ଗେଟ୍ ପାଖରେ ଠିଆହୋଇ ଦର୍ଶକମାନଙ୍କର ଟିକଟ ଚିରିବା ଓ ସ୍ଥାନ ନିର୍ଦ୍ଦେଶ କରିବା ଏବଂ ତା’ପରେ ଷ୍ଟେଜର ପର୍ଦ୍ଦାଟେକିବା । ଏଥିସକାଶେ ଶାରିରୀକ ଶ୍ରମ ଓ ବୁଦ୍ଧିର ତୀକ୍ଷ୍ଣତା ଆବଶ୍ୟକ । ମାତ୍ର ବେଳେ ବେଳେ ତାକୁ ଜଣାପଡ଼େ, ସେ ଯେମିତି କ୍ରମଶଃ ନିଷ୍ପ୍ରାଣ ହୋଇ ଯାଉଛି । ଏକ ଦୃଢ଼, ସୀମିତ ଫ୍ରେମ୍ ମଧ୍ୟରେ ରହି, ତା’ର ଉପଲବ୍ଧି ଓ ଚେତନା ଚକଟି ହୋଇ ଯାଉଛି । ସେ ନିଶ୍ଚିତ ଯେ, କାମ ନ କରିବା ଜନିତ ଅବସାଦ, ଦୈହିକ ପରିଶ୍ରମ ହେତୁ କ୍ଳାନ୍ତିଠାରୁ ଯଥେଷ୍ଟ ଭୟାବହ ଓ ଧ୍ୱଂସାତ୍ମକ ।

 

ସିଟି ଥିଏଟର୍ସରେ କ୍ଷୁଦ୍ର ପରିସରଠାରୁ ସେ ନିଜକୁ ମୁକ୍ତ କରିବାକୁ ଚାହେଁ । ମାତ୍ର ତା’ପରେ କ’ଣ ହେବ ? ସେ ବଞ୍ଚିବ କିପରି ?

 

ସଙ୍କେତର ପଞ୍ଜରା ଦୋହଲାଇ ନୈରାଶ୍ୟ ଓ କ୍ଷୋଭର ଦୀର୍ଘଶ୍ୱାସ ବାହାରି ଆସିଲା । ତା’ହେଲେ କ’ଣ ବଞ୍ଚିବାର ଅର୍ଥ ହେଉଛି ମନୋଟନି ଓ ବିକୃତ ସମୟର ଦୀର୍ଘସ୍ରୋତ ସନ୍ତରଣ କରିବା ? —ଯେଉଁ ସନ୍ତରଣ ପ୍ରତିଶ୍ରୁତିହୀନ ଓ ବିରକ୍ତିକର ?

 

ସଙ୍କେତ ଚା’କପ୍‍ଟା ଟେବୁଲ ଉପରେ ରଖି ଘଡ଼ି ଦେଖିଲା । ନାଟକ ଆରମ୍ଭ ହେବାକୁ ଆହୁରି ଦୀର୍ଘ ଦୁଇଘଣ୍ଟା ଡେରି । ଚା’ ଦୋକାନ ଆଗରେ ଠିଆ ହୋଇ ସେ ରାସ୍ତା ଉପରେ ଚାଲିଥିବା କର୍ମମୟ ସ୍ରୋତ ଦେଖିବାରେ ଲାଗିଲା । ଏ ସ୍ରୋତ କୌଣସି ରଙ୍ଗମଞ୍ଚ ଭଳି ସଂକୀର୍ଣ୍ଣ ନୁହେଁ । ଏହାର କର୍ମମୟତାରେ ଅଂଶ ଗ୍ରହଣ କରିବାକୁ ହେଲେ ବୋଧହୁଏ ନିର୍ଦ୍ଦିଷ୍ଟ ସମୟର ସୀମାରେ ଆବଦ୍ଧ ହେବାକୁ ସମସ୍ତେ ବାଧ୍ୟ ନୁହନ୍ତି ।

 

ଦୃଢ଼ ପଦକ୍ଷେପ ନେଇ ସେ ଆଗେଇଗଲା ସିଟିଥିଏଟର୍ସ ଆଡ଼କୁ ଅଫିସଗୃହ । କେଇଖଣ୍ଡ ପୁରୁଣା ଚୌକି, ବ୍ୟବହାର କଲାବେଳକୁ ଗୋଟିଏ ଆଜ୍‍ମା ରୋଗୀଭଳି କମ୍ପୁଥିବା ଟେବୁଲ, କେତେକ କାଗଜପତ୍ର ଓ ଜରୁରୀ ସମୟରେ ଦରକାର ହେଉଥିବା ଦୁଇ ତିନୋଟି ଲଣ୍ଠନକୁ ନେଇ ତାହା ସଜ୍ଜିତ । ମେନେଜର ଚୌକି ଉପରେ ବସିଥିଲେ ଏବଂ ଟେବୁଲ ଉପରେ ଗୋଡ଼ ରଖିଥିଲେ । ସେ କିଛି କରୁ ନ ଥିଲେ ।

 

ସଙ୍କେତ ପ୍ରବେଶ କରିବା ପରେ ନମସ୍କାର କଲା । ମେନେଜର ପ୍ରତି ନମସ୍କାର ନ ଜଣାଇ ତା’ ଆଡ଼େ ଚାହିଁଲେ । ତାଙ୍କ ମୁହଁରେ ଜିଜ୍ଞାସା ପ୍ରତିଫଳିତ ହୋଇ ନ ଥିଲା ।

 

‘ସାର୍ ।’ ସଙ୍କେତ ଆରମ୍ଭ କଲା । ସେ ଭାବିଲା ଯେ ସେ ପ୍ରକାଶ କରିବାକୁ ଯାଉଥିବା ନିଷ୍ପତ୍ତି ମେନେଜରଙ୍କୁ ନିଶ୍ଚୟ ବିସ୍ମିତ ଓ ଚଞ୍ଚଳ କରି ପକାଇବ ।

 

ମେନେଜର କିଛି ନ କହି ଭ୍ରୂକୁଞ୍ଚନ କଲେ ।

 

‘ସାର୍, ମୁଁ ଏ ଚାକିରି ଛାଡ଼ିଦେବି ।’ ସଙ୍କେତ କହି ପକାଇଲା ଏବଂ ଲକ୍ଷ୍ୟ କଲା ଯେ, ତାଙ୍କର ଭ୍ରୂଦୁଇଟି ଆହୁରି କୁଞ୍ଚିତ ହୋଇପଡ଼ିଛି । ମାତ୍ର ମୁହୂର୍ତ୍ତକ ପାଇଁ ସେ ଟେବୁଲ ଉପରୁ ଗୋଡ଼ ଉଠାଇ ଆଣିଲେ ।

 

‘କେବେଠାରୁ ?’ ତାଙ୍କ ସ୍ୱର ସହଜ ଏବଂ ଶୁଷ୍କ ଥିଲା ।

 

ସଙ୍କେତ ଅପମାନିତ ବୋଧକଲା । ତା’ ଉପସ୍ଥିତିର ଯେ ଜରୁରୀ ଆବଶ୍ୟକତା ନାହିଁ ଏଠାରେ, ତାହା ସୂଚିତ ହୋଇଗଲା ମେନେଜରଙ୍କ ସଂକ୍ଷିପ୍ତ ପ୍ରଶ୍ନରେ । ତଥାପି ସେ ଉତ୍ତର ଦେଲା–‘ଆଜିଠାରୁ ।’

 

‘ଉଠ, ଠିକ୍ ଅଛି ।’ ମେନେଜର କହିଲେ ।

 

ସେ କେତୋଟି ମୁହୂର୍ତ୍ତ ଅପେକ୍ଷା କଲା । କାହିଁକି ଚାକିରି ଛାଡ଼ିବ, କ’ଣ ଅସୁବିଧା ହେଲା ଏଠାରେ ଇତ୍ୟାଦି ପ୍ରଶ୍ନ ଶୁଣିବ ବୋଲି ସେ ଆଶା କରିଥିଲା ଏବଂ ସେ ସବୁର ଦାର୍ଶନିକ ଉତ୍ତର ପାଇଁ ସେ ପ୍ରସ୍ତୁତ ହୋଇଥିଲା । ମାତ୍ର ମେନେଜର ନୀରବ ରହିଲେ । ସେ ଫାଇଲ୍ ଖୋଲି କ’ଣ ଦେଖିବାରେ ଲାଗିଲେ ଏବଂ କିଛି ସମୟ ପରେ କହିଲେ—‘କାଲି ଆସି ତୁମର ବାକୀ ପାଉଣା ନେଇଯିବ ।’ ବାସ୍, ସେତିକି । ସେ ଫାଇଲ୍ ବାନ୍ଧିଲେ ।

 

ସଙ୍କେତର କିଛି କହିବାର ନଥିଲା । ପରାଜିତ ପଦକ୍ଷେପ ନେଇ ସେଠାରୁ ବାହାରି ଆସିଲା ବେଳେ ସେ ଅନୁଭବ କଲା ଯେ ତାହାର ହୃଦୟ କରୁଣତାରେ ଆଚ୍ଛନ୍ନ ହୋଇଯାଇଛି । ଜଣକର ଜୀବନ ଓ ଶ୍ରମ ଯେ ଅନ୍ୟ ପାଇଁ ଏତେ ତୁଚ୍ଛ ଓ ଗୁରୁତ୍ୱହୀନ ହୋଇପାରେ, ଏହା ସେ ଆଗରୁ ଚିନ୍ତା କରି ନଥିଲା । ଏଠାରେ କେହି ଅନ୍ୟ ପାଇଁ ଖୁବ୍ ପ୍ରୟୋଜନ ନୁହେଁ । କେବଳ କୃତ୍ରିମତା, ପାରସ୍ପରିକ ବୁଝାମଣା ଓ adjustment ରେ ଏ ସଂସାର ଚାଲିଛି । ପୁଣି ଏ ସବୁର ଅନ୍ତରାଳରେ ଆବେଗ କିମ୍ୱା ସ୍ନେହର ବନ୍ଧନ ନାହିଁ । ସୁବିଧା ଏବଂ ଉପକାରିତାର ମାନ ଦଣ୍ଡରେ ସେ ସବୁତର ସ୍ଥାୟୀତ୍ୱ ଓ ଆବଶ୍ୟକତା ମପାଯାଏ ।

 

ସଙ୍କେତ ଏଥର ଖୁବ ଜୋରରେ ଚାଲିବା ଆରମ୍ଭ କରିଦେଲା । ବାଁ ହାତି ଗଳି ଭିତରେ ପଶିଲା ବେଳକୁ କଳା ରଙ୍ଗର ଫିଆଟ୍ ଗାଡ଼ି ସହିତ ତା’ର ଧକ୍କା ହୋଇ ଥାଆନ୍ତା । ମାତ୍ର କାର୍‍ର ଡ୍ରାଇଭର ବିଚକ୍ଷଣତାର ସହିତ ଗାଡ଼ି କଟାଇ ବ୍ରେକ୍ କସିଲା । ସଙ୍କେତ ଲକ୍ଷ୍ୟକଲା ଯେ ପଛ ସିଟରେ ବସିଥିବା ଏକମାତ୍ର ରୂପସୀ ମହିଳାଙ୍କର ସମଗ୍ର ଶରୀର ଦୋହଲି ଗଲା ଅଚାନକ ଭାବେ ଗାଡ଼ିର ଗତି ବନ୍ଦ ହେବା ଯୋଗୁଁ କ୍ରୁଧିତ ଡ୍ରାଇଭର ସଙ୍କେତ ଆଡ଼େ ଚାହିଁଲା ଏବଂ ସଙ୍କେତ ଉଦ୍ଦେଶ୍ୟହୀନ ଭାବେ ଚାହିଁଲା ମହିଳାଙ୍କ ଆଡ଼େ । ମହିଳା ତତ୍‍କ୍ଷଣାତ୍ ମୁହଁ ଫେରାଇ ଚାହିଁଲେ ଆଗକୁ । ତାଙ୍କ ମୁହଁରେ ଘୃଣା ଓ ତାଚ୍ଛଲ୍ୟ ଭାବ ଫୁଟି ଉଠିଲା ।

 

ଗାଡ଼ି ଆଗେଇଲା । ସଂକେତ ସେଇଠି ଠିଆ ହୋଇ ଗାଡ଼ିଟିକୁ ଚାହିଁ ରହିଲା ଆଗ ମୋଡ଼ରେ ତାହା ହଜିଯିବା ପର୍ଯ୍ୟନ୍ତ । ଏ ଗାଡ଼ିକୁ ଦେଖିବା ମାତ୍ରେ ତା’ର ମନ ଭିତରେ ଚାଞ୍ଚଲ୍ୟ ସୃଷ୍ଟି ହୁଏ । ପାଞ୍ଚବର୍ଷ ପୂର୍ବର ଏ ସେହି ମହିଳା, ସେହି ଗାଡ଼ି ।

 

ସହରର ବିଶିଷ୍ଟ ଶିଳ୍ପପତି ମିଃ ମୋଦିଙ୍କର ଦୁଇ ମହଲା ସୌଖିନ ଘର । ବ୍ୟବସାୟ ସଂକ୍ରାନ୍ତରେ ମିଃ ମୋଦି ମାସର ଅଧିକାଂଶ ଦିନ ବାହାରେ ରହୁଥିବାରୁ, ଘରଟା ଭାରି ନିଛାଟିଆ ଲାଗେ । ମିସେସ୍ ମୋଦିଙ୍କ ରୁମରେ ଖଞ୍ଜା ଯାଇଥିବା ଏୟାର କୁଲର୍‍ର ମୃଦୁଶବ୍ଦ, ଲନରେ କାମ କରୁଥିବା ମାଳୀ କିମ୍ୱା ପୁଝାରୀ ପ୍ରତି ତାଙ୍କର ସାମୟିକ ଆଦେଶ, ଘରର ଅବଶ ପରିବେଶକୁ ଜୀବନ୍ତ ଓ କର୍ମମୁଖର କରିପାରେ ନାହିଁ ।

 

ମିଃ ମୋଦିଙ୍କ ସଙ୍ଗେ ବାହାରକୁ ଯିବାପାଇଁ ସେ ମଙ୍ଗନ୍ତି ନାହିଁ । ଥରେ ବମ୍ୱେରେ ଜଣେ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୁହେଁ କୁଆଡ଼େ ଗୋଟିଏ ହୋଟେଲକୁ ଯାଇଥିଲେ ଡିନର୍ ପାଇଁ । କାବାରେ ଚାଲିଥାଏ ଏବଂ ଡାଇନିଂହଲ୍ ଭରପୂର ହୋଇ ଯାଇଥାଏ । କଣ୍ଟା ଓ ଚାମଚରେ ଖାଇବା ଅନଭ୍ୟସ୍ତ ମିସେସ୍ ମୋଦି ଅନ୍ୟମାନଙ୍କ ଖାଇବା ଢଙ୍ଗ ଦେଖି ବାଧ୍ୟ ହୋଇ କଣ୍ଟା-ଚାମଚ ଧରିଲେ-। ମାତ୍ର କିଛି ସମୟ ଘର୍ମାକ୍ତ ପରିଶ୍ରମ ପରେ ହଠାତ୍ ଚିକିନ୍ ରୋଷ୍ଟ ପ୍ଲେଟଟା ତାଙ୍କ କୋଳ ଉପରକୁ ଲମ୍ପ ପ୍ରଦାନ କଲା ଏବଂ ଅନ୍ୟମାନଙ୍କ ସମ୍ମୁଖରେ ତାଙ୍କୁ ହାସ୍ୟାସ୍ପଦ କରିଦେଲା । ସେଠାରୁ ଫେରି ଦୀର୍ଘ ଚାରିମାସ ପର୍ଯ୍ୟନ୍ତ କଣ୍ଟା-ଚାମଚ ସାହାଯ୍ୟରେ ଖାଇବା ଅଭ୍ୟାସ କରିଥିଲେ ମଧ୍ୟ ତାଙ୍କର ଆତ୍ମ-ବିଶ୍ୱାସ ନଥିଲା ସେ ସମ୍ପର୍କରେ । ତେଣୁ ମିଃ ମୋଦି ନିହାତି ବାଧ୍ୟ ନ କଲେ ସେ ବାହାରକୁ ଯାଆନ୍ତି ନାହିଁ ।

 

ମିସେସ୍ ମୋଦିଙ୍କୁ ନେଇ ଘରଟା ପଡ଼ିରହେ ପରିତ୍ୟକ୍ତ ଭଳି । ଏହି ଘରେ ସଙ୍କେତ ଡ୍ରାଇଭର ଥିଲା । ସେ ଚଳାଉଥିବା ଫିଆଟଟି ଏବେ ବି ମିସେସ୍ ମୋଦିଙ୍କୁ ପଛସିଟରେ ବସାଇ ସହର ପରିକ୍ରମା କରେ ।

 

ସଙ୍କେତ ଅକାରଣଟାରେ ଗାଡ଼ିଟି ଅଦୃଶ୍ୟ ହୋଇ ଯାଇଥିବା ଦିଗକୁ ଚାହିଁ କପାଳର ଝାଳ ପୋଛିଲି ।

 

ଦୁଇ ମହଲା ଘର ପଛକୁ ଲାଗି ଚାକରମାନଙ୍କ ପାଇଁ ଉଦ୍ଦିଷ୍ଟ ଆଉଟହାଉସର ଗୋଟିଏ କୋଠରୀରେ ସେ ରହୁଥିଲା । କୋଠରୀଟା ଗୋଟାଏ ଜେଲଖାନା ଭଳି ଜଣାପଡ଼େ ତାକୁ । ଚାକିରି କରିବାର ପ୍ରଥମ ପର୍ଯ୍ୟାୟରେ ନିଜ ଭବିଷ୍ୟତ ଜୀବନ ସମ୍ପର୍କରେ ସେ ଯେଉଁ ରୂପରେଖ ପ୍ରସ୍ତୁତ କରିଥିଲା, ତାହା ଗୋଟାଏ ଥୁଣ୍ଟାଗଛ ଭଳି ଏବେ ବି ତା’ର ସ୍ମୃତିରେ ବିବର୍ଣ୍ଣ ହୋଇ ଠିଆ ହୋଇଛି । ସବୁଠାରୁ ବଡ଼ କଥା ହେଲା, ସେଠାରେ ତାର ଜୀବନ କାର୍ଯ୍ୟହୀନତା ଓ ପରାଧୀନତାର ବିସ୍ତୃତ ସମୁଦ୍ର ଉପରେ ଥିଲା ଏକ ଭାସମାନ ପୋତ । ଫିଆଟର ଷ୍ଟିଅରିଂ ଥିଲା ତାର କ୍ଷୀଣ କର୍ମମୟତାର କେନ୍ଦ୍ର—ବର୍ତ୍ତମାନ ଯେପରି କେବଳ ଷ୍ଟେଜରେ ହିଁ ତା’ର ମାମୁଲି କାର୍ଯ୍ୟ ସୀମାବଦ୍ଧ ।

 

ଦୂରସ୍ଥାନ ଯିବାକୁ ନ ହେଲେ ମିଃ ମୋଦି ସଂକେତର ସାହାଯ୍ୟ ଲୋଡ଼ନ୍ତି ନାହିଁ । ସେ ନିଜ ଗାଡ଼ି ଚଳାନ୍ତି । ବାକି ଫିଆଟ୍ ଖଣ୍ଡିକ ରହିଯାଏ ମିସେସ୍ ମୋଦିଙ୍କ ବ୍ୟବହାର ପାଇଁ । ଯେ କୌଣସି ସମୟରେ ତାଙ୍କର ଆଦେଶ ପାଳନ ପାଇଁ ସଂକେତ ଅପେକ୍ଷା କରିଥାଏ ।

 

ମିଃ ମୋଦି ବାହାରକୁ ଚାଲିଯିବା ପରେ ସଂକେତ ବିଚିତ୍ର ଭାବନାରେ ଅଥୟ ହୋଇପଡ଼େ । ଏତେ ବଡ଼ ଘରେ ଅସାବଧାନ ହୋଇପଡ଼ି ରହିଥିବା ଜିନିଷ ପତ୍ର, ମିସେସ୍‍ ମୋଦିଙ୍କର ଦାମୀକା ଗହଣା ଏବଂ ଷ୍ଟିଲ୍‍ଆଲମିରାରେ କେବେ କେମିତି ରହୁଥିବା ନୋଟ ବିଡ଼ା ଦେଖି ତାର ମନ ଅସ୍ଥିର ହୋଇପଡ଼େ । ନିଜ ଛୋଟିଆ ରୁମରେ ଶୋଇବା ବେଳେ ସେ ମନ ମଧ୍ୟରେ ଯୋଜନା ପ୍ରସ୍ତୁତ କରେ କୌଣସି ମୂଲ୍ୟବାନ ଜିନିଷ ଧରି ଏ ଘରୁ ଖସିଯିବା ପାଇଁ ।

 

ମାତ୍ର ଏ ଯୋଜନା କାର୍ଯ୍ୟକାରୀ କରିବାକୁ ପୂର୍ବରୁ ନିଜ ଚାକିରି ଓ ମିଃ ମୋଦିଙ୍କ ଘର ପ୍ରତି ତା’ର ଦୃଷ୍ଟିକୋଣ ଖୁବ୍ ଶୀଘ୍ର ବଦଳି ଗଲା ।

 

କ୍ରମେ ସେ ଅନୁଭବ କଲା ଯେ ସମୟର ପ୍ରାଚୁର୍ଯ୍ୟ ଭିତରେ ରହି ସେ ଅଥର୍ବ ଓ ଅବଶ ହୋଇ ଯାଉଛି । ରାତିରେ ତାକୁ ଆଉ ନିଦ ହେଉନାହିଁ । କୌଣସି ଜିନିଷ ପତ୍ର ପ୍ରତି ତା ମନରେ ସ୍ୱାଭାବିକ ପ୍ରତିକ୍ରିୟା ସୃଷ୍ଟି ହେଉନାହିଁ । ଏ ପ୍ରକାରର ମାନସିକ ପରିବର୍ତ୍ତନ ପ୍ରତି ସେ ଯେତେ ସଚେତନ ହେବାରେ ଲାଗିଲା, ତାର ନିଃସହାୟତା ସେତିକି ବୃଦ୍ଧି ପାଇବାରେ ଲାଗିଲା । ସେ ବୋଧକଲା ଯେ, ନିଜର ସୀମିତ ପରିସର ଭିତରେ ସେ ବନ୍ଦୀ ହୋଇଯାଇଛି ଏବଂ ଚାକିରି ନ ଛାଡ଼ିଲେ ତା ଭିତରୁ ମୁକ୍ତିର ଆଦୌ ସମ୍ଭାବନା ନାହିଁ । କର୍ମହୀନତାର ବିରକ୍ତିକର ସୀମା ଲଂଘନ କରିବାକୁ ବୃଥା ଚେଷ୍ଟା କରି ସେ ରୁମ୍ ଭିତରେ ଡିଆଁ ଡେଇଁ କରେ ଓ ଗୀତ ଗାଏ ।

 

ଦିନେ ମିଃ ମୋଦି ତାକୁ ଡକାଇ ପଠାଇଲେ । ଦିନ ଦଶଟା । ସେ ରୁମରେ ଥିବା ରେଲିଙ୍ଗ୍ ସାହାଯ୍ୟରେ ଝରକା ଉପରକୁ ଉଠି ତଳକୁ ଡେଇଁବାରେ ବ୍ୟସ୍ତ ଥିଲା । କେତେବେଳେ ସେ ତାଙ୍କ ପାଖରେ ପହଞ୍ଚି ଯାଇଛି, ଜଣା ନଥିଲା ତାକୁ । ସେ ତାକୁ କ’ଣ କହିଲେ, ତାହା ତାର ଅବଚେତନ ମନ ଉପରେ କୌଣସି ରେଖାପାତ କରି ପାରିଲା ନାହିଁ ।

 

—‘ଚୋପ୍ ବେ, ଶଳା ।’ ହଠାତ୍ ସେ କହି ପକାଇଲା ନିଜ ମାଲିକ ଆଗରେ ।

 

ମିଃ ମୋଦି ବିସ୍ମୟ ବସ୍ଫାରିତ ଆଖିରେ ତା’ ଆଡ଼କୁ ଚାହିଁବା ପରେ ସେ ସଚେତନ ହେଲା ଏବଂ ତାଙ୍କ ବିସ୍ମୟକୁ ଆହୁରି ବଢ଼ାଇ ଦେଲା ସେ ଉଚ୍ଚ ସ୍ୱରରେ କାନ୍ଦି ଉଠିଲା ।

 

‘ସାର୍ ମୁଁ ମରିଯିବି । ଗୋଟାଏ ଲୁଗା ଦୋକାନୀର ବାକି ପଇସା ବହୁଦିନ ହେବ ନ ଦେଇ ପାରିବାରୁ ଆଜି ସେ ମୋତେ ‘ଚୋପ୍ ବେ, ଶଳା’ ବୋଲି କହିଦେଲା । ମୋତେ ଭାରି ବାଧିଲା, ଆଜ୍ଞା ।’ କୋହ ମିଶ୍ରିତ ସ୍ୱରରେ ସଙ୍କେତ କହିଲା ।

 

ଚାକିରି ଗଲା ନାହିଁ । ମିଃ ମୋଦି ତତକ୍ଷଣାତ୍ ଆଗାମୀ ମାସ ପାଇଁ ଅଧା ଦରମା ଆଗତୁରା ଦେଇ ଦେଲେ । ସଙ୍କେତ ଆଶ୍ୱସ୍ତ ହେଲା ।

 

ମିସେସ୍ ମୋଦିଙ୍କ ଗହଣା ଆଉ ପ୍ରଲୁବ୍ଧ ନ କଲେ ମଧ୍ୟ ତାଙ୍କର ବଳିଷ୍ଠ ସ୍ୱାସ୍ଥ୍ୟ ଓ ଦେହର ରଙ୍ଗ କ୍ରମେ ସଙ୍କେତକୁ ଦଗ୍ଧୀଭୁତ କଲା । ଏବେ ଏଣିକି ତାଙ୍କୁ ନେଇ ସେ ଦିବାସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହିଲା ଏବଂ ପରିଣାମରେ ତା’ର ହାହାକାର ଓ ଉଦବିଗ୍ନତା ବୃଦ୍ଧି ପାଇବାରେ ଲାଗିଲା ।

 

ଦିନେ ରାତି ନ’ଟା ବେଳେ ପର୍ଟିକୋ ତଳେ ଗାଡ଼ି ରଖି ସେ ଗାଡ଼ିରୁ ବାହାରି ଆସିଲା ଓ ମିସେସ୍ ମୋଦିଙ୍କ ପାଇଁ ପଛ କବାଟ ଖୋଲି ଅପେକ୍ଷା କଲା । ସେ ବାହାରି ଆସିବା ପରେ ସଙ୍କେତ ତାଙ୍କ ବାଁ ଗାଲ ଉପରେ ହାତ ରଖି କିଛି ଗୋଟାଏ ଆଣିବାର ଅଭିନୟ କଲା ।

 

‘କ’ଣ ?’ ମିସେସ୍ ମୋଦି ଚକିତ ହେଲେ ।

 

‘ଏଇ ସୂତାଟା ଲାଗିଥିଲା ।’ ଆଗରୁ ଧରିଥିବା କ୍ଷୁଦ୍ର ସୂତାଟିଏ ଦେଖାଇଲା ସେ ତାଙ୍କ ଆଗରେ ।

 

ସେ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଲେ ତା’ଆଡ଼େ; ସତେ ଯେପରି ତା’ ସଫେଇରେ ସେ ଆଦୌ ସନ୍ତୁଷ୍ଟ ନୁହନ୍ତି । ସେ ଟିକିଏ ଡରିଗଲା । ତା’ପରେ ମିସେସ୍ ମୋଦି ବାରଣ୍ଡା ଟପି ଶିଡ଼ି ଉପରେ ପାଦ ଦେଲେ । ସଙ୍କେତ ତାଙ୍କୁ ଅନୁସରଣ କଲାବେଳକୁ ଡାକିଲା ‘ମା ।’ କଣ ହେଲା କେଜାଣି ତା’ ମନ ତାକୁ ତିରସ୍କାର କଲା ‘ଏ ମାଇକିନାକୁ ମା’ ବୋଲି ଡାକିବା ପାଇଁ ଜମା ମନ ହେଉନି ।’

 

‘କ’ଣ ?’ ସେ ପଛକୁ ନ ଚାହିଁ ପ୍ରଶ୍ନ କଲେ । ସେମାନେ ବେଡ଼୍ ରୁମରେ ପହଞ୍ଚି ଯାଇଥିଲେ ସେତେବେଳକୁ ।

 

‘ଖଣ୍ଡିଏ ପୁରୁଣା ଲୁଗା ଦିଅନ୍ତେ ନାହିଁ ? ମୋ’ ସ୍ତ୍ରୀର ଭଲ ଶାଢ଼ି ନାହିଁ ।’

 

‘ସ୍ତ୍ରୀ ? ତୁମର ପରା ବାହାଘର ହୋଇନାହିଁ ?’ ମିସେସ୍ ମୋଦି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

 

ସଙ୍କେତର ଦେହ ଝାଳେଇ ଗଲା ଏବଂ ତଣ୍ଟି ଶୁଖିଗଲା ‘ଆପଣଙ୍କ ଆଗରେ ଆଉ ଲୁଚେଇ ଲାଭ କ’ଣ ? କାଳେ ବାହା ହୋଇଛି ବୋଲି ଜାଣିଲେ ଏଠାରେ ଚାକିରି ମିଳିବ ନାହିଁ, ସେଥିପାଇଁ ଆପଣଙ୍କୁ ମିଛ କହିଥିଲି ।

 

‘ବାହା ହୋଇଛ ବୋଲି ଜାଣିଥିଲେ, କାହିଁକି ଚାକିରି ମିଳି ନ ଥାନ୍ତା ?’ ମିସେସ୍ ମୋଦିଙ୍କ ପ୍ରଶ୍ନ ।

 

ସଙ୍କେତ ଭାରି ଅଶ୍ୱସ୍ତି ବୋଧ କଲା । ହଠାତ୍ ସେ ଭାବିଲା, ଚାକିରି ଗଲେ ଯିବ ପଛେ ସାମନାରେ ଠିଆ ହୋଇଥିବା ନାରୀଟିକୁ ଏଇ ନିର୍ଜନ କୋଠରୀରେ ଆକ୍ରମଣ କଲେ କିପରି ହୁଅନ୍ତା ? ଏଇ କଥାଟାକୁ ଅଳ୍ପ କେତୋଟି ମୁହୂର୍ତ୍ତରେ ବାରମ୍ୱାର ଭାବିବା ଫଳରେ ସେ ଉତ୍ତେଜିତ ହୋଇ ପଡ଼ିଲା ।

 

ହଠାତ୍ ସେ ଅନୁଭବ କଲା, ଗୋଟାଏ ପୁରୁଣା ଅଥଚ ସୁନ୍ଦର ଶାଢ଼ି ତା’ ଉପରକୁ ଫୋପାଡ଼ି ଦିଆଯାଇଛି । ସେ କୃତଜ୍ଞତାର ହସ ହସିବାକୁ ଚେଷ୍ଟା କରି ନମସ୍କାର କରିବା ପରେ ରୁମରୁ ବାହାରି ଆସିଲା । ପରେ ପରେ ରୁମର କବାଟ ବନ୍ଦହେବା ଶୁଣି ସେ ଫେରି ଆସିଲା ଏବଂ ଦରଜା ସାମନାରେ କମ୍ପିତ ଶରୀର ନେଇ ଠିଆ ହେଲା । ଦରଜାବାଟେ ଭିତରକୁ ଚାହିଁ କିଛି ଦେଖିବାକୁ ଚେଷ୍ଟାକରି ବିଫଳ ହେବାରୁ ବାଧ୍ୟ ହୋଇ ଫେରି ଆସିଲା ନିଜ କୋଠରୀକୁ ।

 

ସେ’ଦିନ ରାତିରେ ଶାଢ଼ିଟିକୁ ପିନ୍ଧି ସେ ଶୋଇବାକୁ ଚେଷ୍ଟାକଲା । କିନ୍ତୁ ତା’ ଶରୀର ମଧ୍ୟରେ ଯେଉଁ ବିଚିତ୍ର ଶିହରଣ ସୃଷ୍ଟି ହୋଇଥିଲା, ସେଥିରେ ଶୋଇବା ତ ଦୂରର କଥା ସ୍ଥିର ହୋଇ ସେ ବିଛଣାରେ ରହିପାରିଲା ନାହିଁ । ରାତିସାରା ସେ ବିଭିନ୍ନ ଢଙ୍ଗରେ ତାହାକୁ ପିନ୍ଧିଲା । ଶେଷରେ ବିରକ୍ତ ଓ ହତାଶ ହୋଇ, ଘର ବାହାରକୁ ଯାଇ ତାହାକୁ ପୋଡ଼ି ପକାଇଲା ।

 

ତା’ପରଦିନ ସନ୍ଧ୍ୟାର କଥା । ସହରର ଗୋଟିଏ ନିର୍ଜନ ଗଳିରେ ଗାଡ଼ି ଠିଆ କରି ସଙ୍କେତ ଅପେକ୍ଷା କରୁଥିଲା ବାନ୍ଧବୀଙ୍କ ଘରୁ ମିସେସ୍ ମୋଦିଙ୍କର ପ୍ରତ୍ୟାବର୍ତ୍ତନକୁ । ରାତି ଦଶଟା ବାଜି ଯାଇଥିଲେ ମଧ୍ୟ ତାଙ୍କ ଫେରିବାର କୌଣସି ସୂଚନା ମିଳୁ ନଥିଲା । ପ୍ରଚଣ୍ଡ ବିରକ୍ତି ଓ କ୍ରୋଧରେ ସଙ୍କେତ ଷ୍ଟିୟରିଂ ଉପରେ ମୁଣ୍ଡ ପିଟିଲା ଓ ଗାଲରେ ଚାପୁଡ଼ା ମରିଲା । ଆଗସିଟରେ ଶୋଇବାକୁ ଚେଷ୍ଟାକରି କୃତକାର୍ଯ୍ୟ ନ ହେବାରୁ ସେ ଚାରି-ପାଞ୍ଚଥର ଗାଡ଼ି ବାହାରକୁ ଆସି ରାସ୍ତା ଉପରେ ବୁଲାବୁଲି କଲା ।

 

‘ଏ ଚାକିରି ଛାଡ଼ି ଦେବି ।’ ମନକୁ ମନ ସେ କହିଲା ଦୃଢ଼ତାର ସହିତ ।

 

କ’ଣ ମିଳିବ ଏ ଚାକିରିରୁ ? ବିରକ୍ତି ଓ ସ୍ଥାଣୁତା ? ଗୋଟିଏ ଗାଡ଼ିରେ ଯାଇଥିଲେ ମଧ୍ୟ ମୋଦି ଦମ୍ପତ୍ତି ଓ ତା’ମଧ୍ୟରେ ସତରେ କେତେ ବ୍ୟବଧାନ ! ତେବେ ଏ ପୃଥିବୀରେ ସବୁଲୋକ କ’ଣ ନିଜ କର୍ମପରିସର ଭିତରେ ବନ୍ଦୀ ? ଜଣକର ଚିନ୍ତାଧାରା ଓ ପ୍ରକୃତି ଅନ୍ୟଜଣକ ଠାରୁ କ’ଣ ଏତେ ପୃଥକ ? ତେବେ ଏଠାକାର କେଉଁ ଲୋକ ଅନ୍ୟ ଜଣକୁ ଚିହ୍ନେ ? ଏ କଥାର ସତ୍ୟତା ପୃଥିବୀର ସବୁ କୋଣରେ ରହିଛି, ନା କେବଳ ମିଃ ମୋଦିଙ୍କ ଘରେ ରହିଛି ?

 

ଦିର୍ଘ ପାଞ୍ଚଘଣ୍ଟାର ଅସ୍ଥିର ପ୍ରତୀକ୍ଷା ପରେ ମିସେସ୍ ମୋଦି ଫେରିଲେ । ସଙ୍କେତ ଗାଡ଼ି ଷ୍ଟାର୍ଟ କଲା । ପ୍ରାୟ ଶହେ ମିଟର ପରେ ହଠାତ୍ ଗାଡ଼ି ବନ୍ଦ କରି ସେ ପଛ ଦରଜା ଖୋଲିଲା ଏବଂ ମିସେସ୍ ମୋଦି କିଛି କହିବା ପୂର୍ବରୁ ତାଙ୍କ ଉପରକୁ କୁଦି ପଡ଼ିଲା । ଗୋଟାଏ ଚିତ୍କାର ଏବଂ କେତୋଟି ମୁହୂର୍ତ୍ତର ସଂଘର୍ଷ ।

 

ତା’ପରେ ତାର ଆଉ କିଛି ମନେ ନାହିଁ ।

 

ଛ’ମାସ ପାଇଁ ସଶ୍ରମ କାରାଦଣ୍ଡ ମିଳିଲା ତାକୁ ।

 

ସଙ୍କେତ ଦୀର୍ଘଶ୍ୱାସ ତ୍ୟାଗକଲା । ନାଟକ ଆରମ୍ଭ ହେବାକୁ ଆହୁରି ଅଧଘଣ୍ଟା ଡେରି ଅଛି । କେବଳ ଆଜି ରାତିଟା । ଚାକିରି ଛାଡ଼ିଦେବ ବୋଲି ମେନେଜରଙ୍କୁ ସେ ଜଣାଇ ଦେଇ ସାରିଛି ।

 

ତାକୁ ଆଉ କିଛି ଭଲ ଲାଗୁନାହିଁ । ବୋଧହୁଏ ଏଠାକାର କୌଣସି ଲୋକକୁ ନିଜ କାମ ଭଲ ଲାଗେ ନାହିଁ । କିଛି ସମୟ ପରେ ସେ ପର୍ଦ୍ଦାଟେକିବ ଓ ପକାଇବ, ଆବଶ୍ୟକ ମତେ । ମଞ୍ଚ ଉପରେ ଯେଉଁ ଅଭିନୟ ଚାଲିବ ସେଥିରେ ତା’ର ଦର୍ଶନୀୟ ଅବଦାନ କିଛି ନାହିଁ । ତେବେ, ଅବସାଦଗ୍ରସ୍ତ ସବୁଲୋକ ବୋଧହୁଏ ନିଜ ପ୍ରତି ବିରକ୍ତ ହୋଇ, ଅନ୍ୟର କାମକୁ ନିଜଠାରୁ ବେଶୀ ଆକର୍ଷଣୀୟ ବୋଲି ଭାବିଥାଆନ୍ତି ।

 

ନିଜ ଭାବନାରେ ଅତିଷ୍ଠ ହୋଇ ସଂକେତ ପୁନରାୟ ମେନେଜରଙ୍କ ଅଫିସରେ ପ୍ରବେଶ କଲା । ଏଥର ସେ କିଛି ଲେଖିବାରେ ବ୍ୟସ୍ତଥିଲେ ।

 

‘ସାର୍ ।’ ସେତେବେଳେ ମୋତେ ଭଲ ଲାଗୁ ନଥିଲା । କ’ଣ ସବୁ କହି ପକାଇଲି । କିଛି ମନେ କରିବେ ନାହିଁ ।’

 

‘କ’ଣ କହୁଛ ତା’ହେଲେ ?’

 

‘ସାର୍, ମୁଁ ଚାକିରି ଛାଡ଼ୁନାହିଁ ।

 

‘ହଉ, ଠିକ୍ ଅଛି ।’ ମେନେଜର ପୁଣି ଲେଖିବାରେ ମନୋନିବେଶ କଲେ ।

 

ସଂକେତ ବାହାରି ଆସିଲା ସେଠାରୁ । ଆଉ କିଛି ଭାବିବ ନାହିଁ ବୋଲି ସେ ପ୍ରତିଜ୍ଞାବଦ୍ଧ ହେଲା ।

 

‘କି, ସଂକେତ ? ଖବର କ’ଣ ?’ ରିକ୍‍ସାରୁ ତଳକୁ ଓହ୍ଲାଉ ଓହ୍ଲାଉ ରୂପା ପ୍ରଶ୍ନ କଲା ।

 

ସିଟି ଥିଏଟର୍ସର ସର୍ବଶ୍ରେଷ୍ଠ ଆକର୍ଷଣ–ରୂପା । ଜେଲରୁ ମୁକ୍ତ ହୋଇ, ଚାରିବର୍ଷ ହେଲା ଏଠାରେ କାମ କରିବା ଦିନୁ ସେ ଦେଖି ଆସୁଛି ରୂପାକୁ । ଗୋରା ଦେହ । ତଥାପି ସମଗ୍ର ଶରୀରରେ କିମିତି ଗୋଟାଏ ଶୀର୍ଣ୍ଣ ଅବସନ୍ନତା । ମେକ୍-ଅପ ଲଗାଇ ଲଗାଇ ତା’ର ମୁହଁ ଶେଥା ହୋଇଗଲାଣି । ଅଥଚ ଷ୍ଟେଜ ଉପରେ ସେ ହୋଇପଡ଼େ ଲୋଭନୀୟ ଓ କ୍ଷିପ୍ର । ସେ ସୁନ୍ଦର ହସିପାରେ; ନିଜେ କାନ୍ଦି ଦର୍ଶକଙ୍କ ମନରେ କରୁଣତା ସୃଷ୍ଟି କରିପାରେ । ଅଭିନୟ ଶେଷ ହେବାକ୍ଷଣି ସେ ହୋଇଯାଏ ସାଧାରଣ ମଣିଷଟିଏ–ରୂପା ।

 

ଅଭୁତ ଅଭିନୟ । ନିଜର ରୂପ ଓ ଅବସନ୍ନତାକୁ ମଞ୍ଚ ଉପରେ ସେ ଦୂରେଇ ଦେଇପାରେ କିପରି ?

 

‘ସବୁ ଭଲ ।’ ସଂକେତ ଉତ୍ତର ଦେଲା । ତା’ପରେ ଜଣେ ଦାର୍ଶନିକ ଭଳି ଆରମ୍ଭ କଲା–‘ବୁଝିଲ ରୂପା, ଆମେ ସମସ୍ତେ ଏଠାରେ ଅଭିନୟ କରୁ । ତା’ଯଦି ନ ହୁଅନ୍ତା, ଆମେ ନିଜର ପ୍ରକୃତି ଓ ପ୍ରବୃତ୍ତିକୁ ଯଦି ସବୁବେଳେ ପରିପ୍ରକାଶ କରୁଥା’ନ୍ତେ, ତେବେ ଏଠାରେ ସ୍ୱଚ୍ଛ ଦିବାଲୋକରେ ଲକ୍ଷ ଲକ୍ଷ ହତ୍ୟା ଓ ପାଶବିକ କାର୍ଯ୍ୟ ହେଉ ଥାଆନ୍ତା । ଚାକିରି ଛାଡ଼ିଦେବି ବୋଲି ମେନେଜରକୁ କିଛି ସମୟ ଆଗରୁ କହୁଥିଲି । ସେ ଶଳାର ବି ମୋ ପ୍ରତି କିଛି ଆଗ୍ରହ ନ ଥିଲା । ପରେ ଭାବିଲି ଚାକିରି ଗଲେ ଚଳିବି କିପରି ? ପୁଣି ଥରେ ଜେଲକୁ ଗଲେ ଅଚିନ୍ତା ହୁଅନ୍ତି; କିନ୍ତୁ ଜେଲ ଯିବି କେଉଁ ସକାଶେ ? ତୁମ କଥା କ’ଣ କୁହ ।’

 

ରୂପା ସ୍ମିତ ହସିଲା । ସଂକେତ କଥା ଶୁଣି ସେ ସବୁବେଳେ ହସେ । ତା’ କଥା ସେ ଭଲକରି ବୁଝିପାରେ ନାହିଁ । ତାକୁ ପାଗଳ ବୋଲି କେହି କେହି ଥଟ୍ଟା ମଧ୍ୟ କରନ୍ତି ।

 

‘ମୋ କଥା ସେମିତି । ଭଲ ଅଛି ଚପଲ ଘୋସାରି ସେ ଆଗଇ ଗଲା ।

 

ସଂକେତ ଦୃଷ୍ଟି ଫେରାଇ ବସିଲା ବାରଣ୍ଡା ଉପରେ । ହସ, କାନ୍ଦକୁ ଛାଡ଼ିଦେଲେ, ଅନ୍ୟ ଅଭିନେତାଙ୍କ ସଙ୍ଗେ ରୂପାର ଆଲିଙ୍ଗନ ବିସ୍ମିତ କରେ ସଙ୍କେତକୁ । ଦିନେ ସେ ଏଇକଥା ତାକୁ ପଚାରିଥିଲା ।

 

‘ତୁମକୁ ଭାରି ଆଶ୍ଚର୍ଯ୍ୟ ଲାଗୁଛି ?’ ରୂପା ହସି ପଚାରିଥିଲା । ‘ଏଥିରେ କିଛି ବୈଚିତ୍ର୍ୟ ନାହିଁ । ପ୍ରଥମେ ପ୍ରଥମେ ଅଡ଼ୁଆ ଲାଗୁଥିଲା । ତା’ପରେ ଦେହଘସା ହୋଇଗଲା । ଏଥିରେ ନୂଆ କଥା ବା କ’ଣ ଅଛି ?’

 

ସଂକେତ ସ୍ତବ୍‍ଧ ହୋଇ ଯାଇଥିଲା । ଗୋଟିଏ ଜିନିଷ ପ୍ରତି ଅଭ୍ୟସ୍ତ ହୋଇଗଲେ ମଣିଷର ତା’ ପ୍ରତି ପ୍ରତିକ୍ରିୟା କ’ଣ ସତରେ ନଷ୍ଟ ହୋଇଯାଏ ?

 

‘ଏ କଥା ପଚାରିଲ କାହିଁକି ? ରୂପା ପ୍ରଶ୍ନ ଶୁଣି ସେ ସଚେତନ ହେଲା ।

 

‘ନାଇଁ ଏମିତି ପଚାରୁଥିଲି । ସତ କହିବାକୁ ଗଲେ, ତୁମେ ଆଉ କାହାକୁ ଆଲିଙ୍ଗନ କଲେ ମୋତେ ଭଲ ଲାଗୁ ନ ଥିଲା । ମନେ ମନେ ତୁମକୁ ଗାଳି ଦେଉଥିଲି, ଅନ୍ୟକୁ ହିଂସା କରୁଥିଲି । ସେତେବେଳେ ନିଜକୁ ସଜେଇବା ପାଇଁ ମନ ହେଉଥିଲା । ଏବେ ଏଣିକି ଆଉ ତାହା ନାହିଁ ସବୁ ଦେହଘସା ହୋଇଗଲାଣି । ତୁମେ ଅନ୍ୟ ସଙ୍ଗେ ହସିଲେ କି ଅନ୍ୟକୁ ଆଲିଙ୍ଗନ କଲେ ମୁଁ ବି କିଛି ଭାବୁନାହିଁ ? ମୋର ଭାବନା, ଉପଲବଧି ଇତ୍ୟାଦିର ପାରାଲିସିସ ହୋଇ ଯାଇଛି । ବଡ଼ ବିଚିତ୍ର କଥା !’

 

ରୂପା ଭ୍ୟାନଟି ବ୍ୟାଗ୍ ହଲାଇ ‘ତା’ ଆଡ଼େ ଚାହିଁ ଓ ଖିଲି ଖିଲି ହୋଇ ହସି ତା’ ପାଖରୁ ଚାଲି ଯାଇଥିଲା ।

 

ନାଟକ ଆରମ୍ଭ ହେବ ।

 

ଗେଟ୍ କାମ ଶେଷକରି ମଞ୍ଚ ଉପରକୁ ଯିବାବେଳେ ସଙ୍କେତ ଭାରି ଦୁର୍ବଳ ଓ ଅସହାୟ ବୋଧକଲା ପୁଣି ଥରେ । ମୁକ୍ତି ଚାହେଁ ସେ–ସବୁଥିରୁ ମୁକ୍ତି । ତାକୁ ଜଣାଗଲା, ତା’ର ଜୀବନ ତାକୁ ବାନ୍ଧି ରଖିଛି ଦୃଢ଼ ଭାବରେ । ନିଜକୁ ବଞ୍ଚାଇ ରଖିବା ଅର୍ଥ, ବନ୍ଦୀ ହୋଇଯିବା ।

 

ରୂପା ପୁଣି ଚଞ୍ଚଳ ହୋଇ ପଡ଼ିଛି, ମଞ୍ଚ ଉପରେ । ତିନିମାସ ହେଲା ଏଇ ନାଟକ ଦେଖି ଆସୁଛି ସେ । କି ଅସହ୍ୟ ମନୋଟନୀ ! ପର୍ଦ୍ଦାଟା ପକେଇ ଦେବା ପାଇଁ ମନ ହେଲା ତା’ର ! ଏଇ କଥା ଚିନ୍ତା କରିବା କ୍ଷଣି ସେ ଭାବିଲା, ଗୋଟାଏ କିଛି ଅଭୁତପୂର୍ବ, ଚାଞ୍ଚଲ୍ୟକର କାମ କଲେ କିମିତି ହୁଅନ୍ତା ? କିଛି ଗୋଟାଏ ଅସାଧାରଣ, ଯାହା କ୍ଷଣକ ପାଇଁ ହେଉପଛେ ବିରକ୍ତି ଓ ଦୈନନ୍ଦିନତାର ବାଡ଼ ଭାଙ୍ଗି ପାରନ୍ତା ?

 

ହଠାତ୍ ଏକ ଚିତ୍କାର ଶୁଭିଲା ।

 

ବିସ୍ମୟ ବିସ୍ଫୋରିତ ଆଖିରେ ସମସ୍ତେ ଦେଖିଲେ ସେ ଖାକିପେଣ୍ଟ ପରିହିତ କେହିଜଣେ ଦାଢ଼ୀଆ, ଅପରିଚ୍ଛନ୍ନ ଲୋକ ନାଟକର ନାୟୀକାକୁ ପଶୁଭଳି ଆଲିଙ୍ଗନ କରିଛି ।

 

ଦୃଢ଼ ଆଲିଙ୍ଗନ ଭିତରେ ଥାଇ ରୂପା ଅଣନିଶ୍ୱାସୀ ହୋଇ ଯାଉଥିଲେ ମଧ୍ୟ ସଙ୍କେତ ଅନୁଭବ କରୁଥିଲା, ସତେ ଯେପରି ସମୟର ଗତି କ୍ଷିପ୍ର ହୋଇପଡ଼ିଛି ଓ ତା’ଚାରିପଟେ ଥିବା ପର୍ଯ୍ୟାପ୍ତ ବ୍ୟବଧାନ ସଙ୍କୁଚିତ ହୋଇ ତାକୁ ନେଇ ଯାଉଛି ଅନୁଭୂତିମୟ ଏକ ନୂତନ ପୃଥିବୀ ଭିତରକୁ ।

Image

 

ବର୍ଣ୍ଣବୋଧ ପାଠ

 

ସକାଳର ନିତ୍ୟକର୍ମ ସାରି ଘରେ ପହଞ୍ଚିଲା କ୍ଷଣି ମୋହନବାବୁ ଝିଅ ଅର୍ଚ୍ଚନା ଠାରୁ ଏଇ କଥା ଶୁଣିଲେ—ବାପା, ଡାହାଣ କାନର ଇଅରରିଙ୍ଗଟା କେଉଁଆଡ଼େ ହଜିଗଲା ।

 

ହଜିଗଲା ! ମୋହନବାବୁ ଅର୍ଚ୍ଚନାର ଦୁଃଖରେ ଜଡ଼ସଡ଼ ମୁହକୁ ଚାହିଁଲେ କିଛିକ୍ଷଣ ଯାଏ-। ଜିନିଷଟାତ ଖାଲି ହଜିଗଲା ନାହିଁ; ପରନ୍ତୁ ଏହା ସହିତ ଲାଗି ରହିଥିବା ମମତା ଓ ଆନ୍ତରିକତାର ବିଶ୍ୱସ୍ତ ଚିତ୍ରଟି ଛାଡ଼ିଦେଇଗଲା ଅର୍ଚ୍ଚନାର ବିବ୍ରତ, ଉତ୍ତେଜିତ ମୁହଁ ଉପରେ । ମଣିଷ ନିରୁପାୟ ଓ ଅସହାୟ ହୋଇଗଲେ କେଡ଼େ ସରଳ, ସ୍ନିଗ୍‍ଧ, ନରମ ଜଣାପଡ଼େ, ତାହା ଅର୍ଚ୍ଚନାର ସେତେବେଳର ମୁହଁ ସଠିକ୍ ଭାବେ ପ୍ରକାଶ କରୁଥିଲା ।

 

ଦୋକାନୀର କଥାନୁସାରେ ରିଙ୍ଗ୍ ହଳକ ତିଆରି ହୋଇଥିଲା ଖାଣ୍ଟି ସୁନାରେ । ଏଇ ମାସେ ହେବ ସେ ହଳକ ଦୋକାନରୁ ଅଣାଯାଇଥିଲା । ସେତେବେଳକୁ ଅପରାହ୍ନ ହୋଇଯାଇଥିଲା । ଅର୍ଚ୍ଚନା ସେ ହଳକ କାନରେ ଲଗାଇ ମୁଣ୍ଡ କୁଣ୍ଡେଇଲା । ମୁହଁ ଧୋଇ ସ୍ନୋ-ପାଉଡ଼ର ଲଗାଇଲା । ପାଦରେ ଅଳତା ନାଇଲା । ପିନ୍ଧିଲା ସବୁଠାରୁ ଆକର୍ଷଣୀୟ ଶାଢ଼ି ଓ ବ୍ଲାଉଜ୍-। ସେ ବାହାରିଲା ସାଇବୁଲି । ତାଙ୍କ ଘରଟା ଗାଁଠାରୁ ଟିକିଏ ଦୂରରେ—ଗୋଠଖଣ୍ଡିଆ ଭଳି ଏକୁଟିଆ, ନିର୍ଜନ ଆଉ ଉଦାସ । କାହିଁକି ସେ କାହାରି ବାରଣ ମାନନ୍ତା । ପାହାଡ଼ ଛାତି ଉପରେ ଡେଇଁ ଡେଇଁ ବେହେଲ ହୋଇ ଝରି ଆସୁଥିବା ପ୍ରଗଳଭ ଜଳସ୍ରୋତ ଭଳି ସେ ଯାଇଥିଲା ଗାଁ ଭିତରକୁ, ଚକ୍ ଚକ୍ କରୁଥିବା, ଶେଷ ସୂର୍ଯ୍ୟର ଦେହରରଙ୍ଗ ଭଳି ଦିଶୁଥିବା ରିଙ୍ଗ୍ ହଳକ ସାଙ୍ଗମାନଙ୍କୁ ଦେଖାଇବା ପାଇଁ ।

 

ରିଙ୍ଗ୍ ଦେଖାଇବା ଅଭିଯାନ କିନ୍ତୁ ସେଇଦିନ ସରି ନଥିଲା । ଗାଁର ଅନ୍ୟ ମୁଣ୍ଡରେ ତାଙ୍କ ଘର ଭଳି ବିଚ୍ଛିନ୍ନ ହୋଇ ରହିଥିବା ଯୋଗେନ୍ଦ୍ରବାବୁଙ୍କ ଘରକୁ ସେ ଯାଇପାରି ନଥିଲା ସେ’ଦିନ ସଂଧ୍ୟାରେ । ଅନ୍ଧାର ହୋଇ ଯାଇଥିଲା । ଏଇ ସକାଶେ ତା ପରଦିନ ସକାଳୁ ସ୍ୱେଟର ବୁଣା ଶିଖିବା ବାହାନାରେ ସେ ସେଠାକୁ ବାହାରିଲା । ଗୀତାନାନୀ କେତେ ପ୍ରକାରର ବୁଣା ନ ଶିଖିଛି ! ଖାଲି କ’ଣ ସେତିକି ? ସତରଞ୍ଜି ଉପରେ ବସି ସିତାରଟିକୁ କାନ୍ଧ ଉପରେ ପକାଇ ସେ ଯେତେବେଳେ ତା’ର ଆଙ୍ଗୁଳିଗୁଡ଼ିକୁ ଯନ୍ତ୍ରଟିର ତାର ଉପରେ ବୁଲାଇ ଆଣେ, ସେତେବେଳେ ସମସ୍ତ ପରିବେଶଟା ମେଘଢ଼ଙ୍କା ଆକାଶ ଭଳି ଅଶ୍ରୁଳ; ଶ୍ମଶାନର ନିଆଁଭଳି ନିଷ୍କରୁଣ ହୋଇପଡ଼େ । ସେ ମୂର୍ଚ୍ଛନାରେ କ’ଣ ଥାଏ କେଜାଣି, ଅର୍ଚ୍ଚନା କେତେଥର ବିହ୍ୱଳିତ ହୋଇଯାଇଛି, ଭୟଭୀତ ହୋଇ ପଡ଼ିଛି କିଛି ଗୋଟାଏ ସଂଜ୍ଞାହୀନ ଅବଶ୍ୟମ୍ଭାବୀ ଆଶଙ୍କାର ଇଙ୍ଗିତ ଦେଖି । ଗୀତା ସହରରେ ରହିଥିଲା, ଏ ଯାଏଁ । ତା’ର ରୁଚି ପରିଚ୍ଛନ୍ନ ଓ ପ୍ରଗତିଶୀଳ । ଗାଁର ଅନ୍ୟ ସାଙ୍ଗମାନେ ରିଙ୍ଗହଳକୁ ଯେତେ ତାରିଫ କଲେବି ଗୀତା ମୁହଁରୁ ସେଥିପାଇଁ ଦି’ପଦ ଅନୁକୂଳ ମନ୍ତବ୍ୟ ଶୁଣି ନ ଥିଲେ କଥାଟା ଭାରି ଅସମ୍ପୂର୍ଣ୍ଣ ଜଣାପଡ଼ିଥାନ୍ତା ।

 

ରିଙ୍ଗ୍ ହଳକ ଭିତରେ କିଛି ନୂତନତା ନଥିଲା, ବୈଚିତ୍ର୍ୟ କଥା ଦୂରେ ଥାଉ । ତେବେ ଅର୍ଚ୍ଚନା ପାଇଁ ସେ ଥିଳା ନୂତନ ଅଭିଜ୍ଞତା । ଆରିସିରେ ସେ ମୁହଁ ଦେଖିଲାବେଳେ ଭାବୁଥିଲା, ସତେ ଯେମିତି ବିଧାତା ତା’ ମୁହଁରେ ଯେଉଁ ବିଶେଷତ୍ୱ ଟିକକ ବୋଳି ଦେଇଛି (କାରଣ ପ୍ରତ୍ୟେକ ମଣିଷ ମୁହଁରେ କିଛିଟା ବିଶେଷତ୍ୱ, ଅତୁଳନୀୟତା ରହିଛି) ତାହା ଏ ଯାବତ୍ ଅବହେଳିତ ହୋଇ ରହିଥିଲା, ବିନ୍ଧାଣୀ ନିର୍ମିତ ଏଇ ଗହଣାକୁ ତା’ ମୁହଁ ଅପେକ୍ଷା କରି ରହିଥିଲା, ପରିପୂର୍ଣ୍ଣତା ସକାଶେ-

 

ଗାଁର ସବୁ ସାଙ୍ଗମାନଙ୍କଠାରୁ ଏତେ ପ୍ରଶଂସା ପାଇଥିବା ସେ ରିଙ୍ଗ୍ ହଳକରୁ ଗୋଟିଏ କେଉଁଆଡ଼େ ହଜିଗଲା । ଅର୍ଚ୍ଚନାର ମୁହଁ ଏମିତି କରୁଣ ହୋଇ ପଡ଼ିଥିଲା ଯେ, ମୋହନବାବୁ ତାର ଅସାବଧାନତା ଓ ଦାୟିତ୍ୱହୀନତା ପାଇଁ ତାକୁ ଗାଳିଦେଇ ପାରିଲେ ନାହିଁ, ବରଂ, ଅର୍ଚ୍ଚନାର ସେଥିପ୍ରତି ଥିବା ଆବେଗ ଓ ଆଦର କଥା ମନେ ପକେଇଲେ । ତାହା ହରାଇଥିବା ଜନିତ ବେଦନାର ଗଭୀରତା ମାପୁଥିଲେ ।

 

ପଟେ ରିଙ୍ଗ୍ ! କେଉଁଆଡ଼େ ତାହା ହଜିଯାଇଛି । ଖୋଜିବାକୁ ହେବ । ମୋହନବାବୁ ଜମାସ୍ଥିର କରିପାରିଲେ ନାହିଁ କ’ଣ ସେ କରିବେ । କେଉଁଠି ତାହାକୁ ଖୋଜିବେ ? ତାଙ୍କ ଆଖି ଆଗରେ ଗୋଟାଏ ମାନଚିତ୍ର ସୃଷ୍ଟି ହୋଇଗଲା ଅର୍ଚ୍ଚନା ଯେଉଁସ୍ଥାନ ଗତକାଲି ବୁଲିଥିବ, ତାହାର ମାନଚିତ୍ର ତା ତୁଳନାରେ ପଟେ ଇୟରରିଙ୍ଗ୍‍ର ଆକାର ଏମିତି ନିଃସହାୟଭାବେ କ୍ଷୁଦ୍ର ଯେ, ସେ ପ୍ରଥମେ ଟିକିଏ ବିଚଳିତ ହୋଇ ପଡ଼ିଲେ । ଅବଶ୍ୟ ସମଗ୍ର ପୃଥିବୀର ଆକାର ତୁଳନାରେ ବର୍ତ୍ତମାନ ତାଙ୍କର ନିର୍ଦ୍ଧାରିତ ମାନଚିତ୍ରଟି ଭାରି ଛୋଟ । ତଥାପି କାହିଁକି କେଜାଣି ନିଜ ଇଚ୍ଛା ବିରୁଦ୍ଧରେ ପ୍ରଥମେ ସେଇ ମାନଚିତ୍ର, ତାପରେ ପୃଥିବୀ ପୃଷ୍ଠ ଓ ତା’ପରେ ସମଗ୍ର ବିଶ୍ୱର ବ୍ୟାପକତା ନିଜ ଆଖି ଆଗକୁ ଆଣି ନିଜକୁ ଉତ୍ସାହିତ କଲେ—ତେବେ ଆରମ୍ଭ ହେଉ ଖୋଜିବାର ଅଭିଯାନ ! କ’ଣ ନା, ପଟେ ରିଙ୍ଗ୍ । ହଜିଛି ବିଶ୍ୱ ଭିତରେ ।

 

ତାଙ୍କ ନୀରବତା ହୁଏତ ଅସ୍ଥିର ଓ ବିରକ୍ତ କଲା ଅର୍ଚ୍ଚନାକୁ । ସେ ସିଧା ଉତ୍ତରଟିଏ ଦାବୀ କରି ବସିଲା—ତା’ରଙ୍ଗ୍ ଖୋଜିବାରେ ବାପା ତାକୁ ସାହାଯ୍ୟ କରିବେ କି ନା, ପରେ ପରେ ତାହା ଖୋଜିବା ସଂକ୍ରାନ୍ତରେ ନିଜର ବ୍ୟକ୍ତିଗତ ଚେଷ୍ଟାରେ ଏକ ସବିସ୍ତୃତ ବିବରଣୀ ଦେଲା । ସେ ତନ୍ନ ତନ୍ନ କରି ଦେଖିଛି ନିଜର ବିଛଣା, ପ୍ରତ୍ୟେକ କୋଠରୀର ଠଣା, ଚଟାଣ । ସକାଳେ ଘର ଓଳାଇସାରି ଯେଉଁ ଜାଗାରେ ଅଳିଆତକ ଫୋପାଡ଼ି ଦେଇଥିଲା, ତାହା ବି ଖୋଜା ଯାଇଛି ।

 

ଅର୍ଚ୍ଚନାର ବିବରଣୀ ସଙ୍କୁଚିତ କରି ଦେଉଥିଲା ମୋହନବାବୁ ମନ ଭିତରେ ସୃଷ୍ଟି କରିଥିବା ମାନଚିତ୍ରଟିକୁ । ତା କଥା ଶେଷହେବା କ୍ଷଣି ସେ ପଚାରିଲେ—ତୁ ଆଉ କେଉଁଆଡ଼େ ଯାଇଥିଲୁ ମନେପକା । କେତେବେଳେ ରିଙ୍ଗଟିକୁ ହଜେଇଲୁ ବୋଲି ଭାବୁଛୁ ?

 

ରିଙ୍ଗଟି ଠିକ୍ କେତେବେଳେ କାନଛଡ଼ା ହୋଇଗଲା, ତାହା ସେ କହି ପାରନ୍ତା କିପରି ? ଗୋଟିଏ ଜିନିଷ ଯଦି ହଜେ, ତାହା ଏମିତି ଅଜାଣତରେ, ଆକସ୍ମିତ, ରହସ୍ୟ ଜନକ ଭାବରେ ହଜିଯାଏ ଯେ ତାହାର ସମ୍ଭାବୀ ଅବସ୍ଥିତି କଳନା କରିବା ସମ୍ଭବ ହୁଏ ନାହିଁ । ଖାଲି ଅନୁମାନ କରି–କାଳେ ଏଇଠି ଥିବ, କେଜାଣି ଅମୁକ ନେଇ ଯାଇଥିବ ପରା ବୋଲି—ଅଣ୍ଡାଳିବା କଥା । ଏକଥା ସତ ଯେ ମଣିଷର ବ୍ୟାବହାରିକ ପୃଥିବୀର ଆକାର ଭାରି ସୀମିତ । ତା ସତ୍ତ୍ୱେ, ଜିନିଷଟିଏ ହଜିଗଲେ କେଡ଼େ ଅସହାୟ ଲାଗେ, ଆଖି ଆଗରେ କେଡ଼େବଡ଼ ପୃଥିବୀଟାଏ ଲମ୍ୱିଯାଏ । ଅହରହ ଜିନିଷ ହଜୁଥିବା ଏ ସ୍ଥାନରେ, ଖୋଜିବାର ବିରାମ ବା କାହିଁ ? ହେଲେ ସମସ୍ତେ ନିଜ ନିଜର ଜିନିଷ ତ ପାଆନ୍ତି ନାହିଁ ! ଅର୍ଚ୍ଚନାର ରିଙ୍ଗ୍ ମିଳିଯିବ ବୋଲି କିଏ ବା ନିର୍ଭର ଜବାବ୍ ଦେଇ ପାରିବ, ମୋହନବାବୁଙ୍କର ଆନ୍ତରିକ ଖୋଜିବା ସତ୍ତ୍ୱେ ?

 

ଲୁହ ଛଳ ଛଳ ଆଖିରେ ଅର୍ଚ୍ଚନା କହିଲା—‘କେତେବେଳେ ହଜିଲା କହିବି କିମିତି ? ଆଉ ଦୁଇଟା ସ୍ଥାନ ଖୋଜା ଯାଇନାହିଁ । ସେଇଠି ଖୋଜିଲେ ମିଳିଯିବ କି କ’ଣ ।’ ‘କେଉଁଠି ?’ ମୋହନବାବୁ ସତେଯେମିତି ଭରସା ପାଇଗଲେ ।

 

—‘ସକାଳେ କୂଅରୁ ପାଣି କାଢ଼ୁଥିଲି । କାଳ ତା ଭିତରେ ପଡ଼ିଯାଇଥିବ । ସେ ରିଙ୍ଗର ହୁକଟା ହୁଗୁଳା ହୋଇଯାଉଛି ବୋଲି କେତେଦିନୁ କହି ଆସୁଛି ହଉ ଦେଖିବା, ଦେଖିବା ବୋଲି କହି ତୁମେ ଏ ଯାଏଁ କିଛି ବି କଲନି ।’ ଅର୍ଚ୍ଚନା ଏଥର ଲୁଗାକାନିରେ ମୁହଁ ଘୋଡ଼ାଇ କାନ୍ଦି ପକାଇଲା ।

 

ସାଢ଼େ ପାଞ୍ଚଫୁଟ ଗୋଲେଇ, ପ୍ରାୟ ପଚିଶଫୁଟ ଗହିରର ପଥର ବନ୍ଧା କୂଅ । ବୈଶାଖମାସ ଯୋଗୁଁ ଏବେ ୩-୪ ଫୁଟ୍ ପାଣି ଅଛି । ପୁଣି କେତେ ବହଳର ପଙ୍କ ଥିବ, କେଜାଣି-? ପ୍ରାୟ କୋଡ଼ିଏ ବର୍ଷ ହେଲା, ଗାଁରୁ ଉଠିଆସି ନିଜର ଡିହରେ ଘର ତିଆରି କରିବା ସଙ୍ଗେ ସଙ୍ଗେ ଏଇ କୂଅଟିକୁ ଖୋଳେଇଥିଲେ । ଦୁଇ ତିନି ବର୍ଷରେ ଥରେ କୂଅ ଭିତରର ପଙ୍କ ସଫା କରିବା ଦରକାର ହୁଏ । ସେ ନିଜେ କୂଅ ଭିତରକୁ କେବେ ଯାଇନାହାନ୍ତି । କ’ଣ ତେବେ କରାଯିବ-? ମୋହନ ବାବୁ ଟିକିଏ ହତାଶ ହୋଇ ପଡ଼ୁଥିଲେ ।

 

—ଆଉ, କେଉଁ ଜାଗା କଥା କହୁଥିଲୁ ? ସେ ପଚାରିଲେ ।

 

—‘କାଲି ସଞ୍ଜବେଳେ ଗୀତାନାନୀ ପାଖକୁ ଯାଇଥିଲି । କାଳେ ସେଇଠି ରହିଯାଇଥିବ-।’ ଅର୍ଚ୍ଚନା ଆଖିରୁ ଲୁହ ପୋଛୁ ପୋଛୁ କହିଲା ।

 

ଆକସ୍ମିକ ଭାବରେ ଚମକି ପଡ଼ିଲେ ମୋହନ ବାବୁ । ତାଙ୍କ ମୁହଁରୁ ସମସ୍ତ ରକ୍ତ ହଠାତ୍ ଯେମିତି ଶୁଖିଗଲା । ତାଙ୍କ ଭିତରେ ସୃଷ୍ଟିହେଲା ଏକ ବିସ୍ଫୋରଣ ! ଏହା ତାଙ୍କୁ ଜୋର୍ କରି ଘୋସାରି ଆଣିଲା ସେ ଭୁଲିଯାଇଥିବା ଏକ ଘଟଣା ଭିତରକୁ । ସେ ଘଟଣାର ଅପ୍ରୀତିକର ପରିଣାମ ଯେ ଆଜି ଯେକୌଣସି ମୁହୂର୍ତ୍ତରେ ଆତ୍ମ-ପ୍ରକାଶ କରିପାରେ, ତାହା ତାଙ୍କର ମନେ ନଥିଲା, ରିଙ୍ଗ୍ ହଜିବା କଥା ଶୁଣି । ସେ ଏଭଳି ବିଚଳିତ ଓ ତତ୍ପର ହୋଇ ପଡ଼ିଲେ ଯେ, କୂଅ ଭିତରର ସମସ୍ତ ଅନ୍ଧକାର ତାଙ୍କର ଏକାନ୍ତ ଭାବେ କାମ୍ୟ ହୋଇ ପଡ଼ିଲା, ତା’ ଭିତରର କାଦୁଅ ଓ ପଙ୍କ ତାଙ୍କ ପାଇଁ ସର୍ବଶ୍ରେଷ୍ଠ ସ୍ଥାନ ବୋଲି ପ୍ରତୀୟମାନ ହେଲା । ବିଚ୍ଛା ଲାଗିଲା ଭଳି ସେ କ୍ଷଣକ ମଧ୍ୟରେ ସେଠାରୁ ଯାଇ କୂଅ ଭିତରେ ପ୍ରବେଶ କରିବାର ଆୟୋଜନ କଲେ ।

 

ଅର୍ଚ୍ଚନାର ଯୁକ୍ତି ଶୁଣିବାପାଇଁ ସେ ସେଠାରେ ନଥିଲେ । ସେ ପ୍ରସ୍ତାବ ବାଢ଼ୁଥିଲା ଯେ, ପ୍ରଥମେ ଗୀତାନାନୀ ଘରକୁ ଯାଇ ରିଙ୍ଗ୍ ସମ୍ପର୍କରେ ଅନୁସନ୍ଧାନ କରିବା ଭଲ ହେବ । ସେଠାରେ ଯଦି ତାହା ନମିଳେ, ତାହାହେଲେ କୂଅ ଭିତର ଖୋଜାଯିବ ।

 

ମାତ୍ର ସେ ବାରି ପାଖକୁ ଆସିଲାବେଳେ ଦୁଇଟି ଲମ୍ୱା ବାଉଁଶ କୂଅ ଭିତରେ ପକାଇ, ମୋହନବାବୁ ଭିତରକୁ ଯିବାର ବ୍ୟବସ୍ଥା କରୁଥିଲେ । ଚାରିଆଡ଼କୁ ଚାହିଁ ଗୁପ୍ତକଥା ଶୁଣେଇଲା ଭଳି ସେ କହିଲେ—‘ମୁଁ କୂଅ ଭିତରେ ଅଛି ବୋଲି କାହାରିକୁ କହିବୁ ନାହିଁ, ଜାଣିଲୁ ?’

 

—‘କାହିଁକି ?’ ଅର୍ଚ୍ଚନା ବାପାଙ୍କର ଏ ପ୍ରକାର ଆଚରଣ ବୁଝିପାରୁନଥିଲା ।

 

—‘କି ଗଧ ଝିଅଟାଏ ! ସୁନା ଜିନିଷ ଏଠାରେ ପଡ଼ିଛି ବୋଲି ଜାଣିଲେ, ଅନ୍ୟ ଲୋକ ନେଇଯିବେ ନାହିଁ !’

 

ଏମିତି ଅଜବ କଥା ଶୁଣି ହସି ପକାଉଥିଲା ଅର୍ଚ୍ଚନା; କିନ୍ତୁ ସେ କହି ଚାଲିଥିଲେ–‘ତଳେ ପହଞ୍ଚିବା ମାତ୍ରେ ତୁ ଏ ବାଉଁଶ ଦୁଇଟା କାଢ଼ି ନେବୁ ! ରିଙ୍ଗ୍ ମିଳିଗଲେ ମୁଁ ଡାକିବି ।’

 

ଅନ୍ୟ କୌଣସି କଥାକୁ ଅପେକ୍ଷା ନକରି ମୋହନ ବାବୁ କୂଅ ଭିତରକୁ ଓହ୍ଲାଇବାକୁ ଚେଷ୍ଟା କଲେ । ତାଙ୍କର ଦେହ ହାତ ଏମିତି କମ୍ପୁଥିଲା ଯେ ସେ ଭୟ କରୁଥିଲେ ହୁଏତ ସେ ଖସି ପଡ଼ିବେ ତଳକୁ ।

 

ତାଙ୍କ ନିର୍ଦ୍ଦେଶ ଅନୁସାରେ, ଅର୍ଚ୍ଚନା ବାଉଁଶ ଦୁଇଟା କାଢ଼ିନେଲା । ସେ ଠିଆ ହୋଇ ଲକ୍ଷ୍ୟ କରୁଥିଲା ବାପାଙ୍କୁ । ପ୍ରାୟ ଅଣ୍ଟେ ବହଳର ପାଣି, ପଙ୍କ ଉପରେ ଠିଆ ହୋଇ ସେ ଗୋଟିଏ ନୂଆ ମଣିଷ ଭଳି ଦିଶୁଛନ୍ତି । ମୂଲିଆମାନଙ୍କୁ କାମ କରିବା ପାଇଁ ନିର୍ଦ୍ଦେଶ ଦେବା, ଚାଳିଶା ଚଷମା ଲଗେଇ ଲଣ୍ଠନ ପାଖରେ ବସି ବାସୀ ଖବରକାଗଜ ପଢ଼ିବା, ତାକୁ ଛାଇନିଦ ହେଲାବେଳକୁ ତା ଦେହରୁ ମାଛି ହୁରଡ଼େଇବା ସମୟରେ ସେ ଯେମିତି ଦେଖାଯାନ୍ତି, ତା’ ସହିତ ବର୍ତ୍ତମାନ ଦେଖୁଥିବା ବାପାଙ୍କ ଭିତରେ ସତେ ଯେମିତି ମୋଟେ ସାମଞ୍ଜସ୍ୟ ନାହିଁ । ପଚିଶଫୁଟ ତଳେ ଠିଆହୋଇ, ପାଞ୍ଚଫୁଟର ଗୋଲେଇ ଭିତରେ ପଟେ ଗୋଲ ରିଙ୍ଗ୍ ଖୋଜିବା ପାଇଁ ଠିଆ ହୋଇଥିବା ଏ ମଣିଷଟି ଖାଲି ତ ଦୟନୀୟ ଦେଖାଯାଉନାହିଁ; ପରନ୍ତୁ ପୁନରାୟ ସଂସାରକୁ ଫେରି ଆସିବା ପାଇଁ ଅବଲମ୍ୱନ ହରାଇ ଗୋଟାଏ ପତିତ ଆତ୍ମା, ଦରଜୀର ସିଲେଇ ମେସିନ ତଳେ ପଡ଼ିଥିବା ଟୁକୁରାଏ ଛିନ୍ନ କନା ଭଳି ଜଣାପଡ଼ୁଛି ।

 

ବାପାଙ୍କ ସମ୍ୱନ୍ଧରେ ଅର୍ଚ୍ଚନା ଏମିତି ଆଗରୁ କେବେ ଭାବିନଥିଲା । ଆଖପାଖର ଏତେ ଲୋକ ସରପଞ୍ଚ ବୋଲି ଯାହାଙ୍କୁ ସମ୍ମାନ କରନ୍ତି, ଯାହାଙ୍କୁ ଦେଖିଲେ ବଜ୍ରର ଧମକ, ରାତିର ଅନ୍ଧକାର, ନିଜପ୍ରତି ଯେକୌଣସି ଆଶଙ୍କାକୁ ବେପରୁଆ ଭାବରେ ଆଡ଼େଇ ଦେଇ ପାରୁନଥିଲା, ସେ ବର୍ତ୍ତମାନ କେଡ଼େ ଛୋଟିଆଟିଏ ଦେଖା ଯାଉଛନ୍ତି, ସତେ ! ଭାବିଲା, ରିଙ୍ଗଟା ନମିଳୁ ପଛେ, ବାପାଙ୍କୁ ସେ ଅନୁରୋଧ କରିବ କୂଅ ଭିତରୁ ଉଠି ଆସିବା ପାଇଁ ।

 

ଏଇ କଥା କହିବା ପାଇଁ ଯାଉଥିଲା; କିନ୍ତୁ କୂଅ ଭିତରୁ ଗମ୍ଭୀର ସ୍ୱରରେ ନିର୍ଦ୍ଦେଶ ଆସିଲା—‘ପଳା, ପଳା ଏଠୁ । ରିଙ୍ଗ୍ ମିଳିଲେ ଡାକିବି ।’

 

ମୋହନ ବାବୁଙ୍କ ଆଖିଆଗରୁ ଛୋଟିଆ ମୁହଁଟି ଅଦୃଶ୍ୟ ହୋଇଗଲା । ତାଙ୍କର ବହୁ ଉପରେ ବର୍ତ୍ତମାନ କେବଳ ମୁଠାଏ ଆକାଶ ଆଉ ଚାରିପାଖରେ ପାଣି ଓ ତାଙ୍କର ଆବିସ୍ମରଣୀୟ, ବାସ୍ତବ ନରକ ଖୋଜୁଥିବା ଚିଜଟି ପାଇସାରିଲେ ସେ ଉଠିଯିବେ ଉପରକୁ । ଅବଶ୍ୟ ଦେହ ଓ ଲୁଗାକୁ ସାବୁନରେ ସଫା କରିବାକୁ ପଡ଼ିବ ।

 

ଅଣ୍ଟା ବଙ୍କେଇ ସେ ଦୁଇହାତ ପାଣି ଭିତରକୁ ନେଲେ । କୂଅର ତରଙ୍ଗହୀନ ପାଣି ଓ ପଙ୍କର ନିଦ ବ୍ୟାହତ ହେବାର ଲକ୍ଷ୍ୟକଲେ ସେ; କାହିଁକି ନା ତାଙ୍କ ଚାରିପଟେ ଅସଂଖ୍ୟ ବୁଦବୁଦ୍ ଓ ବଜବଜ୍ ସ୍ୱର । ଏଇଟା କ’ଣ ? କୌଣସିମତେ ସେ ଉଠାଇ ଆଣିଲେ ସେଇଟାକୁ । କଳାରଙ୍ଗ ଧାରଣ କରିଥିବା ବାଲଟିଟାଏ–ପଙ୍କରେ ବୋଳି ହୋଇଥିବା ଦଉଡ଼ି ଖଣ୍ଡେ ଲାଗିଛି । ଅକାରଣଟାରେ ସେ ମନେ ପକେଇବାକୁ ଲାଗିଲେ, କେବେ ଏ ବାଲଟି ଏଠାରେ ପଡ଼ିଲା; କାହିଁକି ବା ଏତେଦିନ ପଡ଼ିରହିଲା ଏଠାରେ । ପରେ ପରେ ସେ ଆବିଷ୍କାର କଲେ ଯେ, କୂଅ ଭିତରେ ଛୋଟ ପଥର, ଇଟା ଇତ୍ୟାଦି ପଡ଼ିରହିଛି । ସାନପିଲାମାନେ ଏସବୁ ଭିତରକୁ ପକାନ୍ତି ଓ ପାଣି ଯେଉଁ ପ୍ରତିପାଦର ସ୍ୱର ସୃଷ୍ଟିକରେ ତାହାକୁ ଉପଭୋଗ କରନ୍ତି । ଦାନ୍ତ ରଗଡ଼ି ସେ ମନକୁ ମନ କହିଲେ—ଏଥର କୌଣସି ଛୁଆକୁ ଏହା ଭିତରେ ଇଟା ପଥର ପକେଇବାର ଦେଖିଲେ, ତାହାକୁ ମୁଁ ନିଜେ ଏହା ଭିତରକୁ ପକାଇ ଦେବି ।’

 

ମୋହନବାବୁ ଏଥର ଠିଆ ହେଲେ । ଶୁଖିଲା ଶିଉଳିର ବକଳ, ଠାଏ ଠାଏ ଚୂନ ଖସି ଯାଇଥିବାରୁ ଦେଖା ଯାଉଥବା ପଥର ଆଡ଼େ ଚାହିଁ, ସେ ଦୀର୍ଘଶ୍ୱାସ ତ୍ୟାଗ କଲେ । ନା, ଆଉ ସମ୍ଭବ ନୁହେଁ । ଯଦିବା ରିଙ୍ଗଟା ଏହା ଭିତରେ ପଡ଼ିଥାଏ, ତାକୁ ପାଇବାର କୌଣସି ଉପାୟ ତାଙ୍କୁ ଦେଖାଗଲା ନାହିଁ । ପାଞ୍ଚଫୁଟ ଗୋଲେଇର ବକଟେ ବୋଲି ସ୍ଥାନ । ଏହା ଭିତରେ ହଜିଯିବ ମମତା ଲାଗିଥିବା ରିଙ୍ଗ୍ ପଟେ ! ସେ ଜମା ଭାବି ନ ଥିଲେ ଯେ, କୂଅ ଭିତରଟା ବି ପୃଥିବୀ ଭଳି ଏଡ଼େ ବ୍ୟାପକ ଜଣା ପଡ଼ିବ ତାଙ୍କୁ ।

 

ସେ ଠିଆ ହୋଇ ରହିଲେ ହତବାକ୍ ହୋଇ । ଏଥର ସେ ଭୟାନକ ଭାବେ କ୍ରୁଧ ହୋଇ ପଡ଼ିଲେ ଅର୍ଚ୍ଚନା ଉପରେ । କେଡ଼େ ଦାୟିତ୍ୱହୀନ, ଅସାବଧାନ ଝିଅଟାଏ । କାନରେ ଝୁଲୁଥିବା ରିଙ୍ଗ୍ ପଟେ କେଉଁଆଡ଼େ ହଜିଗଲା, ସେ ଜାଣି ପାରିଲା ନାହିଁ ! ଏମିତି ଖାମଖିଆଲି, ବେଢ଼ଙ୍ଗପଣିଆ ପାଇଁ କେତେ ବଡ଼ ମୂଲ୍ୟ ଦେବାକୁ ପଡ଼େ ସେକଥା ସେ ଆଉ ଜାଣିବ କେବେ ? ମଣିଷ ତ ନିଜ ଦରବର ଯତ୍ନ ନେଇ ପାରୁନି; ଆଉ ଏ ପୃଥିବୀ, ଛୁଆମାନେ ଟେକା ମାରୁଥିବା ବାୟା ଚଢ଼େଇର ବସା, ରହି ରହି କରୁଣ ସ୍ୱରରେ କାନ୍ଦୁଥିବା ପଡ଼ୋଶୀର ଭବିଷ୍ୟତ କଣ ହେବ ?

 

କ’ଣ ହେବ ? ପ୍ରଶ୍ନଟା ସତେ ଯେମିତି ତାଙ୍କ ମନର ପରିସୀମା ଡେଇଁ କୂଅ କାନ୍ଥରେ ପ୍ରତିଧ୍ୱନିତ ହେଲା । ପରେ ପରେ ସେ ବୋଧ କଲେ କୂଅ ଭିତରେ ଗୋଟାଏ ଭୟଙ୍କର, ନୃଶଂସ ସ୍ୱର ତୀବ୍ର ହେବା ତାଙ୍କର ବିଚାରବୋଧ ଓ ନୈତିକତା ବୋଧକୁ କ୍ଳୀବ କରି ଦେଉଛି । ସେ ସ୍ଥିର ହୋଇ ମନ ଭିତରେ ସେହି ସ୍ୱରର ସତ୍ତାକୁ ଯେତିକି ଦୃଢ଼ ଭାବରେ ଅସ୍ୱୀକାର କରିବାକୁ ଚେଷ୍ଟାକଲେ, ସେ ସ୍ୱର ସେତିକି ନିରବିଚ୍ଛିନ୍ନ ଓ ହିଂସ୍ର ହୋଇ ପଡ଼ୁଥିଲା, ହଠାତ୍ ତାଙ୍କର ମୁହଁ କଠିନ ହୋଇ ପଡ଼ିଲା । ନିଜର ଭୀରୁତାକୁ ଘୋଡ଼ାଇବା ପାଇଁ ସେ ପାଟିକରି ଉଠିଲେ—‘ଏ ସ୍ୱର ଏକବାରେ ମିଛ; କୂଅର ଏ ନିର୍ଜନତା ବେଶ୍ ନିରାପଦ ଓ ସତ୍ୟ ।’

 

—‘ଆଉ ଏଇ କଥାଟା ବି ସତ ?’

 

—‘କେଉଁ କଥା ?’ ମୋହନ ବାବୁ ପଚାରିଲେ; କାରଣ ସେ ଅନୁଭବ କଲେ ଯେ, ତାଙ୍କ ଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରି କେହି ଜଣେ ଉପରୋକ୍ତ ପ୍ରଶ୍ନଟି ପଚାରିଲା ।

 

ୟାପରେ କୂଅ ଭିତରର ସେ ସ୍ୱର କେଉଁଆଡ଼େ କେଜାଣି ହଜିଗଲା, ତାଙ୍କ ସାମନାରେ ଉଭାହେଲା ଗୀତାର ଅଶ୍ରୁଳ ମୁହଁ, ଅବିନ୍ୟସ୍ତ କେଶ ଏବଂ ପିନ୍ଦିଥିବା ଶାଢ଼ିକୁ ଗୋଟାଏ ଦୁର୍ଦ୍ଦାନ୍ତ, ବଳିଷ୍ଠ ହାତ ମୁଠାରୁ ଛଡ଼େଇ ଆଣିବାର ବ୍ୟାକୁଳ ଚେଷ୍ଟା । ମୋହନ ବାବୁଙ୍କ କାନରେ କିଏ ଯେପରି ବିଦ୍ରୂପ କରି କହିଗଲା—ମଣିଷ ତ ନିଜ ଦରବର ଯତ୍ନ ନେଇପାରୁନି ଆଉ ରହି ରହି କରୁଣ ସ୍ୱରରେ କାନ୍ଦୁଥିବା ପଡ଼ୋଶୀର ଭବିଷ୍ୟତ କ’ଣ ହେବ ?

 

ରିଟାୟାର୍ଡ଼ କରିବା ପରେ ବସୁଥିବା ଅଫିସ—ଚେୟାର ସହିତ ଆଉ ସମ୍ପର୍କ କଣ ? ମୁଣ୍ଡ ଖେଳେଇବା ଆଉ ଦରକାର କ’ଣ ଦୁଆତ ଭିତର କାଳି, ହାକିମଙ୍କ ନାକଟେକା ସମ୍ୱନ୍ଧରେ ? ଯୋଗେନ୍ଦ୍ର ବାବୁଙ୍କ କିରାଣି ଚାକିରି ସରିଗଲା, ଏଣିକି ସେ ସିଗ୍ରେଟର ଅବଶିଷ୍ଟାଂଶ ମାତ୍ର । କେତେବା ଜିନିଷ ? ବାଲ୍ୟକାଳ କଟେଇଥିବା ଗାଁକୁ ସେ ଫେରିଲେ ବାର୍ଦ୍ଧକ୍ୟ କଟାଇବା ପାଇଁ । ଦୁଇ ପୁଅ ଅନ୍ୟ ସ୍ଥାନରେ ଚାକିରି କରନ୍ତି । ଅଭାଗୀ ଗୀତାକୁ ଧରି ସେ ଫେରି ଆସିଲେ କ୍ଳାନ୍ତ, ନିର୍ଲିପ୍ତ ଦେହକୁ ନେଇ ।

 

ଗୀତାକୁ ଦେଖିଲେ ମନରେ ଆପଣାଛାଏଁ ପ୍ରଶ୍ନଟାଏ ମୁଣ୍ଡଟେକେ—କେଉଁ ଠାକୁର ଏଡ଼େ ବଡ଼ ଅଭିଶାପଟାଏ ଥୋଇଦେଲା ୟା ମୁଣ୍ଡ ଉପରେ ? ଆହା, କେଡ଼େ ନିରିମାଖି, କେଡ଼େ ନିର୍ମଳ, ସୁନ୍ଦର ଦେଖା ଯାଉଛି ଏ ଝିଅଟି ? ଏହାକୁ ବିଧବା କରି ନ ଥିଲେ ସଂସାରରେ କ’ଣ ବା କ୍ଷତି ହୋଇଥାଆନ୍ତା ?

 

ସବୁବେଳେ ଧଳାଶାଢ଼ି, ସବୁବେଳେ ପ୍ରଶାନ୍ତି ଭାବ । ନିଜର ପୋଡ଼ା କପାଳ ପ୍ରତି ତା’ଠି ସତେ ଯେମିତି ମୋଟେ କ୍ରୋଧ ନାହିଁ, ପ୍ରତିବାଦ ନାହିଁ । ତାକୁ ଦେଖିଲେ ଜଣାଯିବ, ଜଗତରେ ଜୀବନର ସ୍ରୋତକୁ ସେ ଅନୁଶୀଳନ କରୁଛି ଆବେଗମୁକ୍ତ, ଉତ୍ତେଜନାହୀନ ଏକ ସହନଶୀଳତା ଆଲୋକରେ । ଭବିଷ୍ୟତ ପାଇଁ ସେ ବିଶ୍ୱାସ ସଂଗ୍ରହ କରୁଛି, ସମୟର ତୀକ୍ଷ୍ଣ ନିର୍ଣ୍ଣୟ କରୁଛି । ଯେତେବେଳେ ସେ ବିଶ୍ୱାସର ଧାରା ଅଡ଼ୁଆ; ଗଣ୍ଡଗୋଳିଆ ହୋଇଯାଏ, ସେ ବସେ ସତରଞ୍ଜି ଉପରେ । ସିତାରର ସ୍ୱର ଭିତରୁ ସେ ଆହରଣ କରେ ଗୋଟାଏ ଉଦ୍ଦେଶ୍ୟ, ଗୋଟାଏ ପ୍ରତିଜ୍ଞା । ପୁଣି ସମୟ ଧ୍ୱଂସାତ୍ମକ ଓ ଭୀଷଣ ଜଣା ପଡ଼ିଲେ ସେ ଉଲ୍ ସୂତାକୁ ସ୍ୱେଟରରେ ପରିଣତ କରେ ।

 

କିନ୍ତୁ ଗାଁରେ ଏସବୁ କଥା କିଏ ବା ବୁଝିବ ? ଯିଏ ଯାହା ଭାବୁ ପଛକେ; ଏ କଥା ସତ ଯେ ଅଧିକାଂଶ ମଣିଷଙ୍କ ଆଖିରେ ଜୀବନର ଅର୍ଥ ହେଲା ବଞ୍ଚି ରହିବା । ସେଇଥିପାଇଁ ଗୋଟାଏ ପ୍ରବୃତ୍ତିର ଉଦଗିରଣ ଯେଉଁ ଦାବୀ କରେ, ତାହାକୁ ଏଇଠି ଓ ବର୍ତ୍ତମାନ ପାଇବାକୁ କେଡ଼େ ଅସ୍ଥିର ନୁହନ୍ତି ସେମାନେ ! ଏ ଦୃଷ୍ଟିରୁ ଗୀତାର ଗୋରା, ସୁନ୍ଦର ଦେହଟା ସେଠାରେ କେତେକଙ୍କ ପାଇଁ ଏକ ଲୋଭନୀୟ ବାସ୍ତବତା ହୋଇ ପଡ଼ିଲା ବୋଲି ଆଶ୍ଚର୍ଯ୍ୟ ହେବାରେ କ’ଣ ବା ଅଛି ?

 

ଗତ ରାତିର କଥା । ସେତେବେଳକୁ ଦଶଟା ବାଜିଲାଣି । ମୋହନବାବୁ ପାଞ୍ଚ ମାଇଲ ଦୂର ବ୍ଲକ ଅଫିସରୁ ଫେରୁଥାନ୍ତି ଏକୁଟିଆ ! ଜିଲ୍ଲାପାଳ ମିଟିଂ ଡକେଇ ଥିଲେ । ଯୋଗେନ୍ଦ୍ର ବାବୁଙ୍କ ଘର ପାଖରେ ପହଞ୍ଚିବା କ୍ଷଣି, ତାଙ୍କୁ ଜଣା ପଡ଼ିଲା, କେଉଁଠି ଯେପରି କିଛି ଅଘଟଣ ଘଟୁଛି । ରାସ୍ତା କଡ଼କୁ ହତାବାଡ଼ । ସେଇଠୁ ପନ୍ଦର ମିଟର ଦୂରରେ ଘର । ଭିତରୁ ବ୍ୟାକୁଳ ସ୍ୱରରେ ଗୀତା କାହାକୁ କିଛି କହୁଛି, ଭାରି ଅନୁନୟ ହୋଇ । ମୋହନ ବାବୁ ସାଇକେଲରୁ ଓହ୍ଲାଇ ପଡ଼ିଲେ । ଅଳ୍ପ କେତୋଟି ମୁହୂର୍ତ୍ତ ପାଇଁ ସବୁ ନୀରବ, ଶୁନଶାନ୍ ଜଣା ପଡ଼ିଲା । ତାପରେ ଗୀତାର ବାଷ୍ଫାକୁଳ କଣ୍ଠର ଚିତ୍କାର—ବାହାର ଏ ଘରୁ ! Get out you failth beast ?’

 

ମୋହନ ବାବୁ କ୍ଷିପ୍ର ଗତିରେ ଘର ବାରଣ୍ଡାରେ ଠିଆ ହୋଇ ବନ୍ଦଥିବା କବାଟରେ କରାଘାତ କଲେ । ଟର୍ଚ୍ଚ ପକେଇ ଚାରିଆଡ଼େ ଦୃଷ୍ଟି ବୁଲେଇଲେ । ଆଉ କିଛି ଶବ୍ଦ ନାହିଁ ଗୋଟିଏ ପରିତ୍ୟକ୍ତ ଘରେ ଯେମିତି କିଛି ଭୌତିକ କାଣ୍ଡ ଘଟି ଯାଇଛି । ସେ ରୀତିମତ ଚଞ୍ଚଳ ଓ ଉଦବିଘ୍ନ ହୋଇ ପଡ଼ିଲେ । କ’ଣ କରିବେ ବୋଲି ଭାବୁଥିଲେ । ସେତିକିବେଳେ ସେହି କୋଠରୀର ଅନ୍ୟ ପାର୍ଶ୍ୱରେ ଥିବା ଦରଜା ଖୋଲିଲା । ସେ ଘରର ପଛ ପଟକୁ ଚାଲି ଆସିଲେ । ତାଙ୍କ ଆଗରେ ଘନୀଭୂତ କଳାରଙ୍ଗର ପିଣ୍ଡୁଳାଟାଏ ଧାଇଁ ଯାଉଛି । ସେ ଟର୍ଚ୍ଚ ପକେଇ ଦେଖିଲା ବେଳକୁ ସେ ମଣିଷଟି ପଛପଟ ବାଡ଼ ଡେଇଁ ସାରିଥିଲା ।

 

ସେ ନିର୍ଦ୍ଦିଷ୍ଟ କୋଠରୀ ଭିତରକୁ ପଶିଲେ । ସଂପୂର୍ଣ୍ଣ ରୂପେ ଛିଣ୍ଡି ଯାଇଥିବା ବ୍ଲାଉଜଟିକୁ ଦେହରୁ କାଢ଼ି ଗୀତା ନିଜକୁ ଆବୃତ ରଖିବାକୁ ଚେଷ୍ଟା କରୁଥିଲା, ଶାଢ଼ି ସାହାଯ୍ୟରେ । ମୋହନ ବାବୁ ଲଣ୍ଠନ ତେଜିଲେ । ଗୀତା ମୋହନ ବାବୁଙ୍କୁ ଦେଖି ହସିବାକୁ ଚେଷ୍ଟା କରୁଥିଲା, ମାତ୍ର ପରକ୍ଷଣରେ ତା’ର ମୁହଁ ବିକୃତ ହୋଇଗଲା ଏବଂ ସେ ଦୁଇ ହାତରେ ମୁହଁ ଘୋଡ଼ାଇ ସର୍ବହରା, ନିଃସହାୟ ଭଳି କାନ୍ଦି ଉଠିଲା । ମୋହନ ବାବୁ ତଳେ ପଡ଼ିଥିବା ଧର୍ଷିତ ବ୍ଲାଉଜ ଓ ଲୋଚାକୋଚା ବିଛଣା ଆଡ଼େ ଚାହିଁ, ମୁହଁ ବୁଲେଇ ନେଲେ । ତା’ପରର ମୁହୂର୍ତ୍ତ ନୀରବ, ଅପ୍ରୀତିକର ଅଥଚ ଆଶ୍ୱାସନାମୟ !

 

ଅନେକ ସମୟ ପରେ ଗୀତାର କଣ୍ଠସ୍ୱର ଶୁଭିଲା—ଦାଦା ତୁମେ ଆଉ ଗୋଟିଏ ମିନିଟ୍ ଡେରି କରିଥିଲେ ମୋର କ’ଣ ହୋଇଥାନ୍ତା ?

 

ୟାପରେ ପୁଣି ସେହି ବୁକୁଫଟା କୋହ ।

 

ସେ ଶାନ୍ତ ହେଲାପରେ ମୋହନବାବୁ ପଚାରିଲେ—‘ଭାଇ ନାହାନ୍ତି ?’

 

‘ନା’ ଗୀତା ଉତ୍ତର ଦେଲା । ‘ସଞ୍ଜବେଳେ ବଡ଼ ଭାଇଙ୍କର ଟେଲିଗ୍ରାମ୍ ପାଇ ସେ ଯାଇଛନ୍ତି ।’

 

ପୁଣି ନୀରବତା । ମୋହନବାବୁ ମନ୍ତବ୍ୟ ବାଢ଼ିଲେ—ତୋତେ ଏକୁଟିଆ ଛାଡ଼ି...କିଛି ହେଲେ ତ ବ୍ୟବସ୍ଥା କରିବା ଉଚିତ ଥିଲା । ନହେଲେ ତୁ ବି ମୋତେ କହି ପାରିଥାନ୍ତୁ ।’

 

ଦୀର୍ଘଶ୍ୱାସ ତ୍ୟାଗକରି ଗୀତା କହିଲା—‘ମଣିଷର ମୁହଁରୁ ତା ଭିତରର କଥା ଜଣାପଡ଼େ ବୋଲି କିଏ କହିଥିଲା କେଜାଣି ? କେଡ଼େ ନିର୍ବୋଧ ମିଛ କଥାଟାଏ । ଏଇ ମଣିଷଟା ତ ଭାରି ବିଶ୍ୱାସୀ ବୋଲି ବାପାଙ୍କର ଆଉ ମୋର ଭରସା ଥିଲା । ଯେଉଁଦିନ ରାତିରେ ବାପା କୌଣସି କାମ ଯୋଗୁଁ ଏଠାରେ ରହନ୍ତି ନାହିଁ, ଏଇ ମଣିଷଟି ଏ ଘର ଜଗେ । ଆଉ ଆଜି...ଛାଡ଼ । ମଣିଷ କେତେବେଳେ କି ଭଳି ଆଚରଣ ଦେଖାଇବ, ସେ କଥା ଜାଣିବାର ଉପାୟ ନାହିଁ ।’

 

‘କେଉଁ ମଣିଷ କଥା ତୁ କହୁଛୁ ?’ ମୋହନବାବୁ କିଛି ବୁଝି ନପାରି ପଚାରିଲେ ।

 

ଗୀତା ଅଳ୍ପହସି ଚାହିଁଲା ତାଙ୍କଆଡ଼େ । ତା’ପରେ ଆଙ୍ଗୁଳି ବଢ଼େଇ ତାଙ୍କର ଦୃଷ୍ଟି ଆକର୍ଷଣ କଲା ଖୋଲାଥିବା ଦରଜାପ୍ରତି । ହଠାତ୍ ସେ ଗମ୍ଭୀର ହୋଇଗଲା । ତଳେ ପଡ଼ିଥିବା ଛିଣ୍ଡା ବ୍ଲାଉଜଟିକୁ ଉଠାଇ ସେ ଗଲା ବିଛଣା ପାଖକୁ । ଫଟୋ ଫ୍ରେମ ଓ କାଚରୁ ଧୂଳି ଝାଡ଼ିଲା ଭଳି ସେ ସହଜ ଭାବରେ ବିଛଣାଟିକୁ ସଜାଡ଼ିବାରେ ଲାଗିଲା ।

 

ମୋହନବାବୁ ସେଇମିତି ଠିଆ ହୋଇ ଲକ୍ଷ୍ୟ କରୁଥିଲେ ଏସବୁ । ଲଣ୍ଠନ ଆଲୁଅରେ ଗୀତା ଖୁବ୍ ଉଜ୍ଜଳ ଓ ମର୍ଯ୍ୟାଦାମନ୍ତ ଦେଖା ଯାଉଥିଲା । ୟା ସତ୍ତ୍ୱେ କିଛିକ୍ଷଣ ଆଗରୁ ଘଟି ଯାଇଥିବା ଘଟଣାଟି ସୂଚେଇ ଦେଉଥିଲା ଯେ ଗୀତା ପାଖରେ ଯେଉଁ ବିପୁଳ ବିଭବ ରହିଛି, ତାହାକୁ ପ୍ରତିରକ୍ଷା କରିବା ପାଇଁ ତାର ଆଦୌ ସମ୍ୱଳ ନାହିଁ । ବର୍ତ୍ତମାନ ତାର ବ୍ଲାଉଜ ବିହୀନ ଦେହ, ଅବିନ୍ୟପ୍ତ କେଶ, ବିଛଣା ସଜାଡ଼ିବାର ଭଙ୍ଗୀ, ମୋହନବାବୁଙ୍କ ମନ ଭିତରେ ସହସା ଉତ୍ତେଜନାର କଂପନ ସୃଷ୍ଟି କରିଦେଲା । ତାଙ୍କର ତଣ୍ଟି ଶୁଖିଗଲା । ଛାତି ଦପଦପ୍ ହେଲା ।

 

ସାରା ଗାଁ ସେତେବେଳକୁ ନିସ୍ତବଧ । ମୋହନ ବାବୁ ବ୍ୟସ୍ତ ହୋଇ ପଡ଼ିଲେ । ଗୀତା ଆଡ଼କୁ ଦୁଇ ପାହୁଣ୍ଡ ଆଗେଇ ସେ ମୁକୁଳା ଥିବା ଦରଜା ଆଡ଼େ ଚାହିଁଲେ ।

 

—‘ତାହେଲେ କ’ଣ କରିବା ?’ ମୋହନବାବୁ ନିଜ ସ୍ୱରକୁ ଚିହ୍ନିପାରିଲେ ନାହିଁ ।

 

—‘କଣ ?’ ଗୀତା ଆଶ୍ଚର୍ଯ୍ୟ ହୋଇ ଭ୍ରୂକୁଞ୍ଚନ କଲା । ସେ ହୁଏତ ମୋହନ ବାବୁଙ୍କ ପ୍ରଶ୍ନର ସ୍ପଷ୍ଟିକରଣ ଚାହୁଁଥିଲା ।

 

—‘ତୁ ଏକୁଟିଆ ଏଠି ରହିବୁ କିପରି ?’ ଛେପଢ଼ୋକି ସେ ପଚାରିଲେ ।

 

—‘ଓ, ଏଇକଥା ?’ ଗୀତା ସ୍ୱରରେ ଆତ୍ମ-ପ୍ରତ୍ୟୟ । ‘ତମେ ବ୍ୟସ୍ତ ହୁଅ ନାହିଁ । ମୋର କିଛି କ୍ଷତି ହେବ ନାହିଁ । ମଣିଷର ଉପସ୍ଥିତି ଠାରୁ ଏ ନିର୍ଜନତା ବୋଧ ଆହୁରି ନିରାପଦ ।’

 

ୟା ପରେ ଆଉ କ’ଣ ସବୁ ଘଟିଲା ମୋହନ ବାବୁଙ୍କର ଭଲକରି ମନେନାହିଁ । ତାଙ୍କର ହୋସ୍ ଆସିଲା ବେଳକୁ ସେ ଦେଖିଲେ, ଗୋଟାଏ ଘାତକ ଭଳି ସେ ଦୃଢ଼ ଭାବରେ ଟାଣି ଧରିଛନ୍ତି ଗୀତାର ଶାଢ଼ି ପଣତ । ତା’ର ଆଖି ଅଶ୍ରୁଳ, କେଶ ଅବିନ୍ୟସ୍ତ । ତାଙ୍କ ହାତରୁ ଶାଢ଼ିଟିକୁ ଛଡ଼େଇବା ବେଳେ ଘୃଣାର ସହିତ ସେ କହୁଥିଲା—‘ଆଜି ତା’ହେଲେ ସମସ୍ତେ ପଶୁ ପାଲଟି ଯାଉଛନ୍ତି । ରୁହ, ସକାଳ ହେଉ । ତୁମ ମୁଖାକୁ କାଢ଼ିଦେବି ସମସ୍ତଙ୍କର ଆଗରେ । ଛାଡ଼ ମୋ ଶାଢ଼ି ଛାଡ଼ିଦିଅ କହୁଛି-।’

 

ତାଙ୍କ ଶିଥିଳ ହାତରୁ ଶାଢ଼ିଟି ଖସିଗଲା । ସେ ସମ୍ମୋହିତ ହୋଇ ଚାହିଁଲେ ଗୀତା ମୁହଁକୁ । ପରେ ସେଠାରୁ ବାହାରିଆସି ମିଶିଗଲେ ଅନ୍ଧାର ଭିତରେ ।

 

ପୁଣି ସେଇ ଭୟଙ୍କର, ହିଂସ୍ର ସ୍ୱର । ମୋହନ ବାବୁଙ୍କୁ ଜଣାପଡ଼ିଲା ସତେ ଯେମିତି କୂଅର କାନ୍ଥ ଭୁଷୁଡ଼ି ପଡ଼ିବ ସେ ସ୍ୱରର ଶକ୍ତିରେ । କାହାର ଏ ସ୍ୱର ? ନିର୍ଜନତାର, ନା ଅନ୍ଧାରର, ନା ପାପର ?’ କେଜାଣି, ହୁଏତ ପଙ୍କ ଓ ପାଣିର ଏ ନରକ ତାଙ୍କ ଉପସ୍ଥିତିକୁ ସହି ନପାରି ଗର୍ଜି ଉଠୁଛି ।

 

ତେବେ କେଉଁଠି ସେ ହଜିଯିବେ ? କେଉଁଠି ସେ ଲୁଚେଇବେ ନିଜକୁ ? ପଟେ ରିଙ୍ଗ୍ ଏଇଠି ଖସିପଡ଼ିଥିବ ବୋଲି ଭାବିଲା କ୍ଷଣି, ଏ କୂଅ କେଡ଼େ ବିଶାଳ ଜଣାପଡ଼ୁଥିଲା; ଅଥଚ ସେ ଜାଣିଶୁଣି, ଇଚ୍ଛାକୃତ ଭାବରେ ନିଜକୁ ଏଇଠି ଲୁଚେଇଦେବେ ବୋଲି ଭାବିଲା ବେଳକୁ ଏ କୂଅ ଏମିତି ଛୋଟିଆଟିଏ ହୋଇପଡ଼ୁଛି କାହିଁକି ? ସବୁଠୁ ବଡ଼ କଥା ହେଲା, କାହିଁକି ସେ ଠିଆ ହୋଇଛନ୍ତି ଏଠାରେ ଖୋଜିବା ପାଇଁ ନା, ହଜିବା ପାଇଁ ?

 

ମୋହନବାବୁ ଏମିତି ଝଡ଼ସଡ଼ ହୋଇ ପଡ଼ିଲେ ଯେ, କୂଅ କାନ୍ଥ ଉପରେ ଡେରି ହେବାକୁ ବାଧ୍ୟ ହେଲେ ଶେଷରେ ।

 

—‘ବାପା... ।’

 

ସମ୍ୱୋଧନଟା କାହିଁ କେତେ ଦୂରରୁ ଭାସି ଆସିଲା ଭଳି ଜଣାଗଲା । ଏ ଡାକ ତାହାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିଲା ତାଙ୍କର ଜଣାଶୁଣା ପୃଥିବୀ ଭିତରକୁ । ପ୍ରଥମେ ସେ ଅପ୍ରତିଭ, ଭୟହୀନ ହୋଇ ପଡ଼ୁଥିଲେ ବି ସେ ଡାକ ତାଙ୍କର ରକ୍ତାକ୍ତ ଓ ରୁଗଣ ଚେତନାକୁ ପରିଷ୍କାର କରି ସୁସ୍ଥ କରିବାକୁ ଚେଷ୍ଟା କରୁଥିଲା । କ୍ଷଣକ ମଧ୍ୟରେ ସେ ଢେର ଉଶ୍ୱାସ ଅନୁଭବ କଲେ ।

 

—‘ବାପା... ।’

 

ସେ ଉପରକୁ ଚାହିଁଲେ । ଅର୍ଚ୍ଚନାର ମୁହଁ ସକାଳର ମେଘମୁକ୍ତ ପୂର୍ବଦିଗ ଆକାଶଭଳି ଦେଖାଯାଉଥିଲା । ‘ବାପା, ବାହାରି ଆସ । ରିଙ୍ଗଟା ମିଳିଗଲା ।’

 

–‘କ’ଣ କହିଲୁ ?’

 

ଅର୍ଚ୍ଚନା ଆଉ ଜବାବ୍ ଦେଲାନାହିଁ । ଯେଉଁ ବାଉଁଶ ଯୋଗେ ସେ ତଳକୁ ଯାଇଥିଲେ, ତାକୁ ସେ ପୁଣି ଥରେ କୂଅ ଭିତରକୁ ପକାଇଲା ।’

 

ଉପରକୁ ଆସି ମୋହନବାବୁ ଏତେ ଆଶ୍ୱସ୍ତି ବୋଧକଲେ ଯେ, ଗତରାତି ଗୀତା ଯେଉଁ ଚେତାବନୀ ତାଙ୍କୁ ଶୁଣେଇଥିଲା, ତାହା ତାଙ୍କର ମନେପଡ଼ିଲା ନାହିଁ ।

 

—‘ବିଛଣାଟା ପୁଣି ଝାଡ଼ିଲୁ । ରିଙ୍ଗଟା ଖୋଳ ଭିତରକୁ ଯାଇ, ଫାଟିଯାଇଥିବା ତକିଆ ଭିତରେ ପଶିଯାଇଥିଲା—ତୁଳା ଭିତରେ ।’ ଏକରକମ ନାଚି ଆନନ୍ଦରେ କହିଲା ଅର୍ଚ୍ଚନା ।

 

ହଠାତ୍ ଗମ୍ଭୀର ହୋଇଯାଇ ସେ କହିଲା—‘ବାପା !’

 

—‘କ’ଣ ?’

 

‘—କାଲି ରାତିରେ ଗୀତା ନାନୀ ଘରେ ଏମିତି ଘଟଣା ଘଟିଲା । କାହିଁ, ତୁମେ ତ ଆମକୁ ସେ କଥା କହିନ ?’

 

—‘ତୁ ଜାଣିଲୁ କିମିତି ?’ ଆକସ୍ମିକ ଭାବରେ ମୋହନବାବୁ କୂଅ ଭିତରର ସ୍ୱର ଶୁଣିବାକୁ ପାଇଲେ । ଅନୁଭବ କଲେ ପଙ୍କ ଓ ପାଣିର ନରକ ।

 

—‘ସେ ଆସିଥିଲା ଏଠାକୁ । ତାହାରି ଯୋଗୁଁ ରିଙ୍ଗଟା ମିଳିଲା ସିନା ! ସେ ନିଜେ ଖୋଜିଲା ସବୁଆଡ଼େ । ସେ କାନ୍ଦୁଥିଲା କ’ଣ ନା, ରାତିରେ ଦୁଇଜଣ ଚୋର ତା’ଙ୍କ ଘରେ ପଶିଥିଲେ ।’

 

—‘ଦୁଇଜଣ !’

 

—‘ଜଣେ ତାଙ୍କ ଘର ଜଗିବାକୁ ସେଠାରେ ଥିଲା । ପାଟିକରି ତାକୁ ତଡ଼ିଦେଲା ପରେ ଆହୁରି ଜଣେ ଯାଇଥିଲା । ସେ କୁଆଡ଼େ ସେ ଦୁହିଁଙ୍କୁ କ୍ଷମା କରି ଦେଇଛି ।’ ଅର୍ଚ୍ଚନା ଏଥର ମନଖୋଲା ହସ ହସିଲା । ପୁଣି କହିଲା—ଗୀତା ନାନୀ ବଡ଼ ଅଭୁତ । ଆରେ ହଁ, କାଲି ରାତି ତାଙ୍କ ଘରେ ତୁମେ ଚପଲ ହଳକ ଛାଡ଼ି ଆସିଥିଲ । ସେ ଆଣି ଦେଇଛି ।’

 

ମୋହନବାବୁ ହଜେଇଥିବା ଜିନିଷ ପାଇଗଲେ । ସାବୁନ୍‍ଧରି ଗାଧୋଇବାକୁ ଗଲାବେଳେ ସେ ଭାବୁଥିଲେ ୟା’ପରେ ଆଉ କେଉଁ ଜିନିଷ ହଜିବ କେଜାଣି ? ହେଲେ, ଭବିଷ୍ୟତରେ କ’ଣ ହଜିବ, ସେ’ କଥା ଏଇଲାଗେ ଜାଣିବା ସମ୍ଭବ ହେବ କିପରି ?

Image

 

ସେତୁ

 

ଦିନ ଦୁଇଟା ବେଳକୁ ବସ୍ ଛାଡ଼ିଲା । ଆପାତତଃ ଖୋଲା ଗାଡ଼ିର ଝରକା ପାଖରେ ବସି ଉଦାସ ଆଖିରେ ମୁଁ ଚାହିଁଥିଲି ବାହାରର ସବୁଜ ଧାନ କ୍ଷେତ ଆଡ଼େ । ଦିଗ୍‍ବଳୟ ପର୍ଯ୍ୟନ୍ତ ଲମ୍ୱି ଯାଇଥିବା ଏଇ ବ୍ୟାପକ କ୍ଷେତ ଭିତରେ କଳାମଚମଚ ପିଚୁରାସ୍ତା ଉପରେ କେବେ କିମିତି ଧାଉଁଥିବା ଗାଡ଼ି ସତେ ଯେମିତି ନିର୍ଜନତା ଓ ଶୂନ୍ୟତା ଭିତରେ ଗୋଟାଏ ସାମୟିକ ମୃଦୁ କମ୍ପନ ସୃଷ୍ଟି କରିଥିଲା ।

 

ଦୀର୍ଘ ତିନିଦିନ ଧରି ପ୍ରବଳ ବର୍ଷାପରେ ବି ଆକାଶ ପରିଷ୍କାର ନ ଥିଲା । ଆମ ମଫସଲ ଗାଁରେ କାଦୁଅ ଓ ପଚାସଢ଼ା ପରିବେଶ ଆମକୁ ଭାରି ବ୍ୟସ୍ତ କରି ପକାଇଲା । ପୁଣି ଉପର ମୁଣ୍ଡର ବନ୍ଧ ଭାଙ୍ଗିବ ଭାଙ୍ଗିବ ବୋଲି ଆଶଙ୍କା ଓ ଭାଙ୍ଗିଗଲାଣି ବୋଲି ଗୁଜବ ସଭିଙ୍କ ମନରେ ଅସ୍ଥିରତା ଓ ଉଦବିଗ୍ନତା ସୃଷ୍ଟି କରିଥିଲା । ଏଭଳି ଏକ ସମୟରେ ସହରକୁ ଯାଇ ଗାଁ ଆଖଡ଼ା ପାଇଁ ମାଇକ୍ କିଣିବା କଥାଟା ଏକାନ୍ତ ଅସମୀଚୀନ ବୋଲି ପୁରୁଣାକାଳିଆ ଲୋକମାନେ କୁଆଡ଼େ ଭାରି ସମାଲୋଚନା କରିଥିଲେ ।

 

ହେଲେ ଆମ ଆଗରେ ସେମାନେ କିଛି କହନ୍ତି ନାହିଁ । ରାଜତନ୍ତ୍ର ସମୟର କୁହୁଡ଼ି ଘେରା ସ୍ମୃତିକୁ ସେମାନେ ରୋମନ୍ଥନ କରନ୍ତି ଏବଂ ଦେଶଟା ଏବେ ସତ୍ୟାନାଶ ହୋଇଗଲା ବୋଲି ପ୍ରାୟ ଆର୍ତ୍ତ ଚିତ୍କାର କରି ମୁହଁ ବିକୃତ କରନ୍ତି । ସେମାନଙ୍କ ପୋଷାକ ପରିଚ୍ଛଦ ଭାରି ଅଖାଡ଼ୁଆ ଓ ହାସ୍ୟୋଦ୍ଦୀପକ । ସେମାନେ କେବେ ସିନେମା ଦେଖିନାହାନ୍ତି । ସ୍କୁଲ-କଲେଜରେ ପଢ଼ିଲା ବେଳକୁ ଅତ୍ୟଧିକ ମୂଲ୍ୟଦେଇ କିଣାଯାଉଥିବା ଓ ଅନ୍ୟମାନଙ୍କ ଅଲକ୍ଷ୍ୟରେ ପ୍ରବଳ ଉତ୍ତେଜନାର ସହିତ ଆମେ ପଢ଼ିଥିବା ଚଟିବହିର ସ୍ୱାଦ ଏମାନେ କେବେ ଅନୁଭବ କରି ନାହାନ୍ତି ।

 

ଏଭଳି ଦଳେ ଲୋକଙ୍କ କଥାକୁ ଆମେ ବା କାହିଁକି ଭୃକ୍ଷେପ କରନ୍ତୁ ? ସେମାନଙ୍କ ଓ ଆମ ଭିତରେ ମତବାଦ ଓ ଦୃଷ୍ଟିକୋଣର ପାର୍ଥକ୍ୟ ଯଥେଷ୍ଟ ଥିଲା । ଆମେ ସେମାନଙ୍କ ମୁରବୀପଣିଆ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କଲୁ । ଏହା ପ୍ରକାଶ ପାଇଲା, ଦିନେ ସନ୍ଧ୍ୟାରେ, ଭାଗବତ ଟୁଙ୍ଗିରେ ।

 

ମୁଁ ସଦ୍ୟ ଫେରୁଥାଏ ବ୍ଲକ ଅଫିସରୁ । ଦେଖିଲି ଟୁଙ୍ଗି ବାହାରେ ଗୁଡ଼ାଏ ଛୁଆ ରୁଣ୍ଡ ହୋଇଛନ୍ତି ଏବଂ ପ୍ରଥମେ ଭୋଗ ପାଇବାକୁ ପ୍ରତିଯୋଗିତା କରୁଛନ୍ତି । ମୋତେ କେହି ଜଣେ ଭୋଗ ପାଇବାକୁ ଡାକିଲା । ଥକ୍‍କା ଲାଗୁଛି, ଭୋଗ ଦରକାର ନାହଁ ବୋଲି କହି ମୁଁ ଚାଲିଯାଉଥିଲି । ମାତ୍ର ବାରମ୍ୱାର ଡାକିବା ଫଳରେ ମୁଁ ଗଲି । ଚପଲ ହଳକ ପଦାରେ ନରଖି ଭିତରକୁ ପଶିଯାଉଥିବା ଯୋଗୁଁ ଏକାଧିକ ଲୋକ ମୋତେ ଗାଳି ଦେଲେ । ଭୁଲ ହୋଇଛି, ଜାଣିଶୁଣି ଏଭଳି କରିନାହିଁ ବୋଲି କହିବା ସତ୍ତ୍ୱେ ସେମାନଙ୍କର କ୍ରୋଧ କମିବାର ଜଣାଗଲା ନାହିଁ-

 

ଏମିତି ସମୟରେ ମୋର ଅଜା ଲେଖା ହେବ ଜଣେ ବୁଢ଼ା କହିଲା—‘ଶଳାର ଦୁଇଟାଯାକ ଗୋଡ଼ ଯଦି ଭଲ ଥାଆନ୍ତା, ତା’ହେଲେ ଇଏ ଆଉ ଇନ୍ଦ୍ରଚନ୍ଦ୍ର ମାନନ୍ତା ନାହିଁ । ଏ ଶଳାକୁ ନିଶ୍ଚେ ଏଇମିତି ବ୍ୟବହାର ଦେଖାଇବା ଉଚିତ । ଯୁଗଟା କେଡ଼େ ଖରାପ ହୋଇଗଲା ସତେ !’

 

ସେଇ ଭାଗବତ ଟୁଙ୍ଗିରେ ଗୋଡ଼ରୁ ଚପଲ କାଢ଼ି ସେ ବୁଢ଼ାକୁ ନିସ୍ତୁକ ମାଡ଼ ଦେଲି । ଘଟଣାଟା ଭୟଙ୍କର ଆକାର ଧାରଣ କଲା; କାହିଁକି ନା, ଗାଁରେ ସମସ୍ତ ପିଲାଙ୍କ ଆଖିରେ ମୁଁ ଥିଲି ଆଧୁନିକତାର ପ୍ରତୀକ । ସେମାନେ ମୋତେ ସମର୍ଥନ କରି ବାର୍ଦ୍ଧକ୍ୟ ବିରୁଦ୍ଧରେ ରୀତିମତ ଯୁଦ୍ଧ ଘୋଷଣା କଲେ ।

ମାତ୍ର ମୋର ଆହତମନ ଆଦୌ ଶାନ୍ତ ହେଲାନାହିଁ । ଦୁନିଆଁରେ ଯେଉଁ ଏକମାତ୍ର ମଣିଷକୁ ଭୟକରେ, ସେଇ ସ୍ତ୍ରୀ ଉପରେ ମୁଁ ଆକ୍ରମଣ କଲି । ଘରର ଆସବାବ ଫୋପାଡ଼ିଲି ଓ ଭାଙ୍ଗିଲି । ରାତିରେ ଜମା ନିଦ ହେଲାନାହିଁ । ପ୍ରତିଶୋଧ ନେବାର ନିଶା ଯୋଗୁଁ । ଜୀବନରେ ଦ୍ୱିତୀୟଥର ପାଇଁ ମୁଁ ସେମିତି ଉତ୍ତେଜିତ ହୋଇଥିଲି ।

କିଛିଦିନ ପରେ ମୋ ଚେଷ୍ଟାରେ ଭାଗବତ ଟୁଙ୍ଗି ଭାଙ୍ଗିଗଲା ।

ଖରାପ ପାଗ ଓ ବଢ଼ିର ଭୟ ଯୋଗୁଁ ବାଟରେ ବେଶୀ ଯାତ୍ରୀ ବସ୍ ଉପରକୁ ଉଠୁନଥିଲେ । ଗାଡ଼ି ଆଗଭଳି ଫାଙ୍କା ରହିଥିଲା ଏବଂ ଗତି କରୁଥିଲା । ପକେଟରେ ଯଥେଷ୍ଟ ପାନ ଓ ସିଗାରେଟ୍ ଥିବାରୁ ମୋତେ ତଳକୁ ଓହ୍ଲାଇବାକୁ ପଡ଼ୁ ନଥିଲା ।

ହଁ, ଆମ ଗାଁର ଭାଗବତ ଟୁଙ୍ଗି ଭାଙ୍ଗିଗଲା ମୋ ନେତୃତ୍ୱରେ । ବହୁଦିନରୁ ଟଙ୍ଗା ହୋଇଥିବା ମସିଆ ଫଟୋଗୁଡ଼ାକୁ ଆମେ କାଢ଼ିନେଲୁ । ଚିତ୍ରତାରକା ଓ ଅଧନଅଙ୍ଗୁଳି ନାରୀର ଛବିଥିବା ନୂଆ-ପୁରୁଣା କ୍ୟାଲେଣ୍ଡରରେ ସେ ଘରର କାନ୍ଥ ସଜ୍ଜିତ ହେଲା । ହେଲେ କାହିଁକି କେଜାଣି ଯେଉଁଦିନ ପ୍ରଥମକରି ଆମେ ତା’ ଭିତରେ ତାସ୍ ଖେଳିଲୁ, ମୋତେ ଟିକିଏ ମୂର୍ଚ୍ଛାଳିଆ ଲାଗିଲା । ସେ ଘରେ ତଥାପି ରହିଯାଇଥିବା ଗୋଟାଏ ପ୍ରକାରର ଅଭୁତ ବାସ୍ନା ମୋର ତନ୍ତ୍ରୀ ଗୁଡ଼ାକ ଦୁର୍ବଳ କରି ପକାଉଥିଲା । ମୋର ସମସ୍ତ ଉପଲବଧି ଓ ଆଗ୍ରହ କ୍ରମେ ମୋହଗ୍ରସ୍ତ ହୋଇ ଯାଉଥିଲା । ଏ ପ୍ରକାରର ଅନୁଭୂତି ଅବଶ୍ୟ ବେଶୀଦିନ ରହିଲା ନାହିଁ । ପରେ ଗୋଟାଏ ଅପେରାଦଳ ଗଢ଼ାହେଲା । ମାଇକର ଆବଶ୍ୟକତା ଅନୁଭୂତ ହେଲା । ବର୍ତ୍ତମାନ ଏଇ ବସରେ ଯଥେଷ୍ଟ ଟଙ୍କା ଧରି ମୁଁ ଯାଉଛି ସେଇଥିପାଇଁ ।

ଗାଁର କୌଣସି ଲୋକକୁ ଅନ୍ତତଃ ମୁଁ ଜମା ଭୃକ୍ଷେପ କରେନାହିଁ ବୋଲି ପୁଣି ଥରେ କହି ରଖୁଛି । ଭାଗବତ ଟୁଙ୍ଗିରେ ସେଦିନ ସନ୍ଧ୍ୟାରେ ସେଇ ଚପଲମାଡ଼ ଘଟଣା ପରେ ଅତ୍ୟଧିକ ହିଂସ୍ର ହୋଇପଡ଼ିଛି ବୋଲି ମୁଁ ସ୍ୱୀକାର କରୁଛି; କିନ୍ତୁ ଏଥିପାଇଁ ମୁଁ କ’ଣ ସମ୍ପୂର୍ଣ୍ଣ ଦାୟୀ ? ସେ ବୁଢ଼ା ମୋତେ ଛୋଟବୋଲି କହି ଏତେ ଲୋକଙ୍କ ଆଗରେ ପରିହାସ କରୁଥିଲା କାହିଁକି ? ମଣିଷର ଦୁର୍ବଳତାକୁ ନେଇ ଏମିତି ଥଟ୍ଟା କରାଯାଏ ନାହିଁ । ଖାଲି ଏ ବୁଢ଼ା କାହିଁକି, ଭଗବାନ କିମ୍ୱା କୌଣସି ଦେବାଦେବୀଙ୍କ ପୂଜା କଥା କହିଲେ ମୋ ହାଡ଼ ଜଳେ । ଏସବୁ କରିବାର ଆବଶ୍ୟକତା କ’ଣ, ଯଦି ତୁମ ଅବସ୍ଥାର ଏକ ଅନୁକୁଳ ପରିବର୍ତ୍ତନ ନ ଘଟିଲା ? ଐଶ୍ୱରିକ ଚିନ୍ତାଧାରା ସପକ୍ଷରେ ବଳିଷ୍ଠ ଯୁକ୍ତି କେବେ କେଉଁଠି ଶୁଣିବାର ମୋର ମନେ ନାହିଁ । ପୁଣି ଜୀବନ ସଂରକ୍ଷଣ ପାଇଁ ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ ଚାଲିଛି, ତା’ର ପୃଷ୍ଠଭୂମିରେ ଏଭଳି ଆଳସ୍ୟର ଉପକାରିତା କେଉଁଠି ?

ମୁଁ ଟିକିଏ ଉତ୍ତେଜିତ ହୋଇ ପଡ଼ିଲି । ସିଗାରେଟ୍ ଲଗାଇ ଘଣ୍ଟା ଦେଖିଲି । ସଂଧ୍ୟା ହେବାକୁ ଡେରିଥିଲେ ବି ମେଘୁଆ ପାଗ ଯୋଗୁଁ ଅନ୍ଧାର ମାଡ଼ି ଆସୁଥିଲା ।

ଗୋଟିଏ ରାତିର କଥା । କାଲି ସକାଳ ନ’ଟା ସୁଦ୍ଧା ଘରକୁ ଫେରି ଆସିଥିବି । ଷ୍ଟେସନ ପାଖ ହୋଇ ଆସିଲାଣି । ଟ୍ରେନରେ ଘଣ୍ଟାକର ବାଟ, ସହରରେ ପହଞ୍ଚିବାକୁ । ରାତି ଦଶଟା ସୁଦ୍ଧା କିଣାକିଣି ଶେଷ ହୋଇଯିବ ।

କେବଳ ଗୋଟିଏ ରାତି । ଚାକର ଟୋକା ସାଙ୍ଗକୁ ଆହୁରି ଦୁଇଜଣ ଲୋକ ଘର ଜଗିବେ । ଅଭାବ ଚାରିଆଡ଼େ ଲାଗିଛି ତ; କିଏ ଜାଣେ କେତେବେଳେ ମୋ ଘରେ ଚୋର ନ ପଶିବେ ! ତେବେ କମଳାର କିଛି ଅସୁବିଧା ହେବ ବୋଲି ମନେ କରୁନାହିଁ । ତାକୁ ଡର ମାଡ଼ିବ କି-?

 

ହାଠାତ୍ ମନେ ହେଲା, ଦଳେ ଡକାୟତ ମୋ ଘରେ ପଶିଛନ୍ତି । କମଳାକୁ ବାକସ ଚାବିକାଠି ମାଗୁଛନ୍ତି । ସେ ମନା କଲାରୁ ତା’ ତଣ୍ଟି କାଟି ପକାଉଛନ୍ତି ସେମାନେ ।

 

ମୋ ତୁଣ୍ଡରୁ ଅପ୍ରତ୍ୟାଶିତ ଭାବେ ବାହାରି ପଡ଼ିଲା—‘ମାର ଶାଳୀକି ।’

 

ମୁଁ ସଚେତନ ହୋଇ ପଡ଼ିଲି । ଜଣାଗଲା ସତେ ଯେମିତି ବସରେ ଥିବା ସମସ୍ତ ଯାତ୍ରୀ ବିସ୍ମୟ ବିସ୍ଫାରିତ ଆଖିରେ ଚାହିଁଛନ୍ତି ମୋ ଆଡ଼େ । ମୋର ଭାବନା ଗୁଡ଼ାକ ବିବସ୍ତ୍ର ହୋଇ ସେମାନଙ୍କ ଆଗରେ ପ୍ରକାଶ ପାଇ ଯାଉଛି । ମୁଁ ଚାରିଆଡ଼କୁ ଚାହିଁ ନିର୍ବୋଧଙ୍କ ଭଳି ହସିଲି । ହସ ମାଧ୍ୟମରେ ମୁଁ କହିବାକୁ ଚାହୁଁଥିଲି—ଆପଣ କ’ଣ ଏସବୁ ବିଶ୍ୱାସ କରୁଛନ୍ତି ? ମୁଁ ସେମିତି ଥଟ୍ଟାରେ କହୁଥିଲି ନା... ।

 

କିନ୍ତୁ କମଳାର ଏ କ’ଣ ଅନ୍ୟାୟ ନୁହେଁ ? ମୁଁ ଛୋଟ ହେଲେ ବି ତା’ର ସ୍ୱାମୀ । ଏ କଥା ସେ ପ୍ରାୟ ସବୁବେଳେ ଭୁଲିଯାଏ । ମୋତେ ମୋର ଶାରୀରିକ ବିକଳାଙ୍ଗ ଦିଗ ପ୍ରତି ସଚେତନ କରିଦିଏ । କି ଅଭୁତ ଯନ୍ତ୍ରଣା ସେ ! ମୋର ବିକଳାଙ୍ଗ ଡାହାଣ ଗୋଡ଼ କ’ଣ ମୋର ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ? ୟା ବ୍ୟତୀତ ମୋର ସଂଜ୍ଞା କ’ଣ ଅନ୍ୟଭାବରେ ନିରୂପଣ କରାଯାଇ ପାରେନା ?

 

ଦିନେ ଦିନେ ହାହାକାର ଓ ନିଃସହାୟତାରେ ମୋର ମନ ମନ୍ଥି ହୋଇଯାଏ । ଭାବେ, ଘର ଛାଡ଼ି ପଳାଇ ଯିବିକି ? ନ ହେଲେ, କମଳାକୁ ବିଷ ଦେଇ ମାରି ଦେବି କି ? ପୁଣି ଭାବେ, ହଠାତ୍ ଯଦି ସବୁ ମଣିଷଙ୍କର ଡାହାଣ ଗୋଡ଼ ମୋ ଗୋଡ଼ ଭଳି ସରୁ ହୋଇ ଯାଆନ୍ତା ଏବଂ ସମସ୍ତେ ମୋ ଭଳି ଛୋଟେଇ ଚାଲନ୍ତେ !

 

ବାହାଘର ପରଠାରୁ ନିଜକୁ ସବୁବେଳେ କମଳାର ବ୍ୟବହାରରୁ ପ୍ରତିରକ୍ଷା କରିବାକୁ ହେଉଛି । ଯେକୌଣସି କାମ କଲାବେଳେ କିମ୍ୱା କଥା କହିଲାବେଳେ ମୋତେ ସବୁକଥା ଗଭୀର ଭାବରେ ଭାବିବାକୁ ପଡ଼େ; ଯେପରିକି ଅନ୍ତତଃ ଛୋଟା ବୋଲି କମଳା ମୋତେ ପରିହାସ ନ କରେ । ଏଇ ସତର୍କତାର ବୋଝ ହେତୁ ମୁଁ ଅନେକ ସମୟରେ ଭାରି କ୍ଳାନ୍ତ ଅନୁଭବ କରେ, ନିଷ୍ପେଷିତ ହୋଇ ଯାଉଛି ବୋଲି ଭାବେ । ଅଥଚ ଏହାକୁ ବାଦ ଦେଲେ ଆମ ଦୁହିଁଙ୍କ ସମ୍ପର୍କର କିଛି ହେଲେ ଅବଶିଷ୍ଟ ରହିବ ନାହିଁ ।

 

ମୁଁ ନିଜକୁ ଜାହିର କରିପାରୁନି କାହିଁକି ? କିଛି ନହେଲେ ବି କମଳାକୁ ଘରୁ ନିକାଲି ଦେଇ ପାରନ୍ତି ତ ! ଏକଥା ମୁଁ ବହୁଥର ଭାବିଛି । ରାଗ ସମୟରେ ତାକୁ ପ୍ରକୃତରେ ନିକାଲି ଦେବାକୁ ବାହାରିଛି; ମାତ୍ର ତା’ ପାଖରେ ପହଞ୍ଚିବା କ୍ଷଣି ମୋତେ କ୍ରୋଧ ସମ୍ୱରଣ କରିବାକୁ ହୁଏ । ଭାବେ, ତଡ଼ିଦେବି ସିନା; କିନ୍ତୁ ପରାଜୟଟା ତା’ର ହେବନାହିଁ—ହେବ ମୋର । ଲୋକେ କହିଲେ, ଛୋଟାଟା ପାଖରେ ଏମିତି ସୁନ୍ଦର ଝିଅ କେତେଦିନ ଆଉ ଚଳନ୍ତା ? ତା’ର କ’ଣ ଭଲମନ୍ଦ ବାଛ ବିଚାର ନାହିଁ ? ବାପା-ମା ଏଭଳି ଜାଗାରେ ବାହା ଦେଉଥିଲେ କାହିଁକି କେଜାଣି ?

 

ବିଚିତ୍ର ସମ୍ପର୍କ । ବାହାହୋଇ ମୋତେ ସେ ଅନୁଗୃହୀତ କରିବା ସଙ୍ଗେ ସଙ୍ଗେ ଆମର ପାରସ୍ପରିକ ଘୃଣାର ସ୍ରୋତକୁ ଛୁଟାଇ ପାରିଛି । ଆମେ ଦୁହେଁ ଏହା ପ୍ରତି ଯଥେଷ୍ଟ ସଚେତନ । ତେଣୁ ଆମ ଦୁହିଁଙ୍କର ସାମୟିକ ସ୍ୱାଭାବିକତା ଏକ ବିକୃତ ବ୍ୟାଣ୍ଡେଜ ମାତ୍ର । ତା’ତଳେ ଦଗଧିଭୂତମନ, ମାନସିକ ଦୂରତା ଓ ଅନାଦରର ଯନ୍ତ୍ରଣାମୟ ପଚା ଘା’ ।

 

ଆମ ବାହାଘରର ପରଦିନ କଥା କହୁଛି—‘ତୁମେ ଛୋଟା ବୋଲି ମୁଁ କିନ୍ତୁ ଆଗରୁ ଜାଣି ନଥିଲି ।’ କପାଳ ଓ ସୁନ୍ଥାରେ ସିନ୍ଦୁର ଲଗାଇଲା ବେଳେ ସେ କହିଲା । ଗତ ରାତିରେ ହୋମ ଯୋଗୁଁ ଗୋଟାଏ ଓଜନିଆ ଗନ୍ଧ କୋଠରୀ ଭିତରେ ଘୁମେଇ ପଡ଼ିଥିଲା । କମଳା ଦେହରୁ ବି ଅନୁରୂପ ଗନ୍ଧ ଆସୁଥିଲା ।

 

—‘କ’ଣ କହିଲ ?’ ମୁଁ ପ୍ରାୟ ଚମକି ପଡ଼ିଳି ।

 

—‘ବାହାଘର ଦିନ ସାଙ୍ଗମାନେ ମୋତେ ଚିଡ଼େଇଲେ । ହେଲେ ସେତେବେଳକୁ କିଛି କରିବା ପାଇଁ ଆଉ ଉପାୟ ନ ଥିଲା ।’

 

ଏଇ ପଦେ କଥାରେ ମୋର ସ୍ୱାମୀତ୍ୱ, ମୋର ଆବେଗ, ମୋର ମଣିଷ ପଣିଆ ନାକଚ ହୋଇଗଲା । ଗୋଟାଏ ଯାଦୁକରର ସ୍ପର୍ଶ ଭଳି ଏହା ସୃଷ୍ଟି କରି ପକାଇଲା ଦୂରତ୍ୱ ଆମ ଦୁହିଙ୍କ ମଧ୍ୟରେ । ମୁଁ ଆହତ ଦୃଷ୍ଟିରେ କମଳାଆଡ଼କୁ ଚାହିଁଲି । ତା’ର ବେଦନୁପ୍ଲୁତ ଆଖି, ଲୁହରେ ଛଳ ଛଳ ହେଉଥିଲା ଏବଂ କପାଳ ଓ ସୁନ୍ଥାର ସିନ୍ଦୁର ଝଟକୁଥିଲା । କିଏ ପୋଛିବ ଏ ଆଖିର ଲୁହ ?

 

ସେଇ ଯେ ଦୂରତ୍ୱ ସୃଷ୍ଟି ହେଲା, ତାହା କିପରି ବା ଆମେ ଅତିକ୍ରମ କରିଥାନ୍ତୁ ? କମଳା ତ ତାହା ଚାହିଁ ନ ଥିଲା ।

 

ଘରେ ପଶିଲା ବେଳେ ନିଜକୁ ଅକାରଣଟାରେ ଅପରାଧୀ ବୋଲି ଭାବେ । ସାଂସାରିକ ଜୀବନର ସମସ୍ତ ଗ୍ଳାନି ମୁଁ ବାହାରେ ପ୍ରକାଶ କରେ । ଗାଁ ଲୋକଙ୍କ ପାଖରେ ମୁଁ ଗୋଟାଏ ପିଶାଚ-। ମୋର ବ୍ୟବହାର ଅଧିକାଂଶଙ୍କୁ ଭୟଭୀତ କରେ । ମୁଁ ଚାହେଁ ମୋତେ ସମସ୍ତେ ଘୃଣା କରନ୍ତୁ; ଅଥଚ କିଛି କ୍ଷତି କରି ନ ପାରନ୍ତୁ । ମୁଁ କେବେହେଲେ କାହାରିଠାରୁ ସମ୍ମାନ କିମ୍ୱା ଶ୍ରଦ୍ଧା ଚାହିଁ ନାହିଁ-। ସେମିତି ହୋଇଥିଲେ ତା’ର ଅଧିକାରୀ ହୋଇପାରିଥାନ୍ତି ସମ୍ପଦ ବଳରେ ।

 

ପ୍ରଚଣ୍ଡ ଉତ୍ତେଜନା ହେତୁ ମୋର ସମଗ୍ର ଶରୀର କମ୍ପିଉଠିଲା । ମୁଁ ଘନ ଘନ ନିଶ୍ୱାସ ନେଲି । କପାଳରେ ଝାଳ ଜମିଲା । ସେତେବେଳେକୁ ବସର ଗତି ଯଥେଷ୍ଟ କମିଯାଇ ଥାଏ । ରେଳ ଷ୍ଟେସନ ପାଖ ବଜାର ଆମେ ଅତିକ୍ରମ କରୁଥାଉ । ଘଡ଼ି ଦେଖି ଜାଣିଲି ଟ୍ରେନ ଆସିବା ସମୟ ହୋଇଗଲାଣି ।

 

ସଙ୍ଗରେ ବ୍ୟାଗଟି ଛାଡ଼ି ଦେଲେ ଆଉ କିଛି ନଥିଲା । ବସ୍ ଅଟକିଯିବା କ୍ଷଣି ମୁଁ ତଳକୁ ଓହ୍ଲାଇ ପଡ଼ିଲି । ପୁଣି ସେଇ ଶୂନ୍ୟତାଭାବ । ଚାରିଆଡ଼େ ସେଇ ନିର୍ଜନତା । ଏଭଳି ଏକ କର୍ମମୟ ଷ୍ଟେସନରେ ମଧ୍ୟ । ସ୍ଥାନଟା ଜନଶୂନ୍ୟ ଓ ପରିତ୍ୟକ୍ତ ଜଣାପଡ଼ିଲା । ଜଣାଗଲା, ସତେ ଯେପରି ଖରାପ ପାଗଟା ସମସ୍ତଙ୍କୁ ସ୍ଥାଣୁ କରିଦେଇଛି । ଚାରିଆଡ଼େ ଆଖିବୁଲାଇ ଆଣି ପ୍ଲାଟଫର୍ମ ଆଡ଼େ ଆଗେଇଲି । ଟ୍ରେନ ଆସିଯିବ ।

 

—‘ଆରେ, ଆପଣ ଏମିତି ନ ଖାଇ ଉଠିଗଲେ ଯେ ?’ ମିସ୍‍ ଗୁପ୍ତା କହିଲେ । ଏକା ଅଫିସରେ କାମ କରୁଥିବା ଆହୁରି ତିନିଜଣ ମହିଳା ସହକର୍ମୀ ଥିଲେ ତାଙ୍କ ସଙ୍ଗରେ ।

 

ଅଡ଼ିଟର—ଜେନେରାଲଙ୍କ ଅଫିସ କ୍ୟାଣ୍ଟିନ୍

 

—‘ଧନ୍ୟବାଦ । ପରେ ଆସିବି । ‘ମୁଁ ଉତ୍ତର ଦେଲି । ସେତେବେଳକୁ ଚୌକି ଛାଡ଼ି ମୁଁ ଠିଆ ହୋଇ ସାରିଥିଲି । ଆଉ କିଛି ନ କହି ମୁଁ ଆଗେଇଲି ଦ୍ୱାର ଆଡ଼କୁ ।

 

—‘କ’ଣ ? ଆମେ ଆସିଲୁ ବୋଲି ଚାଲି ଯାଉଛନ୍ତି ବୋଧହୁଏ ?’ ତାଙ୍କର ପ୍ରଶ୍ନ ।

 

କିଛି ଉତ୍ତର ଦେବା ଆବଶ୍ୟକ ମନେ କଲିନାହିଁ । ମାତ୍ର ଦ୍ୱାର ଅତିକ୍ରମ କଲାବେଳକୁ ଶୁଣିଲି ସେମାନଙ୍କର ଉଚ୍ଚ ସ୍ୱରର ହସ । ପୁଣି ଛୋଟା ଗୋଡ଼ ପ୍ରତି ସଚେତନ ହେଲି ।

 

ତିନିବର୍ଷ–ପୂର୍ବର ଚାକିରି ଜୀବନ । ସେ ହସ ଏବେ ବି ପ୍ରତିଧ୍ୱନି ସୃଷ୍ଟିକରେ ମନ ଅଗଣାରେ । ଏଇ ଖୋଲା କମ୍ପାର୍ଟମେଣ୍ଟ ଭିତରେ ମଧ୍ୟ ସେ ପ୍ରତିଧ୍ୱନିର ତରଙ୍ଗ ପହଁରିଗଲା ସୃତିର ଆକାଶରେ । ଟ୍ରେନ୍‍ର ଗତି ବଢ଼ିଛି । ସହଯାତ୍ରୀ ମାତ୍ର ପାଞ୍ଚଜଣ । ବାହାରକୁ ଚାହିଁ ହଜି ଯାଉଥିବା ଆଲୋକର ଶେଷ ମୁହୂର୍ତ୍ତ ଗଣୁଥିଲି । ହଠାତ୍ ଚାକିରି ଜୀବନ କଥା ମନେ ପଡ଼ିଗଲା ।

 

ମାତ୍ର ଛ’ମାସର କିରାଣି ଚାକିରି । ଇସ୍ତଫା ଦେଇ ଫେରି ଆସିଲି ଗାଁକୁ । ଅଥଚ କାହିଁକି ଚାକିରି ଛାଡ଼ିଲି, ତା’ରି ସନ୍ତୋଷ ଜନକ କୈଫିୟତ ନିଜକୁ ଏପର୍ଯ୍ୟନ୍ତ ଦେଇ ପାରିନାହିଁ ।

 

ତେବେ ଏଇ ହେଉଛି ଗୋଟାଏ କାରଣ । —ମୁଁ କାମ କରୁଥିବା ପ୍ରକାଣ୍ଡ ହଲରେ ଆହୁରି ଅନେକଙ୍କ ସହିତ ଥିଲେ ପନ୍ଦରଜଣ ମହିଳା କର୍ମଚାରୀ । ନାରୀ ଜାତିଠାରୁ ସବୁବେଳେ ନିଜକୁ ଲୁଚେଇ ରଖିବାର ଚେଷ୍ଟା ସେଇଠି ବିରାଟ ଦ୍ୱନ୍ଦ୍ୱ ଓ ପରୀକ୍ଷାର ସମ୍ମୁଖୀନ ହେଲା ।

 

ଏ ସଂକ୍ରାନ୍ତରେ କଲେଜ ଜୀବନ ସମ୍ପର୍କରେ ପଦେ କହିରଖେ । ସେତେବେଳେ ମୁଁ ଥିଲି ଆପାତତଃ ଏକୁଟିଆ–ନିଃସଙ୍ଗ । କଲେଜ୍ ବାରଣ୍ଡାରେ ଗଲାବେଳେ ଯଦି ଦେଖେ ଯେ ସାମନାରୁ କେହି ଝିଅ ଆସୁଛନ୍ତି, ମୁଁ ମୋର ବିଚିତ୍ର ଭଙ୍ଗୀରେ ଚାଲିବା ବନ୍ଦ କରି ଠିଆ ହୋଇପଡ଼େ । କ୍ଲାସରେ ଝିଅମାନେ ଆସିବା ପୂର୍ବରୁ ମୁଁ ନିଜସ୍ଥାନ ଅଧିକାର କରି ସାରିଥାଏ । ସେମାନଙ୍କୁ ଦେଖିଲେ ମୁଁ ଭାରି ଦୁର୍ବଳ ଓ ଅସହାୟ ହୋଇପଡ଼େ । ମୋତେ ଜଣାପଡ଼େ, ସମସ୍ତେ ମୋର ଗୋଡ଼କୁ କୌତୁକର ସହିତ ଦେଖୁଛନ୍ତି, ଥଟ୍ଟା କରୁଛନ୍ତି । କିମ୍ୱା ସମବେଦନା ଜଣାଉଛନ୍ତି । କେହି ଏପରି କରିବା କଥା ଭାବିଲେ ମୋ ଦେହ ଘୃଣା ଓ ପ୍ରତିବାଦରେ ଝିମ୍ ଝିମ୍ କରିଉଠେ । ଅଥଚ କଲେଜ ପରିସରରେ କେହି କେବେ ମନରେ ଆଘାତ ଦେଇ ନାହାନ୍ତି ।

 

କଲେଜ ଜୀବନ ପରେ ଝିଅମାନଙ୍କର ସାମନା ସାମନି ହେଲି ଅଫିସରେ । ଯେଉଁଦିନ ଜଏନ୍ କଲି, ସେଦିନ ମୋ ଆଡ଼େ ସଭିଏଁ ବେଶ୍ କୌତୁହଳ ସହିତ ଚାହିଁଥିଲେ ଏବଂ କେତେଜଣ ମୁହଁରେ ରୁମାଲ ଗୁଞ୍ଜି ହସିଥିଲେ । ତା’ପରଦିନଠାରୁ ଅବଶ୍ୟ ଅଫିସରେ ମୁଁ ସର୍ବପ୍ରଥମେ ପହଞ୍ଚେ; ମାତ୍ର ନିଜପ୍ରତି ଘନୀଭୂତ ହେଉଥିବା ନ୍ୟୂନଭାବ ଓ ତୁଚ୍ଛତା ମୋତେ କ୍ରମେ ଅଣନିଶ୍ୱାସୀ କରି ପକାଇଲା । ଅନ୍ୟମାନଙ୍କ ସଙ୍ଗେ ମିଶିବାକୁ ମୋର କୁଣ୍ଠିତ ଭାବ, ମୋତେ ହାସ୍ୟାସ୍ପଦ କରିଦେଲା ଦିନ କେଇଟାରେ । କେତେଜଣ ମୋତେ ଥଟ୍ଟା କରିବା ଆରମ୍ଭ କଲେ, ମୋତେ ଦେଖିଲେ ସେମାନଙ୍କୁ କାଶ ଲାଗେ, ମୋ ଚାଲିବା ଅନୁକରଣ କରିବାରେ କିଏ ପାରଙ୍ଗମ, ସେ ସଂକ୍ରାନ୍ତରେ ପ୍ରତିଯୋଗିତା ହୁଏ ।

 

ଯେଉଁଦିନ କ୍ୟାଣ୍ଟିନରେ ମିସ୍ ଗୁପ୍ତା ଓ ଅନ୍ୟମାନେ ହସିଲେ, ସେ’ଦିନ ପ୍ରଚଣ୍ଡ କ୍ରୋଧରେ ମୁଁ ପ୍ରାୟ ପାଗଳ ହୋଇ ଯାଇଥିଲି । ଭଲ ରକମ କିଛି ଶୁଣାଇବି ବୋଲି ମୁଁ ଅପେକ୍ଷା କରି ରହିଲି କ୍ୟାଣ୍ଟିନ ବାହାରେ ।

 

ପ୍ରାୟ କୋଡ଼ିଏ ମିନିଟର ଅସ୍ଥିର ପ୍ରତୀକ୍ଷା ପରେ ସେମାନେ ବାହାରିଲେ ।

 

‘ମିସ୍ ଗୁପ୍ତା, ଟିକିଏ ଶୁଣିବେ ।’

 

—ମୋଠାରୁ ପ୍ରାୟ ଚାରିଇଞ୍ଚ ଅଧିକ ଡେଙ୍ଗା ମିସ୍ ଗୁପ୍ତା ଠିଆ ହେଲେ ମୋ ସାମନାରେ । ତାଙ୍କ ଓଠରେ ତତାପି ବିଦ୍ରୂପର ହସ ଭଳି ଜଣା ପଡ଼ୁଥିବା ହସରୁ ଖିଏ ଅଟକି ରହିଥିଲା ।

 

—‘କ’ଣ ?

 

—‘ଆପଣମାନେ କାହିଁକି ହସିଲେ କ୍ୟାଣ୍ଟିନରେ, ମୁଁ ଚାଲି ଆସିବା ପରେ ?’ ରାଗରେ ମୋର ସ୍ୱର ଅଭୁତ ଭାବରେ କମ୍ପୁଥିଲା । ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିଲି ।

 

କ୍ଷଣକ ପାଇଁ ତାଙ୍କ ମୁହଁ ଗମ୍ଭୀର ହେଲା । ପୁଣି ସେଇ ଶାଣିତ ହସ ଫୁଟାଇ ସେ ବିସ୍ମୟ ପ୍ରକାଶ କଲେ—‘ଓ, ଆପଣ...କିନ୍ତୁ ଆପଣଙ୍କ ଉଦ୍ଦେଶ୍ୟରେ ତ ଆମେ ହସି ନ ଥିଲୁ !’

 

—‘Shut up’ ମୁଁ ଚିତ୍କାରେ କରି ଉଠିଲି । ମୁଁ ତାଙ୍କ ଉପରେ ରାଗିବା ସତ୍ତ୍ୱେ ସେ ହସୁଥିବା କଥାଟା ମୋତେ ଆହୁରି କ୍ରୁଧ କଲା । ମୁଁ ଚାହୁଁଥିଲି ସେ ମଧ୍ୟ ରାଗନ୍ତୁ ମୋ ଉପରେ । —‘ଆପଣ ଏତେଟା ନୀଚ ଏବଂ ଅଭଦ୍ର ବୋଲି ମୋର ଆଦୌ ଧାରଣା ନଥିଲା ।’

 

ମାତ୍ର ମୋ କଥା ମିସ୍ ଗୁପ୍ତାଙ୍କ ଉପରେ କିଛି ହେଲେ ପ୍ରଭାବ ପକାଇଲା ନାହିଁ । ତାଙ୍କ ହସ ଆହୁରି ପ୍ରସାରିତ ହେଲା । ସେ ତାଙ୍କର ବାନ୍ଧବୀଙ୍କ ଆଡ଼କୁ ଚାହିଁଲେ ଏବଂ ମୋଠାରୁ ଯିବାବେଳେ ପୁଣି ଏକ ହସର ବିସ୍ଫୋରଣ ସୃଷ୍ଟିକଲେ ।

 

ସେଇଠାରୁ ଘର୍ମାକ୍ତ ଶରୀରରେ ବସାକୁ ଫେରିଲି । ଆକସ୍ମିକ ଭାବରେ ମୁଁ ଚିତ୍କାର କରି ଉଠିଲି ଏବଂ ଚଟାଣ ଉପରେ ଛୋଟା ଗୋଡ଼କୁ କଚାଡ଼ିଲି ଖୁବ୍ ଜୋରରେ । ବିଛଣା ଓ ଜିନିଷପତ୍ର ଫୋପାଡ଼ିଲି କୋଠରୀ ଭିତରେ ।

 

ସେଇଦିନ ଚାକିରିରୁ ଇସ୍ତଫା ଦେଲି ।

 

ରାତି ବାରଟାରେ ପୁଣି ଟ୍ରେନ୍ । ଏଥର ବିପରୀତାଭିମୁଖୀ । ସଙ୍ଗରେ ମାଇକର ସମସ୍ତ ସରଞ୍ଜାମ । ଝିପି ଝିପି ବର୍ଷା ଆରମ୍ଭ ହୋଇ ଯାଇଥିଲା ଦୁଇଘଣ୍ଟା ଆଗରୁ । ଶିତୁଆ ପବନ ବି ବହୁଥିଲା । ଯତ୍ନର ସହିତ ସବୁ ଜିନିଷ ସଜାଡ଼ି ଅପେକ୍ଷା କଲି ଗାର୍ଡ଼ର ହୁଇସିଲକୁ ।

 

ଏଥର ମଧ୍ୟ ଡବାଟା ଫାଙ୍କଥିଲା । ତଥାପି ଚାରିଆଡ଼ୁ ସତର୍କ ଦୃଷ୍ଟି ବୁଲାଇ ଆଣିଲି । କିମ୍ୱା ବେଞ୍ଚରେ ବସିବା ଆଗରୁ ଭାବିଲି, ରେକର୍ଡ଼ ପ୍ଲେୟାରଟା ବଜାଇଲେ କିମିତି ହୁଅନ୍ତା ? ବହୁ ବଛାବଛି ପରେ ବିଭିନ୍ନ ହିନ୍ଦି ଫିଲ୍ମ ଗୀତର କେତୋଟି ଚମତ୍କାର ରେକର୍ଡ଼ ଆଣିଛି । କିନ୍ତୁ ସେତେବେଳକୁ ଭାରି କ୍ଳାନ୍ତ ଅନୁଭବ କରୁଥିଲି । ତେଣୁ ରେକର୍ଡ଼ ପ୍ଲେୟାରଟାକୁ ଯଥା ସ୍ଥାନରେ ରଖି ମୁଁ ବସିପଡ଼ିଲି ଲମ୍ୱା ବେଞ୍ଚ ଉପରେ । ତା’ ପରେ ମୋର ଆଉ କିଛି ମନେ ନାହିଁ ।

 

ନିଦ ଭାଙ୍ଗିଲା କ୍ଷଣି ଘଣ୍ଟା ଦେଖିଲି । ରାତି ତିନିଟା । ଅର୍ଥାତ୍ ପ୍ରାୟ ଦୁଇଘଣ୍ଟା ପୂର୍ବରୁ ମୋ ଷ୍ଟେସନ ଅତିକ୍ରାନ୍ତ ହୋଇ ଯାଇଛି । ମୋ ଦେହ ଭିତରେ ତଡ଼ିତ୍ ସୃଷ୍ଟି ହେଲା । ଚଞ୍ଚଳ ମୁଁ ଦରଜା ପାଖକୁ ଉଠିଗଲି । ସେତେବେଳକୁ ଟ୍ରେନ୍ ମନ୍ଥର ଗତିରେ ଆଗେଇ ଯାଉଥିଲା ସମ୍ଭବତଃ ଆଗରେ ଥିବା ଷ୍ଟେସନ ସବୁଜ ଆଲୁଅର ସ୍ୱାଗତକୁ ଗ୍ରହଣ କରି । ଅଥଚ ସେମିତି କିଛି ଆଲୁଅ ଦେଖାଗଲା ନାହିଁ । ମାତ୍ର ଅଳ୍ପ ସମୟ ପରେ ଜାଣିଲି ଆଗରେ ଅନ୍ଧକାର ପ୍ଲାଟଫର୍ମ ।

 

ଟ୍ରେନ୍ ଅଟକିଲା । ଷ୍ଟେସନର ନାମ ଜାଣିବା ଆବଶ୍ୟକ ନଥିଲା ସେତେବେଳେ । କୁଲି ଅଭାବରେ କୌଣସିମତେ ଜିନିଷପତ୍ର ଓହ୍ଲାଇ ଆଣିଲି । ସଙ୍ଗେ ସଙ୍ଗେ ଟ୍ରେନ୍ ମାଡ଼ିଚାଲିଲା ଆଗକୁ-

 

ଅନୁତାପ ଓ କ୍ଷୋଭର ସହିତ ତଥାକଥିତ ଅନ୍ଧାର ପ୍ଲାଟଫର୍ମ ଉପରେ ଆଖିବୁଲାଇ ଆଣିବାକ୍ଷଣି ଭୟ ଓ ଆଶଙ୍କାରେ ମୋର ସମଗ୍ର ଦେହ ଶିହରୀ ଉଠିଲା । ମୁଁ ଏକମାତ୍ର ଯାତ୍ରୀ ଏଠାରେ । ସମ୍ପୂର୍ଣ୍ଣ ଅପରିଚିତ ଓ ଅନାକାଂକ୍ଷିତ । ଦୂରରେ କ୍ରମଶଃ ହଜିଯାଉଥିବା ଟ୍ରେନ୍ ଶବ୍ଦ ସ୍ଥାନର ନିର୍ଜନତାକୁ ଆହୁରି ଭୟାବହ କରି ପକାଉଥିଲା । କଳା କାଚ ଘେରା ଏକମାତ୍ର କିରାସିନି ଲ୍ୟାମ୍ପର ମୁମୁର୍ଷୁ ଆଲୋକ ଦରମଲା ହୋଇ ପଡ଼ିଥିଲା ଚକଡ଼ାଏ ସ୍ଥାନରେ ।

 

ପ୍ରାୟ ପନ୍ଦର ଫୁଟ ଲମ୍ୱର ୟାସବେଷ୍ଟସ ଛାଉଣି ତଳେ ଥିବା ଏକମାତ୍ର ସିମେଣ୍ଟ ବେଞ୍ଚରେ କେହି ଜଣେ ଶୋଇ ଯାଇଛି ନିଶ୍ଚିନ୍ତ ହୋଇ ।

 

ତା’ ପଛକୁ ଥିବା କ୍ଷୁଦ୍ର ଅଫିସ ଘରେ ରେଲଓ୍ୱେର ବିଶ୍ୱସ୍ତ କର୍ମଚାରୀ ଜଣକ ହାଇ ମାରୁଥିବା ସଙ୍ଗେ ସଙ୍ଗେ କିଛି ଲେଖିବାରେ ବ୍ୟସ୍ତ ଅଛନ୍ତି ।

 

କ୍ଳାନ୍ତି ଓ ନିଦ୍ରା ଉଭେଇ ଯାଇଥିଲା ସେତେବେଳକୁ । ଫେରନ୍ତା ଟ୍ରେନ୍ ପାଇଁ ଅପେକ୍ଷା କରିବା ବ୍ୟତୀତ ଆଉ କିଛି ଉପାୟ ନଥିଲା । ସେ ଟ୍ରେନ୍ ପୁଣି କେତେବେଳେ ? ସାମନାରେ ଥୁଆ ହୋଇଥିବା ମାଇକ୍ ସରଞ୍ଜାମ ଆଡ଼େ ଆଖି ବୁଲାଇ ଆଣିଲି । କ୍ଷଣକ ଭିତରେ ଏଗୁଡ଼ାକ ପ୍ରତି ଘୃଣାରେ ମୁଁ ଅତିଷ୍ଠ ହୋଇ ପଡ଼ିଲି । ଏଗୁଡ଼ାକ ଅଦରକାରୀ ଆବର୍ଜନା ବୋଲି ବିରକ୍ତିମିଶା ବିଶ୍ୱାସ ମୋ ମନରେ କ୍ରମେ ସଞ୍ଚରିତ ହେଲା ।

 

ହଠାତ୍ ପିଠି ଉପରେ କୌଣସି ଜିନିଷର ସ୍ପର୍ଶ ପାଇ ପଛକୁ ବୁଲି ପଡ଼ିଲି । ଜଣେ କଦାକାର ଲୋକ ମୋ ଆଡ଼େ ବନ୍ଧୁକ ଲକ୍ଷ୍ୟକରି ଠିଆ ହୋଇଛି । ଗୋଟାଏ ଗରମ ଢେଉ ମୋର ସର୍ବାଙ୍ଗରେ ବହିଗଲା । ଭୀତିପ୍ରଦ ନିର୍ଜନତା ଓ ଅନ୍ଧକାର ଘେରା ସେଇ ଅପରିଚିତ ସ୍ଥାନରେ ମୁଁ ଉଚ୍ଚ ସ୍ୱରରେ ଚିତ୍କାର କରି ଉଠିଲି । ସେ ଚିତ୍କାର ଆତ୍ମରକ୍ଷା ପାଇଁ ଏକ କାକୁସ୍ଥ ନିବେଦନ ଥିଲା ଏବଂ ଏହି ନିବେଦନ ଚତୁର୍ଦ୍ଦିଗରେ ପ୍ରତିଧ୍ୱନିର ତରଙ୍ଗ ସୃଷ୍ଟି କରି ନିସ୍ତବ୍‍ଧତା ଭିତରେ ହଜିଯିବା ପୂର୍ବରୁ ମୁଁ ବାଷ୍ଫାକୁଳ କଣ୍ଠରେ ପୁନରାୟ ଚିତ୍କାର କରି ଅଫିସ ଘର ଆଡ଼କୁ ଦୌଡ଼ିବା ଆରମ୍ଭ କଲି ।

 

—‘Halt’ ଗୁରୁଗମ୍ଭୀର ଆବାଜ ଶୁଭିଲା ।

 

ମାତ୍ର ମୁଁ କିଛି କର୍ଣ୍ଣପାତ ନ କରି ଅଫିସ ଦ୍ୱାର ପାଖରେ ଚକିତ ହୋଇ ଠିଆ ହୋଇଥିବା ଅଫିସରଙ୍କୁ ସମସ୍ତ ଶକ୍ତି ପ୍ରୟୋଗ କରି କୁଣ୍ଢାଇ ପକାଇଲି; ସତେ ଯେପରି ସେଭଳି ଲୋମହର୍ଷଣକାରୀ ମୁହୂର୍ତ୍ତରେ ନିଜର ସତ୍ତାକୁ ମୁଁ ସେଇ ଅଫିସରଙ୍କ ଶରୀର ମଧ୍ୟରେ ଦ୍ରବୀଭୂତ କରି ଦେବାକୁ ଚାହୁଁଥିଲି ନିରାପତ୍ତା ପାଇଁ ।

 

—‘ସନୁ !’ ଅଫିସର ଆଦେଶ ଦେବା ଭଙ୍ଗୀରେ କହିଲେ । ‘ରାତିରେ କ’ଣ ଏସବୁ ହେଉଛି ? ଯା, ଶୋଇ ପଡ଼ିବୁ । ବିଚରା ଭଦ୍ରଲୋକଙ୍କୁ ଏମିତି ଡରାଇବା ଠିକ୍ ନୁହେଁ ।’

 

ତା’ ପରେ ମୋ ପିଠି ଥାପୁଡ଼ାଇ ଆଶ୍ୱାସନା ଦେଲେ—‘ଆପଣ ଏଠାରେ ନୂଆ ବୋଧହୁଏ; ସେଇଥିପାଇଁ ସନୁକୁ ଚିହ୍ନି ନାହାନ୍ତି । ସେ ପାଗଳ । ତା ବନ୍ଧୁକଟା ନକଲି ।

 

ଏଥର ଅଫିସରଙ୍କୁ ଛାଡ଼ି ମୁଁ ଠିଆ ହୋଇ ଚାହିଁଲି ମୋତେ ଭୟ ଦେଖାଇଥିବା ପାଗଳଟା ଆଡ଼େ । ତଥାପି ମୋ ଆଡ଼େ ବନ୍ଧୁକ ଲକ୍ଷ୍ୟ କରି ସେ କଦର୍ଯ୍ୟ ହସ ହସୁଥିଲା । ଅବିନ୍ୟସ୍ତ କେଶ, ଦାଢ଼ୀଆ ମୁହଁ ଓ ବିଚିତ୍ର ପରିଧାନ ସେଇ ଝାପସା ଆଲୁଅରେ ତାକୁ ଭୟଙ୍କର କରି ଦେଇଥିଲା । ପରେ ସେ ବନ୍ଧୁକଟିକୁ ଗୋଟିଏ ହାତରେ ଧରି ଆମ ଦୁହିଁଙ୍କୁ ସାଲ୍ୟୁଟ୍ କଲା । ଉଚ୍ଚ ସ୍ୱରରେ ହସିଲା । ତତକ୍ଷଣାତ୍ ତା’ର ମୁହଁ ବେଦନା ଓ ଗ୍ଳାନିରେ ବିଷର୍ଣ୍ଣ ହୋଇଗଲା । ଆଖିର ଲୁହ ପୋଛି ସେ ଦୁଃଖ ପ୍ରକାଶ କଲା—

 

‘Excuse me, excuse me.’ ଥରେ ଦୁଇଥର ନୁହେଁ । ପୁନରାୟ ସିମେଣ୍ଟ ବେଞ୍ଚ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସେଇଭଳି କହି ଚାଲିଥାଏ । ତା’ପରେ ସେ ବେଞ୍ଚ ଉପରେ ନିଶ୍ଚିନ୍ତ ହୋଇ ବସିଲା, ଦୁଃଖ ଓ ଲୁହକୁ ପାଗଳାମିର ବିଚିତ୍ର, ଅପରିସୀମ ଉତ୍ସୃଙ୍ଖଳତା ଭିତରକୁ ଫୋପାଡ଼ି ଦେଇ ।

 

ତା’ର ଏଭଳି ଆଚରଣରେ ମୁଁ ସ୍ତମ୍ଭୀଭୁତ ହୋଇ ଯାଇଥିଲି । ଅଫିସରଙ୍କ ଆଡ଼କୁ ଚାହିଁବା ବେଳେ ମୁଁ କହିଉଠିଲି—Strange.

 

—‘ଭିତରକୁ ଆସନ୍ତୁ । ବସିବା । ଆପଣ ଭାରି ଡରି ଯାଇଛନ୍ତି ।’ ଆମେ ଦୁହେଁ ଦୁଇଟି ଚୌକି ଅଧିକାର କଲୁ ।

 

—‘ଲୋକଟା ତା’ହେଲେ ପାଗଳ ?’ ମୁଁ ଆହୁରି ନିଶ୍ଚିନ୍ତ ହେବାକୁ ପଚାରିଲି ।

 

—‘ଲୋକଟା ପାଗଳ ଏବଂ ନପୁଂସକ ।’

 

—କ’ଣ କହିଲେ ?’

 

—ଏଇ, ସିଗାରେଟ୍ ନିଅନ୍ତୁ ।’

 

ସେ ଜଳନ୍ତା ଦିଆସିଲି କାଠି ବଢ଼ାଇଲେ ମୋ ଉଦ୍ଦେଶ୍ୟରେ ।

 

—‘ଅଭୁତ ଚରିତ୍ର ।’ ସିଗାରେଟରୁ ଦମ୍ ନେଇ ଧୂଆଁ ଛାଡ଼ିବା ପରେ ସେ କହିଲେ । ‘ସନୁ କଥା କହୁଛି । ଶୁଣିବେ ?’

 

—‘Please’ ମୁଁ କହିଲି । ‘ମୋ ମନରେ ସେ ପ୍ରଥମେ ଭୟ ସୃଷ୍ଟି କଲା; ବର୍ତ୍ତମାନ ସହାନୁଭୂତି । କହନ୍ତୁ ତା’ କଥା ।’

 

ସଜାଡ଼ି ହୋଇ ବସିବା ପରେ ସେ ଆରମ୍ଭ କଲେ—‘ଭାରି ସଂକ୍ଷିପ୍ତ ସେ କଥା ଅଥଚ ଦୁଃଖ ପୂର୍ଣ୍ଣ । ତା’ ପୌରୁଷର ଯେଉଁ ଜନ୍ମଗତ ଅପୂର୍ଣ୍ଣତା ରହିଗଲା, ସେଥିପ୍ରତି ତା’ର ସଚେତନତା ତାକୁ ଶେଷରେ ପାଗଳ କରିଦେଲା ।’

 

ଅପୂର୍ଣ୍ଣତା ଶବ୍ଦଟା ଗୋଟାଏ ତୀର ଭଳି ମୋ ମନରେ ପ୍ରବେଶ କଲା । ମୁଁ ଚଞ୍ଚଳ ହୋଇ ପଡ଼ିଲି ।

 

—‘କଲେଜରେ ପଢ଼ିଲାବେଳକୁ ମାନସିକ ବ୍ୟାଧି ତା’ର ଚେତନାକୁ କ୍ରମେ ବିପର୍ଯ୍ୟସ୍ତ କରି ପକାଉଥିଲା । ଏଥିପାଇଁ ତାର ନିଃସଙ୍ଗତା ମଧ୍ୟ କିଞ୍ଚିତ ପରିମାଣରେ ଦାୟୀ ବୋଲି ମୋର ଦୃଢ଼ ବିଶ୍ୱାସ । ନପୁଂସକ ବୋଲି ନିଜର ଦୁର୍ବଳତାକୁ ଘୋଡ଼ାଇବା ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲା । ଆପଣ ନିଶ୍ଚୟ ସ୍ୱୀକାର କରିବେ ଯେ, ଏକୁଟିଆ ଥିଲାବେଳେ ମଣିଷର ଦୁଶ୍ଚିନ୍ତା ଆହୁରି ଶାଣିତ ଓ ଯନ୍ତ୍ରଣାମୟ ହୋଇଯାଏ ।’

 

—ଆପଣ ତାଙ୍କୁ କେବେଠାରୁ ଚିହ୍ନନ୍ତି ?’ ପରେ ଭାବିଲି, ଏ ପ୍ରଶ୍ନ ନିତାନ୍ତ ଅବାନ୍ତର ।

 

—‘କଲେଜରେ ପଢ଼ିଲା ବେଳଠୁ ।’ ସ୍ମିତ ହସି ସେ ଯୋଗ କଲେ–‘ଝିଅମାନଙ୍କୁ ଦେଖିଲେ ସେ ବିଚଳିତ ହୋଇପଡ଼େ, ତା’ର ଆତ୍ମ-ବିଶ୍ୱାସ ହଜିଯାଏ । ମୋତେ ଥରେ ସେ କହୁଥିଲା ଯେ, ସେମାନଙ୍କୁ ଦେଖିଲେ ସେ କୁଆଡ଼େ ବିବସ୍ତ୍ର ହୋଇଗଲା ଭଳି ବୋଧକରେ ।’

 

ତାଙ୍କର ହସ ଆହୁରି ସଂପ୍ରସାରିତ ହେଲା; କିନ୍ତୁ ମୋର ସନ୍ଦେହାଚ୍ଛନ୍ନ ମନ ଭାବିଲା ଯେ, ଅଫିସର ଜଣକ ମୋ ନିଜ କଥା କହି ମୋ ଠାରେ ସେକଥାର ପ୍ରତିକ୍ରିୟା ଲକ୍ଷ୍ୟ କରୁଛନ୍ତି । ହଠାତ୍ ପଚାରିଦେଲିଆପଣ କାହା କଥା କହୁଛନ୍ତି ?’

 

କାହିଁକି ? ସନୁ କଥା ! ତା’ କଥା ପ୍ରକୃତରେ ବିଶ୍ୱାସ କରି ହୁଏନି ।’

 

ମୋତେ ଜଣାଗଲା, ଏ ପୃଥିବୀରୁ ମୋର ସ୍ଥିତି ହଜିଯାଉଛି କ୍ରମଶଃ । ମୁଁ ଏଠାରୁ ଦୂରେଇ ଯାଉଛି ଏବଂ ପାଗଳାମିର ସ୍ରୋତ ମୋତେ ଠେଲି ନେଉଛି ଆଉ ଏକ ପୃଥିବୀ ଭିତରକୁ; ଯେଉଁଠାରେ ଅସଂପୂର୍ଣ୍ଣତାହିଁ ସତ୍ୟ ଓ ବାସ୍ତବ ।

 

ଅଫିସର କେଉଁ ଲୋକର କାହାଣୀ କହିଲେ ? ସନୁର ନା, ମୋର ? କିଏ ଅସଂପୂର୍ଣ୍ଣ-? ସନୁ ଭଳି ନପୁଂସକ, ନା, ମୋ ଭଳି ଛୋଟା ଲୋକ ? ସନୁର ପାଗଳାମି ବ୍ୟକ୍ତିଗତ ନା ସାର୍ବଜନୀନ ? ମୁଁ ଯେଉଁ ପୃଥିବୀକୁ ଯାଉଛି କେବଳ ସେଇଠାରେ କ’ଣ ଅସଂପୂର୍ଣ୍ଣତା ରହିଛି ? ଏଇ ଅପରିଚିତ ଷ୍ଟେସନ ତେବେ କ’ଣ ସେଇ ପୃଥିବୀର ଏକ ଅଂଶ ଏବଂ ସନୁ ସେଠାକାର ଲୋକଙ୍କର ଏକ ପ୍ରତିନିଧି ?

 

ମୁଁ ଗମ୍ଭୀର ହୋଇ ବାହାରକୁ ବାହାରିଗଲି । ସନୁ ଶୋଇ ଯାଇଛି । ତା’ କଡ଼ରେ ଥୁଆ ହୋଇଛି ନିଷ୍ପ୍ରାଣ ବନ୍ଧୁକଟା । ସାମନାରେ ପଡ଼ିଥିବା ରେଳ ପଥଟା ବନ୍ଧ୍ୟା ଭଳି ପଡ଼ିରହିଛି । ମୋ ସାଂସାରିକ ଜୀବନ ସତେ ଯେପରି ପ୍ରତିଫଳିତ ହୋଇଛି ସେଠାରେ । କେଡ଼େ ଉଦ୍ଦେଶ୍ୟହୀନ ଜଣାପଡ଼ୁଛି ସବୁ । ସିଲହଟ ଛବି ଭଳି ଦିଶୁଥିବା ଗଛ, ଏ ପ୍ଲାଟଫର୍ମ, କମଳା, ମାଇକର ସରଞ୍ଜାମ-

 

ମୁଁ ଠିଆହେଲି ଲ୍ୟାମ୍ପ ପୋଷ୍ଟ ତଳେ । ହଠାତ୍ ମୋର କଣ୍ଠ ବାଷ୍ପରୁଦ୍ଧ ହୋଇଗଲା । ମୁଁ ସନୁଭଳି ଦିନେ ପାଗଳ ହୋଇଯିବି କି ? ଯେହେତୁ ଆମେ ଦୁହେଁ ଅସଂପୂର୍ଣ୍ଣ । ଅଜଣା ଆଶଙ୍କାରେ ମୋର ରକ୍ତ ଥଣ୍ଡା ହୋଇ ଯାଇଥିଲା ।

 

ମାତ୍ର ଏଇ ଅସଂପୂର୍ଣ୍ଣତା ଯଦି ସତ୍ୟ ଓ ବାସ୍ତବ, କିଏ ତେବେ ସେ ମଣିଷ କ’ଣ ସେ ବସ୍ତୁର ନାମ; ଯାହାଠାରେ ଏହାର ବ୍ୟତିକ୍ରମ ଦେଖାଯାଇପାରେ ?’

 

ସନୁ ଶୋଇଥିବା ବେଞ୍ଚ ଉପରେ ସତର୍କତାର ସହିତ ବସିଲି । ନକଲି ବନ୍ଧୁକ ଉପରେ ହାତ ବୁଲାଇ ସାରି ତା’ ଉପରେ ହାତ ବୁଲାଇବାକୁ ଗଲାବେଳେ ହାତ ଅଟକିଗଲା । ଭୟ ହେଲା, ସନୁର ଦୁର୍ବଳତା ଓ ପାଗଳାମୀ ହୁଏତ ମୋଠାରେ ସଂକ୍ରମିତ ହୋଇଯାଇ ପାରେ ।

 

ବେଞ୍ଚରୁ ଉଠିଆସିଲା ବେଳେ ଚଢ଼େଇମାନଙ୍କର ଭାଷା ରାତିର ଶବ ଉପରେ ପ୍ରତିଧ୍ୱନିତ ହେଉଥିଲା ।

Image

 

Unknown

ଭୟ

 

ବାରଣ୍ଡା ତଳକୁ ଓହ୍ଲାଇ ଦେବକାନ୍ତ ଦୀର୍ଘଶ୍ୱାସ ତ୍ୟାଗ କଲେ । ଆଉ ବେଶୀ ଡେରି କରିବା ଠିକ୍ ନୁହେଁ । ମଡ଼ାଭାଇ ଯୋଗାଡ଼ କରିବାକୁ ହେବ । ଧାନ କଟା ସମୟ ତ ! ପୁଣି ସକାଳ ନ’ଟା ବାଜିଲାଣି । ଘରୁ ଯେତେ ଚଞ୍ଚଳ ମୁର୍ଦ୍ଦାର ଉଠିବ, ସେତେ ଭଲ ।

 

ଘର କ’ଣ, ବାହାର କ’ଣ—ଏମିତିକି ସାମ୍ନାରେ ନିସ୍ତେଜ ହୋଇ ପଡ଼ିଥିବା ଖଳା, ଧାନବିଡ଼ା—କିଛି ଭଲ ଲାଗୁନାହିଁ । କିଛି ଗୋଟାଏ ଓଜନିଆ ଅନ୍ଧାରିଆ ଜିନିଷ ସମଗ୍ର ଜଗତକୁ ଯେମିତି ଚାପି ଧରିଛି, ସେ ଚାପ ଜମା ହୁଗୁଳା ହେବାର ନୁହେଁ, ମୁର୍ଦ୍ଦାରଟା ପାଉଁଶ ମୁଠାଏ ନ ହେବା ଯାଏ । ୟେ କି ବିଚିତ୍ର ଅନୁଭୂତି ! ଦେବକାନ୍ତ ଆଗରୁ କେତେଥର ମଡ଼ାସାଙ୍ଗିଆ ହୋଇଛନ୍ତି-। କାନ୍ଧରେ ବୋହିଛନ୍ତି ଶବ । ହେଲେ, ବର୍ତ୍ତମାନ ଯେଭଳି ଭାବରେ ତାଙ୍କ ଭାବନା ଜମାଟବାନ୍ଧି ଯାଉଛି, ଆଗରୁ ସେମିତି କେବେ ହୋଇ ନ ଥିଲା ।

 

ମରଣ ପାଖରେ କାହାର ଭଲା ହାତ-ଗୋଡ଼ ଅଛି ! କେଉଁ ଛଟକରେ ଶ୍ୟାମକାନ୍ତ ବାର୍ଦ୍ଧକ୍ୟ, କାହିଁ କେତେ ଦିନର ଶ୍ୱାସରୋଗ, ଆତ୍ମୀୟ-ସ୍ୱଜନଙ୍କୁ ଠକିଦେଇ ଆରପାରିକୁ ଚାଲିଗଲେ, ସେକଥା ଅବା କିଏ ଜାଣିପାରିଲା ? ସକାଳୁ ଉଠି ଦେଖିଲା ବେଳକୁ ଖଟ ଉପରେ ଖାଲି ନିଶ୍ଚଳ ଶରୀରଟାଏ—ନିଃଶ୍ୱାସ ନାହିଁ । ଯନ୍ତ୍ରଣା ନାହିଁ, ଆଖିପତା ଖୋଲୁନାହିଁ । ଦେବକାନ୍ତ ଭାବିପାରୁ ନଥିଲେ ଏମିତି ନିଃଶବ୍ଦ, କମ୍ପନହୀନ ମୃତ୍ୟୁ ସମ୍ଭବ ହେଲା କେମିତି; ଆଜିକାଲି କ’ଣ ମଣିଷ ବିନା ଛଟପଟରେ, ମରଣର ଦନ୍ଥରା ଧାରରେ ଜଡ଼ସଡ଼ ନ ହୋଇ ମରିଯାଇ ପାରେ ?

 

କେଜାଣି ? ତାଙ୍କୁ କିନ୍ତୁ ଭାରି ଆଚମ୍ୱିତ ଲାଗୁଥିଲା । ଦିନେ ଓଳିକର କଥା ନୁହେଁ । ସାଂଘାତିକ ଭାବରେ ଶ୍ୟାମକାନ୍ତ ଶଯ୍ୟାଶାୟୀ ହେବାଦିନୁ ଦେବକାନ୍ତ ମାନସିକ ପ୍ରସ୍ତୁତି ସଂଗ୍ରହ କରୁଥିଲେ, ଭାଇଙ୍କର ବେଦନାମୟ ଶେଷ ମୁହୂର୍ତ୍ତ ଦେଖିବା ପାଇଁ । କେବେ କେମିତି ଶ୍ୟାମକାନ୍ତ ସଂଜ୍ଞାହୀନ ଭାବରେ ପଡ଼ି ରହୁଥିଲେ । ଘରଟା ଯେମିତି ଅଣନିଃଶ୍ୱାସୀ ଓ ରୁଦ୍ଧି ହୋଇପଡ଼େ ସେଇ କେତୋଟି ଉଦବିଗ୍ନ ମୁହୂର୍ତ୍ତ ଦ୍ୱାରା । ମନ କହେ—ଚାଲିଗଲେ କି ? କିନ୍ତୁ କାହିଁ ? ସେ ଆସି ଆଖି ଖୋଲନ୍ତି ଏବଂ ଜଣେଇ ଦିଅନ୍ତି, କିଛି ଗୋଟାଏ ତାଙ୍କୁ ସେଇ ଅନ୍ଧାରିଆ, ଚିରନ୍ତନ ଇଲାକାରୁ ଓଟାରି ଆଣିଲା । ଏଥିରେ ବା କାହାର ଧୈର୍ଯ୍ୟଚ୍ୟୁତି ନ ଘଟିବ ? ତାଙ୍କର ସଂଜ୍ଞାହୀନତା ହରାଇ ବସିଲା ସମସ୍ତ ଚାଞ୍ଚଲ୍ୟ ଓ ଆଶଙ୍କା । ତାଙ୍କର ସେଭଳି ଅବସ୍ଥା ଯେ ଜମା ମୃତ୍ୟୁର ପୂର୍ବବର୍ତ୍ତୀ ଅବସ୍ଥା ନୁହେଁ, ଏଥିରେ କାହାରି ମନରେ ଆଉ ସନ୍ଦେହ ରହିଲା ନାହିଁ ।

 

ବୁଢ଼ା ରୋଗୀଟାଏ । ଏ ସଂସାରରେ ଯାହା କରିବା କଥା ସବୁତ କରିସାରିଛି । ବିଛଣା ଉପରେ ପଙ୍ଗୁ ହୋଇ ପଡ଼ିଛି କାହିଁ କେତେ ଦିନୁ । ଏମିତି ଯଦି ଆହୁରି କେଇ ବର୍ଷ ବଞ୍ଚେ, କିଏ ବା ସେଥିରେ ଉପକୃତ ହେବ ? ହେଇ ମରିବ ମରିବ ହେଉଛି । ମରୁନାହିଁ । ବେଳେ ବେଳେ ଅହେତୁକ କ୍ରୋଧ ଓ ଅସ୍ଥିରତାରେ ଦେବକାନ୍ତ ମନ୍ଥି ହୋଇ ଯାଆନ୍ତି । କେତେ ଆଉ ସେ ଦିକଦାର ହେବେ ?

 

ଏସବୁ ସତ୍ତ୍ୱେ ଗୋଟିଏ କଥା ତାଙ୍କ ମନକୁ ଭାରି ଆନ୍ଦୋଳିତ କରୁଥିଲା । ଦେଖ, ମଣିଷ ଜୀବନ କେମିତି ଅନାବଶ୍ୟକ, ବିରକ୍ତିକର ହୋଇ ପଡ଼ିଛି । ଅସହାୟ, ଧୁଡ଼ୁକି ଶରୀର ଭିତରେ ଧିକି ଧିକି ହେଉଥିବା ସେ ଜୀବନ କେଡ଼େ ତାତ୍ପର୍ଯ୍ୟହୀନ, ସମ୍ଭାବନାହୀନ ସତେ ! ସେ ଖାଲି ପାଇବାର ବ୍ୟାକୁଳତା ପ୍ରକାଶ କରେ, ଦେବାର ପ୍ରତିଶ୍ରୁତି ନଥାଏ ତାଠି । ସେ ଯେମିତି ରାତିର ନିସ୍ତବ୍ଧ ପ୍ରହରରେ ଷ୍ଟେସନରେ ଏକଲା ନିଆହୋଇଥିବା ଇଞ୍ଜିନ୍‍ର ଆର୍ତ୍ତନାଦ ! ଏମିତି ଭାବନା ତାଙ୍କ ମୁଣ୍ଡରେ ପଶିଲେ ସାରା ସୃଷ୍ଟିଟା ଅଳୀକ ଜଣାପଡ଼େ । ସବୁ ଯେମିତି ଅଦରକାରୀ; କିଛି ବି ଅପରିହାର୍ଯ୍ୟ ନୁହେଁ ।

 

ଦେବକାନ୍ତ ବାଟ ଚାଲୁ ଚାଲୁ ଅଟକି ଗଲେ । ସେ ନିଜକୁ ନିଜେ ଚେତେଇ ଦେଲେ ଯେ ଯାହାଙ୍କୁ ହେତୁ ହେଲା ଦିନୁ ଭାଇ ବୋଲି ଡାକି ଆସିଥିଲେ ସେ ଆଉ ଅଳ୍ପ ସମୟ ଭିତରେ ମିଶିଯିବେ କେଉଁଆଡ଼େ । ଯେଉଁ ଭାଇ ତାଙ୍କୁ ବୁଦ୍ଧି ବତାଇ ଦେଉଥିଲେ ଓ ସେ ଭାଙ୍ଗିପଡ଼ିଲେ ସାହସ ଦେଉଥିଲେ, ଯାହାଙ୍କର ଦୀର୍ଘ ଅସୁସ୍ଥତା, ତାଙ୍କୁ ବିରକ୍ତ କରିଥିଲା ଏବଂ ମରଣ କାମ୍ୟ ହୋଇଥିଲା, ସେ ସତରେ ନାହାନ୍ତି ଆଉ । ହଠାତ୍ ତାଙ୍କର ହୃତପିଣ୍ଡ ଓ କଣ୍ଠକୁ କିଏ ଦୃଢ଼ ଭାବରେ ମୁଠାଇ ଧରିଲା । ଆଉ ତା’ ପରକ୍ଷଣରେ ସେହି ଯନ୍ତ୍ରଣାର ରକ୍ତ ଝରି ଆସିଲା ଦୁଇଟୋପା ଲୁହର ଛଦ୍ମବେଶରେ ।

 

ପ୍ରକୃତିସ୍ଥ ହୋଇ ସେ ମନେ ପକାଇଲେ, ୟା’ପରେ ତାଙ୍କର କର୍ତ୍ତବ୍ୟ କ’ଣ । ପ୍ରଥମ କାମ ହେଲା, ଆଜି ଯେମିତି ହେଉପଛେ, ତିନି ପୁତୁରା, ଦୁଇ ଝିଆରୀଙ୍କ ପାଖକୁ ତାର କରିବାକୁ ହେବ । ପୁତୁରାମାନେ କାହିଁ କେତେ ଦୂରରେ—ଉଚ୍ଚପଦସ୍ଥ କର୍ମଚାରୀ । ଦେବକାନ୍ତଙ୍କର ମୁହଁ ଘୃଣାରେ ବିକୃତ ହୋଇଗଲା, ସେମାନଙ୍କ କଥା ଭାବି ।

 

ଘରେ ବାପାଟା ସାଂଘାତିକ ବେମାର । କିଏ କହିବ, କେତେବେଳେ ସେ ଆଖି ବୁଜି ନ ଦେବେ ! ସେଥିପ୍ରତି କାହାର ଟିକିଏ ହେଲେ ନିଘା ଥା’ନ୍ତା ! ଘରକୁ ଆଖି ଦେଖି ନ ଗଲ ନାହିଁ, ଚିଠି ଖଣ୍ଡିଏ ହେଲେ ପଠାନ୍ତ ! ଏଇ ସକାଶେ କ’ଣ ଭାଇ ଏତେ କଷ୍ଟରେ ଏମାନଙ୍କୁ ପାଠ ପଢ଼ାଇ ମଣିଷ କରିଥିଲେ ? ବାପା ବୋଲି ଡାକୁଥିବା ଲୋକଟି ଏଠାରେ ପଡ଼ି ମରିବି ମରିବି ହେଉଛି । ସେ ଚାଲିଗଲା ପରେ ଆଉ କେଉଁ ଲୋକକୁ ଅନ୍ୟ ଆଗରେ ବାପା ବୋଲି ଚିହ୍ନେଇବେ ସେମାନେ-?

 

କେହି ବୁଝିଲେ ଏକଥା ? ଡାକ୍ତରୀ ଚିକିତ୍ସା ପାଇଁ ସୁବିଧା ହେବ ବୋଲି ଦେବକାନ୍ତ ତିନିଜଣଙ୍କ ପାଖକୁ ଚିଠି ଲେଖିଥିଲେ । ବଡ଼ ଉତ୍ତର ଦେଇଥିଲା; ମାସରେ ସେ କୋଡ଼ିଏ ଦିନ ଗ୍ରସ୍ତରେ ଥାଏ; ବାପାଙ୍କର ଯତ୍ନ ନେବ କିଏ ? ମଝିଆଁ ଯେଉଁ ଜାଗାରେ ଚାକିରି କରେ, ସେଠାକାର ଜଳବାୟୁ କୁଆଡ଼େ ଭାରି ଖରାପ । ଫ୍ଲୁ, ମେଲେରିଆ, ଫାଇଲେରିଆ ଇତ୍ୟାଦି ରୋଗର ଆଡ଼୍ଡ଼ା ସେଠି । ସବାସାନ ଢେର ବ୍ୟସ୍ତ ହୋଇଥିଲା ବାପାଙ୍କ ପାଇଁ । ହେଲେ କ’ଣ ହେବ ? ତା’ କ୍ୱାଟର୍ସଟା ଛୋଟ । ବାପାଙ୍କୁ ନିଜ ପାଖକୁ ନେଇ ଯିବ ସିନା; ତାଙ୍କର ଚଳପ୍ରଚଳ ପାଇଁ ଖୋଲା ସ୍ଥାନଟିଏ ସେ ପାଇବ କେଉଁଠୁ ? ସଭିଏଁ ଜବାବ ଦେଇଥିଲେ, ଚିକିତ୍ସା ପାଇଁ ସବୁମନ୍ତେ ଯତ୍ନବାନ ହେବେ ।

 

ସମସ୍ତେ ଏକଥା ଭୁଲିଗଲେ । ଶ୍ୟାମକାନ୍ତ ସଢ଼ିଲେ ନିଜ ଘରେ ନିଜକୁ ନେଇ । ଖାଲି କ’ଣ ସେତିକି ? ସେଥର ତାଙ୍କର ଅବସ୍ଥା ବେଶୀ ଖରାପ ହେବାରୁ ଦେବକାନ୍ତ ସଭିଙ୍କ ପାଖକୁ ଚିଠି ଲେଖିଥିଲେ । ସଭିଏଁ ଆସିଲେ—ଦେଖିଲେ ବାପା ମରିନାହାନ୍ତି । ଦେବକାନ୍ତଙ୍କ ଉପରେ ବିରକ୍ତ ହେଲେ । ଏମିତି ଅତର୍ଚ୍ଛ ହୋଇ ପଡ଼ିବା ଦରକାର କ’ଣ ?

 

ଝିଆରୀମାନେ ବା କ’ଣ କରି ପାରିଥାନ୍ତେ ? ସେମାନେ ପରଘରେ । କେଡ଼େ ବିଚିତ୍ର ଏ ସାଂସାରିକ ବନ୍ଧନ ! ଏହାକୁ ପୁଣି ବନ୍ଧନ ବୋଲି କହନ୍ତି ସମସ୍ତେ ! ଟିକିଏ ବୋଲି ଆନ୍ତରିକତା ଅଛି ଏଠାରେ ? ଆନ୍ତରିକତା ନ ହେଲା ନାଇଁ, ଲୋକ ଦେଖାଣିଆ କର୍ତ୍ତବ୍ୟବୋଧ ହେଲେ ଥା’ନ୍ତା-!

 

ଶ୍ୟାମକାନ୍ତ ମରିଗଲେ । ତାଙ୍କର ଶବ ଘରୁ ଉଠି ଯିବ ମଶାଣିକୁ । ଦେବକାନ୍ତ ଆକାଶକୁ ଚାହିଁଲେ । କେତେ ବେଳ ହୋଇଗଲାଣି । ଯେଉଁ ମଣିଷର ଶେଷ ଜୀବନ ଅବହେଳିତ ଆଉ ଘୃଣିତ ହୋଇଥିଲା ତା’ର ଶରୀର ହଜିଯିବ ଆଉ କେଇଟା ଘଣ୍ଟା ପରେ ।

 

ଦେବକାନ୍ତଙ୍କ ମନରେ ଗୋଟାଏ କ୍ଷୋଭ ରହିଗଲା । ଏତେ ବର୍ଷଧରି ଭାଇଙ୍କ ସାଙ୍ଗରେ ଗୋଟିଏ ଛାତ ତଳେ, ଗୋଟିଏ ହାଣ୍ଡିର ଭାତରେ ସେ ଚଳି ଆସିଥିଲେ । ମାତ୍ର ଶେଷ ପର୍ଯ୍ୟନ୍ତ ତାହାଙ୍କୁ ବୁଝି ପାରି ନ ଥିଲେ ସେ । ଭାଇଙ୍କ କଥା ମନେ ପଡ଼ିଲେ ତାଙ୍କ ଆଖି ଆଗରେ ଗୋଟାଏ ଗମ୍ଭୀର ଅଥଚ ସ୍ନେହପରାୟଣ, ଅଳ୍ପଭାଷୀ ଅଥଚ ଜ୍ଞାନୀ ଲୋକର ମୁହଁ ଭାସି ଉଠେ । ସେ ପଢ଼ୁଥିବା ବହିର ପୃଷ୍ଠା ଓଲଟାଇବାକୁ ଦେବକାନ୍ତଙ୍କର କେବେ ଆଗ୍ରହ କିମ୍ୱା ସାହସ ହୋଇ ନ ଥିଲା । ବେଳେବେଳେ ଶ୍ୟାମକାନ୍ତ କହୁଥିବା କଥା ତାଙ୍କର ସ୍ଥୂଳବୁଦ୍ଧି ବୁଝିପାରେ ନାହିଁ ।

 

ମାତ୍ର ଦେବକାନ୍ତ ଥିଲେ ଜଣେ ଚାଷୀ । ୟା ବ୍ୟତୀତ ତାଙ୍କର ଅନ୍ୟକିଛି ପରିଚୟ ନ ଥିଲା । ତାଙ୍କର ଚିନ୍ତା ମାଟି, ଘାସ କିମ୍ୱା ବଳଦମାନଙ୍କଠାରୁ କେବେହେଲେ ଉର୍ଦ୍ଧ୍ୱମୁଖୀ ହୋଇ ନ ଥିଲା । ଭାଇଙ୍କ ସାମନାରେ ଏଇଥିପାଇଁ ସେ ଛୋଟ ହୋଇ ରହିଥିଲେ ସବୁଦିନେ ଏବଂ ଏଭଳି ଭାବନାକୁ ସେ ବିନା ପ୍ରତିବାଦ, ବିନା ଅହଙ୍କାରରେ ଆପଣାର କରି ନେଇଥିଲେ ।

 

କିନ୍ତୁ ଏଇ ଭାବନା ହଠାତ୍ ଓଲଟ ପାଲଟ ହୋଇଗଲା ପ୍ରାୟ ତିନିବର୍ଷ ତଳର ସେଇ ଶୀତ ରାତିରେ ।

 

ସେତେବେଳେ ରାତି ଦଶଟାରୁ ବେଶୀହେବ । ମଫସଲ ଜାଗା । ଶୀତରାତି । ସମୁଦାୟ ଗାଁଟା ନିଶୂନ୍ ହୋଇ ପଡ଼ିଥାଏ । ହଠାତ୍ ଦେବକାନ୍ତଙ୍କ ଶୋଇବା ଘର ଦରଜାରେ ପ୍ରଚଣ୍ଡ ଆଘାତ ସହିତ ଭୟ ଓ ବ୍ୟାକୁଳତାର ସ୍ୱର ଶୁଭିଲା—ଦେବ, ଉଠ୍, ଚଞ୍ଚଳ ଉଠ୍ । ନ ହେଲେ ମରିଯିବି ।’

 

ଦେବକାନ୍ତ ତରବରରେ କବାଟ ଖୋଲି ଟର୍ଚ୍ଚ ଆଲୁଅରେ ଦେଖିଲେ, ଶ୍ୟାମକାନ୍ତ ଥରୁଛନ୍ତି ପ୍ରବଳ ଉତ୍ତେଜନା ଓ ଆଶଙ୍କାରେ । ଖାଲି କ’ଣ ଶ୍ୟାମକାନ୍ତଙ୍କ ମୁହଁ ? ତାଙ୍କର କଣ୍ଠସ୍ୱର, ତାଙ୍କର ସମସ୍ତ ଆଚରଣ ଏମିତି ଖାପଛଡ଼ା ଆଉ ଅପ୍ରତ୍ୟାଶିତ ଥିଲା ଯେ, ସାମନାରେ ଠିଆ ହୋଇଥିବା ଭାଇଙ୍କୁ ଦେବକାନ୍ତ ହଠାତ୍ ଚିହ୍ନି ପାରିଲେ ନାହିଁ ।

 

କିଛି କହିବାକୁ ନ ଦେଇ ଶ୍ୟାମକାନ୍ତ ତାଙ୍କର ହାତ ଧରି ଟାଣି ଆଣିଲେ ଘର ଭିତରୁ ବାରଣ୍ଡାକୁ । କୋହମିଶା ଅନୁନୟ ସ୍ୱରରେ ସେ ବ୍ୟସ୍ତ ହୋଇ କହିଲେ—‘ଦେବ, ଚଞ୍ଚଳ ଯା ଡାକ୍ତରଖାନାକୁ । ମୁଁ ବିଷ ଖାଇ ଦେଇଛି’ ଡେରି ହେଲେ ନିଶ୍ଚେ ମରିଯିବି ।’

 

‘ଏଁ, କ’ଣ କହିଲ ?’ ଦେବକାନ୍ତ କଥାଟା ଠିକ୍ ଶୁଣିଲେ ବୋଲି ଜମା ବିଶ୍ୱାସ କରିପାରିଲେ ନାହିଁ ।

 

ଶ୍ୟାମକାନ୍ତ ଆଉ କିଛି ନ କହି ଦେବକାନ୍ତଙ୍କୁ ଆଗକୁ ଠେଲି ଦେଉଁ ଦେଉଁ କାନ୍ଦି ପକାଇଲେ ଏକ ରକମ— ‘ଚଞ୍ଚଳ ଯା । ମୁଁ ତୋତେ ଆଉ କିଛି ମାଗୁନାହିଁ । ମୋ ଦୋଷ କ୍ଷମାକର । ମୁଁ ତୋ ବଡ଼ଭାଇ । ଏଇ, ତୋ ଗୋଡ଼ତଳେ ପଡ଼ିଲି । ଚଞ୍ଚଳ...ଆରେ, ଚଞ୍ଚଳ ଯା’ରେ ଦେବ । ମୋ ଦେହ କ’ଣ ହୋଇଗଲାଣି । ଧର, ଧର ମୋତେ । ନାଇଁ, ନାଇଁ, ତୁ ଯା’ ଆଗ ଡାକ୍ତର ଡାକ ।’

 

ଶେଷକଥା ଶୁଣିବା ପାଇଁ ଦେବକାନ୍ତ ସେଠାରେ ଆଉ ଠିଆହୋଇ ନ ଥିଲେ । କଥାଟାର ଗୁରୁତ୍ୱ ବୁଝି ସେଇକ୍ଷଣି ସେ ବାହାରିଗଲେ ସହରକୁ । ଗୋଟିଏ କିଲୋମିଟର ବାଟ ।

 

ଅଧଘଣ୍ଟାଏ ଭିତରେ ଦୁଇ ଦୁଇଟା ଡାକ୍ତର ସହିତ ଘରେ ପହଞ୍ଚି ସେ ଦେଖିଲେ, ଖଟ ଉପରେ ପଡ଼ି ଭାଇ ଇତସ୍ତତଃ ହେଉଛନ୍ତି । ତାଙ୍କର ଅନୁତାପ ଓ ଯନ୍ତ୍ରଣାଜର୍ଜରିତ କୋହ ସୂଚେଇ ଦେଉଥିଲା ଯେ, କ୍ଷଣିକ ମାନସିକ ବିକୃତି ଦ୍ୱାରା ଯେଉଁ ଅମୂଲ୍ୟ ଦରବକୁ ସେ ଫୋପାଡ଼ି ଦେବାକୁ ଚେଷ୍ଟା କରିଛନ୍ତି, ସେ ଦରବଟି ଅନ୍ୟ ସଭିଙ୍କଠାରୁ ତାଙ୍କର ହିଁ ବେଶୀ ପ୍ରୟୋଜନ । ସେ ଦରବ ଏକାନ୍ତ ଭାବେ ତାଙ୍କର; ଯାହା ଥରେ ହାତଛଡ଼ା ହୋଇଗଲେ, ଆଉ କେବେହେଲେ ଫେରିବ ନାହିଁ-

 

କିନ୍ତୁ ଶ୍ୟାମକାନ୍ତଙ୍କ କଥାଶୁଣି ଡାକ୍ତର ଦୁହେଁ ଅବାକ୍ ହୋଇଗଲେ ଏବଂ ପରସ୍ପରକୁ ଅନାଇଲେ । କଥା କ’ଣ କି, କେଉଁ ଦିନରୁ ଶୂନ୍ୟ ବିଷ ଶିଶିଟାଏ ଥିଲା ତାଙ୍କ ଶୋଇବା ଘର ଠଣାରେ । ଏ ବିଷ ଛାରପୋକ ମାରିବାରେ ସମ୍ପୂର୍ଣ୍ଣ ରୂପେ ବ୍ୟବହୃତ ହୋଇ ଯାଇଥିଲା । କ’ଣ ମନହେଲା କେଜାଣି ସେ ପାଣି ପୁରାଇଲେ ସେଇ ଶିଶିରେ । ସେଇ ପାଣିକୁ ପିଇସାରିବା ମାତ୍ରେ ଦେବକାନ୍ତଙ୍କୁ ନିଦରୁ ଉଠେଇ ଡାକ୍ତର ଡାକିବା ପାଇଁ କହିଲେ ।

 

ଡାକ୍ତରମାନଙ୍କୁ ବଳାଇ ଦେବାପାଇଁ ଗଲାବେଳେ, ଦେବକାନ୍ତଙ୍କୁ ଆଶ୍ୱାସନା ଦିଆଗଲା ଯେ, ତାଙ୍କ ଭାଇ ମୋଟେ ଏଥିରେ ମରିବେ ନାହିଁ । ତଥାପି ଆବଶ୍ୟକୀୟ ଔଷଧ ଦିଆଯାଇଛି । ତା’ ଛଡ଼ା ସେ’ତ ବିଷ ପିଇ ନାହାନ୍ତି । ଯେଉଁ ଶିଶିରେ ବିଷ ଥିଲା, ସେହି ଶୂନ୍ୟ ଶିଶିଟା କ’ଣ ବିଷାକ୍ତ-?

 

ଭାଇଙ୍କ ଶୋଇବା ଘରକୁ ଆସି ଦେବକାନ୍ତ ଦେଖିଲେ, ସେ ବସିଛନ୍ତି କିଛି ନ ବୁଝିଲା ଭଳି । ସେ ହୁଏତ ଭାବୁଥିଲେ ଯେ, ଏକ ପ୍ରକାର ପୁନର୍ଜନ୍ମ ସେ ଲାଭ କରିଛନ୍ତି । ଶିଶିଭିତରେ ପାଣି ପୂରାଇବା ଏବଂ ତାକୁ ପିଇ ପକାଇବା ଭିତରେ ଯେଉଁ ରହସ୍ୟମୟ, ଅବୋଧ୍ୟ ମୁହୂର୍ତ୍ତଗୁଡ଼ାକ ଅତିବାହିତ ହୋଇଥିଲା, ସେ ସବୁକୁ ଅଭିଶାପ ଦେଉଥିଲେ ସେ ମନେ ମନେ ।

 

ତାଙ୍କୁ ଅନୁନୟ ଅନୁସାରେ ଦେବକାନ୍ତ, ସମସ୍ତ ଘଟଣାଟିକୁ ଗୋପନ ରଖିଥିଲେ ସତ; କିନ୍ତୁ ଶ୍ୟାମକାନ୍ତ ସେଇଦିନୁ ଆହୁରି ଅଭୁତ ମଣିଷଟିଏ ହୋଇଗଲେ ତାଙ୍କ ସାମନାରେ । ସେ ଗୋଟାଏ କ୍ରସ୍-ୱାର୍ଡ଼-ପଜଲ୍ । ଗୋଟାଏ ଜମାଟବନ୍ଧା ଅନ୍ଧକାର । ତା’ ଭିତରର ଖାଲ, ଢିପ, କଣ୍ଟା, ପଥର—ସବୁକିଛି ଦେବକାନ୍ତଙ୍କ ପାଇଁ ଅଦୃଶ୍ୟ । ସେ ରୀତିମତ ଭୟଭୀତ ହେଲେ ଏବଂ ଘୃଣା କରିବାକୁ ଆରମ୍ଭ କଲେ ।

 

ଶୀତଦିନିଆ ସନ୍ଧ୍ୟା । ନୁଖୁରା ଦେହ । ଗାଧୋଇସାରିବା ପରଠୁ ପ୍ରବଳ କମ୍ପ ଅନୁଭବ କରୁଛନ୍ତି ଦେବକାନ୍ତ । ରେଜେଇ ଘୋଡ଼ିହୋଇ ସ୍ଥିର ହେବାକୁ ଯେତେ ଚେଷ୍ଟା କଲେ ବି ସେ କମ୍ପନ ସତେ ଯେମିତି ତାଙ୍କର ସମଗ୍ର ସ୍ଥିତିକୁ ଉପାଡ଼ି ଛିନଛତ୍ର କରିଦେବ । ହଠାତ୍ ତାଙ୍କର ମନେହେଲା, ଖାଲି ସେ ନୁହନ୍ତି, ତାଙ୍କୁ ଘୋଡ଼ାଇଥିବା ଏ ଶେଯ ତଥା ସମସ୍ତ ଘର କମ୍ପିଉଠୁଛି ଏକ ବଳିଷ୍ଠ କମ୍ପନରେ ଏବଂ ନୀରବ ଅନ୍ଧାର ରାତି ଭିତରେ ଉଚ୍ଚ ସ୍ୱରରେ ଘୋଷଣା କରୁଛି – ଧାଇଁ ଆସ ଦେଖିବ, ଏଇ ହେଉଛି ସେଇ ଲୋକ । ହଁ, ସ୍ଥିରତା ଭିତରେ ଯେଉଁଜଣକ କମ୍ପିଉଠୁଛି ଅସହାୟ ଭାବରେ; ସେଇ ଲୋକ । ଦେଖ ସମସ୍ତେ ସେଇ ଧୂର୍ତ୍ତ, ପ୍ରବଞ୍ଚକଙ୍କୁ ।

 

ନିଜ ଅଜାଣତରେ ଦେବକାନ୍ତ ଆର୍ତ୍ତନାଦ କରିଉଠିଲେ । ଆଖି ଖୋଲି ଦେଖିଲେ, ଲଣ୍ଠନଟା ଜଳୁଛି ମୁଣ୍ଡ ପାଖରେ ଥିବା ଟୁଲ ଉପରେ । ଦୁଆର, ଝରକା ବନ୍ଦ ଅଛି । ସେ ନିରାପଦ ଅଛନ୍ତି, ଆଲୋକିତ, ପରିଚିତ କୋଠରୀରେ ଶେଯ ଘୋଡ଼ିହୋଇ । ଏସବୁ ସତ୍ତ୍ୱେ ତାଙ୍କୁ ପ୍ରତିରକ୍ଷା କରୁଥିବା ଘରର କାନ୍ଥ, ଆତ୍ମ-ବିଶ୍ୱାସ ଇତ୍ୟାଦି ଧସକି ଯାଉଛି କୌଣସି ଏକ ଓଜନିଆ, ଅନ୍ଧାରିଆ ଜିନିଷର ଓଜନରେ । ଘରୁ ତ ମଡ଼ା ଉଠିଲା ଓ ମୁଠାଏ ପାଉଁଶ ହୋଇଗଲା; ତଥାପି ଏ ବିଚିତ୍ର ଅନୁଭୂତି କାହିଁକି ?

 

ଦେବକାନ୍ତ ବୋଧକଲେ ତାଙ୍କ ସତ୍ତା ଭିତରୁ କିଛି ଗୋଟାଏ କୋମଳ ଏବଂ କଲବଲ ହୋଇଥିବା ଶକ୍ତି ଆତ୍ମପ୍ରକାଶ କରି ଠିଆହେଲା ତାଙ୍କ ସାମ୍ନାରେ ।

 

—‘ତୁ କିଏ ?’ ଦେବକାନ୍ତ ପ୍ରଶ୍ନ କଲେ ।

 

—‘କିଏ ବୋଲି ତୁ ଭାବୁଛୁ ?’

 

—‘ମୁଁ କିଛି ଭାବି ପାରୁନାହିଁ । ମୁଁ ତୋତେ ଚିହ୍ନେ ନାହିଁ ।’

 

—‘ତୁ ଛଳନା କରି ଜାଣିଛୁ । ମୋତେ ତୁ ଜାଣୁ; କିନ୍ତୁ ନ ଜାଣିଲା ଭଳି ଅଭିନୟ କରୁ ।’

 

ଦେବକାନ୍ତ ନୀରବ ରହିଲେ ଅନେକ ସମୟ ପର୍ଯ୍ୟନ୍ତ । ସାହସ ସଂଗ୍ରହ କରି କହିଲେ ଦୃଢ଼ତାର ସହିତ—‘ତୁ ପୁଣି ଚୁପଚାପ ମୋ ଭିତରେ ଅସ୍ତହୋଇ ଯା’ । ମୋତେ ଆଉ ଅସ୍ଥିର କରନା-। ତୋତେ ମୁଁ ଜମା ସହ୍ୟକରି ପାରୁନାହିଁ ।

 

ତାଙ୍କ କାନ ପାଖରେ କେହି ଜଣେ ଅଟ୍ଟହାସ୍ୟ କଲାଭଳି ଜଣାଗଲା । ତା’ପରେ ତାଙ୍କୁ ଶୁଭିଲା ସେଇ ପୁରୁଣା ସ୍ୱର—‘‘ତୁ ମୋତେ କଲବଲ କରି ଆସିଛୁ । ମୋତେ ଅମାନ୍ୟ କରିଛୁ ବହୁତ ଥର । ଏଇ ଦେଖ୍, ମୋ ଦେହକୁ । ତୋ’ରି ପାପ, କୁ-କର୍ମର କ୍ଷତ ଚିହ୍ନ । ମୁଁ ସ୍ଥିର ହୋଇଯିବି ଗୋଟିଏ ସର୍ତ୍ତରେ ।

 

—‘କି ସର୍ତ୍ତ ?’

 

—‘ତୁ ତୋ ପାପ ସ୍ୱୀକାର କର ସଭିଙ୍କ ସାମନାରେ ।’

 

ଦେବକାନ୍ତ ଚଞ୍ଚଳ ହୋଇ ପଡ଼ିଲେ । ଭୟ ଦେଖାଇଲା ଭଳି ସ୍ୱରରେ ସେ ପ୍ରଶ୍ନ କଲେ–‘କି ପାପ ? ମୁଁ କୌଣସି ପାପ କରିନାହିଁ ।’

 

ପୁଣି ଅଟ୍ଟହାସ୍ୟ । କିଛିକ୍ଷଣ ପରେ ସେଇ ସ୍ୱର—‘କାହାକୁ ଫାଙ୍କି ଦେବାକୁ ଏ ଚେଷ୍ଟା କରୁଛୁ ତୁ ଦେବକାନ୍ତ ? ସତକହ, ତୁ ତୋ ଭାଇଙ୍କୁ ହତ୍ୟା କରିନାହୁ ?’

 

ଧଡ଼ପଡ଼ ହୋଇ ଦେବକାନ୍ତ ଉଠିପଡ଼ିଲେ ବିଛଣା ଉପରୁ । ତାଙ୍କର ତନ୍ଦ୍ରା ଅପସରି ଗଲା । ପରିଚିତ ଶୋଇବା ଘରଟା ଆଗଭଳି ଅବରୁଦ୍ଧ । ଲଣ୍ଠନଟା ବି ଜଳୁଛି । ତଥାପି ଭୟରେ ସେ ଜଡ଼ସଡ଼ ହୋଇଗଲେ । ଚିତ୍କାର କରିବାକୁ ତାଙ୍କର ମନହେଲା । ଦୁଇ ପାପୁଲିରେ ମୁହଁ ଘସି ଅସହାୟ ଭାବରେ ଚାରିଆଡ଼କୁ ଚାହିଁବା ବେଳେ ସେ ନିଜକୁ ପଚାରିଲେ—‘ମୁଁ କ’ଣ ଭାଇଙ୍କର ହତ୍ୟାକାରୀ ?’

 

ଧେତ୍ । ବିରକ୍ତିରେ ଶେଯଟାକୁ ଆଡ଼େଇ ଦେଇ ଦେବକାନ୍ତ ଉଠିଲେ । ବାହାର ଶୀତ, ଅନ୍ଧାର ଓ ନିସ୍ତବଧତା । ଭୟାନକ ଭାବରେ ନିଶୂନ୍, ପ୍ରାଣହୀନ ଜଣାପଡ଼ୁଛି ସବୁ । ଆତଙ୍କରେ ଥରି ଉଠିଲେ ସେ । କବାଟ ବନ୍ଦକରି ବସିଲେ ଖଟ ଧାରରେ କିଛି ସମୟ ପାଇଁ । ନାଃ, ଆଜି ଆଉ ନିଦ ହେବନାହିଁ ।

 

କେଉଁଦିନ ବା ତାଙ୍କୁ ଭଲ ନିଦ ହୁଏ ? କାହିଁ କେଉଁ କାଳରୁ ବନ୍ଧ୍ୟା ସ୍ତ୍ରୀ ମଲେଣି । ତା’ ପରଠୁ କାରଣ–ଅକାରଣରେ ଗୋଟାଏ କ୍ଷୂଧା, ଶୂନ୍ୟତା ତାଙ୍କୁ ଭାରି ଦହଗଞ୍ଜ କରେ । ସେ ଭାରି ଉତ୍ତେଜିତ ହୋଇ ପଡ଼ନ୍ତି । ବେଳେ ବେଳେ କାନ୍ଦି ପକାଇବାକୁ, ଘରର ଆସବାବ ଛିନଛତ୍ର କରିଦେବାକୁ ମନ ହୁଏ । ବେଳେବେଳେ ତାଙ୍କର ମନେ ହୁଏ ସେ ଯେମିତି ଗୋଟାଏ ମଣିଷ ନୁହନ୍ତି—କାଙ୍ଗାଳ ପଣିଆର ସେ ଗୋଟାଏ ଜୈବିକ ଆକୃତି । କ’ଣ ସେହି କାଙ୍ଗାଳପଣ କେଜାଣି-?

 

ତେବେ ରାତିଉଜାଗର ବାଧିଲା ତାଙ୍କୁ । ସେ କିଣିଲେ ପୁଞ୍ଜା ପୁଞ୍ଜା ନିଦବଟିକା । ଚା’ ନ ହେଲେ ଚଳିବ, ରାତ୍ରିଭୋଜନ ନ ହେଲେ ଚଳିବ, କିନ୍ତୁ ଏଇ ବଟିକା ବିନା ସମଗ୍ର ସୃଷ୍ଟି ଉତ୍ତେଜନାମୟ ଓ ଅସ୍ଥିର ଜଣାପଡ଼ିଲା । ରାତି ଜଣାପଡ଼ିଲା କ୍ଳାନ୍ତିକର ଓ ଦଗଧିଭୂତ ।

 

ଦେବକାନ୍ତ ଉଠି ଆଲମିରା ଖୋଲିଲେ । ନିଦ ବଟିକା ଦୁଇଟି ପାଟି ପାଖକୁ ନେଲାବେଳେ କେହି ଜଣେ ସତର୍କ କରିଦେଲା—

 

—‘ଖା’ ନା, ମରିବୁ ।’

 

ସେ ସ୍ତବ୍‍ଧ ହୋଇଗଲେ । ସେ ପର୍ଯ୍ୟନ୍ତ ମନେ ନ ପକେଇବାକୁ ଚେଷ୍ଟା କରୁଥିବା ଦୃଶ୍ୟଟି ଉଭା ହେଲା ତାଙ୍କ ସାମନାରେ ।

 

ଗତ ରାତିର କଥା—

 

ଶ୍ୟାମକାନ୍ତ ବିଛଣାରେ ପଡ଼ି ଛଟପଟ ହେଉଥିଲେ । ଅନେକ ସମୟରେ ଯନ୍ତ୍ରଣାରେ ଆର୍ତ୍ତନାଦ କରୁଥିଲେ । ସଂଧ୍ୟା ସାତଟାରୁ ତାଙ୍କ ପାଖରେ ବସି ରହିଥିଲେ ଦେବକାନ୍ତ । ସେ ଭାବୁଥିଲେ, ଭାଇଙ୍କୁ ଆଉ ବଞ୍ଚେଇ ରଖି ହେବ ନାହିଁ । ତାଙ୍କ ନିଦାନ ପୁରିଗଲା । ଦୀର୍ଘ ଅସୁସ୍ଥତାର ଏକ ଯୌକ୍ତିକ, ସ୍ୱାଭାବିକ ପରିଣତି । ସେ ମନେ ମନେ ଖୁସିହେଲେ ଯେ, ଭାଇଙ୍କ ମୃତ୍ୟୁ ପରେ ତାଙ୍କୁ ହାଲୁକା ଲାଗିବ । ଏ ଘରକୁ ଜାବୁଡ଼ି ଧରିଥିବା ଗୋଟାଏ ବୋଝ ଅପସରି ଯିବ । ମାତ୍ର ରାତି କ୍ରମେ ବଢ଼ିଲା ସିନା ଶ୍ୟାମକାନ୍ତ ମଲେ ନାହିଁ କି ତାଙ୍କ ଯନ୍ତ୍ରଣା କମିଲା ନାହିଁ ।

 

ରାଗରେ ଦେବକାନ୍ତ ଉଠି ଆସିଲେ ସେଠାରୁ, ଆଲମିରା ଖୋଲି ତିନିଟା ନିଦ—ବଟିକା ଧରି ସେ ଫେରି ଆସିଲେ ଭାଇଙ୍କ ଶୋଇବା କୋଠରୀକୁ । ଦୁଇ ହାତରେ ତାଙ୍କ ମୁଣ୍ଡ ଟେକିଧରି ସେ ଖୁଆଇ ଦେଲେ ବଟିକା । ତାଙ୍କୁ ଜୁଳୁଜୁଳୁ ହୋଇ ଚାହିଁ ରହିଥିବା ଦୁଇଟି କୋଟରଗତ ଆଖି ଉଦ୍ଦେଶ୍ୟରେ କହିଲେ—‘ଡାକ୍ତର କହିଛନ୍ତି ଏ ଔଷଧ ଦେବାକୁ । ଯନ୍ତ୍ରଣା କମିଯିବ । ନିଦ ହେବ ।’

 

ଅଳ୍ପ ସମୟ ପରେ ଶୋଇପଡ଼ିଲେ ଶ୍ୟାମକାନ୍ତ । ଚୋରଙ୍କ ଭଳି ଥରିଥରି ସେ କୋଠରୀରୁ ଫେରି ଆସିଲେ ଦେବକାନ୍ତ । ସକାଳୁ ଉଠି ଦେଖିଲା ବେଳକୁ ବିଛଣା ଉପରେ ପଡ଼ିରହିଛି ପଲକହୀନ, ସ୍ପନ୍ଦନହୀନ ଶ୍ୟାମକାନ୍ତଙ୍କ ଦେହ । ସେ ମରି ଯାଇଛନ୍ତି ।

 

ଦେବକାନ୍ତ ଚାହିଁଲେ ଧରିଥିବା ବଟିକା ଦୁଇଟିକୁ । ତାହା ଗିଳିବାକୁ ଉଦ୍ୟତ ହେଲାବେଳେ ପୁଣି ସେଇ ଚେତାବନୀ ଶୁଭିଲା—‘ଖା’ ନା; ମରିବୁ । ଯେମିତି ତୁ ମାରିଦେଲୁ ତୋ’ର ଭାଇଙ୍କୁ ।’

 

ସେ ଏଥର ପାଟିକରି ଉଠିଲେ—‘ମୁଁ ତାଙ୍କୁ ମାରି ନାହିଁ । ତାଙ୍କ ଯନ୍ତ୍ରଣା ସହି ନ ପାରି ଏ ନିଦ-ଔଷଧ ଖୁଆଇ ଦେଇଥିଲି । ଏହାରି ଯୋଗୁଁ ସେ ମଲେ ବୋଲି ମୁଁ ବିଶ୍ୱାସ କରିବି କିପରି-? ମୁଁ ତ ଅଧିକାଂଶ ରାତିରେ ଏସବୁ ଖାଉଛି । କାହିଁ ? ମୁଁ କ’ଣ ମରିଯାଇଛି ?’

 

—‘ଆରେ ମୁର୍ଖ । କଥାଟା ଆଉ ଥରେ ଭାବି ଦେଖ୍ । ତୋ’ ଭାଇ ଆଉ କେଉଁଦିନ ନ ମରି ତୁ ଯେଉଁ ରାତିରେ ଏ ବଟିକା ଖୁଆଇ ଦେଲୁ, ଠିକ୍ ସେଇ ରାତିରେ ମରିଗଲେ କିପରି ? ରଖି ଦେ ସେ ବଟିକା ।’

 

ଦେବକାନ୍ତ ବ୍ୟାକୁଳ ସ୍ୱରରେ କହିଲେ—‘ମୋତେ ନିଦ ହେଉ ନାହିଁ । ଭାରି ଅସ୍ଥିର ଲାଗୁଛି ।’

 

ଚେତାବନୀ ଶୁଣାଇଥିବା ସେ ସ୍ୱର ଚାଲେଞ୍ଜ କଲାଭଳି କହିଲା—‘ହଉ । ତେବେ ଖା ଏଇ ବଟିକା ।’

 

ଦେବକାନ୍ତ ଫେରିଲେ ବିଛଣା ଉପରକୁ । ଶେଯ ଘୋଡ଼େଇ ହୋଇ ଶୋଇବା ପାଇଁ ଚେଷ୍ଟାକଲେ ।

 

ପ୍ରକୃତରେ ଘରଟା ଆଜି ଖାଁ...ଖାଁ ଲାଗୁଛି । ଆଉ ବା କେଇଟା ଦିନ ? ସେ ଆଖି ବୁଜିଲା ପରେ ଏ ଘର ବାରଣ୍ଡାରେ କିଏ ଠିଆହୋଇ ଅପେକ୍ଷା କରିବ ଆମ୍ୱଗଛର ବଉଳକୁ ? କାହାପାଇଁ, ତାଙ୍କ ପରେ, ରୋଷେଇ ଘରୁ ଧୂଆଁ ଉଠି ମିଶିଯିବ ଆକାଶ ଛାତିରେ ? କିଏ ଉପାଡ଼ିବ ଅଗଣାର ଘାସ ?

 

ଛାତକୁ ଚାହିଁ ଏଇ କଥା ଭାବିଲାବେଳେ ଦେବକାନ୍ତଙ୍କର ଦୁଇ ଆଖି ଓଦା ହୋଇଗଲା-। ତିନି ତିନିଟା ପୁତୁରା ଯେ, ସେମାନେ କ’ଣ କେବେ ଚାକିରି ଛାଡ଼ି ଏ ଘରର କୋଳ ଭିତରକୁ ଫେରିବେ ? ନିଜ ବାପ ପ୍ରତି ତ ଏତେ ହତାଦର, ଆଉ ଏ ଘର କଥା ପଚାରେ କିଏ ? ତଥାପି ଏଇ କଥା ଭାବି ସେ ସନ୍ତୁଷ୍ଟ ହେଲେ ଯେ ଶେଷପର୍ଯ୍ୟନ୍ତ ସେ ଏକୁଟିଆ ଭାଇଙ୍କର ସେବା କରି ପାରିଛନ୍ତି ।

 

ତାଙ୍କ ଭିତରେ କେହି ଜଣେ ବିଦ୍ରୂପର ହସ ହସିଲା । ପରକ୍ଷଣରେ ସେଇ କେତୋଟି ରହସ୍ୟାଚ୍ଛନ୍ନ ମୁହୂର୍ତ୍ତ ଠିଆ ହେଲା ତାଙ୍କ ଆଗରେ—ଆଲମିରାରୁ ନିଦବଟିକା ନେଇ ଶ୍ୟାମକାନ୍ତଙ୍କୁ ତାହା ଖୁଆଇବା ମଧ୍ୟରେ ଅତିବାହିତ ହୋଇଥିବା ମୁହୂର୍ତ୍ତ ସବୁ ।

 

ଦେବକାନ୍ତ ଯେମିତି ହଠାତ୍ ପରାଜିତ ହୋଇଗଲେ ନିଜ ପାଖରେ । ସେଇ ମୁହୂର୍ତ୍ତ ଗୁଡ଼ାକ ତାଙ୍କୁ ଏମିତି କାବୁ କରିଥିଲା ଯେ ସେ ପ୍ରକୃତରେ ଗୋଟାଏ ଅପଶକ୍ତି ଦ୍ୱାରା ପରିଚାଳିତ ହୋଇଥିଲେ ସେତେବେଳେ । ତାଙ୍କ ବଟିକା ଦ୍ୱାରା ଶ୍ୟାମକାନ୍ତ ମଲେ କି ନାହଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; କିନ୍ତୁ ସେଇ ସମୟରେ ତାଙ୍କ ମନରୁ ଜାତ ଗୋଟାଏ ପିଶାଚ ତାଙ୍କୁ ନିର୍ଦ୍ଦେଶ ଦେଇଥିଲା–‘ଏ ବଟିକା ଖୁଆଇ ଦେ ତୋ ଭାଇଙ୍କୁ । କେତେ ଆଉ ହରକତ ହେବୁ ? କ’ଣ ଆଉ ମୂଲ୍ୟ ଅଛି ତୋ ଭାଇ ଜୀବନର ? ସେ ମୁକ୍ତ ହୋଇଯିବେ, ତୁ ବି ଆଶ୍ୱସ୍ତ ହେବୁ । ସେଇ ଲୋକ ତ ପୁଣି ଏକଦା ଆତ୍ମହତ୍ୟା କରିବାକୁ ବସିଥିଲେ !’

 

ଦେବକାନ୍ତ ଦେହରୁ ଝାଳ ବହିଗଲା । ସେ ସ୍ଥିର ହୋଇ ରହିପାରିଲେ ନାହିଁ ବିଛଣାରେ-। ଯାହା ହେଉପଛେ, ନିଦ ବଟିକା ନ ହେଲେ ଆଉ ରକ୍ଷା ନାହିଁ ।

 

ସେ ପୁଣି ଗଲେ ଆଲମିରା ପାଖକୁ । ଡବା ଭିତରୁ ବାହାର କଲେ ଦୁଇଟି ବଟିକା । ଶୋଇ ପଡ଼ିବା ପାଇଁ ସେ ଦୁଇଟି ବଟିକା ଗିଳନ୍ତି । ଏମିତି କ’ଣ କାରଣ ଅଛି ଯେ, ଆଜି ସେଇ ଔଷଧ ବ୍ୟବହାର କଲେ ସେ ମରିଯିବେ ?

 

ଡାହାଣ ହାତ ଚକିରେ ବଟିକା ଦୁଇଟି ଅଭୁତ ଭାବରେ ଉଜ୍ଜ୍ୱଳ ଦେଖାଯାଉଛି । ମନର ଅସ୍ଥିରତା ଓ କ୍ଳାନ୍ତି କହୁଥିଲା—ଶୋଇପଡ଼ିବାକୁ ଚାହୁଁ ଯଦି ଏ ଔଷଧ ସେବନ କର । କିଏ ଭଲା ଏଥିରେ ମରିଯାଇଛି ଯେ ତୁ ମରିଯିବୁ ?

 

ସକାଳେ ଦେଖିଥିବା ଶ୍ୟାମକାନ୍ତଙ୍କର ନିଶ୍ଚେଷ୍ଟ, ଯନ୍ତ୍ରଣାମୁକ୍ତ ଶରୀର ଆହ୍ୱାନ କରୁଥିଲା–ଆ, ଦେବକାନ୍ତ । ଶୋଇଯିବା ସାଙ୍ଗହୋଇ ମଶାଣିରେ । କେତେବର୍ଷ ବା ତୁ ଆଉ ବଞ୍ଚିବୁ ? ସବୁ ରାତିରେ କେତେ ଆଉ ଆଶ୍ରୟ ନେବୁ ଏ ବଟିକାର ସମ୍ମୋହନୀ ଶକ୍ତି ଭିତରେ । ତୋ ସ୍ନାୟୁଗୁଡ଼ାକୁ ଶାନ୍ତ କରିଦେ ସବୁଦିନ ପାଇଁ; ମୋତେ ଯେମିତି ଶାନ୍ତ କରିଦେଲୁ । ଏଥର ଗିଳିପକା ଏ ବଟିକା ।

 

ଦେବକାନ୍ତଙ୍କର ଡାହାଣ ହାତ ମୁଠା ହୋଇଗଲା । ଚଞ୍ଚଳ ସେ ଝରକା ଖୋଲି ବଟିକା ଦୁଇଟିକୁ ଫୋପାଡ଼ିଦେଲେ ବାହାରକୁ ।

Image

 

ଶେଷ ଦୃଷ୍ଟି

 

ସନ୍ଧ୍ୟା ଛ’ଟା ବେଳକୁ ସବୁ ଫାଙ୍କା ଫାଙ୍କା ଲାଗିଲା । କେଦାର ବାବୁଙ୍କୁ ଦେଖିବା ପାଇଁ ଆସିଥିବା ସେ ଦିନର ସର୍ବଶେଷ ଅତିଥିଜଣକ ଏଇ ପନ୍ଦର ମିନିଟ୍ ହେବ ଚାଲିଗଲେଣି । ବୁଢ଼ା ଲୋକ । ପୁରୁଣା ସାଇକେଲ । ଅନ୍ଧାର ରାତି । ଗଲାବେଳେ ପଙ୍କଜକୁ କହିଗଲେ—‘ଯାଉଛିରେ ବାପ । କେଦାରଟା ପଡ଼ିଛି ବୋଲି ପରତେ ହେଉ ନ ଥିଲା । ମୋ ଆଗରେ ତ ତୋ ବାପ ପିଲା । ହେଲେ କେଡ଼େ ଚଞ୍ଚଳ... ।’ ହଠାତ୍ ଆବେଗମୟ କଣ୍ଠରେ ସେ ଯୋଗ କଲେ—‘ମୁଁ ହେଲେ ମରିଯାଆନ୍ତି । ତୋ ବାପ ଏ ଅଞ୍ଚଳରେ ମଣି । ସେ ଚାଲିଗଲା ପରେ ଆମେ ସମସ୍ତେ ଉେଛଣ୍ଡ ହୋଇଯିବା ।’ କାନ୍ଧରେ ପଡ଼ିଥିବା ମଇଳା ଗାମୁଛାରେ ସେ କୋଟରଗତ ନିଷ୍ପ୍ରାଣ ଆଖି ପୋଛିଲେ-। ଆଉ କିଛି କଥା ନାହିଁ । ତାଙ୍କ ସାଇକେଲ ଅଦୃଶ୍ୟ ହୋଇଗଲା ।

 

ତାଙ୍କ କଣ୍ଠ ସ୍ୱରରେ କ’ଣ ଥିଲା କେଜାଣି ? ପଙ୍କଜର ସମଗ୍ର ସତ୍ତା ତୀବ୍ର କରୁଣତାରେ ଆଚ୍ଛନ୍ନ ହୋଇଗଲା ନିମିଷକ ମଧ୍ୟରେ । କେତେଲୋକ ଆସୁଛନ୍ତି, ଯାଉଛନ୍ତି । କେଦାର ବାବୁଙ୍କର ଆରୋଗ୍ୟ କାମନା କରୁଛନ୍ତି । ପଙ୍କଜକୁ ସାନ୍ତ୍ୱନା ଦେଉଛନ୍ତି । ହେଲେ ଏଇ ମାତ୍ର ଚାଲିଯାଇଥିବା ବୁଢ଼ାଲୋକ ଜଣକ ? ତାଙ୍କ କଣ୍ଠରେ କେଦାରବାବୁଙ୍କ ପ୍ରତି ପ୍ରକାଶ ପାଇଥିବା ଶ୍ରଦ୍ଧା ଓ ତାଙ୍କ ଅନ୍ତେ ଏ ଅଞ୍ଚଳର ଅଭାବବୋଧ ପଙ୍କଜକୁ ଦୁର୍ବଳ କରି ପକାଇଲା ।

 

କେଦାରବାବୁଙ୍କ ମୃତ୍ୟୁ ଆସନ୍ନ । ଟେଲିଗ୍ରାମ୍ ପାଇ ପଙ୍କଜ ରାଜଧାନୀରୁ ଗାଁକୁ ଆସିଛି, ଆଜିକୁ ପାଞ୍ଚଦିନ ହେଲା । କେଦାରବାବୁଙ୍କ ଅସୁସ୍ଥତା ଆକସ୍ମିକ । ଘରେ ପହଞ୍ଚି ତାଙ୍କ ଅବସ୍ଥା ଦେଖି ପଙ୍କଜ ଭାଙ୍ଗି ପଡ଼ିଥିଲା । ମାତ୍ର ପରକ୍ଷଣରେ ନିଜକୁ ସମ୍ଭାଳି ନେଇଥିଲା ସେ । ତାଙ୍କର ଅନ୍ତିମ ମୁହୂର୍ତ୍ତକୁ ଅପେକ୍ଷା କରୁଥିଲା; କାରଣ ଡାକ୍ତରଙ୍କ ଔଷଧ କୌଣସି ଅନୁକୂଳ ପ୍ରଭାବ ସୃଷ୍ଟିକରୁ ନ ଥିଲା, କେଦାରବାବୁଙ୍କର ଶୀର୍ଣ୍ଣ ଶରୀର ଉପରେ ।

 

ଦୀର୍ଘ ପାଞ୍ଚଦିନର ପ୍ରତୀକ୍ଷା । ବାପାଙ୍କର ମୃତ୍ୟୁ ପାଇଁ । ବେଳେବେଳେ ପଙ୍କଜର ଧୈର୍ଯ୍ୟଚ୍ୟୁତି ଘଟୁଥିଲା, ଅସ୍ଥିର ଲାଗୁଥିଲା । ଏକ କ୍ଳାନ୍ତିମୟ, ସମ୍ଭାବନାହୀନ ପ୍ରତୀକ୍ଷା ।

 

ଅଥଚ ବର୍ତ୍ତମାନ ସେଇ ବୁଢ଼ାଲୋକ ଜଣକ ଚାଲିଯିବା ପରେ ସେ ଏମିତି ନିଃସହାୟ ହୋଇ ପଡ଼ୁଛି କାହିଁକି ? କଣ୍ଠ ବାଷ୍ପରୁଦ୍ଧ ହୋଇ ପଡ଼ୁଛି । ସେ ଯେପରି ପ୍ରତିରକ୍ଷାବିହୀନ ହୋଇ ପଡ଼ୁଛି । ବିଶ୍ୱର ବ୍ୟାପକତା ଭିତରେ ଅଚିହ୍ନା ହୋଇଯାଉଛି । ତାକୁ ସୃଷ୍ଟି କରିଥିବା ଓ ଭବିଷ୍ୟତ ଦେଇଥିବା ଶକ୍ତିଟି କ୍ରମଶଃ ହଜିଯାଉଛି କେଉଁଆଡ଼େ ।

 

ପଙ୍କଜ ଦୀର୍ଘଶ୍ୱାସ ତ୍ୟାଗକଲା । ଅନ୍ଧାର ହୋଇଗଲାଣି । କେଦାରବାବୁଙ୍କ ଶୋଇବାଘରେ ଲଣ୍ଠନ ଜଳିଲାଣି ନିଶ୍ଚୟ । ଖୋଲା ଝରକା ଦେଇ ପାଣ୍ଡୁର ଆଲୋକ ଦେଖା ଯାଉଛି । ଆଉ ଅଳ୍ପ ସମୟ ପରେ ମୂଲିଆ ଦୁଇଜଣ ଏ ବାରଣ୍ଡାରେ ଶୋଇବେ । ଖଞ୍ଜା ଭିତର ବାରଣ୍ଡାରେ ଶୋଇବ ପିଉସୀ ଲେଖା ସାଇର ଜଣେ ବୃଦ୍ଧା । ସେ ଶୋଇବ ବାପାଙ୍କ ଶୋଇବା ଘରେ । ସମସ୍ତେ ଯେପରି ପ୍ରଶ୍ନ ପଚାରିବାରେ ବ୍ୟସ୍ତ ରହିବେ—‘ଗୋଟାଏ ଶବକୁ ଶ୍ମଶାନକୁ ନେବାପାଇଁ କେତେ ପରିଶ୍ରମ ଦରକାର ? ତାହା ଭସ୍ମୀଭୂତ ହେବାକୁ କେତେ ସମୟ ଲାଗିବ ?’ ପଙ୍କଜ ଆଖି ଆଗରେ ଶ୍ମଶାନର ଛବି ନାଚି ଉଠିଲା । କେଦାରବାବୁ ନିଶ୍ଚଳ ହୋଇ ପଡ଼ି ରହିଛନ୍ତି ଖଟ ଉପରେ । ପଙ୍କଜ ଘଡ଼ି ଦେଖିଲା । ଔଷଧ ଦେବା ସମୟ ହୋଇନାହିଁ । କେଦାର ବାବୁଙ୍କ ଆପତ୍ତି ସତ୍ତ୍ୱେ ତାଙ୍କୁ ଔଷଧ ଦେବା ତା’ର ଦାୟିତ୍ୱ ।

 

ସେ ବସିଲା ଚୌକି ଉପରେ । ସେ ଜନ୍ମହେବା ଆଗରୁ ତିଆରି ହୋଇଥିବା ଇଟା, ଚୂନ ଓ ସିମେଣ୍ଟ ଟାଇଲର ଏଇ ଘର ଚୂନ ଧୂଲେଇ ହୋଇନାହିଁ । ଏ ପଟ ଠଣାରେ ବେଳେ ବେଳେ କିରାସିନି ଡିବି ରଖାଯାଏ । ଠଣା ଭିତରର କଳାଦାଗ ଦେଖି ଆସୁଛି ସେ ପିଲାଦିନୁ । ତା’ର ଆୟତନ ବଢ଼ୁଛି । ଅନ୍ୟଟିରେ ଶିବଙ୍କର ମସିଆ ଫଟୋ । ତା’ ତଳେ ଶିବପୁରାଣ । ବାରମ୍ୱାର ବ୍ୟବହାର ଫଳରେ ପୃଷ୍ଠାଗୁଡ଼ାକରୁ କୋଣସବୁ ଛିଡ଼ିଗଲାଣି । ପୁରାଣ କଡ଼କୁ ଲାଗି ଧୂପକାଠି, ବିବର୍ଣ୍ଣ ହୋଇଯାଇଥିବା ଫୁଲର କେତୋଟି ଶୁଖିଲା ପାଖୁଡ଼ା । ଗୋଟାଏ ବଡ଼ କାଠ ଆଲମାରୀ । ତା’ ଭିତରେ ବହି, ଗାଁରେ ହେଉଥିବା ପୂଜା, ଅଷ୍ଟପ୍ରହରୀ ଇତ୍ୟାଦି ସମ୍ପର୍କୀୟ କାଗଜପତ୍ର, ସାନବଡ଼ ଔଷଧବୋତଲ ଓ ବଟିକା ଏପରି କି ପେଟ୍ରୋମାକ୍‍ସ ପାଇଁ ମ୍ୟାଣ୍ଟଲ ଓ ଶୀତଦିନେ ମୁହଁରେ ମଖା ଯାଉଥିବା କ୍ରିମ୍ ଅଛି । କେହି ଲୋକ କେଦାରବାବୁଙ୍କ ପାଖକୁ କୌଣସି କାମରେ ଆସିଲେ, ସେ ପ୍ରାୟ ଏଇ ଆଲମାରୀ ଖୋଲନ୍ତି । କୋଠରୀର ମଝିରେ ପିଲାଦିନୁ ଦେଖିଆସୁଥିବା ଖଟ ।

 

ପଙ୍କଜ ଚାରିଆଡ଼ୁ ଆଖି ବୁଲାଇ ଆଣିଲା ହାଇସ୍କୁଲରେ ପଢ଼ିବା ପର୍ଯ୍ୟନ୍ତ ସେ ଏଇ ଖଟ ଉପରେ ଶୋଉଥିଲା । ବାପାଙ୍କ କୋଳ ଭିତରେ । ମା’ କୋଳର ଉଷ୍ମତା ଆଉ ତା’ର ମନେନାହିଁ । ସେ ଦେଖିବାକୁ କିମିତି ଥିଲା, ତାହା ବି ମନେ ନାହିଁ ତା’ର ।

 

ଏ ସେଇ କୋଠରୀ । ସେହି ଆପଣାର ଖଟ । ଏହା ଉପରେ ଶୋଇବା କେଡ଼େ ନିରାପଦ ଥିଲା । ବର୍ତ୍ତମାନର ଆଶଙ୍କା ଓ ଆଶାହୀନତା ନଥିଲା ସେତେବେଳେ । ପଙ୍କଜ ଆଖିରୁ ଝରି ଆସିଲା ଦୁଇଧାର ଲୁହ । ପିଲାଦିନର ସେ ଆବେଗମୟ ମୁହୂର୍ତ୍ତଗୁଡ଼ାକ ଗଲେ କୁଆଡ଼େ ?

 

ପୋଖରୀରେ ପହଁରିବା କିମ୍ୱା ଆମ୍ୱଗଛରେ ଚଢ଼ିବା ଯୋଗୁଁ ବାପାଙ୍କର ହାତର ପାହାର ତାକୁ ଶାସନ କରୁଥିଲା । ସେତେବେଳେ ବିଦ୍ରୋହ ଓ ପ୍ରତିବାଦରେ ମନ ଉତ୍ତ୍ୟକ୍ତ ହେଉଥିଲା । ଜଣା ଯାଉଥିଲା, ତା’ର ସ୍ୱାଧୀନତା ଓ ଜିଜ୍ଞାସାକୁ ବନ୍ଦୀ କରାଯାଉଛି ଶୃଙ୍ଖଳା ଓ ଶାସନର ପାଚେରୀ ଭିତରେ ।

 

ଅଥଚ ଯେଉଁଦିନ ସେ ଗୋଟାଏ ଡେଉଁରିଆ ବାନ୍ଧିଥିଲା ! ସାଇର ସାବିତ୍ରୀନାନୀ ଗୋଟାଏ ଡେଉଁରିଆ ବାନ୍ଧେ । ତା’ର ଗୋରା ବାହାକୁ କଳାରଙ୍ଗର ସୂତା ଭାରି ମାନେ । ଥରେ ସେ ସାବିତ୍ରୀନାନୀକୁ ସେ ସମ୍ପର୍କରେ ପଚାରିଥିଲା । ସାବିତ୍ରୀନାନୀ ତା’ର ଦୁଇ ଗାଲକୁ ହାତ ପାପୁଲିରେ ଜାକିଧରି କହିଥିଲା ଯେ, ସେ ଯଦି ସେଭଳି ଗୋଟାଏ ଡେଉଁରିଆ ବାନ୍ଧିବ, ତେବେ ରାଜକୁମାରୀକୁ ବାହାହୋଇ ପାରିବ । ଘୋଡ଼ାରେ ଚଢ଼ି ଅନେକ ରାଇଜ ବୁଲିବ । ଏବେ ବି ମନେ ଅଛି ପଙ୍କଜକୁ ଭାରି ଲାଜ ମାଡ଼ିଥିଲା । ବାହାହେବାର ଅର୍ଥ ନ ବୁଝିଥିଲେ ବି, ତା’ର କାନମୁଣ୍ଡା ଗରମ ହୋଇ ଯାଇଥିଲା । ମୁହଁ ନାଲି ହୋଇଯାଇଥିଲା । କିନ୍ତୁ ଘରକୁ ଆସି ଆଲମିରାରେ ପଡ଼ିଥିବା ବହୁଦିନର ଗୋଟାଏ ଡେଉଁରିଆ ସେ ବାନ୍ଧିଲା । ସାବିତ୍ରୀନାନୀ ଭଳି ସେ ଗୋରା ନଥିଲା, ପୁଣି ତା’ ଡେଉଁରିଆରେ ନାଲିସୂତା ଲାଗିଥିଲା । ସେଦିନ ସନ୍ଧ୍ୟାରେ କେଦାରବାବୁଙ୍କ ହାତରେ ଧରାପଡ଼ିଲା ସେ । ପଙ୍କଜ ସବୁକଥା କହିସାରିବା ପରେ, କେଦାରବାବୁ ଉଚ୍ଚ ସ୍ୱରରେ ହସି ଉଠିଥିଲେ । ତାକୁ ଛାତି ଉପରେ ଜାକିଧରି କହିଥିଲେ—‘ଡେଉଁରିଆ ନୁହେଁ, ମନଦେଇ ପାଠ ପଢ଼ିଲେ ସିନା ରାଜା ହେବୁ ।’ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଜାଣିଲା, ସାବିତ୍ରୀନାନୀ ରାତିରେ ବିଳିବିଳାଏ ବୋଲି ଡେଉଁରିଆ ବାନ୍ଧେ । ସେ ମନକୁ ମନ ହସି ଭାବିଥିଲା—ଝିଅମାନେ ବିଳିବିଳାଇବାଟା କେଡ଼େ ବିପଜ୍ଜନକ କଥା ସତେ ।

 

ସେ ରାଜା ହୋଇପାରିଲା ନାହିଁ । ଭଲ ଛାତ୍ର ହୋଇଥିଲେ ସିନା ! ସେ ବା ଆଉ କରିଥାନ୍ତା କ’ଣ ? କେତେ ପଢ଼େ, କେତେଲେଖେ । ହେଲେ ପରୀକ୍ଷାରେ ସେ ଭଲ କରିପାରେ ନାହିଁ । ପରୀକ୍ଷା ହଲରେ ପଶିବା କ୍ଷଣି ସବୁ ଭୁଲିଯାଏ । ଏଇକଥା ମନେ ପକାଇ ସେ କ’ଣ କମ୍ କାନ୍ଦିଛି । ନିଜର ଅପାରଗତା ପାଇଁ ନୁହେଁ; ବାପାଙ୍କର ଆଶା ଓ ସ୍ୱପ୍ନ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଉଛି ବୋଲି ଭାବି ।

 

କଲେଜରେ ପଢ଼ିବାବେଳର କଥା । ଦୋଳ ଛୁଟିରେ ଘରକୁ ଆସିବ ନାହିଁ ବୋଲି ଚିଠି ଦେଇଥିଲା । କିନ୍ତୁ ଚିଠି ଖଣ୍ଡକ ଡାକବାକ୍‍୍‍ସରେ ପକେଇବା ପରେ ତାକୁ ଜଣାପଡ଼ିଲା ଗୋଟାଏ ଅଦୃଶ୍ୟ, ଦୃଢ଼ ବନ୍ଧନ ତାକୁ ଆହ୍ୱାନ କରୁଛି ଘରକୁ ଆସିବା ପାଇଁ । ସେ ଘରେ ଆସି ଦେଖିଲା,—ବାପା ନିଜେ ଆରିସା ପିଠା ଛାଣୁଛନ୍ତି । ତା ପରଦିନ ସେ ସବୁ ନେଇ ତା’ ପାଖରେ ପହଞ୍ଚିଥାନ୍ତେ । କିମିତି ଭୁଲିବ ସେ ମୁହୂର୍ତ୍ତସବୁ ? ତା’ ଆଖିରୁ ଯେଉଁ ଲୁହ ଝରି ଆସିଥିଲା, ତା’ ହୃଦୟରେ ଯେଉଁ ବିଚିତ୍ର ଶିହରଣ ସୃଷ୍ଟି ହୋଇଥିଲା, ସେସବୁ ଏବେ ବି ତ ମନେ ଅଛି ।

 

ସେଇ ବାପାଙ୍କ ମୃତ୍ୟୁପାଇଁ ସେ ଅପେକ୍ଷା କରିଛି ପାଞ୍ଚଦିନ ହେଲା । ପଙ୍କଜ ପାପୁଲି ପିଠିରେ ହାତ ପୋଛି ଚାହିଁଲା କେଦାରବାବୁଙ୍କ ଆଡ଼େ । ସେ ତା’ରି ଆଡ଼େ ଅନେଇଥିଲେ । ପଙ୍କଜ ତାଙ୍କ ଖଟ ପାଖକୁ ଉଠିଗଲା । ହଠାତ୍ ସେ ଖୁବ୍ ଜୋରରେ ଆଖିବୁଜିଲେ, ଭ୍ରୂଲତା ଓ କପାଳର ରେଖା କୁଞ୍ଚିତ ହେଲା । ଓଠ ଓ ମୁହଁ ଉପରେ ପ୍ରତିଫଳିତ ହେଲା ଯନ୍ତ୍ରଣା ଓ ପରାଜୟ ଜନିତ ବେଦନାର ଏକ ମର୍ମନ୍ତୁଦ ଚିତ୍ର । ସତେ ଯେପରି ହୃଦୟ ଓ ମନ ଭିତରେ ସୃଷ୍ଟି ହୋଇଥିବା, ଏସବୁର ଏକ ପ୍ରଚଣ୍ଡ ବନ୍ୟା । ତାଙ୍କ ଶରୀରର ପ୍ରତ୍ୟେକ ଅଙ୍ଗ-ପ୍ରତ୍ୟଙ୍ଗକୁ ଛିନ୍ନ ଭିନ୍ନ କରିଦେବ । ପଙ୍କଜର ହୃତସ୍ପନ୍ଦନ ବଢ଼ିଗଲା । କିନ୍ତୁ ନା । କେଦାରବାବୁ ଆଖି ଖୋଲିଲେ । ତାଙ୍କ ପାଣ୍ଡୁର ମୁହଁକୁ ସ୍ୱାଭାବିକତା ଫେରି ଆସିଲା । କେବଳ ଦୁଇ ଆଖିରୁ ଦୁଇ ଠୋପା ଲୁହ ଝରି ଆସିଲା କାନପର୍ଯ୍ୟନ୍ତ-

 

ପଙ୍କଜ ତାଙ୍କ ମୁହଁ ପୋଛି ସାରି ନିମ୍ନ କଣ୍ଠରେ କହିଲା—ପାଟି ଖୋଲ ବାପା । ଔଷଧ ଦେବି ।’

 

କେଦାରବାବୁ କେବଳ ଆସ୍ତେ ମୁଣ୍ଡ ହଲାଇଲେ ଓ ପାଖରେ ବସିବାକୁ ସଙ୍କେତ ଦେଲେ । ପଙ୍କଜ କଥା ମାନିଲା । କେଦାରବାବୁ କିଛି କହିବାକୁ ଚେଷ୍ଟା କଲେ । ପଙ୍କଜ ସତର୍କ ହୋଇ ପଡ଼ୁଥିଲା । କିନ୍ତୁ କିଛି କଥା ନାହିଁ । କେଦାରବାବୁ ଆଖି ବୁଜି ପଡ଼ିରହିଲେ ନିଶ୍ଚଳ ହୋଇ ।

 

ଉଦାସ ଆଖିରେ ଚାରିଆଡ଼କୁ ଚାହିଁଲାବେଳେ ସେ ନିଜକୁ ପଚାରିଲା—ଏ ରାତି କ’ଣ ଶେଷ ରାତି ? ଦେଖିଲା, କେଦାରବାବୁ ତା’ ଆଡ଼େ ଚାହିଁଛନ୍ତି ପଙ୍କଜ ଟିକିଏ ଡରିଗଲା ।

 

—‘ଆଜି ମୋର ଶେଷ ରାତି ।’ ବହୁଦୂରରୁ ଶୁଣିଲା ଭଳି ଜଣାଗଲା, କେଦାରବାବୁଙ୍କ ସ୍ୱର । ପଙ୍କଜ ଆହୁରି ପାଖକୁ ଘୁଞ୍ଚିଗଲା । ଆହୁରି ଅସ୍ପଷ୍ଟ କଣ୍ଠ ଶୁଭିଲା—‘କେବଳ ଏଇ ରାତିକ । ପଙ୍କଜ... ।’ ତାପରେ ଯନ୍ତ୍ରଣା ଜର୍ଜରିତ ଆର୍ତ୍ତନାଦ—‘ଉଃ–ପାଣି ।’

 

ପଙ୍କଜ ଚାମଚ ସାହାଯ୍ୟରେ ତାଙ୍କ ପାଟିରେ ପାଣି ଦେଲା । ସେ ପ୍ରସ୍ତାବ କଲା–‘ଗୀତା ପଢ଼ିବି ?’ ମାତ୍ର କେଦାରବାବୁ ନାସ୍ତିବାଚକ ମୁଣ୍ଡ ହଲାଇଲେ । ତେବେ ପଙ୍କଜର ମନେହେଲା ଯେ, ଆଉ ଅଳ୍ପସମୟ ପରେ ହୁଏତ ବାପା ଆଖି ବୁଜିପାରନ୍ତି । ତେଣୁ ସେ ଗୀତା ପଢ଼ିବା ଉଚିତ । ଟୁଲ ଉପରେ ଥୁଆ ହୋଇଥିବା ଗୀତା ଆଣି ସେ ପଢ଼ିବସିଲା । କିନ୍ତୁ ଅଳ୍ପ କ୍ଷଣ ପରେ କେଦାରବାବୁଙ୍କ ଦୃଢ଼ସ୍ୱର ଶୁଣାଗଲା—‘ବନ୍ଦକର ସେ ଭଣ୍ଡାମୀ !’

 

ପଙ୍କଜ କିଛି ନ ବୁଝି ପାରିଲା ଭଳି ଚାହିଁଲା ବାପାଙ୍କ ଆଡ଼େ । ଭଣ୍ଡାମୀ ! ଅଥଚ ପ୍ରତିଦିନ ଗାଧୋଇବା ପରେ ଘଣ୍ଟାକର ପୂଜା ସହିତ ସେ ଗୀତା ପାଠ କରୁଥିଲେ । ସେତେବେଳେ ତାଙ୍କୁ କେହି ଡିଷ୍ଟର୍ବ କରନ୍ତି ନାହିଁ । ଦିନେ ଦିନେ କ’ଣ ହୁଏ ନା, ଗୀତା ପଢ଼ୁ ପଢ଼ୁ ସେ କାନ୍ଦି ପକାନ୍ତି-। ଅଥଚ ଆଜି ଶେଷବେଳେ ଜୀବନ ବ୍ୟାପୀ ଏକ ସାଧନାକୁ ଭାଣ୍ଡାମୀ ବୋଲି ବର୍ଣ୍ଣନାକରି, ତାହାକୁ ଅସ୍ୱୀକାର କରି ପାରିଲେ କିପରି ? ବୋଧହୁଏ ତାଙ୍କ ବିଜ୍ଞତା ଆଉ ଠିକ୍‍୍‍ଭାବେ କାମ କରୁନାହିଁ; ଅଥବା ସେ ଜାଣିପାରି ନାହାନ୍ତି, କ’ଣ ସେ କହିଲେ । ବାରଣ ସତ୍ତ୍ୱେ ସେ ପୁନରାୟ ଗୀତା ପଢ଼ିବାକୁ ଉଦ୍ୟତ ହେଲାବେଳେ, କେଦାରବାବୁ କହିଲେ—‘ଗୀତାଟା ରଖିଦେ । ମତେ ଆଉ ଏସବୁ ଜମା ଭଲ ଲାଗୁ ନାହିଁ ।’ ପଂକଜ ଯଥାସ୍ଥାନରେ ଗୀତାଟା ରଖିଦେଲା ।

 

—‘‘ପାଖକୁ ଘୁଞ୍ଚିଆ ।’’ କେଦାରବାବୁ କହିଲେ । ସେ ଟିକିଏ ସତେଜ ଜଣା ପଡ଼ୁଥିଲେ-। ତାଙ୍କ କଣ୍ଠସ୍ୱର ସ୍ପଷ୍ଟ ଓ ଚଞ୍ଚଳ ହୋଇ ପଡ଼ୁଥିଲା । ଦୀର୍ଘଶ୍ୱାସ ତ୍ୟାଗକରି ସେ କହିଲେ—‘ଯାଉଛି ଯେତେବେଳେ ଆଉ କିଛି କଥା ଲୁଚେଇ ଲାଭ ନାହିଁ ।’ ହଠାତ୍ ସେ ନୀରବ ହେଲେ । ପୁଣି ସେ ଅପେକ୍ଷାକୃତ ଉଚ୍ଚସ୍ୱରରେ କହିଲେ—‘କିଏ, କିଏ ଆସୁଛ ?’

 

ପଂକଜ ଚାହିଁଲା ଚାରିଆଡ଼େ । କେହି ନାହିଁ । କେବଳ ପବନ ଧକ୍କାରେ ଚାରି/ପାଞ୍ଚ ବର୍ଷ ତଳର ମଳିନ କ୍ୟାଲେଣ୍ଡରଟା କାନ୍ଥ ଉପରେ ଥରୁଛି ଓ ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରୁଛି । କାନ୍ଥ ଉପରେ ପଡ଼ିଥିବା ନିଜର ଓ କେଦାର ବାବୁଙ୍କ ଖଟର ଛାଇ ଟିକିଏ ନାଚି ଉଠିଲା । ଲଣ୍ଠନର ଶିଖା ବୋଧହୁଏ ଭୟଭୀତ ହୋଇଥିଲା । ପବନର ଆକସ୍ମିକତାରେ—‘କେହି ନାହିଁ । ତୁମେ କୁହ ।’ ପଙ୍କଜ କହିଲା ।

 

—‘‘ବାହାରେ ଦେଖିଆ । କେହି ଜଣେ ମୋ କଥା ଶୁଣିବାକୁ ଲୁଚିଛି ବୋଧହୁଏ ।’’

 

ପଙ୍କଜ ବାହାରକୁ ଆସିଲା । ଗାଢ଼ କଳାରଙ୍ଗର ନିଶୁନ ରାତି । ମଫସଲ ଗାଁର କୋଳାହଳହୀନ ଆତ୍ମା ଅଚେତ ହୋଇପଡ଼ିଛି । ଜହ୍ନ ନ ଥିବା ଆକାଶ ଆହୁରି ପ୍ରଶସ୍ତ ଜଣାପଡ଼ୁଛି । ଏଯାଏ ମୂଲିଆ ଦୁଇଜଣ ଆସି ନାହାନ୍ତି । ପିଉସୀ ରନ୍ଧାବଢ଼ା ଶେଷ କରି ଶୋଇପଡ଼ିଲାଣି । ପଙ୍କଜ ଫେରିଆସି ଆଗଭଳି ବାପାଙ୍କ ପାଖରେ ବସିଲା ।

 

—‘‘ତୋ ମା’ର ଗହଣା କଥା । ସେ ମୋତେ ଶାନ୍ତିରେ ମରିବାକୁ ଦେଉନି । ମୋତେ ଭାରି ବାଧିଲାଣି । ଭାବୁଥିଲି ଏମିତି ଖସି ଯିବି ଏଠାରୁ; କିନ୍ତୁ ସେ ମୋର ଜୀବନକୁ ଓଟାରି ରଖିଛି ଏ ଯାଏ ।’’

 

ଏକା ନିଃଶ୍ୱାସରେ ଏତକ କହି ସେ ପଙ୍କଜକୁ ଚାହିଁଲେ; ମାତ୍ର ସେ ବୁଝି ପାରିଲା ନାହିଁ କିଛି । ଜିଜ୍ଞାସୁ ଦୃଷ୍ଟିରେ ସେ ଚାହିଁ ରହିଲା ତାଙ୍କ ଆଡ଼େ । କଥାଟାର ସ୍ପଷ୍ଟୀକରଣ ଲୋଡ଼ା ।

 

—‘‘ତୋ ମା’ର ଗହଣା । ବନ୍ଧା ପକେଇଥିଲି ହଜାରେ ଟଙ୍କା ପାଇଁ । ଦୁଇବର୍ଷ ପୁରିବାକୁ ବସିଲାଣି । ସେ ସବୁ ମୁକୁଳେଇବା ତୋରି ଦାୟିତ୍ୱ ।’’ କେଦାରବାବୁ ଆଖି ବନ୍ଦ କଲେ ।

 

—‘‘କାହା ପାଖରେ ବନ୍ଧା ପଡ଼ିଛି ?’’

 

—‘‘ସନାତନ ସାହୁ ପାଖରେ ।’’

 

—‘‘କାହିଁକି ?’’

 

କେଦାରବାବୁ ଆଖି ଖୋଲି ଚାହିଁଲେ ପଂକଜକୁ । ତାଙ୍କୁ କୈଫିୟତ୍ ଦେବାକୁ ହେବ । ସେ ଇତସ୍ତତଃ ହେଲେ । ଖୁବ୍ ନିମ୍ନସ୍ୱରରେ କହିଲେ—‘‘ତୋ ଚାକିରି ପାଇଁ ଟଙ୍କା ଦରକାର ହେଲା-। ଅଫିସରଙ୍କୁ ଲାଞ୍ଚ ଦେଲି ।’’

 

ଭୟ ଓ ଅବିଶ୍ୱାସରେ ପଂକଜ ଘୁଞ୍ଚିଆସିଲା । କେଦାର ବାବୁଙ୍କ ମୁହଁ ବର୍ତ୍ତମାନ ଯଥେଷ୍ଟ ସହଜ ଓ ଶାନ୍ତ ଜଣା ପଡ଼ୁଛି; ପ୍ରସବରେ ବେଦନାମୁକ୍ତ ଅଭିଜ୍ଞତା ଭଳି । କିନ୍ତୁ କଥାଟାକୁ ଗ୍ରହଣ କରିବା ପାଇଁ କିଛି ସମୟ ଲାଗିଲା ପଂକଜକୁ ।

 

ଏ କ’ଣ ତା ବାପାଙ୍କର ସ୍ୱୀକାରୋକ୍ତି ? ଏ କଥା ସତ ତା’ ହେଲେ ? ଅଥଚ ଅବିଶ୍ୱାସ କରିବାର କୌଣସି ଯୁକ୍ତି ନ ଥିଲା । ଏ ଅଞ୍ଚଳର ସର୍ବଶ୍ରେଷ୍ଠ ମଣିଷ ବୋଲି ଶ୍ରଦ୍ଧା ଓ ସମ୍ମାନ ପାଇଥିବା କେଦାରବାବୁଙ୍କ ଉଦାର ହୃଦୟ ଭିତରର ଏ ଅନ୍ଧକାର କୋଣ ସହିତ ସେ ପରିଚିତ ନ ଥିଲା ୟା ପୂର୍ବରୁ ।

 

ସେ ଜନ୍ମହେବା ପୂର୍ବରୁ କୌଣସି ଏକ ଛୋଟ ଅଫିସରେ କିରାଣି ଥିଲେ କେଦାରବାବୁ-। ଚାକିରି କରିବାର ମାସକପରର ଘଟଣା । ଜଣେ କଣ୍ଟ୍ରାକ୍ଟରର ବିଲ୍‍ କୁ କେନ୍ଦ୍ରକରି ଉପରିସ୍ଥ କର୍ମଚାରୀ ଓ କଣ୍ଟ୍ରାକ୍ଟରଙ୍କ ସହିତ ତାଙ୍କର ମନୋମାଳିନ୍ୟ ସୃଷ୍ଟି ହେଲା । ଯେଉଁ ଦିନ କଣ୍ଟ୍ରାକ୍ଟର ଜଣକ କେଦାରବାବୁଙ୍କୁ ପାଞ୍ଚଶହ ଟଙ୍କାର ବ୍ୟାଣ୍ଡେଜ୍ ସାହାଯ୍ୟରେ ମୁହଁ ବନ୍ଦ କରିବାକୁ ଚାହିଁଲେ, ସେଦିନ ତାଙ୍କର ଚିତ୍କାର ଅଫିସରେ କର୍ମତତ୍ପରତାକୁ ବନ୍ଦ କରି ଦେଇଥିଲା । ଉକ୍ତ ଟଙ୍କାକୁ କଣ୍ଟ୍ରାକ୍ଟରଙ୍କ ମୁହଁକୁ ଫୋପାଡ଼ି ଅନ୍ତତଃ ସେ ଏକୁଟିଆ ଦୁର୍ନୀତି ଓ ଲାଞ୍ଚ ବିରୁଦ୍ଧରେ ସଂଗ୍ରାମ କରିବାକୁ ଚାହାନ୍ତି ବୋଲି ଘୋଷଣା କରିଥିଲେ । ତାଙ୍କର ବିଲ୍ ପାସ୍ ହୋଇପାରିଲା ନାହିଁ । ଏହା ପରେ ଘଟଣାଟା ସଂକ୍ଷିପ୍ତ । କେଦାର ବାବୁ ଚାକିରି ଛାଡ଼ି ଗାଁକୁ ଫେରି ଆସିବାପାଇଁ ଠିକ୍ କଲେ ।

 

ତାଙ୍କର ଚରିତ୍ର, ଅଭିବ୍ୟକ୍ତି କିମ୍ୱା ନୈତିକତା ପ୍ରତିନିଷ୍ଠା କଥା କହି କୌଣସି ଲୋକ ତାଙ୍କୁ ପ୍ରଶଂସା କଲେ ନାହିଁ । ତାଙ୍କୁ ଦୁଃଖ ଲାଗିଲା ନାହିଁ । ସେ ଏତିକି ମାତ୍ର କହି ମନକୁ ସାନ୍ତ୍ୱନା ଦେଇଥିଲେ ଯେ, ନିଜ ବିବେକ ଓ ସାଧୁତାକୁ ସେ ଚାକିରି ନିକଟରେ ବଳି ଦେଇନାହାନ୍ତି । ଶାସନର ପ୍ରତି ଅଙ୍ଗ-ପ୍ରତ୍ୟଙ୍ଗରେ ଏ ଯେଉଁ ଭାଇରସ୍ ସଂକ୍ରମିତ ହେଉଛି ତାହାକୁ ରୋକିବା ପାଇଁ ବଡ଼ ଧରଣର ଅପରେସନ ଦରକାର । ସେ ଭଳି ଏକ ଅପରେସନ୍ ପାଇଁ ସେ ଏକ କ୍ଷୁଦ୍ର ଅସ୍ତ୍ର ।

 

ବସରୁ ଓହ୍ଲାଇ ଘରେ ପହଞ୍ଚିବା ବେଳକୁ ସଂଧ୍ୟା ହୋଇଯାଇଥିଲା । ସେଇ ସଂଧ୍ୟାରେ କେଦାରବାବୁଙ୍କ ବୀରତ୍ୱ ଓ ସାଧୁତା ଗାଁରେ ଜାଣିଲେ ସମସ୍ତେ । ତା’ପରେ ଆଖପାଖର ଲୋକ । କେଦାରବାବୁ ସେ ଅଞ୍ଚଳର ମଣି ହୋଇଗଲେ ।

 

ପଙ୍କଜ ଚାହିଁଲା ବାପାଙ୍କ ଆଡ଼େ । ସେ ସ୍ଥିର ହୋଇ ପଡ଼ିରହିଛନ୍ତି, ବିଛଣା ଉପରେ । ତାଙ୍କ ପାଇଁ ପଥିର ବ୍ୟବସ୍ଥା କରିବାକୁ ହେବ ।

 

କେଜାଣି କେତେ ରାତି ହେବ ସେତେବେଳେ ?

 

ଯନ୍ତ୍ରଣା ଓ କୋହ-ଜର୍ଜରିତ ଶବ୍ଦରେ ପଙ୍କଜର ନିଦ ଭାଙ୍ଗିଗଲା । ଦେଖିଲା, କେଦାରବାବୁ ବିଛଣା ଉପରେ ପଡ଼ି ଦୁଇ ହାତ ଉପରକୁ ଟେକିଛନ୍ତି ଏବଂ ଶୂନ୍ୟତା ଭିତରେ କିଛି ଧରିବାକୁ ଚେଷ୍ଟା କରୁଛନ୍ତି । ସେ ଉଠିବାକୁ ଉଦ୍ୟମ କରୁଥିଲେ, କିନ୍ତୁ ହଠାତ୍ ଯେପରି ସମ୍ମୋହିତ ହୋଇଗଲେ । ବିଛଣା ଉପରେ ତାଙ୍କର ଶରୀର ପୁନରାୟ ସ୍ଥିର ହୋଇଗଲା । ସେ ଖୁବ୍ ଜୋରରେ ନିଃଶ୍ୱାସ ମାରୁଥିଲେ ।

 

—‘‘କଷ୍ଟ ଲାଗୁଛି କି, ବାପା ?’’

 

—‘ଉଁ ?’ କେଦାରବାବୁ ଚାହିଁଲେ ପଂକଜ ଆଡ଼େ । ଏ ପ୍ରଶ୍ନର ଉତ୍ତର ଅନାବଶ୍ୟକ ବୋଧହୁଏ ।

 

ଏତିକିବେଳେ ଲଣ୍ଠନଟା ଧପ୍ ଧପ୍ ହେଲା । କୋଠରୀର ଛାଇଗୁଡ଼ାକ ନାଚି ଉଠିଲେ ବିସ୍ମୟ ଓ ଆତଙ୍କରେ । ହେତୁ ହେବାଦିନୁ ଦେଖିଆସୁଥିବା ଲଣ୍ଠନଟି ଆଡ଼େ ଚାହିଁଲା ପଂକଜ । ପତ୍ରରେ ତିଆରି ଠିପି । ସର୍ବାଙ୍ଗ କଳାରଙ୍ଗରେ ଆବୃତ । କ୍ଲାନ୍ତ ହୋଇ ଜଳୁଥିବା ମୁମୁର୍ଷୁ ଶିଖାକୁ ଘୋଡ଼ାଇ ରଖିଛି କାଚ—ନିମ୍ନ ଭାଗରୁ କିଛି ଅଂଶ ଛାଡ଼ିଦେଲେ, ତାହା ମଧ୍ୟ ଜଳା ହୋଇ ଯାଇଛି । ପଂକଜ ଲଣ୍ଠନଟା କାନପାଖକୁ ଆଣି ହଲାଇଲା । ତେଲ ସରିଯାଇଛି । ସ୍ଥିର କଲା, ଲଣ୍ଠନ ଲିଭାଇ କାଚ ପୋଛିବ । ତେଲ ଭର୍ତ୍ତି କରିବା ପରେ, ପୁଣି ଜାଳିବ ତାହାକୁ ।

 

ସେ ଉଠିଗଲା, ଅନ୍ୟ କୋଠରୀରୁ ତେଲ ବୋତଲ ଆଣିବା ପାଇଁ । ପୁଣି ଶୋଇବାଘରେ ପଶିଲା ବେଳକୁ ଦେଖିଲା, ବାପା ଚାହିଁଛନ୍ତି ତାରି ଆଡ଼େ ।

 

—‘‘ସେଇଟା କ’ଣ ମଦ ବୋତଲ ?’’

 

–‘‘ନା, କିରାସିନି ।’’

 

—‘‘ଏଃ ।’’ ହତାଶା ଓ ବିରକ୍ତିରେ କେଦାରବାବୁଙ୍କ ମୁହଁ ବିକୃତ ହୋଇଗଲା ।

 

ପଙ୍କଜ ଲଣ୍ଠନଟା ଲିଭାଇବାକୁ ବସିଥିଲା; କିନ୍ତୁ କ’ଣ ଭାବିଲା କେଜାଣି, ପତ୍ର ଠିପି ଖୋଲି, କିଛି କିରାସିନି ଭର୍ତ୍ତି କରିବା ପରେ, ତାହାକୁ ରଖିଦେଲା ଯଥା ସ୍ଥାନରେ ।

 

—‘ପଙ୍କଜ ।’

 

‘‘କୁହ । ତୁମ ପାଖରେ ମୁଁ ବସିଛି, ବାପା ।’’

 

—‘‘ଜୁଲିଅସ୍‍ ସିଜର, ନେପୋଲିୟନ, ହିଟଲରଙ୍କ ନାଁ ଶୁଣିଛୁ ?’’

 

‘‘—ହଁ ।’’

 

—‘‘ସେମାନଙ୍କ ସମ୍ୱନ୍ଧରେ କିଛି କହିପାରିବୁ ?’’

 

—‘‘ହଁ, ଯେ — ହେଲେ— ।’’

 

—‘‘ଭଲ କରି ଜାଣିନୁ ।’’

 

—‘‘ସେକସପିୟର, ମାଇକେଲୋଞ୍ଜେଲୋ, ସକ୍ରେଟିସ୍, ବୁଦ୍ଧ, ଶଙ୍କରଙ୍କ କଥା ଶୁଣିବ ଯଦି କୁହ । ଏମାନଙ୍କ ସମ୍ୱନ୍ଧରେ ଆଗ୍ରହୀ ହେବାକୁ ତୁମେ ତ ପ୍ରେରଣା ଦେଇଥିଲ, ବାପା । ଏମାନେ ସଭ୍ୟତା ଗଢ଼ିଛନ୍ତି । ରୁଚିମାର୍ଜିତ କରିଛନ୍ତି ମଣିଷ ସମାଜର । ଚେତନା ଭିତରେ ଏମାନଙ୍କର ସ୍ପନ୍ଦନ ମୁଁ ଅନୁଭବ କରେ । ତୁମେ ଏମାନଙ୍କର ଓ ଆହୁରି ଅନେକଙ୍କର ପୂଜାରୀ ଥିଲ-। କହିବି ଏମାନଙ୍କ କଥା ?’’

 

କେଦାରବାବୁ ଆଖିବୁଜି ନୀରବ ହେଲେ । ସମ୍ଭବତଃ ଉତ୍ସାହିତ ହୋଇ ପଙ୍କଜ ଆରମ୍ଭ କଲା...‘‘ସେକସପିୟର ହେଉଛନ୍ତି...

 

—‘‘ଏସବୁ ତୁ ବନ୍ଦ କରିବୁ କି, ନା ?’’ ଦୃଢ଼ ସ୍ୱରରେ ଏକରକମ ଚିତ୍କାର କରି ଉଠିଲେ କେଦାରବାବୁ । ପଙ୍କଜର ବିସ୍ମୟ ବିସ୍ଫାରିତ ଓ ଭୟଭିଜା ମୁହଁଆଡ଼େ ଚାହିଁ ସେ ଆଦେଶ ଦେଲେ–‘‘କିଛି ନ ହେଲେ ବି ହିଟଲର୍‍ଙ୍କ କଥାତ ତୁ ଜାଣିଥିବୁ । ତାଙ୍କରି କଥା କହ । ଆଉ ଶୁଣ । ହିଟଲରଙ୍କ ନାମ ଉଚ୍ଚାରଣ ନ କରି, ସେ ସ୍ଥାନରେ ମୋ ନାମ କହ । ଉଦାହରଣ ଦେଉଛି । କେଦାରନାଥ ଖାଲି ଜର୍ମାନୀର ନୁହେ, ସମଗ୍ର ପୃଥିବୀର ଦୁର୍ଦ୍ଧର୍ଷ ଓ ପରାକ୍ରମଶାଳୀ ଯୋଦ୍ଧାଙ୍କ ମଧ୍ୟରେ ଅନ୍ୟତମ । କେଦାରନାଥଙ୍କ ନାଜୀ ପାର୍ଟି...ହଁ, ଆରମ୍ଭ କର । ଆଉ ଗୋଟିଏ କଥା । କେଦାରନାଥ ଶେଷରେ ପରାସ୍ତ ହେବା ଓ ବିଷଖାଇ ଆତ୍ମହତ୍ୟା କରିବା କଥା କହିବୁନି । ବାସ୍...; ସେ ଯୁଦ୍ଧ କଲେ । ଶତ୍ରୁମାନଙ୍କୁ ବିନାଶ କଲେ । ଅନେକ ନିରୀହ ଲୋକ ମଲେ । ଶେଷରେ କେଦାରନାଥ ପୃଥିବୀର ସମ୍ରାଟ ହେଲେ । ଆରମ୍ଭ କର ଏଥର ।’’

 

—‘‘ବାପା ।’’ ପଙ୍କଜ ବିଶ୍ୱାସ କରିପାରୁ ନଥିଲା ବାପାଙ୍କ କଥା ।

 

—‘‘କହ । ଚଞ୍ଚଳ କହ । ମରିବା ପୂର୍ବରୁ ଅନ୍ତତଃ ମୋର କାମନା ଓ ପିପାସାର ନକ୍ସା ମୁଁ ଦେଖିବାକୁ ଚାହେଁ ।’ ବାଷ୍ଫାକୁଳ କଣ୍ଠ ଶୁଣାଗଲା ତାଙ୍କର—‘‘ଚଞ୍ଚଳ କହ ପଙ୍କଜ, ମୋତେ ଶେଷବେଳେ ନିରାଶ କରନା ।’’ ସେ ଆଖି ବନ୍ଦକରି ଶାନ୍ତ ଭାବରେ ପଡ଼ି ରହିଲେ ବିଛଣାରେ । ଅନେକ ସମୟ ବିତିଗଲା ନୀରବରେ । କେଦାରବାବୁଙ୍କ ବେଦନାପ୍ଲୁତ ମୁହଁ ପରାଜିତ ଓ ଆହତ ସୈନିକର ମୁହଁ ଦିଶୁଥିଲା; ଯେଉଁ ମୁହଁରେ ଆଶା ଓ ଭବିଷ୍ୟତର ଯୋଜନା ବିଧ୍ୱସ୍ତ ହୋଇ ପଡ଼ିଥାଏ ।

 

—‘‘ମୁଁ ଅନ୍ୟକିଛି ଚାହୁଁଥିଲି ।’’ କେଦାରବାବୁଙ୍କ ନିମ୍ନସ୍ୱର ପଙ୍କଜକୁ ସଚେତନ କରିଦେଲା-। ‘ମୁଁ ଆଉ କିଛି ହୋଇପାରିଥାନ୍ତି । କିନ୍ତୁ ଜଣକ ଉପରେ ଅନ୍ୟମାନଙ୍କର ବିଶ୍ୱାସ, ତାକୁ ପରାଧୀନ କରିଦିଏ । ସେ ବ୍ୟକ୍ତି ଅନ୍ୟମାନଙ୍କର ତା’ ପ୍ରତି ଥିବା ବିଶ୍ୱାସର ପରିସୀମା ଭତରେ ବନ୍ଦୀ ହୋଇଯାଏ । ଏବେ ମୁଁ ବୁଝୁଛି, ଏ ଲୋକଙ୍କର ମୋ ପ୍ରତି ଥିବା ସମ୍ମାନ ଓ ଆସ୍ଥା ମୋତେ କିପରି ସାରାଜୀବନ ଦଗ୍‍ଧିଭୂତ କରୁଥିଲା । ସେମାନଙ୍କ ପାଇଁ ମୁଁ ନିଜକୁ ଅକାରଣଟାରେ ଜାଳି ଦେଲି । ନିଜପ୍ରତି ଶଠ ହୋଇଗଲି ।’’

 

—‘‘ବାପା । କ’ଣ ଏସବୁ କହୁଛ ? ଶୋଇପଡ଼ ।’’

 

ପୁଣି ଦୀର୍ଘ ନୀରବତା । ପଙ୍କଜର ଭାବନା ଗଣ୍ଡଗୋଳିଆ ହୋଇ ଯାଉଥିଲା । ଏଠାରେ ବୋଧହୁଏ କେହି କାହାକୁ ଚିହ୍ନନ୍ତି ନାହିଁ; କାରଣ କେହି କାହା ଆଗରେ ନଗ୍ନ ହୁଏନାହିଁ । ପ୍ରତ୍ୟେକ ମଣିଷର ଏକ ସ୍ୱତନ୍ତ୍ର ପୃଥିବୀ ରହିଛି, ଯାହା ଫାଟକ ଅନ୍ୟମାନଙ୍କ ପାଇଁ ଉନ୍ମୁକ୍ତ ନୁହେଁ ।

 

ସାମନା ଖଟରେ ପଡ଼ିରହି ମୃତ୍ୟୁକୁ ଅପେକ୍ଷା କରିଥିବା ଲୋକଜଣକ କିଏ ? କିଏ ଏ ଲୋକ, ଯେ ଏ ପର୍ଯ୍ୟନ୍ତ ଶଠତା ଓ ମିଥ୍ୟାର ଛାଲ ପିନ୍ଧି ନିଜକୁ ଗୋପନ ରଖିଲେ ? ଏ ଅଞ୍ଚଳର ଲୋକେ କାହାକୁ ମଣିଷବୋଲି ଶ୍ରଦ୍ଧା ଓ ସମ୍ମାନ ଦେଖାଇଲେ ? —ପ୍ରତାରଣାକୁ, ନା ଖାଣ୍ଟି ଜିନିଷକୁ-?

 

ଅଥଚ ଏ ଛାଲ ଶେଷ ମୁହୂର୍ତ୍ତରେ ଫାଟି ଯାଉଛି ଏମିତି ଦୟନୀୟ ଭାବରେ । ବିଭତ୍ସତା ଉଦଘାଟିତ ହୋଇ ଯାଉଛି । ଅନ୍ତରର ବାସନା ଓ ଚରିତ୍ରର ରଙ୍ଗ ସମସ୍ତ ଖୋଳପାକୁ ଚୂର୍ଣ୍ଣକରି ବାହାରି ଆସୁଛି ପଦାକୁ । ଯେଉଁ ସାଧନା ଓ ଅଭ୍ୟାସ ଉପରେ ଏ ମୃତପ୍ରାୟ ଜୀବନ ପ୍ରତିଷ୍ଠିତ ହୋଇଥିଲା ତାହା ଭୂଷୁଡ଼ି ପଡ଼ୁଛି ।

 

ପଙ୍କଜର କଣ୍ଠ କିଏ ଯେପରି ଚାପି ଧରିଲା । ହଠାତ୍ କେଦାରବାବୁଙ୍କ ପ୍ରତି ଦୟା ଓ ଅନୁକମ୍ପାରେ ସେ ଅଭିଭୁତ ହୋଇ ପଡ଼ିଲା । କି ଦୟନୀୟ ଚରିତ୍ର !

 

କେଦାରବାବୁଙ୍କ ଓଠରୁ ଲାଳ ବହି ଆସୁଛି । ତାଙ୍କର ହାତମୁଠା ଟାଣ ହୋଇଯାଉଛି । ଯୋରରେ ଭିଡ଼ି ମୋଡ଼ି ହେବା ସଙ୍ଗେ ସଙ୍ଗେ ସେ ଗଁ...ଗଁ...ଶବ୍ଦ କଲେ । ତିକ୍ତତା ଓ ଆତ୍ମିକ ଶୂନ୍ୟତାର ଆର୍ତ୍ତନାଦ ବୋଧହୁଏ ।

 

ପଙ୍କଜ ସ୍ଥିର ଦୃଷ୍ଟିରେ ଅବିଚଳିତ ହୋଇ ଦର୍ଶକ ସାଜିଲା କେବଳ । କେଦାରବାବୁଙ୍କର ଏ ଅବସ୍ଥା ତା’ ମନରେ କୌଣସି ଚାଞ୍ଚଲ୍ୟ ଓ ଆଶଙ୍କା ସୃଷ୍ଟି କଲାନାହିଁ ।

 

କିଛିକ୍ଷଣ ପରେ ସେ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲେ । ସେ ଧଇଁସଇଁ ହୋଇ ବ୍ୟାକୁଳତା ଓ କୋହ ମିଶ୍ରିତ ସ୍ୱରରେ ନିବେଦନ କଲେ—‘‘ମାଛ । ପଙ୍କଜ, ମୋ ପାଇଁ ମାଛ ତରକାରୀ କର ।’’

 

ଭୟ ଓ ବିସ୍ମୟର ଶେଷ ପାହାଚରେ ପହଞ୍ଚି ଯାଇଥିଲା ପଙ୍କଜ । ସେ ଭୁଲ ଶୁଣି ନାହିଁ ତ । ପଚାରିଲା—‘‘କ’ଣ ବାପା ?’’

 

ବନ୍ଦ ହୋଇ ଯାଉଥିବା ଆଖିରେ ପଙ୍କଜ ଆଡ଼କୁ ଚାହିଁ, କେଦାରବାବୁ କାନ୍ଦି ପକାଇଲେ-। କିଛି କହିବାକୁ ଚେଷ୍ଟା କରୁଥିଲେ ସେ, ପୁନରାୟ ତାଙ୍କ ମୁହଁ ଶାନ୍ତ ହୋଇଗଲା । ଭଙ୍ଗା କଣ୍ଠରେ ପଚାରିଲେ—‘‘ତୁ ଡରିଲୁ କି ?’’

 

—‘‘ଡରିଲି ? ମୋତେ କହୁଛ ?’’

 

—‘‘ହଁ ।’’

 

—‘‘ନା, ତ ।’’

 

—‘‘ଘୃଣା କଲୁକି ମୋତେ ? ମାଛ କଥା କହିଲି ବୋଲି ? ତୋତେ ସେମିତି କହୁଥିଲି ନା... ।’’

 

କୋଠରୀ ଭିତରର ଅଶାନ୍ତ ନିସ୍ତବ୍‍ଧତା ଅସହ୍ୟ ମନେ ହେଉଥିଲା । ଉଦ୍‍ବିଗ୍ନତା ସତ୍ତ୍ୱେ ପଙ୍କଜର କ୍ଳାନ୍ତ ଆଖି ବନ୍ଦ ହୋଇ ଆସୁଥିଲା ।

 

—‘‘ପଙ୍କଜ ।’’

 

ସେ ଚାହିଁଲା ବାପାଙ୍କ ଆଡ଼େ । ପଚାରିଲା...‘‘ତମେ ଶୋଇନ ?’’

 

—‘‘ଆଉ ଅଳ୍ପ ସମୟ ପରେ ଶୋଇପଡ଼ିବି । ପଙ୍କଜରେ, ତୋ ପାଇଁ ମୁଁ କିଛି କରିନି-?’’

 

—‘‘କିଏ କହିଲା, ଏକଥା ?’’

 

—‘‘ତୁ ମୋ ପାଇଁ କରିଛୁ କ’ଣ ?’’ କେଦାରବାବୁଙ୍କ କଣ୍ଠରେ ଥିଲା ଆହ୍ୱାନ ।

 

—‘‘କିଛି ନାହିଁ । ମୁଁ ହତଭାଗା । ତମ ପାଇଁ ମୁଁ କ’ଣ ବା କରି ପାରିବି ?’’

 

—‘‘ପାରିବୁ ? ମୋ କଥା ମାନିବୁ ?’’

 

—‘‘କୁହ ।’’

 

—‘‘ମାଛ ତରକାରୀ । ହେଲେ ଏ ଜୀବନ ଏଇମିତି ଛଟପଟ ହେଉଥିବ । କିମିତି ଲାଗେ ଏ ତରକାରୀ ? ଉଠ, ଯା । ଆଣ, ମୋ ପାଇଁ ମାଛତରକାରୀ । ଉଠ, ଉଠ । ଯା ଉଠ ।’’ ତାଙ୍କର ସମଗ୍ର ମୁହଁ ଏକ ଅଦ୍ଭୁତ ଲାଳସାରେ ପ୍ରଲୁବ୍‍ଧ ହୋଇ ପଡ଼ୁଥିଲା ।

 

କେଦାରବାବୁ ପଙ୍କଜର ଯିବା ବାଟକୁ ଚାହିଁ ରହିଲେ । ତାଙ୍କୁ ଜଣା ପଡ଼ୁଥିଲା, ବିଶ୍ୱର ସମସ୍ତ କାମନା ମାଛ ତରକାରୀରେ ସଙ୍କୁଚିତ ହୋଇ ରହିଛି । ତାଙ୍କର ସମଗ୍ର ଶରୀର କ୍ରମେ ରୂପାନ୍ତରିତ ହେଉଛି ଏକ ଉଦ୍‍ଗ୍ରୀବ ଆଶାୟୀ ଜିହ୍ୱାରେ ।

 

ନିଜକୁ ଯେତେ ଆୟତରେ ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କ ଆଖି ଆଗରେ ଶହ ଶହ ବିସ୍ଫୋରଣ ସୃଷ୍ଟି ହେଉଥିଲା । ସେ ବୋଧ କରୁଥିଲେ, ପଙ୍କଜ ନାମଧାରୀ ଯୁବକ ଜଣକ ଆଉ କେହି ନୁହେଁ—ସେ ତାଙ୍କର ଭାଗ୍ୟ ଯାହାକୁ ସେ ଖୋଜୁଥିଲେ ଏ ପର୍ଯ୍ୟନ୍ତ । ଏଇତ ଠିଆ ହୋଇଛି ସେ ପାଖରେ, ମାଛ ତରକାରୀ ହାତରେ ଧରି । କେଦାରବାବୁ ଏହି ଭାଗ୍ୟକୁ ଧରି ରଖିବାକୁ ଆପ୍ରାଣ ଚେଷ୍ଟା କରୁଥିଲେ ।

Image

 

ରଙ୍ଗମଞ୍ଚ

 

ଆସନ୍ତା କାଲିଠାରୁ ଦଶହରା ଛୁଟି । କଲେଜ ବନ୍ଦ ରହିବ ଦୀର୍ଘ ବାଇଶ ଦିନ ପାଇଁ । ଶ୍ରେଣୀଗୃହ, ରାସ୍ତାଘାଟ ଶୋଇ ପଡ଼ିବେ । କୋଳାହଳ ହୀନ ଏକ ବିରତି ।

 

ହୋଟେଲରେ ରାତ୍ରିଭୋଜନ ଶେଷ କରି ପ୍ରାୟ ଦଶଟା ବେଳେ କ୍ୱାଟର୍ସକୁ ଫେରିବା ସମୟରେ ଏଇ କଥା ତୁହାଇ ତୁହାଇ କିଏ କହିଯାଉଥିଲା । ଅପରାହ୍ନ ଚାରିଟା ବେଳେ ବଡ଼ ଧରଣର ଅସରାଏ ବର୍ଷା ହୋଇ ଯାଇଛି । ଆକାଶ ବର୍ତ୍ତମାନ ପରିଷ୍କାର । ପଶ୍ଚିମ ଦିଗରେ ମଳିନ ଜହ୍ନ । କଲେଜ ଭିତରକୁ ଲମ୍ୱି ଯାଇଥିବା କାଦୁଅ ସରସର ରାସ୍ତାରେ ଗଲା ବେଳକୁ ପୁଣି କିଏ ଚେତାଇ ଦେଲା—କାଲିଠୁ କଲେଜ ଛୁଟି । ଦିନେ, ଦୁଇଦିନ ପାଇଁ ନୁହେଁ—ବାଇଶ ଦିନ ପାଇଁ ।

 

କ୍ୱାଟର୍ସ ପାଖରେ ପହଞ୍ଚି ଦେବକାନ୍ତ ସିଗ୍ରେଟ୍ ଲାଗଇଲା । ତା’ର ଅସହାୟ ଦୃଷ୍ଟି ବୁଲି ଆସିଲା ଅନ୍ୟ କ୍ୱାଟର୍ସ ଉପରେ । କେବଳ ଦୁଇଟିକୁ ବାଦ ଦେଲେ, ଅନ୍ୟଗୁଡ଼ିକ ସ୍ପନ୍ଦନହୀନ, ଅନ୍ଧକାରମୟ ହୋଇ ପଡ଼ିଛି । ଯେଉଁ ଦୁଇଟିରେ ନୀରବ ଆଲୁଅ ଜଳୁଛି, ତହିଁରେ ଅଧ୍ୟାପକ ଦୁଇଜଣଙ୍କର ଚାକରମାନେ ରହିଛନ୍ତି ଆଜି ରାତିକ ପାଇଁ । କାଲି ସକାଳସୁଦ୍ଧା ସମୁଦାୟ କଲୋନୀଟି ଏକବାରେ ଫାଙ୍କା ହୋଇଯିବ ।

 

ପ୍ରାୟ ସପ୍ତାହକ ପୂର୍ବରୁ ଏଠାରେ ଉତ୍ସବ ମୁଖର ଚାଞ୍ଚଲ୍ୟ ଲାଗି ରହିଥିଲା । ଛୁଟି ଉପଲକ୍ଷେ ଯିବାପାଇଁ ପ୍ରସ୍ତୁତିର ପ୍ରେରଣା ସମସ୍ତଙ୍କୁ ଉଜ୍ଜିବିତ କରି ଦେଇଥିଲା । ଅଧିକାଂଶ ବର୍ଷା ହେବା ପୂର୍ବରୁ ଚାଲି ଯାଇଥିଲେ । ଅନ୍ୟମାନେ ବର୍ଷା ଉପରେ ଅଭିଶାପ ବର୍ଷଣ କରୁକରୁ କ୍ୱାଟର୍ସରେ ତାଲା ଝୁଲେଇ ବାହାରି ଗଲେ ବିପୁଳ ଉତ୍ସାହର ସହିତ । ଚାହୁଁ ଚାହୁଁ ଅବଶ, ନିଷ୍ପ୍ରାଣ ହୋଇଗଲା ଏହି ସୀମିତ ପୃଥିବୀଟା ।

 

ବାରଣ୍ଡାରେ ବେତ ଚୌକିଟିଏ ପକାଇ ଏଇ ଦୃଶ୍ୟ ଦେଖୁଥିଲା ବେଳେ କାହିଁକି କେଜାଣି ଏକ ବାର୍ଦ୍ଧକ୍ୟର ପଙ୍ଗୁତା ଦେବକାନ୍ତ ଦେହରେ ସଞ୍ଚରିତ ହୋଇ ଯାଉଥିଲା । ତାକୁ ଲାଗୁଥିଲା, ଏ କ୍ୱାଟର୍ସକୁ ବାଦ୍ ଦେଲେ ତାର ନିଜର ବୋଲି ଆଉ କିଛି ନାହିଁ । ଏହାର ବାଡ଼ ଅତିକ୍ରମ କରି ପଦାକୁ ବାହାରିଲେ ନିଃସ୍ୱ ଅନୁଭବ କରେ ପ୍ରତିରକ୍ଷା ବିହୀନ ବୋଲି ବୋଧ କରେ । କିମିତି ଛାଡ଼ିବ ଯେ ଏ ଘର, ଗାଁକୁ ଯିବା ପାଇଁ ?

 

ଏକଥା ସେତେବେଳେ ଭାବୁଥିଲା ସେ । ବର୍ଷା ପରେ ଯେତେବେଳେ ଏଇ ଇଲାକାକୁ ନିସ୍ତବ୍ଧତା ଗ୍ରାସକଲା, ସେତିକି ବେଳେ ସେ ଅନୁଭବ କଲା ଏକୁଟିଆ ହୋଇ ଯିବାରେ କିଭଳି ନିଃସହାୟତା ରହିଥାଏ । ଅଥଚ କାମରେ ବ୍ୟସ୍ତ ଥିଲା ବେଳେ ହେଉ ବା କିଛି ଭାବିବା ବେଳେ ହେଉ, କେହି ଜଣେ ତା’ ଘରକୁ ପଶି ଆସିଲେ ମନ ତାର ପ୍ରତିବାଦ କରେ । ବ୍ୟକ୍ତିଗତ ଐକାନ୍ତିକତା ବ୍ୟାହତ ହେଉଛି ବୋଲି ଭାବେ ।

 

ଆଉ ଗୋଟିଏ ସିଗ୍ରେଟରେ ଅଗ୍ନି ସଂଯୋଗ କରିବା ପରେ ଘେରାଏ ବୁଲି ଆସିବାକୁ ଭାରି ମନ ହେଲା ତା’ର ।

 

ଦୂରକୁ ଖୁବ୍ ଭୟାନକ ଦେଖା ଯାଉଛି କଲେଜର ଏ ପ୍ରକାଣ୍ଡ କୋଠା । ଅସ୍ୱଚ୍ଛ ଆଲୁଅ ଏହାକୁ ଗୋଟାଏ ଭୂତ ଉପରୁ ଅଶାନ୍ତ, ପରାହତ ଇଚ୍ଛାମାନଙ୍କର ଦୀର୍ଘଶ୍ୱାସ ବାମ୍ଫ ହୋଇ ଆକାଶ ଉପରକୁ ଉଠୁଛି ।

 

ଛ’ ବର୍ଷର ପରିଚିତ କୋଠା । ଅଥଚ ଆଜି ଏ କୋଠା ଏବଂ ଦେବକାନ୍ତ ମଧ୍ୟରେ ଥିବା ଆତ୍ମୀୟ ସମ୍ପର୍କ ଅର୍ଦ୍ଧ ଭଗ୍ନ ସ୍ମୃତି ଭଳି ଭାରି ଖାପ୍‍ଛଡ଼ା ଜଣା ପଡ଼ୁଛି । ଏଭଳି ଅଭିଜ୍ଞତା ନୂଆ ତା’ ପାଇଁ । ଏକ ଅଦ୍ଭୁତ ଭାବନା, ଦୀର୍ଘ ସମୟ ଭିତରେ ହଜି ଯିବାର ଆଶଙ୍କା, ତାକୁ ଆତ୍ମକୈନ୍ଦ୍ରିକ କରି ପକାଉଥିଲା । ସେ ବୋଧ କରୁଥିଲା ଯେ, ବିଶ୍ୱର ସମସ୍ତ ଜିନିଷକୁ ଦୃଢ଼ ଭାବରେ ଧରି ରଖିଥିବା ଏକ ଅଦୃଶ୍ୟ ଶକ୍ତି ଦୁର୍ବଳ ହୋଇ କ୍ରମଶଃ ଭାଙ୍ଗି ଯାଉଛି ଏବଂ ଏ ସମସ୍ତ ଜିନିଷ ପରସ୍ପର ଠାରୁ ବିଚ୍ଛିନ୍ନ ହୋଇ ନିଜ ନିଜର ସଂହତି ପ୍ରତିଷ୍ଠା ପାଇଁ ବ୍ୟାକୁଳ ହୋଇ ପଡ଼ୁଛନ୍ତି । କଲେଜର ଏ କୋଠା ଓ ଦେବକାନ୍ତ ମଧ୍ୟରେ ଆଉ କିଛି ସମ୍ପର୍କ ନାହିଁ ।

 

କ୍ୱାଟର୍ସ ତାଲା ଖୋଲି ସୁଇଚ୍ ଟିପିଲା ସେ । ଏ ତା’ର ଡ୍ରଇଁ ରୁମ୍ । ପାଞ୍ଚଦିନ ହେଲା ସଫା ହୋଇ ନଥିଲା ଚଟାଣ । କାନ୍ଥକୁ ଡେରି ହୋଇଛି ସୋଫା ସେଟ୍ । ସାମନାକୁ ଟି-ପୟ । ଅଧାଜଳା ଦିଆସିଲି କାଠି ଓ ସିଗ୍ରେଟର ଅବଶିଷ୍ଟାଂଶରେ ଭରପୁର ଆସ୍-ଟ୍ରେ । ଅନ୍ୟ କାନ୍ଥ କଡ଼ରେ ବହି ଶେଲ୍‍ଫ । ଦୁଇଟି ଶାଗୁଆ ରଙ୍ଗର ବେତ ଚୌକି । ହାଲ୍‍କା ନୀଳ ରଙ୍ଗର କାନ୍ଥ । ଅନେକ ଦିନ ହେଲା ବଜାର ସଉଦା କରିବା ପାଇଁ ଯାଇଥିବା ଚାକର ଟୋକା ଆଉ ଫେରି ନାହିଁ । ଏ ଯାଏଁ ସେ ଆଉ ଜଣକୁ ଯୋଗାଡ଼ କରି ନିଯୁକ୍ତି ଦେଇ ପାରି ନାହିଁ ନିଜର ନିଷ୍କ୍ରିୟତା ଯୋଗୁଁ । ସେଥିପାଇଁ ସେ ହୋଟେଲରେ ଖାଏ । ଆବର୍ଜନାର ପରିମାଣ ଅତ୍ୟଧିକ ହୋଇଗଲେ ରାତିରେ କବାଟ ବନ୍ଦକରି ନିଜେ ଘର ଓଳାଏ ।

 

କାଲି ସକାଳେ ତାକୁ ଯିବାପାଇଁ ପଡ଼ିବ ଘରକୁ ଯିବା କଥା ଭାବିବା କ୍ଷଣି ସେ ପୁଣି ଦୁର୍ବଳ ହୋଇ ପଡ଼ିଲା । ଭୟ ଓ ନିଃସହାୟତା ସଂକ୍ରମଣ କଲା ତାକୁ ।

 

ଗତ ଗ୍ରୀଷ୍ମ ଛୁଟିରେ ଗାଁରୁ କଲେଜ ଫେରିଲା ବେଳେ ମା’ କାନ୍ଦିଥିଲେ । ସେ ସବୁବେଳେ ଏହିପରି । ବୁଢ଼ୀ ହେଲେଣି । ଆଖି ନିଷ୍ପ୍ରାଣ ହୋଇ ଗଲାଣି । ତଥାପି କେଉଁଠି ସେ ରଖିଥାନ୍ତି ଏତେ ଲୁହ ? ଦେବକାନ୍ତ ଭଳି ଏତେ ବଡ଼ ପୁଅ ଆଗରେ ସେ କାହିଁକି ବା କାନ୍ଦନ୍ତି ?

 

ବିରକ୍ତିର ସହିତ ତାଙ୍କୁ କହିଥିଲା—‘ତୁ ମୋତେ ଏକବାର ନଷ୍ଟ କରି ଦେଲୁ, ମା । ବୁଝିଲୁ ନା, ମୁଁ ଆଉ କ’ଣ ମଣିଷ ହୋଇ ପାରିବି ?’

 

ସେ ଆବାକାବା ହୋଇ ଚାହିଁ ରହିଥିଲେ ଅନେକ ସମୟ ପର୍ଯ୍ୟନ୍ତ ତା ଆଡ଼େ । ଲୁହଭିଜା ଆଖିରେ ବିସ୍ମୟ ତାଙ୍କ ମୁହଁକୁ ନିର୍ଦ୍ଦୋଷ ଓ ସରଳ କରି ଦେଇଥିଲା । ତା’ପ୍ରତି ତାଙ୍କର ଅତ୍ୟଧିକ ସ୍ନେହ ବିରୁଦ୍ଧରେ ପ୍ରତିବାଦ କରିବାକୁ ଯାଇ ସେ କହିଥିଲା—‘ତମମାନଙ୍କର ମୋ ଉପରେ ଜମା ଆସ୍ଥା ନାହିଁ । ସବୁଦିନେ ମୋତେ ତୁମେ ସବୁ ପିଲାଟିଏ ଭଳି ଦେଖି ଆସୁଛ । କେମିତି ନିଜ ଗୋଡ଼ରେ ଠିଆ ହେବି କହିଲୁ ? ମୋ ପାଇଁ ସବୁ କାମ କରି ଦେବାକୁ ତମମାନଙ୍କର ବ୍ୟଗ୍ରତା ମୋତେ ସ୍ଥାଣୁ କରିଦେଲା, ମୁଁ ଅଥର୍ବ ହୋଇଗଲି । ଏମିତି ମୋ ଆଗରେ ଆଉ କାନ୍ଦିବୁ ନାହିଁ, କହି ଦେଉଛି ।’

 

—‘ଏଇ, ନେ ।’ ଦେବକାନ୍ତ କଥା ସେ ଯେ ଆଦୌ ବୁଝି ପାରିଲେ ନାହିଁ, ତାହା ତାଙ୍କର ପ୍ରତିକ୍ରୀୟାହୀନ ମୁହଁ ସୂଚେଇ ଦେଲା । ହାତରେ କିଛି ମୁଠେଇ ତା’ ଆଡ଼େ ସେ ପ୍ରସାରିତ କରିଥିଲେ ।

 

—‘କଣ ? ପଇସା ?’

 

—‘ତୁ ଆଗ ନେ ।’

 

ମୁଠା ଖୋଲି ଦେବକାନ୍ତ ହାତରେ ଦଶ ଟଙ୍କିଆ ନୋଟ ଖଣ୍ଡେ ଧରେଇ ଦେଲେ । ସେ କିଛି କହିବା ପୂର୍ବରୁ ତାଙ୍କର କୈଫିୟତ ଶୁଣାଗଲା—‘ବାଟରେ ପାନ ଖାଇବୁ ।’

 

ଏସବୁ ନିହାତି ପୁରୁଣା, ଅଭ୍ୟାସଗତ । ମକଚି ହୋଇ ଯାଇଥିବା ନୋଟଟା ଆଡ଼େ ଥରେ ଚାହିଁ, ତାଙ୍କ ଆଡ଼କୁ ଅନେଇଲା ବେଳେ ସେ ପଚାରିଲେ—‘ଦଶ’ରା ଛୁଟି କେବେ ହେବ ? ଆସିବୁ ନା ?’

 

—‘ହଁ ।’

 

ଦେବକାନ୍ତ ମୁହଁ ବୁଲେଇ ନେଲା । ନିଜର ଆବେଗ ପ୍ରକାଶ କରି ମା’ଙ୍କ ସାମନାରେ ଛୋଟ ଓ ଦୁର୍ବଳ ହେବାକୁ ତା’ର ମନ ହେଲା ନାହିଁ । କି ଅଦ୍ଭୁତ ମା’ ନାମଧାରୀ ଏଇ ମଣିଷ ଜଣକ-! ରନ୍ଧାଘର ଭିତରେ ଯା’ର ବୟସ ଜଳି ଯାଇଛି, ସମୁଦାୟ ପୃଥିବୀ ଯା’ ପାଇଁ ଘର ଏବଂ ପିଲାମାନଙ୍କ ଭିତରେ ସୀମାବଦ୍ଧ; ଆଉ ବର୍ଣ୍ଣବୋଧ ଯା’ପାଇଁ ଏକ ବିସୃତି—ସେ ଦେବକାନ୍ତ ଭଳି ଶିକ୍ଷିତ ଓ ରୋଜଗାର କରୁଥିବା ମଣିଷକୁ ସ୍ନେହ ଓ ଆବେଗ ବଳରେ କେଡ଼େ ଛୋଟ ଓ ନିଃସ୍ୱ କରି ପକାଉଛ !

 

କଲେଜରେ ପହଞ୍ଚିବା ପରଠୁ ଦଶହରା ଛୁଟି କଥା ସେ ଜମା ଭାବୁ ନଥିଲା ।

 

ମଶାରୀ ଭିତରେ ସେ ଛଟପଟ ହେଉଥିଲା । ପାଖ ବାଥରୁମରୁ ଟୋପା ଟୋପା ପାଣି ପଡ଼ିବାର ଶବ୍ଦ, ଘରର ନିଃସଙ୍ଗତାକୁ ଆହୁରି ଶାଣିତ କରୁଥିଲା । ଜୀବନ ପାଇଁ ସେ ପ୍ରସ୍ତୁତ କରିଥିବା ଯୋଜନା ଓ ଆଶାର ଶବ ଗୁଡ଼ାକ ଅନ୍ଧକାର ଭିତରେ ଜୀବନ୍ତ ହୋଇ ଉଠୁଥିଲେ । ସେ କ’ଣ ହେବାକୁ ଚାହୁଁଥିଲା ଏବଂ ଆଜି ସେ କ’ଣ ହୋଇଛି ମଧ୍ୟରେ ଥିବା ଦୂରତାକୁ ମାପୁଥିଲେ ଏଇ ଶବଗୁଡ଼ାକ ।

 

ଏହା ବୋଧହୁଏ ଜୀବନର ଟ୍ରାଜେଡ଼ି । ଏଇ ଦୂରତା ଅନୁପାତରେ ଟ୍ରାଜେଡ଼ିର ତୀକ୍ଷ୍ଣତା ସ୍ଥିର ହୁଏ । ତେବେ ସେ ନିଜର ଉପସ୍ଥିତିର ପରିସ୍ଥିତି ସହିତ ସାଲିସ କରି ପାରୁନି କାହିଁକି ? ତଥାପି ସେ ଗୋଟାଏ ଦିବାସ୍ୱପ୍ନ, ଗୋଟାଏ ରଙ୍ଗ ଭିତରେ ରହି ଜୀବନର ସତ୍ୟତା ଓ ବାସ୍ତବତାକୁ ଫାଙ୍କି ଦେବାପାଇଁ ସବୁବେଳେ ଚେଷ୍ଟା କରେ କାହିଁକି ?

 

ଏଇ କ୍ୱାଟର୍ସ ତା’ର ନିଜ ଘର ନୁହେଁ; ଯେପରିକି ଏହା ଭିତରେ ନିଜକୁ ଯେଭଳି କଳ୍ପନା କରେ, ସେ ତାହା ନୁହେଁ । ସବୁ ଆତ୍ମ-ପ୍ରବଞ୍ଚନା, ଛଳନା । ଏକ ପଳାୟନପନ୍ଥୀର ସଂଳାପ । ଏଇ କ୍ୱାଟର୍ସ ଭିତରେ ସେ ବେଳେ ବେଳେ ଶିଳ୍ପପତି ହୋଇଯାଏ, ବେଳେ ବେଳେ ଜଣେ ପ୍ରଖ୍ୟାତ ଲେଖକ, ପୁଣି କେତେବେଳେ ଜଣେ ପ୍ରେମିକ । ଅଥଚ ଏଥିରୁ କୌଣସିଟି ହେଲେ ତା’ ପାଇଁ ଆଦୌ ସତ୍ୟ ନୁହେଁ । ଏଇ ସବୁ ଭାବନାକୁ ସେ ଏଭଳି ଭାବରେ ସଂଯୋଜନା କରେ ଯେ, କ୍ୱାଟର୍ସ ବାହାରକୁ ଆସିଲେ ଆହତ ବିସ୍ମୟରେ ସେ ଥରି ଉଠେ । କାହିଁକିନା, କ୍ୱାଟର୍ସ ଭିତରେ ନିଜକୁ ସେ ଦେଇଥିବା ସଂଜ୍ଞା ସହିତ ତା’ର କୌଣସି ସମ୍ପର୍କ ନାହିଁ ।

 

ବନ୍ଧୁମାନଙ୍କର ଆସର ଜମି ଉଠେ ଏଇ ଘରେ । ସିଗ୍ରେଟ୍ ଧୂଆଁ ଭିତରେ ଦୁମ୍‍ଦାମ୍‍, ହାସ୍ୟରୋଳ, ଏପରିକି ଟେବୁଲ ବାଡ଼ିଆ ଏବଂ ହିନ୍ଦି ଫିଲ୍ମ ଗୀତର ବିଶୃଙ୍ଖଳ ସ୍ୱର ଏହାର ବାତାବରଣକୁ ସରଗରମ କରିଦିଏ । କ୍ଲାନ୍ତ ହୋଇଗଲା ପରେ, କୌଣସି ମତେ ସମୟ କଟାଇବାକୁ ଆସିଥିବା ବନ୍ଧୁମାନେ ଦେବକାନ୍ତର କ୍ୱାଟର୍ସରୁ ଚାଲିଯାଆନ୍ତି । ପୁନରାୟ ଘରର ନୀରବତା ତାକୁ ଭୟଭୀତ କରେ । ଦିନେ ଦିନେ ହୋଟେଲକୁ ରାତ୍ରି ଭୋଜନ ପାଇଁ ସେ ଯାଇ ପାରେ ନା । ଦୁଇ-ତିନି ଗ୍ଲାସ ପାଣି ପିଇ ଶୋଇଯାଏ ।

 

ବନ୍ଧୁମାନଙ୍କ ସଙ୍ଗେ ନିଜକୁ ତୁଳନା କରିବା ପାଇଁ ଦେବକାନ୍ତର ସାହସ ହୁଏ ନାହିଁ । ପ୍ରଥମ କଥା ହେଲା, ସେମାନେ ସଂଘର୍ଷ କରି ଶିଖିଛନ୍ତି; ସେ ତାହାକୁ ଭୟକରେ । ସେମାନେ ବାସ୍ତବତା ସଙ୍ଗେ ମୁକାବିଲା କଲାବେଳକୁ ସେ ସେକଥା ନ ଭାବି, ନିଜ ନିର୍ମିତ ସ୍ଥିତିହୀନ ଏକ ରଙ୍ଗୀନ ପୃଥିବୀରେ ନିଜକୁ ଗୋପନ ରଖିବାକୁ ଚେଷ୍ଟା କରେ । ସେମାନେ କଠିନ ହୋଇ ଯାଇଛନ୍ତି ଜୀବନର ସତ୍ୟତାକୁ ଆବୋରି ନେଇ; କିନ୍ତୁ ସେ ଦୁର୍ବଳ ହୋଇଯାଇଛି ସ୍ନେହ ତଥା ଆବେଗର କୋମଳତା ପାଇଁ । ତା’ର ବାପା-ମା ହୁଏତ ଏତେଟା ସ୍ନେହୀ ଓ ଉଦାର ହୋଇ ନ ଥିଲେ ଭଲ ହୋଇଥାନ୍ତା । ତା’ର ସୁଖ ଓ ଆରାମ ପାଇଁ ସେମାନଙ୍କର ଅତ୍ୟଧିକ ସଚେତନା ତାକୁ ଭୀରୁ କରିଦେଲା । ସେ ଯେକୌଣସି ସମସ୍ୟାର ସମାଧାନ କରିବାକୁ ସେମାନଙ୍କର ସାହାଯ୍ୟ ଚାହିଁଲା ଏବଂ ଅକୁଣ୍ଠିତ ଭାବରେ ତାହା ସେମାନେ ଦେଲେ । ସେ ପରମୁଖାପେକ୍ଷୀ ହୋଇଗଲା ।

 

ସକାଳ ଆଠଟାରେ ବସ୍–—

 

ଯେ ଫେରି ଯାଉଛି ଘରକୁ; ଯେଉଁଠାରେ ସଂସାରର ଜଞ୍ଜାଳ, ସମସ୍ୟା ତଥା ରୂକ୍ଷ ବାସ୍ତବତା ଚାହିଁବେ ତା’ଆଡ଼େ । ବାପା-ମା । ଜୀବନର ହେମାଳିଆ ଅପରାହ୍ନ । ସମସ୍ତ କ୍ଳାନ୍ତି ଓ ଦୁର୍ବଳତା ସତ୍ତ୍ୱେ ସଂସାର ଚଳାଇ ନେବାକୁ ସଂକଳ୍ପବଦ୍ଧ । ସେମାନଙ୍କ ପରେ ଘରର ଅବସ୍ଥା କ’ଣ ହେବ, ସେକଥା ଦେବକାନ୍ତ ମୋଟେ ଭାବି ପାରେ ନାହିଁ । କେବେ କିପରି ସେ ଭାବନା ମୁଣ୍ଡ ଭିତରକୁ ଆସିଲେ ତା’ ରେଡ଼ିଓର ଭୋଲିଉମ୍ ବଢ଼ିଯାଏ; କିମ୍ୱା ନିଜକୁ ସେ ଏକ ମୃତ୍ୟୁହୀନ ପୃଥିବୀକୁ ନେଇଯାଏ ।

 

ମାଟ୍ରିକରେ ଯଥାକ୍ରମେ ତିନିଥର ଓ ଚାରିଥର ଫେଲ୍ ହୋଇଥିବା ଦୁଇଟି ସାନ ଭାଇ । ଗଞ୍ଜେଇ ଟାଣିବା, ଫିଲ୍ମ ପତ୍ରିକା ପଢ଼ିବା ଓ ରେଡ଼ିଓ ବଜାଇବା ସେମାନଙ୍କର ରୁଟିନ୍ ।

 

ସ୍ତ୍ରୀ ରଞ୍ଜନା ଓ ଛୁଆମାନେ । ରଞ୍ଜନା ସବୁବେଳେ ରୋଗୀଣା । ଶୁଷ୍କ, ହଳଦିଆ ଚମଡ଼ା-। ନିଷ୍ପ୍ରାଣ ଆଖି ତଳେ ଗାଢ଼ କଳା ଦାଗ । ଦ୍ୱିତୀୟ ସନ୍ତାନ ଜନ୍ମହେବା ପରେ ତା’ଦେହର ସମସ୍ତ ରକ୍ତ ଓ ମାଂସ ସତେ ଯେପରି କିଏ ଚିପୁଡ଼ି ନେଇଛି । ବଡ଼ ପୁଅ କଥା କହିପାରେ ନାହିଁ ବୋଲି ଦିନେ ଦିନେ କାନ୍ଦେ, କାନ୍ଧରେ ମୁଣ୍ଡ ପିଟି ସଂଜ୍ଞାହୀନ ହୋଇଯାଏ । ସାନ ପୁଅ ଦେହରୁ କେତେବେଳେ ବି ଘା’ ଶୁଖେ ନାହିଁ ।

 

ଏଇ ହେଲା ଦେବକାନ୍ତ ପରିବାରର ଚିତ୍ର । ଏସବୁ ଦେଖି ଧୈର୍ଯ୍ୟ ଧରି ସମାଧାନ କରିବାକୁ ତା’ର କ୍ଷମତା ନାହିଁ । ସେ ପଛଘୁଞ୍ଚା ଦିଏ ଏବଂ ଛୁଟିପରେ ଫେରିଆସେ କଲେଜ କ୍ୱାଟର୍ସକୁ, ଦିବା’ ସ୍ୱପ୍ନ ଓ ଆତ୍ମପ୍ରବଞ୍ଚନା ଭିତରକୁ । ଏସବୁ ନଥିଲେ ପାଗଳ ହୋଇଯିବା କିମ୍ୱା ଆତ୍ମହତ୍ୟା କରିବା ବ୍ୟତୀତ ତା’ପାଇଁ ବୋଧହୁଏ ଆଉ କିଛି ପନ୍ଥା ଉନ୍ମୁକ୍ତ ନଥାନ୍ତା ।

 

ଦୁଇଟି ବସ୍ ବଦଳାଇ ଘରେ ପହଞ୍ଚିଲାବେଳକୁ ସଂଧ୍ୟା ପାଞ୍ଚଟା । ବାହାର ପଟ ବାରଣ୍ଡାରେ କାନ୍ଥକୁ ଡେରି ହୋଇ ଉଦାସ ମୁହଁରେ ବାପା ବସିଛନ୍ତି । ଦେବକାନ୍ତ ପାଖରେ ପହଞ୍ଚି ତାଙ୍କ ପାଦଧୂଳି ମୁଣ୍ଡରେ ମାରିଲା । ତା’ ଦେହ ଉପରେ ଥରଟିଏ ଦୃଷ୍ଟି ବୁଲାଇ ଆଣି ସେ ଆଗଭଳି ବସି ରହିଲେ । ତା ସଙ୍ଗେ ସେ ବେଶୀ କଥାବାର୍ତ୍ତା କରନ୍ତି ନାହିଁ । ତା’ କମିଜ ସଫା ହେବା, ଛୁଟି ପରେ କଲେଜକୁ ଫେରିଲାବେଳେ କେତେ ଟଙ୍କା ନେବା ଦରକାର, ବର୍ଷା ସମୟରେ ବାହାରକୁ ନ ଯିବା ସମ୍ପର୍କରେ ତାଗିଦ୍ ଇତ୍ୟାଦି ମା’ଙ୍କ ମାଧ୍ୟମରେ ଦେବକାନ୍ତ କାନରେ ପହଞ୍ଚେ ।

 

ଗତ ଗ୍ରୀଷ୍ମ ଛୁଟିରେ ତାଙ୍କ ହାତକୁ ଦଶଟି ଶହେ ଟଙ୍କିଆ ନୋଟ ବଢ଼ାଇ ଦେଇ ତାଙ୍କୁ ବିସ୍ମିତ କରିଥିଲା ଦେବକାନ୍ତ ।

 

—‘କ’ଣ ହେବ, ଏତେ ଟଙ୍କା ?

 

—‘ଆପଣ ରଖିଥାନ୍ତୁ । ଗର୍ବର ସହିତ କହିଥିଲା ଦେବକାନ୍ତ । ‘କିଛି ନ ହେଲେ ବି ଆଉ କିଛି ଜମି ଖୋଳାଇ ଦେବା, କିମ୍ୱା ପୋଖରୀଟାକୁ ଆହୁରି ବଡ଼ କରିଦେବା ।’

 

ଦେବକାନ୍ତ ଠାରୁ ସେ ଟଙ୍କା ପଇସା ଆଶା କରନ୍ତି ନାହିଁ । ସେ ଚାହାନ୍ତି, ଦେବକାନ୍ତ ଯେପରି ସୁଖ ଶାନ୍ତିରେ ଚଳେ । କୌଣସି ପ୍ରକାର ଅଭାବରେ ସେ ଯେପରି ମ୍ରିୟମାଣ ନହୁଏ ।

 

ଘର ଭିତରୁ ଗୋଟିଏ ଛୁଆ ରାହାଧରି କାନ୍ଦୁଥିବାର ଶୁଣାଗଲା । ସେ ନୀରବରେ ଘର ଭିତରେ ପଶିଲା । ସାନପୁଅଟା ବାରଣ୍ଡା ଉପରେ ଶୋଇ ସର୍ବହରା ଛେଉଣ୍ଡ ଭଳି ଆର୍ତ୍ତନାଦ କରୁଛି-। ତା ପାଖକୁ ବଡ଼ପୁଅ ନିର୍ବିକାର ଭାବରେ କଂସାରୁ ଜଳଖିଆ ଖାଇଚାଲିଛି । ଆହୁରି ଆଗକୁ ଯାଇ ଦେବକାନ୍ତ ଦେଖିଲା, ରୋଷେଇ ଘରେ ରଞ୍ଜନା ଡାଲି ଫୁଟେଇବାର ପ୍ରସ୍ତୁତି କରୁଛି ।

 

ତାକୁ ଦେଖି ସେ ମୁଣ୍ଡର ଓଢ଼ଣାଟା ଆହୁରି ଆଗକୁ ଟାଣି ମୁହଁ ବୁଲେଇ ନେଲା ।

 

—‘ମା ନାହିଁ ।’

 

—‘ଅଛନ୍ତି । ଏକ ଅଳସ, ଦୁର୍ବଳ ସ୍ୱର । ‘ଚାରିଦିନ ହେଲା ଜ୍ୱର । ସଂଧ୍ୟାଟାରେ ଗୁଡ଼ାଏ ବାନ୍ତି କରି ଶୋଇ ଯାଇଛନ୍ତି । ମୁଣ୍ଡ ବିନ୍ଧୁଛି ବୋଲି କହି ଛଟପଟ ହେଉଥିଲେ ।’

 

—‘ସାନ ଛୁଆଟା କାନ୍ଦୁଛି କାହିଁକି ? ବିରକ୍ତିର ସହିତ ସେ ପଚାରିଲା । ଛୁଆଗୁଡ଼ାଙ୍କୁ ଏମିତି ଅବହେଳା କାହିଁକି କର, କହିଲ ?

 

ଏ ପ୍ରଶ୍ନର ଉତ୍ତର ମିଳିଲା ନାହିଁ । ଡାଲି ଫୁଟେଇବାର ଶବ୍ଦ କଥୋପକଥନରେ ବିରତି ଆଣିଲା ।

 

ଦେବକାନ୍ତ ନିଜ ପ୍ରଶ୍ନର ପୁନରାବୃତ୍ତି କଲା । ସବୁ ଶୁଣି ରଞ୍ଜନା ଦୀର୍ଘଶ୍ୱାସ ମାରି ଉଠି ଆସିଲା । କଳସୀରୁ ଢାଳକୁ ପାଣି କାଢ଼ିବାବେଳେ ତା’ର ଥରିଲା ସ୍ୱର ଶୁଣାଗଲା—‘କେତେ ଆଉ ଦହଗଞ୍ଜ ହେବି ? ପାରି ଢାଳଟା ବାରଣ୍ଡା କଡ଼ରେ ଥୋଇ ସେ କହିଲା—‘ଧୋଇ ହୁଅ ।’ ଦେବକାନ୍ତ ଗୋଡ଼ରୁ ଯୋତା-ମୋଜା କାଢ଼ିବା ବେଳେ ରଞ୍ଜନା କଥାର ଖିଅ ଧରିଲା—‘କି ନିଉଁଛୁଣା ଟୋକାଟା କେଜାଣି ! କେତେବେଳେ ଭଲା ଦେହରୁ ଘା’ ଶୁଖନ୍ତା ! ବଥ ଗୋଟାଏ ଜଂଘରେ ହୋଇଛି ଯେ କାନ୍ଦିକାଟି ଅଥୟ କରୁଛି । ଦଶ’ରା ଛୁଟିରେ ତା’ପାଇଁ ଡାକ୍ତରୀ ପରୀକ୍ଷା କରାଇବ ବୋଲି କହୁଥିଲ ପରା ?’

—‘ହଁ... । କ’ଣ କହିଲ ଶୁଣି ପାରିଲି ନାହିଁ ।’

ସେ ଆଉ କିଛି କହିଲା ନାହିଁ । ତଉଲିଆରେ ମୁହଁ ପୋଛିଲା ବେଳକୁ ଦେବକାନ୍ତ ପଚାରିଲା—‘ଆରକ ସ୍କୁଲକୁ ଯାଉଛି ନା ?’

ସ୍ତ୍ରୀର ଭଙ୍ଗାକଣ୍ଠ—‘କାହିଁକି ଯିବ ? କଥା ପଦେ ତ କହିଲା ନାହିଁ ।’ ସେ ରୋଷେଇ ଘର ଭିତରେ ପଶିଗଲା । ଭିତରୁ ଶୁଣିଲା—‘ଏଇ ଆଠଦଶ ଦିନ ହେଲା ବାପା ତାକୁ ବଡ଼ ଡାକ୍ତରଖାନାକୁ ନେଇ ଦେଖାଇଥିଲେ । ତା’ର ଆଉ କଥା କହିବାର ଆଶା ନାହିଁ ।’ ତା ପରେ ଚାପା କାନ୍ଦ ଶୁଭିଲା-

ରୋଷେଇ ଘର ଭିତରେ ପଶି ଦେବକାନ୍ତ ଦେଖିଲା, ଦୁଇ ପାପୁଲିରେ ମୁହଁ ଘୋଡ଼ାଇ ରଞ୍ଜନା କାନ୍ଦୁଛି । ତାକୁ ଦେଖିବା କ୍ଷଣି ତା’ର କାନ୍ଦ ବଢ଼ିଗଲା । ପାଖକୁ ଯାଇ ତା’ର କାନ୍ଦ ଥାପୁଡ଼ାଇ, ବାହାରକୁ ବାହାରି ଆସିଲା ଦେବକାନ୍ତ ।

ସ୍ଥିର କଲା, ଏମାନଙ୍କୁ ଏଥର ସେ ପାଖକୁ ନେଇଯିବ । ଏଇ ଯୋଜନା ସେ କରେ ସବୁଥର । ଏମାନଙ୍କର ଅବହେଳିତ ମୁହଁ ତାକୁ ଏକ ବିଚିତ୍ର ଚେତାବନୀ ଦିଏ । କଲେଜରେ ସେ ଯେଉଁ ପ୍ରକାରର ଜୀବନ ବିତାଏ, ତାହାକୁ ଉପହାସ କରେ । ଏମାନଙ୍କୁ ଦେଖିଲେ ଅଳ୍ପକ୍ଷଣ ପାଇଁ ହେଉ ପଛକେ, ସମସ୍ତ ମାନସିକ ଦୂରତା ସଙ୍କୁଚିତ ହୋଇଯାଏ ଏବଂ ଏମାନେ ତା’ର, ଏକାନ୍ତ ଭାବେ ତା’ର ବୋଲି ଭାବନା ମନରେ ସଞ୍ଚରିତ ହୁଏ । ମାତ୍ର କଲେଜକୁ ଫେରିଗଲେ ତାହା ଆଉ ହୁଏନାହିଁ । ସେଠାରେ ସେ ଭାବେ, କଲେଜର ଛାତ୍ର-ଛାତ୍ରୀମାନେ ସ୍ନେହ ଓ ଆନ୍ତରିକତାର ମସୃଣତାରେ ତା’ ହୃଦୟର ସମସ୍ତ କ୍ଷତର ଯତ୍ନ ନିଅନ୍ତେ ଓ ତାକୁ ଗୋଟାଏ ଅବୋଧ୍ୟ ଶିଶୁ ଭଳି ଶାସନ କରନ୍ତେ ।

ଦେବକାନ୍ତ ରୋଷେଇ ଘର ଭିତରକୁ ଯାଇ ନିଜର ନିଷ୍ପତ୍ତି ଶୁଣେଇ ଦେବ ବୋଲି ଉଦ୍ୟତ ହେଉଥିଲା; କିନ୍ତୁ ହଠାତ୍ କ’ଣ ହେଲା କେଜାଣି, ସେ ଶୋଇବା ଘରକୁ ଚାଲି ଆସିଲା ପୋଷାକ ବଦଳାଇବା ପାଇଁ । ସାନପୁଅଟା ତଥାପି କାନ୍ଦୁଛି । ବଡ଼ଟି ତା’ଆଡ଼େ ଅନାଶକ୍ତ ମୁହଁରେ ଚାହିଁ ଜଳଖିଆ ଖାଇ ଚାଲିଛି ଆଗଭଳି ।

ପରଦିନ ସକାଳ—

ଦାନ୍ତ ଘଷୁଥିବା ବେଳେ ଗାଁର ଦଶ-ବାର ଜଣ ପିଲା ତା ତା’ ପାଖରେ ପହଞ୍ଚି ନମସ୍କାର କଲେ । ସେମାନଙ୍କର ଭଲ ମନ୍ଦ ପଚାରି ସାରିବା ପରେ ସେ ଲକ୍ଷ୍ୟ କଲା, ତାକୁ କିଛି କହିବା ପାଇଁ ସେମାନେ ଚାହୁଁଛନ୍ତି, କିନ୍ତୁ ସମ୍ଭବତଃ ସଙ୍କୋଚ ହେତୁ ଭରସି ପାରୁ ନାହାନ୍ତି । ଶେଷରେ ଜଗନ୍ନାଥ ବୋଲି ପିଲାଟିଏ କହିଲା—‘ଦାଦା, ଆଜି ଆମେ ଗୋଟାଏ ନାଟକ ମଞ୍ଚସ୍ଥ କରୁଛୁ ।’

‘—ସତେ ? ଭଲ କଥା ତ ! ତୁ କି ପାର୍ଟ ନେଉଛୁ ?’

—‘ନାଇଁ, ଭଲ କଥା ନୁହେ । ତୁମେ ସାହାଯ୍ୟ ନକଲେ ନାଟକ ବନ୍ଦ । କାଲି ତୁମ ଆସିବା ଖବର ପାଇ ଆମେ ଭାରି ଉତ୍ସାହିତ ହୋଇଛୁ । ତୁମକୁ ସାକ୍ଷାତ କରିଥାନ୍ତୁ କାଲି; କିନ୍ତୁ ସେତେବେଳକୁ ତୁମେ ଶୋଇ ପଡ଼ିଲଣି ।’ ଆଉ ଜଣେ କହିଲା ।

ଗାଁରେ ନାଟକ ମଞ୍ଚସ୍ଥ କରିବାରେ ଦେବକାନ୍ତ ଖୁବ୍ ଆଗ୍ରହୀ ଥିଲା । ତାହା ପ୍ରାୟ ଆଠ-ଦଶ ବର୍ଷ ତଳର କଥା । ସେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିଲା । ଷ୍ଟେଜ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ପେଟ୍ରେମାକ୍‍ସ ସଜାଡ଼ିବା କାମ ସେ କରୁଥିଲା । ଦଶହରା ବେଳକୁ ନାଟକ ମଞ୍ଚସ୍ଥ କରିବା ଗାଁର ଏକ ପରମ୍ପରା । ଚାକିରି ପରେ ଏ ସବୁଥିରୁ ନିଜକୁ ଦୂରେଇ ରଖିଲେ ମଧ୍ୟ, ଯାହା କହନ୍ତି, ନୈତିକ ସମର୍ଥନ ତା’ଠାରୁ ଏ ସଂକ୍ରାନ୍ତରେ ମିଳୁଥିଲା ।

—‘କି ପ୍ରକାର ସାହାଯ୍ୟ ଚାହୁଁଛ ?

—‘ତୁମେ ଆଗ ହଁ କର । ତାପରେ କୁହାଯିବ ।’

ଦେବକାନ୍ତ ହ କଲା ।

ଜଗନ୍ନାଥ ତା’ପରେ ଯେଉଁ କଥା କହିଲା, ସେଥିରେ ଭୟଭୀତ ହେବା ବ୍ୟତୀତ ଆଉ କିଛି ଉପାୟ ନଥିଲା ଦେବକାନ୍ତ ପାଇଁ । କଥା କ’ଣ କି, ନାଟକର ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଥିବା ପିଲା, ଅଚାନକ ଭାବରେ ମାମୁଁ ଘରକୁ ଗତକାଲି ଚାଲିଗଲା । ଆଜି ନାଟକ ହେବା କଥା-। ଷ୍ଟେଜ ବନ୍ଧାବନ୍ଧି ଏକରକମ ସରିଗଲାଣି । ଦେବକାନ୍ତ ଉକ୍ତ ଭୂମିକାଟି ଗ୍ରହଣ ନକଲେ ନାଟକ ବନ୍ଦ ହୋଇଯିବ ।

 

କିଛି କହିବା ପୂର୍ବରୁ ସେମାନେ ଦେବକାନ୍ତର ପ୍ରତିଜ୍ଞା କଥା ଏବଂ ଗାଁର ନାଟକ ପ୍ରତି ତା’ର ଆଗ୍ରହ କଥା ସ୍ମରଣ କରିଦେଇ ସେ ନିଶ୍ଚୟ ମଞ୍ଚ ଉପରେ ଅବତୀର୍ଣ୍ଣ ହେବ ବୋଲି ଦୃଢ଼ ଆଶା ପୋଷଣ କଲେ । ପରିସ୍ଥିତି ଏମିତି ହେଲା ଯେ, ସେମାନଙ୍କର ଆଗ୍ରହ ଓ ତା ଉପରେ ଥିବା ଆସ୍ଥାର ସ୍ରୋତ ଉପରେ ବିନା ପ୍ରତିବାଦରେ ଦେବକାନ୍ତ ଭାସିଗଲା । ତା ଉପରେ ଜୋର କରି ଲଦି ଦିଆଗଲା ଏକ ଭୂମିକା । ସେଥିପାଇଁ ତାର ମାନସିକ ପ୍ରସ୍ତୁତି କିମ୍ୱା ଆତ୍ମବିଶ୍ୱାସ ନାହିଁ ବୋଲି ଯେତେ କହିଲେ ମଧ୍ୟ ସେମାନେ କିଛି ଶୁଣିଲେ ନାହିଁ ।

 

—‘ଆଚ୍ଛା ହେଉ, ବହିଟା ଦିଅ । ଟିକିଏ ଭଲ କରି ଆଖି ବୁଲେଇ ନିଏ; କିନ୍ତୁ ନାଟକ ଭଲ ହେବ ନାହିଁ ବୋଲି ଏତିକିବେଳୁ କହି ଦେଉଛି ।’

 

ସେମାନେ ବହି ଧରି ଆସିଥିଲେ । ଦେବକାନ୍ତ ହାତକୁ ତାହା ବଢ଼ାଇ ଦେଇ ଜଗନ୍ନାଥ କହିଲା—‘ତୁମେ ଅଭିନୟ କରିବ; ଅଥଚ ନାଟକ ଭଲ ହେବ ନାହିଁ ।’

 

ଦେବକାନ୍ତ ମତ ଦେଲା—‘ହେଲେ ନାଟକଟା ଆଜି ମଞ୍ଚସ୍ଥ ନ କରି ଆଉ କୌଣସି ଦିନ କଲେ କିପରି ହୁଅନ୍ତା ?’

 

ଏକ ସ୍ୱରରେ ସେମାନେ ଏ ପ୍ରସ୍ତାବକୁ ନାକଚ କଲେ । ଆଜି ଡ୍ରାମା କରିବା ସପକ୍ଷରେ ସେମାନେ ଯେଉଁ ଯୁକ୍ତି ବାଢ଼ିଲେ, ତାହା ତା’ର ମନେ ନାହିଁ । ନାଟକଟିକୁ ପଢ଼ିସାରିବା ପରେ ଦେବକାନ୍ତର ମନ ଦବିଗଲା । ଆପାତତଃ ତାକୁ ଜୋର କରି ଦିଆଯାଇଥିବା ଭୂମିକାଟି ଉପରେ ନାଟକର ପ୍ରାଣ ନିର୍ଭର କରୁଛି; କିନ୍ତୁ ଏଭଳି ଭୂମିକା ଗ୍ରହଣ କରିବାକୁ ତା’ର ଇଚ୍ଛା ହେଲା ନାହିଁ । ଯଦିଓ ଏହା ଏକ ନାଟକମାତ୍ର ଏବଂ ଏହାର ପରିସର ବ୍ୟକ୍ତିଗତ ଜୀବନଠାରୁ ସ୍ୱତନ୍ତ୍ର; ତଥାପି ସେ ଆଶଙ୍କା କଲା ଯେ, ଷ୍ଟେଜ୍ ଉପରେ ସେ ହୁଏତ ଏମିତି କିଛି କରି ଦେଇ ପାରେ; ଯଦ୍ୱାରା ନାଟକର ସଫଳତା କ୍ଷତିଗ୍ରସ୍ତ ହେବ ।

 

ତା’ର ବ୍ୟକ୍ତିଗତ ଜୀବନ ଓ ନାଟକରେ ସେ ଗ୍ରହଣ କରିବାକୁ ଯାଉଥିବା ଭୂମିକା ମଧ୍ୟରେ ବିଶେଷ କିଛି ତାରତମ୍ୟ ନାହିଁ । କେବଳ ନାଟକର ଚରିତ୍ରଟି ଜୀବନର ରୁକ୍ଷତା ଓ ବାସ୍ତବତା ସଙ୍ଗେ ମୁକାବିଲା କରି ନପାରି ପାଗଳ ହୋଇ ଯାଇଛି ଓ କୌଣସି ଏକ ମାନସିକ ଚିକିତ୍ସାଳୟରେ ମୃତ୍ୟୁବରଣ କରିଛି ।

 

ଦେବକାନ୍ତ ଉଠିଆସିଲା ଖଟ ଉପରୁ । ସେତେବେଳକୁ ଅପରାହ୍ନ ଦୁଇଟା । ମନେ ମନେ ସେ ନିଷ୍ପତ୍ତି କଲା ଯେ, ଡ୍ରାମାରେ ପାର୍ଟ ନେବା କଥା ସେ ମନା କରି ଦେବ । ଗାଁ ମୁଣ୍ଡ ପଡ଼ିଆରେ ବିପୁଳ ଉତ୍ସାହର ସହିତ ଦଳେ ପିଲା ମଞ୍ଚ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଛ-ସାତଟି କାଠ ଖଟକୁ ନେଇ ମଞ୍ଚ ତିଆରି ହୋଇଛି । ଚାରି ପାଖରେ ଖୁଣ୍ଟି ପୋତା ହୋଇ ଗାଁର ଆକର୍ଷଣୀୟ ଶାଢ଼ିରେ ମଞ୍ଚର ଅନ୍ୟାନ୍ୟ ଅଙ୍ଗ ଆବୃତ୍ତ ହୋଇଛି । ବ୍ଳକ୍ ଅଫିସରୁ ଅଣାଯାଇଥିବା ତିନିଟି ସ୍କ୍ରିନ୍ ଓ କଳା ରଙ୍ଗର ଡ୍ରପ୍ ଟଙ୍ଗା ଯାଇ ସାରିଲାଣି ।

 

ଦେବକାନ୍ତକୁ ଦେଖି ସମସ୍ତେ କାମ ବନ୍ଦ କରି ଦେଲେ ଓ ଷ୍ଟେଜ୍ ସମ୍ପର୍କରେ ତା’ର ମତାମତ ଲୋଡ଼ିଲେ । ଏକ କରୁଣ ଦୃଷ୍ଟିରେ ସେ ସମସ୍ତଙ୍କର ଆଗ୍ରହଦପ୍ତ ମୁହଁ ଆଡ଼େ ଚାହିଁଲା । ଦୀର୍ଘଶ୍ୱାସ ତ୍ୟାଗ କରି ନାଟକଟିକୁ ବଢ଼ାଇ ଦେଲା ଜଣକ ହାତକୁ । ସେମାନଙ୍କର ମୁହଁରେ କ’ଣ ଥିଲା କେଜାଣି, ସେ ନିଜର ନିଷ୍ପତ୍ତି ଘୋଷଣା କରି ପାରିଲା ନାହିଁ । ପରିଣାମରେ ଏକ ଅବ୍ୟକ୍ତ ହାହାକର ତା’ର ଆହତ ମନକୁ ଆଚ୍ଛନ୍ନ କରି ପକାଇଲା । ଅନ୍ୟମନସ୍କ ଭାବରେ ରଙ୍ଗମଞ୍ଚ ଉପରେ ମତାମତ ଦେଇ ସେ ଫେରି ଆସିଲା ଘରକୁ । ନିର୍ବାକ ହୋଇ ସେ ଠିଆ ହୋଇ ରହିଲା କୋଠରୀ ମଝିରେ ଅନେକ ସମୟ ପର୍ଯ୍ୟନ୍ତ । ହଠାତ୍ ଭାବିଲା, କଲେଜରେ ଖୁବ୍ ଜରୁରୀ କାମର ବାହାନା ଦେଖାଇ ସେ ଫେରିଯିବ କି ? ଏଇ କଥା ଭାବିବାକ୍ଷଣି ଅଦ୍ଭୁତ ଅସ୍ଥିରତାରେ ସେ ଝାଳେଇଗଲା ଓ ଘନ ଘନ ନିଶ୍ୱାସ ମାରିଲା । ତା’ପରେ ଚୌକି ଉପରେ ବସି ମନକୁ ଦୃଢ଼ କଲା ସେ । ଡ୍ରାମାରେ ଅଭିନୟ କରିବା କଥାକୁ କେନ୍ଦ୍ର କରି ଏମିତି ମାଇଚିଆ ଭଳି ଶଙ୍କିତ ହେବାଟା ଠିକ୍ ନୁହେଁ । ନିଜ ଜୀବନ ସହିତ ଏହି ନାଟକର କି ସମ୍ପର୍କ ବା ଅଛି ?

 

ସଂଧ୍ୟା ପାଞ୍ଚଟା ବେଳକୁ ମାଇକ୍ ବାଜି ଉଠିଲା । ରାତି ଆଠଟାରେ ଡ୍ରାମା ଆରମ୍ଭ ହେବା କଥା ଆକସ୍ମିକ ଭାବରେ ସେ ଚଞ୍ଚଳ ହୋଇ ପଡ଼ିଲା ଏବଂ କ୍ରମେ ତା’ର ଆତ୍ମ-ବିଶ୍ୱାସ ଫେରି ଆସିଲା । ନାଟକର ଦୃଶ୍ୟଗୁଡ଼ିକ ତା’ ସାମନାରେ ନାଚି ଉଠିଲା—ଯେଉଁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସେ ଅବତୀର୍ଣ୍ଣ ହେବ, ସେଗୁଡ଼ିକର କାଳ୍ପନିକ ଚିତ୍ର ଗଠିତ ହେଲା ତା’ ମନର କାନ୍‍ଭାସ୍ ଉପରେ ।

 

ମେକ୍-ଅପ୍ ଲଗାଇ ଆବଶ୍ୟକ ପୋଷାକ-ପରିଚ୍ଛଦ ପିନ୍ଧିବା ପରେ ଦେବକାନ୍ତର ସମଗ୍ର ଦେହ ଶିହରୀ ଉଠିଲା । ଜଣେ ଅତି ଉତ୍ସାହର ସହିତ କହିଲା ଯେ, ଏ ବର୍ଷ ଆଶାତୀତ ଭାବେ ଦର୍ଶକଙ୍କର ଭିଡ଼ ହୋଇଛି । ତା’ପରେ ଦେବକାନ୍ତ ଆଡ଼େ ଅନେଇ ତା’ର ଭୂମିକା ଗ୍ରହଣ ଏଥିପାଇଁ ଅନେକଟା ଦାୟୀ ବୋଲି ସେ ମତ ଦେଲା ।

 

ନାଟକ ଆରମ୍ଭ ହେଲା ।

 

ପର୍ଦ୍ଦା ପଛରେ ଠିଆ ହୋଇଥିବା ସ୍ମାରକ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲା ଦେବକାନ୍ତ ପାଇଁ । ସେ ବେଳେ ବେଳେ ନାଟକ ବହିର୍ଭୁତ ସଂଳାପମାନ କହୁଥିଲା । ଅବଶ୍ୟ ନାଟକର ଅଙ୍ଗ ସୌଷ୍ଠବ ଏଥିସକାଶେ କ୍ଷୁର୍ଣ୍ଣ ହେଉ ନଥିଲା । ସଫଳତାର ସହିତ ଆଗେଇ ଚାଲିଲା ନାଟକ ।

 

ମାତ୍ର ଡ୍ରାମାର ଚୂଡ଼ାନ୍ତ ମୁହୂର୍ତ୍ତରେ ସବୁ ଗଣ୍ଡଗୋଳ ହୋଇଗଲା । ଯେଉଁ ଦୃଶ୍ୟରେ ଦେବକାନ୍ତ ପାଗଳ ହୋଇଯିବା କଥା, ସେଇଠି ସେ ଦୃଢ଼ତାର ସହିତ ଘୋଷଣା କଲା—‘ଖାଲି ବଞ୍ଚି ରହିବାଟା ଜୀବନ ନୁହେଁ । ତାହା ବୋଲି ପାଗଳ ହୋଇଯିବା ସପକ୍ଷରେ ଯେକୌଣସି ଯୁକ୍ତିକୁ ମୁଁ ମୁକ୍ତ କଣ୍ଠରେ ଅସ୍ୱୀକାର କରୁଛି । ମନେରଖ, ମୋ ଜୀବନ ଯାହା ହେଲେ ବି ପାଗଳାମୀର ଭାଇରସ ପାଇଁ ଏହାର ଫାଟକ ଉନ୍ମୁକ୍ତ ନୁହେଁ ।’ ହଠାତ୍ ସେ ଉଚ୍ଚ ସ୍ୱରରେ ଚିତ୍କାର କରି ପର୍ଦ୍ଦା ପଛରେ ଠିଆ ହୋଇଥିବା ସ୍ମାରକ ଉଦ୍ଦେଶ୍ୟରେ ଏକ ଶକ୍ତ ମୁଷ୍ଠି ପ୍ରୟୋଗ କଲା ଏବଂ କହିଲା–‘ଚୁପ୍‍କର୍‍, You rascal ମୋତେ ନିର୍ଦ୍ଦେଶ ଦେବାକୁ ତୁ କିଏ ?’ ତା’ପରେ ହାତରେ ଥିବା ବହିକୁ ଫୋପାଡ଼ିଲା ଗୋଟାଏ ପେଟ୍ରୋମାକସ ଆଡ଼କୁ ।

 

ସମ୍ମୋହିତ ହେଲା ଭଳି ସେ ଶାନ୍ତ ହୋଇଗଲା । ତା’ ଆଖିରୁ ଝରି ଆସିଲା ଦୁଇଧାର ଲୁହ । ବାଷ୍ଫାକୁଳ କଣ୍ଠରେ ସେ ଆର୍ତ୍ତନାଦ କଲା—‘କିଏ କହେ ଏ ଜୀବନର ଏକ ନିର୍ଦ୍ଦିଷ୍ଟତା ଅଛି ବୋଲି ? ହୁଏତ ଏହା ଏକ ଭ୍ରମାତ୍ମକ ଠିକଣା ଲେଖା ଚିଠି; ଯାହା ଭିତରେ ଆବେଗମୟ ଶବ୍ଦମାନେ ହୃଦୟର ନିର୍ଯ୍ୟାସକୁ ଚିପୁଡ଼ି ଲିପିବଦ୍ଧ ହୋଇଥାନ୍ତି । କିନ୍ତୁ...ଏଠି ଦେଖା ଦିଏ ଭୁଲ ଡାକମୁଣିରେ ଏବଂ ଶେଷରେ କାହିଁ କେତେ ଦୂରରେ ରହିଯାଏ ଏହାର ଲକ୍ଷ୍ୟ ସ୍ଥଳ ।’ ଆଖିର ଲୁହ ପୋଛି ସେ ଦୀର୍ଘଶ୍ୱାସ ତ୍ୟାଗକଲା—‘Ladies and Gentlemen, ମୁଁ ଏ ନାଟକର ପରିଣତି ଅସ୍ୱୀକାର କରେ, କାରଣ ମୁଁ ଏଭଳି ଭାବରେ ମରିବାକୁ ଭୟକରେ, ଘୃଣା କରେ ।’ ପୁନରାୟ ଚିତ୍କାର ଶୁଭିଲା—‘ପର୍ଦ୍ଦାଟା ପକାଇ ଦିଅ ।’

 

ଅନେକ ସମୟ ଆଗରୁ ପର୍ଦ୍ଦା ପକାଇ ଦିଆଯାଇ ଥିଲା । ଦେବକାନ୍ତର ସଂଜ୍ଞାହୀନ ଶରୀର ତଳେ ପଡ଼ିଯିବା ଆଗରୁ କେତେଜଣ ତାକୁ ଧରି ନେଇ ଥିଲେ ।

 

ଦୀର୍ଘ ଦୁଇଘଣ୍ଟା ପରେ ଆଖି ଖୋଲିଲା ସେ । ସେତେବେଳକୁ ସବୁ ନିର୍ଜନ ହୋଇ ଯାଇଥିଲା । ଷ୍ଟେଜ ଉପରେ ତାକୁ ଜଗି ରହିଥିଲେ ନାଟକର ଚରିତ୍ରମାନେ । ତଥାପି ସେମାନଙ୍କ ମୁହଁରେ ବିବର୍ଣ୍ଣ ମେକ୍-ଅପ୍‍ର ଶେଷାଂଶ ଲାଗି ରହିଥିଲା । ପେଟ୍ରୋମାକସଟା ଜଳୁଥିଲା କ୍ଳାନ୍ତ ହୋଇ । ସେ ଉଠି ବସିଲା । ଆଦେଶ ଦେଲା—‘ପାଣି ।’

 

ମୁହଁର ମେକ୍-ଅପ୍ ଧୋଇଲାବେଳେ ସେ ହସିଲା ମନକୁ ମନ । ସେ ନିଶ୍ଚୟ କିଛି ଗୋଟାଏ କରି ପକାଇଛି । ତା’ର କିନ୍ତୁ ଆଉ କିଛି ମନେ ନାହିଁ ।

 

ନିଜକୁ ସେ ପ୍ରଶ୍ନ ପଚାରୁଥିଲା—କିଏ ସେହି ଭଦ୍ରଲୋକ; ଯେ ପୃଥିବୀକୁ ଏକ ରଙ୍ଗମଞ୍ଚ ସହିତ ତୁଳନା କରି; ମଣିଷମାନଙ୍କୁ ଏଠାରେ ଚାଲିବା ଚରିତ୍ର ବୋଲି ବର୍ଣ୍ଣନା କରିଗଲେ ? ଏଇ କଥାଟାକୁ ଆହୁରି ସ୍ପଷ୍ଟ କରିଦେବା ଉଚିତ ଥିଲା ତାଙ୍କର । ପୃଥିବୀ ଏକ ରଙ୍ଗମଞ୍ଚ, ମଣିଷମାନେ ଚରିତ୍ର—ଏ କଥାସତ । କିନ୍ତୁ କିଏ କହି ପାରିବ ଯେ, ତାହାର ଇଚ୍ଛାମତେ ସେ ଭୂମିକା ପାଇ ପାରିଛି ? ଅପ୍ରତ୍ୟାଶିତ ଭାବେ ମଣିଷମାନଙ୍କ ଉପରେ ଭୂମିକା ଲଦି ଦିଆଯାଏ; ତାହାକୁ ସେମାନେ ପସନ୍ଦ କରନ୍ତି ନାହିଁ; ଅଥଚ ଅଭିନୟ କରିବାକୁ ବାଧ୍ୟ ହୋଇଥାନ୍ତି ।

 

ପୁଣି ଥରେ ପାରିବାରିକ ଚିତ୍ର ଭାସି ଉଠିଲା ଦେବକାନ୍ତ ସାମନାରେ । ସ୍ଥିର କଲା, କାଲି ସେ କଲେଜକୁ ଫେରିଯିବ । ସେଠାକାର ଆତ୍ମପ୍ରତାରଣା ଶ୍ରେୟସ୍କର । ସେଠାକାର ମିଥ୍ୟା, ଛଳନାପୂର୍ଣ୍ଣ ଜୀବନ ସୁଖପ୍ରଦ ।

 

ନୀରବରେ ଘର ଆଡ଼କୁ ଗଲାବେଳେ କେହି ଜଣେ ଅଟ୍ଟହାସ୍ୟ କରୁଥିଲା—କିନ୍ତୁ କେତେଦିନ ପାଇଁ ? କେତେଦିନ.... ?

Image

 

Unknown

ପ୍ରତିଧ୍ୱନୀ

 

ଆସନ୍ନ ଅନ୍ଧକାର-ପ୍ରସବର ଶେଷ ରକ୍ତାକ୍ତ ଯନ୍ତ୍ରଣା ବହନକରି ଗୋଧୂଳିର ମ୍ଳାନ ଆଲୋକ ମୂର୍ଚ୍ଛିତ ହୋଇ ପଡ଼ିଥିଲା ଆଡ଼ଭୋକେଟ୍‍ଙ୍କ ସୁବୋଧ ବର୍ମାଙ୍କର ବଂଲୋ ଟାଇପ୍ ଘର ସାମନା ସବୁଜ ଘାସର କାର୍ପେଟ ଉପରେ ।

 

ମିଃ ବର୍ମା ଶୂନ୍ୟ କଫି କପ୍-ପ୍ଲେଟ୍‍କୁ ଟି-ପୟ ଉପରେ ରଖିଲେ । ସାମନା କେନ୍ ଚେୟାରରେ ବସିଥିବା ରଞ୍ଜନଙ୍କର ଦୃଷ୍ଟି ଆକର୍ଷିତ ହେଲା ଆଡ଼ଭୋକେଟ୍‍ଙ୍କ ଆଡ଼େ ମୁହୂର୍ତ୍ତକ ପାଇଁ-। ତା’ପରେ ପୁନରାୟ ସେ ଅନ୍ୟମନସ୍କ ହୋଇଗଲେ । ଅନେକ ବେଳୁ ତାଙ୍କପାଇଁ ଅଣାଯାଇଥିବା କୋଲ୍ଡ଼-ଡ୍ରିଙ୍କ୍ ଗ୍ଲାସଟା ନିଃଶେଷିତ ହୋଇ ଟିପୟ ଉପରେ ପଡ଼ିରହିଛି । ରଞ୍ଜନ କଫି ପିଇବା ପାଇଁ ମନାକରି କୋଲ୍ଡ଼-ଡ୍ରିଙ୍କ୍ ପସନ୍ଦ କରିଥିଲେ । ମାନସିକ ଉତ୍ତେଜନା ହେତୁ ଗରମ କଫି ତାଙ୍କ ପାଇଁ ଅନୁକୁଳ ନୁହେଁ ବୋଲି କହିଥିଲେ ସେ !

 

ଏକ ବିପଥଗାମୀ ତରୁଣୀ ନିଜକୁ ସଂଶୋଧନ କରିବାକୁ ଇଚ୍ଛାକରି ଆଉ କେବେ ବ୍ରିଫ୍-ବ୍ଲାଉଜ ପିନ୍ଧିବ ନାହିଁ ବୋଲି ହତାଶ ହୋଇ ସେଗୁଡ଼ିକୁ ଖୁବ୍ ଯତ୍ନର ସହିତ ଟ୍ରଙ୍କ୍ ଭିତରେ ସାଇତି ରଖିବା ଭଳି ରଞ୍ଜନଙ୍କର ଯୁକ୍ତି ଯଥେଷ୍ଟ ଅଦ୍ଭୁତ ଜଣାଯାଇଥିଲା ମିଃ ବର୍ମାଙ୍କୁ । ଏଇ ରଞ୍ଜନ ତାଙ୍କ ଘରକୁ ଆସିଲେ ଚାକର ବିଚରା କଫି ପ୍ରସ୍ତୁତ କରି କରି ବିରକ୍ତ ହୋଇଯାଏ ।

 

ରଞ୍ଜନ ଦୀର୍ଘଶ୍ୱାସ ତ୍ୟାଗ କଲେ; ଯାହାର ସୀମାରେଖା ଆର୍ତ୍ତନାଦକୁ ସ୍ପର୍ଶ କରିଥିଲା । ଏକ ଦେହ ବ୍ୟବସାୟୀର ଧୂସର ବର୍ତ୍ତମାନ ଉପରେ ଅତିକ୍ରାନ୍ତ ଯୌବନ ଓ ପ୍ରାଣ ପ୍ରାଚୁର୍ଯ୍ୟର କରୁଣ ପ୍ରତିଧ୍ୱନି ମୋହଗ୍ରସ୍ତ ବର୍ଷା ସୃଷ୍ଟି କଲାଭଳି, ଏକ ବୃଦ୍ଧ ସଙ୍ଗୀତଜ୍ଞ ଅତୀତର କୌଣସି ମର୍ମସ୍ପର୍ଶୀ ସଙ୍ଗୀତକୁ ଫେରାଇ ଆଣିବାପାଇଁ ବ୍ୟର୍ଥ ପ୍ରୟାସକରି ଭାଓଲିନ୍ ସହିତ ସଂଘର୍ଷ କଲାଭଳି ରଞ୍ଜନ ନିଜର ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏକ ସାଲିସ କରିବାକୁ ଚେଷ୍ଟା କରୁଥିଲେ ।

 

ଭାରି ମର୍ମନ୍ତୁଦ ଏ ସମନ୍ୱୟ । ସେ କ୍ରମଶଃ କ୍ଳାନ୍ତି ଓ ଅସହାୟ ହୋଇ ପଡ଼ୁଥିଲେ ।

 

ଏଥର ସେ ସୁବୋଧଙ୍କ ଆଡ଼କୁ ଚାହିଁଲେ । ଅନେକ କୁଖ୍ୟାତ ସହପାଠୀ ମଧ୍ୟରେ ସୁବୋଧ ଥିଲେ ଅଗ୍ରଗନ୍ୟ । ସ୍କୁଲରେ ପଢ଼ିବାବେଳକୁ ତାଙ୍କ ବାପାଙ୍କର କ୍ଷୁଦ୍ର ବ୍ୟବସାୟ ଜାହାଜଟି କ୍ରମେ ସରକାରୀ ମୋକଦ୍ଦମାର ସମୁଦ୍ର ଭିତରେ ନିମଗ୍ନ ହୋଇ ଯାଉଥିଲା । ସ୍କୁଲଶିକ୍ଷା ହୁଏତ ସମାପ୍ତ କରିପାରି ନ ଥାନ୍ତେ ସେ; କାରଣ ଏକାଧିକ ବାର କେତେକ ଝିଅଙ୍କର ବେଣି ଟାଣିବା, ପୋଷାକରେ କାଳି ପକାଇବା ଅଶ୍ଲିଳ ଭାଷାରେ ବେନାମୀ ଚିଠି ଲେଖିବା ଇତ୍ୟାଦି ଅପରାଧରେ ତାଙ୍କୁ ସ୍କୁଲରୁ ବହିଷ୍କାର କରି ଦିଆଯାଇ ଥାନ୍ତା । ମାତ୍ର ହେଡ଼ମାଷ୍ଟରଙ୍କର ପରାମର୍ଶ ଅନୁଯାୟୀ ସେ ସମସ୍ତଙ୍କ ଉପସ୍ଥିତିରେ ଝିଅମାନଙ୍କ ସମ୍ମୁଖରେ ଲମ୍ୱହୋଇ ଗୋଡ଼ତଳେ ପଡ଼ି ନିଜ ପାପର ପ୍ରାୟଶ୍ଚିତ କରିଥିଲେ । ଏଭଳି ଆଚରଣ ଯୋଗୁ କଲେଜରେ ଅନେକବାର ମାଡ଼ଖାଇ ଓକିଲାତି ପାଶ୍ କଲାବେଳକୁ ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା ଏବଂ ତାଙ୍କ ଦେହ ସହିତ ବ୍ୟବସାୟର ମୁର୍ଦ୍ଦାର ମଧ୍ୟ ଶ୍ମଶାନରେ ଭସ୍ମିଭୂତ ହୋଇଥିଲା । ତା’ପରେ ଓକିଲାତି । ତିନିବର୍ଷ ମଧ୍ୟରେ କୋଠା ଓ କାର୍ ।

 

ସେ କହନ୍ତି—‘ମଣିଷ ବର୍ତ୍ତମାନ ବ୍ୟାବହାରିକତାର ମାପକାଠିରେ ମପାଯାଉଛି ରଞ୍ଜନ-। ସେ କ’ଣ ଅପେକ୍ଷା ତା’ର କ’ଣ ଅଛି ପ୍ରଶ୍ନଟି ଅଧିକ ଗୁରୁତ୍ୱପୂର୍ଣ୍ଣ । ତୁ କବିତା ଲେଖି ନିଜକୁ ନଷ୍ଟ କଲୁ; ମୁଁ କଳାଗାଉନ ତଳେ ସତ୍ୟ, ସାଧୁତା ଓ ବିବେକକୁ ନିର୍ବିଘ୍ନରେ ହତ୍ୟାକରି ନିଜକୁ ପ୍ରତିଷ୍ଠା କଲି । ତୁ ଦୁଇ ତିନିଖଣ୍ଡ କବିତା ସଙ୍କଳନ ନିଜେ ପ୍ରକାଶ କରିଛୁ ଯାହାକୁ କିଣିବା ପାଇଁ କେହି ଆଗ୍ରହୀ ନୁହନ୍ତି । ଅଥଚ ମୋର କନସଲଟିଂ ଚେମ୍ୱରରେ କ୍ଲାଏଣ୍ଟମାନଙ୍କର ପର୍ଯ୍ୟାପ୍ତ ଗହଳି-। ସବୁଠାରୁ ବଡ଼କଥା ହେଲା, ଛାତ୍ର ଜୀବନରେ ତୋର ଖାତାଧରି ମତେ ପରୀକ୍ଷାହଲ୍ ଭିତରକୁ ଯିବାକୁ ପଡ଼ୁଥିଲା ! ମଣିଷ ମଣିଷ ଭିତରେ ରକ୍ତାକ୍ତ ସଂଘର୍ଷ ଘଟୁ, ସମସ୍ତେ ଅଦାଲତକୁ ଦୌଡ଼ନ୍ତୁ; ବୋଲି ଓକିଲାତି ଜୀବନର ଆରମ୍ଭରେ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲି । ମାତ୍ର ସେଭଳି ପ୍ରାର୍ଥନାର କୌଣସି ଆବଶ୍ୟକତା ନଥିଲା । ଆଜିକାଲି ମଣିଷମାନେ ଭୟଙ୍କର ଭାବରେ ପରସ୍ପରର ଶତ୍ରୁ ହୋଇ ପଡ଼ିଛନ୍ତି ।’ ତା’ପରେ ଏକ ପ୍ରାଣଖୋଲା ହସ । ଏଥିରେ ରଞ୍ଜନର ଛିଣ୍ଡା ଚପଲ ପ୍ରତି ଆକ୍ଷେପ ନ ଥାଏ । ବ୍ୟାବହାରିକତା ସପକ୍ଷରେ ସେହି ହସହିଁ ହେଉଛି ସ୍ଲୋଗାନ

 

ନୀରବତା ପରେ ରଞ୍ଜନ କହିଁଲେ—‘ମୋତେ ଶୀଘ୍ର ଯିବାକୁ ହେବ । ସତ କହିବାକୁ ଗଲେ ମୁଁ ଟିକିଏ ନର୍ଭସ ଫିଲ୍ କରୁଥିଲି । କାଠଗଡ଼ା ଭିତରେ ଠିଆ ହେବାର ଅଭିଜ୍ଞତା ମୋର ନାହିଁ । ସମସ୍ତ ମାନସିକ ପ୍ରସ୍ତୁତି, ଆଶଙ୍କା ଓ ଉଦବିଘ୍ନତା ଯୋଗୁ ଭୂଷୁଡ଼ି ପଡ଼ୁଥିଲା । ମାତ୍ର ବର୍ତ୍ତମାନ ପ୍ରତିଜ୍ଞା ଓ ଦୃଢ଼ତାର ପାହାଡ଼ ଉପରୁ ସେ ସମସ୍ତ ଦୁର୍ବଳତା ନିଗିଡ଼ି ଯାଇଛି । ବେଶ୍ ସୁସ୍ଥ ଅନୁଭବ କରୁଛି ମୁଁ ।’ ଚୌକି ଉପରୁ ଉଠି ସେ ଯୋଗ କଲେ—‘ପୁଣି ଆସନ୍ତାକାଲି ଅଦାଲତରେ ଦେଖାଦେବ ।’

 

ମିଃ ବର୍ମା ଏ ବକ୍ତବ୍ୟ ଉପରେ କୌଣସି ମନ୍ତବ୍ୟ ବାଢ଼ିଲେ ନାହିଁ । ସେ ବି ଚୌକି ଉପରୁ ଉଠି କହିଲେ—‘ମୁଁ ରୋଟାରୀ କ୍ଲବ ଯିବି । ଟିକିଏ ଅପେକ୍ଷା କର । ମୁଁ ଗାଡ଼ି ବାହାର କରୁଛି-। ତୋ ଘର ପର୍ଯ୍ୟନ୍ତ ଲିଫ୍‍ଟ ଦେବି ।’

 

ଗାଡ଼ି ଭିତରେ ବସି ରଞ୍ଜନ ଭାବୁଥିଲେ, ଏ ଛଳନାର ଆବଶ୍ୟକତା ଅଛି କି ? କିଛିକ୍ଷଣ ପୂର୍ବରୁ ପ୍ରତିଜ୍ଞା ଓ ଦୃଢ଼ତା ଘୋଷଣା କଲାବେଳେ ସେ ନିଜକୁ କ’ଣ ପ୍ରତାରିତ କରୁ ନଥିଲେ ? ଏଇତ, ସେ ପୁଣି ଅସହାୟ ମନେ କରୁଛନ୍ତି । ତାଙ୍କର ସମଗ୍ର ଶରୀର ଶବଭଳି ଥଣ୍ଡା ଓ ସ୍ପନ୍ଦନହୀନ ହୋଇଯାଉଛି ।

 

ମିଃ ବର୍ମା ଷ୍ଟିଅରିଂ ମୋଡ଼ୁ ମୋଡ଼ୁ ଗମ୍ଭୀର ହୋଇ କହିଲେ—‘ଆଜି ଯେତେବେଳେ ସ୍ତ୍ରୀ ପାଇଁ ସ୍ୱାମୀତ୍ୱ କେବଳ ଦୈହିକ ପ୍ରୟୋଜନୀୟତାରେ ପର୍ଯ୍ୟବସିତ ହୋଇଛି, ଏହାକୁ ସ୍ଥାୟୀ କରିବା ପାଇଁ ସ୍ତ୍ରୀର ଅନ୍ୟାନ୍ୟ ଆବଶ୍ୟକତାକୁ ଉଦାର ଭାବରେ ସମ୍ମାନ ପ୍ରଦର୍ଶନ କରିବା ସ୍ୱାମୀର ଏକ ଦାୟିତ୍ୱ । ଏ କ୍ଷେତ୍ରରେ କବିତାର ଭୂମିକା ଉପରେ ମୋର ଆଦୌ ଆସ୍ଥା ନାହିଁ । ଜଣେ ବୁଭୁକ୍ଷୁ ପାଇଁ ଆଶ୍ୱାସନା କିମ୍ୱା ଉପଦେଶ ଏକ ଅବାନ୍ତର ଓ ବିରକ୍ତିକର ନୈତିକତା । ଏଇ କାରଣ ଯୋଗୁଁ ବୈବାହିକ ଜୀବନ କ୍ଷେତ୍ରରେ ତୁ ଜଣେ ପରାଜିତ ସୈନିକ ।’

 

ରଞ୍ଜନ କିଛି କହିବା ପାଇଁ ଇଚ୍ଛାକରି ନୀରବ ରହିବାକୁ ବାଧ୍ୟ ହେଲେ । ସେ ଜାଣିଥିଲେ ଯେ, ତାଙ୍କର ବକ୍ତବ୍ୟ କୋହ ଓ ଅଶ୍ରୁରେ ରୂପାନ୍ତରିତ ହୋଇଥାନ୍ତା । ନିଜକୁ ଏତେ ଦୁର୍ବଳ ବୋଲି ସୁବୋଧଙ୍କ ସାମନାରେ ପ୍ରମାଣିତ କରିବାପାଇଁ ସେ ପସନ୍ଦ କଲେନାହିଁ ।

 

ମିଃ ବର୍ମା ପୁଣି କହିଚାଲିଲେ—‘ମୋର ଚରିତ୍ର ସମ୍ୱନ୍ଧରେ ସମସ୍ତଙ୍କୁ ଜଣାଥିଲେ ମଧ୍ୟ, ମୋ ଘର ଆଗରେ କନ୍ୟା—ପିତାମାନଙ୍କର ଲମ୍ୱା କ୍ୟୁ ଲାଗିଥିଲା । ବିବାହ କରି ମୁଁ ଯେ ଏକ ବିଶ୍ୱସ୍ତ ସ୍ୱାମୀ ହୋଇପାରିଛି, ଏଭଳି ମିଛକଥା ମୁଁ କହୁନାହିଁ । ଏସବୁ ସତ୍ତ୍ୱେ ଆସନ୍ତା କାଲି ଅଦାଲତରେ ତୋ’ କେଶ ସପକ୍ଷରେ ମୋତେ ଦୀର୍ଘ ଭାଷଣ ଦେବାକୁ ହେବ । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିଶ୍ୱାସ ଓ ମର୍ଯ୍ୟଦାପୂର୍ଣ୍ଣ ସମ୍ପର୍କ ରହିବାର ଯଥାର୍ଥତା ପ୍ରତିପାଦନ କରିବାକୁ ହେବ । ଛଳନା ଓ ମିଥ୍ୟାକୁ ଆମ ଦୈନନ୍ଦିନ ଜୀବନରୁ ବାଦ୍ ଦେଲେ ବଞ୍ଚିରହିବା ଆମ ପକ୍ଷରେ ଦୁରୂହ ବ୍ୟାପାର ହୋଇ ପଡ଼ିବ ।’

 

ଆଉ କିଛି କଥା ନାହିଁ । ଗାଡ଼ି ପାର୍କ କଲା ରଞ୍ଜନଙ୍କ ଘର ସାମନାରେ । ଶୁଭରାତ୍ରି କହି ସେ ଗାଡ଼ିରୁ ଓହ୍ଲାଇଲେ ଏବଂ ତାହା ତାଙ୍କ ଦୃଷ୍ଟିର ଅନ୍ତରାଳକୁ ଚାଲିଯିବା ପର୍ଯ୍ୟନ୍ତ ସେ ସେଇଠି ଠିଆ ହୋଇ ରହିଲେ ।

 

ପୁନରାୟ ସେହି ନିଃସଙ୍ଗତା । ସେ ନିଜକୁ ପ୍ରତିରକ୍ଷା ଦୁର୍ଦୀନ ବୋଲି ମନେକଲେ ।

 

ଅଥଚ ବିଚଳିତ ହେବାର କୌଣସି ତାତ୍ପର୍ଯ୍ୟ ନ ଥିଲା । ତାଙ୍କର କାର୍ଯ୍ୟକ୍ରମ ବେଶ୍ ସହଜ । ସେ ରାନୁକୁ ଡିଭର୍ସ କରିବାକୁ ଚାହାନ୍ତି ଏବଂ ଏଥିପାଇଁ ତାଙ୍କ ସପକ୍ଷରେ ଯଥେଷ୍ଟ ଯୁକ୍ତି ରହିଛି ।

 

ରଞ୍ଜନ ରୁମର କବାଟ ବନ୍ଦକରି ଚଟାଣ ଉପରେ ସ୍ତୁପୀକୃତ ହୋଇଥିବା ନିଜକୁ ତିନିଖଣ୍ଡ କବିତା ସଙ୍କଳନ ଉପରେ ସସ୍ନେହ ହାତ ବୁଲାଇ ଆଣିଲେ । ବିଭିନ୍ନ ସମୟରେ ଏଗୁଡ଼ିକ ପ୍ରେସରୁ ମୁକ୍ତିଲାଭ କରି ଏଇ ରୁମ୍ ଭିତରେ ହୁଏତ ଆଜୀବନ ବନ୍ଦୀ ହେବାକୁ ଯାଉଛନ୍ତି । ତହିଁରୁ ଖଣ୍ଡିଏ କପି ଉଠାଇଆଣି ସେ ଧୂଳି ଝାଡ଼ିଲେ ଏବଂ ପୃଷ୍ଠା ଓଲଟାଇଲେ । ରାନୁ ଉଦ୍ଦେଶ୍ୟରେ ଏହା ଉତ୍ସର୍ଗୀକୃତ; କାରଣ ରଞ୍ଜନ ଜାଣିଥିଲେ ତାଙ୍କ କବିତାର ସଫଳତା ପାଇଁ ରାନୁ ନିଜ ଅଜାଣତରେ କେତେ ବଡ଼ ଭୂମିକା ଗ୍ରହଣ କରିଥିଲା । ଯେଉଁଦିନ ଏଇ ସଙ୍କଳନର ପ୍ରଥମ କପି ତାଙ୍କର ହସ୍ତଗତ ହେଲା, ସେଦିନ ସେ ଅଣନିଃଶ୍ୱାସୀ ହୋଇ ଘର୍ମାକ୍ତ ଶରୀରରେ ଏକ ମାର୍ମିକ ଭାଷଣ ଶୁଣାଇଥିଲେ ରାନୁ ସାମନାରେ । ସେଇ ପୁରୁଣା କଥାବସ୍ତୁ—କବିତା । ରାନୁ ବହିଟି ନେଇ ନିଜ ନାମ ଦେଖିଲା ଛପା ଅକ୍ଷରରେ । ଆଗ୍ରହହୀନ ଭାବରେ ପୃଷ୍ଠା ଓଲଟାଇଲେ । ଡ୍ରେସିଂ ଟେବୁଲ ଉପରକୁ ସେଇଟାକୁ ଏକରକମ ଫୋପାଡ଼ିଦେଇ ସେ ପ୍ରସ୍ତାବ ବାଢ଼ିଲେ—‘ଏ ବର୍ଷର ଗ୍ରୀଷ୍ମଦିନ ଗୁଡ଼ାକ ତା’ହେଲେ କୌଣସି ହିଲ୍ ଷ୍ଟେସନରେ କଟାଇବା । କ’ଣ କହୁଛ ?’

 

ରଞ୍ଜନ ଟିକିଓ କ୍ଷୁର୍ଣ୍ଣ ହେଲେ; ରାନୁ ତାଙ୍କର କବିତାକୁ ପ୍ରଶଂସା ନ କଲା ବୋଲି ନୁହେଁ ( ସେ ତାଙ୍କର କବିତା ବୁଝେ ନାହିଁ, କେବେ ବୁଝିବାକୁ ଆଗ୍ରହ ପ୍ରକାଶ କରିନାହିଁ); ପରନ୍ତୁ କଳ୍ପନା ଓ ବୌଦ୍ଧିକ ଯନ୍ତ୍ରଣା ପ୍ରସୂତ କବିତାଗୁଡ଼ିକ ମଧ୍ୟରେ ଶାରୀରିକ ବିଳାସ ପାଇଁ ଅର୍ଥ ସଂଗ୍ରହର କୌଣସି ପ୍ରତିଶ୍ରୂତି ସେ ଆବିଷ୍କାର କରିପାରିଲେ ନାହିଁ ବୋଲି ।

 

ଗ୍ରୀଷ୍ମଋତୁ ଆସିଲା । ସବୁଜ ଘାସର ରଙ୍ଗ ହଳଦିଆ ହେଲା; ଧୂଳି ଉଡ଼ିଲା ନିର୍ଜନ, ଅନ୍ଧକାର କୋଠରୀରେ କାମନାମାନେ ବିଭତ୍ସଭାବରେ ଉଡ଼ିବୁଲିଲା ଭଳି । ବିରକ୍ତିକର ଶବ୍ଦ ସୃଷ୍ଟି କରୁଥିବା ଫ୍ୟାନ୍ ବୁଲିଲା ଫୁଲ୍ ସ୍ପିଡ଼ରେ । ମାତ୍ର ହିଲଷ୍ଟେସନ ଯିବାର ମୃତପ୍ରାୟ ଯୋଜନା ଦେହରେ ଉତ୍ତେଜନା ସୃଷ୍ଟି କଲାନି । ସେଦିନ ଅସହ୍ୟ ଗରମ । ଝାଳେଇଲା । ରାନୁ ପାଞ୍ଚଥର ଶାଢ଼ି ଓ ବ୍ଲାଉଜ ପରିବର୍ତ୍ତନ କଲା । ଚାରିଥର ଆଇସକ୍ରିମ ଖାଇଲା; କିନ୍ତୁ ସଂଧ୍ୟା ବେଳକୁ ଲାଇନ୍ ଫେଲ କରିବାରୁ କ୍ରୋଧ ଓ ବିରକ୍ତିର ସ୍ରୋତକୁ ସେ ରୋକି ପାରିଲା ନାହିଁ । ଲଣ୍ଠନ ଜଳାଇବାକୁ ଯାଇ ସେହି ସ୍ତୁପିକୃତ ବହିଗୁଡ଼ାକ ଉପରେ ଝୁଣ୍ଟି ପଡ଼ିବାରୁ ସେ ଚିତ୍କାର କଲା—‘କାଲି କୌଣସି ଠୁଙ୍ଗାବାଲାକୁ ଡାକ । ଏଗୁଡ଼ାକୁ ବିକିଦେଲେ ଘରଟା ପ୍ରଶସ୍ତ ଜଣାଯିବ । ମୋର ଗଗଲ୍‍ସ କିଣିବା ବି ନିହାତି ପ୍ରୟୋଜନ ।’

 

ତା’ପରଦିନ ରାନୁ ବାହାରିଲା ବାପଘରକୁ ଯିବ ବୋଲି । ରଞ୍ଜନ ଏଥିରେ ବାଧାସୃଷ୍ଟି କଲେନାହିଁ । ସେ ଭାବିଥିଲେ ଘରକୁ ଯାଇ ରାନୁ ମନ ପରିବର୍ତ୍ତନ କରିବା ଯୁକ୍ତି—ସଙ୍ଗତ ହେବ । ରଞ୍ଜନ ପ୍ଲାଟଫର୍ମ ଉପରେ ଠିଆ ହୋଇ ଟ୍ରେନରେ ବସିଥିବା ରାନୁ ସହିତ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଥାବାର୍ତ୍ତା କରୁଥିଲେ । ତେବେ ରାନୁର ଆନନ୍ଦ ଭିତରେ ତାଙ୍କପାଇଁ ଦରଦ ବି ଥିଲା । ଏକୁଟିଆ କିଭଳି ସେ ଚଳିବା ଉଚିତ୍ ସେ ସମ୍ପର୍କରେ ଦୀର୍ଘ ଉପଦେଶ ଶୁଣାଇଥିଲା ତାଙ୍କୁ । ତାପରେ ଟ୍ରେନ୍ ପ୍ଲାଟଫର୍ମ ଛାଡ଼ିଲା ଏକ ନିଦ୍ରିତ ସାପ ହଠାତ୍ ଶଙ୍କିତ ହୋଇ ଗତି କଲାଭଳି । ରଞ୍ଜନ ଦରମଇଳା ଲୋଚାକୋଚା ରୁମାଲଟି ହଲାଉଥାନ୍ତି ରାନୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଏବଂ କିଛିକ୍ଷଣ ପରେ ଟ୍ରେନ୍‍ର ଶବ୍ଦ ନିବ୍‍‍ଧତା ଭିତରେ ହଜିଯିବା ପର୍ଯ୍ୟନ୍ତ ।

 

ସେ ସଚେତନ ହେଲେ । ସେଇ ରୁମାଲରେ ବେତ ଓ ମୁହଁର ଝାଳ ପୋଛି ସେ ଦେଖିଲେ ଷ୍ଟେସନଟା ପରିତ୍ୟକ୍ତ ଜଣାପଡ଼ୁଛି । ଚା, ସିଗ୍ରେଟ୍, ପାନବିକାମାନେ ଗାମୁଛାରେ ବିଞ୍ଚିହେଉଛନ୍ତି । ସେ ପାଦ ଫେରାଇଲେ ଓ ରୁମାଲର ପୁନରାୟ ଝାଳ ପୋଛିବା ପୂର୍ବରୁ ସେ ଅନ୍ୟମାନଙ୍କ ଭଳି ବିଞ୍ଚିହେଲେ । ରୁମାଲର ଗନ୍ଧ ତାଙ୍କୁ ସମ୍ମୋହିତ କରିଦେଲା । ସେ କ୍ଷୁଧିତଙ୍କ ଭଳି ସେଇଟାକୁ ନାକ ଉପରେ ଜାକିଧରି ତା’ର ଗନ୍ଧକୁ ପ୍ରଚୁର ମମତାର ସହିତ ଉପଭୋଗ କଲେ-

 

ପାଞ୍ଚଦିନ ପରର ଘଟଣା । ସେ ଖବର ପାଇଲେ ଯେ ରାନୁ ସିମଳା ଯାଇଛି ।

 

ରଞ୍ଜନଙ୍କ ଦେହ ଭିତରେ ଦୁଃଖ ଓ ଅନୁଶୋଚନାର ଏକ ବୈଦ୍ୟୁତିକ ତରଙ୍ଗ ଖେଳିଯାଇ ଥିଲା । ସେ ବୋଧକଲେ, ରାନୁକୁ ସେ ଏପର୍ଯ୍ୟନ୍ତ ପ୍ରତାରିତ କରି ଆସିଛନ୍ତି । ନିଜର କଳ୍ପନା ଓ ଇନ୍ଦ୍ରିୟାତୀତ ସୌଧରୁ ସେ ବାସ୍ତବତାର ପୃଥିବୀ ଉପରକୁ ଓହ୍ଲାଇ ପାରି ନାହାନ୍ତି । ତେଣୁ ସଂସାର ଓ ଜୀବନର ସମସ୍ତ ସତ୍ୟ ତାଙ୍କପାଇଁ ସମ୍ପୂର୍ଣ୍ଣ ଅପରିଚିତ ନ ହେଲେ ବି ଏଗୁଡ଼ିକ ସହିତ ତାଙ୍କର ଆଶାନୁରୂପ ସଂଯୋଗ ଘଟିନାହିଁ । ମାତ୍ର ରାନୁ ପାଇଁ କବିତା ଏକ ଆଦର୍ଶ ହୋଇପାରେ, ଆବଶ୍ୟକତା ନୁହେଁ । ତା’ପାଇଁ କ୍ୟାମେରା ଫଟୋ ଅଧିକ ବାସ୍ତବ ଓ ବୋଧଗମ୍ୟ । ମାତ୍ର କବିତା ସଙ୍କଳନର ପ୍ରଚ୍ଛଦପଟ ତା ପାଇଁ ଏକ କାର୍ଟୁନ୍ କିମ୍ୱା ଅସଂଯତ, ବିଶୃଙ୍ଖଳ ରେଖା ଓ ରଙ୍ଗର ଏକ ଅନାକର୍ଷଣୀୟ ସମାହାର ।

 

ସୁତରାଂ ସଂଘର୍ଷ ଅବଶ୍ୟମ୍ଭାବୀ । ରଞ୍ଜନ ସ୍ୱୀକାର କଲେ, ତାଙ୍କର ବୈବାହିକ ଜୀବନଟା ଦୁଇଟି ବିପରିତାଭିମୁଖୀ ଚିନ୍ତାଧାରାର ସଂଘର୍ଷରେ ଉତ୍ପୀଡ଼ିତ ହୋଇ ପଡ଼ିଛି ।

 

ଦୁଃଖରେ ତାଙ୍କର କଣ୍ଠ ବାଷ୍ଫାକୁଳ ହୋଇ ପଡ଼ିଲା । ସେ ସ୍ଥିରକଲେ, ସିମଳା ଯାଇ ରାନୁକୁ ସବୁ କହିବେ ଏବଂ ସୁଇମିଂପୁଲରେ ଦୁହେଁଯାକ ଏକତ୍ର ଗାଧୋଇବେ ।

 

ସେ ତାହା କରିପାରିଲେ ନାହିଁ । ହଠାତ୍ ସେ ଅଭିମାନରେ ଫାଟି ପଡ଼ିଲେ । ସେ ଭାବିଲେ, ରାନୁର ଏ ଘୋର ଅନ୍ୟାୟ । ସେ ଅନ୍ତତଃ ଖଣ୍ଡିଏ ଚିଠିରେ ତାଙ୍କୁ ସିମଳା ଯିବା କଥା ଲେଖି ପାରିଥାନ୍ତା ।

 

ଚିଠି ଆସିଲା ନାହିଁ । ଉତ୍କଣ୍ଠା ବଢ଼ିଲା, ଅଭିମାନ ରୂପାନ୍ତରିତ ହେଲା କ୍ରୋଧରେ । ରାନୁ ଆଉ ଘରକୁ ଫେରିଲା ନାହିଁ । ବାହାରର ସବୁଜିମା ଭଲ ଲାଗିଲା ନାହିଁ । ବର୍ଷାର ପ୍ରାଚୁର୍ଯ୍ୟ ଧୋଇପାରିଲା ନାହିଁ ଅନ୍ତରର ଉତ୍ତେଜନା ଓ ଉଦବେଗ । ଟେଲିଗ୍ରାମ ଓ ଟ୍ରଙ୍କକଲ୍‍ର ବାର୍ତ୍ତା ତାର ଉପରେ ଝୁଲି ରହିଲା ଦୀର୍ଘଶ୍ୱାସ ଓ ଅଶ୍ରୁରେ ବିଫଳ କାମନା ଝୁଲିରହିଲା ଭଳି ।

ଦୁଇ ମାସର ପ୍ରତୀକ୍ଷା ଶେଷ ହେଲା ଏଇ ମାସକ ପୂର୍ବରୁ । ସେ ଖବର ପାଇଲେ, ଏଠାରୁ ପ୍ରାୟ ପଚାଶ କିଲୋମିଟର ଦୂରବର୍ତ୍ତୀ । ଏକ ସହରରେ ରାନୁ, କଣ୍ଟ୍ରାକ୍ଟର ବିଶ୍ୱନାଥ ସହିତ ବେଶ୍ ଆରାମରେ ଅଛି । ତା’ର ସ୍ୱାସ୍ଥ୍ୟର ଉନ୍ନତି ଘଟିଛି । ବିଶ୍ୱନାଥ ସହିତ କାରରେ ବସି ସେ ପ୍ରତ୍ୟହ ସାଂଧ୍ୟ ଭ୍ରମଣ କରୁଛି । ସେ ଜାଣନ୍ତିନି ନିଜର ଅନିଚ୍ଛାସତ୍ତ୍ୱେ ସେଦିନ ସେ ଏତେ କାନ୍ଦି ପକାଇଥିଲେ କାହିଁକି ? ସେ ଅନୁଭବ କରିଥିଲେ, ତାଙ୍କ ଉପରେ ଦେଇ ସିମେଣ୍ଟବସ୍ତା, ଲୁହାଛଡ଼ ଇତ୍ୟାଦି ବୋଝେଇ ହୋଇଥିବା ଶତାଥିକ ଟ୍ରକ୍ ଧୂଳି ଉଡ଼ାଇ ଚାଲି ଯାଉଛନ୍ତି । ଖଟ ଉପରେ ଶୋଇ ସେ ଆର୍ତ୍ତନାଦ କରି ଉଠିଥିଲେ ।

ରାତ୍ରିର ଅନ୍ଧକାର ଭିତରେ ତାଙ୍କର କିଂକର୍ତ୍ତବ୍ୟବିମୁଢ଼ ଭାବ ଯଥେଷ୍ଟ ଅପସରି ଯାଇଥିଲା । ରାନୁ ତାଙ୍କପାଇଁ ମରି ଯାଇଛି; ତା’ର ଆତ୍ମାକୁ କୌଣସି ପ୍ରକାରେ ଅଶାନ୍ତି କିମ୍ୱା ବିରକ୍ତି ଭିତରକୁ ଘୋଷାରି ଆଣିବାପାଇଁ ତାଙ୍କର ମନ ହେଲାନାହିଁ । ମାତ୍ର ନିଜର ମାନସିକ ସୁସ୍ଥତା ଓ ବ୍ୟକ୍ତିତ୍ୱ ଉପରେ ଏଇ ଘଟଣାଟା ଯେଉଁ ପ୍ରଚଣ୍ଡ ଆଘାତ ଦେଲା, ତାର ଜ୍ୱଳନରେ ସେ ଆହତ ହୋଇ ପଡ଼ିଲେ । ଲଜ୍ଜା ଓ ଅପମାନର ଶରଶଯ୍ୟା ତାଙ୍କୁ ଯେଉଁ ଯନ୍ତ୍ରଣା ଦେଲା, ସେଥିରେ ତାଙ୍କ ସାମନାରେ ପୃଥିବୀର ସମସ୍ତ ମୂଲ୍ୟବୋଧ, ବ୍ୟକ୍ତିଗତ ସମ୍ପର୍କ ଓ ପବିତ୍ରତା କରୁଣ ସମାଧି ନେଲା । ମନେ ମନେ ସେ କେବଳ ରାନୁକୁ ନୁହେଁ; ସମଗ୍ର ପୃଥିବୀକୁ ବର୍ଜନ କଲେ ।

ସକାଳର ଚା’ ପିଇଲା ବେଳକୁ କିନ୍ତୁ ସେ ଦୁର୍ବଳ ଓ ଅସହାୟ ମନେ କଲେ ବିପଥଗାମୀ ରାନୁର ଅନ୍ୟାୟ ପାଇଁ ନୀରବତା କିମ୍ୱା ନିଷ୍କ୍ରିୟତା ପ୍ରକୃତ ଉତ୍ତର ନୁହେଁ । କପଟାକୁ ଟେବୁଲ ଉପରେ ରଖିଦେଇ ସେ କ୍ଷିପ୍ତ ଓ ଚଞ୍ଚଳ ହୋଇ ପଡ଼ିଲେ । ସେ ବସଷ୍ଟାଣ୍ଡକୁ ବାହାରିଗଲେ ଦିନ ପ୍ରାୟ ଦଶଟା ବେଳକୁ ।

ତିନି ଘଣ୍ଟାର ବାଟ । କଣ୍ଟ୍ରାକ୍ଟର ବିଶ୍ୱନାଥଙ୍କ ସୌଖିନ ଘର ଖୋଜି ପାଇବା ଆଦୌ କଷ୍ଟ ହେଲାନାହିଁ । ରଞ୍ଜନ ଦୃଢ଼ତାର ସହିତ ବାରଣ୍ଡା ଉପରକୁ ଉଠିଲେ । ମାଇକ୍ ଭଲ ବାଜୁଥିବା ରେଡ଼ିଓ ଆବାଜ ଶୁଣି ସେ ନିଶ୍ଚିତ ହେଲେ ଯେ, ଘରେ ନିଶ୍ଚୟ କେହି ଅଛନ୍ତି ।

ଦରଜାରେ କରାଘାତ କଲାବେଳକୁ ତାଙ୍କର ସମଗ୍ର ଶରୀର କମ୍ପି ଉଠିଥିଲା ମିନିଟିଏ ଦୁଇ ମିନିଟ୍ । ସେ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ନିଜର ଉପସ୍ଥିତି ସମ୍ୱନ୍ଧରେ ସୂଚନା ଦେଲେ ଦରଜା ମାଧ୍ୟମରେ ।

କବାଟ ଖୋଲିଲା । ତାଙ୍କ ସାମନାରେ ସ୍ୱୟଂ ରାନୁ । ସେ ସ୍ଥିର କରି ପାରିଲେନି । ସେ ପରିସ୍ଥିତିରେ ତାଙ୍କର କ’ଣ କହିବା ଉଚିତ । ତାଙ୍କର ଅତି ଆପଣାର ମଣିଷଟି ମରି ଯାଉଛି ବୋଲି ତାଙ୍କୁ ମିଳିଥିବା ସମ୍ୱାଦଟି ଭିତ୍ତିହୀନ ବୋଲି ପ୍ରମାଣିତ ହୋଇ ଯାଉଛି ତାଙ୍କ ସମ୍ମୁଖରେ । ଉଚ୍ଛ୍ୱସିତ ଆନନ୍ଦରେ ରାନୁ ବୋଲି ସେ ଚିତ୍କାର କରି ଉଠିଲେ । ମା’ର ସମସ୍ତ ରୁଦ୍ଧ ଆବେଗର ବିସ୍ଫୋରଣ ଯୋଗୁଁ ତାଙ୍କ ଦୁଇ ଆଖିରୁ ଲୁହ ଝରି ଆସିଲା ! ତାକୁ କୋଳାଗ୍ରତ କରିବା ପାଇଁ ଅଗ୍ରସର ହେଲା ବେଳକୁ ଡ୍ରଇଁ ରୁମ୍ ଭିତରେ ପଶିଗଲା ସେ । ଅନୁସରଣ କରୁଥିବା କ୍ରନ୍ଦନରତ ରଞ୍ଜନଙ୍କୁ ଶୁଷ୍କ ବ୍ୟାବହାରିକ କଣ୍ଠାରେ ନିର୍ଦ୍ଦେଶ ଦେଲା—ବସ ।

ରଞ୍ଜନ ନିଜକୁ ସଞ୍ଜତ କରିବାକୁ ଚେଷ୍ଟା କରୁଥିଲେ ଏବଂ ରାନୁ ନିକଟସ୍ଥ ଫ୍ରିଜ୍ ପାଖରେ ଠିଆ ହୋଇ ଏକ ଶୀତଳ ପାନୀୟ ପ୍ରସ୍ତୁତ କରୁଥିଲା । ପଚାରିଲା—‘କେତେବେଳୁ କବାଟ ବାଡ଼ଉଥିଲ ?’

—‘ଦୁଇ ମିନିଟ୍ ହେବ ।’ ନିରୀହ ଭାବେ ଉତ୍ତର ଦେଲେ ରଞ୍ଜନ ।

 

ସ୍ପିତ ହସି ରାନୁ କହିଲା—ଏତେ ଜୋରରେ କବାଟ ବାଡ଼େଇବା ଠିକ୍ ନୁହେଁ । ଦ୍ୱାର ପାଖରେ କଲିଂ ବେଲର ବ୍ୟବସ୍ଥା ଅଛି । ଏଇ ନିଅ ଅରେଞ୍ଜ ସ୍କ୍ୱାସ୍ ।’

 

—‘ମୁଁ ତୁମକୁ ଫେରାଇ ନେବାକୁ ଆସିଛି, ରାନୁ ।’

 

ରାନୁ ତାଙ୍କ ମୁହଁକୁ ଚାହିଁଲା କିଛି ସମୟ ପାଇଁ । ତା’ ଓଠର ହସ କ୍ରମେ ପ୍ରସାରିତ ହୋଇଥିଲା ।

 

ରଞ୍ଜନ ଆସିଲେ ଅପରାହ୍ନ ଚାରିଟା ବେଳକୁ । ଗୋଟିଏ ଘଣ୍ଟାର ଅସ୍ଥିର ବିଶ୍ରାମ ପରେ ସେ ମିଃ ବର୍ମାଙ୍କର ଦ୍ୱାରସ୍ଥ ହେଲେ ।

 

ଖୁବ୍ ସହଜ କେଶ୍ ଡିଭର୍ସ ରାନୁ ତାଙ୍କ ନିକଟକୁ ଆସିବାପାଇଁ ଅନିଚ୍ଛୁକ । ସେଇ ସଂଧ୍ୟାରେ ପିଟିସନ୍ ଲେଖାଗଲା । ମିଃ ବର୍ମା ବିନା ପାରିଶ୍ରମିକରେ କେଶ୍ ଲଢ଼ିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

 

ରାନୁ ଆଉ ଫେରିବ ନାହିଁ । ସେ ଅଛି, ଅଥଚ ତାଙ୍କର ନୁହେଁ । ତା’ର ସ୍ମୃତି ଅଛି ମାତ୍ର ସେ ନିଜେ ନାହିଁ । ଏକ ରଙ୍ଗୀନ ସ୍ୱପ୍ନ ହଜିଯାଉଛି କେଉଁଆଡ଼େ ନିଦ୍ରାର ଗଭୀରତା ଚେତନା ଦ୍ୱାରା ପୋତି ହେବା ସଙ୍ଗେ ସଙ୍ଗେ ।

 

ରଞ୍ଜନଙ୍କର ମନ କହୁଥାଏ, ସେ ପୁଣି ଫେରିବ । ରାତିରେ ସେ ଛଟପଟ ହୁଅନ୍ତି, ଏକ ଅହେତୁକ ପ୍ରତୀକ୍ଷାର ଆନନ୍ଦମୟ ସମାପ୍ତି ଆଶାରେ । ଡାଳପତ୍ର ପବନର ଧକ୍କାରେ ଅତିଷ୍ଠ ହୋଇପଡ଼ିଲେ, ଦ୍ୱାର ପାଖରେ କାହାର ପାଦ ଶବ୍ଦ ଶୁଣିବାଭଳି ଜଣାଯାଏ ତାଙ୍କୁ । ଘର ସାମନାରେ ଗାଡ଼ି ଅଟକିବାର ଦେଖିଲେ ତା’ ଭିତରୁ ତାଙ୍କର ଆପଣାର ମଣିଷଟି ବାହାରିବାର ଆଶାରେ ସେ ପାଗଳ ହୋଇ ପଡ଼ନ୍ତି ।

 

ଦିନେ ସେ ସ୍ତୂପୀକୃତ କବିତା ବହି ଗୁଡ଼ିକୁ ଶୋଇବାଘରୁ ସ୍ଥାନାନ୍ତରିତ କଲେ ଅନ୍ୟ ଏକ କୋଠରୀକୁ । ଏଥର ପ୍ରକୃତରେ ବେଶ୍ ପ୍ରଶସ୍ତ ଜଣା ପଡ଼ିଲା ଘରଟା । ବିରକ୍ତିକର ଶବ୍ଦ ସୃଷ୍ଟି କରୁଥିବା ପଙ୍ଖାର ସ୍ଥାନକୁ ଅଧିକାର କଲା ଅନ୍ୟଏକ ନୂଆ ପଙ୍ଖା । ମାତ୍ର ରାନୁ ଫେରିଲା ନାହିଁ, ଘର ଭିତରେ ଏ ପରିବର୍ତ୍ତନକୁ ଦେଖିବା ପାଇଁ । ରଞ୍ଜନଙ୍କର ଆଶା ଓ ବିଶ୍ୱାସର ସୀମାରେଖା ଅତିକ୍ରମ କରି ସେ ଚାଲିଗଲା ଅନ୍ୟଜଣେ ମଣିଷର ସଂସାର ଭିତରକୁ ।

 

ରଞ୍ଜନ ନିର୍ବାକ ହୋଇ ଠିଆ ହୋଇଥିଲେ ଶୋଇବା ଘରେ । ଆସନ୍ତାକାଲି କୋର୍ଟରେ ତାଙ୍କୁ ନିଜ ସପକ୍ଷରେ ଓ ରାନୁ ବିପକ୍ଷରେ କହିବାକୁ ହେବ । ଆଇନ ଦୃଷ୍ଟିରୁ ସେ ଦୁହେଁ ବିଛିନ୍ନ ହୋଇଯିବେ ପରସ୍ପରଠାରୁ । ଏଥିପାଇଁ ବ୍ୟସ୍ତତାର କୌଣସି କାରଣ ନାହିଁ । ରାନୁ ପାଖକୁ କୋଟ ତରଫରୁ ଯେଉଁ ନୋଟିସ ପଠାଯାଇଥିଲା, ତାହା ଫେରି ଆସିଛି । କୋଟକୁ ଆସିବାର ଆବଶ୍ୟକତା ନାହିଁ ତା’ ପାଇଁ । ସେ ରଞ୍ଜନକୁ ଅନେକଦିନୁ ପରିତ୍ୟାଗ କରି ସାରିଛି ।

 

କେତେ ଅର୍ଥହୀନ ଜଣାପଡ଼ୁଛି ଏ ମୋକଦ୍ଦମା ! ଏଥିରେ କି ଗୌରବ ରହିଛି ? ରାନୁ ତାଙ୍କୁ ପ୍ରତ୍ୟାଖ୍ୟାନ କରିବାପରେ ସାମାଜିକ ଆଚରଣ ବିଧିକୁ ସାକ୍ଷୀରଖି ତାକୁ ପ୍ରତ୍ୟାଖ୍ୟାନ କରିବାରେ କିଛି ମାନବିକ ଯୁକ୍ତି, ଅଛି କି ?

 

ସୁବୋଧବାବୁଙ୍କୁ ସାକ୍ଷାତ କରି ଏ ମୋକଦ୍ଦମା ପ୍ରତ୍ୟାହାର କରି ଆଣିବା ପାଇଁ ପ୍ରସ୍ତାବ ଦେବେ ବୋଲି ରଞ୍ଜନ ସିଦ୍ଧାନ୍ତ ଗ୍ରହଣ କଲେ । ଚୌକି ଉପରୁ ଉଠିପଡ଼ିଲେ ସେ ।

 

ରାତି ଦଶଟା ହୋଇଥିଲେ ମଧ୍ୟ ଚେମ୍ୱରରେ ତଥାପି ତିନି ଚାରିଜଣ କ୍ଲାଏଣ୍ଟ ଝାଳୁଆ ମୁହଁରେ ବସି କ୍ଳାନ୍ତିର ହାଇମାରୁଥିଲେ । ରିକ୍‍ସାକୁ ବିଦାକରି ସେ ଗେଟ୍ ଖୋଲିଲେ ଏବଂ ସନ୍ତର୍ପଣରେ ପର୍ଟିକୋ ପାଖରେ ଠିଆହେଲେ । ମିଃ ବର୍ମା ଗୋଟାଏ ମୋଟା ବହିରୁ କ’ଣ ନୋଟ୍ କରିବାରେ ବ୍ୟସ୍ତ ଥିଲେ ।

 

ମାତ୍ର ପର୍ଟିକୋରୁ ବାରଣ୍ଡା ଉପରକୁ ଉଠି ଦ୍ୱାର ପାଖରେ ଠିଆ ହେବା ସଙ୍ଗେ ସଙ୍ଗେ ରଞ୍ଜନ ଅବଶ ବୋଧକଲେ । ସହରର ଏହି ଅପେକ୍ଷାକୃତ ନିଛାଟିଆ ବସ୍ତିଟା ନିସ୍ତବତାର ଚଦର ଘୋଡ଼ିହୋଇ ତନ୍ଦ୍ରାସିକ୍ତ ହୋଇ ଯାଇଥିଲା । ମିଃ ବର୍ମା ଓ କ୍ଲାଏଣ୍ଟମାନେ ପ୍ରାଣଶୂନ୍ୟ ଜଣାପଡ଼ୁଥିଲେ-। ରଞ୍ଜନଙ୍କର ଦେହ ଭୟ ଓ ଲଜ୍ଜାରେ ସଙ୍କୁଚିତ ହୋଇ ପଡ଼ିଲା । ସେ ଭିତରକୁ ପ୍ରବେଶ କରିପାରିଲେ ନାହିଁ । ପୁଣି ଧିର ପଦକ୍ଷେପରେ ସେଠାରୁ ବାହାରି ଆସି ରାସ୍ତା ଉପରେ ଶ୍ୱସ୍ତିରେ ନିଶ୍ୱାସ ମାରିଲେ ।

 

ପରଦିନ ରଞ୍ଜନ ଠିକ୍ କଲେ, ସେ କୋର୍ଟକୁ ଯିବେନାହିଁ । ସେଠାକୁ ଯିବା କଥା ଚିନ୍ତା କରିବାକ୍ଷଣି ସେ ଭୟଭୀତ ହୋଇ ପଡ଼ୁଥିଲେ । ରାନୁର ଅଜ୍ଞାତସାରରେ ତାକୁ ବିଷଦେଇ ମାରି ଦେବାକୁ ଯାଉଛନ୍ତି ବୋଲି ତାଙ୍କର ମନେ ହେଉଥିଲା । ରାନୁ ତାଙ୍କ ନିକଟକୁ ଫେରି ଆସିବ ବୋଲି ଯେଉଁ ଆଶ୍ୱାସନା ଓ ବିଶ୍ୱାସ ତାଙ୍କ ପାଖରେ ତଥାପି ରହିଥିଲା ତାକୁ ଆଇନବଳରେ ପରାଜିତ କରିବାପାଇଁ ଆତ୍ମପ୍ରତ୍ୟୟର ଅଭାବ ଥିଲା ତାଙ୍କ ପାଖରେ ।

 

ମାତ୍ର ଘଣ୍ଟାକଣ୍ଟା ଆଗକୁ ମାଡ଼ିଚାଲିବା ସଙ୍ଗେ ସଙ୍ଗେ ଏକ ଅଭୁତ ଭାବନା ତାଙ୍କୁ ତିରସ୍କାର କରିବାରେ ଲାଗିଲା । ଯେଉଁ ସ୍ତ୍ରୀ ଆନୁଗତ୍ୟହୀନ, ଯେ ବୈବାହିକ ଜୀବନର ଆବଶ୍ୟକତାକୁ ସ୍ୱାମୀର ପାର୍ଥିବ ସଫଳତାର ମାନଦଣ୍ଡରେ ନିରୂପଣ କରେ, ତା’ପାଇଁ ଏତେ ଦୁର୍ବଳତା ଓ ଭାବପ୍ରବଣତା ଆଦୌ ଯଥାର୍ଥ ନୁହେଁ । ତେଣୁ ତାକୁ ପ୍ରତ୍ୟାଖ୍ୟାନ କରିବା ଅପରାଧ ନୁହେଁ ।

 

ରଞ୍ଜନଙ୍କ ମାନସିକ ଅସୁସ୍ଥତା ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଲା ଯେ ସେ ନିଜ ଅଜାଣତରେ ଚିତ୍କାର କରି ଉଠିଲେ ଏବଂ ସହର ତ୍ୟାଗକରି କିଛିଦିନ ପାଇଁ ଅନ୍ୟ କୌଣସି ସ୍ଥାନକୁ ଚାଲିଯିବା ପାଇଁ ସ୍ଥିରକଲେ ।

 

ପୋଷାକ ପିନ୍ଧି ଅଣନିଶ୍ୱାସୀ ଭାବରେ ବାହାରରୁ ଯିବା ପାଇଁ ଉଦ୍ୟତ ହେଲା ବେଳକୁ ସେ ଦରଜାରେ ଠକ୍...ଠକ୍...ଶବ୍ଦ ଶୁଣିବାକୁ ପାଇଲେ । ଚଞ୍ଚଳ ହାତରେ କବାଟ ଖୋଲି ସେ ଦେଖିଲେ, ମିଃ ବର୍ମାଙ୍କର ଡ୍ରାଇଭର ସାମନାରେ ଦଣ୍ଡାୟମାନ ।

 

—‘ଆପଣଙ୍କର ଡେରିହେବା ଦେଖି, ବାବୁ ମୋତେ ପଠାଇଲେ । ଗାଡ଼ି ଅଣିଛି ଆସନ୍ତୁ-।’ ଡ୍ରାଇଭର ମୁହଁ ବୁଲାଇ ଆଗକୁ ଅଗ୍ରସର ହେଲା ।

 

ଗୋଟାଏ ଗରମ ଢେଉ ରଞ୍ଜନଙ୍କର ଦେହ ଭିତରେ ବହିଗଲା । ନିଜକୁ ସହଜ କରିବାକୁ ପାଣ୍ଡୁର ମୁହଁ ଉପରେ ଦୟନୀୟ ହସ ଫୁଟାଇ ନିର୍ବୋଧଙ୍କ ଭଳି ସେ କହିଲେ—‘ଆଦୌ ଡେରି ନାହିଁ । ମୁଁ ଟିକିଏ ଶୋଇ ପଡ଼ିଥିଲି । ବିଛଣାରୁ ଉଠି ମୁଁ ବାହାରୁଥିଲି କୋର୍ଟ ଆଡ଼କୁ । ଆଛା କହିଲ, କୋର୍ଟରେ କ’ଣ ବହୁତ ଲୋକ ଅଛନ୍ତି ।’

 

ଡ୍ରାଇଭର ମୁହଁ ନବୁଲାଇ ଉତ୍ତର ଦେଲା,—‘କେଉଁଦିନ କୋର୍ଟରେ ଲୋକ କମ୍ ହୁଅନ୍ତି ଆଜ୍ଞା ?’

 

ଗାଡ଼ିର ପଛସିଟରେ ବସି ରଞ୍ଜନ ଅତ୍ୟଧିକ ମାନସିକ ଗ୍ଳାନିରେ ଆଖିବୁଜି ପକାଇଲେ-। ସମସ୍ତ ପୃଥିବୀ ଏକ ଭୟାନକ ବିଷ୍ଫୋରଣ ଯୋଗୁଁ ଶତଧା ଖଣ୍ଡ ଖଣ୍ଡ ହୋଇ ମହାଶୂନ୍ୟ ମଧ୍ୟରେ ଲୀନ ହୋଇଯାଉଛି ବୋଲି ତାଙ୍କର ମନେହେଲା ।

 

ଯନ୍ତ୍ରଚାଳିତ ଭଳି କାଠଗଡ଼ା ଭିତରେ ଠିଆହୋଇ ସେ ଶପଥ ଗ୍ରହଣ କଲେ ଯେ ଯାହା କହିବେ, ସତ କହିବେ ।

 

କଳାଗାଉନ୍ ପରିହିତ ମିଃ ବର୍ମାଙ୍କର କେତେକ ସାଧାରଣ ପ୍ରଶ୍ନର ଉତ୍ତର ଦେଇସାରି ରଞ୍ଜନ ଚାରିଆଡ଼କୁ ଏକ ଅସହାୟ ଦୃଷ୍ଟି ନିକ୍ଷେପ କଲେ ।

 

—‘ତା’ହେଲେ ଆପଣ କହିବାକୁ ଚାହାନ୍ତି ଯେ ଆପଣଙ୍କର ସ୍ତ୍ରୀ... ।’

 

ମିଃ ବର୍ମାଙ୍କୁ ଅଧିକ କୁହାଇ ନ ଦେଇ ରଞ୍ଜନ ଉଚ୍ଚ ସ୍ୱରରେ ପାଟିକକଲେ—‘ତାକୁ ମୁଁ ପ୍ରତ୍ୟାଖ୍ୟାନ କରିବାକୁ ଚାହେଁ । ମୁଁ ତାକୁ ଘୃଣା କରେ । ସ୍ତ୍ରୀର ଅର୍ଥ କ’ଣ ? କିଏ ମୋ ସ୍ତ୍ରୀ ? କିଏ କାହାର ସ୍ତ୍ରୀ ? ତୁମେ ଦୃଢ଼ତାର ସହିତ କହିପାରିବ କି, ତୁମ ସ୍ତ୍ରୀ ତୁମ ବ୍ୟତୀତ ଅନ୍ୟ କୌଣସି ପୁରୁଷ କଥା ଆଦୌ ଚିନ୍ତାକରେ ନାହିଁ ? ଯେଉଁ ସ୍ତ୍ରୀର ଐକାନ୍ତିକ ପ୍ରେମ ଅଛି—ଯେଉଁ ସ୍ତ୍ରୀ ଉପବାସ ରହି ସାବିତ୍ରୀ ବ୍ରତ ପାଳନ କରେ ? —ଯେଉଁ ସ୍ତ୍ରୀ ସ୍ୱାମୀର ଛାତିରେ ମୁହଁ ଗୁଞ୍ଜି କହେ, ‘ତୁମେ କେତେ ଭଲ’ ଏବଂ ସ୍ୱାମୀର ଅନୁପସ୍ଥିତିରେ ଟ୍ରଙ୍କ୍ ଖୋଲି ଅନ୍ୟ କାହାଠାରୁ ଆସିଥିବା ଚିଠିକୁ ଛାତିରେ ଜାକିଧରି କହେ, ‘ତୁମକୁ ବିବାହ ନକରି ନିଜକୁ ନଷ୍ଟ କଲି ମୁଁ, ଏ ଜୀବନରେ ତୁମେ ମୋର ହୋଇପାରିଲ ନାହିଁ ?’ ମୁଁ ସେହି ସ୍ୱାମୀକୁ ଦେଖିବାପାଇଁ ଚାହେଁ, ଯେ କେବେହେଲେ ତା’ ସ୍ତ୍ରୀକୁ ଯଥାର୍ଥ ସନ୍ଦେହ କରିନାହିଁ ।’ ନିଜକୁ ଶାନ୍ତିକରି ଭଙ୍ଗା କଣ୍ଠରେ ସେ ଯୋଗ କଲେ—‘ସବୁ ପ୍ରବଞ୍ଚନା । ରାନୁ ମୋ ସହିତ ଅଭିନୟ କରୁଥିଲା । ମୋଠାରେ ସନ୍ତୁଷ୍ଟ ନ ହେବାରୁ ସେ ଅନ୍ୟ ଜଣଙ୍କର ଦେହ ଅନ୍ୱେଷଣରେ ଚାଲିଗଲା ମୋଠାରୁ । ସୁତରାଂ... ।’

 

ଜଜ୍ ବାଧା ସୃଷ୍ଟିକଲେ—‘ଆପଣଙ୍କୁ ଯାହା ପଚରାଯାଉଛି, ତାହାର ଯଥାଯଥ ଉତ୍ତର ଦିଅନ୍ତୁ । ତେବେ, ଆପଣଙ୍କ ସ୍ତ୍ରୀ ଆପଣଙ୍କଠାରୁ ଚାଲିଯାଇ ଅନ୍ୟଜଣେ ଲୋକ ପାଖରେ ରହୁଥିବାର ପ୍ରମାଣ ଆପଣ ଦେଇପାରିବେ ?’

 

ପ୍ରଶ୍ନଟା ଏକ ମୁନିଆଁ ତୀର ଭଳି ରଞ୍ଜନଙ୍କ ହୃଦୟରେ ଗଳିଗଲା । ସେ ଆତ୍ମରକ୍ଷା କଲାଭଳି କହିଲେ—‘ମୁଁ ଜାଣେନା । ରାନୁ ମୋଠାରୁ ଚାଲିଯାଇଛି । ହେଲେ, ଅନ୍ୟକାହା ପାଖରେ ରହୁଥିବା କଥା ମୁଁ ଜାଣେ ନାହିଁ । ମାତ୍ର ମୋର ପ୍ରଶ୍ନ ହେଉଛି, ସ୍ତ୍ରୀକୁ ନେଇ ଗର୍ବ କରିବାର ଆବଶ୍ୟକତା କିଛି ଅଛିକି ?’

 

ରଞ୍ଜନ ଅଧିକ କିଛି କହିପାରିଲେ ନାହିଁ । ବିଚାରାଳୟରେ ବସିଥିବା ଦର୍ଶକ, ଜଜ୍, ମିଃ ବର୍ମା ଓ ଘୃର୍ଣ୍ଣାୟମାନ ଫଙ୍ଖାଗୁଡ଼ିକ ନିଜ ନିଜର ସ୍ଥିରତା ହରାଇ ଏକ ବିଶୃଙ୍ଖଳ ପୃଥିବୀରେ ପ୍ରଚଣ୍ଡ ବେଗଗାମୀ ହୋଇ ପରସ୍ପର ମଧ୍ୟରେ ସଂଘର୍ଷ ସୃଷ୍ଟି କରୁଛନ୍ତି ବୋଲି ତାଙ୍କର ମନେହେଲା । କ୍ରୋଧ, ଯନ୍ତ୍ରଣା ଓ ବ୍ୟାକୁଳତା ମିଶ୍ରିତ, ବିକଟ ଆର୍ତ୍ତନାଦ ତାଙ୍କ ଭିତରେ ଚାଲିଥିବା ସମସ୍ତ ଆନ୍ଦୋଳିତ ଚିନ୍ତାଧାରାର ସଙ୍କେତ ରୂପେ ତାଙ୍କର ମୁଖ ନିସୃତ ହୋଇ ବିଚାରାଳୟର ନିସ୍ତବ୍ଧତାରୁ ଛିନ୍‍ଛତ୍ର କରି ପକାଇଲା ।

 

ହଠାତ୍ ସେ କାଠଗଡ଼ାରୁ ନିଜକୁ ମୁକ୍ତକରି କ୍ଷିପ୍ରଗତିରେ ସେଠାରୁ ବାହାରି ଆସିଲେ ଏବଂ ପ୍ରଶସ୍ତ ବାରଣ୍ଡା କଡ଼ରେ ଥିବା ପକ୍କା ପିଲରକୁ ସମସ୍ତ ଶକ୍ତି ପ୍ରୟୋଗକରି କୁଣ୍ଢାଇ ପକାଇଲେ-। ଏଥର କରୁଣତା ଓ ପରାଜୟ ମିଶ୍ରିତ ଚିତ୍କାର ଶୁଭିଲା—‘ରାନୁ, ରାନୁ ।’

 

ରଞ୍ଜନଙ୍କର ଆଖିମୁଦି ହୋଇ ଆସୁଥିଲା । ଶିଥିଳ ହୋଇ ଯାଉଥିଲା ତାଙ୍କର ଦୁଇହାତ-

 

ଅଦାଲତର ଭିତରେ ଓ ବାହାରେ ଯେଉଁ କୋଳାହଳ ସୃଷ୍ଟି ହୋଇଥିଲା, ତାହା ଶୁଣିବା ପାଇଁ ତାଙ୍କର ସଜ୍ଞା ନଥିଲା ସେତେବେଳେ ।

Image

 

ଆତ୍ମହତ୍ୟା

 

ପରିତୋଷବାବୁଙ୍କର ଦେହାନ୍ତ ହେଲା—ରାତି ପ୍ରାୟ ଚାରିଟା ବେଳକୁ ।

 

ଖବରକାଗଜ ଉପରେ ଆଖି ବୁଲାଇବା ପୂର୍ବରୁ ସମୀର ଏ ସମ୍ୱାଦ ପାଇଲା । କାଗଜଟିକୁ କ୍ୟାନଭାସ୍ ଚୌକି ତଳକୁ ପକାଇ ଦେଇ ସେ ଆଖି ବୁଜିଲା ଏବଂ ଦ୍ୱିଧାଗ୍ରସ୍ତ ମନକୁ କୌଣସି ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ଆଡ଼କୁ ଟାଣିନେବାକୁ ଚେଷ୍ଟାକଲା । ପରିତୋଷବାବୁଙ୍କ ଘରକୁ ସେ ଯିବ କି ?

 

ଅଥଚ ଏଥିରେ ଚିନ୍ତିତ ହୋଇଯିବା ଓ ନ ଯିବାର ପ୍ରଶ୍ନକୁ ତଉଲିବାରେ ସେମିତି କିଛି କାରଣ ନ ଥିଲା । ପରିତୋଷବାବୁ ବର୍ତ୍ତମାନ ଜୀବନ ଯନ୍ତ୍ରଣାର ପରିସୀମାଠାରୁ ବହୁ ଊର୍ଦ୍ଧ୍ୱରେ । ପାରାଲିସିସଜନିତ ହାହାକାରମୟ ପଙ୍ଗୁତାଠାରୁ ତାଙ୍କର ବର୍ତ୍ତମାନର ମୃତ ଶରୀର ଯେ ଯଥେଷ୍ଟ ଶାନ୍ତି ପାଉଛି ସେଥିରେ ସମୀରର କୌଣସି ସନ୍ଦେହ ନ ଥିଲା । ଖାଲି ସେତିକି ନୁହେଁ କେତେକ କାରଣ ଯୋଗୁଁ ତାଙ୍କର ଦୁଇ ପୁଅ ଅନେକବର୍ଷ ହେଲା ତାଙ୍କ ସହିତ ସମ୍ପର୍କ ଛିନ୍ନ କରିଛନ୍ତି । ଆଉ ଜଣେ ଏଇ ନିକଟରେ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଛି । କେବଳ ତିନି-ଚାରିବର୍ଷ ହେଲା ତାଙ୍କର ଏକମାତ୍ର ଝିଅ ବିଧବାହୋଇ ଫେରି ଆସିଛି ତାଙ୍କରି ପାଖକୁ । ସେଥିପାଇଁ ତାଙ୍କର ପ୍ରକାଣ୍ଡ ଘରଟା ଶ୍ମଶାନର ନୀରବତାରେ ଆଛନ୍ନ ହୋଇ ଭୟାବହ ଜଣାପଡ଼େ । ଏଇଭଳି ଦଗଧିଭୂତ ଏବଂ ପରାଜିତ ଜୀବନ-ଯାପନ କରିଥିବା ପରିତୋଷବାବୁଙ୍କ ମୃତଦେହକୁ ଦେଖି ଆସିଲେ କ୍ଷତି କ’ଣ ? ତା’ଛଡ଼ା, ତା’ପ୍ରତି ତାଙ୍କର ମନୋଭାବ ତ ବଦଳି ଯାଇଥିଲା ଅନେକଦିନୁ ।

 

ମାତ୍ର ସୁନନ୍ଦା କଥା ମନେ ପଡ଼ିବାକ୍ଷଣି ସମୀରର ଉତ୍ସାହ କମିଗଲା । ଅନେକ ଦିନ ତଳେ ସେ ଦୁହିଁଙ୍କର ହୋଇଥିବା କଥୋପକଥନ ତା’ର ମନେ ପଡ଼ିଗଲା ।

 

—‘ତମେ ଏମିତି କାହିଁକି ମୋ ଆଡ଼େ ଚାହଁ, ସମୀର ?’ ପ୍ରାୟ ବାଷ୍ପରୁଦ୍ଧ କଣ୍ଠରେ ପଚାରିଥିଲା ସୁନନ୍ଦା । ତା’ ମୁହଁରେ ଭୟ ଓ ଅନାଦର ପ୍ରତିଫଳିତ ହୋଇଥିଲା ।

 

ସୁନନ୍ଦା ବିଧବା ହୋଇ ଫେରିବାର ବର୍ଷକ ପରେ ଏ ଘଟଣା । ସେ ଦୁହେଁ ଠିଆ ହୋଇଥିଲେ ଦୋତଲା ବାରଣ୍ଡାରେ । ପାଖ ରୁମରେ ପରିତୋଷବାବୁ କୁନ୍ଥଉଥିଲେ ଯନ୍ତ୍ରଣାରେ ଜଡ଼ଷଡ଼ ହୋଇ । ମେ ମାସର ଖରା ସବୁଜିମାର ହୃଦୟକୁ ଆହତ କରୁଥିଲା । ଚାରିଆଡ଼େ କିମିତି ଏକ କରୁଣ, ରୁକ୍ଷ ପରିବେଶ । ‘କିମିତି ଚାହେଁ ?’ ସମୀରର ସ୍ୱର ସହଜ ଓ ଆଶଙ୍କା ହୀନ ।

 

ସୁନନ୍ଦା ମୁହଁ ବୁଲାଇ ନେଲା । କିଛି ସମୟ ପରେ କହିଲା—‘ତମେ ଏ ଘରକୁ ଆଉ କେବେ ନ ଆସିଲେ ମୁଁ ଶାନ୍ତି ପାଇବି । ତୁମର ଦୃଷ୍ଟି ମୁଁ ଆଦୌ ସହ୍ୟକରି ପାରୁନି ।’

 

ସମୀର ରୀତିମତ ଅବାକ୍ ହେଲା । ଯେ ନିରୀକ୍ଷଣ କଲା ତା’ ସାମନାରେ ସାଦା ଶାଢ଼ି ପିନ୍ଧି ଠିଆ ହୋଇଥିବା ଅତୀତର ପ୍ରେମିକାକୁ । ତା’ର ହାତ ଓ କପାଳ ଏବେ ଶୂନ୍ୟ—ପତ୍ରହୀନ ଏକ ପରିତ୍ୟକ୍ତ ଗଛ ଭଳି ।

 

—‘ମୁଁ କିନ୍ତୁ ତମ କଥା ବୁଝି ପାରିଲିନାହିଁ । ତମପ୍ରତି ମୋର ସମସ୍ତ ଉତ୍ତେଜନା ମରିଯାଇଛି ସୁନନ୍ଦା । ତମେ ଏ ସମ୍ପର୍କରେ ନିଶ୍ଚିତ ରହିପାର ।’

 

‘ତମେ ଏଠାକୁ ଆସିଲେ ନିଶ୍ଚିତ ହେବାର ଆଦୌ ସମ୍ଭାବନା ନାହିଁ । ତମର ଦୃଷ୍ଟି ମୋ ଆତ୍ମାକୁ ଅସ୍ଥିର କରେ । ସେ ଦୃଷ୍ଟିର ତୀକ୍ଷଣତା ସତେ ଯେପରି ମୋର ସର୍ବାଙ୍ଗରେ ପ୍ରବେଶ କରି ମୋର ଭାବନାକୁ ବଢ଼ାଇବାକୁ ଚେଷ୍ଟାକରେ ଏବଂ ମୁଁ ସମ୍ପୂର୍ଣ୍ଣ ବିବସ୍ତ୍ର ବୋଧ କରେ । କାହିଁକି କେଜାଣି ସେ ଦୃଷ୍ଟି ମୋତେ ଭୟ ଦେଖାଏ, ଅନୁତାପ କରି ମୁଁ ଯେପରି ଘାଣ୍ଟିଚକଟି ହୁଏ । ଆମ ଅତୀତର ଗୌରବହୀନ, ମୃତ ସମ୍ପର୍କରେ ଏ ଦୃଷ୍ଟି ହେଉଛି ଅତୃପ୍ତ ଆତ୍ମାର ଜିଜ୍ଞାସା । ତମେ ଏମିତି ପ୍ରତିଶୋଧ ପିପାସୁ ବୋଲି ମୋର ଧାରଣା ନ ଥିଲା । ତମକୁ ଘୃଣା କରିବା ପାଇଁ ମୋତେ ବାଧ୍ୟ କରନା ।’

 

ସୁନନ୍ଦା ଚାଲିଯିବାର ଅନେକ ସମୟ ପର୍ଯ୍ୟନ୍ତ ସମୀର ଠିଆହୋଇ ରହିଥିଲା ଏବଂ ତା’ କଥାକୁ ଅନୁଶୀଳନ କରୁଥିଲା ।

 

ତିନିବର୍ଷ ହେଲା ତାଙ୍କ ଘରକୁ ସେ ଯାଇନାହିଁ । ପରିତୋଷବାବୁ ଖବର ପଠାଇଲେ ସେ କୌଣସି ଆଳ ଦେଖାଇ ଖସିଯାଏ ।

 

କ’ଣ କରାଯିବ ତେବେ ?

 

ଅଗତ୍ୟା ସେ ଯିବା ପାଇଁ ଠିକ୍ କଲା ।

 

ସେତେବେଳକୁ ସକାଳ ସାତଟା । ସେ ନିଶ୍ଚିତ ଥିଲା ଯେ, ପରିତୋଷବାବୁ ବୋଲି ଏକଦା ପରିଚିତ ଓ ବର୍ତ୍ତମାନର ଯନ୍ତ୍ରଣାମୁକ୍ତ, କାମନାହୀନ ଓ ଚିନ୍ତାହୀନ ହାଡ଼ମାଂସର ଶୀତଳ ପିଣ୍ଡୁଳାଟା ଶ୍ମଶାନକୁ ଏପର୍ଯ୍ୟନ୍ତ ବୁହାହୋଇ ଯାଇ ନ ଥିବ । ସମୀର ଧୋତି ପଞ୍ଜାବୀ ପିନ୍ଧିଲା ।

 

ରାସ୍ତାର ବ୍ୟବଧାନ ପ୍ରାୟ ଦୁଇମାଇଲ । ଛୋଟିଆ ସହରଠାରୁ ଗୋଟିଏ ସଂକୀର୍ଣ୍ଣ ରାସ୍ତା ପ୍ରଶସ୍ତ ଶସ୍ୟକ୍ଷେତ୍ର ଓ ଅଗଣିତ ଗଛର ସମାରୋହ ଭିତରେ ହଜି ନ ଯାଇ ଲମ୍ୱିଯାଇଛି ପରିତୋଷବାବୁଙ୍କ ଘର ପର୍ଯ୍ୟନ୍ତ । ତାଙ୍କୁ ପରାଲିସିସ୍ ହେବା ପରେ ଏ ରାସ୍ତାର ଗୁରୁତ୍ୱ ଢେର କମିଗଲା । ଜଣାପଡ଼େ, ସତେ ଯେପରି ଚାରିଆଡ଼ର ଶସ୍ୟକ୍ଷେତ୍ର ତାଙ୍କ ଘରକୁ ଅବରୁଦ୍ଧ କରି ପକାଇଛି । ସେ ଘର କ୍ରମେ ସଙ୍କୁଚିତ ହୋଇଯାଉଛି । ସହର ସହିତ ତା’ର ଆଉ ସମ୍ପର୍କ ରହୁନାହିଁ-। ଶେଷରେ ପରିତୋଷବାବୁଙ୍କର ମୃତ୍ୟୁ ।

 

ସମୀର ଖୁବ୍ ଅଶ୍ୱସ୍ତି ବୋଧକଲା । ତା’ର ଭାରାକ୍ରାନ୍ତ ମନ ନିଶ୍ଚିତ ପ୍ରଶ୍ନ ପଚାରିଲା—ପରିତୋଷବାବୁ ଆତ୍ମହତ୍ୟା କରି ନାହାନ୍ତି ତ ?

 

ଅକର୍ମଣ୍ୟ ହୋଇଯିବା ପରେ ସେ ଯଥେଷ୍ଟ ଶାନ୍ତ ଓ ଶୃଙ୍ଖଳିତ ହୋଇ ଯାଇଥିଲେ । ଯେଉଁ ବିଜ୍ଞତା ଓ ବିଚାର ଶକ୍ତିର ମାନଦଣ୍ଡରେ ସେ ସଂସାରକୁ ମାପୁଥିଲେ, ତାହାରି ସାହାଯ୍ୟରେ ସେ ନିଜକୁ ମାପିବା ଆରମ୍ଭ କଲେ । ଦୀର୍ଘଦିନ ଧରି ସେ ନିଜ ପ୍ରତି ଉଦାସୀନ ଥିଲେ ବୋଲି ମନେକରି ନିଜ ଉପରେ ଖୁବ୍ ରାଗିଲେ । ନିଜପ୍ରତି ଓ ବାହାର ଜଗତ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ଆଉ ଆତ୍ମକୈନ୍ଦ୍ରିକ ହୋଇ ରହିଲା ନାହିଁ । ଏବେ ବି ସମୀରର ସ୍ମୃତି ଉପରେ ପରିତୋଷବାବୁଙ୍କ ଦାର୍ଶନିକ ଉକ୍ତି ଭାସିଯାଉଥିଲା—

 

ମୁଁ ଏଇ କେତେଦିନ ହେଲା ଆତ୍ମହତ୍ୟା କଥା ଗଭୀର ଭାବରେ ପର୍ଯ୍ୟାଲୋଚନା କରୁଛି-। ମୁଁ ଭାବୁଛି, ଯେଉଁମାନେ ଆତ୍ମହତ୍ୟା କରନ୍ତି ସେମାନେ ନିଃସନ୍ଦେହ ଭାବରେ ବିଜ୍ଞ । ଏମାନଙ୍କର ନିଜପ୍ରତି ଓ ସଂସାର ପ୍ରତି ଧାରଣା ନିର୍ଭୁଲ । ଆତ୍ମହତ୍ୟା ଏକ ବ୍ୟକ୍ତିଗତ ପ୍ରତିବାଦ । ଏହା ପ୍ରମାଣ କରେ ଯେ, ବ୍ୟକ୍ତିବିଶେଷର ମୂଲ୍ୟବୋଧ ଏବଂ କ୍ଷମତା, ତା’ ଚାରିଆଡ଼େ ଥିବା ସାମାଜିକ ହିଂସ୍ରତା ଖାପ୍ ଖୁଆଇ ଚଳିପାରୁ ନାହିଁ କିମ୍ୱା ତା’ ତୁଳନାରେ ଯଥେଷ୍ଟ ହେଉନାହିଁ । ଆତ୍ମହତ୍ୟା ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ଗତିକୁ ତ୍ୱରାନ୍ୱିତ କରେ । ଏହା ଜୀବନକୁ ସଂକ୍ଷିପ୍ତ କରେ । ପରାଜୟ ଜନିତ ଦୀର୍ଘ ହାହାକାରରୁ ରକ୍ଷାକରେ । ଏକ ବର୍ଣ୍ଣାଢ଼୍ୟ ରୂପରେ ବ୍ୟକ୍ତିକୁ ମାପିବାରେ ସାହାଯ୍ୟ କରେ ।’

 

ପରିତୋଷବାବୁ ଆକସ୍ମିତ ଭାବରେ ଆତ୍ମହତ୍ୟା ପ୍ରତି ନିଜର ଦୃଷ୍ଟିକୋଣ ପ୍ରକାଶ କରିଦେଲେ । ସେଦିନ ସମୀର ତାଙ୍କପ୍ରତି ଟିକିଏ ସନ୍ଦିହାନ ହୋଇପଡ଼ିଥିଲା । ତାଙ୍କର ଚେତନା ଭିତରେ ନିଜ ଜୀବନ ପ୍ରତି ତୁଚ୍ଛତା ଓ ଘୃଣାର ଏକ ଶକ୍ତିଶାଳୀ ସ୍ରୋତ ବହିଚାଲିବ ବୋଲି ତାର ଆଉ ସନ୍ଦେହ ରହିଲା ନାହିଁ । ସେ ଆଶଙ୍କା କରିଥିଲା ଯେ ହୁଏତ ଖୁବ୍ କମ୍ ଦିନ ପରେ ପରିତୋଷବାବୁ ଆତ୍ମହତ୍ୟା କରିବା ସମ୍ୱାଦ ପ୍ରଚାରିତ ହେବ । ମାତ୍ର ତାହା ହେଲା ନାହିଁ । ସମୀର ସେକଥା ପ୍ରାୟ ଭୁଲି ଯାଇଥିଲା । ମାତ୍ର ଆଜି ତାଙ୍କର ମୃତ୍ୟୁ ଖବର ପାଇ ତାଙ୍କ ଘରକୁ ଲମ୍ୱି ଯାଇଥିବା ଅଣଓସାରିଆ ରାସ୍ତାରେ ଯିବାବେଳେ ତାହା ମନେ ପଡ଼ିଗଲା ।

 

ଗେଟ୍ ଖୋଲି ଭିତରେ ପଶିବାକ୍ଷଣି ସମୀରର ଉଦବିଗ୍ନତା ପୁଣି ବୃଦ୍ଧିପାଇଲା—ଏଥର ସୁନନ୍ଦା କଥାରୁ କେନ୍ଦ୍ରକରି । ତଥାପି ସେ ଆଗେଇଲା ଦୃଢ଼ତାର ସହିତ । ପ୍ରଶସ୍ତ ବାରଣ୍ଡାରେ, କେତେଜଣ ଦରଚିହ୍ନା ଲୋକ ଉଦାସ ହୋଇ ବସିଥିଲେ । ସମୀରର ମନେହେଲା—ସତେ ଯେମିତି ଜଣକର ମୃତ୍ୟୁ ସମ୍ୱାଦ ଅନ୍ୟମାନଙ୍କୁ କ୍ଷଣକପାଇଁ ହେଉ ପଛେ ଦାର୍ଶନିକ କରିପକାଏ । ସେମାନେ ଜୀବନର ଏଇ ଅନ୍ତିମ ସତ୍ୟ ପ୍ରତି ସଚେତନ ହୋଇପଡ଼ନ୍ତି । ସମସ୍ତ ଜିନିଷ ପ୍ରତି ସେମାନଙ୍କର ଦୃଢ଼ ଆସକ୍ତିର ଫାଶ କେଇଟା ମୁହୂର୍ତ୍ତପାଇଁ ହୁଗୁଳା ହୋଇଯାଏ ।

 

ସେ ପଚାରି ବୁଝିଲା ଯେ, ଶବସତ୍କାର ହୋଇ ନାହିଁ । ସୁନନ୍ଦା ଉପରମହଲାରେ ଅଛି । ସେ ସିଡ଼ି ଆଡ଼କୁ ଆଗେଇଲା ।

 

ଦୋତାଲାରେ ପହଞ୍ଚିବା କ୍ଷଣି ସୁନନ୍ଦା ସହିତ ଭେଟ ହେଲା । ସାମନା କାନ୍ଥକୁ ଆଉଜି ସେ ହୁଏତ ସମୀରକୁ ଲକ୍ଷ୍ୟ କରୁଥିଲା । ସମୀର ଇତସ୍ତତ ହେଲା ଟିକିଏ ।

 

—‘ତମେ ଆସିବ ବୋଲି ଜାଣିଥିଲି । ସେଇଥିପାଇଁ ଏ ଯାଏ ବାପାଙ୍କ ଦେହ ଘରୁ ଉଠି ନାହିଁ ।’ ସୁନନ୍ଦାର ସ୍ୱର ଆବେଗ ଓ ଦୁଃଖରେ କମ୍ପୁଥିଲା ।

 

‘ମୁଁ ଆସିବି ବୋଲି ତମେ ନିଶ୍ଚିତ ଥିଲ ?’ ସମୀର ବିସ୍ମିତ ହେଲା ।

 

ଆଉ କିଛି କଥା ନାହିଁ । ସୁନନ୍ଦାର ଆଖିରୁ ଲୁହ ଝରି ଆସିଲା । ତା’ର ମୁହଁ ବିକୃତ ହୋଇଗଲା । ତା’ର ଏଭଳି କାନ୍ଦଣା ସମୀର ଦେଖି ନଥିଲା ଆଗରୁ । ମଣିଷ କାନ୍ଦି ତା’ ଲୁହରେ ଏତେ ବ୍ୟଥା, ଅସହାୟତା ଓ ଆଶଙ୍କା ପ୍ରକାଶ କରିପାରେ ବୋଲି ଆଦୌ ଧାରଣା ନଥିଲା ତା’ର । ସମୀରର ସମଗ୍ର ଶରୀର ପ୍ଲାବିତ ହୋଇଗଲା ଏକ ଅଭୁତପୂର୍ବ ସମବେଦନାରେ । ସୁନନ୍ଦାକୁ ସେଇ ମୁହୂର୍ତ୍ତରେ କିଛି କହିବା ଠିକ୍ ହେବନି ବୋଲି ସେ ଭାବିଲା । ସେ ଅପେକ୍ଷା କଲା । ସୁନନ୍ଦା ଶାନ୍ତ ହେଲା ଦୀର୍ଘ ସମୟ ପରେ ।

 

—‘ଦୁଇ ଭାଇଙ୍କ ପାଖକୁ ଖବର ପଠାଯାଇଛି ?

 

—‘ହଁ ।’

 

—‘ଖୁବ୍ ଭଲ ହେଲା । ସେମାନେ ଆସୁ ଆସୁ ବହୁ ଡେରି ହୋଇଯିବ, ବୋଧହୁଏ ?’

 

—‘ଆସନ୍ତା କାଲି ପୂର୍ବରୁ ସେମାନେ ଏଠାରେ ପହଞ୍ଚି ପାରିବେ ନାହିଁ ।’ ହଠାତ୍ ସ୍ୱର ବଦଳାଇ ସେ ଯୋଗକଲା—ମୂଳରୁ ଆସୁଛନ୍ତି କି ନା, କିଏ ଜାଣେ ?’—‘ନିଶ୍ଚୟ ଆସିବେ । ବର୍ତ୍ତମାନ ପରିତୋଷବାବୁ ସେମାନଙ୍କର ଶତ୍ରୁ’ ନୁହନ୍ତି—ସେମାନଙ୍କର ମୃତ ପିତା । ଅତୀତର ମୋହ—ବର୍ତ୍ତମାନର ବନ୍ଧନ ନୁହେଁ । ତମେ ସେ ସମ୍ପର୍କରେ ନିଶ୍ଚିତ ରହ ।’ ଆଶ୍ୱାସନା ଦେଲା, ସମୀର ।

 

ଦୀର୍ଘ ନୀରବତା । ଦୁହେଁ ଅବଶ ବୋଧ କରୁଥିଲେ ।

 

—‘ସୁନନ୍ଦା ।’

 

ଏଥର ସୁନନ୍ଦା ଚାହିଁଲା ସମୀର ଆଡ଼େ । କିନ୍ତୁ ସମୀର ଚୁପ୍ ରହିବାକୁ ପସନ୍ଦ କଲା । ଭାବିଲା, ସେ ପଚାରିବାକୁ ଯାଉଥିବା କଥା ହୁଏତ ସୁନନ୍ଦା ମନରେ ଆଘାତ ଦେବ ।

 

—‘କ’ଣ କହିଲ ନାହିଁ ଯେ ?’ ସମୀରର ନୀରବତା କୌତୁହଳ ସୃଷ୍ଟିକଲା ସୁନନ୍ଦା ମନରେ ।

 

—‘ନାଇଁ, ମୁଁ କ’ଣ କହୁଥିଲି କି...ଆଚ୍ଛା, ପରିତୋଷବାବୁ ଶେଷ ସମୟ ପୂର୍ବରୁ କିଛି କହୁଥିଲେ ?’ —ଏକ ଦ୍ୱିଧାଗ୍ରସ୍ଥ ମନର ପ୍ରଶ୍ନ ।

 

—‘କ’ଣ ?

 

—‘ମନେକର ଆତ୍ମହତ୍ୟା କଥା ?’

 

ସୁନନ୍ଦା ପାଇଁ ଏ ପ୍ରଶ୍ନ ଖୁବ୍ ଅପ୍ରତ୍ୟାଶିତ ଓ ଅସ୍ୱାଭାବିକ ଥିଲା । ସେ ଜିଜ୍ଞାସୁ ଓ ଭୟଭିଜା ଆଖିରେ ଚାହିଁଲା ସମୀର ଆଡ଼େ ।’ ସହଜ ହେବାକୁ ଚେଷ୍ଟାକରି ସେ ଯୋଗକଲା–‘ହେଃ, କଥାଟା ମୁଁ ଠିକ୍ ଭାବରେ କହିପାରିଲି ନାହିଁ । ଶେଷବେଳେ ତାଙ୍କର ଦୈହିକ ଓ ମାନସିକ ଅବସ୍ଥା କ’ଣ ଥିଲା ମୋତେ ଟିକିଏ କହନ୍ତ ନାଇଁ ।’

 

ସୁନନ୍ଦାର ବାଷ୍ଫରୁଦ୍ଧ କଣ୍ଠ ଶୁଭିଲା—‘ତମେ ସେକଥା ଅନୁମାନ କରିପାରୁନ ? କି ବିଚିତ୍ର ଏ ଜୀବନ ! ଯନ୍ତ୍ରଣାରେ ବାପା ସଢ଼ି ଯାଉଥିଲେ; ଅଥଚ ତା’ଙ୍କୁ ବଞ୍ଚାଇ ରଖିବା ପାଇଁ କି ବ୍ୟାକୁଳ ମୋହ । ବେଳେବେଳେ ଭାବୁଥିଲି, ମରିଗଲେ ତରିଯାଆନ୍ତେ ସିନା । ଅଥଚ ପରମୁହୂର୍ତ୍ତରେ ଔଷଧ ଗିଲାସ ତାଙ୍କ ଓଠରେ ଟେକି ଧରୁଥିଲି । ତାଙ୍କର ‘ମରିଯିବି, ମରିଯିବି’ ଆର୍ତ୍ତଚିତ୍କାର ବନ୍ଦ ହୁଏ; ଆଖିବୁଜି ସେ ଔଷଧ ପିଅନ୍ତି ଏବଂ କହନ୍ତି—‘ଆଉ ନୁହେଁ । ଔଷଧ ଖାଇବାକୁ ତୁ ମୋତେ ଆଉ ବାଧ୍ୟ କରିବୁନି । ମୁଁ ଚଞ୍ଚଳ ମରିବାକୁ ଚାହେଁ । ଦିନେ-ଦୁଇଦିନ ପୂର୍ବରୁ ସେ ଅଚେତ ହୋଇ ପଡ଼ି ରହିଲେ ଏବଂ ସମଗ୍ର ସଂସାର ତାଙ୍କ ଚେତନାରୁ ପୋଛି ହୋଇଗଲା । ଗତ ରାତି ଚାରିଟାରେ ଆମ ପାଇଁ ସେ ମରିଗଲେ ।’ ସୁନନ୍ଦାର ମୁହଁ ପୁନରାୟ ବିକୃତ ହେଲା ଏବଂ ଝରଝର ହୋଇ ଲୁହ ଗଡ଼ିଆସିଲା ତା’ର ନିଷ୍ପ୍ରାଣ ଆଖିରୁ ।

 

—‘ତମେ ଥାଅ, ମୁଁ ଟିକିଏ ଦେଖିଆସେ ତାଙ୍କୁ ।’ କିଛି ସମୟ ପରେ ସମୀର କହିଲା ।

 

ସେ ଆଗେଇଲା ଏକୁଟିଆ । ମାତ୍ର ନିର୍ଦ୍ଦିଷ୍ଟ ଦ୍ୱାରପାଖରେ ପହଞ୍ଚିବାକ୍ଷଣି କାହିଁକି କେଜାଣି ସେ ଆତ୍ମ-ବିଶ୍ୱାସ ହରାଇଲା । ଭିତରକୁ ଯିବାପାଇଁ ତା’ର ଆଉ ସାହସ ହେଲା ନାହିଁ । ତେବେ ସେ ଏକରକମ ନିଜକୁ ଠେଲି ଦେଲା କୋଠରୀ ଭିତରକୁ ! କ୍ଷଣକର ଚିତ୍କାର ଓ ତଡ଼ିତ୍ । ସେ ନିଜକୁ ପ୍ରକୃତିସ୍ଥ କଲା ।

 

ଖଟ ଉପରେ ସଫା, ଧଳା ଚଦରରେ ଆବୃତ୍ତ ପରିତୋଷ ବାବୁଙ୍କ ଶବ । ସମୀର ଏକ ଅଭୂତ କମ୍ପନ ଅନୁଭବ କଲା ନିଜ ମାଧ୍ୟମରେ । ସେ ସାହସ ଓ ସତର୍କତାର ସହିତ ତାଙ୍କ ମୁହଁ ଉପରୁ କାଢ଼ି ଆଣିଲା ଚଦରଟା ।

 

ଆଃ ତା’ର ଆଖି ବୁଜି ହୋଇଗଲା । କି କଦାକାର ଏ ମୁହଁ ! ମୃତ୍ୟୁପୂର୍ବରୁ ସମସ୍ତ ଯନ୍ତ୍ରଣାର ଚିହ୍ନ ପ୍ରତିଫଳିତ ହୋଇଛି ଏଇ ଟାକୁଆ, ବିଭତ୍ସ ମୁହଁରେ । ଏ କ’ଣ ପରିତୋଷବାବୁଙ୍କର ମୃତ ଦେହ ? —ନା, ପଙ୍ଗୁତା, ଆତ୍ମିକ ଶୂନ୍ୟତା ଓ ରିକ୍ତତାଦ୍ୱାରା ବିପର୍ଯ୍ୟାସ୍ତ ଏକ ଜୀବନର ଭୟପ୍ରଦ ନୀରବ ଅନ୍ଧକାର ? କ’ଣ ସେ ? ସେ ପୁନରାୟ ଚଦରଟା ଘୋଡ଼ାଇ ଦେଲା ।

 

ସମୀର ସନ୍ଧାନୀ ଆଖିରେ ଚାହିଁଲା ପରିଚିତ ରୁମର ଚାରି କାନ୍ଥକୁ । ସବୁ ଆଗଭଳି ରହିଛି । ବଡ଼ ଝରକା ପାଖରେ ବଡ଼ ଟେବୁଲ । ଏବେ ସେଠାରେ ବହି କିମ୍ୱା ଖାତା ନାହିଁ । ଶୂନ୍ୟ କିମ୍ୱା ଅର୍ଦ୍ଧଶୂନ୍ୟ ସାନବଡ଼ ଔଷଧ ବୋତଲର ସମାରୋହ ସେଠାରେ । ଟେବୁଲ ପାଖରେ ବଡ଼ ଆଲମିରା କାଚ ଲଗାଯାଇଥିବା କବାଟ ଦେଇ ବହିଖାତା ଦେଖା ଯାଉଛି । ସେ କଡ଼କୁ ବେତଚୌକି । ଆଉ କିଛି ବିଶେଷ ଆସବାବ ନାହିଁ । କାନ୍ଥ ଦେହରେ କେତେକ ଦେବାଦେବୀ, ସାହିତ୍ୟିକ ଓ ସମାଜ ସଂସ୍କାରକଙ୍କ ଫଟୋ ।

 

ସମୀର ପୁଣି ଚାହିଁଲା ପରିତୋଷବାବୁଙ୍କ ଶବ ଆଡ଼େ । କାହିଁକି କେଜାଣି ତାଙ୍କର ତକିଆ ପାଖରେ କିଛି ଖୋଜିବାରେ ଲାଗିଲା । ଏଥର ତା’ ହାତରେ ତିନିଚାରୋଟି କ୍ୟାବିନେଟ୍ ସାଇଜର ଅବନ୍ଧା ଫଟୋ ।

 

ପ୍ରଥମ ଫଟୋଟି ଅନେକ ଦିନ ତଳର । ଚୌକି ଉପରେ ପରିତୋଷବାବୁ ବସିଛନ୍ତି । ପାଖରେ ଠିଆ ହୋଇଛି ଫ୍ରକପିନ୍ଧା ସୁନନ୍ଦା । ପଛରେ ଠିଆହୋଇଛନ୍ତି ତିନିପୁଅ । ସେମାନଙ୍କ ମୁହଁରେ ତ୍ରସ୍ତତା ସୁସ୍ପଷ୍ଟ ।

 

ସମସ୍ତେ ପିଲାଦିନୁ ପରିତୋଷବାବୁଙ୍କୁ ଭୟ କରି ଆସିଛନ୍ତି । ସଭ୍ୟ ଓ ଶିକ୍ଷିତ କରିବା ପାଇଁ ପରିତୋଷବାବୁ ସେମାନଙ୍କୁ ନିସ୍ତୁକ ମାଡ଼ ଦିଅନ୍ତି । ପିଲାମାନଙ୍କୁ ସେ କେବେ ଗେଲ କରିବା ସମୀର ଆଦୌ ଦେଖିନାହିଁ । ସେମାନଙ୍କ ସହିତ ସେ ଖୁବ୍ ବେଶୀ କଥା କହନ୍ତି ନାହିଁ ।

 

ପିଲାଦିନେ ବଡ଼ ହୋଇଯିବା ପରେ ମାଡ଼ ବନ୍ଦ ହେଲା । ହେଲେ ତାଙ୍କ ମୁହଁ ସବୁବେଳେ ଶୁଷ୍କ ଓ ଫାଙ୍କା ଥିଲା । ପିଲାମାନେ ତାଙ୍କ ସାମନାକୁ ଆସିବାକୁ ଡରୁଥିଲେ । ଥରେ ତାଙ୍କ ବଡ଼ ପୁଅ ସମୀରକୁ ଏଇ କଥା କହିଥିଲେ—

 

‘‘ଆମେ ଏବେ କଲେଜରେ ପଢ଼ିଲୁଣି; କିନ୍ତୁ ବାପାଙ୍କ ପାଖକୁ ଯିବାପାଇଁ ଆମର ସାହସ ହୁଏ ନାହିଁ । ଆମ ଭିତରେ ଦୂରତା ବହୁତ । ସେ ଏତେ କମ୍ କଥା କହନ୍ତି ଯେ, ଆମ ପ୍ରତି ତାଙ୍କର ଶ୍ରଦ୍ଧା ଅଛି କି ଘୃଣା ଅଛି, ତାହା ଜାଣିବାର ଉପାୟ ନାହିଁ । ଆମ ଘରଟା ଗୋଟାଏ ହୋଟେଲ ଭଳି-। ଖାଅ, ନିଜ ରୁମରେ ବିଶ୍ରାମ ନିଅ । ତେବେ ଆମେ ଯାହା ଚାହୁଁ, ତାହା ଆମ ହାତକୁ ଆସିଯାଏ । କୌଣସି କଥାକୁ ପ୍ରତ୍ୟାଖ୍ୟାନ କରିବା ସପକ୍ଷରେ ଯେଉଁ ଆବେଗ ଥାଏ ଏବଂ ଏହି ପ୍ରତ୍ୟାଖ୍ୟାନଜନିତ ଆଘାତର ତୀକ୍ଷ୍‍ଣତା କମାଇବା ସକାଶେ ଯେଉଁ ସ୍ନେହ ଓ ଆନ୍ତରିକତା ଦରକାର ହୁଏ, ତାହା ଆମ୍ଭମାନଙ୍କୁ ପୂରାପୂରି ଅଜଣା । ଆମେ ଅନ୍ୟମାନଙ୍କ ଘରକୁ ଗଲେ ନିଃସ୍ୱ ଅନୁଭବ କରୁ । ବାପାଙ୍କ ଦୃଷ୍ଟିରେ କ’ଣ ଅଛି କେଜାଣି, ତାଙ୍କୁ ଦେଖିଲାମାତ୍ରେ ଆମେ ଅକାରଣଟାରେ ଅପରାଧୀ ମନେକରୁ । ଭଲକାମ ପାଇଁ ପ୍ରଶଂସା ନାହିଁ, ଖରାପ କାମ ପାଇଁ ପିତୃସୁଲଭ ଶାସନ ନାହିଁ । ଘରେ ରହିବାକୁ ଆଉ ଭଲ ଲାଗୁନାହିଁ ।’’

 

ସତକୁ ସତ ଏଇ ପୁଅମାନେ ପରେ ବିଦ୍ରୋହୀ ହୋଇ ଘରଛାଡ଼ି ପକଳାଇଲେ । ସବାସାନ ପୁଅ ରହିଥିଲେ କ’ଣ ହେବ, ଟ୍ରକ୍ ଦୁର୍ଘଟଣାରେ ତା’ର ମୃତ୍ୟୁ ହେଲା । ସୁନନ୍ଦା ବାହାହୋଇ ଅନ୍ୟ ଘରକୁ ଗଲା ।

 

ଏ ନିଃସଙ୍ଗତା ରହିଲା ଏତେ ବଡ଼ଘରେ । ପରିତୋଷ ବାବୁଙ୍କ ଚରିତ୍ର ଏକ ଭୟାନକ, ସ୍ୱାର୍ଥପର ଚରିତ୍ର । ପୁଅମାନଙ୍କର ଚାଲେଞ୍ଜକୁ ସେ ଗ୍ରହଣ କଲେ ଓ ନିଃସଙ୍ଗତାକୁ ଆବୋରି ନେଲେ ।

 

ଅଥଚ ଏ ଫଟୋ ତକିଆ ପାଖରେ । ପାରାଲିସିସ୍ ପରେ ହୁଏତ ସେ ଅନୁଭବ କଲେ ଯେ, ସେ ସେମିତି କିଛି ଶକ୍ତିଶାଳୀ ଲୋକ ନୁହନ୍ତି । ପୁଅମାନଙ୍କର ଅନୁପସ୍ଥିତି ତାଙ୍କ ମନରେ କି ଦୁର୍ନିବାର ଦାରିଦ୍ର୍ୟ ସୃଷ୍ଟି ନ କଲା ସତେ । ଏହା ତାଙ୍କ ମନରେ ଆତ୍ମସମର୍ପଣ ଭାବ ଜାଗ୍ରତ କଲା । ନିଜର କଠିନ ମନୋଭାବ ବିରୁଦ୍ଧରେ ସେ ଯୁଦ୍ଧ ଆରମ୍ଭ କଲେ ।

 

ତାଙ୍କର ଶବଆଡ଼େ ଚାହିଁବା ପରେ, ସମୀର ଫଟୋ ଦେଖିବାରେ ଲାଗିଲା । ଏଥର ସୁନନ୍ଦାର ଫଟୋ । ସମୀରର ସତ୍ତା ତରଙ୍ଗାୟିତ ହେଲା । ଅବିକଳ ଏହି ଫଟୋର ପାସପୋର୍ଟ ସାଇଜ୍ କପି ତା’ ପାଖରେ ଅଛି । ସେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ । ମାତ୍ର କଥାଟା ଜଣାପଡ଼ିବା ପରେ ସେତେବେଳର ପ୍ରଭାବଶାଳୀ ପରିତୋଷବାବୁଙ୍କ ନିକଟରେ ସମୀରକୁ ଅପମାନିତ ହେବାକୁ ପଡ଼ିଲା ।

 

—‘କିନ୍ତୁ ତୁମର ମତାମତ କ’ଣ ? ସମୀର ପଚାରିଥିଲା ।’

 

‘ମୋର ? ମୁଁ ଭାବୁଛି ଆମେ ଦୂରେଇଯିବା ।’ ସୁନନ୍ଦାର କଣ୍ଠ ସହଜ ।

 

—‘କ’ଣ କହିଲ ?

 

—‘ଦୂରେଇଯିବା ।’ ସୁନନ୍ଦା ପୁନରାବୃତ୍ତି କଲା । ‘ତମେ ଶିଳ୍ପୀ ହୋଇପାର; ମାତ୍ର ତୁମକୁ ପ୍ରେମ କରାଯାଇ ପାରେନା ।’

 

ସମୀର କ୍ଷୁବ୍ଧ ହୋଇଥିଲା । କହିଲା—‘ମାତ୍ର ମୋ ଶିଳ୍ପୀ ଜୀବନରେ ତୁମର ଭୂମିକା କେତେ ମହିମାମୟ ତାହା କ’ଣ ତୁମକୁ ଅଜଣା ଅଛି, ସୁନନ୍ଦା ?’

 

ସେଇଥିପାଇଁ ମୁଁ ଦୂରେଇ ଯିବାକୁ ଚାହେଁ ।’ ସୁନନ୍ଦା କହିଲା—‘ବାପାଙ୍କ ବିରୋଧକୁ ଭୃକ୍ଷେପ କରି ନୁହେଁ । ମୁଁ ଭାଇମାନଙ୍କଭଳି ବିପ୍ଳବୀ ହୋଇପାରନ୍ତି; କିନ୍ତୁ ତା’ର ଆବଶ୍ୟକତା ନାହିଁ-। ତୁମେ ନିର୍ବୋଧ ଅଥଚ ଭୟଙ୍କର ଭାବେ ସ୍ୱାର୍ଥପର । ତୁମେ ମୋ ସଂସ୍ପର୍ଶରେ ଆସି ଶିଳ୍ପକଳା ପାଇଁ ଉତ୍ସାହିତ ହୋଇଛ । ସତେ ଯେପରି ମୁଁ ତୁମର ଉଦ୍ଦେଶ୍ୟ ସାଧନ ପାଇଁ ଏକ ପଣ୍ୟଦ୍ରବ୍ୟ । ମୋର ଅଭିବ୍ୟକ୍ତି ଓ କାମନା ପ୍ରତି ତୁମେ ଆଖି ବୁଜି ଦେଇଛ । ସବୁଠାରୁ ବଡ଼ କଥା ହେଲା, ତୁମର ଚେତନା ସବୁବେଳେ ବିଭିନ୍ନ ମାନସିକ ସ୍ତରରେ ଗତିକରେ । ସେ ଦୃଷ୍ଟିରୁ ତୁମକୁ ମୁଁ ଭଲଭାବରେ ଚିହ୍ନିପାରି ନାହିଁ । ତୁମର ଚିନ୍ତାଧାରା ଅବୋଧ୍ୟତାର ପାଚେରୀ ଭିତରେ ଲୁକ୍‍କାୟିତ । ତା’ରି ଭିତରକୁ ଯିବାପାଇଁ ତମେ ଜମା ଅନୁମତି ଦେଇନ ।’

 

ସୁନନ୍ଦା ବାହା ହୋଇଗଲା । ସମୀର ହାରିଗଲା ପରିତୋଷବାବୁ ବିଜୟୀ ହେଲେ ।

 

ଏହାର ଅଳ୍ପ କେତୋଟି ବର୍ଷ ପରେ ସୁନନ୍ଦା ବିଧବା ହୋଇ ଫେରିଆସିଥିଲା ଏକ ଉଦାସ ସନ୍ଧ୍ୟାରେ । ସେତେବେଳକୁ ପରିତୋଷବାବୁ ପାରାଲିସିସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ।

 

ସେ ସମୀର ପ୍ରତି ଆକସ୍ମିକ ଭାବରେ କାହିଁକି ସ୍ନେହୀ ହୋଇପଡ଼ିଥିଲେ, ତାହା ଜାଣିବା ଆଦୌ କଷ୍ଟ ହୋଇ ନ ଥିଲା ତା’ ପକ୍ଷରେ । ପ୍ରଥମ କଥା ହେଲା, ବାହାର ଦୁନିଆଁ ସହିତ ସମ୍ପର୍କିତ ହେବାପାଇଁ ବ୍ୟକ୍ତିବିଶେଷକୁ ନିରବଛିନ୍ନ ସଂଗ୍ରାମ କରିବାକୁ ହୋଇଥାଏ । ଏ ସଂଗ୍ରାମର ଅନ୍ତରାଳରେ ଥିବା ତ୍ୟାଗଦୀପ୍ତ ଆନ୍ତରିକତା ସେହି ସମ୍ପର୍କରେ ଗଭୀରତା ପ୍ରତିଷ୍ଠା କରେ । ପଙ୍ଗୁ ଓ ନିସ୍ୱ ହୋଇଯିବା ପରେ ପରିତୋଷବାବୁ ନିଜକୁ ଉଲଗ୍ନ କରିବାକୁ ଚାହିଁଲେ ଅନ୍ୟମାନଙ୍କ ସାମନାରେ । ସମଗ୍ର ସଂସାରଠାରୁ ବିଛିନ୍ନ ବୋଲି ଭାବିବା ପାଇଁ ତାଙ୍କୁ ଡର ଲାଗିଲା । ସେ ସମୀରର ସାହାଯ୍ୟ ନେଲେ । ତା’ର ଶିଳ୍ପୀମନ ତାଙ୍କୁ ବୁଝିପାରିବ ବୋଲି ତାଙ୍କର ହୃଦବୋଧ ହୋଇଥିଲା ।

 

ସମୀର ତାଙ୍କ ଘରକୁ ଯାଏ ତାଙ୍କ ସହିତ କଥାବାର୍ତ୍ତା କରେ । ସୁନନ୍ଦାକୁ ଦେଖେ । ଏକ ଅଭୁତପୂର୍ବ ଶିହରଣ ସୃଷ୍ଟିହୁଏ ତା’ ମନରେ ।

 

ଦିନେ ସୁନନ୍ଦା କହିଥିଲା—‘ସମୀର ତୁମ ପାଖକୁ ଲେଖିଥିବା ଚିଠିଗୁଡ଼ାକ ମୋତେ ଫେରାଇ ଦିଅ ।

 

—‘କାହିଁକି ?’ ପ୍ରାୟ ଚମକି ପଡ଼ିଥିଲା ସେ ।’

 

—‘ମୁଁ ଆଦୌ ନିରାପଦ ଅନୁଭବ କରୁନି । ମୁଁ ଜାଣେ ତୁମେ ମୋର କୌଣସି କ୍ଷତି କରିବା କଥା ଚିନ୍ତା ବି କରିବନି । ମାତ୍ର ମୁଁ ମୋର ବିବେକକୁ ଶାନ୍ତି ଦେବାକୁ ଚାହେଁ ।’

 

ସମୀର ସବୁ ଚିଠି ଫେରାଇ ଦେଲା ।

 

—‘ଫଟୋଟା କାହିଁ ?’

 

‘ଖୋଜିଲି । ପାଇଲି ନାହିଁ । କ୍ଷମା କରିବ ।’ ସମୀର ମିଛର ଆଶ୍ରୟ ନେଲା ।

 

ସମୀର ଓ ସୁନନ୍ଦା ପରସ୍ପରକୁ ଚାହିଁଲେ । ସମୀରର ମନେ ହେଲା, ସୁନନ୍ଦାକୁ ଟିକିଏ ଗେଲ କରିବ କି ? ତା’ ଗାଲର ସ୍ପର୍ଶ ଅନୁଭବ କରନ୍ତା । ତା’ ଓଠର ଉଷ୍ମତା ମାପନ୍ତା ତାକୁ ନିବିଡ଼ ଭାବରେ ନିଜ ଭିତରେ ଚାପିଧରନ୍ତା । ସେ ଦୀର୍ଘଶ୍ୱାସ ତ୍ୟାଗକଲା । ନା, ‘ଥାଉ ।’ ଏସବୁ ଅବାନ୍ତର-

 

ଏହାର ଅଳ୍ପଦିନ ପରେ, ଏ ଘରକୁ ଆସିବାପାଇଁ ସୁନନ୍ଦା ବାରଣ କଲା ତାକୁ ।

 

ଏ ସେହି ଫଟୋ । ହତଭାଗିନୀ ସୁନନ୍ଦାର ଫଟୋ । ଏହାକୁ ବି ତକିଆ କଡ଼ରେ ରଖି ପରିତୋଷବାବୁ ତା’ ହେଲେ ନିଜ ଦୁର୍ଭାଗ୍ୟର ତାଲିକା ଦେଖୁଥିଲେ ।

 

ଅନ୍ୟ ଫଟୋଗୁଡ଼ାକ ସହିତ ସେ ବିଶେଷ ଭାବରେ ପରିଚିତ ନୁହେଁ । ସେ ସବୁ ଫଟୋ ଯଥା ସ୍ଥାନରେ ରଖି ଆଉ କିଛି ଖୋଜିବାରେ ଲାଗିପଡ଼ିଲା । ଶେଷରେ ସେ ଯାହା ପାଇଲା, ସେଥିରେ ମୁଣ୍ଡ ଘୂରିଗଲା ତା’ର ।

 

ଖଣ୍ଡିଏ ଅଧଫର୍ଦ୍ଦିଆ କାଗଜ । ଲେଖା ଅଛି—‘ମୁଁ ଶାନ୍ତି ଚାହେଁ ।’ ଏଇ ଗୋଟିଏ ବାକ୍ୟ ପ୍ରାୟ ପଚାଶଥର ଲେଖାଯାଇଛି । ତା’ପରେ ଗୁଡ଼ାଏ ବିଶୃଙ୍ଖଳା ଗାର । ଶେଷରେ କାଗଜ ଚିରିଯାଇଛି । କଲମକୁ ଖୁବ୍ ଜୋରରେ ଜାକି ଲେଖିବା ଫଳରେ ଏପରି ହୋଇଛି ବୋଲି ନିଃସନ୍ଦେହରେ ଅନୁମାନ କରାଯାଇପାରେ । ଜଣାଯାଉଛି, କଲମର ନିବ୍ ଅତ୍ୟଧିକ ଚାପ ସହି ନ ପାରି ଭାଙ୍ଗିଯାଇଛି ।

 

ସମୀର ସ୍ତବ୍‍ଧ ହୋଇଗଲା । ଏକଥାକୁ କିଭଳି ବିଶ୍ଳେଷଣ କରିବ ସେ ? ଅଶାନ୍ତ ଜୀବନରୁ ମୁକ୍ତିଲାଭ କରିବା ପାଇଁ ଏ କି ଦୟନୀୟ ଚେଷ୍ଟା । ହେ ଭଗବାନ, ଏମିତି ଜୀବନ ତୁମେ ସୃଷ୍ଟିକଲ କାହିଁକି ? ଭୟ ଓ ଦୁଃଖରେ ସମୀରର କଣ୍ଠ ବାଷ୍ଫାକୁଳ ହୋଇ ପଡ଼ିଲା । କାଗଜଟିକୁ ଯଥା ସ୍ଥାନରେ ରଖି ସେ ଗଲା ଆଲମିରା ପାଖକୁ ।

 

ପ୍ରତ୍ୟେକ ବହି ଓ ଖାତା ଝାଡ଼ିବା ଆରମ୍ଭ କଲା ସେ । ଥାକରେ ଥିବା ଶେଷ ବହିଟିକୁ ଆଣିବା ବେଳେ କଣରେ ଥିବା ଗୋଟାଏ ବସ୍ତୁ ତା’ର ଦୃଷ୍ଟି ଆକର୍ଷଣ କଲା । ତା’ ହାତରୁ ଖସିପଡ଼ିଲା ସେ ବହି । ସେ ହାତ ବଢ଼ାଇ ସେହି ଜିନିଷଟିକୁ ଆଣିଲା । ଗୋଟାଏ ଛୋଟ ବିଷ ଶିଶି-। ତା’ର ସିଲ୍ ଖୋଲାଯାଇ ନାହିଁ ।

 

ସମୀରକୁ ଜଣାପଡ଼ିଲା, ସତେ ଯେପରି ଗୋଟାଓ ଭୟାବହ ପାରାଲିସିସ୍ ତା’ର ଦେହ ଓ ଭାବନା ଭିତରେ ସଂକ୍ରମିତ ହୋଇଯାଉଛି ଓ ସେଇ ସଂକମଣ କ୍ରମେ କୋଠରୀ ଅତିକ୍ରମ କରି ବିଶ୍ୱର ସକଳ ଜୀବନକୁ ଅଥର୍ବ କରି ପକାଉଛି । ‘ମୁଁ ଶାନ୍ତି ଚାହେଁ’ ବୋଲି ସମ୍ମିଳିତ କାତର ପ୍ରାର୍ଥନା ଏଠାକାର ସମସ୍ତ ଆକର୍ଷଣ ଓ ସୌନ୍ଦର୍ଯ୍ୟ କମ୍ପନ ସୃଷ୍ଟି କରୁଛି ।

 

ସମୀର ବେତ ଚୌକି ଉପରେ ବସି ପଡ଼ିଲା । ପରିତୋଷବାବୁଙ୍କ ଶବ ପଡ଼ି ରହିଛି ସାମନାରେ । ତାଙ୍କ ପାଇଁ ଏବେ ପାରାଲିସିସ୍ କ’ଣ ? ଯନ୍ତ୍ରଣା କ’ଣ, ଶାନ୍ତି କ’ଣ ?

 

ବିଷ ଶିଶିଟା ଟେବୁଲ ଉପରେ ରଖି ସମୀର ଆଖି ବୁଜିଲା । ପରିତୋଷବାବୁ ଆତ୍ମହତ୍ୟା ସମ୍ପର୍କରେ କହିଥିବା କଥା ମନେ ପକାଇଲା ପୁଣି ଥରେ ।

 

ଏ ତେବେ ମୃତ୍ୟୁ ନା, ଆତ୍ମହତ୍ୟା ?

 

ପରିତୋଷବାବୁ ମରିବାର ଅନେକ ଦିନ ଆଗରୁ ତା’ହେଲେ ଆତ୍ମହତ୍ୟା କରିଥିଲେ–ଯଦିଓ ତାଙ୍କ ବିଷ ଶିଶିର ସିଲ୍ ଖୋଲା ଯାଇନାହିଁ ।

 

ମରିବାର ଅର୍ଥ ତା’ହେଲେ କ’ଣ ? ଦଗଧିଭୂତ ଜୀବନରୁ ମୁକ୍ତିଲାଭ କରିବା ? ଯନ୍ତ୍ରଣା, ପରାଜୟ ଓ ଶୂନ୍ୟତାର ବନ୍ଧନରୁ ଖସିଯିବା ? ତେବେ ମୃତ୍ୟୁ ଓ ଆତ୍ମହତ୍ୟା ମଧ୍ୟରେ ତଫାତ୍ କେଉଁଠି ?

 

ସମୀର ନିଜ ଭାବନାରେ ଅସ୍ଥିର ହୋଇ ଜୋରରେ ମୁଣ୍ଡ ହଲାଇଲା । ସେ ଆଖି ଖୋଲିବାକୁ ସାହସ କଲା ନାହିଁ । ତା’ ସାମନାରେ ମୃତ୍ୟୁ ଓ ଆତ୍ମହତ୍ୟା ମଧ୍ୟରେ ଥିବା ସୀମାରେଖା ଲିଭି ଯାଉଥିଲା । ତାକୁ ଜଣା ପଡ଼ୁଥିଲା ଏଠାରେ କାହାରି ମୃତ୍ୟୁ ଘଟେନାହିଁ । ଚାରିଆଡ଼େ ଖାଲି ଆତ୍ମହତ୍ୟା ।

 

—‘ସମୀର, କ’ଣ ଏସବୁ ହେଉଛି ?’

 

ଥରେ-ଦୁଇଥର ଡାକିବା ପରେ ମଧ୍ୟ ସମୀରର ଭାବନା ନ ଭାଙ୍ଗିବାରୁ ସୁନନ୍ଦା ହଲାଇ ଦେଲା ତା’ ଦେହକୁ । ସେ ବେତ ଚୌକିରୁ ଠିଆ ହୋଇପଡ଼ିଲା ଏବଂ ଦୃଢ଼ ଭାବରେ ସୁନନ୍ଦାକୁ ଆଲିଙ୍ଗନ କରିପକାଇଲା । ଅନେକ ସମୟ ପରେ ସମୀର ମୁକ୍ତକଲା ସୁନନ୍ଦାକୁ ।

 

—‘କ’ଣ ହୋଇଛି, ତୁମର ? ଏ ବହି, ଖାତା... ।’

 

—‘ଆତ୍ମହତ୍ୟା ।’ ଗୋଟାଏ ଗୁପ୍ତକଥା ଶୁଣେଇଲାଭଳି କହିଲା ସମୀର ।

 

—‘କ’ଣ ହେଲା ?’

 

‘ପରିତୋଷବାବୁ ମୁହଁ ଶେଥା ଓ ଭାବନାହୀନ ହୋଇପଡ଼ିଲା ସହଜ ହେବାକୁ ଚେଷ୍ଟାକରି ସମୀର କହିଲା—‘ଆସ, ସବୁ କହୁଛି ।’

Image

 

ସୀମାବଦ୍ଧ

 

ଏକଦା ଗ୍ରୀନଭିଲ୍ଲା ରୂପେ ଖ୍ୟାତ ରାୟ ବାହାଦୂର ପରିବାରର ଜରାଜୀର୍ଣ୍ଣ ପ୍ରାସାଦ ବାହାରେ ଲଣ୍ଠନ ଆଲୁଅର କ୍ଷୀଣ ବିସ୍ପୋରଣ ଜମାଟବନ୍ଧା ଅନ୍ଧାର ମଧ୍ୟରେ ଆକୁଳିତ ହୋଇଉଠିଲା; ମୃତ୍ୟୁ ଶିତଳତା ଆଡ଼କୁ ଓଟାରି ହୋଇ ଯାଉଥିବା ଜଣେ ମୁମୂର୍ଷ ରୋଗୀର ମନରେ ଏକ ଦୂରନ୍ତ, କ୍ଷୂଧିତ ଆଶାର କ୍ଷୀଣ ଉତ୍ତାପ ଭଳି ।

 

ଗ୍ରୀନ୍‍ଭିଲ୍ଲା ଆଜି ଏ ଅଞ୍ଚଳରେ ଗୋଟାଏ ଅଭିଶପ୍ତ, ଭଗ୍ନ କବର । ଏକଦା ଐଶ୍ୱର୍ଯ୍ୟ ଓ ପ୍ରତିଷ୍ଠାର ସଙ୍କେତ ରୂପେ ସମ୍ମାନିତ ଏହି ପ୍ରାସାଦର ଭିତରେ ତଥା ବାହାରେ ଝଂକୃତ ହେଉଥିବା ଜୀବନର ପ୍ରାଚୁର୍ଯ୍ୟ ଓ ସ୍ପନ୍ଦନ ଆଜି ଇତିହାସ ସର୍ବସ୍ୱ ।

 

ଏହି ଦ୍ୱିତଳ ଅଟାଳିକାର ପଶ୍ଚାତ୍ ପାର୍ଶ୍ୱରେ ଥିବା ଏକମହଲା କୋଠା ବାରଣ୍ଡାରେ ହଠାତ୍ ଲଣ୍ଠନ ଆଲୁଅ ଦେଖାଗଲା ।

 

ରାତ୍ରିର ଯୌବନ ଅତିକ୍ରାନ୍ତ ହୋଇ ଯାଇଥିଲା ସେତେବେଳେ । ଉର୍ମିଳା ଦେବୀ ଲଣ୍ଠନ ଧରି ଅନ୍ୟ ଏକ ପ୍ରକୋଷ୍ଠରେ ପ୍ରବେଶ କଲେ । ତାଙ୍କୁ ଜଣେ ଅଦରକାରୀ ଅନୁପ୍ରବେଶକାରୀ ବୋଲି ମନେକରି ପ୍ରକୋଷ୍ଠରେ ଥିବା ବାଦୁଡ଼ିଗୁଡ଼ିକ ବାହାରକୁ ଉଡ଼ିଗଲେ ଏବଂ ମୂଷା ଓ ଚୁଚୁନ୍ଦ୍ରାଗୁଡ଼ାକ ନିରାପଦ ସ୍ଥାନ ମାନଙ୍କରେ ଆତ୍ମଗୋପନ କଲେ । ଏ ପ୍ରକାରର ପରିବେଶ ସହିତ ଘନିଷ୍ଠ ଥିଲେ ମଧ୍ୟ ଉର୍ମିଳା ଦେବୀଙ୍କର ସମଗ୍ର ଶରୀର ଉପରେ ଭୟ ଓ ଆଶଙ୍କାର ଏକ ଢେଉ ବହିଗଲା ।

 

କୋଠରୀର ସ୍ଥାନ ଉପରେ ବର୍ଦ୍ଦିଷ୍ଣୁ ଶିଉଳିର ଇଲାକା । ଛାତ ମଝିରୁ ଓହଳି ଆସିଥିବା ଶ୍ୟାଣ୍ଡେଲରଟା ଧୂଳି ଓ ବୁଢ଼ିଆଣୀ ଜାଲ ମାଖି ହୋଇ ମେଞ୍ଚାଏ ଅନ୍ଧାର ଭଳି ଝୁଲୁଥିଲା । କୋଠରୀର ଗୋଟିଏ ପାଖକୁ ରହିଥିଲା ବିଲିୟାର୍ଡ଼ ଟେବୁଲ । ଏହାର ଶାଗୁଆ ଭେଲଭେଟ୍ ଆସ୍ତରଣ ଉଠିଯାଇ କାଠ ପଟା ଦେଖାଯାଉଥିଲା । ତା’ ପାଖକୁ ଥିବା ପିଅନୋଟା ଅଥର୍ବ ହୋଇ ଯାଇଥିଲା, ବ୍ୟବହୃତ ହୋଇ ସାରିଥିବା ଗୋଟାଏ ଶୁଷ୍କ ଇଞ୍ଜେକ୍‍ସନ ଶିଶି ଭଳି । ଶିଉଳି ସଂକ୍ରମିତ କାନ୍ଥରେ କାଚ ନ ଥିବା ଯେଉଁ ତୈଳଚିତ୍ର ଗୁଡ଼ିକ ଟଙ୍ଗା ହୋଇଥିଲା; ସେଗୁଡ଼ିକରେ ଆଉ କୌଣସି ସ୍ପଷ୍ଟ ଆର୍ଟ ନାହିଁ । ଏହା ବ୍ୟତୀତ ସେଇ ନାତିଦୀର୍ଘ କୋଠରୀରେ ଥିଲା କେତେକ ମୋଟା ବହି, ଭଙ୍ଗା ଫର୍ଣ୍ଣିଚର ଇତ୍ୟାଦି ।

 

ଗୋଟାଏ କାନ୍ଥକୁ ଲାଗି ଯେଉଁ ପ୍ରକାଣ୍ଡ ପଲଙ୍କଟା ଛିଣ୍ଡା ବିଛଣା ଦ୍ୱାରା ଆବୃତ ହୋଇଥିଲା, ତା’ ଉପରେ ନିଶ୍ଚିନ୍ତ ହୋଇ ଶୋଇଯାଉଥିଲେ ରାୟବାହାଦୂର ବଂଶର ଦାୟାଦ ସୂର୍ଯ୍ୟକାନ୍ତ । ଉର୍ମିଳା ଦେବୀ ଲଣ୍ଠନ ଟେକି ତାଙ୍କର ସୁପ୍ତ ଶରୀର ଉପରେ ଦୃଷ୍ଟି ବୁଲାଇ ଆଣିଲେ । ଲଣ୍ଠନଟାକୁ ତଳେ ରଖି ସେ ପାପୁଲି ଥୋଇଲେ ସୂର୍ଯ୍ୟକାନ୍ତଙ୍କର କପାଳ ଉପରେ । ତାଙ୍କର ଶରୀର ତରଙ୍ଗାୟୀତ ହେଲା । କଡ଼ ଲେଉଟାଇବାକୁ ଉଦ୍ୟତ ହୋଇ ସେ ପୁନରାୟ ନିଶ୍ଚଳ ହୋଇଗଲେ ଏବଂ ଆଖି ଖୋଲିଲେ ।

 

—‘କିମିତି ଲାଗୁଛି ?’

 

—‘ଏ ?’ ସୂର୍ଯ୍ୟକାନ୍ତ ନିଜର ସ୍ଥିତି ସମ୍ପର୍କରେ ସଚେତନ ହେଉଁ ହେଉଁ ପଚାରିଲେ ।

 

—‘କିମିତି ଲାଗୁଛି ?’

 

ସୂର୍ଯ୍ୟକାନ୍ତ ସ୍ତ୍ରୀଙ୍କ ଆଡ଼େ ଚାହିଁ ନୀରବ ହେଲେ । ଲଣ୍ଠନର ସେଇ ସ୍ୱଳ୍ପଲୋକରେ ସୂର୍ଯ୍ୟକାନ୍ତଙ୍କର କେଶହୀନ ମୁଣ୍ଡ, ଟାକୁଆ ଗାଲ ଓ ପନ୍ଦର ଦିନ ହେବ ବଢ଼ିଥିବା ଦାଢ଼ି, କୋଟରଗତ ଚକ୍ଷୁ, କଳା ଓଠ ଏବଂ ଜ୍ୱର ଅବସନ୍ନ ଶରୀର ଖୁବ୍ କଦାକାର ଦେଖାଯାଉଥିଲା । ଉର୍ମିଳାଦେବୀ ନିଜ ପ୍ରଶ୍ନର ଉତ୍ତର ପାଇବା କଥା ସଂପୂର୍ଣ୍ଣ ଭାବେ ଭୁଲିଯାଇଥିଲେ । ଅଜଣାତରେ ତାଙ୍କର ଭ୍ରୂଦିଓଟି କୁଞ୍ଚିତ ହୋଇ ଯାଇଥିଲା । ଶ୍ୱାସ ଏବଂ କ୍ରମାଗତ ଭାବେ ଜ୍ୱର, ରକ୍ତହୀନତା ଆଦି ବ୍ୟାଧି ଜର୍ଜରିତ ସ୍ୱାମୀଙ୍କ ମୁହଁଟା ହଠାତ୍, ତାଙ୍କୁ ଅପରିଚିତ ବୋଧହେଲା । ଅଠରବର୍ଷ ତଳର ଗୋଟାଏ ସୌମ୍ୟମୂର୍ତ୍ତି ଉଭା ହେଲା ତାଙ୍କ ସାମନାରେ । ଉର୍ମିଳା ଦେବୀ ଏ ଦୁଇଜଣଙ୍କ ମଧ୍ୟରେ ଥିବା ସମ୍ପର୍କ, ବିଗତ ସମୟର ପୃଷ୍ଠଭୂମି ଉପରେ ସ୍ଥାପନ କରିବାକୁ ଉଦ୍ୟମ କରୁଥିଲେ ।

 

—‘କେତେ ରାତି ହେଲାଣି ?’

 

ଉର୍ମିଳା ଦେବୀ କହିଲେ—‘କେଜାଣି ? ତୁମ ବିଳିବିଳାରେ ନିଦ ଭାଙ୍ଗିଗଲା । ଜ୍ୱର ଛାଡ଼ି ଯାଇଛି । କିମିତି ଲାଗୁଛି ବର୍ତ୍ତମାନ ?’

 

ସୂର୍ଯ୍ୟକାନ୍ତ ହାଇ ମାରିଲେ । ଅନ୍ୟଆଡ଼େ ଦୃଷ୍ଟି ପହଁରାଇବା ପରେ ସେ ଚାହିଁଲେ ସ୍ତ୍ରୀଙ୍କ ମୁହଁକୁ । ତାଙ୍କର ଅଳସ କଣ୍ଠ ଶୁଭିଲା—‘ଭଲ ଲାଗିଲେ ବି... ବାସନ୍ତୀ ଖବର କ’ଣ ।’

 

ଗୋଟାଏ ଯନ୍ତ୍ରଣାପୂର୍ଣ୍ଣ କ୍ଷତକୁ କିଏ ଯେପରି ଖୁବ୍ ଜୋରରେ ଚିପିଦେଲା । ଉର୍ମିଳା ଦେବୀଙ୍କ ମୁହଁ ଛଳ ଛଳ ହୋଇଉଠିଲା ଅସହାୟତା ଓ ବେଦନାରେ ।

 

ଦାୟିତ୍ୱ ଓ ସମସ୍ୟାବହୁଳ ଏ ପୃଥିବୀରେ ଜୀବନଟା କେଉଁ ସ୍ତରକୁ ଖସି ଆସି କିଭଳି ଆର୍ତ୍ତନାଦ କରୁଛି, ତାର ପରିଚୟ ସେ ପାଇଲେଣି ଅନେକ ଦିନ ହେଲା । ଏଠାରେ ଆଉ ଆକର୍ଷଣ ନାହିଁ କିଛି । ଜମିଦାରୀର କ୍ଷମତା ନାହିଁ, ପ୍ରାଚୁର୍ଯ୍ୟ ନାହିଁ, ଜୀବନଧାରଣ ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣର ଅବଲମ୍ୱନ ନାହିଁ । ଚାରିଆଡ଼େ ଅଭାବଅନାଟନର ହେମାଳିଆ ବିଭୀଷିକା । ତଥାପି ଜୀବନଟାକୁ କୌଣସି ମତେ ଘୋଷାରି ନିଆଯାଉଥିଲା ଆଗକୁ; କିନ୍ତୁ ଏବେ କ’ଣ ହେବ ? ଏ ସବୁ ସମସ୍ୟାର ଅନ୍ତରାଳରେ ଇଜ୍ଜତ ଓ ଲୋକଲଜ୍ଜାର ପ୍ରତିରକ୍ଷା ପାଇଁ ଯେଉଁ ଦାୟିତ୍ୱ ଆସିଯାଇଛି, ତାକୁ ସମ୍ଭାଳିବ କିଏ ?

 

ଉର୍ମିଳା ଦେବୀ ବେଶୀ ସମୟ ପାଇଁ ସୂର୍ଯ୍ୟକାନ୍ତଙ୍କୁ ଚାହିଁ ପାରିଲେ ନାହିଁ । ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସେ ଭୁଲି ଯାଇଥିଲେ ।

 

କିଛି ସମୟ ପରେ ସେ ଲଣ୍ଠନ ଧରି ଉଠିଲେ । କବାଟ ଆଉଜାଇ ସେ ପ୍ରବେଶ କଲେ ପାଖ କୋଠରୀରେ । ସୂର୍ଯ୍ୟକାନ୍ତଙ୍କ କୋଠରୀର ପ୍ରତିଛବି ସଂକ୍ରମିତ ହୋଇଥିଲା ସେଠାରେ । ବାର୍ଦ୍ଧକ୍ୟ ଆସିଯାଇଥିବା ଏବଂ ପଙ୍ଗୁ ହୋଇ ଯାଇଥିବା ଆସବାବ ଗୁଡ଼ାକ ମୃତ ସମ୍ଭ୍ରାନ୍ତ ପରିବାରର, ଶ୍ମଶାନରେ ଛିଣ୍ଡା ସପ, ଅଧାପୋଡ଼ା କାଠ ଓ ଛାଞ୍ଚୁଣି ଭଳି ପଡ଼ି ରହିଥିଲେ ।

 

ଉର୍ମିଳା ଦେବୀ ବଡ଼ ପଲଙ୍କ ପାଖକୁ ଯାଇ ବାସନ୍ତୀର ଶୋଇଲାଦେହ ଉପରେ ଆଖି ପକେଇଲେ ତାଙ୍କର ଥରିଲା ହାତଟା ସତେ ଯେପରି କିଛି ଅନ୍ୱେଷଣ କରିବାରେ ଲାଗିଲା ବାସନ୍ତୀର ଦେହ ଉପରୁ । ଏଥର କଡ଼ ଲେଉଟାଇଲା ସେ । ଉର୍ମିଳା ଦେବୀ ଲଣ୍ଠନ ଲିଭାଇ ବାସନ୍ତୀ ପାଖରେ ଶୋଇଲେ ଏବଂ ତାକୁ ଛାତି ଉପରକୁ ଟାଣି ଆଣି କେଶ ଆଘ୍ରାଣ କରୁ କରୁ ତା’ର କପାଳ, ଗାଲ, ବେକ ଉପରେ ଚୁମ୍ୱନର ବର୍ଷା ସୃଷ୍ଟି କଲେ । ବାସନ୍ତୀ ଘୁଞ୍ଚିଗଲା ଦୂରକୁ । ଉର୍ମିଳାଦେବୀ ନିଶ୍ଚଳ ହୋଇ ପଡ଼ି ରହିଲେ ବିଛଣାରେ ।

 

ସକାଳର ପବନ ଭଲ ଲାଗୁଥିଲା ସୂର୍ଯ୍ୟକାନ୍ତଙ୍କୁ । ଜ୍ୱର ସଂପୂର୍ଣ୍ଣ ରୂପେ ଛାଡ଼ି ଯାଇଛି । କେବଳ ଦୁର୍ବଳତା । ତାହା ଅପସରି ଯିବାର ନୁହେଁ । ଯେଉଁ ଅର୍ଥନୀତି ଦୁଇଓଳି ମାମୁଲି ଖାଦ୍ୟ ଯୋଗାଇବାରେ ସଙ୍କଟର ସମ୍ମୁଖୀନ, ତହିଁରୁ ଔଷଧ, ଟନିକ୍ କିମ୍ୱା ଫଳ ଇତ୍ୟାଦିର ବଜେଟ୍ ଆଶା କରିବା ଏକ ବିଡ଼ମ୍ୱନା । ଧଇଁଆ କାଶରେ ଜଡ଼ସଡ଼ ହୋଇ ସୂର୍ଯ୍ୟକାନ୍ତ ନିଜର ଶୀର୍ଣ୍ଣ ଶରୀରକୁ ଠେଲି ନେଉଥିଲେ ଆଗକୁ । ତାଙ୍କର ସ୍ୱାସ୍ଥ୍ୟ ବିପକ୍ଷରେ ଶ୍ୱାସ ରୋଗ ଏକ ଚିରନ୍ତନ ପ୍ରତିଦ୍ୱନ୍ଦୀ ।

 

ଭାଦ୍ରବ ମାସର ସବୁଜିମା ଉପରେ ସକାଳର ନରମ ଖରା ଢାଳି ହୋଇଯାଇଥିଲା । ଅରମା ବୁଦାଟପି ପରିତ୍ୟକ୍ତ ଗ୍ରୀନଭିଲ୍ଲାର ବାରଣ୍ଡାରେ ବସି ସୂର୍ଯ୍ୟକାନ୍ତ କ୍ଳାନ୍ତି ମେଣ୍ଟାଇବାକୁ ଉଦ୍ୟମ କଲେ । ଏହା କୋଠାର ସାମନା ପାର୍ଶ୍ୱ । ପୂର୍ବଦିଗରେ ଏଇ ଅଂଶଟା ତଥାପି ସୁଦୃଢ଼ ଅଛି । ଏ ମୁଣ୍ଡରୁ ପ୍ରଶସ୍ତ ବାରଣ୍ଡା ଲମ୍ୱିଯାଇଛି ଆଗକୁ । ମଝିରେ ଯେଉଁ ପର୍ଟିକୋ ଥିଲା, ତାର ଛାତ ଭୂଷୁଡ଼ି ଗୋଟାଏ ଇଟା ସ୍ତୁପରେ ତାହା ପରିଣତ ହୋଇଛି । ଆହୁରି ଆଗକୁ, କୋଠାର ପଶ୍ଚିମ ପାର୍ଶ୍ୱର ଉପର ମହଲା ମଧ୍ୟ ଖସି ପଡ଼ିଛି । ସେ ପାଖରେ, ବାରଣ୍ଡା ଉପରେ ଅନାବନା ଗୁଳ୍ମଲତାର ଆସର ସୂର୍ଯ୍ୟକାନ୍ତ ପଶ୍ଚିମ ମୁହାଁ ହୋଇ ଆଗେଇଲେ ଖୁବ୍ ସନ୍ତର୍ପଣରେ । ଭୂଷୁଡ଼ି ପଡ଼ିଥିବା ପର୍ଟିକୋ ପାଖରେ ଠିଆ ହୋଇ ସେ ଚାହିଁଲେ କୋଠା ଭିତରକୁ । ପ୍ରଶସ୍ତ ରୁମରେ ଦୁଇ ପାର୍ଶ୍ୱରୁ ଉପରକୁ ସିଡ଼ି ଉଠିଯାଇଛି । ଟାକୁଆ, ଦାଢ଼ିଆ ମୁହଁ ଉପରେ ହାତ ବୁଲାଇ ସେମାନେ ପକାଇବାକୁ ଚେଷ୍ଟା କରୁଥିଲେ ଅତୀତର ଡ୍ରଇଁ ରୁମକୁ । ସବୁ ଝାପସା ଜଣାପଡ଼ୁଛି; ଯେପରି ଝାପସା ଜଣାପଡ଼େ ଅତୀତ ଯୌବନରେ ନିଜର ଚେହେରା । ସେ ପୁଣି ପାଦ ଫେରାଇଲେ ।

 

ରାୟବାହାଦୂର ବଂଶର କୋଠା । ପ୍ରକୃତି ଓ ସମୟର ଅତ୍ୟାଚାର ସହି ସହି ଆଜି ଆକୃତିହୀନ ହୋଇ ଯାଇଛି; କୋଷ୍ଠରୋଗାକ୍ରାନ୍ତ ହତଭାଗ୍ୟର ବିକଳାଙ୍ଗ ଆଙ୍ଗୁଳିପରି । ଏହି ବଂଶର ଇତିହାସରେ ସୂର୍ଯ୍ୟକାନ୍ତ ହୁଏତ ସର୍ବଶେଷ, କରୁଣ ପରିଚ୍ଛେଦ । ତାଙ୍କର କଣ୍ଠ କ୍ରମଶଃ ବାଷ୍ପାରୁଦ୍ଧ ହୋଇ ଯାଉଥିଲା । ଧଇଁଆ କାଶରେ ବ୍ୟତିବ୍ୟସ୍ତ ହୋଇ ସେ ଗୋଟାଏ ପିଲରକୁ ଆଉଜି ତଳେ ବସି ପଡ଼ିଲେ ।

 

ଭାରି ଭଲ ଲାଗେ କିନ୍ତୁ ନିଜକୁ ଜଣେ କ୍ଷମତା ସମ୍ପନ୍ନ, ବିଭବଶାଳୀ ରାୟବାହାଦୂର ବୋଲି କଳ୍ପନା କରିବାରେ । ଭାରି ଭଲ ଲାଗେ ବେଳେ ବେଳେ ନିଜକୁ ବିଲିୟାର୍ଡ଼ସ ଖେଳରେ କିମ୍ୱା ପିଆନୋ ବଜାଇବାରେ ନିୟୋଜିତ କରିବାର ଭାବନା । ନିଜର ଦାରିଦ୍ର୍ୟ ଆଉ ମନେ ପଡ଼େ ନାହିଁ । ଶ୍ୱାସରୋଗର ଉତ୍ପୀଡ଼ନ ବନ୍ଦ ହୋଇଯାଏ । ଏ ଅଟ୍ଟାଳିକା ପୁଣି ଠିଆହୁଏ ଗୌରବ ଓ ପ୍ରତିପତ୍ତିର ନିଶାଣରୂପେ ।

 

ସେଦିନ ସବୁ ଗଲା କୁଆଡ଼େ ? ବୟସର ଅପରାହ୍ନରେ ଥିବା ଜଣେ ରୂପବ୍ୟବସାୟୀ ଦର୍ପଣରେ ନିଜ ପ୍ରତିଫଳନ ଲକ୍ଷ୍ୟ କରି ଆତ୍ମ-ସଚେତନ ହେବା ଭଳି, ଏହି ଗ୍ରୀନଭିଲ୍ଲା ତାହାଙ୍କୁ ସଚେତନ କରିଦିଏ ନିଜର ସ୍ଥିତି ସମ୍ପର୍କରେ ।

 

ସୂର୍ଯ୍ୟକାନ୍ତ ବାରଣ୍ଡାରୁ ଓହ୍ଲାଇଲେ । ଖରା ଟାଣ ହୋଇ ଆସୁଛି । ସେ ରହୁଥିବା ଘରଟା ଅଟ୍ଟାଳିକାର ପଶ୍ଚାତ୍ ପାର୍ଶ୍ୱରେ ଅବସ୍ଥିତ, ପଚାଶ ମିଟର ବ୍ୟବଧାନରେ । ସେ ଘର ଥିଲା ମ୍ୟାନେଜରଙ୍କ ଅଫିସ୍‍ ! ଦୁଇ ଘର ମଧ୍ୟରେ ଥିବା ସଂଯୋଗ ପଥ ହଜିଯାଇଛି । ଆଉ ବା ତା’ର ଆବଶ୍ୟକତା କ’ଣ ? ଏବେ ଏ ଦୁଇ ଘରର, ଚତୁଃପାର୍ଶ୍ୱରେ ଅଦରକାରୀ ଗଛ ଓ ବୁଦାର ବିଶୃଙ୍ଖଳ ଉପସ୍ଥିତି । ଅବଶ୍ୟ କେତୋଟି ଝାଉଁଗଛ ଏବେବି କେଶ ମୁକୁଳାଇ ଠିଆ ହୋଇଛନ୍ତି, ଅତୀତର କାହାଣୀ ପବନରେ ବୋଳି ଦେବାକୁ ସୁ ସୁ ଶବ୍ଦର କରୁଣା ବିଳାପ ମାଧ୍ୟମରେ ।

 

—‘ବାସନ୍ତି କାହିଁ ?’

 

ଉର୍ମିଳାଦେବୀ ଏଥର ସୂର୍ଯ୍ୟକାନ୍ତଙ୍କ ଆଡ଼କୁ ଚାହିଁଲେ କଠୋର ଦୃଷ୍ଟିରେ । ସୂର୍ଯ୍ୟକାନ୍ତ ସେ ଦୃଷ୍ଟିର ତୀବ୍ରତା ଏଡ଼େଇବାକୁ ଅନ୍ୟଆଡ଼େ ମୁହ ବୁଲାଇଲା ବେଳକୁ ଶୁଣିଲେ—‘କାହିଁକି ?’

 

ସୂର୍ଯ୍ୟକାନ୍ତ ହଠାତ୍ କୌଣସି ଉତ୍ତର ଦେଇ ପାରିଲେ ନାହିଁ । ସ୍ତ୍ରୀଙ୍କର ତାଙ୍କ ପ୍ରତି ମନୋଭାବରେ ପରିବର୍ତ୍ତନ ଲକ୍ଷ୍ୟକରେ ସେ । ତାଙ୍କର ସହାନୁଭୂତି ଏବେ କଠୋରତାରେ ପରିଣତ ହୋଇଯାଇଛି ।

 

—ଏ ସବୁରେ ମୁଣ୍ଡ ଖେଳାଇବା କ’ଣ ଦରକାର ?’ ଉର୍ମିଳାଦେବୀ ତାଚ୍ଛଲ୍ୟପୂର୍ଣ୍ଣ ସ୍ୱରରେ କହିଚାଲିଲେ—‘ମୁଣ୍ଡ ଖେଳାଇଲେ ତୁମେ ବା କ’ଣ କରି ପାରିବ ? ମୁଁ ସବୁ କଥା ଭାଗ୍ୟ ଉପରେ ଛାଡ଼ି ଦେଇଛି । ତୁମେ ବି ସେଇଆ କର । ନ ହେଲେ ତୁମ ଶ୍ୱାସରୋଗକୁ ପୁଣି ସମ୍ଭାଳିବ କିଏ ?

 

ସୂର୍ଯ୍ୟକାନ୍ତ ସ୍ତବଧ ହୋଇ ଯାଇଥିଲେ । ଉର୍ମିଳାଦେବୀଙ୍କର କଥା ତାଙ୍କୁ ଆହତ କରି ପକାଇଲା । ତାଙ୍କର ପୌରୁଷ କ୍ଷୂର୍ଣ୍ଣ ହେଲା । ଅଥଚ ଉର୍ମିଳାଦେବୀ, ପୂର୍ବଭଳି ତାଙ୍କ ଆଡ଼େ ପିଠିକରି କୋଠରୀଟିକୁ ପରିଷ୍କାର କରିବାରେ ବ୍ୟସ୍ତ ଥିଲେ ।

 

ତାଙ୍କର ଦାରିଦ୍ର୍ୟ ମଧ୍ୟରେ ନିଷ୍ପେସିତ ହୋଇ ଯାଇଥିବା ନାରୀ-ମୂର୍ତ୍ତିଟିକୁ ବିଷ୍ଫାରିତ ଆଖିରେ ପୁଣି ଥରେ ଚାହିଁଲେ ସୂର୍ଯ୍ୟକାନ୍ତ । ସମସ୍ତ ଘାତ ପ୍ରତିଘାତର କଷଟି ପଥରରେ ଘସି ହୋଇ ମଧ୍ୟ ତାଙ୍କର ଗୋଲାପି ଦେହ ଆଦୌ ମଳିନ ହୋଇ ନାହିଁ । ପ୍ରକୃତରେ, ଅଠରବର୍ଷ ତଳେ ଏଇ କୋଠରୀର କ୍ଳାନ୍ତ ଆଲୁଅ ଭିତରେ ଲଜ୍ଜା, ଓ ଭୟ ବିଧୌତ ଯେଉଁ ମୁହଁଟା ଦେବିପ୍ୟମାନ ହୋଇଥିଲା, ସେହି ମୁହଁ ଅତୀତ ସମୟର ଅନୁପାତରେ ବେଶୀ କିଛି ପରିବର୍ତ୍ତନ ହୋଇନାହିଁ । ସେତେବେଳେ ପ୍ରାଚୁର୍ଯ୍ୟର ଆକାଶ ଉପରେ ଅଭାବର କଳାବଉଦ ଲମ୍ୱିଯାଇଥିଲା । ଦ୍ୱିତଳ ପ୍ରାସାଦ ପରିତ୍ୟକ୍ତ ହୋଇଥିଲା; ଯଦିଓ ତା’ର ପୂର୍ବପାର୍ଶ୍ୱର ଏକ ଅପେକ୍ଷାକୃତ ପରିଷ୍କୃତ କୋଠରୀରେ ସୂର୍ଯ୍ୟକାନ୍ତଙ୍କର ବାପା ରହୁଥିଲେ । ରାୟବାହାଦୂର ପରିବାରର କ୍ଷୟିଷ୍ଣୁ ବୁନିଆଦୀର ବିଶ୍ୱସ୍ତ ପ୍ରହରୀ ଭଳି ।

 

ଖୁବ୍ ଅଳ୍ପଦିନ ମଧ୍ୟରେ ତାଙ୍କର ଦେହାନ୍ତ ହେଲା । ସୂର୍ଯ୍ୟକାନ୍ତ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଅବଶିଷ୍ଟ ପୈତୃକ ଜମିକୁ ବାଜି ଲଗାଇଥିଲେ । ଏଥିପାଇଁ ପରାମର୍ଶ ଦେଇଥିଲେ ସ୍ୱୟଂ ଉର୍ମିଳା ଦେବୀ ।

 

ବୈବାହିକ ଜୀବନକାଳ ମଧ୍ୟରେ ଉର୍ମିଳା ଦେବୀଙ୍କର ସୂର୍ଯ୍ୟକାନ୍ତଙ୍କ ପ୍ରତି କୌଣସି ଆପତ୍ତି ନ ଥିଲା; ପରନ୍ତୁ ଚାଷ କାର୍ଯ୍ୟରେ ଅନଭିଜ୍ଞ ସ୍ୱାମୀଙ୍କୁ ସେ ସବୁମନ୍ତେ ସାହାଯ୍ୟ କିମ୍ୱା ପରାମର୍ଶ ଦେଇ ଆସୁଥିଲେ । ମାତ୍ର ସୂର୍ଯ୍ୟକାନ୍ତଙ୍କର ଅସୁସ୍ଥତା ସତେ ଯେପରି ରାୟବାହାଦୂର ବଂଶର ଯବନିକାର ସଂକେତ ଥିଲା ।

 

ବାସନ୍ତୀ ଜନ୍ମହେବା ପରେ ମଧ୍ୟ ଉର୍ମିଳାଦେବୀଙ୍କର ସ୍ୱାସ୍ଥ୍ୟ ଅତୁଟ ରହିଥିଲା । ଅଥଚ ଶ୍ୱାସ ଓ ଧଇଁଆ କାଶ, ଆପାତତଃ ପାକୁଆ ପାଟି ଓ ଟାକୁଆ ଗାଲ ସୂର୍ଯ୍ୟକାନ୍ତଙ୍କର ପ୍ରକୃତ ବୟସକୁ ଆହୁରି ପନ୍ଦରବର୍ଷ ଆଗେଇ ନେଇଥିଲା । ସୂର୍ଯ୍ୟକାନ୍ତ ସ୍ତ୍ରୀଙ୍କର ରୂପକୁ ମନେ ମନେ ପ୍ରଶଂସା କଲାବେଳକୁ ଏଥିପାଇଁ ବେଳେ ବେଳେ ଯନ୍ତ୍ରଣା ଅନୁଭବ କରନ୍ତି । ମାତ୍ର ଏସବୁ ସତ୍ତ୍ୱେ ପରିବାରର ସମସ୍ତ ଦୁର୍ଭାଗ୍ୟକୁ ନିଜର କରିନେଉଥିଲେ ଉର୍ମିଳା ଦେବୀ । ଆଜି ପ୍ରଥମଥର ପାଇଁ ତାଙ୍କଠାରୁ ରୁକ୍ଷଭାଷା ଶୁଣିବା ପରେ ସେ ଚକିତ ହୋଇ ପଡ଼ିଲେ ।

 

‘ଶୁଣ, ଏମିତି ଚାଲିଯାଉଛି କ’ଣ ?’

 

ଉର୍ମିଳାଦେବୀ ଦ୍ୱାର ପାଖରେ ଅଟକି ଯାଇ ଫେରି ଚାହିଁଲେ ସୂର୍ଯ୍ୟକାନ୍ତଙ୍କ ଆଡ଼େ । ତାଙ୍କର ଧଇଁଆ କାଶ ବନ୍ଦ ହୋଇଯାଇ ଥିଲା ।

 

—‘କ’ଣ କହିବ ?’

 

—‘ତୁମେ ମୋତେ ଯାହା କହିଲ, ସେ ସବୁର ଅର୍ଥ କ’ଣ ଜାଣିଛ ?’ ଉର୍ମିଳାଦେବୀ ଯେ ଖୁବ୍ ଉତ୍ତେଜିତ ହୋଇ ପଡ଼ିଥିଲେ, ତାହା ତାଙ୍କର ଥରିଲା ଓଠ, ଆରକ୍ତ ମୁହଁ ସୂଚାଉଥିଲା । ସେ ଭଙ୍ଗା କଣ୍ଠରେ କହିଲେ—‘ବର୍ତ୍ତମାନ ତାହାହିଁ ଆମପାଇଁ କରଣୀୟ—କଥାର ଅର୍ଥ ବାହାର କରିବା । ଘରର ଇଜ୍ଜତ, ଅପମାନ ବିରୁଦ୍ଧରେ ଲଢ଼ିବା ପାଇଁ ଯେତେବେଳେ ଶକ୍ତି ନାହିଁ, ସେତେବେଳେ ଏହାଠାରୁ ପ୍ରଶଂସନୀୟ ଆଉ କ’ଣ କରିବାର ଅଛି ?’ କିଛି ସମୟ ଅଟକି ଯାଇ ରୁଦ୍ଧକଣ୍ଠରେ ସେ ଯୋଗକଲେ—‘ଏ ସବୁ ଅପମାନ ଶୁଣିବା ଆଗରୁ ମରଣ ନ ହେଲା କାହିଁକି ?’ ସେ ଫେରିପଡ଼ି ପୁଣି ଚାଲିଯିବାକୁ ଉଦ୍ୟତ ହେଉଥିଲେ ।

 

ଗୋଟାଏ ବିସ୍ଫୋରଣ ଭଳି ସୂର୍ଯ୍ୟକାନ୍ତ ଚିତ୍କାର କରିଉଠିଲେ—‘ଶୁଣିଯାଅ ।

 

ଉର୍ମିଳା ଦେବୀଙ୍କର କ୍ରନ୍ଦନଶୀଳ ମୁହଁଟା ଆଶଙ୍କାଗ୍ରସ୍ତ ହୋଇଗଲା ମୁହୂର୍ତ୍ତକ ପାଇଁ । ମାତ୍ର ଦୃଢ଼ ପଦକ୍ଷେପ ନେଇ ସେ ଆଗେଇ ଆସିଲେ ସୂର୍ଯ୍ୟକାନ୍ତଙ୍କ ଆଡ଼େ ।

 

—‘ମୋତେ କ’ଣ କରିବାକୁ କହୁଛ ତୁମେ ?’ ସୂର୍ଯ୍ୟକାନ୍ତଙ୍କର ପ୍ରଶ୍ନ ।

 

ବିଦ୍ରୂପରର ହସ ହସି ଜବାବ ଦେଲେ ଉର୍ମିଳା ଦେବୀ—‘ଏ କଥା ବି ତୁମକୁ କହିବାକୁ ହେବ ? ତୁମେ କିନ୍ତୁ କ’ଣ କରିପାରିବ ଶୁଣେ ?’

 

ବିଜୁଳି ଭଳି କ୍ଷିପ୍ତ ହୋଇ ସୂର୍ଯ୍ୟକାନ୍ତ ଖଟରୁ ଡେଇଁ ପଡ଼ିଲେ ଏବଂ ଉର୍ମିଳା ଦେବୀଙ୍କର ତଣ୍ଟିକୁ ଦୁଇହାତରେ ଚାପି ଧରି ଚିତ୍କାର କରିଉଠିଲେ—‘ଶୁଣିବେ ?’ ମୁଁ ତୁମକୁ ଗଳାଟିପି ମାରି ଦେଇ ପାରେ !’ କ୍ଷୂଧିତ ବାଘଭଳି ସୂର୍ଯ୍ୟକାନ୍ତ ସ୍ତ୍ରୀଙ୍କୁ ଆକ୍ରମଣ କରି ଧରାଶାୟୀ କରିଦେଲେ । ନିଜକୁ ମୁକ୍ତ କରିବା ପାଇଁ ଉର୍ମିଳା ଦେବୀଙ୍କ ସଂଘର୍ଷ ଓ ଆର୍ତ୍ତନାଦ ଫଳରେ ସୂର୍ଯ୍ୟକାନ୍ତ ସଚେତନ ହୋଇ ଉଠିଆସିଲେ ତଳୁ ।

 

ଉର୍ମିଳାଦେବୀଙ୍କର ମୁହଁ ଅସମ୍ଭବ ଭାବରେ ଶାନ୍ତ ଥିଲା, ସତେ ଯେପରି କ୍ଷଣକ ମଧ୍ୟରେ ଯାହା ସବୁ ଘଟିଗଲା, ତାହା କିଛି ନୁହେଁ । ସୂର୍ଯ୍ୟକାନ୍ତଙ୍କ ଆଡ଼େ ଚାହିଁ ସେ ସ୍ମିତ ହସିଲେ । ଲୁଗା ସଜାଡ଼ୁ ସଜାଡ଼ୁ କହିଲେ—‘ତୁମ ପ୍ରତି ମୋ ମନରେ ତୁମେ ବିଶ୍ୱାସ ଜନ୍ମାଇଛ । ମୁଁ ଏବେ ନିଶ୍ଚିତ ହୋଇପାରେ । ବାସନ୍ତୀ କଥା ତୁମେ ସମ୍ଭାଳ ଏବେ । ତା ପେଟରେ ଦୁଇମାସର ପିଲା ।’

 

ସୂର୍ଯ୍ୟକାନ୍ତ ପାଷାଣ ପ୍ରତିମା ହୋଇଯାଇ ଥିଲେ । ତାଙ୍କ ସାମନାରେ ଗୋଟାଏ ଭୟାବହ ଭୂମିକମ୍ପ ଯେପରି ପୃଥିବୀ ଓ ନିଜର ସତ୍ତାକୁ ସମୂଳେ ଉତ୍ପାଟିତ କରିପକାଇଲା । ତାଙ୍କର ଅସହାୟ କଣ୍ଠରୁ ବାହାରି ଆସିଲା—‘ଏଁ !’

 

ଆବେଗହୀନ କଣ୍ଠରେ କହିଲେ ଉର୍ମିଳାଦେବୀ—‘ସେଇ ସୁକୁମାର ଛଡ଼ା ଆଉ କେହି ନୁହେଁ । ମୁଁ ସେଦିନୁ ଏଇ ଆଶଙ୍କା କରୁଥିଲି ।’ ଏଥର ଖଟ ଉପରେ ସ୍ୱାମୀଙ୍କ ପାଖରେ ବସି ସେ ଦୃଢ଼ କଣ୍ଠରେ ପଚାରିଲେ—‘କୁହ ସେ ବଦମାସକୁ ଶାସ୍ତି ଦେବାର ଦାୟିତ୍ୱ ତୁମର ନା, ମୋର ।’

 

ସୂର୍ଯ୍ୟକାନ୍ତଙ୍କ ଠାରୁ ସମୋହିତ, ଚଞ୍ଚଳ ଉତ୍ତର ଆସିଲା—‘ମୋର ।’ ସେ ସାମନାକାନ୍ଥକୁ ଚାହିଁ ଆସନ୍ନ ମୁକାବିଲାର ଏକ ସମ୍ଭାବ୍ୟ ଚିତ୍ର ଆଙ୍କୁଥିଲେ ।

 

‘ଇଜ୍ଜତ ବଞ୍ଚାଅ ।’ ଉର୍ମିଳା ଦେବୀଙ୍କର ଅନୁନୟ ସ୍ୱର । ‘ଏ ବଂଶର ସମସ୍ତ ଜିନିଷ ଏମିତି ଫୋପାଡ଼ି ଦିଅନାହିଁ । କୌଣସି ମତେ କ୍ଷମା ମିଳିବ ନାହିଁ ପୂର୍ବପୁରୁଷଙ୍କ ଠାରୁ । ମୁଁ ପ୍ରତିଶୋଧ ଚାହେଁ । ତୁମେ ନ ହେଲେ ମୋତେ ନେବାକୁ ହେବ । ମୋ ଦେହରେ ରକ୍ତ-ପ୍ରବାହ ଶୁଷ୍କ ହୋଇ ଯାଇନାହିଁ । ମୁଁ ଏସବୁ ଆଦୌ ସହି ପାରିବି ନାହିଁ ।’ ଉର୍ମିଳାଦେବୀ ଉଠି ଚାଲିଗଲେ ।

 

ସୂର୍ଯ୍ୟକାନ୍ତଙ୍କର ଜଡ଼ତା ଦୂରୀଭୂତ ହୋଇଯାଇଥିଲା ଉତ୍ତେଜନା ଓ ପ୍ରତିଶୋଧ ନେବାର ପିପାସା ଦ୍ୱାରା । ସେ ଖଟ ଉପରେ ଠିଆ ହୋଇ ହାତର ମାଂସପେଶୀ ଗୁଡ଼ାକୁ ପରୀକ୍ଷା କରିବାରେ ଲାଗିଲେ । ସେଠାରୁ ତଳକୁ ଡେଇଁପଡ଼ି ରୁମ୍‍ର ଗୋଟିଏ କଣକୁ ଗଲେ ଏବଂ ଭଙ୍ଗା ଟେବୁଲ-ଚେୟାର ଅନ୍ତରାଳରେ କ’ଣ ଖୋଜିବାରେ ଲାଗିଲେ । କିଛି ସମୟ ପରେ, ତାଙ୍କର ହସ୍ତଗତ ହେଲା ଗୋଟିଏ ଜଙ୍କଲଗା, ଟ୍ରିଗର ଭାଙ୍ଗି ଯାଇଥିବା ବନ୍ଧୁକ ।

 

ସେଇଠି ଠିଆ ହୋଇ କୌଣସି ଜିନିଷକୁ ଲକ୍ଷ୍ୟ କରିବା ଭଙ୍ଗିରେ ସେ ବନ୍ଧୁକଟିକୁ ଆଗେଇ ଧରିଲେ । ମାତ୍ର ଦୁର୍ବଳତା ଓ ଅତ୍ୟଧିକ ମାନସିକ ଅସ୍ଥିରତା ହେତୁ, ତାଙ୍କର ଆପ୍ରାଣ ଉଦ୍ୟମ ସତ୍ୱେ ସେଇଟା କମ୍ପି ଉଠିଲା ତାଙ୍କ ହାତ ମୁଠା ଭିତରେ । ପରାଜୟ ସ୍ୱୀକାର କଲାଭଳି ରୁମର କଣକୁ ସେଇଟା ଏକ ରକମ ଫୋପାଡ଼ି ଦେଇ ସେ ବିଛଣା ପାଖକୁ ଚାଲି ବାସିଲେ ଏବଂ ବିଛଣା ଉପରେ ସେ ବିଧା ଅଜାଡ଼ିବାରେ ଲାଗିଲେ ।

 

ସେ ନିଶ୍ଚଳ ହୋଇ ଠିଆହେଲେ କିଛି ସମୟ । ସୁକୁମାର । ଏକଦା ତାଙ୍କ ବାପାଙ୍କର ମ୍ୟାନେଜର ଥିବା ଚନ୍ଦ୍ରମୋହନଙ୍କର ସେ ହେଉଚି ଦଶମ ସନ୍ତାନ । ସୂର୍ଯ୍ୟକାନ୍ତ ଜାଣିଥିଲେ, ତାଙ୍କରି ପରିବାରେ ଚନ୍ଦ୍ରମୋହନଙ୍କର ବଂଶ ଚପରାଶୀ ଗୁମାସ୍ତା ଏବଂ ଶେଷରେ ମ୍ୟାନେଜର ପଦରେ ପୁରୁଷାନୁକ୍ରମେ ଅଧିଷ୍ଠିତ ହୋଇଥିଲେ । ରାୟବାହାଦୂର ପରିବାରର ଭାଗ୍ୟରବି କ୍ରମଶଃ ଅବସାନ ହେଉଥିବା ବେଳେ, ଅପର ପକ୍ଷରେ ଭାଗ୍ୟରବି ଉଦିତ ହେଉଥିଲା ଚନ୍ଦ୍ରମୋହନଙ୍କ ପରିବାରରେ । ବର୍ତ୍ତମାନ ରାୟବାହାଦୂର ପରିବାରର ବିଭବ...ଚନ୍ଦ୍ରମୋହନଙ୍କ ହାତରେ । ଶେଷରେ ଏହାର ସର୍ବଶ୍ରେଷ୍ଠ ଗୌରବ ଲୁଣ୍ଠିତ ହୋଇଗଲା । ଗ୍ଳାନି, ଅସ୍ଥିରତା ଓ ପରାଜୟରେ ସୂର୍ଯ୍ୟକାନ୍ତଙ୍କର ସମଗ୍ର ଶରୀର ବିଷାକ୍ତ ହୋଇଗଲା ।

 

ସୂର୍ଯ୍ୟକାନ୍ତ ଅନ୍ୟକୋଠରୀରେ ପ୍ରବେଶ କରି ଦେଖିଲେ, ବାସନ୍ତୀ ନିର୍ଲିପ୍ତ ଭାବରେ ଓଦା କେଶଗୁଚ୍ଛ କୁଣ୍ଡାଉଛି ପାନିଆଁରେ । ତୈଳାକ୍ତ ମୁହଁ; ସ୍ୱାସ୍ଥ୍ୟହୀନ ଅବସନ୍ନ ଦେହଟା ଶେଥା ଦେଖାଯାଉଛି । ସୂର୍ଯ୍ୟକାନ୍ତଙ୍କର ଏକମାତ୍ର ସନ୍ତାନ; ଉର୍ମିଳାଦେବୀଙ୍କ ଭାଷାରେ—ଗଣ୍ଠିଧନ । ଏବେ ସେ ଷୋଳବର୍ଷ ବୟସରେ ପଦାର୍ପଣ କରିଛି । ତାଙ୍କର ତଣ୍ଟିକୁ କିଏ ଯେପରି ଚାପିଧରିଲା ଖୁବ୍ ଜୋରରେ । ବାସନ୍ତୀକୁ କୋଳରେ ଜାକି ମନର ସମସ୍ତ ଆବେଗକୁ ମୁକ୍ତ କରି ଦେବାପାଇଁ ମନହେଲା ତାଙ୍କର । ସେ ନିଜକୁ ପଚାରିଲେ—ବାସନ୍ତୀର କ’ଣ କୌଣସି ଯତ୍ନ ନିଆଯାଇ ପାରୁନାହିଁ-?

 

ମାତ୍ର ସେ ବା ଅଧିକ କ’ଣ କରି ପାରିଥାନ୍ତେ ? ବାତରୋଗାକ୍ରାନ୍ତ ବାସନ୍ତୀର ଯେଉଁ ମାନସିକ ଅଭାବ ରହିଛି, ତାହାର ଉପଶମ ପାଇଁ ସେ କମ୍ ଉଦ୍ୟମ କରି ନ ଥିଲେ ।

 

ଖୁବ୍ ପିଲାଦିନୁ ବାସନ୍ତୀର ସ୍ପଷ୍ଟବାଦୀତା ଯଥେଷ୍ଟ କୌତୁହଳ ଉଦ୍ରେକ କରିଥିଲା ତାଙ୍କର ଓ ଉର୍ମିଳା ଦେବୀଙ୍କ ମନରେ । ନିଜର ଅନୁଭୂତିକୁ ଆମୂଳଚୂଳ, ସ୍ପଷ୍ଟ ଭାବରେ ବର୍ଣ୍ଣନା କରିବାଶୁଣି ସେ ଦୁହେ ଏହାକୁ ବାଲ୍ୟଚପଳତା ଓ ପ୍ରଗଳ୍‍ଭତା ବୋଲି ଅଭିହିତ କରୁଥିଲେ । ମାତ୍ର ବାସନ୍ତୀର ବିଚାରଶକ୍ତିର ଘୋର ଅଭାବ ରହିଛି ବୋଲି କ୍ରମେ ସେ ଦୁହେଁ ଉପଲବଧ୍ କଲେ । ବାସନ୍ତୀ ପାଇଁ ଦୁର୍ଭାଗ୍ୟର ଏଇଠି ପରିସମାପ୍ତି ନ ଥିଲା । ବେଳେ ବେଳେ ସେ ସଂଜ୍ଞାହୀନ ହୋଇଯାଏ । ତା’ର ଚେତନା ଫେରାଇ ଆଣିବାର ସମସ୍ତ ଉଦ୍ୟମ ସାମୟିକ ନିଷ୍ଫଳ ହୋଇଯାଏ ସେତେବେଳେ । ପାଞ୍ଚ-ଦଶ ମିନିଟ ପରେ ଅବଶ୍ୟ ନିଜର ହୃତ ଚେତନା ଫେରିଯାଏ । କୌଣସି ଡେଫିସିଏନସି ଯୋଗୁଁ ଜାତ ହୋଇଥିବା ଏ ବ୍ୟାଧି ଏ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି ।

 

ଏଇ କାରଣରୁ ତାକୁ ଉଚ୍ଚଶିକ୍ଷା ଦିଆଯାଇ ପାରିଲା ନାହିଁ । ତା’ର ବିବାହର ସମସ୍ତ ଆଶା ସେମାନେ ପରିହାର କରି ସାରିଛନ୍ତି । ସୂର୍ଯ୍ୟକାନ୍ତ ଓ ଉର୍ମିଳା ଦେବୀଙ୍କ ପାଇଁ ବାସନ୍ତୀ ବ୍ୟତୀତ ପୃଥିବୀରେ ଆଉ କିଛି ମୂଲ୍ୟବାନ୍ ଓ ଆପଣାର ନାହିଁ । ତାରି ପେଟରେ ଆଜି ଦୁଇମାସର ପିଲା !

 

ପ୍ରାୟ ଦୁଇମାସ ତଳେ ସଂଧ୍ୟାବେଳେ ଉର୍ମିଳାଦେବୀଙ୍କ ହାତକୁ ଦଶଟଙ୍କିଆ ନୋଟଟାଏ ବଢ଼ାଇ ଦେଇ ପରମ ଉତ୍ସାହର ସହିତ ସେ କହିଥିଲା—‘ସୁକୁମାର ଦେଇଛି ।’

 

ଆଶଙ୍କା ଓ ଆଶ୍ଚର୍ଯ୍ୟ ମିଶ୍ରିତ କଣ୍ଠସ୍ୱର ଶୁଣାଯାଇଥିଲା ଉର୍ମିଳା ଦେବୀଙ୍କର— ‘କାହିଁକି-?’ ତା’ ପରେ ବାସନ୍ତୀ ଦ୍ୱିଧାହୀନ ଭାବେ ସେ ଦିନର ଦୁର୍ଘଟଣାଟି ବର୍ଣ୍ଣନା କରିପକାଇଲା-

 

ସୂର୍ଯ୍ୟକାନ୍ତ ହସ୍ତକ୍ଷେପ କରି ନ ଥିଲେ ବାସନ୍ତୀର ସଂଜ୍ଞାହୀନ ଶରୀରକୁ ହୁଏତ ସଂଜ୍ଞା ଆଉ ଫେରି ନ ଥାନ୍ତା ଆଦୌ । ଉର୍ମିଳା ଦେବୀ ପ୍ରତିଜ୍ଞାବଦ୍ଧ ଥିଲେ ତାକୁ ମାରିଦେବା ପାଇଁ ।

 

ଏ ସବୁ ସତ୍ତ୍ୱେ ସୂର୍ଯ୍ୟକାନ୍ତଙ୍କର ଉଦାସୀନତା ଓ ନିଶ୍ଚେଷ୍ଟତା ଅପସରି ଯାଇ ନ ଥାନ୍ତା, ଉର୍ମିଳାଦେବୀ ଯଦି ତାଙ୍କୁ ନିର୍ଲଜ, ଏ ବଂଶର ରକ୍ତହୀନ ଦୟାଦ ଇତ୍ୟାଦି କହି ଭର୍ତ୍ସନା କରି ନ ଥାନ୍ତେ । ବାଧ୍ୟ ହୋଇ ସେ ଚନ୍ଦ୍ରମୋହନଙ୍କର ଦ୍ୱାରସ୍ଥ ହୋଇଥିଲେ । ଚନ୍ଦ୍ରମୋହନ ଉଦାର ହସ ହସି ପ୍ରସ୍ତାବ ବାଢ଼ିଥିଲେ—‘ଆପଣ ବାସନ୍ତୀକୁ ଆକଟ କଲେ ଭଲ ହେବ । ତା’ର ତ ବୁଦ୍ଧି ନାହିଁ । ଆଉ ସୁକୁମାର କଥା କହିଛନ୍ତି ଯେ, ତାକୁ ମୁଁ କ’ଣ କରିପାରିବି ? ପାଠଶାଠ ନ ପଢ଼ି ଏବେ ଟ୍ରାକ୍ଟର ଚଳଉଛି । ମଦ ପିଉଛି; ଆଉ ଝିଅମାନଙ୍କ ପ୍ରତି ତା’ର ଦୁର୍ବଳତାଟା ଏବେ ଟିକେ ବୃଦ୍ଧି ପାଇଯାଇଛି ।’

 

ସୂର୍ଯ୍ୟକାନ୍ତ ଫେରି ଆସିଥିଲେ । ସେ ଦୁର୍ଘଟଣା ପରେ ବାସନ୍ତୀ ଦୁଇତିନିଥର ସୁକୁମାରର ପାଶବିକତାର ଶରବ୍ୟ ହେଉ ହେଉ ଅଳ୍ପକେ ରକ୍ଷା ପାଇଯାଇଥିଲା । ସେଥିପାଇଁ ପ୍ରତିଦିନ ବାସନ୍ତୀର ଖବର ପଚାରିବା ସୂର୍ଯ୍ୟକାନ୍ତର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା ।

 

ସବୁ ହରାଇ, ବାସନ୍ତୀ ଆଜି ଏକ ମୃତ ନର୍ତ୍ତକୀର ନୂପୁରମାଳ ଭଳି ଝଙ୍କାରହୀନ ଓ କଳଙ୍କଯୁକ୍ତ !

 

ସୂର୍ଯ୍ୟକାନ୍ତ କିଛି କହିବା ପାଇଁ ଉଦ୍ୟମ କରୁଥିଲେ; କିନ୍ତୁ ପାଦ ଫେରାଇଲେ ସେଠାରୁ ।

 

ସେ’ଦିନ ସଂଧ୍ୟାରେ ସୂର୍ଯ୍ୟକାନ୍ତଙ୍କ ଘରର ବାତାବରଣ ସରଗରମ ହୋଇଉଠିଲା ।

 

ଉର୍ମିଳା ଦେବୀ ତାଙ୍କ ହାତକୁ କାଗଜ ଖଣ୍ଡିଏ ବଢ଼ାଇ ଦେଇ ବାଷ୍ପରୁଦ୍ଧ କଣ୍ଠରେ କହିଲେ–‘ପଢ଼ । ସୁକୁମାରର ଚିଠି । ବାସନ୍ତୀ ତାକୁ କେଉଁଦିନ, କେତେବେଳେ, କେଉଁଠି ସାକ୍ଷାତ କରିବ, ତାହା ଲେଖିଛି ।’

 

ସୂର୍ଯ୍ୟକାନ୍ତଙ୍କ ଦେହ ଭିତରେ ବୈଦ୍ୟୁତିକ ତରଙ୍ଗ ଖେଳିଗଲା ।

 

ଅସହାୟତା ଓ ଲାଞ୍ଚିତ ହେବାର ଗ୍ଳାନି ଉର୍ମିଳା ଦେବୀଙ୍କ ଆଖିରୁ ଲୁହ ଝରାଇ ଦେଲା । ସେ ହତୋତ୍ସାହ ହୋଇ କାନ୍ଦି ଉଠିଲେ—‘କ’ଣ କରାଯିବ ? ଯଦି ତୁମେ କିଛି କରି ନ ପାରିବ ବୋଲି ଭାବୁଛ, ବାସନ୍ତୀ ଓ ମୁଁ ଆଜି ବିଷ ଖାଇ ମରିବୁ । ଆଜି ମୁଁ’ ପ୍ରଥମଥର ପାଇଁ ଅନୁତାପ କରୁଛି, ତୁମକୁ ବାହା ହେବାର ଭୟଙ୍କର ଭୁଲ୍ କରିଥିବା ଯୋଗୁଁ ।’

 

ସୂର୍ଯ୍ୟକାନ୍ତ ଚିଠିଟିକୁ ଚିରିସାରି ଖଟରୁ ଓହ୍ଲଇଲେ ତଳକୁ । ଉର୍ମିଳାଦେବୀଙ୍କ ପିଠି ଥାପୁଡ଼ାଇ ଶାନ୍ତସ୍ୱରରେ ପ୍ରତିଶ୍ରୁତି ଦେଲେ—‘ତୁମକୁ କିନ୍ତୁ ଗର୍ବକରିବାକୁ ହେବ ଏଥିପାଇଁ । ସୁକୁମାରକୁ ଏ ପୃଥିବୀରୁ ବିଦାୟ ଦେବା ମୋର ଆଜି ସବୁଠୁ ବଡ଼ ଦାୟିତ୍ୱ । ମୁଁ ଏତେଟା ଦୁର୍ବଳ ନୁହେଁ, ଯାହା ତୁମେ ଅନୁମାନ କରୁଛ । ବାସନ୍ତୀ ପାଇଁ ମୋର ବି କର୍ତ୍ତବ୍ୟ ରହିଛି । ତା’ପରେ ହଠାତ୍ ସେ ଚିତ୍କାର କରି ଆଦେଶ ଦେଲେ—‘କାନ୍ଦ ବନ୍ଦ କର; ମୋତେ ଅଯଥା ଦୁର୍ବଳ କରନାହିଁ-।’

 

ଉର୍ମିଳା ଦେବୀ ଚାଲିଗଲେ ସେଠାରୁ ।

 

ସୂର୍ଯ୍ୟକାନ୍ତଙ୍କ ସମଗ୍ର ସତ୍ତାକୁ ଦୋହଲାଇ ଦେଲା କ୍ରୋଧ ଓ ଅପମାନର ଚିତ୍କାର । ସେ କିଛି ଗୋଟାଏ କରିବାକୁ ଚାହାନ୍ତି—ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟଜନକ । ସେ ଯେ ଦୁର୍ବଳତା ଓ ସ୍ଥାଣୁତାର ଏକ ଦୟନୀୟ ମୂର୍ତ୍ତି ନୁହନ୍ତି, ତାହା ତାଙ୍କୁ ପ୍ରମାଣ କରିବାକୁ ହେବ । ବାସନ୍ତୀ କଥା ମନେ ପଡ଼ିବା କ୍ଷଣି ତାଙ୍କର ସମଗ୍ର ଶରୀର ଏକ ଅଲୌକିକ ଶକ୍ତିର ଉତ୍ସ ବୋଲି ତାଙ୍କର ମନେ ହେଲା ।

 

ସେ କୋଠରୀର କୋଣରୁ ବହୁଦିନ ହେବ ଅବ୍ୟବହୃତ ଏକ ଲମ୍ୱା ଛୁରି ଆଣି ତା’ର ତୀକ୍ଷ୍‍ଣତା ପରୀକ୍ଷା କଲେ ଏବଂ ମୁହୂର୍ତ୍ତକ ମଧ୍ୟରେ ବାହାରର ଅନ୍ଧକାର ମଧ୍ୟରେ ହଜିଗଲେ ।

 

ଉର୍ମିଳାଦେବୀ ଏହା ଲକ୍ଷ୍ୟକରି ମଧ୍ୟ ତାଙ୍କୁ ସେଥିରୁ କ୍ଷାନ୍ତ କରିବାକୁ ଇଚ୍ଛାକଲେ ନାହିଁ । ସେ ସୂର୍ଯ୍ୟକାନ୍ତଙ୍କ କୋଠରୀରେ ପ୍ରବେଶ କଲେ । ତାଙ୍କ ମୁହଁ ଦୃଢ଼ତା ଓ ପ୍ରତିଜ୍ଞାରେ ଦୀପ୍ତିମାନ ହୋଇ ଉଠିଥିଲା ।

 

ସେ ଧୀର ପଦକ୍ଷେପରେ ସୂର୍ଯ୍ୟକାନ୍ତଙ୍କର ବିଛଣା ଉପରେ ହାତ ବୁଲାଇଲେ । ତାଙ୍କର ଦୃଷ୍ଟି ବାରମ୍ୱାର ଶିଉଳି ଲଗା କାନ୍ଥ, ଶ୍ୟାଣ୍ଡେଲର, ଭଙ୍ଗା ଆସବାବ ଉପରେ ପହଁରି ଆସିଲା । ସେ ବାରଣ୍ଡାକୁ ଗଲେ ଓ ପୁଣି ଫେରିଲେ କୋଠରୀ ଭିତରକୁ । ପୁଣି ବାରଣ୍ଡା ଓ ପୁଣି କୋଠରୀକୁ ପ୍ରତ୍ୟାବର୍ତ୍ତନ । ଉର୍ମିଳାଦେବୀଙ୍କ ଗତିରେ ଅସ୍ଥିରତା ସ୍ପଷ୍ଟ ହୋଇ ଉଠୁଥିଲା ।

 

ଏକ ଅବ୍ୟକ୍ତ ଆନନ୍ଦରେ ସେ ଆତ୍ମହରା ହୋଇ ଉଠୁଥିଲେ । ଚନ୍ଦ୍ରମୋହନଙ୍କର ଘରର ଚିତ୍ର ଭାସି ଉଠୁଥିଲା ତାଙ୍କର କଳ୍ପନାର କ୍ୟାନଭାସ ଉପରେ । ସେ ଗୋଟାଏ ରକ୍ତାକ୍ତ ପରିବେଶର ଦୃଶ୍ୟ ଦେଖୁଥିଲେ । ଛୁରିକାବିଦ୍ଧ ସୁକୁମାରର ଥଣ୍ଡା, ରକ୍ତ ଜର୍ଜରିତ ଲାସ୍ ଚାରିପାଖରେ କ୍ରନ୍ଦନରତ ଚନ୍ଦ୍ରମୋହନଙ୍କ ପରିବାର । କିଛି ସମୟ ପରେ ବାହାରେ ପୋଲିସ ଗାଡ଼ି ପାର୍କ କରିବାର ଶବ୍ଦ ଓ ଭାରୀ ବୁଟ୍‍ର ଆବାଜ ।

 

ଉର୍ମିଳା ଦେବୀ ତକିଆଟାକୁ ଦୁଇହାତରେ ମୋଡ଼ି ଦେଉ ଦେଉ ଅନ୍ୟକୁ ଶୁଣେଇଲା ଭଳି କହି ଉଠିଲେ—ଆମେ ଏଥିପାଇଁ ଅନୁତାପ କରୁନା ।’ ତାଙ୍କୁ ଏଥର ଶୁଭିଲା, ଜଜ୍ ସୂର୍ଯ୍ୟକାନ୍ତଙ୍କୁ ଫାଶୀ ଆଦେଶ ଦେଇଛନ୍ତି ।

 

ଉର୍ମିଳା ଦେବୀଙ୍କର ହାତ ଦୁଇଟା ଶିଥିଳ ହୋଇଗଲା । ସେ ତକିଆଟାକୁ ଛାଡ଼ିଦେଲେ-। ସୂର୍ଯ୍ୟକାନ୍ତଙ୍କର ଧଇଁଆକାଶ ଓ ଦୁର୍ବଳତା ଅତ୍ୟାଚାରିତ ଦେହ ମନେ ପଡ଼ିଗଲା । ସେ ବୋଧକଲେ, ହୁଏତ ସୂର୍ଯ୍ୟକାନ୍ତ କାହା ଦେହ ଉପରେ ଛୁରିକାର ତକ୍ଷ୍‍ଣତା ପରୀକ୍ଷା କରିବା ପୂର୍ବରୁ, ତାଙ୍କୁ ନିସ୍ତୁକ ମାଡ଼ ଦିଆ ଚାଲିଛି ।

 

ତାଙ୍କର ଆସ୍ଥା ଓ ବିଶ୍ୱାସର ବାଲିବନ୍ଧ ଆଶଙ୍କା ଓ ଭୟର ପ୍ଲାବନରେ ଧୋଇ ହୋଇଗଲା କେଉଁଆଡ଼େ । ଏଥର ସେ ଆହୁରି ଅସ୍ଥିର ହୋଇ ଉଠିଲେ ଓ ଘରୁ ବାରଣ୍ଡା ଓ ବାରଣ୍ଡା ତଳୁ ଆରମ୍ଭ ହୋଇଯାଇଥିବା ଅନାବନା ବୁଦାର ଜଙ୍ଗଲ ଭିତରକୁ ଥରେ, ଦୁଇଥର ଦୌଡ଼ା ଦୌଡ଼ି ଆରମ୍ଭ କରିଦେଲେ ।

 

ଏହାର ଅଳ୍ପ ସମୟ ପରେ ସେ ଚନ୍ଦ୍ରମୋହନଙ୍କର ସୁଦୂର କୋଠା ଆଡ଼କୁ ଲମ୍ୱି ଯାଇଥିବା ରାସ୍ତାଉପରେ ପାଗଳଙ୍କ ଭଳି ଦୌଡ଼ିବାରେ ଲାଗିଲେ । ମାତ୍ର କୋଠା ପାଖରେ ପହଞ୍ଚିବା କ୍ଷଣି, ତାହାର ଶାନ୍ତ, କୋଳାହଳହୀନ ପରିବେଶ ତାଙ୍କୁ ଆହୁରି ଭୟଭୀତ କରିପକାଇଲା-। ଅଣନିଃଶ୍ୱାସୀ ହୋଇ ସେ ପୁଣି ଦୌଡ଼ିବାରେ ଲାଗିଲେ ନିଜ ଘର ଅଭିମୁଖେ ।

 

କୋଠରୀରେ ପହଞ୍ଚି ସେ କୋଣ ପାଖରେ ଠିଆହୋଇ ନିଜକୁ ପ୍ରକୃତିସ୍ଥ କରିବାରେ ଲାଗିଲେ । ଦୁଇହାତ ପାପୁଲିରେ ମୁହଁ ଘୋଡ଼ାଇ ସେ କାନ୍ଦି ଉଠିଲେ କଇଁ କଇଁ ହୋଇ ।

 

କିଛିକ୍ଷଣ ପରେ ସେଠାରୁ ବାହାରି ଯାଉ ଯାଉ ସେ ଦେଖିଲେ, ସୂର୍ଯ୍ୟକାନ୍ତ ବିଛଣା ଉପରେ ବସିଛନ୍ତି ଏବଂ ଉଦାସ ଆଖିରେ ତାଙ୍କର ଗତିବିଧି ଲକ୍ଷ୍ୟ କରୁଛନ୍ତି । ଆଶ୍ୱାସ୍ତ ହେଲା ଭଳି ସେ ପଚାରିଲେ—‘ଛୁରିଟା କ’ଣ କଲ ?

 

—‘ଗ୍ରୀନଭିଲ୍ଲା ଭିତରକୁ ଫୋପାଡ଼ି ଦେଲି ।’

 

ସୂର୍ଯ୍ୟକାନ୍ତଙ୍କ ସ୍ୱରରେ ଲଜ୍ଜା କିମ୍ୱା ଅନୁଶୋଚନା ନ ଥିଲା ।

 

ସୂର୍ଯ୍ୟକାନ୍ତ ଓ ଉର୍ମିଳାଦେବୀ ପରସ୍ପରକୁ ଚାହିଁ, ମୁହଁର ନୀରବ ଭାଷା ପଢ଼ିବାକୁ ଚେଷ୍ଟା କରୁଥିଲେ ।

Image

 

ନିଷ୍ପତ୍ତି

 

ଅବଶେଷରେ ଭାରତୀକୁ ମୋ ପ୍ରସ୍ତାବରେ ରାଜି ହେବାକୁହିଁ ପଡ଼ିଲା । ଆଉ ଅଳ୍ପ କେଇଟା ଦିନପରେ ଆମେ ଏ ଛୋଟିଆ ସହର ଛାଡ଼ି ଚାଲିଯିବୁ । ଏଠାରୁ ପ୍ରାୟ ଦଶମାଇଲ ଦୂରରେ ଆମର ଚାଷ ଗାଁ । ଗାଁର ଉପକଣ୍ଠରେ ଦୁଇବଖରା ସିମେଣ୍ଟ ଟାଇଲ ଘର । ସେଇ ଘରକୁ ଆମେ ସବୁଦିନ ପାଇଁ ଚାଲିଯାଉଛୁ ।

 

ଅନ୍ୟୁନ ଦଶବର୍ଷ ତଳେ ବାପା ଏଇ ଘରଟିକୁ ତିଆରି କରିଥିଲେ । ତା’ ପୂର୍ବରୁ ଏ ଘର କଚ୍ଚା ଥିଲା—ବଖରାଏ ବୋଲି ସଂକୀର୍ଣ୍ଣ ଆଶ୍ରୟ ଟିକିଏ । ଏ କଚ୍ଚା ଘର କେବେ ତିଆରି ହୋଇଥିଲା ମୁଁ ଜାଣେ ନାହିଁ । ସମସ୍ତ ଜିନିଷର ଇତିହାସ ଜାଣିବା କଠିନ ବ୍ୟାପାର ଏବଂ ଅନାବଶ୍ୟକ ।

 

ମୁଁ ଓ ମୋର ଛୁଆମାନେ ଏଇ ସହରରେ ଜନ୍ମ ନେଇଛୁ । ତେଣୁ ଚାଷ ଗାଁର ଟାଇଲ ଘର ପ୍ରତି ଆମ୍ଭମାନଙ୍କର ବିଶେଷ କିଛି ମୋହ ନ ଥିଲା । କେବେ କେମିତି ବସରୁ ଓହ୍ଲାଇ ଶଗଡ଼ ଯୋଗେ ଦୁଇମାଇଲର ଅପନ୍ତରା ପଥ ଅତିକ୍ରମ କରି ହେଉ କି ଗୋଟାଏ ଭଡ଼ା ଜିପ୍ ଯୋଗେ ହେଉ, ଆମେ ଏ ଘରକୁ ଆସୁ । ସଙ୍ଗରେ ଟିଫିନ କେରିଅରରେ ଖାଇବା ସାମଗ୍ରୀ ଓ କ୍ୟାମେରା, ଆଇନା, ପାଉଡ଼ର, ଟ୍ରାଞ୍ଜିଷ୍ଟର ଇତ୍ୟାଦି ନେଇଯାଉ । ୟା ବାଦ୍ ଭାରତୀ ନିଜ ବ୍ୟାଗରେ ମୁଣ୍ଡବିନ୍ଧା ଔଷଧ, ଗୋଟିଏ ଦୁଇଟି ଦାମିକା ଶାଢ଼ି ଓ ଗାଁର ଛୁଆମାନଙ୍କ ପାଇଁ ପୁରୁଣା ପୋଷାକ ନେଇଥାଏ-

 

ସନ୍ଧ୍ୟା ହୋଇଗଲେ ଆମେ ଏ ଘର ଛାଡ଼ି ପୁଣି ଫେରିଆସୁ ସହରକୁ । ସେତେବେଳକୁ ଆମ୍ଭମାନଙ୍କର ଯୋତା ଧୂଳିଧୂସରିତ ହୋଇ ଯାଇଥାଏ । ପୋଷାକ ଝାଳରେ ଓଦା ହୋଇଯାଇଥାଏ ମୁହଁର ପାଉଡ଼ର ଧୋଇ ହୋଇ ଯାଇଥାଏ । ଆମେ ମଳିନ ଓ କ୍ଳାନ୍ତ ହୋଇ ଯାଇଥାଉ । ସେଇଥିପାଇଁ ଘରଭିତରେ ପଡ଼ିଥିବା କଦଳୀ ଚୋପା, ଛିଣ୍ଡାକାଗଜ ପୁଡ଼ିଆ ଇତ୍ୟାଦି ସଫା କରିବା ସମ୍ଭବ ହୁଏ ନାହିଁ । ଆମେ ଫେରିଆସୁ ସହରକୁ । ବେଶ୍ ଭଲ ଲାଗେ । ସେଠାରେ ଉଠାଯାଇଥିବା ଫଟୋ କିଛିଦିନ ପାଇଁ ଏକ ବିଚିତ୍ର ଉତ୍ତେଜନା ଯୋଗାଏ । ସେଠାରେ ପାଇଥିବା ସମ୍ମାନ ଅଥଚ ସେ ସ୍ଥାନ ପ୍ରତି ଆମର ଆଗ୍ରହହୀନ ଭାବ ଆମର ବ୍ୟକ୍ତିତ୍ୱକୁ ଅଜାଣତରେ ସଂପ୍ରସାରିତ କରିପକାଏ । ଭାରତୀୟ ଶାଢ଼ିକୁ ଗାଁର ମହିଳାମାନେ ବିସ୍ମୟର ସହିତ ଲକ୍ଷ୍ୟ କରୁଛନ୍ତି, ଠାକୁରାଣୀଙ୍କ ସାମନାରେ ମୁଁ ଓ ଭାରତୀ ଠିଆ ହୋଇଛୁ, ଛୋଟିଆ ଜଳସ୍ରୋତ ଅତିକ୍ରମ କରିବାରେ ଭାରତୀ ପୁଅକୁ ସାହାଯ୍ୟ କରୁଛି ଇତ୍ୟାଦିର ଫଟୋ ଆମେ ଯତ୍ନର ସହିତ ସାଇତି ରଖୁ-

 

କିନ୍ତୁ ଆଉ କିଛି ଭଲ ଲାଗୁନାହିଁ । ଅନୁତାପ, କ୍ଷୋଭ ଓ ପ୍ରତିବାଦରେ ମନଟା ପୁଣି ବିଷର୍ଣ୍ଣ ହୋଇପଡ଼ିଲା । ଜଣାପଡ଼ୁଛି, ସତେ ଯେପରି ମୋ ଚାରିପଟେ ରହିଥିବା ଏକ ହିଂସ୍ର ପରିବେଶ ମୋ ପ୍ରତି ଅନ୍ୟାୟ କରି ଚାଲିଛି ।

 

ମୁଁ ଏବେ କରିବି କ’ଣ ? ହୁଏତ ମୋ ବ୍ୟକ୍ତିତ୍ୱରେ କେଉଁଠି ଅପୂର୍ଣ୍ଣତା, କିଛି ତ୍ରୁଟି ରହିଗଲା । ହୁଏତ ମୋ ମାନସିକ ଗଠନ ସାମାଜିକ ପରିସ୍ଥିତି ସଙ୍ଗେ ମୁକାବିଲା କରିବାପାଇଁ ଆବଶ୍ୟକ ହେଉଥିବା ଦାୟିତ୍ୱ ଓ ସଂଘର୍ଷ ପ୍ରତି ସଚେତନ ଅଥଚ ଭୟଭୀତ ।

 

ଏଇଥିପାଇଁ ଏ ସହର ଛାଡ଼ି, ଚାଷ ଗାଁରେ ରହିବା ପାଇଁ ମୁଁ କେବେଠାରୁ ଯୋଜନା ପ୍ରସ୍ତୁତ କରିଥିଲି । ମୋର ଉଦ୍ଦେଶ୍ୟ ଥିଲା ଏକ ଶାନ୍ତିପୂର୍ଣ୍ଣ, ଦାୟିତ୍ୱମୁକ୍ତ ଜୀବନ—ଏକ ଜୀବନ; ଯାହାର କର୍ମପରିସର ବ୍ୟାପକ ନୁହେଁ, ଯାହା ସମାଜ ସହିତ ଆଦୌ ଘନିଷ୍ଠ ନୁହେଁ; ସୁତରାଂ ଏହାପ୍ରତି ବିଶ୍ୱସ୍ତ ହେବାକୁ ବାଧ୍ୟ ନୁହେଁ । କି ଚମତ୍କାର ଏଭଳି ଜୀବନ । ଟ୍ରାଫିକହୀନ ଏକ ରାସ୍ତା; ଯେଉଁଠାରେ ସାବଧାନତା ଅନାବଶ୍ୟକ । ନିଜେ ଓ ପରିବାର–ସେଠାରେ ନିଜକୁ ଗଭୀର ଓ ଅନ୍ତରଙ୍ଗ ଭାବରେ ଅନୁଭବ କରାଯାଇ ପାରିବ । ନିଜକୁ ନିଃସ୍ୱ ଓ ଅପାରଗ ବୋଲି ଭାବି ହତୋତ୍ସାହର ଗ୍ଳାନି ରହିବ ନାହିଁ ।

 

ତଥାକଥିତ ପାର୍କର ଗୋଟାଏ କୋଣରେ ଥିବା ସିମେଣ୍ଟ ବେଞ୍ଚରେ ବସି ଏଭଳି ଏକ ଆଦର୍ଶ ଜୀବନର ରୂପରେଖ ପ୍ରସ୍ତୁତ କରୁଥିଲି । ଷ୍ଟ୍ରିଟ୍ ଲାଇଟ୍ ସତ୍ତ୍ୱେ ସ୍ଥାନଟା ଝାପସା ଅନ୍ଧାର ହୋଇ ଯାଇଥିଲା; ସୁତରାଂ ଏହାର କଦାକାର କୁତ୍ସିତ ରୂପ ବାରି ହେଉ ନ ଥିଲା । ଏଠାରେ ସବୁଜିମା ନାହିଁ, ଗଛରେ ଫୁଲ ଫୁଟେ ନାହିଁ । ପାର୍କର ସୀମାରେଖା ସତେ ଯେପରି ସହରର ବର୍ଦ୍ଧିଷ୍ଣୁ ସମସ୍ୟାର ଶକ୍ତିଶାଳୀ ସ୍ରୋତରେ ଠେଲି ହୋଇ କ୍ରମେ ନିଶ୍ଚିହ୍ନ ହୋଇ ଯାଉଛି—ଏହାର ବିଶେଷତ୍ୱ ହଜିଯାଉଛି । ସେଥିପାଇଁ ସହରର ବୁଲାଷଣ୍ଢ, ଫେରିବାଲା ଓ ଭିକାରୁଣୀମାନଙ୍କର ଏହା ଆଶ୍ରୟସ୍ଥଳ ହୋଇପଡ଼ିଛି । ବ୍ୟଭିଚାର ଓ ଅସାମାଜିକ କାର୍ଯ୍ୟ ଏଠାରେ ଅବ୍ୟାହତ ଲାଗିରହିଛି । ଏଠାରେ ପ୍ରାଇଭେସି ନାହିଁ, ନିଜକୁ ହାଲୁକା ଅନୁଭବ କରିବାର ଅବକାଶ ନାହିଁ । ସମଗ୍ର ସହର ଅଶାନ୍ତି ଓ କୋଳାହଳରେ ମୁଖରିତ । ତେବେ ଏ ପାର୍କ ଓ ମୋ ନିଜ ଭିତରେ ଆଉ ପାର୍ଥକ୍ୟ ରହିଲା କେଉଁଠି-?

 

ନା, ଆଉ ନୁହେଁ । ଏ ସହରରୁ ବିଦାୟ ନେବାକୁ ହେବ । ନିଜ ପ୍ରତିଜ୍ଞା ଓ ସଙ୍କଳ୍ପ ମୋତେ ଦୃଢ଼ କରିଦେଲା । ମୁଁ ବସାଘରକୁ ଫେରିଯିବାପାଇଁ ଉଠିଲି । ମାତ୍ର କିଛି ବାଟ ଗଲାପରେ ମୋତେ ଏଡ଼େ ଉଶ୍ୱାସ ଲାଗିଲା ଯେ ସିମେଣ୍ଟ ବେଞ୍ଚ ଉପରେ କିଛି ଗୋଟାଏ ଛାଡ଼ି ଆସିଛି ବୋଲି ସନ୍ଦେହ ହେଲା । ଫେରିଆସିଲି । ବେଞ୍ଚ ଉପରେ ମେଞ୍ଚାଏ ଅନ୍ଧାର ଭଳି ପଡ଼ି ରହିଥିଲା ମୋର କଳାରଙ୍ଗର ଗାଉନ୍ । କଚେରିରୁ ଫେରି ଏତେବେଳଯାଏ ବସି ରହିଥିଲି ଏଠାରେ ।

 

ଅନ୍ଧାର ଗଳି ଭିତରେ ଯାଉ ଯାଉ ଡାହାଣହାତି ଏକମହଲା କୋଠା ପାଖରେ ଅଟକିଗଲି । ମାସେ ଆଗରୁ ଗୋଟାଏ ବ୍ୟାଙ୍କର ଶାଖାଅଫିସ୍‍ ଏଠାରେ କାର୍ଯ୍ୟ କରୁଥିଲା । ଏହି ଅଫିସ ପାଇଁ ବ୍ୟାଙ୍କ ତରଫରୁ ଘର ନିର୍ମାଣ ପରେ ବର୍ତ୍ତମାନ ଏହା ପରିତ୍ୟକ୍ତ ହୋଇପଡ଼ିଛି । କାଠ ଗେଟଟା ଭାଙ୍ଗିଯାଇଛି । ପୋର୍ଟିକୋ ତଳେ ଗୋଟାଏ ଷଣ୍ଢ ପାକୁଳି କରୁଛି । ତା’ କଡ଼କୁ ଦୁଇଟା ବୁଲାକୁକୁର ଶୋଇଛନ୍ତି । ବ୍ୟାଙ୍କର ନାମ ଏଠାରୁ ବେଶ୍ ପଢ଼ି ହେଉଛି । ଜଣା ପଡ଼ୁଛି, ଏ କୋଠା ଅତୀତରେ ବହୁ ଗୌରବମୟ ଦିନ ଦେଖିଛି । ବର୍ତ୍ତମାନର ଅନ୍ଧକାର ଓ ନୀରବତାଘେରା ଅଯତ୍ନ ପରିବେଶ ପାଇଁ ଏହା ଦାୟୀ ନୁହେଁ ।

 

ଆବେଗର ସହିତ ପାଚେରୀ ଉପରେ ହାତ ଘଷି, ଦୁଇ ଓଠକୁ ଖୁବ୍ ଜୋରରେ ତା’ ଉପରେ ଜାକି ଧରିଲି । ଏ ଘର ବାପା ତିଆରି କରିଥିଲେ । ମୁଁ ଓ ମୋର ଦୁଇଟି ସନ୍ତାନ ଏ ଘରର ଚଟାଣକୁ ସର୍ବପ୍ରଥମେ ସ୍ପର୍ଶ କରିଥିଲୁ । ଏ ଘରର ବାୟୁ ଗ୍ରହଣ କରିଥିଲୁ, ଆଲୋକ ଦେଖିଥିଲୁ । ପାଞ୍ଚବର୍ଷ ହେଲା ଏ ଘର ମୋର ହାତଛଡ଼ା ହୋଇଯାଇଛି ।

 

କଲେଜରେ ପଢ଼ିବା ସମୟର କଥା । ଅପରାହ୍ନରେ ଏ ଘରର ଛାତ ଉପରେ ବୁଲିବା ଏକ ଦୈନନ୍ଦିନ କାର୍ଯ୍ୟ ଥିଲା । ଛାତ ଉପରରୁ ଆସିବାର ଅଳ୍ପ କେତୋଟି ମୁହୂର୍ତ୍ତ ପରେ ପାଖ ଘର ଛାତ ଉପରେ ଦେଖାଦିଏ ଗୋଟିଏ ତରୁଣୀ—ପିଲାଦିନୁ ଦେଖି ଆସିଥିବା ରୀତା । ଆମେ ପରସ୍ପରକୁ ଦେଖୁ, ହସୁ ଏବଂ ଦୃଷ୍ଟି ବିନିମୟରେ କଥା କହୁ । ମୋର ଖବର କାଗଜ ପଢ଼ିବା ତାତ୍ପର୍ଯ୍ୟଶୂନ୍ୟ ଥିଲା ଠିକ୍ ଯେଉଁପରି କି ଲମ୍ୱା ବେଣୀ ଫିଟାଇ ତାକୁ ପୁଣି ବେଣୀରେ ପରିଣତ କରିବାରେ ରୀତା ଜରୁରୀ ଆବଶ୍ୟକତା ଅନୁଭବ କରୁ ନ ଥିଲା । ଏହା ପରେ ଚିଠିପତ୍ରର ଆଦାନ ପ୍ରଦାନ ।

 

ମାତ୍ର ଚିଠି ଧରାପଡ଼ିବା ପରେ ଆମ ଦୁଇ ପରିବାରର ସମ୍ପର୍କ ଯେ ଖାଲି ତିକ୍ତ ହୋଇଗଲା ତା ନୁହେଁ, ଛାତ ଉପରୁ ରୀତା ଅନ୍ତର୍ଦ୍ଧାନ ହୋଇଗଲା । ତାକୁ ବିବାହ କରିବି ବୋଲି ମୋର ପ୍ରସ୍ତାବକୁ ଆମ ଘରେ ନାକଚ କରିବା ଓ ରୀତା ଘରେ ଉପହାସ କରିବା ପରେ ମୁଁ ମୋ ଅଜଣାତରେ ଶକ୍ତିଶାଳୀ ଓ ପ୍ରତ୍ତିଜ୍ଞାବଦ୍ଧ ହୋଇ ପଡ଼ିଥିଲି ।

 

ମୋ ବିରୁଦ୍ଧରେ ସବୁଠାରୁ ବଳିଷ୍ଠ ଯୁକ୍ତି ଥିଲା କ’ଣ ନା, ମୁଁ ଆଦୌ ଭଲ ଛାତ୍ର ନୁହେଁ । ମୋର ଭବିଷ୍ୟତ ଉଜ୍ଜ୍ୱଳ ସମ୍ଭାବନାହୀନ । ମାତ୍ର ମୋର ଠିକ୍ ମନେଅଛି, ଏସବୁ ସତ୍ତ୍ୱେ ମୋର ମନବଳ ଆଦୌ ଭୁଷୁଡ଼ି ପଡ଼ିନଥିଲା, ମୁଁ ନିଜକୁ ଆଦୌ ନ୍ୟୁନ ବୋଧ କରୁ ନଥିଲି । ପ୍ରେମର ଶକ୍ତି ବୋଧହୁଏ ଅପରିସୀମ ।

 

ଦିନେ ରାତି ଦୁଇଟା ଗୋଟାଏ କାଠ ସିଡ଼ି ସାହାଯ୍ୟରେ ପାଚେରୀ ଅତିକ୍ରମ କରି ରୀତାର ଶୋଇବା ଘର ଝରକା ପାଖରେ ପହଞ୍ଚିଲି । ଆନନ୍ଦ ଓ ଭୟ ମିଶ୍ରିତ ରୀତାର ମୁହଁଟା ଏତେ ଆପଣାର ମନେହେଲା ଯେ, ସେ ମୋର ସତ୍ତା ଓ ସଂଜ୍ଞାର ଏକ ଅବିଛିନ୍ନ ଅଙ୍ଗ ବୋଲି ପ୍ରତୀୟମାନ ହେଲା । ଝରକା ରେଲିଂ, ସମସ୍ତ କଟକଣାର ବାଡ଼ଭାଙ୍ଗି ଆମେ ଦୁହେଁ ଏକୀଭୂତ ହେବାକୁ ବ୍ୟଗ୍ର ହୋଇପଡ଼ିଲୁ । ମୁଁ ମୋର ସମସ୍ତ ଶକ୍ତି ପ୍ରୟୋଗ କରି ରେଲିଂ ଗୁଡ଼ାକ ହଲାଇବାକୁ ଚେଷ୍ଟା କଲି; ତଜ୍ଜନିତ ପରାଜୟ ମୋତେ କ୍ରୁଦ୍ଧ କରି ପକାଇଲା । କାହିଁକି କେଜାଣି ମୋର ଦୁଇ ଆଖିରୁ ଲୁହ ଝରି ଆସିଲା । ଅବ୍ୟକ୍ତ ଯନ୍ତ୍ରଣାରେ ମୁଁ ଜଡ଼ସଡ଼ ହୋଇଗଲି ।

 

ଏମିତି କିଛିଦିନ ଚାଲିବା ପରେ ଦିନେ ରାତିରେ ଆମେ ଦୁହେଁ ଘର ଛାଡ଼ିଲୁ ଯୋଜନାହୀନ ଭବିଷ୍ୟତ ଅଭିମୁଖେ । ମାତ୍ର ସେଇ ରାତିରେ, ଟ୍ରେନ୍ ଚଢ଼ିବା ଆଗରୁ ଆମକୁ ଷ୍ଟେସନରେ ଆବିଷ୍କାର କରାହେଲା ।

 

ଝିଅ ଝୁନୁ ଜନ୍ମହେଲା ଏଇ ଘରେ । ତାକୁ ଦୁଇ ହାତରେ ଛାତିରେ ଜାକି ମୁଁ ଘରର ଛାତ ଉପରକୁ ଆସେ ଓ ବ୍ୟାପକ ନୀଳ ଆକାଶ ଦେଖାଏ । ଗୋଲ ଜହ୍ନ ତା’ ପାଇଁ ନେଇ ଆସିବି ବୋଲି ପ୍ରତିଶ୍ରୁତି ଦିଏ । ବିଶାଳ ଇନ୍ଦ୍ରଧନୁର ମାଲିକ ଆମେ ବୋଲି ତା’ ମନରେ ବିଶ୍ୱାସ ସୃଷ୍ଟି କରାଏ । ଏହାର ଚାରିବର୍ଷ ପରେ ମୁନୁର ଜନ୍ମ । ସେଇ ଛାତ ସେଇ ପୁରୁଣା ଆଶ୍ୱାସନାର ପୁନରାବୃତ୍ତି । ଅତୀତର ପରାଜୟ ଓ ଅପମାନ ଯେ ମନେ ନ ପଡ଼େ ତାହା ନୁହେଁ, ମାତ୍ର ଏଇ ଛୁଆମାନଙ୍କର ଉଷ୍ମତା ସେସବୁକୁ ଜୀବନର ଗତିଶୀଳ ପରିପାଟିରେ ଅନୁତାପ ଓ ହାହାକାରହୀନ ଏକ ସମ୍ପୂର୍ଣ୍ଣ ଭିନ୍ନ ଭାଷାରେ ଖଞ୍ଜି ଦେବାଭଳି ମୁଁ ଅନୁଭବ କରେ ।

 

ଏ ସେହି ଘର । ପାଞ୍ଚବର୍ଷ ହେଲା ହାତଛଡ଼ା ହୋଇଯାଇଛି । ଆଉ ଥରେ ଏହା ଉପରେ ଦୃଷ୍ଟି ବୁଲାଇ ଆଣି ମୁଁ ଆଗକୁ ପାଦ ବଢ଼ାଇଲି ।

 

ବସାଘର କବାଟ ବାଡ଼େଇ କିଛି ସମୟ ଅପେକ୍ଷା କରିବା ପରେ, ତାହା ଖୋଲିଲା । ଲକ୍ଷ୍ୟ କଲି, ଆଶଙ୍କା ଓ ଅସ୍ଥିରତାରେ ଓଜନିଆ ହୋଇଯାଇଥିବା ଭାରତୀର ମୁହଁ ଉପରକୁ ସ୍ୱାଭାବିକତା ଫେରି ଆସିଲା କ୍ଷଣକ ମଧ୍ୟରେ ।

 

‘ମୋତେ ଭାରି ଡର ମାଡ଼ୁଥିଲା, ତମର ଡେରି ଦେଖି—କୁଆଡ଼େ ଥିଲ ଏ ଯାଏଁ ?’

 

ତା’ ହାତକୁ ଗାଉନଟା ବଢ଼ାଇଦେଇ ମୁଁ ନୀରବରେ ଆଗେଇଲି । ଭାରତୀ କବାଟ ବନ୍ଦ କରି ମୋତେ ଅନୁସରଣ କଲା । ଶୋଇବା ଘରେ ପୋଷାକ ବଦଳାଇବାବେଳେ ଭାରତୀ ପୁଣି ପ୍ରଶ୍ନ କଲା—‘କ’ଣ ହେଇଛି ତୁମର ? ଏଇ କେତେ ଦିନ ହେଲା ତମେ ଏମିତି ଅସ୍ୱାଭାବିକ ଓ ରହସ୍ୟମୟ ହୋଇ ପଡ଼ୁଛ କାହିଁକି ?

 

ଭାରତୀ ମୁହଁରୁ ଆଖି ଫେରାଇ କହିଲି—‘କଫେ ଚା’ ଦେଇ ପାରିବ ?’

 

କନ୍‍ସଲଟିଂ ଚେମ୍ୱରରେ ଚା’ ପିଉଥିବାବେଳେ କାଚ ଆଲମିରାରେ ଥିବା ଥାକ ଥାକ ଆଇନ ବହି ଉପରୁ ଆହତ ଦୃଷ୍ଟି ବୁଲାଇ ଆଣିଲି । ଓକିଲାତିକୁ ଅବଲମ୍ୱନ କରି ମୁଁ ଉପରକୁ ଉଠି ପାରିନାହିଁ । ତା’ ନ ହୋଇଥିଲେ ରୀତାର ବାପା ଅଦାଲତର ଆଶ୍ରୟ ନେଇ ଘରଟିକୁ ନିଜର କରିପାରି ନ ଥାନ୍ତେ । ସେ ଘର ଯେଉଁ ସ୍ଥାନରେ ନିର୍ମିତ ସେ ତା’ର ଅଧିକାରୀ ବୋଲି ଯେ ପ୍ରମାଣିତ ହୋଇଗଲା ତା’ ନୁହେଁ । ଘର ନିର୍ମାଣ ବାବଦରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ସେ ଯୋଗାଇଥିଲେ ବୋଲି ତାଙ୍କର ଯୁକ୍ତି କାଏମ ରହିଲା । ସେ ଘରଟି କିନ୍ତୁ ମୋର ବୋଲି ମୁଁ ଆଉ କେଉଁ ପ୍ରମାଣ ବା ଦେଇ ପାରିଥାନ୍ତି ? ଜଣଙ୍କର ଜନ୍ମକଲା ମା’ ପ୍ରକୃତରେ ସେଇ ଜଣଙ୍କର ମା’ ବୋଲି କେଉଁ ଯୁକ୍ତି ଦର୍ଶାଯାଇ ପାରନ୍ତା ?

 

ଏଇ ଘଟଣା ପରେ ପରେ ମୁଁ ବିମର୍ଷ ହୋଇଗଲି, ମୋର ସମସ୍ତ ଆଗ୍ରହ ଓ ପ୍ରାଣପ୍ରାଚୁର୍ଯ୍ୟର ସ୍ପନ୍ଦନ ହଠାତ୍ ବନ୍ଦ ହୋଇଗଲା । ଜନ୍ମ ନେଇଥିବା ସେ ଘର ଛାଡ଼ି କିପରି ଏ ଭଡ଼ା ଘରକୁ ଆସିଲି, ତାହା ଆଉ ମୋର ମନେନାହିଁ ।

 

ଦୁଇ ପାପୁଲିରେ ମୁହଁ ପୋଛି, ମୁଁ ବହି ଖୋଲିଲି । ମାତ୍ର ମୋତେ ଜଣା ପଡ଼ିଲା ସତେ ଯେପରି ମୋର ସମସ୍ତ ଅଭିଜ୍ଞତା ଓ ବିଦ୍ୟାବୁଦ୍ଧି ତୁଳନାରେ ଏ ବହି ବିଶାଳ ହୋଇଯାଉଛି; ଏହାକୁ ମୁଁ ଆୟତ୍ତ କରିପାରୁନାହିଁ । ମୋର ମଣିଷ ପଣିଆ ଓ ନୈତିକତାକୁ ଚାଲେଞ୍ଜ୍ କରି ଏହା ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦାବୀ କରୁଛି । ହତାଶ ହୋଇ ବହିଟିକୁ ବନ୍ଦ କରି ଦେବାପାଇଁ ପଡ଼ିଲା ।

 

ପାଞ୍ଚମାସ ତଳର ଘଟଣା—

 

ଗୋଟିଏ କେଶ୍ ହାତକୁ ନେଇଥାଏ । ଏକ ଛୋଟିଆ ବ୍ୟବସାୟୀ ପ୍ରତିଷ୍ଠାନରେ ନିର୍ମଳା ଦେବୀଙ୍କ ସ୍ୱାମୀ ଅଂଶୀଦାର ଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରାଗଲା । ଏଥିରେ ସେ ଆପତ୍ତି କରିବାରୁ ତାଙ୍କୁ ଅଳ୍ପ ପରିମାଣର ଅର୍ଥ ଦେଇ ଓ ଭୟ ଦେଖାଇ ସ୍ୱାମୀଙ୍କର ଅଂଶ ବିକ୍ରୀ କରିଦେଲେ ବୋଲି ତାଙ୍କଠାରୁ ଜବରଦସ୍ତ ଦସ୍ତଖତ କରାଇ ନିଆଗଲା ।

 

ନିର୍ମଳାଙ୍କୁ ପ୍ରଥମଥର ଦେଖି ମନେହେଲା, ଏ ମହିଳା ଜଣକ ସମସ୍ତ ଅବଲମ୍ୱନ ହରାଇ ଆଶ୍ୱାସନାହୀନ ଓକିଲର କଳାକୋଟ ଭିତରେ ଭବିଷ୍ୟତ ଆଲୋକର ସ୍ୱପ୍ନ ଦେଖୁଛନ୍ତି । ତାଙ୍କର ସମଗ୍ର ଶରୀର ଉପରେ ଏମିତି କିଛି ଥିଲା, ଯାହା ସୂଚେଇ ଦେଉଥିଲା ଯେ, ଆଇନ ଅଦାଲତ ମାମଲାରେ ପଶିବା ତାଙ୍କର ଇଚ୍ଛା-ବହିର୍ଭୁତ ଓ କେତେକ ଜରୁରୀ କାରଣପ୍ରସୂତ ।

 

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଦୁଇ ପାଣ୍ଡୁର ଆଖିରୁ ଲୁହ ଝରିବା ସତ୍ତ୍ୱେ ତାଙ୍କର ମୁହଁଟା ଯନ୍ତ୍ରଣା ଜର୍ଜରିତ ହେଲା ନାହିଁ । ମୋ ଆଡ଼େ ଚାହିଁ ସାଦା ଶାଢ଼ି ପଣତରେ ମୁହପୋଛି କହିଲେ—‘ଆପଣ କିଛି ମନେ କଲେ କି ?

 

‘ମନେକଲି ! ଆକାଶରୁ ପଡ଼ିଲା ଭଳି କହିଲି ମୁଁ ।’ ନାଁ ତ ! ‘ଆପଣ ଏମିତି କାହିଁକି ଭାବୁଛନ୍ତି ?’

 

—‘ଭାବିଲି କାଳେ...’ ସେ କଥା ଶେଷକରି ପାରିଲେ ନାହିଁ । ଏଥର ତାଙ୍କର ମୁହଁର ସମସ୍ତ ସ୍ୱାଭାବିକତା ଛିନ୍ନଭିନ୍ନ ହୋଇଗଲା । ଅନେକ ସମୟ ପରେ ସେ ପ୍ରକୃତିସ୍ଥ ହେଲେ । ‘ମୁଁ ଜମା ଏ ଅଡ଼ୁଆରେ ପଶନ୍ତି ନାହିଁ—ଖାଲି ଛୁଆଗୁଡ଼ାଙ୍କ ପାଇଁ । ମୋ ସ୍ୱାମୀ ଆମ୍ଭମାନଙ୍କ ପାଇଁ କିଛିହେଲେ ଛାଡ଼ି ଯାଇନାହାଁନ୍ତି । ଆମେ ସର୍ବହରା, ଓକିଲ ବାବୁ ।’

 

ନୀରବତା ପରେ ପୁଣି ତାଙ୍କର ସେଇ କୋହମିଶା ସ୍ୱର—‘ବର୍ତ୍ତମାନ ପାଇଁ ଆପଣଙ୍କୁ ମୁଁ କିଛି ଦେଇ ପାରିବି ନାହିଁ । କହନ୍ତୁ, ଆପଣ ମୋ କେଶ୍ ଲଢ଼ିବେ ?’

 

ଦୃଢ଼ ପ୍ରତିଶ୍ରୁତି ଶୁଣାଇଲି ଯେ ତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ମୁଁ ଏ କାମରେ ଆଗେଇ ଯିବାକୁ ପ୍ରତିଜ୍ଞାବଦ୍ଧ ।

 

ଏହା ପରେ ଅପ୍ରତ୍ୟାଶିତଭାବେ ସେ ମୋ ଡାହାଣ ହାତରେ ଗୋଟିଏ ରାକ୍ଷୀ ବାନ୍ଧିଦେଇ, ମୋ’ ପାଦ ଛୁଇଁ ପ୍ରଣାମ କଲେ । କହିଲେ, ‘ଆପଣ ମୋତେ ସୁବିଧାବାଦୀ ବୋଲି ଭାବିବେ ନାହିଁ । ଏହା ଛଡ଼ା ଆଉ କିଛି ନାହିଁ ମୋ ପାଖରେ । କେଶରେ ହାରିଗଲେ ବି, ରାକ୍ଷୀ ବାନ୍ଧିବାର ଆବେଗ ଓ ଆତ୍ମୀୟତା ମୁଁ ପ୍ରତ୍ୟାହାର କରି ନେବି ନାହିଁ ।’ ଦୀର୍ଘଶ୍ୱାସ ପରେ ପୁଣି ତାଙ୍କ କଣ୍ଠସ୍ୱର ଶୁଭିଲା—‘ଜୀବନରେ ନିଃସଙ୍ଗତାବୋଧ କରିବା ଜନିତ ଆର୍ତ୍ତନାଦ ମୁଁ ଆଉ ସହିପାରୁନି । କାହାରିଠାରୁ ହେଲେ ବି ମୁଁ କିଛି କୋମଳତା ଚାହେଁ । ଆପଣଙ୍କଠାରୁ କିଛି ନ ପାଇଲେବି ମନଟାକୁ ତ ଏବେ ମୁଁ ବୁଝେଇ ପାରିବି ଯେ ମୋର କେହି ଜଣେ ଆତ୍ମୀୟ ଅଛି ।’

 

ଏମିତି ଅଭାବିତ ପରିସ୍ଥିତି ମୋ ପାଇଁ ନୂଆ । ଏହାର ଆକସ୍ମିକତା ମୋର ସମସ୍ତ ଭାବନାକୁ କିଛି ସମୟ ପାଇଁ ଅଚଳ କରି ଦେଇଥିଲା । କିନ୍ତୁ ପରେ ନିର୍ମଳାଦେବୀଙ୍କ ପ୍ରତି ମୋ ଦୃଷ୍ଟିକୋଣ ଆନ୍ତରିକତାର ରଙ୍ଗରେ ଭିନ୍ନ ରୂପ ନେଲା । ତାଙ୍କ କେଶ୍ ଲଢ଼ିଲି ସମସ୍ତ ଉତ୍ସାହର ସହିତ ।

 

ଏଥିରେ ଜୟଯୁକ୍ତ ହେବାର ସମ୍ଭାବନା ଉଜ୍ଜ୍ୱଳ ହେଉଥିବା ସମୟରେ ଗୁଡ଼ାଏ ଘଟଣା ଘଟିଗଲା ।

 

ଦିନେ ସନ୍ଧ୍ୟାରେ ଘରକୁ ଫେରବାକ୍ଷଣି ଭାରତୀ ମୋତେ କହିଲା—‘ଭାଇ ଅନେକବେଳୁ ଆସି ତୁମକୁ ଅପେକ୍ଷା କରିଛନ୍ତି । କ’ଣ ଜରୁରୀ କାମ ଅଛି ।’

 

—‘ଭାଇ ? ତୁମର ଗୋଟାଏ ଭାଇ ଆସିଲା କୁଆଡ଼ୁ ।’’

 

—‘ସେ ମୋର ସମ୍ପର୍କୀୟ ।’ କିଛି ସମୟ ନୀରବତା ପରେ ସେ କହିଲା—ଗୋଟିଏ କଥା କହନ୍ତି । ତୁମେ କାଳେ ରାଗିବ ।’

 

—‘କ’ଣ ?

 

—‘ତୁମକୁ ନିର୍ମଳା କେଶ୍ ଆଉ ଲଢ଼ିବାକୁ ହେବନାହିଁ ।’ ସେ ମୋ ମୁହଁକୁ ଚାହିଁ ଭାବନା ଅନୁଶୀଳନ କଲା ଓ ଯୋଗକଲା—‘ଭାଇ ମୋତେ ହିଁ ଭରସା କରି ଏଠାକୁ ଆସିଛନ୍ତି । ସେ କହୁଛନ୍ତି ଯେ ନିର୍ମଳା କୁଆଡ଼େ ଜିତିଯିବ ।’

 

—‘ନିର୍ମଳା କେଶ୍ ଲଢ଼ିବ ନାହିଁ ! କିପରି ?’

 

—‘ସେ କଥା ମୁଁ ଜାଣେନି । ହଁ ଆଉ ଗୋଟାଏ କଥା । ସେ ଆଉ ତାଙ୍କର ଅନ୍ୟ ଅଂଶୀଦାରମାନେ ତମକୁ ଦଶ ହଜାର ଟଙ୍କା ଦେବେ ।’

 

ହଠାତ୍ ମୋ ମୁହଁ କଠିନ ହୋଇଗଲା । ଭାରତୀର ଉତ୍ସାହଦୀପ୍ତ ମୁହଁକୁ ଚାହିଁ ପାଦ ଫେରାଇଲି । କନ୍‍ସଲଟିଂ ଚେମ୍ୱରରେ ଉତ୍କଣ୍ଠାର ସହିତ ବସିଥିବା ଅଜଣା ଭଦ୍ରଲୋକ ଜଣକ ମୋତେ ଦେଖି ସ୍ମିତ ହସିଲେ ଓ ଚୌକି ଉପରୁ ଉଠି ପଡ଼ିଲେ । ତାଙ୍କ ପାଖକୁ ଯାଇ କିଛି ସମୟ ପର୍ଯ୍ୟନ୍ତ ତାଙ୍କୁ ଚାହିଁଲି । ତାପରେ ଦୃଢ଼ ସ୍ୱରରେ କହିଲି ‘ଗେଟ୍ଆଉଟ ।’

 

କଥାଟା ସେଇଠି ଶେଷ ହେଲା ନାହିଁ । ମୋ ପାଖକୁ ଧମକପୂର୍ଣ୍ଣ ଚିଠି ଆସିଲା । ମୋର କଲେଜପଢ଼ୁଆ ଝିଅ ଝୁନୁକୁ ହରଣଚାଲ କରି ନିଆଯିବ ବୋଲି ଚେତାବନୀ ଦିଆଗଲା । ଆଉ ଦିନେ ସନ୍ଧ୍ୟାରେ, କେତେଜଣ ଅଚିହ୍ନା ଲୋକ ପାର୍କରେ ଛୁରୀ ଦେଖାଇ, ମାଡ଼ ମାରି ନିର୍ମଳା କେଶ୍ ଆଉ ଲଢ଼ିବି ନାହିଁ ବୋଲି କଥା ଆଦାୟ କରିନେଲେ ।

 

କେଶର ଶେଷ ତାରିଖ ଦିନ ନିର୍ମଳା ସପକ୍ଷରେ ଯୁକ୍ତ ବାଢ଼ି ମୁଁ ଓ ନିର୍ମଳା ଜୟଯୁକ୍ତ ହୋଇ ପାରିଥାନ୍ତୁ । ମାତ୍ର ତା’ ପୂର୍ବଦିନ ମୁନୁକୁ ଧରି ମୁଁ ମଫସଲ ଗାଁକୁ ଚାଲିଗଲି । ପୁଅର ସାଂଘାତିକ ଅସୁସ୍ଥତା ମୋତେ ବଡ଼ ଡାକ୍ତରଖାନାକୁ ଯିବା ପାଇଁ ବାଧ୍ୟ କଲା ବୋଲି ନିର୍ମଳା ନାମରେ ଚିଠି ଲେଖି ବସାଘରେ ଛାଡ଼ି ଆସିଥିଲି ।

 

ମୋ ଆଖି ଆଗରେ ସମାଜ, ବିଶ୍ୱ, ଘାସ ଉପରର କାକରବିନ୍ଦୁ, ଗାଈର ହମ୍ୱାରଡ଼ି—ସବୁ ଏହା ପରଠାରୁ ଗୁରୁତ୍ୱ ହଜାଇ ବସିଲା । ବେଳେ ବେଳେ ମୁଁ ବୋଧ କରେ, ସବୁ ଯେମିତି ପୋଛି ହୋଇଯାଇଛି କେଉଁଆଡ଼େ । ସବୁ ନିଃସଙ୍ଗ, ପରସ୍ପର ବିରୋଧୀ, ଧ୍ୱଂସାତ୍ମକ, ଅର୍ଥହୀନ । ମୁଁ କ୍ରମେ ସଙ୍କୁଚିତ ହୋଇପଡ଼ିଲି, ନ୍ୟୁନ ବୋଧକଲି, ଅପରାଧୀ ମନେକଲି । ମୋର ବ୍ୟକ୍ତିତ୍ୱ ବିକଳାଙ୍ଗ ହୋଇଗଲା । ମୋ ଭିତରର ସମସ୍ତ ଉପାଦାନ କକ୍ଷଚ୍ୟୁତ ଓ ରୁଗ୍‍ଣ ହୋଇଗଲା ।

 

—‘ଭାରତୀ, ଆଉ ପାଞ୍ଚ-ଛ’ ଦିନପରେ ଏ ସହର ଛାଡ଼ି ଗାଁକୁ ଯିବାପାଇଁ ପ୍ରସ୍ତୁତ ହୋଇଯାଅ ।’

 

ଭାରତୀ କିଛି ନ ବୁଝିଲା ଭଳି ଚାହିଁଲା ମୋ ଆଡ଼େ । ପଚାରିଲା, ‘କିନ୍ତୁ ସେଠାକୁ ଯିବାପାଇଁ ତ— ।’

 

—‘ଶୁଣ ।’ ମୁଁ ତା’ ବକ୍ତବ୍ୟରେ ବାଧାଦେଲି—‘ଗୋଟାଏ ବିଧ୍ୱଂସ୍ତ ଚେତନାକୁ ସଜାଡ଼ିବାକୁ ହେବ । ଏଠାରେ ତାହା ସମ୍ଭବ ନୁହେଁ । ମୋତେ ନିଜକୁ ପୁନର୍ଗଠନ କରିବାକୁ ହେବ । ପାଞ୍ଚ-ଛ’ଦିନ ଭିତରେ ସମସ୍ତ ପ୍ରସ୍ତୁତି ଶେଷ ହେବା ଉଚିତ୍ ।’

 

ଏ ପ୍ରସ୍ତୁତି କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଅନ୍ୟମନସ୍କ ଭାବରେ, ହୃଦୟର ଅନୁମୋଦନ ନ ଥାଇ ଓକିଲାତି ଚାଲିଥିଲା । ବେଳେ ବେଳେ ଗାଁକୁ ଯିବାର ଯୋଜନା ମନେପଡ଼େ-। ମନେପଡ଼େ ଏ ଯୋଜନା କରିବାର ପୃଷ୍ଠଭୂମି । ମୁଁ ଉତ୍କଣ୍ଠିତ ଓ ବିଚଳିତ ହୁଏ । ହଁ, ଯିବି; ନିଶ୍ଚୟ ଚାଲିଯିବି ଏ ସହର ଛାଡ଼ି—ବୋଲି ମନକୁ କହେ । କିନ୍ତୁ ଯାଇପାରିଲି ନାହିଁ ।

 

ବୋଧହୁଏ, ଏ ସହର ଛାଡ଼ି ଯାଇ ନ ଥାନ୍ତି, ଝୁନୁ ଯଦି ସେହି, ଦୁଷ୍କର୍ମଟି କରି ନ ଥା’ନ୍ତା-

 

ବିରକ୍ତି ସହିତ ଆଇନ ବହିଟିକୁ ଆଲମିରାରେ ରଖି ମୁଁ ଉଠିଆସିଲି ସେ ରୁମରୁ । ପାଖ ରୁମରେ ଝୁନୁ ବିଛଣା ଉପରେ ଶୋଇ କୌଣସି ଏକ ପତ୍ରିକାର ପୃଷ୍ଠା ଓଲଟାଉଥାଏ । ତା’ର ପଢ଼ାପଢ଼ି ମୁଁ ବନ୍ଦକରି ଦେଇଛି । ସେ ବି ମୋ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିନାହିଁ । ମୁନୁ ଟେବୁଲ ଉପରେ ଝୁଙ୍କିପଡ଼ି ଲେଖାଲେଖି କରୁଛି । ହାଇସ୍କୁଲ ହଷ୍ଟେଲରେ ତା’ ପାଇଁ ସ୍ଥାନଟିଏ ବ୍ୟବସ୍ଥା ହୋଇଯାଇଛି । ମୁଁ ଭାରତୀ ଓ ଝୁନୁ ଗାଁକୁ ଚାଲିଯିବୁ ।

 

ଚାଷ ଗାଁର ଦୁଇବଖରା ବିଶିଷ୍ଟ ଘର । ଜିନିଷପତ୍ର ସଜଡ଼ା ସଜଡ଼ି କରିବା ପରେ ଲଣ୍ଠନ ଜଳାଇବା ଆବଶ୍ୟକ ହେଲା । ସହରର ଭଡ଼ାଘରେ ତଥାପି ଗୁଡ଼ାଏ ଘରକରଣା ଜିନିଷ ରହିଛି । ଏଠାରେ ଚଳିବା ପାଇଁ ସର୍ବନିମ୍ନ ଦରକାରୀ ଉପକରଣ ଆମେ ଆଣିଛୁ । ଏଠାରେ ଏବେ ରହିବୁ ବୋଲି ଶୁଣି ଗାଁ ଲୋକେ ବିସ୍ମିତ ଓ ଆନନ୍ଦମୁଗ୍ଧ ହୋଇଛନ୍ତି । ଏପରି କି ଆସନ୍ତା ନିର୍ବାଚନରେ ସରପଞ୍ଚ ପାଇଁ ପ୍ରାର୍ଥୀ ହେବାକୁ କେତେଜଣ ପ୍ରସ୍ତାବ ଦେଇ ସାରିଲେଣି ।

 

ତଳେ ସତରଞ୍ଜି ଉପରେ ଲଣ୍ଠନ ଥୁଆ ହୋଇଥିଲା । ତାକୁ ବେଢ଼ି ଆମେ ତିନିହେଁ ବସିଥିଲୁ । ଏ ପରିବେଶ ସମ୍ପୂର୍ଣ୍ଣ ନୂତନ । ଏଠାରେ ସବୁଦିନ ରହିବା ପାଇଁ ଦରକାର ହେଉଥିବା ମାନସିକ ପ୍ରସ୍ତୁତି ଓ ଏଠାକାର ଚଳଣି ସହିତ ଖାପଖୁଆଇ ବଞ୍ଚି ରହିବାର ସୂତ୍ର ଆମେ ଖୋଜୁଥିଲୁ-। ଆମେ ନୀରବ ଓ ଗମ୍ଭୀର ଥିଲୁ । ଏକ ଅଭ୍ୟାସଗତ ଜୀବନଧାରା ଅନ୍ୟ ଏକ ପରିବେଷ୍ଟନୀ ଭିତରେ ନୂଆକରି ଗତି କରିବାର ଉପକ୍ରମଜନିତ ଆଶଙ୍କା, ଅନିଶ୍ଚିତତା ଓ ଆପାତତଃ ସ୍ତବ୍ଧକାତରତା ଆମକୁ ପ୍ରକୃତରେ ବିଚଳିତ କରୁଥିଲା ।

 

ମାତ୍ର ଟର୍ଚ୍ଚ ଧରି ରାତି ଆଠଟା ବେଳେ ବାହାରକୁ ଗଲାବେଳେ ମୋତେ ହାଲକା ଲାଗିଲା । ଏ ଘର ଗାଁଠାରୁ ଟିକିଏ ଦୂରରେ ବୋଲି ଆଗରୁ କହିଛି । ତେଣୁ ଏତେବେଳଠୁ ଏ ସ୍ଥାନ ନିଦ୍ରାବିଜଡ଼ିତ ନିସ୍ତବ୍‍ଧତାରେ ଭୟାନକ ଜଣା ପଡ଼ିଲାଣି । ମୁଁ ସାମାନ୍ୟ ନିରୁତ୍ସାହିତ ହୋଇପଡ଼ିଲି । ଏଠାରେ ଏତେ ସମୟ କଟିବ କିପରି ? କର୍ମ ପରିସର ସଙ୍କୁଚିତ କରିବି, ସମାଜ ସଙ୍ଗେ ଅଯଥା ଘନିଷ୍ଠ ହେବିନାହିଁ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛି ସିନା; କିନ୍ତୁ ଏହା ଆଗରୁ ମଫସଲ ଜୀବନ ସମ୍ୱନ୍ଧରେ ଧାରଣା ନ ଥିବା ମୋ ଭଳି ଜଣେ ଲୋକ ଏଠାରେ ଚଳିବ କିପରି ?

 

ନା, ପୁଣିଥରେ ଫେରିଯିବି ସହରକୁ ?

 

ମୋର ସମସ୍ତ ଭାବନା ପୁଣିଥରେ ଗଣ୍ଡଗୋଳିଆ ହୋଇଗଲା । ଲଣ୍ଠନ ପାଖରେ ଝାଳୁଆ ମୁହଁରେ ଅପରାଧୀ ଭଳି ବସିଥିବା ଝିଅ ଝୁନୁକଥା ତୁହାଇ ତୁହାଇ ମନେ ପଡ଼ିଗଲା । ମନେହେଲା ମୁଁ ତାକୁ ନିର୍ମମ ଭାବରେ ଶାସ୍ତି ଦେଉଛି । ମୋ’ଠାରୁ ସ୍ନେହ ଓ ଉଦାରତା ବଦଳରେ ସେ ପାଇଛି କଟକଣାର କଠୋରତା । ତା’ର ଭବିଷ୍ୟତକୁ ମୁଁ ସତେ ଯେପରି ଧୂଳିସାତ୍ କରି ଦେଉଛି ।

 

ତେବେ ମୁଁ ଆଉ କ’ଣ କରିଥାନ୍ତି ? ସେ ମୋ ମୁହଁରେ, ନିଜ ମୁହଁରେ, ଆମ ପରିବାର ମୁହଁରେ, ଏମିତି କାଳିଦେବ ବୋଲି ମୁଁ ଜମା କଳ୍ପନା କରି ନ ଥିଲି । ଦିନେ ସକାଳୁ ଉଠି ଦେଖିଲା ବେଳକୁ ଝୁନୁ ଘରେ ନାହିଁ । ବ୍ୟସ୍ତତାର ସହିତ ତାକୁ ପାଇବାର ଥିବା ସମସ୍ତ ସ୍ଥାନରେ ଖୋଜା ଖୋଜି କରି ହତାଶ ହୋଇ ପଡ଼ିଲୁ । ଏ ରହସ୍ୟ, ଲଜ୍ଜା ଓ ଅପମାନରେ ପରିଣତ ହେଲା ଯେତେବେଳେ ଜାଣିଲୁ ଯେ, ପଡ଼ୋଶୀଘରର ଓକିଲ ବନ୍ଧୁ ଜଣକ ଅନ୍ତର୍ଦ୍ଧାନ ହୋଇ ଯାଇଥିବା ପୁଅକୁ ଖୋଜୁଛନ୍ତି ।

 

ମୋର ଠିକ୍ ମନେ ଅଛି, ଦୁଇ ପାପୁଲିରେ ମୁହଁ ଘୋଡ଼ାଇ ମୋ ରକ୍ତର ସଂକ୍ରମଣକୁ ମୁଁ ଦେଖୁଥିଲି । ଏକ ନିର୍ଦ୍ଦିଷ୍ଟ ବୟସର ଭାବପ୍ରବଣତା ଓ ଆହ୍ୱାନର ସର୍ବଶ୍ରେଷ୍ଠ ଦାମ୍ଭିକ ପରିପ୍ରକାଶକୁ ମନେପକାଉଥିଲି ଓ ତା’ର ପୁନରାବୃତ୍ତିକୁ ଆଖି ଆଗରେ ଦେଖୁଥିଲି । ମୁଁ ଓ ମୋ ଝିଅ । ମନେହେଲା ଝୁନୁ କଥା ସବୁ ଜାଣିଛି ଓ ମୋ ଚାରିତ୍ରିକ ଦୁର୍ବଳତା ତାକୁ ଶକ୍ତିଶାଳୀ କରି ଦେଇଛି । ଝୁନୁ ଉପରେ ଥିବା ମୋର ନୈତିକ ଅଧିକାର ଓ ଶାସନର ଦୃଢ଼ତା ହୁଗୁଳା ହୋଇଗଲା ଭଳି ଜଣାଗଲା ।

 

ତା’ ପରଦିନ ସନ୍ଧ୍ୟାରେ ମୁଁ ଝୁନୁକୁ ଫେରିପାଇଲି । ପଡ଼ୋଶୀ ଘରର ଓକିଲବନ୍ଧୁ ଫେରିପାଇଲେ ପୁଅକୁ । ଭାରତୀକୁ କିଛି ନ କହିବା ପାଇଁ ଇଙ୍ଗିତ ଦେଲି । ଅସନ୍ତୋଷ ଓ କ୍ଷୋଭରେ ଝୁନୁର ମୁହଁ କଠିନ ଦେଖାଯାଉଥିଲା । ମୁଁ ତା’ ନିକଟକୁ ଯିବାକ୍ଷଣି ସେ ମୋ ଛାତିରେ ମୁହଁ ଗୁଞ୍ଜି କାନ୍ଦିପକାଇଲା ।

 

ତା’ର କଲେଜ ଯିବା ବନ୍ଦହେଲା । ମଫସଲ ଗାଁକୁ ଚାଲିଯିବା ପାଇଁ ମୁଁ ପ୍ରତିଜ୍ଞାବନ୍ଧ ହେଲି । ଭାରତୀ ଆଉ ଆପତ୍ତି କଲାନାହିଁ ।

 

ପୋଖରୀରେ ଧୂଆଧୋଇ ହୋଇ ଘର ପାଖରେ ପହଞ୍ଚିବା କ୍ଷଣି ଚୂଡ଼ିର କ୍ଷୀଣ ରୁଣୁଝୁଣୁ ଶବ୍ଦ ଶୁଭିଲା । ମା’ ପ୍ରେମିକା ସ୍ତ୍ରୀ ଓ ଝିଅର ଚୂଡ଼ୀ ରୁଣୁଝୁଣୁ ଶବ୍ଦ ଭିତରେ ଥିବା ପାର୍ଥକ୍ୟ ସମ୍ୱନ୍ଧରେ ମୁଁ ସଚେତନ ଥିଲି । ମାତ୍ର ବର୍ତ୍ତମାନର ଶବ୍ଦ କିପରି ବେସୁରା ଜଣାଗଲା । ଏ ଅପନ୍ତରାର ପ୍ରାଣହୀନ, ନିଃଶବ୍ଦ ପ୍ରହର ବିରୁଦ୍ଧରେ ସତେ ଯେପରି ସେ ଶବ୍ଦ ଥିଲା ଏକ ଅସହାୟ ପ୍ରତିବାଦ ।

 

ସପ୍ତାହକ ପରେ, ମଧ୍ୟାହ୍ନ ଭୋଜନ ବେଳକୁ ଝୁନୁ କହିଲା—‘ବାପା, ମୋତେ ଭାରି କ୍ଳାନ୍ତ ଲାଗିଲାଣି । ଚାଲ, ସହରରୁ ଘେରାଏ ବୁଲି ଆସିବା’ କ୍ଳାନ୍ତ ।’ ମୁଁ ଆଶ୍ଚର୍ଯ୍ୟ ହେବାର ଅଭିନୟ କଲି-। ‘କିନ୍ତୁ ଏଠିତ କାମଦାମ କିଛି ନାହିଁ । କ୍ଳାନ୍ତିର ପ୍ରଶ୍ନ ଉଠୁଛି କିପରି ? ଏ ଜୀବନ ନିଶ୍ଚିତଭାବେ ସରଳ ଓ ସମସ୍ୟାହୀନ ।’

 

—ନା ।’ ଝୁନୁ କଣ୍ଠରେ ଅଭିଯୋଗ । ଜୀବନଟା ଏଠାରେ ଜଙ୍କଦ୍ୱାରା ଆକ୍ରାନ୍ତ ହୋଇଗଲାଣି । ମୋତେ ଜମା ଭଲ ଲାଗୁନି ।’ ସେ ଘର ଭିତରକୁ ଚାଲିଗଲା ।

 

ପରେ ଭାରତୀକୁ ପଚାରିଲି—‘ତୁମେ କ’ଣ କହୁଛ ?’

 

ମୋ ଆଡ଼େ ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁ ସେ ମୁହଁ ଫେରାଇଲା ।

 

ମୁଁ ଲକ୍ଷ୍ୟ କରୁଥିଲି, ଭାରତୀ ଏଠାକୁ ଆସିବା ପରେ ଜୀବନର ସମସ୍ତ ଉଚ୍ଛ୍ୱାସ ଯେମିତି ଶେଷ ହୋଇଯାଇଛି । ସେ ଓ ଝୁନୁ ବନ୍ଦୀହୋଇ ଯାଇଛନ୍ତି ବିକୃତ ସମୟର ପ୍ରାଚୁର୍ଯ୍ୟ ଭିତରେ । ଏଠାକାର ସୂର୍ଯ୍ୟୋଦୟ, ମୁକ୍ତ ପରିବେଷ୍ଟନୀ, ନଳିତା ପରିବାର ଗନ୍ଧ ଏମାନଙ୍କୁ ସଙ୍ଗୀତ ଦେଇପାରୁ ନାହିଁ । ମାତ୍ର ମୋ ପାଇଁ କେଉଁ ଜୀବନ ଭଲ ? ଏଠାକାର, ନା ସହରର ?

 

ପରଦିନ ଆମେ ସହରକୁ ଆସିଲୁ । ତେବେ ମୁଁ ସତର୍କ କରି ଦେଇଥିଲି ଯେ ଦୁଇଦିନ ପରେ ଆମେ ପୁଣି ଚାଷ ଗାଁକୁ ଫେରିଯିବୁ । ଭାରତୀ ଓ ଝୁନୁ ରାଜି ହୋଇଥିଲେ ।

 

ଭଡ଼ାଘର ଚାବି ଖୋଲିବାମାତ୍ରେ ଆମେ ପୁରାତନର ପରିଚିତ ସ୍ପର୍ଶ ପାଇଲୁ । ଝୁନୁ ମୁହୂର୍ତ୍ତେ ଡେରି ନକରି ଫଙ୍ଖା ସୁଇଚ୍ ଟିପିଲା । ଭାରତୀ ଗଲା ଗାଧୁଆ ଘରକୁ ଧୋଇହେବା ପାଇଁ-। ମୁଁ ତଉଲିଆରେ ମୁହଁ ପୋଛି ଦର୍ପଣରେ ନିଜକୁ ଦେଖିଲି । ମୁହଁରେ ପ୍ରତିଫଳିତ ହୋଇଥିବା ଆତ୍ମବିଶ୍ୱାସ ଓ ସନ୍ତୋଷର ରେଖାଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିଲି ।

 

ତଥାପି ରହି ରହି କିଏ ଯେପରି ମୋତେ ଚେତାଇ ଦେଉଥିଲା ଯେ, ମୋତେ ଆଶ୍ରୟ ଦେଇଥିବା ଏ ଘର ଏକ ଭଡ଼ାଘର ମାତ୍ର—ଅସ୍ଥାୟୀ ଏବଂ ମୋର ନିଷ୍ପତ୍ତିହୀନ ଜୀବନର ସ୍ମାରକୀ । ଏ ଜୀବନର ସୀମାରେଖା ଓ ନିର୍ଦ୍ଧିଷ୍ଟତା ବିଭିନ୍ନ ଅବାଞ୍ଛିତ ଚାପ ଦ୍ୱାରା ରକ୍ତାକ୍ତ ଓ ଭୟଭୀତ ।

 

ସୋଫା ଉପରେ ନିଜକୁ ବିଛେଇ ଦେଲି । ଶୋଇପଡ଼ିଲି ଗଭୀର ନିଦରେ ।

 

ସେଦିନ ସନ୍ଧ୍ୟାରେ ମୁନୁ ହଷ୍ଟେଲରୁ ଆସିଲା ଆମକୁ ଦେଖା କରିବାପାଇଁ । ସମସ୍ତେ ସିନେମା ଦେଖି ବାହାରିଲୁ । ସିନେମା ପରେ ବଜାରରୁ କିଣିଲୁ ବିଭିନ୍ନ ଜିନିଷ । ଭଡ଼ାଘରେ ପହଞ୍ଚିଲାବେଳକୁ ଅନେକ ରାତି ହୋଇ ଯାଇଥାଏ । ରୋଷେଇ ଆରମ୍ଭ ହେଲା । ଆମେ ସମସ୍ତେ ଉତ୍ସାହର ସହିତ କାମରେ ଲାଗିପଡ଼ିଲୁ ।

 

ପରଦିନ ରବିବାର । ମଧ୍ୟାହ୍ନ ଭୋଜନ ପରେ ଝୁନୁ ଓ ମୁନୁ କ୍ୟାରମ୍ ଖେଳିଲେ । ଭାରତୀ ଗଲା ସାଇ ବୁଲି । ମୁଁ ଅନ୍ୟମନସ୍କ ଭାବରେ ଆଇନ ବହିର ପୃଷ୍ଠା ଲେଉଟାଉଥିଲି ।

 

ପରଦିନ ଦଶଟାବେଳେ ଝୁନୁ ବହିପତ୍ର ଧରି ଘରୁ ବାହାରିଲା, ତା’ ସାଙ୍ଗରେ ମୁନୁ ।

 

ଭାରତୀକୁ ପଚାରିଲି—‘ଝୁନୁ ଯାଉଛି କୁଆଡ଼େ ?’

 

—‘କଲେଜକୁ ।’ ନିର୍ଲିପ୍ତ ସ୍ୱରରେ ଉତ୍ତର ଦେଲା ଭାରତୀ । ‘ଆଜିପରା ଗାଁକୁ ଫେରିଯିବା କଥା ? କଲେଜ ଯିବାପାଇଁ ମନା କରିଦେବି ?’ ସେ ପଚାରିଲା ।

 

ଦୀର୍ଘଶ୍ୱାସ ତ୍ୟାଗକରି ମୁଁ ନିର୍ବାକଭାବରେ ଆଇନ ବହିଗୁଡ଼ାକୁ ଦେଖୁଥିଲି ।

Image

 

ଦ୍ୱିତୀୟ ଶ୍ମଶାନ

 

ଖଟର ଗୋଟିଏ ପାଖରେ ମୁଁ, ଅନ୍ୟପାଖରେ ପ୍ରୀତି । ଦୁହିଁଙ୍କ ମଝିରେ ଚାରିବର୍ଷର ଝିଅ-। ଅନେକବେଳୁ ସେ ଶୋଇପଡ଼ିଲାଣି । ମୋ ବେକରେ ହାତଗୁଡ଼ାଇ ସେ ରାଜା, ରାଣୀ, ରାକୁମାର, ରାଜକୁମାରୀଙ୍କ କଥା ଶୁଣୁଥିଲା । କୌଣସି ରାତିରେ ମୋ କାହାଣୀ ଶେଷ ହୋଇପାରେ ନାହିଁ । ରାଜାଙ୍କର ସୁନାନାକି ଝିଅ ଖୁବ୍ ବେଶୀ ହେଲେ ନିର୍ଜନ ପୋଖରୀ ତୁଠରେ ଗୋଡ଼ଘସି ବାସୀ ଅଳତାର ଗାର ଲିଭାଉଥିବ । ଛନଛନ ଆଖିରେ ଚାହିଁଥିବ ଚାରିଆଡ଼େ । ମନ ଭିତରେ କାରଣ ନ ଥବା ରୁଦ୍ଧ ଆବେଗ ଏକ ବିଚିତ୍ର ଶିହରଣ ଓ ଯନ୍ତ୍ରଣା ସୃଷ୍ଟି କରୁଥିବ । ଆଉ ବେଶୀ ଆଗେଇବାକୁ ହୁଏନାହିଁ । ମୋ ବେକ ଉପରେ ଝିଅର ହାତ ଶିଥିଳ ହୋଇଯାଏ । ମୋ ଛାତି ଭିରକୁ ଘୁଞ୍ଚିଆସି ସେ ଶୋଇପଡ଼େ ନିଶ୍ଚିନ୍ତରେ ।

 

ଜିରୋୱାଟ୍ ବଲ୍‍ବର କୁହୁଡ଼ିଆ ଆଲୁଅ ଭିତରେ ଅଧା ରହିଯାଏ କଳ୍ପନାର କାହାଣୀ । ଏଭଳି କାହାଣୀ, ଏଭଳି ଏକ ଶ୍ରୋତା ପାଖରେ କହିବାରେ ସତର୍କତା ଅବଲମ୍ୱନର ଆବଶ୍ୟକତା ବା କ’ଣ ? ଏ କାହାଣୀ ଲମ୍ୱିଯାଇ ପାରେ ଯେ କୌଣସି ଦିଗରେ, ମୋ ଭାବନା ଭଳି । ଯେଉଁ କାହାଣୀ ଯୁକ୍ତି ଓ ବାସ୍ତବତା ଉପରେ ପ୍ରତିଷ୍ଠିତ ନୁହେଁ, ତାହା କେଡ଼େ ସୁନ୍ଦର ଆଉ କୋମଳ !

 

ମାତ୍ର ଝିଅ ଶୋଇପଡ଼ିବା ପରେ ମୁଁ ଓ ପ୍ରୀତି ପରସ୍ପରକୁ ଯେଉଁ କାହାଣୀ ଶୁଣାଉ, ତାହା ବେଳେବେଳେ ଭାରି ଭୀଷଣ ଓ ଅଟ୍ଟହାସ୍ୟମୟ ଜଣାପଡ଼େ । ଏ କାହାଣୀ ଜୀବନର ମାୟ, କଳ୍ପନା ପ୍ରବଣତାକୁ ଗ୍ରାସ କରିଦିଏ । ଆମେ ଦୁହେଁ ଦେଖୁ ଖାଲି ଜୀବନର ସତ୍ୟତା ସଂସାରର ନିଚ୍ଛକ ରୂପ-। ଝିଅ ଯଦି କେବେ କୌତୁହଳବଶତଃ ଶୋଇ ରହିଥିବାର ଛଳନା କରି ଆମ ଦୁହିଁଙ୍କ କାହାଣୀ ଶୁଣନ୍ତା, କ’ଣ ବୁଝନ୍ତା ସେ ? ବେଳେ ବେଳେ ଏମିତି ପ୍ରଶ୍ନ ନିଜକୁ ପଚାରେ । ସେ ଶୁଣିଥିବା କାହାଣୀ ଓ ଆମ କାହାଣୀ ଭିତରେ ଯେଉଁ ତାରତମ୍ୟ, ତାହା ସେ କ’ଣ ଅତିକ୍ରମ କରି ପାରନ୍ତା ?

 

ପ୍ରୀତିର ସ୍ୱର ସେତେବେଳକୁ ତନ୍ଦ୍ରା ବିଜଡ଼ିତ ହୋଇ ଯାଉଥିଲା । ମୁଁ ଦୀର୍ଘଶ୍ୱାସ ତ୍ୟାଗ କରି ତା’ ମୁହଁରୁ ଦୃଷ୍ଟି ଫେରାଇ କୋଠରୀର ଛାତ ଆଡ଼କୁ ଚାହିଁଲି । ହାଇମାରି ଆଖି ବନ୍ଦ କଲାବେଳକୁ ଆମ ବାରିପଟ କବାଟରେ କରାଘାତ ଶୁଣିଲି ।

 

ସେ କରାଘାତ ଅକ୍ଟୋବର ମାସର ନିସ୍ତବଧ, ଅନ୍ଧକାର ରାତିର ମେରୁଦଣ୍ଡକୁ ଦୋହଲାଇ ଦେଲା ଭୟଙ୍କର ଭାବରେ । ସମସ୍ତ ବ୍ୟାକୁଳତା ଓ ଅସ୍ଥିରତାର ସହିତ ଗୋଟାଏ ବାଷ୍ଫାକୁଳ ଆର୍ତ୍ତନାଦ ଶୁଭିଲା—‘ଭାଇ ? ଭାଇ ଟିକିଏ ଉଠ । ମୋର ସବୁ ସରିଗଲା ।

 

ମୋର ମନେହେଲା, ବାରିପଟ କବାଟ ହୁଏତ ଭାଙ୍ଗିଯିବ କରାଘାତର ମାଡ଼ରେ । ଲୋକଟିର କଣ୍ଠ ଫାଟିଯିବ ବ୍ୟାକୁଳତା ଓ ଅସହାୟତାର ତୀବ୍ରତାରେ । ପ୍ରୀତି ଓ ମୁଁ ଏକାସଙ୍ଗେ ଓହ୍ଲାଇ ପଡ଼ିଲୁ ଖଟରୁ । ଝିଅ ଗଳାଫଟାଇ କାନ୍ଦିଉଠିଲା; ସତେ ଯେପରି ସେ ବୁଝିପାରିଥିଲା କେଉଁଠି କିଛି ଗୋଟାଏ ଅଘଟଣ ଘଟିଯାଇଛି ।

 

ବ୍ୟସ୍ତତାର ସହିତ ମୁଁ ବାରିପଟକୁ ଆସି କବାଟ ଖୋଲି, ଟର୍ଚ୍ଚ ଟିପିଲି । କୁମର ଦାଦାର ଯନ୍ତ୍ରଣା ଜର୍ଜରିତ ଆର୍ତ୍ତଚିତ୍କାର ଆମ ଗାଁର ଶିରା-ପ୍ରଶିରାରେ ଚାଞ୍ଚଲ୍ୟ ଓ ଆଶଙ୍କାର ତଡ଼ିତ୍ ଛୁଟାଇଦେଲା ।

 

—‘କଥା କ’ଣ ? ଏମିତି...’

 

ମୋ କଥାକୁ ଶେଷ ହେବାକୁ ନ ଦେଇ ସେ ଘୋଷଣା କଲା—‘ମୋ ମଞ୍ଜୁକୁ ସାପ କାମୁଡ଼ି ଦେଇଛି ।’

 

ଅଳ୍ପ କେଇଟା ମୁହୂର୍ତ୍ତ ପାଇଁ ସବୁ ସ୍ତବଧ ଓ ସ୍ଥାଣୁ ହୋଇଗଲା । ବ୍ୟାପକ ଆକାଶର ତାରା, ମୋ ପାଦ ତଳର ମାଟି, ମୁଁ ନିଜେ ଓ କୁମର ଦାଦାର ଅସ୍ତିତ୍ୱ ମିଳେଇଗଲା ଏକ ବିଚିତ୍ର ଶୂନ୍ୟତା ଭିତରେ । ମୋର ଅନୁଭବ କରିବାର ଶକ୍ତି ଓ ବିଚାରବୋଧ ସଂପୂର୍ଣ୍ଣଭାବେ ପୋଛି ହୋଇଗଲା ଏଇ ଦାରୁଣ ଘଟଣାଟିର ଭୟାବହତାରେ । କଥାଟାକୁ ପୁଣିଥରେ ଭାବିବା ବେଳକୁ ଚାରି-ପାଞ୍ଚୋଟି ନାରୀ କଣ୍ଠର ସମ୍ମିଳିତ କାନ୍ଦଣା ସାରା ଗାଁଟିକୁ ଅଶ୍ରୁଳ କରି ଦେଉଥିବାର ଶୁଣିଲି ।

 

ବାପାଙ୍କୁ ନିଦରୁ ଉଠେଇବା ଦରକାର ହେଲା ନାହିଁ । ସେ ବଳେ ଉଠି ଆସିଥିଲେ ଏବଂ କୁମର ଦାଦାର କଥା ଶୁଣି ପାରିଥିଲେ । ତାଙ୍କୁ ଦେଖିବା କ୍ଷଣି କୁମରଦାଦା ଅସହାୟତାରେ ଭାଙ୍ଗି ପଡ଼ିଲା—‘ଭାଇ, ମୋର ସବୁ ସରିଗଲା ।’

 

ଆଉ କିଛି କଥା ନାହିଁ । ପାଗଳଙ୍କ ଭଳି ସେଠାରୁ ସେ ଚାଲିଗଲା । ଆମ ଘରକୁ ଲାଗି ଯଦୁଭାଇର ଘର । ତାଙ୍କ ଦରଜା ଉପରେ ସେଇଭଳି କରାଘାତ କରି ସେ ଘୋଷଣା କଲା ସେଇକଥା । ସେଠାରୁ ସେ ଗଲା ଆଉ ଏକ ଘରକୁ । ପୁଣି ତା’ ପାଖ ଘର ।

 

କୁମରଦାଦାର କଥା ଆଉ ଭଲକରି ବୁଝିହେଉ ନ ଥାଏ । ତା’ର ସମଗ୍ର ସତ୍ତା ରୂପାନ୍ତରୀତ ହୋଇ ଯାଇଥିଲା ଏକ ଅବ୍ୟକ୍ତ କୋହରେ । ସଂସାରର ସମସ୍ତ ଆଶଙ୍କା ଓ ଆଶାହୀନତା ସତେ ଯେପରି ଠୁଳହୋଇ ଏକ ମଣିଷର ଆକାର ଗ୍ରହଣ କରିଥିଲା । ଗୋଟାଏ ଜୀଅନ୍ତା ଆର୍ତ୍ତନାଦ ହୋଇ ସେ ଖାଲି ଧାଉଁଥିଲା ଏ ଘର ଦରଜାରୁ ଅନ୍ୟ ଏକ ଦରଜା ପାଖକୁ । ସେ ହୁଏତ ଭାବୁଥିଲା, ଗାଁର ସବୁ ମଣିଷ ଉଠିଆସନ୍ତୁ ଯେଝା ବିଛଣାରୁ । ସଭିଏଁ ଠିଆହୁଅନ୍ତୁ ସଦ୍ୟ ସାପ କାମୁଡ଼ିଥିବା ମଞ୍ଜୁ ଚାରିପାଖରେ । ସେମାନଙ୍କର ବ୍ୟୁହ ଭିତରକୁ ଯେପରିକି ମରଣର ଥଣ୍ଡାହାତ ପଶି ପାରିବ ନାହିଁ । ଯଦି ମଞ୍ଜୁର ପ୍ରାଣବାୟୁ ପବନର ନିଃଶ୍ୱାସରେ ମିଶିଯିବାକୁ ତତ୍ପର ହୋଇଉଠେ, ତେବେ ସେମାନେ ସେ ପ୍ରାଣବାୟୁକୁ ଏଇ କଥା କହନ୍ତୁ—ଏଡ଼େ ଚଞ୍ଚଳ ଥକିଗଲୁ ? ଜମା ଅଠରଟା ବର୍ଷରେ ତୋର ଗୋରା, ନହକା ଦେହକୁ ଆଡ଼େଇ ଦେଇ ତୁ କେଉଁଆଡ଼େ ଯାଉଛୁ ଲୋ, ମଞ୍ଜୁ ? ସଞ୍ଜବେଳେ କିଏ ଆଉ ତୁମ ପିଣ୍ଡାରେ ମିଞ୍ଜିମିଞ୍ଜି ଆଲୁଅ ପାଖରେ ବସି ଭାଗବତ ପଢ଼ିବ ? ରାତି ନ ପାହୁଣୁ କିଏ କୂଅରୁ ପାଣି କାଢ଼ିବ ? କିଏ ତୁମ ଅଗଣା ଓଳାଇବ, ଗାଈକୁ କୁଣ୍ଡା-ତୋରାଣୀ ଦେବ ? ତୋର ତ ଯିବା ବେଳ ହୋଇନାହିଁ !

 

ବାପା ଓ ମୁଁ ଅଣନିଃଶ୍ୱାସୀ ହୋଇ ଧାଇଁଲୁ କୁମରଦାଦା ଘରଆଡ଼େ । ସେତେବେଳକୁ ଗାଁର କେତେ ଲୋକ ସେଠାରେ ଜମା ହୋଇ ସାରିଲେଣି । ମୋର ସମ୍ପର୍କରେ ବଡ଼ବାପା ହେବେ–ଗୁରୁଚରଣ । ସେ ସାପ-ମନ୍ତ୍ର ଜାଣନ୍ତି । ପହଞ୍ଚି ଶୁଣିଲୁ, ସେ କେତେବେଳୁ ମଞ୍ଜୁକୁ ଝଡ଼ା-ଫୁଙ୍କା କରୁଛନ୍ତି ।

 

ସତକୁ ସତ, ମଞ୍ଜୁ ଚାରି ପାଖରେ ଗୋଟାଏ ଶକ୍ତ ବ୍ୟୁହ ସୃଷ୍ଟି ହୋଇଥିଲା । ଚଟାଣ ଉପରେ ଧିକି ଧିକି ହୋଇ ଜଳୁଛି ଲଣ୍ଠନ ଶିଖା, କଳାକାଚ ଘୋଡ଼େଇ ହୋଇ । ଝାଳରେ ଜୁଡ଼ୁବୁଡ଼ୁ ହୋଇ ଯାଇଥିବା ମଞ୍ଜୁ ସାମନାରେ ବସି ଗୁଣିଆଁ ହୁଏତ ଚେଷ୍ଟା କରୁଛନ୍ତି, ଯେପରିକି ସାପର ବିଷ ମଞ୍ଜୁର ଶିରା-ପ୍ରଶିରାର ରକ୍ତକୁ ବିଷାକ୍ତ କରି ନ ଦିଏ । ମଞ୍ଜୁ ବଲବଲ କରି ଚାହିଁଛି, ତା ଚାରିପାଖରେ ଘେରି ରହିଥିବା ମଣିଷ ମାନଙ୍କର ବିଗଳିତ, କାତର ମୁହଁଗୁଡ଼ିକୁ ।

 

ବାପାଙ୍କ କଥାମାନି, ସଭିଏଁ ବାହାରି ଆସିଲେ ସେ ଘରୁ । ଘର ଭିତରକୁ ନିର୍ମଳ, ସ୍ୱଚ୍ଛ ପବନ ଯିବା ଖୁବ୍ ଦରକାର । ମଞ୍ଜୁ ଆମ୍ଭମାନଙ୍କର ଶଙ୍କାଗ୍ରସ୍ତ ମୁହଁ ଦେଖିବା ଆଦୌ ଉଚିତ ନୁହେଁ-। ଔଷଧ ପ୍ରୟୋଗ ପାଇଁ ବ୍ୟବହାର କରାଯାଉ ଥିବା ଇଞ୍ଜେକସନ ସିରିଞ୍ଜର ଛୁଞ୍ଚିକୁ ଦେଖି ଯେଉଁ ମଣିଷ ଡରି ଯାଇପାରେ, ତା’ କୋହ ଭିତରେ ସାପର ବିଷ କ୍ରମେ ସଞ୍ଚରିତ ହୋଇଯାଉଛି ବୋଲି ଇଙ୍ଗିତ ଦେଲେ, ତା’ର ଅବସ୍ଥା ହେବ କ’ଣ ? ତୁମେ କେବେ ଦେଖିଛକି ମୃତ୍ୟୁର ଚେହେରା-? ତୁମେ ହୁଏତ କହିଦେଇ ପାର, ମୃତ୍ୟୁ ଏକ ରହସ୍ୟମୟ ଅନ୍ଧକାର ଇଲାକା ଯା’ ଭିତରେ ଆମେ ସମ୍ପୂର୍ଣ୍ଣଭାବେ ହଜିଯାଆନ୍ତି ଏକ ବିଚିତ୍ର ବିସୃତିରେ । ଅଥଚ କେଡ଼େ ଦାରୁଣ ଏ ଶବ୍ଦ ! ଲହ ଲହ କରୁଥିବା ସାପର ଜିଭ, କୋକେଇରେ ବନ୍ଧାଯାଉଥିବା ମଣିଷର ଶରୀର ଆମକୁ ଚେତାଇଦିଏ ସେହି ଇଲାକାର ସର୍ବଗ୍ରାସୀ କ୍ଷମତା ସମ୍ପର୍କରେ । ମଞ୍ଜୁକୁ ଏମିତି ନିର୍ମମ ଭାବରେ ଏଇ କଥା ପ୍ରତି ଆମେ ସଚେତନ କରିଦେବା ଠିକ୍ ନୁହେଁ । ଆଶାର କଥା ଏହି ଯେ, ସବୁ ମଣିଷଙ୍କୁ ବିଷ ଘୋଷାରି ନେଇପାରେ ନାହିଁ ମୃତ୍ୟୁର ସାମ୍ରାଜ୍ୟ ଭିତରକୁ । ମଞ୍ଜୁ ସମ୍ପର୍କରେ ଆମେ ଏତେଟା ହତୋତ୍ସାହ ହେବାର କୌଣସି ଯଥାର୍ଥତା ନାହିଁ ।

 

ସାତ ମାଇଲ ଦୂରରେ ଥିବା ଡାକ୍ତରଖାନାରୁ ଡାକ୍ତରଙ୍କୁ ଡାକିବାପାଇଁ ଲୋକ ପଠାଗଲା-। ଅନ୍ୟଦିଗକୁ ପଠାଗଲା ଆହୁରି ଦୁଇଜଣ ଲୋକଙ୍କୁ । ସେମାନେ ଜଣେ ଖ୍ୟାତନାମା ଗୁଣିଆଁଙ୍କୁ ଡାକିଆଣିବେ । ସାରା ଗାଁଟା ଅସ୍ଥିର ଓ ଚଞ୍ଚଳ ହୋଇପଡ଼ିଲା । ଗୁଣିଆଁର ମନ୍ତ୍ର ହେଉ ବା ବୈଜ୍ଞାନିକର ଔଷଧ ହେଉ–ଯେଉଁ ବସ୍ତୁ ଉପରେ ଆମ୍ଭମାନଙ୍କର ବିଶ୍ୱାସ ଓ ଆସ୍ଥା ଥିଲା, ସେ ସବୁ ପ୍ରୟୋଗ କରିବା ପାଇଁ ମନରେ ଆଦୌ ଦ୍ୱିଧା କିମ୍ୱା ଆଳସ୍ୟ ନଥିଲା । ଆମେ ଯୁଦ୍ଧ ଘୋଷଣା କଲୁ । ଗୋଟିଏ ପାଖରେ ଯମ; ଅନ୍ୟ ପାଖରେ ଆମେ, ମଞ୍ଜୁପ୍ରତି ଆମର ମମତା, ଗୁଣିଆର ମନ୍ତ୍ର-

 

ତଥାପି ଆମ୍ଭମାନଙ୍କର ହାତମୁଠା ବେଳେ ବେଳେ ଝାଳେଇ ଯାଉଥିଲା । ଅନୁଭବ କରୁଥିଲୁ, ସତେ ଯେପରି ଅନ୍ୟଦିଗକୁ କ୍ରମେ ଖସିଯାଉଛି ଆମେ ପ୍ରାଣପଣେ ଧରି ରଖିବାକୁ ଚେଷ୍ଟା କରୁଥିବା ଗୋଟାଏ ଅମୂଲ୍ୟ ଦରବ । କାନ୍ଦଣା କମୁନାହିଁ । ମଞ୍ଜୁର ମା’ ଓ ଜେଜେମା’ ହେରିକା କାନ୍ଦୁଥାନ୍ତି । ସେମାନଙ୍କର ବୁକୁଫଟା କାନ୍ଦଣାରେ ଥିଲା ରାଶି ରାଶି ପ୍ରତିବାଦ ଓ ନିବେଦନ; ପୁଣି ଥିଲା ବିଶ୍ୱାସ ଓ ଆଶଙ୍କା ।

 

ଅକ୍ଟୋବର ମାସର ଶନିବାର ରାତି । ରାତିର ଅନ୍ଧକାର ସତ୍ତ୍ୱେ ମୁହୂର୍ତ୍ତଗୁଡ଼ାକ ବାଟବଣା ନହୋଇ ଆଗେଇ ଯାଉଛନ୍ତି । ସମୟ ସେତେବେଳକୁ ବାରଟା ପାଖାପାଖି ।

 

କୁମରଦାଦାର ଘର ସାମନା ରାସ୍ତାରେ ଅପରାଧୀ ସାପଟିକୁ ଅକ୍ଷତ ଅବସ୍ଥାରେ ରଖାଯାଇଥିଲା । ସେଇଟାକୁ ବନ୍ଦୀ କରାଯାଇଥିଲା ଗୋଟାଏ ବଡ଼ ବାଉଁଶ ତିଆରି ବୋଝ ତଳେ । ସାପ ଯଦି ଦଂଶନ କରିବା ପରେ କେଉଁଆଡ଼େ ଖସି ଚାଲିଯାଏ, ତେବେ ମଣିଷ ଦେହରୁ ବିଷ ଓହ୍ଲାଏ ନାହିଁ ବୋଲି ଆମେ ଶୁଣିଛୁ । ମୁଁ ବୋଝଆଡ଼ୁ ଦୃଷ୍ଟି ଫେରାଇ କୁମରଦାଦାର ଚାଳଘର, ଭୟଙ୍କର ଆକାଶ ଆଡ଼େ ଚାହିଁଲି ।

 

ଡିସେମ୍ୱର ମାସରେ ମଞ୍ଜୁ ଶାଶୁଘରକୁ ଯିବାର ଠିକ୍ ହୋଇଛି । ଦାଦା ଗରୀବ ମଣିଷ । ମଞ୍ଜୁ ବାରମ୍ୱାର ଘରର ପିଣ୍ଡା ଲିପେ । ତା’ ସତ୍ତ୍ୱେ ବର୍ଷାଦିନରେ ଚାଳରୁ ପାଣିଗଳି ଗୋବର ଲିପା ପିଣ୍ଡା ଉପରେ ଅସଂଖ୍ୟ ଗାତ ସୃଷ୍ଟି ହୋଇଯାଏ । କାନ୍ଥ ଉପରବାଟେ ବର୍ଷାପାଣି ଗଡ଼ିଆସେ ଦାରିଦ୍ର୍ୟର ଲୁହଭଳି । ଏ ଲୁହ ଠାଏ ଠାଏ ସ୍ଥାୟୀ ଚିହ୍ନ ଛାଡ଼ି ଦେଇଯାଏ କାନ୍ଥର ଗାଲ ଉପରେ । ରୋଷେଇଘରୁ ଦିନେ ଦିନେ ଧୂଆଁ ଉଠେନାହିଁ । ଥଣ୍ଡା ଚୁଲି ଶୋଇଯାଏ । ଏକ ଅଭ୍ୟାସ ଗତ ବିଶ୍ରାମ । କେଡ଼େ ବେଗି ବୁଢ଼ା ହୋଇଗଲା କୁମରଦାଦା—ବୟସର ମାଡ଼ ଯୋଗୁଁ ନୁହେ, ଅଭାବ ଜନିତ ଶୂନ୍ୟତା ଯୋଗୁ । ଗୋଟାଏ ଶୀର୍ଣ୍ଣ, ହଳଦିଆ ଦେହଧରି ଅଳସ ଗତିରେ ଯିବା ଆସିବା କରୁଥିବା ସ୍ତ୍ରୀ ଜଣକ ହେଉଛି ମଞ୍ଜୁର ମା’ ଖୁଡ଼ୀ । ଗୋଟାଏ ପ୍ରେତାତ୍ମାରୁ ବାସ୍ତବ ଦେହ ।

 

ଅଭାବ, ଅନାଟନର ଝିଅ ହେଉଛି ମଞ୍ଜୁ । ଅଠର ବର୍ଷର ଝିଅ । ଗୋରା, ନହକା; ଅଥଚ ଉଜ୍ଜ୍ୱଳ ଦେହ । ଗାଁ ମାଇନର ସ୍କୁଲରୁ ଶିକ୍ଷା ସମାପ୍ତ କରିଛି । ଡିସେମ୍ୱର ମାସରେ ତା’ର ଯିବାର ଅଛି ଆଉ ଏକ ଅଭାବ ଅନାଟନର କୋଳ ଭିତରକୁ । ଆମେ ଭଲଭାବେ ଜାଣିଛୁ ଯେ, ସେ ଯାଉଥିବା ଅନ୍ୟ ଘରେ ଦାରିଦ୍ର୍ୟ ଝୁଲିରହେ, ଘରର ଚାଳ ଉପରୁ, ସେଠାକାର ମଣିଷଙ୍କର ପେଟରୁ, ଫଟା ଲୁଗାର ଧଡ଼ିରୁ । ତେବେ, ଦାରିଦ୍ର୍ୟର ରୂପ, ଘର ଓ ମଣିଷର ପ୍ରକାର ଭେଦରେ ଅଲଗା ନୁହେଁ । ଏଥିପାଇଁ ମଞ୍ଜୁକୁ ମାନସିକ ପ୍ରସ୍ତୁତି ସଂଗ୍ରହ କରିବାକୁ ହୁଏତ ପଡ଼ିନାହିଁ ।

 

କେତେ ଦିନୁ କୁମରଦାଦା ଜିନିଷ ସଂଗ୍ରହ କରିଛି ମଞ୍ଜୁକୁ ବାଟେଇବା ପାଇଁ । ଖଟ, ପିତଳହାଣ୍ଡି, ଚଟୁ ଇତ୍ୟାଦି । ଏପରିକି କାନ ପାଇଁ ସୁନାରେ ତଆରି ଇଅରରିଙ୍ଗ । ପିଣ୍ଡାରେ ଚଉଡ଼ା ଖଟ ଉପରେ ଦାଦା ଶୁଏ । ଘର ଭିତରେ ଅନ୍ୟମାନେ । ରାତିରେ ମଞ୍ଜୁ ଅନୁଭବ କଲା, ତା’ ବେକ ଉପରେ କିଛି ଗୋଟାଏ କାମୁଡ଼ି ଦେବାର ଯନ୍ତ୍ରଣା । ଡାହଣ ହାତରେ ନିର୍ଦ୍ଦିଷ୍ଟ ସ୍ଥାନଟିକୁ ଅନୁଭବ କଲାବେଳେ, ଗୋଟାଏ ମସୃଣ, ଲମ୍ୱା ଜିନିଷକୁ ସେ ଧରି ପକାଇଲା । ତା’ର ନିଦ ଭାଙ୍ଗିଗଲା । ବ୍ୟସ୍ତତା ଓ ଭୟରେ ସେ ପାଟି କଲାବେଳକୁ ଡାହାଣ ହାତର କହୁଣି ଉପରେ ସେ ଅନୁଭବ କଲା ଆହୁରି ଏକ ଦଂଶନ ।

 

ଘରର ସଭିଏଁ ଉଠି ପଡ଼ିଲେ । ଲଣ୍ଠନ ଜଳାଗଲା । ଖୋଜା ଚାଲିଲା ସେହି ନୃଶଂସ ଅପରାଧୀକୁ । କୋଠରୀର ଗୋଟିଏ କଣରେ ମୁହଁମାଡ଼ି ରହିଥିଲା ପିତଳ ହାଣ୍ଡିଟି । ଏଇ ହାଣ୍ଡିକୁ ନେଇ ମଞ୍ଜୁ ଯିବାର କଥା ତା’ ଶାଶୁ ଘରକୁ । ଦେଖ, ଯୋଗ ଏମିତି ଯେ, ସେଇ ହାଣ୍ଡି ପଛଆଡ଼େ, ଜାକିଜୁକି ହୋଇ ତିନିଫୁଟ ଲମ୍ୱର ଚିତିସାପଟି ଚୋରଟିଏ ଭଳି ଲୁଚି ରହିଛି । ଏତେବଡ଼ କାମ କରିସାରିବା ପରେ ତା’ର ବିଶ୍ରାମ ଲୋଡ଼ା ।

 

ମଞ୍ଜୁର ଜେଜେମା’, ମା’ ଓ ସାନ ଦୁଇ ଭଉଣୀ ଶୋଇଥିଲେ ତା’ ପାଖରେ । ନିଷ୍ଠୁର ସାପଟା ଆଉ କାହାରିକୁ ଦଂଶନ ନକରି ଗୋଟାଏ ସୁନ୍ଦର, ନିରିମାଖି, ବଢ଼ିଲା ଝିଅର ବେକକୁ କାହିଁକି ବା ପସନ୍ଦ କଲା ? ବିଷ ପ୍ରୟୋଗ ପାଇଁ ସାପ କ’ଣ ଯେ କୌଣସି ମଣିଷର ଦେହକୁ ବାଛି ନିଏ ନାହିଁ ? ସାପର କଣ ଏକ ନିର୍ଦ୍ଦିଷ୍ଟ ରୁଚି ଅଛି ?

 

ଝଡ଼ା-ଫୁଙ୍କା ଚାଲିଛି । ଆମେ ଡାକ୍ତର ଓ ଅନ୍ୟଗୁଣିଆଙ୍କୁ ଅପେକ୍ଷା କରିଛୁ । ଅସ୍ଥିରତା ଓ ଆଶଙ୍କାରେ ଆମେ ସମସ୍ତେ ସଂପୂର୍ଣ୍ଣରୂପେ ଅବସନ୍ନ ହୋଇ ପଡ଼ିଲୁଣି । ମୁଁ ଅନୁଭବ କରୁଥିଲି ଗୋଟାଏ ତୀବ୍ର ଯନ୍ତ୍ରଣା—ମୋର ଶରୀର ଉପରେ, ହୃଦୟରେ, ଆତ୍ମାରେ । ମୋର ସମସ୍ତ ଚେଷ୍ଟା ଓ ବିଜ୍ଞତାର ବାଡ଼ ଛିନଛତ୍ର ହୋଇଗଲା । ଦୁଇ ପାପୁଲିରେ ମୁହଁ ଘୋଡ଼ାଇ ମୁଁ କାନ୍ଦି ପକାଇଲି ।

 

କେହିଜଣେ ମୋର ହାତକୁ ଧରି ପକାଇଲା । ଦେଖିଲି, ସାମନାରେ ଠିଆ ହୋଇଛି ଖୁଡ଼ୀ । କରୁଣ ସ୍ୱରରେ କହିଲା—‘ବାପରେ, ମଞ୍ଜୁଟା କ’ଣ ଚାଲିଯିବ ? ତୁ ତ କେତେ ପାଠ ପଢ଼ିଛୁ-। ତୁ କ’ଣ ତାକୁ ବଞ୍ଚାଇ ପାରିବୁ ନାହିଁ ?’ ମୋ ଉତ୍ତରକୁ ଅପେକ୍ଷା ନକରି ସେ ଏକରକମ ଚିତ୍କାର କଲା—‘ଗାଁର ସବୁ ମଣିଷ ଏଇଠି ଅଛ । କେତେ କାମ କରୁଛ । ତୁମକୁ ସବୁ ଛାଡ଼ିଦେଇ ମୋ ମଞ୍ଜୁ କ’ଣ ଚାଲିଯିବ ? ତୁମେ କ’ଣ ତାକୁ ଧରି ରଖି ପାରିବ ନାହିଁ ?’

 

ଖୁଡ଼ୀ ସ୍ୱରରେ ଏହାଠାରୁ ଆହୁରି କେତେକଥା ଲୁଚି ରହିଥିଲା । ପୃଥିବୀର ମଙ୍ଗ ତଳକୁ ଖସି ଯାଉଥିବା ସୂର୍ଯ୍ୟକୁ କିଏ ଭଲା ଉଠେଇ ଆଣି ରଖିଦେଇ ପାରିବ ଆକାଶର ଛାତିରେ ? କିଏ, କହ, ଶୀତ ଋତୁକୁ ବରଖାସ୍ତ କରି ବସନ୍ତର କାନି ଟାଣି ଆଣି ପାରିବ ନିର୍ଦ୍ଦିଷ୍ଟ ସମୟ ଆଗରୁ ? ମୋର ଆଉ ବୁଝିବାରେ ବାକି ରହିଲା ନାହିଁ ଯେ, ମଞ୍ଜୁ ଓଟାରି ହୋଇଯାଉଛି ଯମର ଅନ୍ଧାର ହାତ ଭିତରକୁ । ଏବେ ନିବେଦନର ସ୍ୱର ଅର୍ଥହୀନ । ନିର୍ମମତା ପାଇଁ ଆକୁଳିତ ପ୍ରତିବାଦ ବ୍ୟତୀତ ଆମର ଆଉ ଅଧିକ ବା କ’ଣ କରିବାର ଅଛି ?

 

ଡାକ୍ତର ଓ ଗୁଣିଆଁ ପହଞ୍ଚିଗଲେ । ଆମ ଭିତରେ କେତେ ଆଶାର ପାଖୁଡ଼ା ସୃଷ୍ଟି ହୋଇଗଲା । ସେ ଦୁଇଜଣଙ୍କ ପଛରେ ଆମେ ବି ଗଲୁ ମଞ୍ଜୁ ପାଖକୁ । ସେତେବେଳେକୁ ମଞ୍ଜୁ ଆଉ କଥା କହିପାରୁ ନଥାଏ । ତା’ର ବେକ ସଳଖଭାବରେ ଧରି ରଖି ପାରୁ ନଥାଏ ତା’ର ମୁଣ୍ଡକୁ-। ତା’ ଆଖିପତା ଉପରକୁ ଓହ୍ଲାଇ ଆସୁଥିଲା ଶେଷହୀନ ନିଦର ମାୟା । ତା’ ପାଟିରୁ ଝରି ଆସୁଥିଲା ଲାଳ ମିଶ୍ରିତ ଏକ ଅଭୂତପୂର୍ବ ଫେଣ । ଗୁରୁଚରଣ ବଡ଼ବାପା ଅନ୍ୟମନସ୍କ ହୋଇ ପଡ଼ୁଥିଲେ । ମନ୍ତ୍ର ପଢ଼ିବାରେ ତାଙ୍କଠି ଆଉ ଏକାଗ୍ରତା କିମ୍ୱା ଉଦବେଗ ନଥିଲା; ତାହା ପଢ଼ିବାରେ ସେ କୌଣସି ଜରୁରୀ କାରଣର ପ୍ରେରଣା ପାଉ ନଥିଲେ ।

 

ଡାକ୍ତର ନିସ୍ପନ୍ଦ ହୋଇ ଆସୁଥିବା ଶରୀରଟିକୁ ଦେଖିନେଲେ । ସେ ତାଙ୍କର ଔଷଧ ବ୍ୟାଗଟି ଖୋଲିବାକୁ ଉଦ୍ୟତ ହେଲେ, ଚାହିଁଲେ ମଞ୍ଜୁ ଆଡ଼େ । ପ ଣି କ’ଣ ଭାବିଲେ କେଜାଣି ବ୍ୟାଗଟିକୁ ବନ୍ଦକରି ଉଠି ଆସିଲେ ସେଠାରୁ । ସାଇକେଲ ହ୍ୟାଣ୍ଡେଲରେ ବ୍ୟାଗଟି ଝୁଲେଇବା ବେଳେ ବାପାଙ୍କୁ କହିଲେ—‘ମୁଁ ନ ଆସିଲେ ଆପଣ କାଳେ ଖରାପ ଭାବିବେ ବୋଲି ଚାଲିଆସିଲି-। ମୋର ଆଉ କିଛି କରିବାର ନାହିଁ । ପ୍ରକୃତରେ, କାହାରି କିଛି କରିବାର ନାହିଁ ।’

 

ସେ ଦୀର୍ଘଶ୍ୱାସ ତ୍ୟାଗକରି ଆଉ କିଛି କହିବାପାଇଁ ଉଦ୍ୟତ ହେଲାବେଳେ, ସଦ୍ୟ ଆସିଥିବା ଗୁଣିଆ ଜଣକ କହିଲେ—‘କୋକେଇ ପ୍ରସ୍ତୁତ କରିନିଅନ୍ତୁ ।’

 

ଗୁଣିଆଁଙ୍କର ଏଇ ପ୍ରସ୍ତାବ ଭାରି ନିର୍ଦ୍ଦୟ ଜଣାପଡ଼ିଲା ଆମ୍ଭମାନଙ୍କୁ । ଦାଦା ଏକଥା ଶୁଣି ପାରିଲା କି କ’ଣ । ସେ ଦୃଢ଼ତାର ସହିତ ଘୋଷଣାକଲା—‘ମଞ୍ଜୁ ଯଦି ଚାଲିଯାଏ, ତେବେ ମୁଁ ବି ଚାଲିଯିବି, ତୁମେ ଭାବୁଛ ଯେ, ତା’ କୋକେଇକୁ ବି ମୁଁ କାନ୍ଧରେ ବୋହିବି ? ସେକଥା ହୋଇପାରିବ ନାହିଁ । ଆମେ ଦୁଇ ଜଣଯାକ ଯିବୁ ମଶାଣିକୁ । ଏକା ସଙ୍ଗରେ ।’

 

ଦାଦାର ପ୍ରଶସ୍ତ ଅଗଣା ଆଡ଼େ ଚାହିଁ, ମୁଁ ବସିପଡ଼ିଲି ପିଣ୍ଡା ଉପରେ । ଚାରିବର୍ଷ ତଳର ଗୋଟାଏ ଅପରାହ୍ନ ଜୀବନ୍ତ ହୋଇ ଠିଆ ହେଲା ମୋ ଆଗରେ । ଶନିବାରର ଅପରାହ୍ନ । ସେତେବେଳକୁ ଆମ୍ଭମାନଙ୍କର ଛାଇଗୁଡ଼ାକ ଲମ୍ୱା ହୋଇଯାଉଥିଲା । ଛ’ଶହ ମଣିଷଙ୍କୁ ନେଇ ଗଢ଼ି ଉଠିଥିବା ଆମର ଛୋଟ, ପୁରୁଣା ଗାଁ ଉପରକୁ ଓହ୍ଲାଇ ଆସୁଥିଲା ମଳିନ ସଂଧ୍ୟା । ସେ ସଂଧ୍ୟାର ସମସ୍ତ ସ୍ନାୟୁ ଉପରେ ବିକ୍ଷୁବ୍‍ଧ ଶୋକର ଲୁହ ଅଜସ୍ର ଲହଡ଼ି ହୋଇ ପହଁରି ଯାଉଥିଲା । ଦାଦା ଗାମୁଛାରେ ମୁହଁ ପୋଛି ହୋଇ କାନ୍ଧ ଉପରକୁ ଉଠାଇ ନେଇଥିଲା କୋକେଇର ଓଜନକୁ ।

 

ସେ’ଦିନ ବି ସେ ଦୃଢ଼ତାର ସହିତ ଘୋଷଣା କରୁଥିଲା ଯେ, ଗୋଲକର ଶବ ମଶାଣିରେ ଭସ୍ମିଭୂତ ହେବା ଆଗରୁ, ସେ ନିଜକୁ ଭସ୍ମିଭୂତ କରିଦେଇଥିବ । ସେ ପାରିଲା ନାହିଁ । ଗୋଲକର ଶବ ଗଲା ମଶାଣିକୁ—ଭଙ୍ଗାହାଣ୍ଡି, ଅର୍ଦ୍ଧଦଗ୍ଧ କାଠ, ଛିଣ୍ଡା ମଶିଣା ଓ ଶୁଖିଲା ହାଡ଼ ପରିପୂର୍ଣ୍ଣ ନଈକୂଳର ଅପନ୍ତରାକୁ । ଗୋଲକର ନିସ୍ପନ୍ଦ ଦେହକୁ ସେ ନିଜେ ଥୋଇଦେଲା ଖଞ୍ଜା ଯାଇଥିବା ଶୁଖିଲା କାଠର କୋଳ ଭିତରେ । ସେ ନିଜେ ମୁଖାଗ୍ନି ଦେଇଥିଲା ।

 

ଅଠର ବର୍ଷରେ ବଡ଼ପୁଅ ଗୋଲକ ଚାଲିଯାଇଥିଲା । ଶନିବାର ଦିନ । କ’ଣ ବା ତା’ର ହୋଇଥିଲା ? ସକାଳେ ଆସି କହିଥିଲା ଯେ, ତାକୁ ଭାରି କମ୍ପ ଲାଗୁଛି । ଜ୍ୱର । ଭୀଷଣ ତାତି । ଔଷଧ ପଥିର ବ୍ୟବସ୍ଥା କରୁ କରୁ ଦିନ ବାରଟା ସରିକି ସେ ଆଖିବୁଜି ଦେଇଥିଲା ।

 

ତିନି ଭଉଣୀ ଉପରେ ସେ ଥିଲା ଏକମାତ୍ର ଭାଇ । ଅଠର ବର୍ଷର ଯୁଆନ୍ ପିଲାଟେ । ତାକୁ ଫୁଙ୍କି ଉଡ଼ାଇଦେଲା ସାମାନ୍ୟ ଜ୍ୱର । ଏ ପୃଥିବୀରେ କ’ଣ କାହାରିକୁ ଜ୍ୱର ହେଉନାହିଁ ?

 

ଦାଦାର ସଂସାର ସେଇଦିନୁ ବିବର୍ଣ୍ଣ ହୋଇଯାଇଥିଲା । ଗୋଲକ ସାଙ୍ଗରେ ମରିବାକୁ ଚାହୁଁଥିବା ଦାଦା ବହୁଦିନ ଯାଏ ନିଜକୁ ସଂଯତ କରି ପାରି ନଥିଲା । କାହିଁକି ସେ ଖଟିବ ? କାହାପାଇଁ ? ଝିଅମାନେ ଶାଶୁଘରକୁ ଚାଲିଗଲା ପରେ, ତା’ର କେଉଁ ସଂଜ୍ଞା ଅବଶିଷ୍ଟ ରହିବ ? ପାହାନ୍ତା ପ୍ରହରର ପୋଡ଼ାଜହ୍ନ ? ବିଧବା ହୋଇ ଯାଇଥିବା ନାରୀର ଶଙ୍ଖା ?

 

ଗୋଲକ ଚାଲିଗଲା । ଗାଁ ଦାଣ୍ଡରେ ଉଚ୍ଛ୍ୱସିତ ସ୍ୱରର ହସ ଶୁଭିଲା ନାହିଁ । ଗୋଲକ କେଡ଼େ ମଜା କଥା କହି ହସାଇ ପାରୁଥିଲା ! ରଜବେଳେ ଗାଁ ମୁଣ୍ଡ ପଡ଼ିଆରେ ଡ୍ରାମା ହୁଏ । ଅଥଚ କେଡ଼େ ନିଃସ୍ୱ, ପ୍ରାଣହୀନ ଜଣାପଡ଼େ ସେ ଡ୍ରାମା ! ଗୋଲକ କାହିଁ ? ଥରେ ହେଲେ ମଶାଣିରୁ ଉଠିଆସି ଏହାକୁ ଜୀବନ୍ତ କରିଦିଅନ୍ତା କି ! ବାହାଘର ଭୋଜିରେ ଭାତ-ଡାଲି ପରଷିବାକୁ କିଏ ଆଉ ଅଣ୍ଟାଭିଡ଼ି ବାହାରି ଆସିବ ? ଗୋଲକ ତ ନାହିଁ !

 

ମୁଁ ଆଦୌ ଚିନ୍ତା କରିପାରୁ ନଥିଲି, ମଞ୍ଜୁ ଯଦି ସତକୁ ସତ ଚାଲିଯାଏ, ତେବେ ତାଙ୍କ ଘରେ ଅନ୍ୟମାନେ ବଞ୍ଚିବେ କିପରି ? ଆମେ କେଉଁ ସାନ୍ତ୍ୱନା ଦେବୁ ? ମୋର ବିବ୍ରତ ଚିନ୍ତାକୁ କଲବଲ କରି ଶୁଭିଲା ଉଚ୍ଚସ୍ୱରରେ ଯନ୍ତ୍ରଣା ଜର୍ଜରିତ କାନ୍ଦଣା ।

 

ମଞ୍ଜୁ ମରିଗଲା ।

 

ସବୁ ଯେପରି ଫଟୋଗ୍ରାଫିକ୍ ଚିତ୍ରର ସ୍ଥିର, ଅଚଞ୍ଚଳ ଆଭାସ ! ଗଛର ପତ୍ର ହଲୁନାହିଁ, ଆମେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ପଙ୍ଗୁ ହୋଇ ଯାଇଛୁ, ସମଗ୍ର ବ୍ରହ୍ମାଣ୍ଡ ଖାଲି ଗୋଟାଏ ଗତିହୀନ, କଂପନହୀନ ବିଶାଳ ଧୋକାବାଜ । ଆମେ ଯେ ଯୁଆଡ଼େ ବସି ରହିଥିଲୁ । ଆମ ଭିତରେ, ବାହାରେ କିଛି ଘଟୁ ନଥିଲା । ଏପରିକି ସେଇ କେତୋଟି ମୁହୂର୍ତ୍ତପାଇଁ ଆମ ଗାଁକୁ ଜାବୁଡ଼ି ଧରି ରଖିଥିବା ବିହ୍ୱଳିତ କାନ୍ଦଣାକୁ ଆମେ କେହି ଶୁଣିପାରୁ ନ ଥିଲୁ ।

 

ଫରଚା ହୋଇ ଆସିଲାଣି । ଶନିବାରର ରାତି ଖଣ୍ଡ ଖଣ୍ଡ ହୋଇ ଫାଟି ଯାଉଛି । ଖୁଣ୍ଟକୁ ଆଉଜି ବସିଥିବା ଗୁରୁଚରଣ ବଡ଼ବାପା ଉଠିଆସିଲେ । ଗୋଟାଏ ଅପମାନବୋଧରେ ସେ ଭାରି ସଂକୁଚିତ ଦେଖା ଯାଉଥାନ୍ତି । ଗୁଣିଆ ଭାବରେ ମାତ୍ର ଦଶଦିନରେ ତାଙ୍କର ଏଇ ତୃତୀୟ ପରାଜୟ । ଏହା ପୂର୍ବରୁ ଅନ୍ୟ ଗାଁର ଦୁଇଜଣଙ୍କୁ ସେ ସାପବିଷ ବିରୁଦ୍ଧରେ ଲଢ଼େଇକରି ବଞ୍ଚାଇ ପାରି ନଥିଲେ । ସେ ଚାରିଆଡ଼ୁ ଆହତ ଦୃଷ୍ଟ ବୁଲାଇ ଆଣିଲେ । ମନକୁ ମନ କହିଲେ—କ’ଣ ହୋଇଛି ଏ ପୃଥିବୀକୁ ? ଏଠାରେ କ’ଣ ମନ୍ତ୍ର ଆଉ କାମ କରିବ ନାହିଁ ? ସାପକାମୁଡ଼ା ଯୋଗୁଁ ଶୋଇ ପଡ଼ୁଥିବା ମଣିଷର ନିଦ କ’ଣ ଭାଙ୍ଗିବ ନାହିଁ, ମନ୍ତ୍ରର ସ୍ପର୍ଶରେ ?

 

ମୁଁ ବି ଚାହିଁଲି ଚାରିଆଡ଼କୁ । ସବୁ ତ ଠିକ୍‍ ଥିଲା ପରି ଲାଗୁଛି । ମଣିଷ ଜନ୍ମ ହେଉଛି, ସ୍ତନ ଚିପୁଡ଼ି କ୍ଷୀର ପିଉଛି । ସୂର୍ଯ୍ୟ ଆଗଭଳି ଚଳପ୍ରଚଳ କରୁଛି । ବର୍ଷା ହେଉଛି । କ’ଣ ତେବେ ହଜିଯାଉଛି ଏଠାରୁ ? ଏବେ ଏଣିକି ଯଦି ସାପର ବିଷ ସତ୍ୟ ହୁଏ; ଝଡ଼ା-ଫୁଙ୍କା ଯଦି ଖାଲି ପ୍ରତାରଣା ହୁଏ, ତେବେ କେମିତି ଆମେ ନିରାପଦ ଅନୁଭବ କରିବା ? କେହି ଜଣେ ହେଲେ କହିଦିଅ, କ’ଣ ଅଭାବ ରହୁଛି, ଏଠାରେ !

 

ଦାଦା ଚାରିବର୍ଷ ପରେ ପୁଣି କାନ୍ଦୁଛି । ତଥାପି କେଡ଼େ ନୂଆ ଜଣାପଡ଼ୁଛି, ଏ କାନ୍ଦଣା ! ମଣିଷର ମୁହଁ ସିନା ପୁରୁଣା ଦେଖାଯାଏ; ହେଲେ, ତା’ର ଲୁହର ଭାଷା ସବୁବେଳେ ସ୍ୱତନ୍ତ୍ର । ଏ ପୃଥିବୀରେ କେଉଁଠି ଭଲା ଗୋଟିଏ ପ୍ରକାରର ଯନ୍ତ୍ରଣା ରହିଛି !

 

ବାପା ତା’ର ଡାହାଣ ବାହାକୁ ଧରିଥାନ୍ତି । ସେ ଅଳି କରୁଥାଏ—‘କେଉଁଠି ମୁଁ ମୋର ଛୁଆମାନଙ୍କୁ ଲୁଚେଇବି ? କାଲିଭଳି ସେମାନଙ୍କୁ ଅଠରବର୍ଷ ହୋଇଯିବ । ମାସରେ ତ ଚାରିଟା ଶନିବାର । କ’ଣ କରିବି ମୁଁ ?’

 

ଦାଦା ଯଦି ତା’ ଛୁଆମାନଙ୍କୁ ଲୁଚେଇବା ପାଇଁ ନିରାପଦ ସ୍ଥାନ ଖଣ୍ଡିଏ ପାଆନ୍ତା, କେଡ଼େ ଭିଡ଼ ହୁଅନ୍ତା ସେଠାରେ ! କାହାଠାରୁ ସେ ଲୁଚେଇବ ସେମାନଙ୍କୁ ? ଏମିତି କେଉଁ ଜିନିଷ ଅଛି, ଯାହା ଉପରେ ସମୟର ସୁଅ ଘସି ହୋଇପାରେ ନାହିଁ ? ଦଦରା ଚାଳଘରେ ରହୁଥିବା, ସାତସିଆଁ ଲୁଗା ପିନ୍ଧୁଥିବା ଦାଦା ଖୋଜୁଛି ଏମିତି ଏକ ସ୍ଥାନ, ଯାହାଉପରେ ଅଷ୍ଟାଦଶ ବର୍ଷ ଓ ଶନିବାରର ଛାଇ ପଡ଼ିବ ନାହିଁ ! କିଏ ବା ସିଧାସଳଖ ଡେଇଯିବ ସତରବର୍ଷରୁ ଊଣେଇଶ ବର୍ଷକୁ, ଶୁକ୍ରବାରରୁ ରବିବାରକୁ ? ମୋତେ ଜଣାଯାଉଥିଲା, ଦାଦା ପାଇଁ ବର୍ତ୍ତମାନ କେବଳ ଗୋଟିଏ ବାରର ଅସ୍ତିତ୍ୱ ଅଛି—ଶନିବାର । ଅନ୍ୟସବୁ ବାର ଡାହାମିଛ । ସମସ୍ତଙ୍କ ପାଇଁ ଊଣେଇଶ ବର୍ଷ, ଅପହଞ୍ଚ ସମୟର ଆକାଶ । ସେଠାକୁ ଗୋଲକର ହାତ ପାଏ ନାହିଁ, ମଞ୍ଜୁର ହାତ ପାଏ ନାହିଁ ।

 

ମାୟାଧର ଦାଦାଙ୍କର ମା’ । ସମ୍ପର୍କରେ ମୋର ଜେଜେମା ହେବ ! ବୁଢ଼ୀ ହେଲାଣି । ସେ ଗୋଟାଏ ଅଭିନବ ପ୍ରସ୍ତାବ ଦେଲା—‘କୁମର ଗୋଟାଏ କାମ କରୁ । ଦି’ଟା ଯାକ ଝିଅଙ୍କୁ ସେ କାହା ପାଖରେ ହେଲେ ବିକିଦେଉ । ପାଷାଣ ଯମ ଜାଣୁ ଯେ, କୁମରର ଆଉ କେହି ଛୁଆ ନାହାନ୍ତି-। ବୁଢ଼ା ବାପଟା କେତେ ଆଉ ସହିବ ?’

 

ଏମିତି କଲେ ସାନ ଝିଅ ଦୁଇଟା ରକ୍ଷାପାଇ ପାରିବେ କି ନା, ମୁଁ ଭାବିପାରୁ ନ ଥିଲି । ମୁଁ କେବଳ ଏତିକି ଭାବୁଥିଲି ଯେ ବେଳେବେଳେ ଜନ୍ମିତ ଛୁଆମାନେ ବାପା, ମାଙ୍କୁ ହତଭାଗା କରିଦିଅନ୍ତି । ଏଇତ, ଆମ ଆଖି ଆଗରେ ଦାଦା ଓ ଖୁଡ଼ୀ ସର୍ବହରା, ନିଃସ୍ୱ ଦେଖାଯାଉଛନ୍ତି । ଏମାନେ ଛୁଆ ଦି’ଟାଙ୍କୁ ଜନ୍ମ ଦେଇଥିଲେ ସେମାନଙ୍କର ମରଣ ଦେଖିବାକୁ, ନିଜ କୋଳରୁ ଉଠାଇ କୋକେଇର କୋଳରେ ଖଞ୍ଜି ଦେବାକୁ । ଗୋଲକ ଓ ମଞ୍ଜୁ ଖାଲି ସେଇଥିପାଇଁ ଜନ୍ମ ହୋଇଥିଲେ ସିନା !

 

ମୁଁ ଉଠିଲି ଘରକୁ ଫେରିବା ପାଇଁ । ସେତେବେଳ ସୁଦ୍ଧା ସୂର୍ଯ୍ୟ ଉଠି ନ ଥାଏ । ଗାଁର ଯେଉଁ ଲୋକମାନେ ସାରାରାତି ଜଗି ବସିଥିଲେ, ଅଧିକାଂଶ ଫେରିଗଲେଣି । କାହାର ବା ମନ ହେବ ସେଠାରେ ବେଶି ସମୟ କଟାଇବାକୁ ?

 

ବାରଣ୍ଡାର ଦୁଇ ଖମ୍ୱରେ ଡେରିହୋଇ ମା’ ଓ ପ୍ରୀତି ବସିଥିଲେ ନିର୍ବାକ୍ ହୋଇ । ମୋତେ କେହି କିଛି ପଚାରିଲେ ନାହିଁ । ମୁଁ ଶୋଇବା ଘରକୁ ଗଲି । ଖଟ ଉପରେ ଝିଅ ଶୋଇଥିଲା । ତାର ନିଃଶ୍ୱାସର ଶବ୍ଦ ଭାରି ଆଶ୍ୱାସନାମୟ ଜଣାଗଲା ମୋତେ । ତାକୁ ଦେଖିଲି ସମସ୍ତ ଆବେଗ ଓ ଏକାଗ୍ରତାର ସହିତ; ସତେ ଯେପରି ଏଇ ପ୍ରଥମକରି ଦେଖୁଛି ତା’କୁ ।

 

ମା’ ପାଖରୁ ଶୁଣିଛି, ପିଲାଦିନେ କାହାଣୀ ଶୁଣିବାକୁ ମୁଁ ଖୁବ୍ ଜିଦ୍ କରୁଥିଲି । ସଞ୍ଜବେଳେ ଦାଦା ପାଖରେ ମୋତେ ଛାଡ଼ି ଦିଆଯାଏ । ସେ ଆରମ୍ଭକରେ ରାଜା-ରାଣୀ କଥା । କାହାଣୀ ସରେ ନାହିଁ । ମୁଁ ଶୋଇପଡ଼େ । ସକାଳେ ମୁଁ ଦେଖେ, ଦାଦାର ଦଉଡ଼ିଆ ଖଟ ଉପରେ ମୁଁ ନାହିଁ । ଆମ ଘରର ପଲଙ୍କ ଉପରେ ମୁଁ ଶୋଇଛି । ଦାଦାର କାହାଣୀ ଅଟକି ଯାଇଥାଏ ରାଜକୁମାରୀ ପାଖରେ ।

 

ସେ ଅପେକ୍ଷାକରି ରହିଛି ରାଜକୁମାରକୁ । ଘୋଡ଼ାରେ ଚଢ଼ି ସେ ଆସିବ ପୋଖରୀ ତୁଠକୁ । ରାଜକୁମାରୀ ଛନଛନ ଆଖିରେ ତା’ଆଡ଼େ ଚାହିଁ ଦେହ, ମୁଣ୍ଡରୁ ଖସିଯାଇଥିବା ଓଦା ଲୁଗାରେ ନିଜକୁ ଆବୃତ କରିବାକୁ ଚେଷ୍ଟା କରୁଥିବ, ଥରିଲା ହାତରେ । ତା’ପରେ ଆଉ କ’ଣ ? ମୁଁ ଶୋଇପଡ଼େ । ଦାଦାର କଳ୍ପନାର କାହାଣୀ ରହିଯାଏ ସେଇଠି । ହେଲେ ମଞ୍ଜୁ ତ କଳ୍ପନା–ପ୍ରସ୍ତୁତ ନୁହେଁ—ବାସ୍ତବ; ମୋପରି, ତୁମପରି । ମଞ୍ଜୁ ଆଉ କାହିଁକି ପୋଖରୀ ତୁଠକୁ ଯିବ ? କାହାପାଇଁ ଅପେକ୍ଷା କରିବ ସେ ? ଏ ପୃଥିବୀରେ କଳ୍ପନାର କାହାଣୀ ଓ ବାସ୍ତବତାର କାହାଣୀ ଗୋଟିଏ ବିନ୍ଦୁରେ ମିଳିତ ହୋଇ ପରସ୍ପର ଭିତରେ ହଜିଯାଆନ୍ତି ବୋଲି ମୋର ଆଗରୁ ଧାରଣା ନ ଥିଲା ।

 

ମଞ୍ଜୁ ଆଉ ନାହିଁ । ଭୋକ କମିଯାଉଛି ବୋଲି ଚା’ ଖାଇବାକୁ ସେ ମୋତେ ବାରଣ କରିବ ନାହିଁ, ମୋର ଓଦା ଲୁଗା ଶୁଖେଇ ଦେବନାହିଁ, ଝିଅ ଆଖିରେ କଜଳ ଲଗାଇ ଦେବ ନାହିଁ । ମୁଁ ଦୀର୍ଘଶ୍ୱାସ ତ୍ୟାଗ କଲି ।

 

ଗାଁ ଚୌକିଦାର କେତେବେଳୁ ଥାନାରୁ ଫେରିଲାଣି । ସେଠାରେ ସେ ଖବର ଦେଇଛି । ପୋଲିସ୍ ଆସି କଥାଟାର ସତ୍ୟାସତ୍ୟ ଅନୁଧ୍ୟାନ କଲେ ଯାଇ ମଡ଼ା ଉଠିବ । ରାସ୍ତା ଉପରେ, ବାଉଁଶ ତିଆରି ବୋଝତଳେ ହତ୍ୟାକାରୀ ଚିତି ସାପଟି ବନ୍ଦୀ ହୋଇ ପଡ଼ି ରହିଛି । ଘର ଭିତରେ ବନ୍ଧନହୀନହୋଇ ପଡ଼ିଛି ମଞ୍ଜୁର ମୂର୍ଦ୍ଦାର । ଡେରିହୋଇ ଯାଉଛି । ସାରା ଗାଁ ଅଣନିଃଶ୍ୱାସୀ ହୋଇ ରୁନ୍ଧି ହୋଇ ପଡ଼ିଲାଣି ।

 

କାହିଁ ? ଅପରାହ୍ନ ତିନିଟା ବାଜିଲା । ଏ ଯାଏଁ ପୋଲିସର ଦେଖାନାହିଁ । ଆମେ ସଭିଏଁ ବିକଳ ହୋଇ ପଡ଼ିଲୁ । ଦୁଇଥର ଲୋକ ପଠାଯାଇଛି ଥାନାକୁ । ହଁ, ଯିବା, ଯିବା ହୋଇ ପୋଲିସ୍ ଆସୁନାହିଁ । ମଡ଼ା ବାସୀହେଲେ ତାଙ୍କର ବା ଯାଏ କ’ଣ ? କେଡ଼େ ଅନାସକ୍ତ ସେମାନେ !

 

ଚାରିଟା ବେଳକୁ ବିରକ୍ତିର ମୁହଁ ନେଇ ସେମାନେ ଆସିଲେ । ମାତ୍ର ପାଞ୍ଚ ମିନିଟର କାମ ।

 

ପୋଲିସ୍ ଫେରିଗଲା ପରେ, କୋକେଇ ପ୍ରସ୍ତୁତ କରାହେଲା । ବହୁବେଳୁ କାନ୍ଦଣାର ସ୍ୱର ଥମିଯାଇଥିଲା; କିନ୍ତୁ ମଞ୍ଜୁର ଦେହକୁ ଘରୁ କାଢ଼ିଆଣି କୋକେଇରେ ବାନ୍ଧିବା ବେଳକୁ ସେ ସ୍ୱର ଆହୁରି କରୁଣ, ଆହୁରି ବିଷାଦଗ୍ରସ୍ତ ହୋଇ ଯାଇଥିଲା ।

 

ଦାଦା ଠିଆ ହୋଇଥିଲା ପାଖରେ; ଅନ୍ୟ ମାଲଭାଇଙ୍କ ସହିତ । ନା, ସେ ମରିନାହିଁ । ସେ ମରିନଥିଲା ଗୋଲକର ମୃତ୍ୟୁ ପରେ ।

 

ସେ ବସିପଡ଼ିଲା ତଳେ । କୋକେଇଟିକୁ କାନ୍ଧଉପରକୁ ଉଠାଇବାକୁ ହେବ । ଯନ୍ତ୍ରଣାରେ ମୋର ଆଖି ଆପଣାଛାଏଁ ବନ୍ଦ ହୋଇଗଲା । ମଞ୍ଜୁପାଇଁ ଆହୁରି ଦୁଇଧାର ଲୁହ ଝରି ଆସିଲା ମୋର ଗାଲ ଉପରେ ।

 

ମଞ୍ଜୁର ମୁର୍ଦ୍ଦାର ଆଉ ଭୂଇଁ ଉପରେ ନାହିଁ । ବର୍ତ୍ତମାନ ତାହା ଦାଦାର କାନ୍ଧରେ, ଅନ୍ୟ ମାଲଭାଇଙ୍କ କାନ୍ଧରେ । ଜଣେ ବାପପାଇଁ ନିଜ ଛୁଆର ମୁର୍ଦ୍ଦାରଠାରୁ ବଳି ଆଉ କିଛି ଓଜନିଆ ଜିନିଷ ପୃଥିବୀରେ ଅଛି କି ? ତଥାପି ଦାଦାର କମ୍ପିତ କାନ୍ଧ ଉପରୁ କୋକେଇଟା ଖସି ପଡ଼ୁନାହିଁ । ନଈକୂଳରେ ଶୁଖିଲା କାଠ ସଜାଡ଼ି ସେ ନିଜର ଦ୍ୱିତୀୟ ସନ୍ତାନକୁ ମୁଖାଗ୍ନି ଦେଇ ଫେରିବ ।

 

ବୁଧବାର ଆସିଲା । ଗାଁର ଝିଅମାନେ ଚାଉଳଭଜା ଓଷା କରୁଥିବାର ଦିନ । ସଂଧ୍ୟାରେ ଆମ ଗାଁର ଅଣୁ ପରମାଣୁ ଭିତରେ ଗୋଟାଏ କୋହମିଶା ସ୍ୱର ଜଣକୁ ଖୋଜି ବୁଲିଲା—‘ମଞ୍ଜୁ, ଲୋ ବାୟାଣୀ ! କିଲୋ କେଉଁଠି ଶୋଇପଡ଼ିଲୁ କି ? ଉଠ୍ । ଚାଉଳଭଜା ଓଷାକୁ ସଭିଏଁ ଗଲେଣି-। ଉଠ୍, ମା । ଉଠ୍ ।’

 

ସେ ସ୍ୱରର କ’ଣ ଥିଲା କେଜାଣି, ସମଗ୍ର ଗାଁ କାଙ୍ଗାଳ ସର୍ବହରା ଜଣା ପଡ଼ିଲା । ପାହାଡ଼ର ଶିଳା-ପ୍ରଶିଳା, ଶିଖ ଉପରେ ଥିବା ମନ୍ଦିରର ପତାକା, ମୁଣ୍ଡ ଉପରର ଆକାଶ-ସମସ୍ତେ ଅପରାଧୀ ଭଳି ନୀରବ ଓ ନତମସ୍ତକ ହୋଇଗଲେ । ଚାଲୁଥିବା ମଣିଷର ଗୋଡ଼, ଖାଉଥିବା ମଣିଷର ହାତ, ଭୁକୁଥିବା କୁକୁର ଓ ପାକୁଳି କରୁଥିବା ଗାଈର ପାଟି ମୋହଗ୍ରସ୍ତ ହେଲାଭଳି ଅଟକିଗଲା ।

 

ଏବେ ମଧ୍ୟ ଡାକ ମଝିରେ ମଝିରେ ଶୁଣାଯାଏ । ଏ ଡାକ କେଉଁଦିନ ସରିଛି ନା ସରିବ-?

Image